ସୁରେନ୍ଦ୍ର ମହାନ୍ତି: ନୂଆ ‘ପଥ’, ନୂତନ ‘ପୃଥିବୀ’

ଅସିତ ମହାନ୍ତି

ସୁରେନ୍ଦ୍ର ମହାନ୍ତି ଥିଲେ ଏପରି ଜଣେ ବ୍ୟକ୍ତି, ଯାହାଙ୍କର ଜୀବନ-ଯାନରେ ଥିଲା ତିନିଟି ଇଞ୍ଜିନ୍। ପ୍ରଥମେ ଥିଲା ଦୁଇଟି- ଗୋଟିଏ ସାହିତ୍ୟ ଓ ଅନ୍ୟଟି ସାମ୍ବାଦିକତା। ପରେ ଯୋଡ଼ା ହେଲା ଆଉ ଗୋଟିଏ ଇଞ୍ଜିନ୍‌- ପାର୍ଲାମେଣ୍ଟାରୀ ରାଜନୀତି। ତେଣୁ ତାଙ୍କ ଜୀବନ-ଯାନ କେବେ ‘କ୍ରାସ୍‌’ କରିବା ଅବସ୍ଥାକୁ ଆସିନାହିଁ ବୋଲି ସେ ତାଙ୍କ ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ କହିଛନ୍ତି। ସେ କଥା ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୧୩ ଜାନୁଆରି)ରେ କୁହାଯାଇଛି।
ଏଣୁ ୧୯୬୨ ନିର୍ବାଚନରେ ପରାସ୍ତ ହେବା ସହିତ, ରାଜନୀତି ଇଞ୍ଜିନ୍‌ଟି ଅବଶ୍ୟ ଅକାମୀ ହୋଇଯାଇଥିଲା; କିନ୍ତୁ ତାଙ୍କ ଜୀବନ-ଯାନ କ୍ରାସ୍ କରିନଥିଲା।
ତୃତୀୟ ସାଧାରଣ ନିର୍ବାଚନ (୧୯୬୨)ର କଥା। ସେହି ନିର୍ବାଚନରେ ସେ ପ୍ରଥମ ଗଣତିରେ ୨୧୨ ଖଣ୍ଡ ଭୋଟ୍‌ରେ ଜିତିଥିଲେ। କିନ୍ତୁ ତାଙ୍କର କେହି ଏଜେଣ୍ଟ ନଥାଇ ଦ୍ୱିତୀୟ ଗଣତି ହେଲା ଏବଂ ସେ ୬୬ ଖଣ୍ଡ ଭୋଟ୍‌ରେ ହାରିଗଲେ। ‘ପଥ ଓ ପୃଥିବୀ’ର ୩୩ତମ ଅଧ୍ୟାୟ, ‘ତୃତୀୟ ସାଧାରଣ ନିର୍ବାଚନ: ଜୟ-ପରାଜୟ’ରେ ସେ କଥା ଲେଖିଛନ୍ତି ସୁରେନ୍ଦ୍ର ମହାନ୍ତି। କହିଛନ୍ତି, “ଏ ‘ହାରିବା’କୁ କିନ୍ତୁ ମୁଁ ‘ହାରିବା’ ବୋଲି ଗ୍ରହଣ କରି ନଥିଲି।” ସେ ଅବଶ୍ୟ ତାହା ବିରୋଧରେ ଅଦାଲତରେ ଆବେଦନ କରିଥିଲେ; ଓକିଲମାନଙ୍କ ଦୁଆରେ ମହକିଲ ବି ହୋଇଥିଲେ; କିନ୍ତୁ ତାଙ୍କ ଭାଷାରେ, ତାହା ଥିଲା ତାଙ୍କ ପାଇଁ ‘ନିୟତିର ପରିହାସ’। କିନ୍ତୁ ଏଠି ଏ ଆଲୋଚନାର ପ୍ରସଙ୍ଗ ରାଜନୀତିର ସେ ହାର୍‌-ଜିତ୍ ନୁହେଁ। ପ୍ରସଙ୍ଗ ହେଉଛି- ସେହି ‘ହାରିବା’ ପରର ସୁରେନ୍ଦ୍ର ମହାନ୍ତିଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ। ସେହି ‘ନିୟତିର ପରିହାସ’କୁ ସେ କିପରି ଭାବରେ ଗ୍ରହଣ କରିଥିଲେ, ‘ପଥ ଓ ପୃଥିବୀ’ର ୩୪ତମ ଅଧ୍ୟାୟ- ‘ରାଜନୀତିରୁ ସାହିତ୍ୟ ଓ ସାମ୍ବାଦିକତା’ରେ ଅଛି ତାହାର ଅନ୍ତରଙ୍ଗ ଆଲେଖ୍ୟ। ସେ କଥା ଅତ୍ୟନ୍ତ ରୋଚକ।

ତାହା ପରେ, ଦିନେ, ଅନହୁତି, ଦିନ ପ୍ରାୟ ବାରଟା ବେଳେ, ଉଦୁଉଦିଆ ଖରାରେ, ସେ କାନ୍ଧରେ ଗୋଟାଏ ତଉଲିଆ ପକାଇ ଜିପ୍‌ରେ ଚାଲିଗଲେ ଗଡ଼ଗଡ଼ିଆ ଘାଟକୁ। ସେ ଗଡ଼ଗଡ଼ିଆ ଘାଟକୁ ଯାଇଛନ୍ତି ବୋଲି ଶୁଣି ତାଙ୍କ ସ୍ତ୍ରୀ ଭାବିଲେ, ସେ ବୋଧହୁଏ ଆତ୍ମହତ୍ୟା କରିଦେବେ। କିନ୍ତୁ ସେ ଧାଇଁ ଆସି ଗଡ଼ଗଡ଼ିଆ ଘାଟରେ ପହଞ୍ଚି ଦେଖିଲେ, ସୁରେନ୍ଦ୍ର ମହାନ୍ତି ଆତ୍ମହତ୍ୟା କରି ନାହାନ୍ତି। ଗଡ଼ଗଡ଼ିଆ ଘାଟ ତଳକୁ ଯେଉଁ ଶୀତଳ ପାଣି, ସେତେବେଳକୁ ସେଥିରେ ଘଣ୍ଟାଏରୁ ଊର୍ଦ୍ଧ୍ୱକାଳ ପହଁରି ସାରି, ଶୂନ୍ୟରେ ପାଣି ଛଟାଛଟି କରି ସେ ଗାଧୋଉଛନ୍ତି। ପତ୍ନୀ ଆଶ୍ୱସ୍ତ ହେଲେ। ସୁରେନ୍ଦ୍ର ମହାନ୍ତି ସେହି ଅଧ୍ୟାୟରେ ଲେଖିଛନ୍ତି, “ମୁଁ ଆଉ କିଛି ସମୟ ଗାଧୋଇବା ପରେ, ଓଦା ସରସର ଦେହରେ, ପାହାଚ ଉପରକୁ ଉଠିଆସି, ସିଧା ଗଡ଼ଗଡ଼ିଆ ମନ୍ଦିରକୁ ଆସିଲି। ସେତେବେଳକୁ ମୁଁ ଅଧା ଆସ୍ତିକ, ଅଧା ନାସ୍ତିକ। ନାସ୍ତିକ ଭାଗଟା ବରଂ ବେଶୀ। ତଥାପି ନିତାନ୍ତ ଭକ୍ତଙ୍କ ପରି ଘଣ୍ଟି ବଜାଇଲି ଓ ‘ଶିବୋଽହମ୍ ଶିବୋଽହମ୍‌’ ଚିତ୍କାର କଲି। ପୂଜକ ମୋତେ ବେଲପତ୍ର ଦେଲେ। ବେଲପତ୍ର ଦି’ ତିନିଟା ଚୋବେଇଗଲି। କିଛି ପାଦୁକ ମଧ୍ୟ ପିଇଲି। ତା’ପରେ ସେଠାରୁ କଟକଚଣ୍ଡୀ ମନ୍ଦିରକୁ ଆସିଲି। ସେଠାରେ ମଧ୍ୟ ଘଣ୍ଟି ବଜାଇଲି ଓ ଛିଣ୍ଡା ଛିଣ୍ଡା ଭାବରେ କିଛି ଦେବୀସ୍ତୋତ୍ର ଯାହା ମନେଥିଲା- ଆବୃତ୍ତି କଲି।”

