ଧନଞ୍ଜୟ ସ୍ୱାଇଁ

Advertisment

୩୧୬ ନମ୍ବର ଜାତୀୟ ରାଜପଥରେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଡେଇଁ ସୁରଞ୍ଜନ ବାବୁ ରାଜନଗରରେ ପହଞ୍ଚିଲା ବେଳକୁ ଅପରାହ୍‌ଣର ଆକାଶ କେଉଁ ଗମ୍ଭୀର ଅଭିଭାବକଙ୍କ ଉଦାସ ମୁହଁଟି ପରି ଦିଶୁଥିଲା। ମଝିରେ ମଝିରେ ସାମୁଦ୍ରିକ ହିଲ୍ଲୋଳ ବିଷାଦ ସଙ୍ଗୀତର ମୂର୍ଚ୍ଛନା ପରି କର୍ଣ୍ଣକୁହରରେ ତାଙ୍କର ପ୍ରତିଧ୍ୱନିତ ହେଉଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ଆଦ୍ୟ ଆଶ୍ୱିନରେ ଚଅଁର ଉଡ଼ାଉଥିବା ଧବଳ କାଶଫୁଲ ଏବେ ବୃଦ୍ଧା ବର୍ଷାର ପକ୍ୱ କେଶ ପରି ମଳିନ ଓ ନିଷ୍ପ୍ରଭ ଦିଶୁଥିଲା। କବିଙ୍କ ଭାଷାରେ, “ଜରତୀ ବରଷାର ଧବଳ ଜଟା”। ରାଜନଗର ବଜାରରେ ଦେଖା ହେଲେ ସେ ଅଞ୍ଚଳର ପରିବେଶବିତ୍ ଭାବରେ ବେଶ୍ ଜଣାଶୁଣା ଶିକ୍ଷକ ତଥା କବିପ୍ରାଣ ହେମନ୍ତ କୁମାର ରାଉତ। ପଶୁପକ୍ଷୀକୁଳକୁ ଆହାର ପ୍ରଦାନ କରୁଥିବା ତଥା ନୀଡ଼ ତିଆରି ପାଇଁ ଆବଶ୍ୟକ ପଡୁଥିବା ବୃକ୍ଷ ସମ୍ପଦ ଯଥା ତାଳ, ଖଜୁରୀ, ବର, ଅଶ୍ୱତ୍‌ଥ, ନିମ୍ବ, ଚାକୁଣ୍ଡା, ଆମ୍ବ, ବେଲ ଇତ୍ୟାଦି ଗଛ ସଂଖ୍ୟା କମି ଆସୁଥିଲା ବେଳେ, ପଶୁପକ୍ଷୀମାନଙ୍କ ପ୍ରତି ଦୟା, କରୁଣା ଓ ଆଗ୍ରହ ଭାବ ପରିଦୃଷ୍ଟ ହେଉ ନ ଥିଲାବେଳେ, ହେମନ୍ତ ବାବୁଙ୍କ ବୃକ୍ଷ ପ୍ରୀତି ଓ ମାନବେତର ପ୍ରାଣୀ ଯଥା ବୁଲାକୁକୁର ଓ କୁଆମାନଙ୍କୁ ଆହାର ଦେବା ସହ ସ୍ନେହପୂର୍ଣ୍ଣ ଆଚରଣ ସୁରଞ୍ଜନ ବାବୁଙ୍କ ମୁଗ୍‌ଧ ଚକିତ କରୁଥିଲା।
୧୯୯୯ ମହାବାତ୍ୟା ଦେଖାଏ ହେମନ୍ତ ବାବୁଙ୍କ ଜୀବନକୁ ନୂଆ ଦିଗ। ଏ ସମ୍ପର୍କରେ ସେ କୁହନ୍ତି, “ମୋ ଗଁା ଠାରୁ ସମୁଦ୍ର ମାତ୍ର ୩ କିଲୋମିଟର ଦୂର। ଏଥିପାଇଁ ସମୁଦ୍ର ମାଡ଼ି ଆସିବାର ଭୟ ରହିଥାଏ। ସମୁଦ୍ର ଓ ନଈ ଭୟ ଏଡ଼ାଇବା ଲାଗି ୧୯୯୫ ବେଳକୁ ସ୍କୁଲ୍ ପିଲା ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଗଁା ଓ ଏହାର ଆଖପାଖ ସ୍ଥାନରେ ଆମେ ପ୍ରାୟ ୩ ହଜାର ବବୁଲ୍ ଗଛ ଲଗାଇଥିଲୁ, ଯାହାକି ୧୯୯୯ ମହାବାତ୍ୟା ବେଳେ ଆମକୁ ବଞ୍ଚାଇଦେଲା। ସମୁଦ୍ର ମାଡ଼ି ଆସିଲା ହେଲେ ଗଛ ଯୋଗୁଁ ଗଁା ରାସ୍ତା ଭାଙ୍ଗିଲା ନାହିଁ। ମହାବାତ୍ୟାରୁ ରକ୍ଷା ପାଇବା ପରେ ହେନ୍ତାଳ ବଣର ଆବଶ୍ୟକତା ସମସ୍ତେ ମର୍ମେ ମର୍ମେ ଅନୁଭବ କରିଥିଲେ। ମହାବାତ୍ୟା ଆମକୁ ବଡ଼ ଶିକ୍ଷା ଦେଲା।” ସଂପ୍ରତି ରାଜନଗର ବ୍ଲକ୍‌ର କୋଇଲିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରାହାପୁର ଠାରୁ ତନ୍ତିଆପାଳ ଯିବା ରାସ୍ତାରେ ପ୍ରାୟ ୧୦ ହେକ୍‌ଟର୍‌ରୁ ଅଧିକ ଜଙ୍ଗଲ, ପାଣି ମାଡୁଥିବା ସ୍ଥାନରେ ଗୁଆଁ, ବନି, ରାଇ, କୋରୁଅ, ପାଣିଆମ୍ବ ପରି ଜାତି ଜାତି ହେନ୍ତାଳ ବୃକ୍ଷ ଲଗାଇଥିବା ବେଳେ ଶୁଷ୍କାଞ୍ଚଳରେ ଲଗାଇଛନ୍ତି ବାଉଁଶ, ଆକାଶିଆ, ଝାଉଁ, ବର, ଓସ୍ତ ଇତ୍ୟାଦି ବୃକ୍ଷ। ନରଣପୁର ଓ କାଙ୍କଦିଆ ନିକଟରେ ‘ଚଲେଚଲୋ’ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ଚାରା ଉତ୍ପାଦନ କରିବା ସହ ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି ମଧ୍ୟ। ହେନ୍ତାଳ ବଣ ସୁରକ୍ଷା ଅବା ଗହୀରମଥା କଇଁଛ ସୁରକ୍ଷା ଆନ୍ଦୋଳନ- ସବୁଠି ତାଙ୍କ ଉଦ୍ୟମ ଓ ଉଦ୍‌ଯୋଗର ଛାପ ଦେଖିବାକୁ ମିଳେ। ହେମନ୍ତ ବାବୁ ଖାଲି ଯେ ପ୍ରକୃତିପ୍ରେମୀ ତା’ ନୁହେଁ, ‘ଚେନାଏ ବସୁନ୍ଧରା’, ‘ତାରାଫୁଲର ଗୀତ’ ଇତ୍ୟାଦି କୋଡ଼ିଏରୁ ଅଧିକ ପୁସ୍ତକ ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ସେ। ତତ୍‌ସହିତ ପରିବେଶଭିତ୍ତିକ ‘ହେନ୍ତାଳ’ ପତ୍ରିକା ସମ୍ପାଦନା ତାଙ୍କ ପରିବେଶ ପ୍ରୀତିର ସ୍ୱାକ୍ଷର ବହନ କରେ। କଥା ପ୍ରସଙ୍ଗରେ ହେନ୍ତାଳ ବଣ ପରି ଏକ ସୁରକ୍ଷା ପ୍ରାଚୀର ଯୋଗୁଁ ‘ଦାନା’ ଭଳି ଦୁର୍ବିପାକର ପ୍ରକୋପ ରାଜନଗରରେ ଅନୁଭୂତ ହେଲା ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ଫନି, ଅମ୍ଫାନ, ହୁଡ଼ହୁଡ, ତିତଲି, ୟାସ ଭଳି ବାତ୍ୟା ମୁହଁରୁ ରାଜନଗରକୁ ରକ୍ଷା କରି ଆସିଥିବା ହେନ୍ତାଳ ବଣ ଏଥର ବି ଅଞ୍ଚଳବାସୀଙ୍କ ପାଇଁ ସୁରକ୍ଷା କବଚ ସାଜିଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣଭୂମିରେ ଅବସ୍ଥିତ ଭିତରକନିକା ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଧାମରା ମୁହାଣ ଠାରୁ ବରୁଣେଇ ମୁହାଣ ପ୍ରାୟ ୬୬୨ ବର୍ଗ କିଲୋମିଟର ଯାଏ ବିସ୍ତାରିତ। ରାଇ, କେରୁଆଁ, ଗରାଣୀ, ପାଣିଆମ୍ବ, ପିତାମାରୀ, ହେନ୍ତାଳ ରୁଅ ଠାରୁ ହରକଚ, ବଣିଆ ପର୍ଯ୍ୟନ୍ତ, ଶିଆଳି ଲଟାଠାରୁ ଆରମ୍ଭ କରି ନେତେଇ, ଗୋବରା, ଶୋଖେରା, ନାଳିଆ, ଓରୁଅ ପର୍ଯ୍ୟନ୍ତ ଅନେକ ଗୁଳ୍ମରୁ ଉଚ୍ଚ ପାଦପରାଜିରେ ଭିତରକନିକାର ଜୈବମଣ୍ଡଳ ସୁସମୃଦ୍ଧ। ତା’ ମଧ୍ୟରେ ଅହିରାଜ, ଗୋଖର, ତମ୍ପ, କାଳୁଆ, ବୋଡ଼ା, ଲାଉଡଙ୍କ, ଧଣ୍ଡ, ଢମଣା ଆଦି ସରୀସୃପ ଏହି ପାଦପପୁଞ୍ଜର ସତର୍କ ପ୍ରହରୀ ପରି ଜଗି ରହିଥାନ୍ତି। ‘ଗହୀରମଥା’ ଏହାର ଏକ ଅତି ସୁନ୍ଦର ସାମୁଦ୍ରିକ ଅଭୟାରଣ୍ୟ। ଏହି ଅଭୟାରଣ୍ୟରେ ଅଲିଭ୍ ରିଡ୍‌ଲେ କଇଁଛମାନଙ୍କର ଆଗମନ ଓ ଗଭୀର ଜଳରାଶି ମଧ୍ୟରେ ସେମାନଙ୍କର ମିଳନ ପ୍ରକ୍ରିୟା ଅତୀବ ମନୋରମ। ଗହୀରମଥାକୁ ସଂଲଗ୍ନ ଥିବା ହୁକିଟୋଲା, ଅଗରନାଶି ଓ ବରୁଣେଇ ବେଳାଭୂମି ଏହାର ଶୋଭା ବୃଦ୍ଧି କରିବା ସହିତ ବିଦେଶାଗତ ପକ୍ଷୀଙ୍କ କଳରବ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ତେଣୁ ରାଜନଗର ଅଞ୍ଚଳରେ ପାଣିପାଗ ବିଭାଗର ପୂର୍ବାନୁମାନଠାରୁ ପବନର ବେଗ ଅଧିକ ଥିଲେ ବି ଲୁଣା ଜଙ୍ଗଲ ପ୍ରାଚୀର ସଦୃଶ ଦଣ୍ଡାୟମାନ ହୋଇ ରକ୍ଷା କରିପାରିଲା। ବାତ୍ୟା ପ୍ରଭାବରେ ଉଚ୍ଚ ଜୁଆର ସମୁଦ୍ରରେ ଉଠିଥିଲେ ବି ହେନ୍ତାଳବଣ ତାହାକୁ ଅଟକାଇବାରେ ସକ୍ଷମ ହୋଇଛି ବୋଲି ପ୍ରାୟ ସମସ୍ତଙ୍କ ମତ। କିନ୍ତୁ ବିଡ଼ମ୍ବନାର ବିଷୟ, ଜାତୀୟ ଉଦ୍ୟାନ ଅଞ୍ଚଳରେ ହଜାର ହଜାର ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ପାଇଁ ବ୍ୟବହୃତ ସାର, ବିଷାକ୍ତ ଔଷଧ ଏହାର ଜୈବବିବିଧତାକୁ ପ୍ରଭାବିତ କରିବା ସହିତ ବହୁ ଦୁଷ୍ପ୍ରାପ୍ୟ ବୃକ୍ଷଲତା ଓ ଜୀବଜନ୍ତୁମାନଙ୍କର ସଂଖ୍ୟା ହ୍ରାସ ପାଉଛି। ଏପରିକି ଚିଙ୍ଗୁଡ଼ି ଘେରିରେ ଦିନରାତି ଚାଲୁଥିବା ମୋଟର ପମ୍ପରୁ ନିର୍ଗତ ବିକଟାଳ ଶବ୍ଦରେ ବିଦେଶାଗତ ପକ୍ଷୀମାନେ ସୁରକ୍ଷିତ ମଣୁନାହାନ୍ତି। ତେଣୁ ପୃଥିବୀ ପ୍ରସିଦ୍ଧ ଏହିି ଜାତୀୟ ଉଦ୍ୟାନଟିକୁ ଚିଙ୍ଗୁଡ଼ି ଘେରିମୁକ୍ତ କରିବା ସହିତ ଉଦ୍ୟାନ ସଂଲଗ୍ନ ଗ୍ରାମବାସୀମାନଙ୍କୁ ସଚେତନ କରି ନୂତନ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ଓ ଜଳବାୟୁ ସହନଶୀଳ ପରିବେଶ ବ୍ୟବସ୍ଥା ନିର୍ମାଣ ପରି ମୌଳିକ ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଦେବା ଅନୁଚିତ। ଏତଦ୍‌ବ୍ୟତୀତ, ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ମଧୁର ଓ ଲୁଣି ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବେକ୍ଷଣର ଆବଶ୍ୟକତା ମଧ୍ୟ ରହିଛି।
‘ଦାନା’ ଭଳି ଏକ ବାତ୍ୟା ବିପର୍ଯ୍ୟୟକୁ ରୋକିବାରେ ବୃକ୍ଷସମ୍ପଦର ଉପକାରିତାକୁ ସ୍ମରଣ କରି ସୁରଞ୍ଜନ ବାବୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ତାଙ୍କର ମନେ ପଡୁଥିଲା ଆଜକୁ ୧୧୪ ବର୍ଷ ତଳେ ବୃକ୍ଷ ଉପରେ ଲେଖିଥିବା ଆମେରିକୀୟ କବି ଜୟସୀ କିଲ୍‌ମର୍‌ଙ୍କର କବିତାର ପଙ୍‌କ୍ତିଟିଏ:
“ଆଇ ହାଭ୍ ନେଭର୍ ସିନ୍ ଏ ପୋଏମ୍‌
ଆଜ୍ ଲଭଲି ଆଜ୍ ଟ୍ରି
ପୋଏମ୍‌ସ ଆର୍ ମେଡ୍ ବାଇ ଫୁଲ୍‌ସ ଲାଇକ୍ ମି
ବଟ୍ ଗଡ୍ ହାଜ୍ ମେଡ୍ ଦି ଟ୍ରି।”
ସୁରଞ୍ଜନ ବାବୁ ମନେ ମନେ ପଙ୍‌କ୍ତିଟିର ଓଡ଼ିଆ  ଅନୁବାଦ କରିବାକୁ ଚେଷ୍ଟା କରୁଥିଲେ:
‘ବୃକ୍ଷ ପରି ମନୋରମ କବିତା
ଦେଖିନାହିଁ କାହିଁ ମୁହିଁ,
ମୋ ସମ ନିର୍ବୋଧ ସିନା ରଚନ୍ତି କବିତା,
ବୃକ୍ଷ ଯେ ରଚିଛନ୍ତି ଜଗତର ସାଇଁ।’
ମୋ: ୯୪୩୭୦୦୦୬୩୬