ଧନଞ୍ଜୟ ସ୍ୱାଇଁ
ସୁରଞ୍ଜନ ବାବୁ କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ଦେଇ ତଳ କିଲ୍ଲା ପଡ଼ିଆର ବୋଇତ ଗେଟ୍ ପାଖରେ ପହଞ୍ଚିଲା ବେଳକୁ ଗୋଧୂଳି ସଞ୍ଜର ମ୍ଳାନ ଖରା ତଥାପି ଧରା ଛାଡ଼ି ନ ଥିଲା। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ର ବାରଣ ସତ୍ତ୍ୱେ କ୍ରମଶଃ ପୋତି ହୋଇପଡୁଥିବା ବିସ୍ତୀର୍ଣ୍ଣ ନଈ ପଠାରୁ ଆହୁରି କୃଶାଙ୍ଗୀ ଦିଶୁଥିଲା ମହାନଦୀ, ବିପଣି ମାଳାର ଆଢୁଆଳରୁ। ସଞ୍ଜ ଦୀପର ସ୍ତିମିତ ଆଲୋକରେ ଗଡ଼ଗଡ଼େଶ୍ୱର ଶିବ ମନ୍ଦିରର ମୁଖଶାଳାଟି କରୁଣ ଦିଶୁଥିଲା। ‘କର୍ପୂର ଉଡ଼ି କନା ଥିଲେ ପଡ଼ି କନା ରଖିଥାଏ କର୍ପୂର ସ୍ମୃତି’ ନ୍ୟାୟରେ ଓଡ଼ିଆ ସାଧବମାନଙ୍କ ବାଲିଦ୍ୱୀପ (ଇଣ୍ଡୋନେସିଆ)କୁ ନୌଯାତ୍ରାର ସ୍ମାରକୀ ସ୍ୱରୂପ ତଳ ପଡ଼ିଆର ବୋଇତ ଗେଟ୍ଟି ମୌନ ସାକ୍ଷୀ ହୋଇ ଛିଡ଼ା ହୋଇଥିଲା। ସୁରଞ୍ଜନ ବାବୁଙ୍କ ମନେ ପଡୁଥିଲା କବିତାର ପଙ୍କ୍ତିଟିଏ-
‘ଚିରଦିନ ପାଇଁ ସେ କି ଯାଇଛନ୍ତି ଚାଲି,
ନ ଫେରିବେ ରାଜାରାଣୀ, ନ ଫେରିବେ ବୀରେ?
ବୋଇତ ବନ୍ଦାଣ ଲାଗି ଏ ତଟିନୀ ବାଲି
ନାଗରିକା ପଦପ୍ରାନ୍ତ ଚୁମ୍ବିବ ସଧୀରେ?’
କଟକର ଐତିହାସିକ ବାଲି ଯାତ୍ରାରେ ଖାଲି ପରମ୍ପରାର ଜୟଗାନ ଦେଖିବାକୁ ମିଳେନାହିଁ, ଲୋକ ସଂସ୍କୃତିର ଝଲକ ସହିତ ସ୍ମୃତି ଚାରଣର ଅନ୍ତରଙ୍ଗ ଭାବନା ଜାଗରିତ କରିଥାଏ। କଳିଙ୍ଗ ସାଧବ ପୁଅର ସାଗର ଯାତ୍ରା ଓ ସୌଦାଗରୀ ଜୀବନର କଷ୍ଟସହିଷ୍ଣୁ ଉପାର୍ଜନ କୌଶଳର କଥା ମଧ୍ୟ ମନେ ପକାଇଦିଏ। ମନୋରଞ୍ଜନ ଓ ବ୍ୟବସାୟର ସୁ-ସମନ୍ୱିତ ଏକ ଚାରୁ ଚିତ୍ରପଟ ଏ ବାଲିଯାତ୍ରା। ଲୋକଭିଡ଼, ଗହଳଚହଳ ଓ ମହାକୋଳାହଳର ମୁଗ୍ଧ ମଣ୍ଡପଟିଏ- ଏ ବାଲିଯାତ୍ରା। ଐତିହାସିକ କରୁଣା ସାଗର ବେହେରା ତାଙ୍କର ‘ସାଗର ଓ ସାହିତ୍ୟ’ ପୁସ୍ତକରେ ଲେଖିଛନ୍ତି, ‘ଘରକୁ ଧନରତ୍ନ ଧରି ଫେରୁଥିବା ବଣିକଙ୍କ ସମ୍ମାନରେ ଏହା ଅନୁଷ୍ଠିତ ହେଉଥିଲା। ଏଭଳି ଅନୁଷ୍ଠାନ ପ୍ରମାଣ କରେ ଯେ, ସାଗର ପାରି ବାଣିଜ୍ୟର ମହତ୍ତ୍ୱ ଓଡ଼ିଶାର ଜନସମୁଦାୟ ଉପଲବ୍ଧି କରିଥିଲେ। ଏକଦା ଜନସମୁଦାୟଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦରିଆ-ପାରି ବାଣିଜ୍ୟ ସହିତ ନିର୍ଭରଶୀଳ ଥିଲା। ବିଦେଶରୁ ଫେରିବା ପରେ ଆନୀତ ଦ୍ରବ୍ୟରାଜିର ବିକ୍ରୟ ଓ ଉପଯୁକ୍ତ ବିତରଣ ନିମନ୍ତେ ବାଣିଜ୍ୟ ମେଳାମାନ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲା, ତନ୍ମଧ୍ୟରୁ କଟକ ଠାରେ ଅନୁଷ୍ଠିତ ‘ବାଲିଯାତ୍ରା’ ଅନ୍ୟତମ।’
ଓଡ଼ିଶାର ପୁରପଲ୍ଲୀରେ ଭାଦ୍ରବ ମାସରେ ପାଳିତ ଖୁଦୁରୁକୁଣୀ ଓଷା ଅତି ପ୍ରାଚୀନ, ଯେଉଁଥିରେ ଓଡ଼ିଶାର ନୌବାଣିଜ୍ୟ କଥାକୁ ଅତ୍ୟନ୍ତ ଆଗ୍ରହର ସହ ସ୍ମରଣ କରାଯାଇଥାଏ। ଗୋପୀନାଥ ଦାସକୃତ ‘ଖୁଦୁରୁକୁଣୀ ଓଷା ଗୀତ’ରେ ଛଅ ଭାଉଜଙ୍କ ଅତ୍ୟାଚାରରେ ଭଉଣୀ ଘରମଣୀର ଦୁଃଖ ଓ ଶେଷରେ ମା’ ମଙ୍ଗଳାଙ୍କୁ ପୂଜା କରି ଉଦ୍ଧାର ପାଇବା କଥା ଅତ୍ୟନ୍ତ ମାର୍ମିକ ଭାବରେ ବର୍ଣ୍ଣିତ। ଲାବଣ୍ୟବତୀ କାବ୍ୟର ସପ୍ତଦଶ ଛାନ୍ଦରେ କଳିଙ୍ଗ ସାଧବ ପୁଅର ସିଂହଳ ଦ୍ୱୀପକୁ ବୋଇତ ଯାତ୍ରାର ଏକ ସୁନ୍ଦର ବର୍ଣ୍ଣନା କବିସମ୍ରାଟ ପ୍ରଦାନ କରିଛନ୍ତି-
“ବହିତ୍ର ଲାଗିଲା ଯାଇ ସିଂହଳ ଦୀପରେ
ସାଧବ ଯୁବତୀମାନେ ଅତି ପ୍ରମୋଦରେ
ଗଲେ ବହିତ୍ର ବନ୍ଦାଇ,
ଅର୍ଘ୍ୟ ଥାଳିମାନଙ୍କରେ ହୁଳହୁଳି ଦେଇ”
ଏଠାରେ ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, କାର୍ତ୍ତିକ ଅମାବାସ୍ୟା ତିଥି (ପୟାଶ୍ରାଦ୍ଧ)ରେ ଯେଉଁ ଝୋଟି-ମୁରୁଜର କୋଠି ପ୍ରସ୍ତୁତ ହୁଏ, ସେଥିରେ ମଧ୍ୟ ଓଡ଼ିଆ ଘରଣୀ ତା’ର କୁଶଳୀ ହାତରେ ବୋଇତର ଚିତ୍ର ଆଙ୍କିଥାଏ। ପିତୃ ଶ୍ରାଦ୍ଧ ଓ ପିତୃ ସ୍ମୃତି ସହିତ ବୋଇତର ସମ୍ପର୍କ ଅତି ଅସାଧାରଣ ମନେ ହୁଏ। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ତାଙ୍କ ‘ବାଲିଯାତ୍ରା’ ପୁସ୍ତକରେ ଲେଖିଛନ୍ତି ସାଧବମାନେ ବୋଇତରେ ଯାହା ଆଣି ଫେରୁଥିଲେ ଗୋଟିଏ ଫଳ ବା ପରିବା ଅଦ୍ୟାବଧି ପ୍ରଚଳିତ ଅଛି। ଏହି ଫଳ ବା ପରିବାକୁ ଉତ୍କଳର କେତେକ ଅଞ୍ଚଳରେ ବୋଇତି କଖାରୁ ଓ କେତେକ ଅଞ୍ଚଳରେ ବୋଇତାଳୁ କୁହାଯାଏ। ଏହା ଯେ ବୋଇତରେ ବୁହା ହୋଇ ଏ ଦେଶକୁ ଆସିଥିଲା- ଏହି ପରିବା ବା ଫଳର ନାମକରଣରୁ ସୂଚିତ ହେଉଛି। ଯେଉଁଥି ପାଇଁ ତାହା ଜଗନ୍ନାଥଙ୍କ ଭୋଗରେ ଅଦ୍ୟାପି ବ୍ୟବହୃତ ହୁଏନାହିଁ। ଏଥିରୁ ପ୍ରମାଣିତ ହୁଏ ଉତ୍କଳୀୟ ସାଧବମାନେ ନୌଚାଳନା, ପୋତ ନିର୍ମାଣ ଓ ସାମୁଦ୍ରିକ ମାର୍ଗ ନିର୍ଣ୍ଣୟରେ ସିଦ୍ଧହସ୍ତ ଥିଲେ।
ଚଳିତ ବର୍ଷ ବାଲିଯାତ୍ରାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣପୂର୍ବ ରାଷ୍ଟ୍ରସମୂହକୁ ନେଇ ସ୍ୱତନ୍ତ୍ର ପାଭିଲିଅନ୍ ପ୍ରସ୍ତୁତ କରାଯାଉଛି। ଯାହାର ପ୍ରସ୍ଥାନ ପଥରେ ଇଣ୍ଡୋନେସିଆର ଗେଟ୍ ପରିଦୃଶ୍ୟ ହୋଇଛି। ପାଭିଲିଅନ୍ ମଧ୍ୟରେ ସ୍ଥାନିତ ୧୫ ଗୋଟି ଷ୍ଟଲ୍ରେ ପ୍ରାଚୀନ କଟକର ଅବସ୍ଥିତି, ବାଲିଯାତ୍ରାର ଇତିହାସ, େଯାବ୍ରା ନୌବାଣିଜ୍ୟ ସଂଗ୍ରହାଳୟ, ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ସହ ବାଣିଜ୍ୟିକ କାରବାରର ଡିଜିଟାଲ୍ ମାନଚିତ୍ର, ସାମୁଦ୍ରିକ ପଥ, ନୌବାଣିଜ୍ୟ ଯାତ୍ରା, ରପ୍ତାନି ଓ ଆମଦାନି ହେଉଥିବା ସାମଗ୍ରୀ, ପ୍ରାଚୀନ ମୁଦ୍ରା, ମନ୍ଦିର, ଟେରାକୋଟା, ବସ୍ତ୍ର ଇତ୍ୟାଦି ପ୍ରଦର୍ଶିତ ହୋଇଛି। କୋରାପୁଟର ହଳଦୀରୁ ପ୍ରସ୍ତୁତ ସାବୁନ, ଲେମନ୍ ଗ୍ରାସ୍ ତେଲ, ସୁନ୍ଦରଗଡ଼ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ମୟୂରଭଞ୍ଜର ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, ନବରଙ୍ଗପୁରର ଡୋକ୍ରା ଜୁଏଲାରି ଭଳି ‘ଓରମାସ’ର ସବୁ ଉତ୍କୃଷ୍ଟ ସାମଗ୍ରୀକୁ ନେଇ ଏକ କିଟ୍ ବୁଲିବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ ଓ ଅତିଥିମାନଙ୍କୁ ଉପହାର ଭାବେ ପ୍ରଦାନ କରାଯାଇଛି। ଚଳିତ ବର୍ଷ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ଇଣ୍ଡୋନେସିଆ, ଥାଇଲାଣ୍ଡ, ନେପାଳ, ଭୁଟାନ୍, ଶ୍ରୀଲଙ୍କା, ବାଂଲାଦେଶ, ସ୍ଲୋଭାକିଆ ପ୍ରଭୃତି ରାଷ୍ଟ୍ରରୁ ଆସୁଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ସେମାନଙ୍କର ସ୍ୱକୀୟ କଳା ପ୍ରଦର୍ଶନ କରିବାର ସୁବନ୍ଦୋବସ୍ତ କରାଯାଇଛି। ଏହି ଆନ୍ତଃରାଷ୍ଟ୍ର ସାଂସ୍କୃତିକ ଭାବ ବିନିମୟ ଫଳରେ ଓଡ଼ିଶାର ପର୍ଯ୍ୟଟନ ବିଭବ ଯଥା ସ୍ୱର୍ଣ୍ଣିମ ବେଳାଭୂମି, ମଠ, ମନ୍ଦିର, ପର୍ବପର୍ବାଣି, ହସ୍ତଶିଳ୍ପ, ବୟନଶିଳ୍ପ, ଶାନ୍ତ ହ୍ରଦ, ନଭଶ୍ଚୁମ୍ବୀ ପର୍ବତମାଳା, ନଦନଦୀ, ଆଦିମ ଜନଜାତି ସମ୍ପର୍କରେ ବିଦେଶୀ ପର୍ଯ୍ୟଟକମାନେ ଜାଣିପାରିବେ ଓ ଆମ ପର୍ଯ୍ୟଟନ ଶିଳ୍ପର ପ୍ରଚାର, ପ୍ରସାର ହୋଇପାରିବ ଏବଂ ଏ ଉତ୍ସବ ଏକ ଜାତୀୟ ଉତ୍ସବର ମାନ୍ୟତା ପାଇବା ପାଇଁ ପଥ ସୁଗମ ହେବ।
ବାଲିଯାତ୍ରା ପଡ଼ିଆର ପତଳା କୁହୁଡ଼ିର ଆସ୍ତରଣ ଡେଇଁ ଉତ୍ତୀର୍ଣ୍ଣ ସଞ୍ଜରେ ସୁରଞ୍ଜନ ବାବୁ ଫେରିଲା ବେଳେ ଲେଉଟାଣି ରାସ୍ତାରେ ପିଲାଦିନେ ବାଲିଯାତ୍ରା ସମ୍ପର୍କରେ ଶୁଣିଥିବା ଗୀତ ପଦେ ତାଙ୍କର ମନେ ପଡୁଥିଲା-
‘ଶୁଣିଥିଲି ଥରେ କହୁଥିଲେ ଆଈ ମୋର ପାଶେ
ଚାଲି ଥିଲା ଆମ ବଣିଜ ବେପାର ଦୂର ଦେଶେ;
ଆଣୁଥିଲେ ଧନ, ଦରବ ସାଧବେ କେତେ ବୋହି
ଜାଭା, ବୋରନିଓ, ସିଂହଳ, ବାଲିଦ୍ୱୀପେ ଯାଇ।’
ମୋ: ୯୪୩୭୦୦୦୬୩୬