ଏ ପ୍ରସଙ୍ଗରେ ସେ ଆହୁରି ମଧ୍ୟ ଲେଖିଛନ୍ତି-
“ଏହିପରି ଦୈନିକ ଅଭ୍ୟାସ ପରେ ଦେଖିଲି, ଏହାପରେ ମୁଁ ଯେମିତି ଗୋଟାଏ ଭିନେ ମଣିଷରେ ପରିଣତ ହୋଇଯାଇଛି! ମୋର ପୂର୍ବର ଶୂନ୍ୟତା ଓ ବିଷାଦଭାବ ଅନେକ ପରିମାଣରେ କଟିଯାଇଛି!” ଏବଂ ଏ ପ୍ରସଙ୍ଗରେ ଆମ ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଇ ସେ କହିଛନ୍ତି, “ମୋ’ରି ପରି ଯେଉଁମାନେ ଏହିପରି ମାନସିକ ଅବସ୍ଥା ଦେଇ ଗତି କରନ୍ତି ଓ ବଞ୍ଚିବା ଯେଉଁମାନଙ୍କ ପାଇଁ ଅସହ୍ୟ ହୋଇଉଠେ- ସେମାନେ ମୋର ଏହି ଉପାୟ ଥରେ ପରୀକ୍ଷା କରି ଦେଖିବା ସକାଶେ ଅନୁରୋଧ କରୁଛି। ଆମର ବ୍ୟର୍ଥତା, ଅବସାଦ ଓ ଶୂନ୍ୟତାବୋଧ ହେଉଛି ଆମ ଆତ୍ମକୈନ୍ଦ୍ରିକତାର ହିଁ ପରିଣତି। ଯଦି ଆତ୍ମକୈନ୍ଦ୍ରିକତାର ସେହି ପଞ୍ଜୁରି ଭାଙ୍ଗି, ଆମେ ସାଧାରଣ ଲୋକଙ୍କ ପରି ସେମାନଙ୍କ ସହିତ ମିଶି ଠାକୁର ମନ୍ଦିରରେ ଘଣ୍ଟ ପିଟୁ, ଫୁଲ ତୋଳୁ, କୀର୍ତ୍ତନ କରୁ ଓ ସେହି ପ୍ରକ୍ରିୟା ମଧ୍ୟରେ ନିଜକୁ ଚିର ଆନନ୍ଦମୟ ଏକ ନିଖିଳ ସତ୍ତା ସହ ମିଶାଇ ଦେଇପାରୁ- ତା’ ହେଲେ ଦେଖାଯିବ, ଆମେ ସେଇ କ୍ଷୁଦ୍ର ଅସ୍ମିତାର ପଞ୍ଜୁରୀ ବାହାରେ ଯେଉଁ ବୃହତ୍ତର ସତ୍ତା ଅଛି, ତା’ ସହ ଏକାତ୍ମ ହୋଇଯାଇଛୁ। ଆମର କଣ୍ଟକିତ ଅସ୍ମିତା କଟିଯାଇଛି। ଆମର ବ୍ୟକ୍ତିଗତ ବ୍ୟର୍ଥତା ଆଉ ଅବସାଦସବୁ ହୋଇପଡ଼ିଛି ଅକିଞ୍ଚିତ୍‌କର। ମୋର ଅନ୍ତତଃ ଏହିପରି ଉପଲବ୍‌ଧି ହୋଇଥିଲା।” ସୁରେନ୍ଦ୍ର ମହାନ୍ତି କିନ୍ତୁ, ତାହା ପରେ ଠାକୁର ମନ୍ଦିରର ଘଣ୍ଟପିଟା, ଫୁଲତୋଳା ଓ କୀର୍ତ୍ତନ ଭିତରେ ରହି ଯାଇ ନଥିଲେ। ସେ ନିଜକୁ ପ୍ରଶ୍ନ କରିଥିଲେ- ଏହା ପରେ ସମୟ ସବୁ କଟିବ କିପରି?

