ଧନଞ୍ଜୟ ସ୍ୱାଇଁ

ଆଦ୍ୟ କାର୍ତ୍ତିକର କେଉଁ ଏକ ଶିଶିର-ପଖଳା ସକାଳେ ଆଠଗଡ଼ ଉପଖଣ୍ଡର ଖୁଣ୍ଟୁଣୀ-ନରସିଂହପୁର ରାସ୍ତାରେ ତିଗିରିଆ ନୂଆପାଟଣା, ଜେମାଦେଇପୁର, ବିଧାରପୁର, ଅଭିମାନପୁର ଡେଇଁ ସୁରଞ୍ଜନ ବାବୁ ମାଣିଆବନ୍ଧ ଗଁାରେ ପହଞ୍ଚିଲା ବେଳକୁ ଖରା ଟାଣ ହୋଇ ଆସୁଥିଲା। ରାଜପଥର ଧାରେ ଧାରେ କ୍ଷୀର ଢୋକୁଥିବା ଧାନବିଲର ହରିତ ହାସ ଓ ଘଞ୍ଚ ବନାନୀର ସବୁଜ ସୁଷମା ମନକୁ ଉଚ୍ଚାଟିତ କରୁଥିଲା। ଆକାଶରେ ଖଣ୍ଡ ଖଣ୍ଡ ମେଘସବୁ ଅଭିମାନରେ ବନ୍ଧୁ ଘରୁ ଚାଲିଯାଉଥିବା ଦୂରାଗତ ଅତିଥିଙ୍କ ପରି ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ଆଡ଼େ ଭାସି ଯାଉଥିଲେ। ସୁରଞ୍ଜନ ବାବୁଙ୍କ ମନେ ପଡୁଥିଲା କବିତାର ପଙ୍‌କ୍ତିଟିଏ:
‘ଯୁଗ ଯୁଗ ଧରି କେଉଁ ମହା ଚିତ୍ରକର
ମାଟିକି ଖଚଇ ଶ୍ୟାମ ଶସ୍ୟର ବ୍ୟସନେ?
କୁସୁମେ କରାଏ ବର୍ଣ୍ଣ-ଗନ୍ଧ-ଜରଜର
ଆଲୋକ ଛାୟାର ଛବି ଚିତ୍ରଇ ଗଗନେ।’
ବଡ଼ମ୍ବା ବ୍ଲକର ଏହି ସମୃଦ୍ଧ ଗ୍ରାମ ପଞ୍ଚାୟତଟି ହରିହର ପାଟଣା, ଗୋଡ଼ିପାଟଣା, ସରାକ ସାହି, କମାର ସାହି, ପ୍ରଧାନ ସାହି, ଅଶିଣି ସାହି, ସୁନିଆ ପାଟଣା, ମାଣିଆବନ୍ଧ ସାହି, ଶବର ସାହି, ମାଟିଆପଡ଼ା ଇତ୍ୟାଦି ଗଁାକୁ ନେଇ ଗଠିତ। ଲୋକସଂଖ୍ୟା ପାଖାପାଖି ଦଶ ହଜାର। ଢେଙ୍କାନାଳ ଜିଲ୍ଲାର ଭୁବନକୁ ଛାଡ଼ିଦେଲେ ମାଣିଆବନ୍ଧ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଗ୍ରାମ। ଏହି ପଞ୍ଚାୟତରେ ସବୁ ସମ୍ପ୍ରଦାୟର ଲୋକ ବସବାସ କରୁଥିଲେ ମଧ୍ୟ ପଞ୍ଚାୟତ ପୁନର୍ଗଠନ ପରେ ସନ୍ତରାବାଳି ନୂଆ ଗ୍ରାମ ପଞ୍ଚାୟତ ହେଲା ପରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ପାଖାପାଖି ୭,୦୦୦ ହେବ। ଯେଉଁମାନେ କେବଳ ଶାନ୍ତ, ସରଳ, ଧର୍ମବିଶ୍ୱାସୀ ନୁହନ୍ତି, ଧାର୍ମିକ ସହାବସ୍ଥାନରେ ବିଶ୍ୱାସୀ ମଧ୍ୟ।
ଆଲେକଜାଣ୍ଡାର କନିଂହାମଙ୍କ ‘ଆନସିଏଣ୍ଟ ଜୋଗ୍ରାଫି ଅଫ୍ ଇଣ୍ଡିଆ’(ଭାରତର ପ୍ରାଚୀନ ଭୂଗୋଳ) ପୁସ୍ତକରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ମାଣିଆବନ୍ଧ ଆସିଥିବାର ପ୍ରମାଣ ରହିଅଛି। ତାଙ୍କ ପରିଦର୍ଶନ କାଳରେ ବାଉଁଶ ନଳ ଭିତରେ ସୂକ୍ଷ୍ମ କାରୁକାର୍ଯ୍ୟ ଭରା ବସ୍ତ୍ର ଉପହାର ସ୍ୱରୂପ ପ୍ରାପ୍ତ ହୋଇ ଏଠାକାର ଅଧିବାସୀମାନଙ୍କର କଳା-କାରିଗରିର ଭୂୟସୀ ପ୍ରଶଂସା କରିଥିଲେ। ୧୯୭୩ ମସିହା ଜାନୁଆରି ମାସରେ ମହାମାନ୍ୟ ଦଲାଇ ଲାମା ଜେମାଦେଇପୁର, ନୂଆପାଟଣା, ମାଣିଆବନ୍ଧ ଆଦି ଗ୍ରାମ ପରିଦର୍ଶନରେ ଆସିଥିଲେ ଓ କହିଥିଲେ ଯେ ସେ ଛାଡ଼ି ଆସିଥିବା ମାତୃଭୂମି ତିବ୍ବତରେ ଭାରତ ପ୍ରତି ଯେଉଁ ଶ୍ରଦ୍ଧା ରହିଛି, ସେଥିରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର। 
ଅନେକ ବାଙ୍କ ଓ ବୁଲାଣି ପରେ ଆସିଲା ମାଣିଆବନ୍ଧ ଗ୍ରାମ ପଞ୍ଚାୟତର ହରିହରପାଟଣା। ସୁରଞ୍ଜନଙ୍କ ଦେଖା ହେଲା ବୌଦ୍ଧ ବୁଣାକାର ଦେବରାଜ ଦେବତା (୬୪)ଙ୍କ ସହିତ। ଆକର୍ଷଣୀୟ ଡିଜାଇନ ଓ ଉଚ୍ଚକୋଟୀର ବାନ୍ଧ ପ୍ରସ୍ତୁତି ପାଇଁ ୨୦୦୯-୧୦ରେ ଓଡ଼ିଶା ସରକାର ତାଙ୍କୁ ସମ୍ମାନିତ କରିଛନ୍ତି। ଅଶୁଦ୍ଧ ସୂତାକୁ ‘ସ୍କାୱାରିଙ୍ଗ’ ଠାରୁ ବବିନ ଓ ଡ୍ରମ କରାଯିବା ପର୍ଯ୍ୟନ୍ତ ତାଙ୍କ ସବୁ ପ୍ରକ୍ରିୟା ଦେଖାଇବା ସହ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଡିଜାଇନ ବାବଦରେ ବୁଝାଉଥିଲେ ସେ। ଡିଜାଇନ ଭିତରେ ଥିଲା ଓଡ଼ିଆ ବର୍ଣ୍ଣମାଳା, ପାଇକ ବିଦ୍ରୋହର ସ୍ମାରକୀ, ବୁଦ୍ଧଙ୍କ ନୀତିବାଣୀ, ବୁଦ୍ଧଙ୍କ ଜୀବନଚକ୍ର, ଗୀତଗୋବିନ୍ଦର ଲଳିତ ପଦ୍ୟାବଳୀ ଓ ଜଗନ୍ନାଥଙ୍କ ବିଭିନ୍ନ ଅବତାର ଇତ୍ୟାଦି। ବଉଳପାଟରେ ବାନ୍ଧ ଓ ରଙ୍ଗ କାମ ପାଇଁ କବୀର ପୁରସ୍କାରପ୍ରାପ୍ତ ସ୍ବର୍ଗତ ଶ୍ୟାମସୁନ୍ଦର କରଣଙ୍କ ପୁତ୍ର ସଞ୍ଜୟ ମଧ୍ୟ ଦେଖା ହୋଇଗଲେ। ପଶୁ, ପକ୍ଷୀ ଓ ମନୁଷ୍ୟଙ୍କ ମଧ୍ୟରେ ଥିବା ସ୍ନେହ, ପ୍ରେମ ଆଦି ନବରସକୁ ବାନ୍ଧକଳା ମାଧ୍ୟମରେ ଚିତ୍ରଣ କରାଇ ‘ନବରସ ଶାଢ଼ି’ ପ୍ରସ୍ତୁତ କରି ୨୦୨୦-୨୧ରେ ସେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ। 
