ଧନଞ୍ଜୟ ସ୍ୱାଇଁ

Advertisment

ମାଘ ମାସର କେଉଁ ଏକ ମଳିନ ଅପରାହ୍‌ଣ। ଶୀତ ସରି ସରି ଆସୁଥିବା ଜାଣି ସୁରଞ୍ଜନ ବାବୁ ତ୍ରିଶୁଳିଆ-ବାଙ୍କୀ ରାସ୍ତାରେ ଗୟଳ ବାଙ୍କ, କୁଶପଙ୍ଗୀ, ଜାତମୁଣ୍ଡିଆ ଡେଇଁ ସୁଦୀର୍ଘ ମହାନଦୀ ସେତୁ ପାଖରେ ପହଞ୍ଚିଲା ବେଳକୁ ଅପରାହ୍‌ଣର ଖରା ତଥାପି ଲିଭି ନ ଥିଲା। ସେତୁ ଡେଇଁଲେ କଟକଜିଲ୍ଲା ବାଙ୍କୀ ଉପଖଣ୍ଡର ଯେଉଁ ଅଶ୍ୱଖୁରାକୃତି ହ୍ରଦଟି ଦୃଷ୍ଟିଗୋଚର ହୁଏ ତା’ର ନାମ ହେଉଛି ଅଂଶୁପା। ତାକୁ ଲାଗି ରହିଛି ବାଙ୍କୀ ରାଜବଂଶ ଇତିହାସର ମୂକସାକ୍ଷୀ ସରଣ୍ଡାଗଡ଼। ପଛରେ ରହି ଯାଇଥିଲା ଚର୍ଚ୍ଚିକାଙ୍କ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ବାଙ୍କୀ ସହର। ଅଂଶୁପା ଦେଖିବା ଆଗରୁ ମହାନଦୀ କୂଳରେ ଘଡ଼ିଏ ଅଟକି ସୁରଞ୍ଜନ ବାବୁ ‘ନଷ୍ଟାଲଜିକ୍‌’ ହୋଇ ଯାଉଥିଲେ। ଏହି ମହାନଦୀ କୂଳରେ କଟିଥିବା କୈଶୋରର ଦିନଗୁଡ଼ିକୁ ମନେ ପକାଉଥିଲେ। ମନେ ପକାଉଥିଲେ କେମିତି ଜହ୍ନ ଆଲୁଅରେ ଗାଧୋଉଥିବା ଗଁା, ରାତିରେ ସୁନା ପାଲଟୁଥିବା ତା’ର ବାଦାମୀ ରଙ୍ଗର ବାଲି, ନାଆ, ନାଉରିଆ, ଜାଲ, ଜଳପରୀ। ସବୁଜ ରଙ୍ଗ ବୋଳି କୂଳରେ ଛିଡ଼ା ହୋଇଥିବା ବୁଦବୁଦିକିଆ ଜଙ୍ଗଲ ଇତ୍ୟାଦି। ବାଟରେ ଆସିଲା ବେଳେ ବିଭୋର ହେଉଥିଲେ ଧାନ, ମୁଗ, ବିରି, ଚଣା, କୋଳଥ, ହରେକ ରକମର ପରିବା କ୍ଷେତ ଓ ସୁନା ପାଣି ଛିଞ୍ଚି ହସୁଥିବା ସୋରିଷ ଖେତକୁ ଦେଖି। ଯେତେ ବଡ଼ ତିରୋଟ ହେଉ ପଛକେ ଏ ମହାନଦୀ ଉପାସ ରଖେନି କାହାକୁ। ବଡ଼ ମାଛ ନ ପଡ଼ିଲେ ନାହିଁ, ଖେପା ଜାଲରେ ଖାଳେଇ ଭରିଦିଏ କେରାଣ୍ଡି ଓ ଦଣ୍ଡିକିରୀ ମାଛରେ। ଏବେ ସେହି ମହାନଦୀ କୃଶାଙ୍ଗୀ, କ୍ଷୀଣ କଟୀରେ ସରୁ ଧାରଟିଏ ହୋଇ ବହିଯାଉଛି; ଆଗ ଭଳି ବ୍ୟାପ୍ତି କି ବିସ୍ତାର ହୁଏତ ନ ଥାଇପାରେ, କିନ୍ତୁ ଜନକଲ୍ୟାଣ ପାଇଁ, ମିଳନ ପ୍ରତ୍ୟାଶୀ ହୋଇ ବହି ଚାଲିଛି ସେ ତଳକୁ ତଳକୁ। ସୁରଞ୍ଜନ ବାବୁଙ୍କ ମନେ ପଡୁଥିଲା କବିତାର ପଙ୍‌କ୍ତିଟିଏ:
“ନାବିକ ଅର୍ଚ୍ଚିତ ଚର୍ଚ୍ଚିକା ଦେବୀ ବାଙ୍କୀ ଈଶ୍ୱରୀ
ମହାନଦୀ କୂଳେ ଯାହାଙ୍କ ଅଧିଷ୍ଠାନ-ଶିଖରୀ
ମଣ୍ଡନ୍ତି ବଦନ ମଣ୍ଡଳ ଯେହୁ ସଦା ସୁହାଗେ
ସରଣ୍ଡା-ଦର୍ପଣ ଅଂଶୁପା ଶତଦଳ ପରାଗେ।”
ଏହି ମହାନଦୀରୁ ସୃଷ୍ଟି ହୋଇଛି ଅଂଶୁପା। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ୱିତୀୟ ବୃହତ୍ତମ ମଧୁର ଜଳ ହ୍ରଦର ମାନ୍ୟତା ଲାଭ କରିଛି ଏ ହ୍ରଦ। ‘ରାମସାର’ରେ ସାମିଲ ଏହି ହ୍ରଦ ତା’ର ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ଦିନ ଥିଲା, ତା’ର ଆର୍ଦ୍ରଭୂମି ଅଞ୍ଚଳରେ ୯୪ ଜାତିର ପକ୍ଷୀ, ୬୧ ଜାତିର ମାଛ, ୨୪୪ ପ୍ରକାରର ଜଳଜୀବ, ୮୮ ପ୍ରକାରର ପ୍ରଜାପତି, ୨୬ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ଧରି ରଖିଥିଲା। କିନ୍ତୁ ଏବେ ଦଳ ଓ ପଙ୍କରେ ପୋତି ହୋଇ ତା’ର ହୃତ୍‌ ଗୌରବ ଫେରି ପାଇବାକୁ ସଂଘର୍ଷ କରୁଛି। ସରଣ୍ଡା ପାହାଡ଼ ସଂଲଗ୍ନ ଏହି ହ୍ରଦର ଅବବାହିକା ପରିଧି ପ୍ରାୟ ୫ ହଜାର ୨୩୧ ହେକ୍‌ଟର ଥିବା ବେଳେ ଜଳଧାରଣ କ୍ଷମତା ୧୪୧ ହେକ୍‌ଟର। ମହାନଦୀରୁ ଜଳପ୍ରବାହ ବନ୍ଦ ପରେ ଏହା କେବଳ ବର୍ଷା ଜଳ ଭରସାରେ ରହି ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି। ଫଳରେ ଏହା ଉପରେ ନିର୍ଭରଶୀଳ ସୁବର୍ଣ୍ଣପୁର, କଦଳୀବାଡ଼ି, ଓସ୍ତିଆ, କନ୍ତପହଁରା ଆଦି ପଞ୍ଚାୟତର ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକା ସହିତ ଏ ଅଞ୍ଚଳର ଜୈବ ବିବିଧତା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।
ଅଂଶୁପାର ପ୍ରକୃତି ଉଦ୍ୟାନରେ ବୁଲିଲା ବେଳେ ଜଣେ ସ୍ଥାନୀୟ ଅଧିବାସୀ କହୁଥିଲେ କି ଯେଉଁ ବାଉଁଶ ବଣ ଭିତରେ ଅଂଶୁପା ପ୍ରବାହିତ ହେଉଥିଲା, ଏବେ ତା’ କୂଳରେ ସ୍ମୃତି ରକ୍ଷା ପାଇଁ ଯେମିତି ୭/୮ଟି ବାଉଁଶ ବୁଦା ଲଗାଯାଇଛି ଓ ସୁନ୍ଦରୀକରଣ ଓ ବିକାଶ ନଁାରେ କଂକ୍ରିଟ୍ ପିଣ୍ଡି, ପାର୍କ, ଫୁଆରା, ୱାଚ୍ ଟାୱାର, କାଫେଟେରିଆ ଇତ୍ୟାଦି ନିର୍ମାଣ କରାଯାଇଛି, କିନ୍ତୁ ଅଂଶୁପାର ଜଳ ବିଷାକ୍ତ ହେବା ଯୋଗୁଁ ଓ ଖାଦ୍ୟାଭାବଜନିତ ସମସ୍ୟା ନେଇ ଏବେ ମୁହଁ ମୋଡ଼ିଲେଣି ବିଦେଶାଗତ ପକ୍ଷୀ। ବିରଳ ଲତାଗୁଳ୍ମ ସବୁ ଏବେ ବିଲୁପ୍ତି ପଥରେ। ଆଉ ମିଳୁନି ଅଂଶୁପାର ସ୍ୱାଦିଷ୍ଠ ରୋହି, ଭାକୁର, ମିରିକାଳି ଓ ଦେଶୀ ପ୍ରଜାତିର ମାଛ ସବୁ। ପଙ୍କୋଦ୍ଧାର ସହିତ ମହାନଦୀର ଦକ୍ଷିଣରେ ଥିବା କାବୁଲା ନାଳ ଓ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ହୁଳୁହୁଳା ନାଳ ଦେଇ ମହାନଦୀର ଜଳପ୍ରବାହକୁ ଅଂଶୁପା ମଧ୍ୟକୁ ପ୍ରବେଶ କରାଇ ଏହାର ଜଳଧାରଣ କ୍ଷମତା ବୃଦ୍ଧି କରାଇ ପାରିଲେ ଅଂଶୁପା ତା’ର ହୃତ୍‌ଶ୍ରୀ ଫେରିପାଆନ୍ତା।
ସୁରଞ୍ଜନ ବାବୁ ଅଂଶୁପା ସନ୍ନିକଟ ସରଣ୍ଡାଗଡ଼ ପାହାଡ଼ରେ ବୁଲୁଥିବା ସମୟରେ ଜଣେ କର୍ମଚାରୀ ବକ୍ତବ୍ୟ ଛଳରେ କହୁଥିଲେ, ବାଙ୍କୀର ବୀରା ରାଣୀ ଶୁକଦେଈଙ୍କ କଥା। ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ବାଙ୍କୀ, ଡମପଡ଼ା ଓ ସରଣ୍ଡାଗଡ଼ ଏକାଠି ହୋଇଯାଇଥିଲେ। ବାଙ୍କୀରେ ଧଳ ବଂଶ ରାଜତ୍ୱ ସମୟରେ ଏହି ସରଣ୍ଡାଗଡ଼ ପ୍ରତିଷ୍ଠା କରାଯାଇଥିଲା। ଏବେ ମଧ୍ୟ ଏହି ଗଡ଼ର ଧ୍ୱଂସାବଶେଷରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବାରୁଦ ଗୃହ, ଭାଇ-ବୋହୂ କୂପ, କଉଡ଼ି ଖାତ, ପ୍ରସ୍ତର