ଏହି ପ୍ରଶ୍ନ ତାଙ୍କ ପାଇଁ ଉନ୍ମୋଚନ କରି ଦେଇଥିଲା ଏକ ନୂଆ ପଥ। ସେ ପାଦ ଦେଇଥିଲେ ଏକ ନୂତନ ପୃଥିବୀରେ। ଗୋଟାଏ ଝୁଙ୍କ୍‌ରେ ସେ ପଢ଼ିବା ଆରମ୍ଭ କରିଥିଲେ ‘ସାରଳା ମହାଭାରତ’। ପଢ଼ିଥିଲେ ବି ବଳରାମ ଦାସଙ୍କ ‘ରାମାୟଣ’ ଓ ଜଗନ୍ନାଥ ଦାସଙ୍କ ‘ଭାଗବତ’। ‘ପଥ ଓ ପୃଥିବୀ’ରେ ସେ କହିଛନ୍ତି, “ପ୍ରକୃତରେ, ବିଧି ନିର୍ଦ୍ଦେଶରେ ମୁଁ ଯଦି ନିର୍ବାଚନରେ ହାରି ନଥାନ୍ତି, ତା’ହେଲେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ବିପୁଳ ଐଶ୍ୱର୍ଯ୍ୟ ସହ ମୁଁ କଦାପି ପରିଚିତ ହୋଇପାରି ନଥାନ୍ତି।” ସେ ଆହୁରି ମଧ୍ୟ ଲେଖିଛନ୍ତି, “ସେତେବେଳକୁ ମୋର ପ୍ରାୟ ଚାଳିଶିଟି ଖଣ୍ଡେ କ୍ଷୁଦ୍ରଗଳ୍ପ, ‘ପେକିଂ ଡାଏରୀ’ ଓ ‘ଫକୀରମୋହନ ସମୀକ୍ଷା’ ବ୍ୟତୀତ ଅନ୍ୟ କିଛି ସାହିତ୍ୟ କୃତି ନଥିଲା। କିନ୍ତୁ ଏହା ମୋତେ ଲାଗୁଥିଲା ଅତି ସାମାନ୍ୟ। ମୋର ସ୍ୱଭାବ ହେଉଛି, ମୁଁ ସବୁଦିନେ ଅତୃପ୍ତ। ତୃପ୍ତି ବା ଆତ୍ମସନ୍ତୋଷର ଅର୍ଥ ମୋ ବିଚାରରେ ମୃତ୍ୟୁର ନାମାନ୍ତର ମାତ୍ର। ଜୀବନରେ ସନ୍ତୋଷ ନାହିଁ… ତୃପ୍ତି ନାହିଁ! ଜୀବନ ହେଉଛି ଅତୃପ୍ତର ତାଡ଼ନାରେ ପୂର୍ଣ୍ଣତା ଆଡ଼େ ମନୁଷ୍ୟର ଚିରନ୍ତନ ବ୍ୟାକୁଳ ଯାତ୍ରା। ଚରୈବେତି… ଚରୈବେତି! ଯଦି ସାମାନ୍ୟ ସଫଳତା ଆତ୍ମସନ୍ତୋଷ ଆଣିଦେଲା ଓ ସେଇଆକୁ ପୁଞ୍ଜି କରି କେହି ଊର୍ଦ୍ଧ୍ୱବାହୁ ହୋଇ ନିଜକୁ କବିସମ୍ରାଟ ବା କଥାସମ୍ରାଟ ବା ତତ୍ତୁଲ୍ୟ ବୋଲି ନିଜ ଗୋଷ୍ଠୀରେ ଘୋଷଣା କରି ଆନନ୍ଦ ପାଇଲା, ତା’ହେଲେ ତା’ଠାରୁ ବଳି ଦୈନ୍ୟ ଆଉ କିଛି ନଥାଇପାରେ।”

