ସୁରଞ୍ଜନ ବାବୁ ସାନ୍ଧ୍ୟ ଭ୍ରମଣରେ କଟକ ରିଙ୍ଗରୋଡ୍ ଦେଇ ଦେବୀଗଡ଼ା ପାଖରେ ପହଞ୍ଚିଲା ବେଳକୁ ଆଦ୍ୟ ଆଶ୍ୱିନର ଖଣ୍ଡେ ନିଷ୍ଫଳା ମେଘ କାଠଯୋଡ଼ିର ଆକାଶକୁ ଆହୁରି ରମଣୀୟ କରି ତୋଳିଥିଲା। ତଳେ କାଠଯୋଡ଼ିର ତୁଠ ପାହାଚରେ ଳାଜେଇ ଲହରୀ, ଶୁଭ୍ର କାଶତଣ୍ଡୀର ରୂପ ସମ୍ଭାର, ବାଡ଼ମୂଳେ ନୀଳ ଅପରାଜିତା, କରୁଣ ଦିଶୁଥିବା କମନୀୟ ଗଙ୍ଗଶିଉଳିର ଭୁରୁଭୁରୁ ସୁବାସ ଶରତକାଳୀନ ଶୋଭାକୁ ବଢ଼େଇ ଦେଉଥିଲା। ପ୍ରକୃତିର ଏ ରୂପ ସମ୍ଭାର ମନେ ପକାଇ ଦେଉଥିଲା ସୁକୁମାରୀ ଶରତ କାଳର କଥା, ପାର୍ବଣ ବେଳର କଥା। ମନେ ପଡୁଥିଲା ଭକ୍ତକବିଙ୍କ କବିତାଂଶଟିଏ:
“ଭାଦ୍ର ଆଶ୍ୱିନ ଶରତରେ
ନିର୍ମଳ ଶୋଭା ଜଗତରେ।”
କଟକ ଗାଁର ସହର। ପ୍ରାଚୀନ ପଲ୍ଲୀ ପ୍ରାଣ, ଗ୍ରାମ୍ୟ ସଂସ୍କୃତି, ସାହିଭାଇର ସଂସ୍କୃତି ଓ ପରମ୍ପରା ପରିପୁଷ୍ଟ ଏହି ସହରରେ ପ୍ରକୃତିର ଏହି ବୈଶିଷ୍ଟ୍ୟ ବାରି ହୋଇପଡ଼େ। ପ୍ରାଚୁର୍ଯ୍ୟ ମିଶା ପାର୍ବଣ ପ୍ରବାହରେ ଭାସି ଯିବାକୁ ଚାହାନ୍ତି ଏହି ସହରବାସୀ। ମା’ ନିତ୍ୟା, ପୂର୍ଣ୍ଣା, ଆନନ୍ଦା ଆସୁଛନ୍ତି ଭାବି ଧନୀ-ନିର୍ଧନ, ପଣ୍ଡିତ-ମୂଢ଼, ସବଳ-ଦୁର୍ବଳ, ହିନ୍ଦୁ-ମୁସଲମାନ-ଶିଖ-ଇସାଇ, ବୌଦ୍ଧ-ଜୈନ ସଭିଏଁ ଲାଗିପଡ଼ନ୍ତି ଶାରଦୀୟ ଉତ୍ସବ ପାଳନରେ। ପାର୍ବଣର ଏହି ପ୍ରଚଳିତ ଧାରାଟି ଧର୍ମର ମୂଳ ବୈଶିଷ୍ଟ୍ୟ ସହିତ ଉତ୍ସବର ସାମାଜିକୀକରଣର କଥା କୁହେ।
ଏ ବର୍ଷ ଦୁର୍ଗା ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାରେ ସଂପନ୍ନ କରିବାପାଇଁ ପୁଲିସ୍ କମିସନରେଟ୍ ତରଫରୁ ମହାନଗର ଶାନ୍ତି କମିଟି ସହିତ ଆଲୋଚନାପୂର୍ବକ ନିଶାମୁକ୍ତ ସହ ଡିଜେମୁକ୍ତ ରୋଶଣି ପାଇଁ ନିଷ୍ପତ୍ତି ନିଆଯାଇଛି, କାରଣ ଡିଜେର କାନଫଟା ଶବ୍ଦ ଓ କୋଳାହଳ ଧ୍ୱନିର ପ୍ରଦୂଷଣ ହେଉଛି ସାଧାରଣ ଧ୍ୱନି ଠାରୁ ଅଲଗା। ୧୯୮୭ ମସିହାରେ କେନ୍ଦ୍ର ସରକାରଙ୍କ ଏକ ସଂଶୋଧିତ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରୋଧ ଆଇନ ବଳରେ ଉଚ୍ଚ ଧ୍ୱନିକୁ ଏକ ପ୍ରଦୂଷିତ ପଦାର୍ଥ ଭାବରେ ଗ୍ରହଣ କରା ଯାଇଅଛି ଓ ଧ୍ୱନିର ତୀବ୍ରତା ଘେନି ଅନୁମୋଦିତ ସୀମା ନିର୍ଦ୍ଧାରଣ କରାଯାଇଛି, ଯାହା ଶିଳ୍ପାଞ୍ଚଳ ପାଇଁ ୭୫ ଡେସିବଲ୍ (ଶବ୍ଦର ସାନ୍ଦ୍ରତା ବା ଘନତ୍ୱର ମାପାଙ୍କ) ଓ ୭୦ ଡେସିବଲ୍ ରାତି ସମୟ ପାଇଁ, କିନ୍ତୁ ଘରୋଇ ବାସସ୍ଥାନ ଅଞ୍ଚଳ ପାଇଁ ଏହା ଦିନବେଳା ୫୫ ଡେସିବଲ୍ ଓ ରାତି ବେଳା ୪୫ ଡେସିବଲ୍। ପର୍ବପର୍ବାଣି ସମୟରେ ଉଚ୍ଚ ଧ୍ୱନି ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଉପରେ ଲଗାମ ଲଗାଇବାର ଆବଶ୍ୟକତା ରହିଛି। ଏହା କେବଳ ଶ୍ରବଣ ଶକ୍ତିକୁ ପ୍ରଭାବିତ କରେ ନାହିଁ, ନିରବଚ୍ଛିନ୍ନ ଉଚ୍ଚ ଧ୍ୱନିର ସଂସ୍ପର୍ଶରେ ଆସିଲେ ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗର ଭୟ ବଢ଼ିବା ସହିତ ଏହା ଦ୍ବାରା ରକ୍ତବାହୀ ଧମନୀକୁ ଆଘାତ ପହଞ୍ଚେ। 
କଟକ ସହରରେ ପ୍ରାୟ ୧୭୧ଟି ଛୋଟବଡ଼ ପୂଜା ମଣ୍ଡପ ରହିଥିଲା ବେଳେ ସାହି ଓ ସୀମା ବିବାଦ ଏହି ସମୟରେ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥାଏ। ସହରରେ ଦୁର୍ଗାପୂଜା ଆୟୋଜନ ଆଡ଼ମ୍ବରରେ ହେଉଥିବାରୁ ସାଜସଜ୍ଜାକୁ ପ୍ରାୟତଃ ପୂଜା କମିଟି ପ୍ରାଧାନ୍ୟ ଦେଇଥାଏ। ଗୋଟିଏ ପୂଜା କମିଟି ନିଜର ସୀମା ଡେଇଁ ପାଖ ସାହି ସୀମାରେ ତୋରଣ ନିର୍ମାଣ କିମ୍ବା ଲାଇଟ୍ ଲଗାଇବା ଯୋଗୁଁ ବିବାଦର ସୂତ୍ରପାତ ହୁଏ। ଏହା ଛଡ଼ା, ଚାନ୍ଦା ଆଦାୟ ମଧ୍ୟ ବିବାଦର ଅନ୍ୟତମ କାରଣ। ଅନେକ ସମୟରେ ଗୋଟିଏ ପୂଜା କମିଟି ଅନ୍ୟ କମିଟି ଅଞ୍ଚଳରେ ପଶି ଚାନ୍ଦା ଆଦାୟ କରିବାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ପ୍ରଧାନତଃ ପ୍ରତିଯୋଗିତାମୂଳକ ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ଏହି ବିବାଦ ସୃଷ୍ଟି ହୋଇଥାଏ। ଭସାଣି ପର୍ବରେ ନିଶାଗ୍ରସ୍ତ ଅବସ୍ଥାରେ ଉଦ୍ଦଣ୍ଡ ନୃତ୍ୟ, ନାଚଗୀତ, ଦ୍ୱି-ଅର୍ଥବୋଧକ ସଙ୍ଗୀତ ଓ ବାଜବାଜଣା, ଆତସବାଜି ପ୍ରଦର୍ଶନ, ଛାତିଫଟା ଧ୍ୱନିରେ ଗହଳଚହଳ, ଅଶ୍ଳୀଳ ଇଙ୍ଗିତ ବିବାଦକୁ ଡାକି ଆଣେ। ଏହି ସଂକ୍ରାନ୍ତରେ ସୁରଞ୍ଜନ ବାବୁଙ୍କର ଏକ ପରିସଂଖ୍ୟାନ ମନେ ପଡୁଥିଲା। ଆମ ରାଜ୍ୟର ୧୫ରୁ ୪୯ ବର୍ଷ ବୟସ୍କା ମହିଳାଙ୍କ ଭିତରୁ ଅନ୍ୟୂନ ୪୨ ପ୍ରତିଶତ ଯେଉଁ ଶାରୀରିକ ଓ ଯୌନ ହିଂସାର ଶିକାର ହୁଅନ୍ତି, ତା’ ପଛରେ ନିଶାର ଏକ ବଡ଼ ଅବଦାନ ରହିଛି। ତେଣୁ ଭାଗବତରେ କୁହାଯାଇଛି:
“ଦ୍ୟୁତ କାମିନୀ ମଦ୍ୟପାନ, 
ପ୍ରାଣୀ ମରଣ ଯେବା ସ୍ଥାନ
ମିଥ୍ୟା ବସଇ ଦ୍ୟୁତ ମଧ୍ୟେ, 
କାମ କାମିନୀ ମଦ୍ୟ ମଧ୍ୟେ।”
ଏହି ଦୁର୍ଗାପୂଜାରେ ହଜାର ହଜାର ମୃଣ୍ମୟୀ ପ୍ରତିମା ନଦୀ, ନାଳ ଓ ପୁଷ୍କରିଣୀରେ ବିସର୍ଜନ କରାଯିବ। ବିଭିନ୍ନ ବର୍ଜ୍ୟ ଓ ଅଦାହ୍ୟ ପଦାର୍ଥରେ ତିଆରି ମୂର୍ତ୍ତି, ଅଳଙ୍କାର, ଆୟୁଧ, ମେଢ଼ ଓ ସାଜସରଞ୍ଜାମ ପାଣିରେ ମିଳେଇଯିବ ନାହିଁ। ଅବଶ୍ୟ ଅଦାଲତୀ ତାଗିଦା ଓ ପ୍ରଦୂଷଣ ବିରୋଧୀଙ୍କ ଚାପ ଫଳରେ ଏ କ୍ଷେତ୍ରରେ ଅନେକ ସଂସ୍କାର ଆସିବା ସହିତ ଅସ୍ଥାୟୀ ଜଳାଶୟମାନ ତିଆରି କରାଯାଇ ମୂର୍ତ୍ତି ବିସର୍ଜନ କରାଯାଉଛି।
ତେଣୁ ବାହ୍ୟ ଆଡ଼ମ୍ବର ଓ ଆଟୋପ ପରିବର୍ତ୍ତେ ମାନବିକତାରେ ଉଦ୍ଦୀପିତ ହେଉ ପୂଜା। ସାଂପ୍ରଦାୟିକ ଆଲୋଚନାରୁ ବିରତ ରହି ଆମର ପୂଜା ମଣ୍ଡପ ପାଖରେ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ଆବାହନ କରାଯାଉ। ମୂର୍ତ୍ତି ବିସର୍ଜନ ସମୟରେ ମଦ୍ୟପାନକୁ ବାରଣ କରାଯିବା ସହିତ ନଦୀ, ପୋଖରୀରେ ଅସତର୍କତାବଶତଃ ଜଳସମାଧି ନେବାର ଭୟକୁ ଏଡ଼ାଇବା ଜରୁରି। ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସହିତ ଉଦ୍ଧାରକାରୀ ଦଳ ଜାଗ୍ରତ ରହିବା ଆବଶ୍ୟକ। ମଞ୍ଚ ଓ ପୂଜା ପେଣ୍ଡାଲ ନିକଟରେ ବିଦ୍ୟୁତ୍ ସଂଯୋଗ ସମୟରେ ସତର୍କତା ଅବଲମ୍ବନ ପୂର୍ବକ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇବା ଉଚିତ।
ଉତ୍ତୀର୍ଣ୍ଣ ସଞ୍ଜରେ ସୁରଞ୍ଜନ ବାବୁ ଘରମୁହଁା ହେଲା ବେଳେ କ୍ରମଶଃ ନେଳି ପଡ଼ିଆସୁଥିବା କାଠଯୋଡ଼ିର କାଚକେନ୍ଦୁ ପାଣି ଦେଖି କବିତା ପଦେ ଗୁଣୁଗୁଣୋଉଥିଲେ:
“ନଦୀ ବି ତ ନାରୀ
ଆଶ୍ୱିନର ଧାନକ୍ଷେତେ ଶୁଖାଏ କବରୀ।”
ମୋ: ୯୪୩୭୦୦୦୬୩୬