ଧନଞ୍ଜୟ ସ୍ୱାଇଁ
ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଓଳାଶୁଣୀ ପୀଠରେ ସନ୍ଥ ଅରକ୍ଷିତ ଦାସଙ୍କ ଆବିର୍ଭାବ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ଅତିଥି ଭାବରେ ଯୋଗ ଦେବା ପାଇଁ ସୁରଞ୍ଜନ ବାବୁ ପାଗା ଛକ, ଗୋପୀନାଥପୁର, ଭେଡ଼ା, ତ୍ରିବେଣୀଶ୍ୱର, ବାଲିଚନ୍ଦ୍ରପୁର, ଲଳିତଗିରି ଡେଇଁ ଓଳାଶୁଣୀ ପାହାଡ଼ର ପାଦଦେଶରେ ପହଞ୍ଚିଲା ବେଳକୁ ପାହାଡ଼ ଚୂଡ଼ାରେ ମେଘମାଳାର ସଂଲଗ୍ନ ଦୃଶ୍ୟ, ମଝିରେ ମଝିରେ ମେଘ କନ୍ୟାର ଓଠରେ ବିଜୁଳିର ଚକ୍ମକୀ ହସ ଓ ଶ୍ୟାମାୟିତ ମେଘମାଳା ତଳେ ଧାଡ଼ିଧାଡ଼ି ବଳକା ପଙ୍କ୍ତି ଦୂର ପ୍ରବାସରେ ରହୁଥିବା କେଉଁ ବିରହୀର ହାତଲେଖା ଚିଠି ଭଳି ପରିଦୃଶ୍ୟ ହେଉଥିଲା ଓ ମନେ ପକାଇ ଦେଉଥିଲା କାଳିଦାସଙ୍କର ମେଘଦୂତ କାବ୍ୟର ଶ୍ଳୋକଟିକୁ। “ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘମାଶ୍ଳିଷ୍ଟ ସାନୁ ବପ୍ରକ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟ ଦଦର୍ଶ”, ଅର୍ଥାତ୍ ଆଷାଢ଼ର ପ୍ରଥମ ଦିନରେ ଏକ ବଳଶାଳୀ ହସ୍ତୀ ଉତ୍ଖାତ କେଳି କଲା ଭଳି ଏହି ସାନୁସଂଲଗ୍ନ ମେଘମାନେ ଦିଶୁଛନ୍ତି। କାର୍ର ଝରକା ଦେଇ ଓଦା ପବନରେ ଭାସି ଆସୁଥିଲା ପହିଲି ବର୍ଷାର ପୁଲକ ଓ ହଳକର୍ଷିତ ମାଟିର ମହୁଆ ଗନ୍ଧ। ଦିନର ମଳିନ ଆଲୋକ ମେଘୁଆ ଆକାଶ ଭେଦି ବଡ଼ କୃପଣ ଭାବରେ ମାଟି ଉପରେ ପଡ଼ିଥିଲା। ସୁରଞ୍ଜନ ବାବୁଙ୍କ ମନେ ପଡ଼ୁଥିଲା କବିତାର ପଙ୍କ୍ତିଟିଏ :
“ଦୂର ପରବତ ଶିରେ ମେଘ ନଦେ ଥମଥମ ମୁହଁ
ଛିଣ୍ଡା କଳାମାଳି ପରି ଚୂନାଚୂନା ପକ୍ଷୀର ଆସର
ଚପଳ ଦୃଷ୍ଟିର ତଳେ ଅନ୍ୱେଷାର ବିଭୋର ବିସ୍ମୟ
ନୀଳ ଘାସ ଓଢ଼ଣିରେ ଅଭିସାର ସାଧବ ବୋହୂର।”