ନିର୍ମିତ ପ୍ରବେଶ ଦ୍ୱାର ଇତ୍ୟାଦି ରହିଛି। ଏହି ପ୍ରବେଶ ଦ୍ୱାରରେ ଏକ ବିଶାଳ ତାମ୍ର ନିର୍ମିତ କବାଟ ଲଗାଯାଇଥିଲା, ଯାହାର ଖୋଲିବା ଓ ବନ୍ଦ ହେବା ଶବ୍ଦରୁ ଅଞ୍ଚଳବାସୀ ରାଜାଙ୍କର ପ୍ରବେଶ ଓ ପ୍ରସ୍ଥାନ ସମ୍ପର୍କରେ ଅବଗତ ହୋଇପାରୁଥିଲେ। 
ଶାନ୍ତି ଦାସ ଓ ମୃଣାଳିନୀ ପାଢ଼ୀ ତାଙ୍କର ‘ସହସ୍ରାକ୍ଷୀ’ ପୁସ୍ତକରେ ବାଙ୍କୀର ବୀରା ରାଣୀ ଶୁକଦେଈ ଯେଉଁ ଅପୂର୍ବ ବୀରତ୍ୱ ସହିତ ମାନବିକତାର ବିରଳ ନିଦର୍ଶନ ଦେଖାଇଛନ୍ତି, ତା’ର ସୁନ୍ଦର ବର୍ଣ୍ଣନା କରିଛନ୍ତି। ତାଙ୍କ ବର୍ଣ୍ଣନାନୁସାରେ “ରାଜା ନିମାଇଁ ଶ୍ରୀଚନ୍ଦନଙ୍କ ପୁତ୍ର ଧନଞ୍ଜୟ ଶ୍ରୀଚନ୍ଦନ ସିଂହଙ୍କୁ ଶୁକଦେଈ ବିବାହ ସୂତ୍ରରେ ବାନ୍ଧି ହୋଇ ବାଙ୍କୀର ରାଣୀ ହୋଇ ଆସିଲେ। କିନ୍ତୁ ଗଜପତି ଗୋପୀନାଥ ଦେବଙ୍କ ସହ ଯୁଦ୍ଧରେ ନିଜ ସ୍ୱାମୀଙ୍କର ନିଧନ ପରେ ରାଣୀ ଶୁକଦେଈ ପାଗଳିନୀ ପ୍ରାୟ ପ୍ରଳାପ କରିବାକୁ ଲାଗିଲେ। ସମସ୍ୟାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବେବର୍ତ୍ତା ପ୍ରସ୍ତାବ ଦେଲେ, ଖୋରଧାର ବିପୁଳ ସାମରିକ ଶକ୍ତି ଆଗରେ ବାଙ୍କୀର ସମର ସଜ୍ଜା ଅଳ୍ପ କେତୋଟି ମୁହୂର୍ତ୍ତରେ ଧୂଳିସାତ ହୋଇଯିବ। x x x କିନ୍ତୁ ଏ ପ୍ରସ୍ତାବକୁ ଅସ୍ୱୀକାର କରି ରାଣୀ ଶୁକଦେଈ କପଟୀ, ଲମ୍ପଟ ଗୋପୀନାଥ ଦେବଙ୍କ ନିକଟରେ ଆତ୍ମସମର୍ପଣ ନ କରି ବାଙ୍କୀ ମାଟିର ଗୌରବ ପାଇଁ, ନିଜ ବଂଶର ମର୍ଯ୍ୟାଦା ପାଇଁ ଜଣେ କାପୁରୁଷଙ୍କ ପାଖରେ ଦାସତ୍ୱ ମାନି ନେଇ ନଥିଲେ। x x x ମୁକ୍ତାକେଶୀ ରାଣୀ ଉଆସରୁ ବାହାରି, ଘୋଡ଼ା ଚଢ଼ି, ସିଦ୍ଧ ଚର୍ଚ୍ଚିକାଙ୍କ ଚନ୍ଦନ ଅର୍ଗଳି ପାଖେ ପ୍ରାର୍ଥନା କରୁଥିଲେ ପାପାଚାରୀକୁ ଦଣ୍ଡ ଦେଇ ମାତୃଭୂମିକୁ ରକ୍ଷା କରିବା ପାଇଁ। x x x ଯୁଦ୍ଧର ବିଭୀଷିକା ମଧ୍ୟରେ ମୃତାହତ ହେଲେ ଅନେକ ପାଇକ ସର୍ଦ୍ଦାର। ଶୁକଦେଈଙ୍କ ଆଦେଶରେ ରାଜା ଗୋପୀନାଥ ଦେବ ହେଲେ ବନ୍ଦୀ। ଖୋରଧା ପାଇକ ସୈନ୍ୟଙ୍କ କଟା ମୁଣ୍ଡ ଦେଇ ଗଢ଼ା ହେଲା ‘ମୁଣ୍ଡ ଦେଉଳ’ ଯୁଦ୍ଧ କ୍ଷେତ୍ରରେ। ସ୍ୱର୍ଗତ ଧନଞ୍ଜୟ ସିଂହଙ୍କର ଅମର ଆତ୍ମା ମୁକ୍ତି ପାଇଲା। ବାଙ୍କୀର ଚର୍ଚ୍ଚିକା ମାତା ହେଲେ ପରିତୃପ୍ତା। କିନ୍ତୁ ଗଜପତି ଗୋପୀନାଥ ଦେବଙ୍କୁ ହତ୍ୟା ନ କରି ତାଙ୍କୁ ବନ୍ଧନ ମୁକ୍ତ କରି କ୍ଷମା ପ୍ରଦାନ କଲେ ରାଣୀ ଶୁକଦେଈ। ଗଗନପବନ ମୁଖରିତ ହେଲା ବାଙ୍କୀ ରାଣୀଙ୍କର ଜୟ ଜୟକାରରେ।
ଏତଦ୍ ବ୍ୟତୀତ, ୧୯୪୦ ମସିହାରେ ଚନ୍ଦ୍ରଶେଖର ମିଶ୍ର ଲିଖିତ ‘ସର-ସୁନ୍ଦରୀ’ ଓ ୧୯୪୧ ମସିହାରେ ଜୟକୃଷ୍ଣ ମିଶ୍ର ଲିଖିତ ‘ମଣିମାଳିନୀ ମଞ୍ଜୁଳା’ କାବ୍ୟ ପୁସ୍ତକରେ ଅଂଶୁପାର ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍‌ଧକର।
ସୁରଞ୍ଜନ ବାବୁ ଅଂଶୁପା ସନ୍ନିକଟ ସରଣ୍ଡାଗଡ଼ର ଐତିହ୍ୟ ସ୍ମାରକୀ ଦେଖି ଫେରୁଥିଲେ। ମଝିରେ ମଝିରେ ଝରାପତ୍ରର ମର୍ମର, ଆଗକୁ ବସନ୍ତ ଆସିବାର ସୂଚନା ଦେଉଥିଲା। ସରଣ୍ଡାର ଧୂସର ମାଟି ଯେମିତି ସ୍ୱପ୍ନର ଦୁବ କେରାଏ କଅଁଳିବାକୁ ଆଶା ରଖିଥିଲା। ଗୋଧୂଳି ସଞ୍ଜର ସ୍ୱଳ୍ପାଲୋକରେ ପଙ୍କ ଓ ଦଳ ଭର୍ତ୍ତି ଅଂଶୁପା ଏକ କର୍ଦ୍ଦମାକ୍ତ ଗ୍ରାମ୍ୟ ପୁଷ୍କରିଣୀର ଭ୍ରମ ସୃଷ୍ଟି କରି ଯେମିତି ଅଶ୍ରୁ ବିମୁଞ୍ଚନ କରୁଥିଲା। ଲେଉଟାଣି ରାସ୍ତାରେ ଅଂଶୁପାର ସଙ୍କୁଚିତ କଳେବର ଦେଖି ସୁରଞ୍ଜନ ବାବୁଙ୍କ କବିତାର ପଙ୍‌କ୍ତିଟିଏ ମନେ ପଡୁଥିଲା:
“କ୍ଷୁଦ୍ର ସିପ୍ରା-ସ୍ରୋତ ବିଖ୍ୟାତ ଜଗତେ
ମହାନଦୀ ନାମ ରହିଲା ଗୁପତେ
ସ୍ୱରୂପା ଅଂଶୁପା ଲୋକେ ଅଗୋଚର
ପୂଜାସ୍ପଦ ହେଲା ଗୋସ୍ପଦ-ପୁଷ୍କର।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