ସୁରେନ୍ଦ୍ର ମହାନ୍ତିଙ୍କ ଜୀବନକୁ ଆମେ ଯଦି ଲକ୍ଷ୍ୟ କରିବା, ଦେଖିବା ଯେ ସେ ‘କଥାସମ୍ରାଟ’ ବୋଲି ଆଖ୍ୟାୟିତ ଅବଶ୍ୟ ହୋଇଛନ୍ତି; ମାତ୍ର ସେଇଠି ଅଟକି ଯାଇ ନାହାନ୍ତି। ଅତୃପ୍ତିର ତାଡ଼ନାରେ ପୂର୍ଣ୍ଣତା ଆଡ଼େ ଚିରନ୍ତନ ଯାତ୍ରା ହିଁ କରି ଚାଲିଛନ୍ତି। ଏହାର ଅନ୍ତିମ ପ୍ରମାଣ ହେଉଛି- ମୃତ୍ୟୁର ମାତ୍ର ପାଞ୍ଚଦିନ ପୂର୍ବରୁ ପ୍ରକାଶ ପାଇଥିବ ତାଙ୍କର ‘ଶେଷସ୍ତମ୍ଭ’ର ଶେଷ ଲେଖା। କିନ୍ତୁ ସେଦିନ, ରାଜନୀତିରୁ ସେଇ ଯୋଉ ଅବସର ତାଙ୍କୁ ବିଧିପ୍ରଦତ୍ତ ଭାବରେ ମିଳିଥିଲା, ତାହାର ସଫଳ ସଦୁପଯୋଗ ସେ କରିଥିଲେ। ଲେଖିବା ଆରମ୍ଭ କରିଥିଲେ ଏବଂ ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଓ ‘ମଧ୍ୟପର୍ବ’। ୧୯୬୪ରେ ‘କଳିଙ୍ଗ’ ସମ୍ବାଦପତ୍ରର ସଂପାଦକ ଭାବରେ ମଧ୍ୟ ସେ ସାମ୍ବାଦିକତାକୁ ଫେରିଥିଲେ। ଆରମ୍ଭ ମଧ୍ୟ ହୋଇଥିଲା ମଧୁସୂଦନ ଦାସଙ୍କ ଜୀବନୀକୁ ନେଇ ଚରିତ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’।
‘ପଥ ଓ ପୃଥିବୀ’ର ୩୯ତମ ଅଧ୍ୟାୟ, ‘ରାଜନୀତିର ଭସ୍ମତଳୁ ପୁଣି…’ରେ ଏ ସଂପର୍କରେ ସେ ଲେଖିଛନ୍ତି, “୧୯୬୨ ନିର୍ବାଚନରେ ପରାସ୍ତ ହେବା ପରେ ମୁଁ ଆରମ୍ଭ କରିଦେଲି ‘ଶତାବ୍ଦୀର ସୂର୍ଯ୍ୟ’। ମଧୁସୂଦନ (ଦାସ)ଙ୍କ ଜୀବନୀକୁ ଏକ ଚରିତୋପନ୍ୟାସ ଭାବରେ ରୂପ ଦେବା ଥିଲା ଗୋଟାଏ ଚାଲେଞ୍ଜିଙ୍ଗ୍ ଟାସ୍‌କ। ପ୍ରଥମତଃ ସେଥିପାଇଁ ନିର୍ଭରଯୋଗ୍ୟ ପ୍ରାମାଣିକ ଉପାଦାନ ସୁଲଭ ନଥିଲା। ସେସବୁ ଗୋଟିଏ ସ୍ଥାନରେ ମଧ୍ୟ ମିଳିବ ନାହିଁ। ବହୁ କଷ୍ଟ ସ୍ୱୀକାର କରି ମୋତେ ସେସବୁ ଅନୁସନ୍ଧାନ କରିବାପାଇଁ ପଡ଼ିଲା।” କିପରି ସେ ଏହି ବିପୁଳାୟତନ ଚରିତୋପନ୍ୟାସ ପାଇଁ ଆନୁଷଙ୍ଗିକ ଉପାଦାନମାନ ସଂଗ୍ରହ କଲେ, ତାହାର ବର୍ଣ୍ଣନା ଅଛି ‘ପଥ ଓ ପୃଥିବୀ’ର ସେହି ଅଧ୍ୟାୟରେ। ସେ କହିଛନ୍ତି, “ଦୁଇ ଜଣ ବେକାର ଗ୍ରାଜୁଏଟ୍‌ଙ୍କୁ ନିଜ ପକେଟରୁ ମାସିକ ଦେଢ଼ଶହ ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇ ସେମାନଙ୍କୁ ଆର୍କାଇଭସ୍ ଓ ଶ୍ରୀରାମଚନ୍ଦ୍ର ଭବନ ଲାଇବ୍ରେରୀରୁ ‘ଉତ୍କଳ ଦୀପିକା’ ଫାଇଲ୍‌ରେ ଥିବା ମଧୁସୂଦନଙ୍କ ସଂପର୍କିତ ସମ୍ବାଦ ଓ ଲେଖାସବୁ ସଂଗ୍ରହ କାର୍ଯ୍ୟରେ ଲଗାଇଲି। ନିଜେ ବୁଲି ବୁଲି ଯେତେସବୁ ପୁରୁଣା ଚିଠି ଓ ଅନ୍ୟାନ୍ୟ ଡକୁମେଣ୍ଟ ସଂଗ୍ରହ କଲି। ଏସବୁ ସଂଗ୍ରହ କରି ତାକୁ ଶୃଙ୍ଖଳିତ କରିବାପାଇଁ ମୋର ସମୟ ନଥାଏ। ମୁଁ ‘କଳିଙ୍ଗ’ ପ୍ରେସ୍‌ରେ ମୋର ନିୟମିତ କାର୍ଯ୍ୟ ଶେଷ କରି, ମଧ୍ୟାହ୍ନ ଭୋଜନ ପରେ ଦୁଇଘଣ୍ଟା ଶୋଇପଡ଼େ। ତା’ପରେ ପୂର୍ବଦିନ ସଂଗୃହୀତ ହୋଇଥିବା ଉପାଦାନ ଓ ତଥ୍ୟ ସବୁ ଅଧ୍ୟୟନ କରି ତାହାକୁ ଗୋଟାଏ ସ୍ଥୂଳ ରୂପରେଖ ଦିଏ। ସଂଧ୍ୟାରେ ବାହାରିଯାଏ।… ମଧୁସୂଦନଙ୍କ ସଂପର୍କରେ ଆସିଥିବା …. ବ୍ୟକ୍ତିମାନଙ୍କ ପାଖକୁ। ସେମାନଙ୍କ ସହିତ ଆଲୋଚନା କରି ଫେରୁ ଫେରୁ କୋଉଦିନ ରାତି ନଅ ତ କୋଉଦିନ ରାତି ଦଶ୍। ମୋର ରାତ୍ରିଭୋଜନ ପରେ ମୁଁ କୋଉଦିନ ରାତି ବାଆର କି ଗୋଟାଏ ଯାଏ ‘ଶତାବ୍ଦୀର ସୂର୍ଯ୍ୟ’ ଲେଖିବାରେ ବ୍ୟସ୍ତ ରୁହେ। ଏ ଥିଲା ମୋର ପ୍ରାତ୍ୟହିକ ରୁଟିନ୍।”

୧୯୬୪ ମସିହା ରଥଯାତ୍ରାର ଏକ ଆକସ୍ମିକ ଘଟଣାରୁ, ସେହି ସମୟରେ ମଧ୍ୟ ରଚିତ ହୋଇଥିଲା ତାଙ୍କର ସୁପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’। ତେଣୁ ତାହାକୁ ନିଜ ଜୀବନର ଶ୍ରେଷ୍ଠ ସମୟ ବୋଲି ସୁରେନ୍ଦ୍ର ମହାନ୍ତି କହିଛନ୍ତି। ଏ ସ୍ତମ୍ଭରେ, ପୂର୍ବରୁ (୨୪ ଜୁନ୍‌, ୨୦୨୨ରେ) ସେ ସଂପର୍କରେ କୁହାଯାଇଛି। ଏ ପ୍ରସଙ୍ଗରେ ତେଣୁ ସେ କହିଛନ୍ତି- “ଏଇ ସମୟଟି ମୋର ସାହିତ୍ୟିକ ଜୀବନର ମହତ୍ତମ କାଳ। ମୁଁ ନିର୍ବାଚନରେ ସାମାନ୍ୟ ଭୋଟରେ କାହିଁକି ପରାସ୍ତ ହେଲି, ଏବେ ତାହାର ରହସ୍ୟ ବୁଝୁଛି। ଯେଉଁ ଅଦୃଶ୍ୟ ଶକ୍ତି ତା’ର ଇଚ୍ଛାରେ ମୋତେ ବାଟ ଅବାଟରେ ଟାଣି ନେଇ ଆସିଛି, ଇଏ ମଧ୍ୟ ଥିଲା ତା’ର ଆଉ ଏକ ଖିଆଲ।”