ଚଣ୍ଡିଖୋଲକୁ ପାରାଦୀପ ସହିତ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଦକ୍ଷିଣ ପାର୍ଶ୍ବ ତଥା ଯାଜପୁରଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକର ପଲାଇ ରାଜସ୍ୱ ଗ୍ରାମଠାରୁ ମାତ୍ର ୧ କିଲୋମିଟର ଦୂରରେ, କୃଶାଙ୍ଗୀ ଗୋବରୀ ନଦୀ ତଟରେ ଅବସ୍ଥିତ ଏଇ ଓଳାଶୁଣୀ ପାହାଡ଼। ଦୂରରୁ ଚାହିଁଲେ ଦୃଷ୍ଟିରେ ପଡ଼େ ଲଳିତଗିରି ଓ ଶୁଖୁଆପଡ଼ା ପର୍ବତମାଳାର ଅସ୍ପଷ୍ଟ ସୀମାରେଖା। ଓଳାଶୁଣୀ ପାହାଡ଼କୁ ଚାହିଁଲେ ଲାଗେ ପଥରର ବନ୍ଧୁରତା ସହିତ ଯେମିତି ତାଳ ଦେଇ ଛିଡ଼ା ହୋଇଛି ଏକ ପତଳା ଜଙ୍ଗଲର ସବୁଜିମା। ଏଇ ଓଳାଶୁଣୀ ପୀଠରେ ବ୍ରହ୍ମଲୀନ ହୋଇଥିବା ସମଦର୍ଶୀ ସାଧକ ସନ୍ଥ ଅରକ୍ଷିତ ଦାସଙ୍କ ସ୍ୱରଚିତ ତାଳପତ୍ର ଖେଦା ଓ ପାଦର କଠଉ ତାଙ୍କ ସମାଧି ବେଦିରେ ପୂଜା ପାଉଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସନ୍ନିକଟ ବିଜୟନଗର ଗଡ଼ରେ ବଡ଼ଖେମୁଣ୍ଡି ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିବା ଯୁବରାଜ ବଳଭଦ୍ର ଦେବ ଓରଫ ଅରକ୍ଷିତ ଦାସ (୧୭୭୮ ମସିହାରୁ ୧୭୮୦ ମସିହା ମଧ୍ୟରେ) ବିଷୟ ବାସନା ପ୍ରତି ବିମୁଖ ହୋଇ ବିଭିନ୍ନ ତୀର୍ଥାଟନ ଭ୍ରମଣ କରି ଓଳାଶୁଣୀ ପୀଠରେ ପହଞ୍ଚିବା ପରେ ସେହି ପୀଠର ଆଦ୍ୟ ଅଧିଷ୍ଠାତ୍ରୀ ଦେବୀ ଚଣ୍ଡୀ ସ୍ୱରୂପିଣୀ ଓଳାଶୁଣୀଙ୍କୁ ସଂଦର୍ଶନ କରି ଭୟାର୍ତ୍ତ ହୋଇ ପଡ଼ିଥିଲେ ବୋଲି ତାଙ୍କ ରଚିତ ‘ମହୀମଣ୍ଡଳ ଗୀତା’ରେ ବର୍ଣ୍ଣିତ ହୋଇଛି, ‘ଚଣ୍ଡୀଙ୍କୁ ଭୟ ହୁଏ ମୋତେ, ସ୍ଥାନ ମୁଁ ପାଇବି କେମନ୍ତେ’। ଶେଷରେ ଦେବୀଙ୍କ କୃପାଲାଭ ପୂର୍ବକ ବୃନ୍ଦାବନ ଧାମକୁ ଯାତ୍ରା କରି ସେଠାରୁ ଜଣେ ଦିବ୍ୟ ପୁରୁଷଙ୍କଠାରୁ ବଂଶୀ ଆଣି ବାଦନ କରିବା ପରେ ଦେବୀ ଓଳାଶୁଣୀ ପ୍ରୀତ ହୋଇ ଓଳାଶୁଣୀ ପାହାଡ଼ର ଅନନ୍ତ ଗୁମ୍ଫା ତ୍ୟାଗ କରି ପୂର୍ବ ଦିଗରେ ପାହାଡ଼ର ପାଦଦେଶରେ ଆସ୍ଥାନ ଗ୍ରହଣ କରିଥିଲେ।
ଡକ୍ଟର ରତ୍ନାକର ସାହୁଙ୍କ ମତରେ ‘ସନ୍ଥ ଅରକ୍ଷିତ ଥିଲେ ଯଥାର୍ଥରେ ଜଣେ ସଂସାର ବନ୍ଧନମୁକ୍ତ, ବିଷୟ ବାସନା ବର୍ଜିତ, ବିକାରଶୂନ୍ୟ, ଉଦାସମନା, ସମଦର୍ଶୀ, ଆତ୍ମାନୁଭୂତି ସମ୍ପନ୍ନ, ଜାତ୍ୟାଭିମାନହୀନ ଅବଧୂତ ସନ୍ନ୍ୟାସୀ।’ ଡକ୍ଟର ବୈଷ୍ଣବ ଚରଣ ସାମଲ ତାଙ୍କ ‘ଭୂତି ଭକ୍ତି ବିଭୂତି’ ପୁସ୍ତକରେ ଲେଖିଛନ୍ତି- “ମହାପୁରୁଷ ହାଡ଼ିଦାସଙ୍କର ସେ ସମସାମୟିକ। ଜଣେ ଛତିଆ ବଟରେ ଅବସ୍ଥାନ କରୁଥିଲା ବେଳେ ଅନ୍ୟ ଜଣେ ଓଳାଶୁଣୀ ପାହାଡ଼ରେ ଅବସ୍ଥାନ କରୁଥିଲେ। ଉଭୟଙ୍କର ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକ ବିମଳ ଆନନ୍ଦ ଓ ସେହି ଆନନ୍ଦରେ ଜଗତ୍ ଜନଙ୍କୁ ଉତ୍ତରିତ କରିନେବା ପରମାନନ୍ଦ ସ୍ତରକୁ। ଉଭୟ ଜାତି ମାନିନାହାନ୍ତି, ସମ୍ପ୍ରଦାୟ ମାନି ନାହାନ୍ତି; ମାନିଛନ୍ତି ମନୁଷ୍ୟଙ୍କୁ ଓ ଅନିର୍ବଚନୀୟ ପରମ ପୁରୁଷଙ୍କୁ।”
ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ କୁମାର ଭୂୟାଁ କହୁଥିଲେ ଯେ ଅଷ୍ଟାଦଶ ଶତାବ୍ଦୀରେ କେନ୍ଦ୍ରାପଡ଼ାର ଲୋକପ୍ରିୟ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଧୀନରେ ଥିଲା ଏହି ପବିତ୍ର ଆଧ୍ୟାତ୍ମିକ ପୀଠ ଓଳାଶୁଣୀ ଗୁମ୍ଫା ପାହାଡ଼। ଅନେକ ସ୍ଥାନରୁ ବିଫଳ ମନୋରଥ ହୋଇ ଫେରିବା ପରେ ନରେନ୍ଦ୍ରଙ୍କ ଜମିଦାରୀ ଉଆସ (ବଡ଼ କୋଠା)ରେ ପହଞ୍ଚି ସନ୍ଥ ଅରକ୍ଷିତ ଯୋଗ ସାଧନା ବଳରେ ଜମିଦାରଙ୍କ ମନ କଥା ପ୍ରକାଶ କରିବାର ଚମତ୍କାରିତା ଦେଖାଇବାରୁ ଆଧ୍ୟାତ୍ମବାଦୀ ଜମିଦାର ସନ୍ଥ ଅରକ୍ଷିତଙ୍କ ଉପରେ ପ୍ରୀତ ହୋଇ ତାଙ୍କ ଜମିଦାରିରେ ଥିବା ଓଳାଶୁଣୀ ଗୁମ୍ଫା ପାହାଡ଼ ଦାନ କରିଥିଲେ। ଏଇଠି ସେ ଅନେକ ସାରସ୍ୱତ ଗ୍ରନ୍ଥ ରଚନା କରି ଯାଇଛନ୍ତି ଯଥା : ମହୀମଣ୍ଡଳ ଗୀତା, ବ୍ରହ୍ମାଣ୍ଡ ଗୀତା, ଭକ୍ତି ଟୀକା, ଗୁପ୍ତ ଟୀକା, ଅବଧୂତ ସଂହିତା, ଗୁପ୍ତ ପଦ୍ମକଳ୍ପ, ଗୁଜରୀ ରାହାସ, ଦ୍ୱାଦଶ ଚନ୍ଦ୍ରିକା ଇତ୍ୟାଦି। ସନ୍ଥ ଅରକ୍ଷିତ ସମସ୍ତଙ୍କୁ ସମଭାବସମ୍ପନ୍ନ ଓ ସମଦର୍ଶୀ ହେବାକୁ ପ୍ରବର୍ତ୍ତାଇଥିଲେ। ପୁଣି ତୀର୍ଥ, ଦେବପୂଜା, ଯୋଗ ସାଧନ, ଅନାହାର ସାଧନ ଆଦି ଦ୍ୱାରା ବ୍ରହ୍ମ ଦର୍ଶନ ହୋଇପାରେ ନାହିଁ ଓ ଭକ୍ତି ଭାବାପନ୍ନ ହେଲେ ସାଧକ ବ୍ରହ୍ମ ସାକ୍ଷାତକାର କରିପାରେ ବୋଲି ସନ୍ଥ ପରାମର୍ଶ ଦେଇଛନ୍ତି। ପୁଣି ତାଙ୍କ ମତରେ ‘ରଜ, ବୀର୍ଯ୍ୟ, ଆମିଷ, ସେଥିରୁ ଜୀବଜଗତ ଜାତ।” ‘ଆମିଷ ବିନୁ ନାହିଁ କିଛି, ଆମିଷ ଶରୀର ହୋଇଛି।’ ତେଣୁ ଖାଦ୍ୟରେ କୌଣସି ଭେଦ ସୃଷ୍ଟି ନ କରି ତାକୁ ଭକ୍ଷଣ ପୂର୍ବକ ବ୍ରହ୍ମ ପଦରେ ସମର୍ପିତ ହେବାକୁ ସେ କହିଛନ୍ତି। ଓଳାଶୁଣୀରେ ସେଥିପାଇଁ ଶୁଖୁଆ ଭୋଗର ପ୍ରଚଳନ ହୋଇ ଆସୁଅଛି।
ଲେଉଟାଣି ବାଟରେ ଓଳାଶୁଣୀ ପାହାଡ଼ରୁ ଦିଶୁଥିଲା ଶୁଖୁଆପଡ଼ା ଗ୍ରାମ, ଯାହାର ପ୍ରସ୍ତର ଶିଳ୍ପୀମାନେ ତିଆରି କରିଥିଲେ ଓଳାଶୁଣୀର ପ୍ରାଚୀନ ସମାଧି ମନ୍ଦିର। ଏହି ଓଳାଶୁଣୀ ପୀଠର ଅଦୂରରେ ରହିଛି ରତ୍ନଗିରି ବୌଦ୍ଧ ବିହାର, ଯେଉଁଠି ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବ ତାନ୍ତ୍ରିକ, ବୌଦ୍ଧ ସିଦ୍ଧାନ୍ତର ପ୍ରଚାର ପ୍ରସାର କରିଥିଲେ। ଉଦୟଗିରି ବିହାର ନିକଟସ୍ଥ ମାଧବପୁର ସିଂହପ୍ରସ୍ଥ ବୌଦ୍ଧ ମହାବିହାରଠାରେ ତାଙ୍କର ସମାଧି ରହିଛି। ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼ରେ ରହିଛି ମହାଭାରତ ସମୟର ଏକ ଗିରି ଗର୍ତ, ଦକ୍ଷିଣରେ ପବିତ୍ର ପଂଚୁପାଣ୍ଡବ ପୀଠ ଓ ମହାତ୍ମା ବିଦୁରଙ୍କ ସ୍ମୃତିପୀଠ ଇତ୍ୟାଦି।
ମେଘ ଢଙ୍କା ଆକାଶତଳେ ନୀଡ଼ ଫେରା ପକ୍ଷୀମାନଙ୍କର କଳରବରେ ଲଳିତଗିରିର ସଂକୀର୍ଣ୍ଣ ପାହାଡ଼ୀ ରାସ୍ତା ରହସ୍ୟମୟ ଲାଗୁଥିଲା। ପଛକୁ ଫେରି ଚାହିଁଲେ ଓଳାଶୁଣୀ ପାହାଡ଼ ବିଭୂତିବୋଳା ଯୋଗାସୀନ ସନ୍ନ୍ୟାସୀ ପରି ଦିଶୁଥିଲା। ଶୁଭୁଥିଲା ଗୋବରୀ ନଦୀର ଅବିଶ୍ରାନ୍ତ ଧ୍ୱନି। ଓଳାଶୁଣୀ ପାହାଡ଼ର ବିପୁଳ ମହିମା ଭିତରେ ଦିଶୁଥିଲା ତା’ର ଅକାଶୀ ଆସ୍ପର୍ଦ୍ଧା। ଓଳାଶୁଣୀ ପାହାଡ଼କୁ ମହୀମଣ୍ଡଳ ଗୀତାର ୮୩ ଅଧ୍ୟାୟରେ ସନ୍ଥ ଅରକ୍ଷିତ ଯେଉଁ ସମ୍ବୋଧନ କରିଥିଲେ, ତାକୁ ସ୍ମରଣ କରି ସୁରଞ୍ଜନ ବାବୁ ପ୍ରତ୍ୟାବର୍ତନ କରୁଥିଲେ,
“ହେ ଓଳାଶୁଣୀ ଗିରିବର। ଦୟା ରଖିବ ମୋର ଠାର।
ତୁମ୍ଭର ଦୟା ମୋର ଥିଲେ। ଦିନା କେତେ ରହିବି ଭଲେ.....।’’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