ମାଣିଆବନ୍ଧ ଅନେକ ଯୁଗସ୍ରଷ୍ଟା ବୁଣାକାରଙ୍କ ଗାଁ; ଯେମିତି ପ୍ରସିଦ୍ଧ କାରଗିଲ ଶାଢ଼ିର ସ୍ରଷ୍ଟା ବଟକୃଷ୍ଣ ମହାପାତ୍ର ବା ନିତ୍ୟ ବ୍ୟବହାର୍ଯ୍ୟ ପଣିକିଆ କୁମ୍ଭ ଶାଢ଼ିର ସ୍ରଷ୍ଟା ଚିନ୍ତାମଣି ପାତ୍ର। ମାଣିଆବନ୍ଧ ବୁଣାକାରମାନେ କୁମ୍ଭ, ସୌଦାମିନୀ, ଝରଣା ଆଦି ଶାଢ଼ିର ସ୍ରଷ୍ଟା। ଏହି ଗାଁର ଗୌଡ଼ୀୟ ପାଟରା ସମ୍ପ୍ରଦାୟର ବୁଣାକାରମାନଙ୍କ ପୂର୍ବପୁରୁଷ ପଶ୍ଚିମବଙ୍ଗର ନଦୀଆ ନବଦ୍ୱୀପରୁ ଆସିଥିଲେ, ଯେଉଁମାନଙ୍କ ସୌଜନ୍ୟରୁ ରୂପ ପାଇଥିଲା ଜଗନ୍ନାଥଙ୍କୁ ସମର୍ପିତ ଖଣ୍ଡୁଆ ପାଟରେ ଗୀତଗୋବିନ୍ଦ। ବିଶେଷତଃ ନାଲି, ହଳଦିଆ ଓ ସବୁଜ ରଙ୍ଗ ବ୍ୟବହାର କରା ଯାଇଥାଏ ଖଣ୍ଡୁଆପାଟରେ। ବୁଣାକାରମାନେ ସାତ୍ତ୍ୱିକ ଆହାର ସହ ସମ୍ପୂର୍ଣ୍ଣ ନିଷ୍ଠାରେ ରହି ଏହି ପାଟ ବୁଣନ୍ତି। ଭଗବାନ ବୁଦ୍ଧଙ୍କୁ ଦଶାବତାରର ନବମ ସ୍ଥାନରେ ଗ୍ରହଣ କରାଯିବା ପରେ ଖଣ୍ଡୁଆ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ହେଲା। ତିଗିରିଆ ନୂଆପାଟଣାର ଛଅଷଠି ବର୍ଷ ବୟସ୍କ ବିଶ୍ୱନାଥ ଗୁଇଁ ଏହି କଥା କହୁଥିବା ବେଳେ ବିମୁଗ୍‌ଧ ହୋଇ ଶୁଣୁଥିଲେ ସୁରଞ୍ଜନ।
ବୁଣାକାରମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେମାନଙ୍କର ମୁହଁରେ ଅସନ୍ତୋଷ ଭାବ ବାରି ହୋଇ ପଡୁଥିଲା; ବୁଣାକାରଙ୍କୁ ଉଚିତ ମଜୁରି ମିଳୁନାହିଁ, ପୁଣି ଏଭଳି କାର୍ଯ୍ୟରେ ପରିବାରର ସମସ୍ତଙ୍କ ଅବଦାନ ଥିବାରୁ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡୁଛି। ତେଣୁ ଯୁବକମାନେ ଏହି କୌଳିକ ବୃତ୍ତି ପ୍ରତି ଆକୃ‌‌ଷ୍ଟ ହେଉନାହାନ୍ତି ଇତ୍ୟାଦି ଇତ୍ୟାଦି। ଆଉ ଏକ ସମସ୍ୟା ହେଲା କଞ୍ଚାମାଲ ସୁଲଭ ଦରରେ ଉପଲବ୍‌ଧ ହେଉନାହିଁ। ହସ୍ତତନ୍ତ ବିକାଶ ଆୟୋଗ ଆବଶ୍ୟକ ପରିମାଣର କଞ୍ଚାମାଲ ଯୋଗାଇବାରେ ବିଫଳ ଏବଂ ବେସରକାରୀ ସଂସ୍ଥାରୁ ଉଚ୍ଚା ଦରରେ କଞ୍ଚାମାଲ କ୍ରୟ କରିବାର ଅର୍ଥ ହେଲା ବୁଣାଯାଉଥିବା ଶାଢ଼ିର ଦର ଅଧିକ ହୋଇ ବିକ୍ରୟ ଯୋଗ୍ୟତା ହରାଇବା। ପୁଣି ଏବେ ମାଣିଆବନ୍ଧ ଡିଜାଇନର ଅବିକଳ ନକଲ ଛାପା ଆକାରରେ ଶସ୍ତାରେ ମିଳୁଥିବାରୁ ଗ୍ରାହକ ସେଥିରେ ଖୁସି। 
ଦଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୂତା ବ୍ୟାଙ୍କ୍‌ରେ ଏବେ ରଙ୍ଗ ଦୋକାନ ଖୋଲା ଯାଇଛି। ବିକ୍ରିବଟା ପାଇଁ ହାଟଟି ନିର୍ମାଣାଧୀନ ଅବସ୍ଥାରେ। ବରିଷ୍ଠ ବୁଣାକାରମାନେ କହନ୍ତି ଯେ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ କୌଳିକ ଶୈଳୀ ସହିତ ଆଧୁନିକ ଦୃଷ୍ଟିକୁ ମିଶାଇବାକୁ ହେବ, ତା’ ନ ହେଲେ ବଜାରରେ ଏ ଶାଢ଼ିର କାଟତି ହ୍ରାସ ପାଇବ। ଗାଁଟି ପର୍ଯ୍ୟଟକ ଗଁାର ମାନ୍ୟତା ପାଇଛି। କିନ୍ତୁ ସୁରଞ୍ଜନ ଦେଖିଲେ ଗଁା ମୁଣ୍ଡରେ ସୂଚନା ଫଳକଟିଏ ନାହିଁ ଏବଂ ରାସ୍ତାଘାଟର ଅବସ୍ଥା ଶୋଚନୀୟ। 
କାର୍ତ୍ତିକ ସନ୍ଧ୍ୟାର ଲାଲିମା ଲିଭି ଆସୁଥିଲା। ଲେଉଟାଣି ରାସ୍ତାରେ ମାଣିଆବନ୍ଧର ସୁନିଆପାଟଣା ସାହିରେ ଥିବା ବୁଦ୍ଧ ମନ୍ଦିର ପାଖରେ ଘଡ଼ିଏ ଅଟକିଲେ ସୁରଞ୍ଜନ। କୋଲକାତାର ମହାବୋଧି ସମାଜରୁ ଆସି ପ୍ରତିଷ୍ଠିତ ହୋଇଥିବା ପ୍ରଶାନ୍ତ ବୁଦ୍ଧ ମୂର୍ତ୍ତିକୁ ପ୍ରଣିପାତ କଲେ ସେ। ଏଠାରେ ସାଇତା ହୋଇ ରହିଛି ବୁଦ୍ଧ ଭାଗବତ ପୁସ୍ତକ ଓ କିଛି କୀଟଦଂଷ୍ଟ୍ର ତାଳପତ୍ର ପୋଥି। ଶୀତ ସଞ୍ଜର ମହଳ ଅନ୍ଧାର ଧୀରେଧୀରେ ଗାଢ଼ ହେଉଥିଲା। ସୁରଞ୍ଜନ ବାବୁ ଗୁଣୁଗୁଣଉ ଥିଲେ ଓଡ଼ିଆ ମହାଭାରତରେ ଶ୍ରୀଜଗନ୍ନାଥଙ୍କୁ ବୁଦ୍ଧ ରୂପେ ବର୍ଣ୍ଣନା ସଂକ୍ରାନ୍ତ କେଇ ପଦ:
‘ନବମେ ବନ୍ଦିଲି ମୁଁ ବୁଦ୍ଧ ଅବତାର
ବୌଦ୍ଧ ରୂପେ ବିଜେ କଲ ଶ୍ରୀନୀଳକନ୍ଦର।
ବଳଭଦ୍ର ସୁଭଦ୍ରାଏ କୃଷ୍ଣ ତିନି ରୂପ
ବୋଉଦ୍ଧ ରୂପରେ ହେଲ ଏମନ୍ତ ସ୍ୱରୂପ।
ବୋଉଦ୍ଧ ରୂପରେ କଳିଯୁଗେ ଅବତାର
ହୋଇଣ ପାପୀ ଜନଙ୍କୁ କରୁଛ ଉଦ୍ଧାର।’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬

Advertisment