ଏ ପ୍ରସଙ୍ଗରେ ଆଉ ଗୋଟିଏ ସ୍ୱୀକାରୋକ୍ତି ମଧ୍ୟ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେଥିରେ ସେ କହିଛନ୍ତି, “ଏବେ ଅତୀତ ଜୀବନ ପ୍ରତି ସିଂହାବଲୋକନ କଲାବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ; ସ୍ତରେ ସ୍ତରେ ମୋର ଜୀବନରେ ଆକସ୍ମିକତାର ପ୍ରଭାବ। କୌଣସି ବିଷୟ ଚିନ୍ତା କରି ବା ଯୋଜନା କରି ମୁଁ କେବେ କରିନାହିଁ, ବା କରିବାକୁ ଚେଷ୍ଟା କରିନାହିଁ। ମୋର ଜୀବନ-ନୌକା ଭାସି ଚାଲିଛି ସମୟ ସ୍ରୋତରେ ଭଉଁରୀ କାଟି, ସ୍ରୋତର ଜଳବେଣୀରେ। ସେହି ଅଦୃଶ୍ୟ କାଣ୍ଡାରୀଙ୍କୁ ମୁଁ ନିଭୃତ ମୁହୂର୍ତ୍ତମାନଙ୍କରେ ନମସ୍କାର ଜଣାଏ; ଯିଏ ମୋତେ ବାହି ନେଇ ଚାଲିଛନ୍ତି- ଠିକ୍ କୁଆଡ଼େ ଏବେ ସୁଦ୍ଧା ଜାଣେ ନାହିଁ। କିନ୍ତୁ ସେହି ଆକସ୍ମିକ ମୁହୂର୍ତ୍ତମାନେ ହିଁ ହଠାତ୍ ମୋର ଜୀବନର ଗତି ବଦଳାଇ ଦେଇଛନ୍ତି।”

ଏବଂ ଏଇଥିପାଇଁ ସୁରେନ୍ଦ୍ର ମହାନ୍ତି ‘ପଥ ଓ ପୃଥିବୀ’ର ଆଦ୍ୟରେ ‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ଦ୍ୱିତୀୟ ଅଧ୍ୟାୟ, ୨୮ ଶ୍ଳୋକର ଉଦ୍ଧୃତି ଦେଇ କହିଛନ୍ତି- “ହେ ଭାରତ! ଜୀବଗଣ ସେମାନଙ୍କ ଶରୀରର ଉତ୍ପତ୍ତି ପୂର୍ବରୁ ଅପ୍ରକାଶିତ ଥାଇ ସ୍ଥିତିକାଳରେ ମାତ୍ର ପ୍ରକାଶିତ ହୋଇଥାଆନ୍ତି। ମୃତ୍ୟୁ ପରେ ସେମାନେ ପୁଣି ଅପ୍ରକାଶିତ ହୋଇଥାନ୍ତି। ଏ ଜୀବନ ସେହି ଅବ୍ୟକ୍ତର ଏକ ଅଂଶ ମାତ୍ର।” ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’ ଆମର ‘ପଥ’ ଓ ଆମର ‘ପୃଥିବୀ’ ପାଇଁ ଏକ ମାର୍ଗଦର୍ଶକ ହେଉ! ଏହାହିଁ ବୋଧହୁଏ ହେବ, ଏଇ ଶତାବ୍ଦୀ-ପୁରୁଷଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର