ପାକ୍‌-ଶିଖଣ୍ଡୀ

ମନେ ହେଉଛି ଶେଷରେ ଅଭିନେତା ପରେଶ ରାଓ୍ଵଲଙ୍କ ଉପଦେଶକୁ ଭାରତ କାର୍ଯ୍ୟକାରୀ ନକରୁ ପଛେ, ପାକିସ୍ତାନ ତାହାର ଉପାଦେୟତା ହୃଦୟଙ୍ଗମ କରି ପାଳନ କରିଛି। ଏହା ଦେଖିବାକୁ ମିଳିଥିଲା ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ସୁଶ୍ରୀ ମଲିହା ଲୋଧି ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ସେଠାରେ ପ୍ରଦାନ କରିଥିବା ଶକ୍ତିଶାଳୀ ଭାଷଣର ପ୍ରତୁ୍ୟୁତ୍ତର ରଖିବାକୁ ଯାଇ ଆତ୍ମରକ୍ଷା କରିବା ପାଇଁ ଭାରତୀୟ ଲେଖିକା ତଥା ବାମ-ଉଦାରପନ୍ଥୀ ଆନ୍ଦୋଳନକାରିଣୀ ଅରୁନ୍ଧତୀ ରାୟଙ୍କୁ ଢାଲ ରୂପେ ବ୍ୟବହାର କରିଥିଲେ। ଗତ ମଇ ମାସରେ କଶ୍ମୀରରେ ଟେକାପଥର ଫିଙ୍ଗାଳିମାନଙ୍କୁ ପ୍ରତିହତ କରିବା ପାଇଁ ସେମାନଙ୍କ ମଧ୍ୟରୁ କାହାରିକୁ ସେନାବାହିନୀ ଜିପ୍‌ର ବନେଟ୍‌ ଉପରେ ବାନ୍ଧି ବସାଇ ଦେବା ପରିବର୍ତ୍ତେ ସେମାନଙ୍କର ଜଣାଶୁଣା ସମର୍ଥକ ଅରୁନ୍ଧତୀ ରାୟଙ୍କୁ ସେ ସ୍ଥାନରେ ବାନ୍ଧି ବସାଇ ଦିଆଯାଉ ବୋଲି ପରେଶ ରାଓ୍ଵଲ ଟ୍ଵିଟ୍‌ କରିଥିଲେ। ରାଓ୍ଵଲଙ୍କ ଟ୍ଵିଟ୍‌ର ମର୍ମ ଥିଲା ପାକ୍‌ସମର୍ଥିତ ଟେକାମାଡ଼କାରୀଙ୍କର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅରୁନ୍ଧତୀ ରାୟ ଏକ ଅଧିକ ଫଳପ୍ରଦ ଢାଲ ରୂପେ କାର୍ଯ୍ୟ କରିବେ। ଏହା ସେତେବେଳେ ବାମ-ଉଦାରପନ୍ଥୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା।
ମଲିହା ଲୋଧି ବର୍ତ୍ତମାନ ସେଇ ଅରୁନ୍ଧତୀ ରାୟଙ୍କୁ ଶିଖଣ୍ଡୀ ଭଳି ସାମନାରେ ରଖି ଜାତିସଂଘ ସାଧାରଣ ସଭାରେ ଭାରତ ଉପରେ ପ୍ରତି ଆକ୍ରମଣ କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ମାନଙ୍କର ଚରାଭୂଇଁ ପାଲଟିଥିବା ପରିପ୍ରେକ୍ଷୀରେ ସୁଷମା ସ୍ୱରାଜ ତାଙ୍କର ଭାଷଣକ୍ରମରେ ପାକିସ୍ତାନକୁ ‘‘ପୃଥିବୀର ସର୍ବପ୍ରଧାନ ଧ୍ୱଂସ, ମୃତ୍ୟୁ ଏବଂ ଅମାନୁଷିକତାର ରପ୍ତାନିକାରୀ’ ରୂପେ ବର୍ଣ୍ଣନା କରିଥିଲେ। ଏହାର ଜବାବରେ ମଲିହା ଲୋଧି କହିଥିଲେ: ‘‘ଭାରତର ବାୟୁମଣ୍ଡଳରେ ବର୍ତ୍ତମାନ ଯାହା ପୂରି ରହିଛି ତାହା ହେଉଛି ବିଶୁଦ୍ଧ ଆତଙ୍କ, କଶ୍ମୀରରେ ଏବଂ ଅନ୍ୟ ସ୍ଥାନ ମାନଙ୍କରେ। … ସମଗ୍ର ଦଳିତ, ଆଦିବାସୀ, ମୁସଲମାନ ଏବଂ ଖ୍ରୀଷ୍ଟିଆନ୍‌ ସମୁଦାୟ ଆତଙ୍କିତ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି, ସେମାନେ ନିଶ୍ଚିତ ନୁହନ୍ତି କେତେବେଳେ ଏବଂ କେଉଁଠାରୁ ଆକ୍ରମଣ ଆରମ୍ଭ ହୋଇଯିବ।’’ ମଲିହା ଲୋଧି ସେଦିନ ସିନା ଏହା କହିବା ଶୁଣାଯାଇଥିଲା, ଏହା କିନ୍ତୁ ତାଙ୍କ ନିଜର କଥା ନଥିଲା। ଏହା ପ୍ରକୃତରେ ହେଉଛି ଭାରତୀୟ ନାଗରିକ ଅରୁନ୍ଧତୀ ରାୟଙ୍କର ନିଜ ଦେଶ ସମ୍ବନ୍ଧରେ ପ୍ରଦତ୍ତ ମନ୍ତବ୍ୟ। ୨୦୧୫ ନଭେମ୍ବର୍‌ରେ ସେ ଚଳଚ୍ଚିତ୍ର ସଂଳାପ ରଚନା ପାଇଁ ୧୯୮୯ରେ ପାଇଥିବା ନିଜର ଜାତୀୟ ପୁରସ୍କାର ଫେରସ୍ତ କରିବା ଘୋଷଣା କରିବା ସମୟରେ ଭାରତର ଏଭଳି ବନ୍ଦନା କରିଥିଲେ।
ପ୍ରକାଶିତ ସମ୍ବାଦ ଅନୁସାରେ ଜାତିସଂଘରେ ପାକିସ୍ତାନ ତାଙ୍କୁ ଏଭଳି ବ୍ୟବହାର କରିବା ସମ୍ବନ୍ଧରେ ଅରୁନ୍ଧତୀ ରାୟଙ୍କୁ ପଚରା ଯିବାରୁ ସେ ଏକ ସୁବିଧାଜନକ ଉତ୍ତର ଦେଇ କହିଛନ୍ତି ଯେ ସବୁ ସରକାର ହେଉଛନ୍ତି ସୁବିଧାବାଦୀ। କିନ୍ତୁ ଏହା କାହାରିକୁ ଅଜଣା ନୁହେଁ ଯେ ପାକିସ୍ତାନ ଅରୁନ୍ଧତୀ ରାୟଙ୍କୁ ନିଜର ଜଣେ ପରମବନ୍ଧୁ ରୂପେ ବିଚାର କରେ। ଏହାର ଏକ ବଳିଷ୍ଠ ପ୍ରମାଣ ଦେଖିବାକୁ ମିଳିଥିଲା ଠିକ୍‌ ବର୍ଷକ ତଳେ ୨୦୧୬ ସେପ୍‌ଟେମ୍ବର୍‌ରେ ଯେତେବେଳେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବିଧାନସଭାରେ ଏକ ପ୍ରସ୍ତାବ ଆଗତ ହୋଇଥିଲା ଯେ କଶ୍ମୀରରେ ଭାରତ ଦ୍ୱାରା ହେଉଥିବା ହିଂସାତ୍ମକ କାର୍ଯ୍ୟ ସମ୍ବନ୍ଧରେ ବିଧାୟକମାନଙ୍କୁ ଅବଗତ କରାଇବା ପାଇଁ ଅରୁନ୍ଧତୀ ରାୟଙ୍କୁ ଆମନ୍ତ୍ରିତ କରାଯାଉ। ବିଧାୟକ ଶେଖ୍‌ ଆଲ୍ଲାଉଦ୍ଦିନ୍‌ ଏହି ପ୍ରସ୍ତାବ ଦେବା ପରେ ପ୍ରାଦେଶିକ ସରକାରରେ ଶ୍ରମ ଏବଂ ମାନବସମ୍ବଳ ମନ୍ତ୍ରୀ ଥିବା ରାଜା ଆସ୍‌ଫାକ୍‌ ସର୍‌ଓ୍ଵାର୍‌ ପାକିସ୍ତାନ ସରକାରଙ୍କର ବୈଦେଶିକ ମନ୍ତ୍ରଣାଳୟର ଉପଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଉଚିତ ବୋଲି କହିଥିଲେ। ଉପସ୍ଥିତ ବିଧାୟକମାନେ ପ୍ରବଳ କରତାଳି ମାଧ୍ୟମରେ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ପାକିସ୍ତାନୀ ବିଧାୟକମାନଙ୍କର ଅରୁନ୍ଧତୀ ରାୟଙ୍କ ପ୍ରତି ଏଭଳି ସ୍ନେହର କାରଣ ଖୋଜିବା ଅବଶ୍ୟ କଷ୍ଟକର ନୁହେଁ। ଭାରତରୁ କଶ୍ମୀର ବିଚ୍ଛିନ୍ନ ହୋଇଯିବା ସପକ୍ଷରେ ତାଙ୍କର ଆଭିମୁଖ୍ୟ କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ଏହା ସୀମା ପାର୍‌ ହୋଇ ପାକିସ୍ତାନୀମାନଙ୍କ ମଧ୍ୟରେ ଅରୁନ୍ଧତୀ ରାୟଙ୍କୁ ଜଣେ ଅତ୍ୟନ୍ତ ଲୋକପ୍ରିୟ ଚରିତ୍ରରେ ପରିଣତ କରିଛି। ଅରୁନ୍ଧତୀ ରାୟଙ୍କ କଥା ପାକିସ୍ତାନୀ କାନକୁ କିଭଳି ମିଠା ଶୁଭୁଥିବ ତା’ର ଅନେକ ଉଦାହରଣରୁ ଗୋଟିଏ ଉଦାହରଣ ଏଠାରେ ଯଥେଷ୍ଟ ହେବ। ୨୦୦୮ରେ ଶ୍ରୀନଗର ଠାରେ ଏକ ର‍୍ୟାଲିରେ କଶ୍ମୀର ଭାରତ ଠାରୁ ମୁକ୍ତ ହେବା ଦରକାର ବୋଲି ଆହ୍ଵାନ ଦେଇ ଅରୁନ୍ଧତୀ ରାୟ କହିଥିଲେ: ‘‘ଭାରତ କଶ୍ମୀର ଠାରୁ ଆଜାଦି ସେତିକି ଦରକାର କରେ ଯେତିକି କଶ୍ମୀର ଭାରତ ଠାରୁ ଆଜାଦି ଦରକାର କରେ।’’
ମଲିହା ଲୋଧି ଜାତିସଂଘରେ ଭାରତୀୟ ଗଣତନ୍ତ୍ରକୁ ଉପହାସ କରି କହିଥିଲେ, ଏହା ପୃଥିବୀର ବୃହତ୍ତମ ଗଣତନ୍ତ୍ର (ଲାର୍ଜେଷ୍ଟ୍‍ ଡେମୋକ୍ରାସି) ନୁହେଁ, ଏହା ହେଉଛି ପୃଥିବୀର ବୃହତ୍ତମ ଶଠତା (ଲାର୍ଜେଷ୍ଟ୍‍ ହିପୋକ୍ରିସି)। ଏଠାରେ ମଧ୍ୟ କାନଡେରି ଶୁଣିଲେ ଅରୁନ୍ଧତୀ ରାୟଙ୍କର ପ୍ରତିଧ୍ୱନି କାନରେ ପଡ଼େ। ୨୦୦୬ ମଇ ମାସରେ ନ୍ୟୁୟର୍କ ଠାରେ ଏକ ପୁସ୍ତକ ପାଠ ଉତ୍ସବରେ ଭାଗ ନେବା ଅବସରରେ ସେ ହଠାତ୍‌ ସ୍ୱରଚିତ ବୁକର୍‌ ପୁରସ୍କାରପ୍ରାପ୍ତ ଉପନ୍ୟାସ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ପାଠ କରିବା ବନ୍ଦ କରି ପ୍ରସଙ୍ଗ ପରିବର୍ତ୍ତନ କରି ଭାରତର ନିନ୍ଦା କରିବା ଆରମ୍ଭ କରିଦେଲେ। ବିପୁଳ କରତାଳି ମଧ୍ୟରେ ସେ କହିଥିଲେ: ‘‘ଏକ ସର୍ବକାଳୀନ ସର୍ବବୃହତ୍‌ ମନଗଢ଼ା ପ୍ରଚାର କାହାଣୀ ହେଉଛି ଏହା ଯେ ଭାରତ ହେଉଛି ଏକ ଗଣତନ୍ତ୍ର। ବାସ୍ତବରେ ଏହା ନୁହେଁ। ଭାରତ ଏକ ଗଣତାନ୍ତ୍ରିକ ଦେଶ ନୁହେଁ।’’ ଏହା ବୁଝାଇବାକୁ ଯାଇ ସେ କହିଥିଲେ ଭାରତରେ ଅନେକ ରାଜ୍ୟ ଗୃହଯୁଦ୍ଧର ଦ୍ୱାର ଦେଶରେ ଉପସ୍ଥିତ। ଶହେ କୋଟି ଲୋକଙ୍କର ଏକ ଦେଶ ବର୍ଷ ପରେ ବର୍ଷ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ର ବଜାୟ ରଖିପାରୁଥିବା ଭାରତକୁ ପ୍ରଶଂସା କରିଥିବା ଏକାଧିକବାର ପୁଲିଟ୍‌ଜର୍‌ ପୁରସ୍କାରପ୍ରାପ୍ତ ନ୍ୟୁୟର୍କ ଟାଇମ୍‌ସ ସାମ୍ବାଦିକ ଥମାସ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କୁ ଭୁଲ୍‌ ସାବ୍ୟସ୍ତ କରିବାକୁ ଯାଇ ଅରୁନ୍ଧତୀ ରାୟ ତାଙ୍କୁ ଆଉଥରେ ଭାରତ ଯାଇ ବୁଲି ଆସିବାକୁ ଆହ୍ଵାନ ଦେଇଥିଲେ। ସେ ପ୍ରଶ୍ନ କରିଥିଲେ ଫ୍ରିଡ୍‌ମ୍ୟାନ୍‌ ଜାଣନ୍ତି କି କେବଳ କଶ୍ମୀର ଉପତ୍ୟକାରେ ୮୦,୦୦୦ ଲୋକଙ୍କୁ ହତ୍ୟା କରାଗଲାଣି? ଇରାକ୍‌ରେ ୧,୫୦,୦୦୦ ସେନା ମୁତୟନ ହୋଇଥିବା ବେଳେ କଶ୍ମୀର ଉପତ୍ୟକାରେ ମୁତୟନ ଅଛନ୍ତି ୭,୦୦,୦୦୦। ତେଣୁ ଅରୁନ୍ଧତୀ ରାୟଙ୍କ ମତରେ ଭାରତ ଏକ ଗଣତନ୍ତ୍ର ନୁହେଁ।
ମଲିହା ଲୋଧି ତାଙ୍କର ଉପରୋକ୍ତ ଭାଷଣରେ ଭାରତକୁ ‘ଆତଙ୍କବାଦର ଜନନୀ’ ରୂପେ ବର୍ଣ୍ଣନା କରି ବର୍ତ୍ତମାନର ମୋଦୀ ସରକାରକୁ ‘ଫାସିଷ୍ଟ’ ଏବଂ ‘ଧର୍ମାନ୍ଧ’ ଭଳି କଠୋରତମ ଭାଷାରେ ଭର୍ତ୍ସନା କରିଥିଲେ। ସେ ତାଙ୍କର ଏହି ଉଦ୍ୟମରେ ଅରୁନ୍ଧତୀ ରାୟଙ୍କ ଭଳି ସେମାନଙ୍କ ମଧ୍ୟରୁ ଜଣକୁ ବ୍ୟବହାର କରିଥିବା ଦେଖି ଏଠାକାର ବାମ-ଉଦାରପନ୍ଥୀ, ନକଲି ଧର୍ମନିରପେକ୍ଷତାବାଦୀ ଓ ବିଶେଷକରି ପ୍ରଚାରଧର୍ମୀ ପୁରସ୍କାର ଫେରସ୍ତ ଗୋଷ୍ଠୀମାନେ ଗଭୀର ସନ୍ତୋଷ ଲାଭ କରୁଥିବେ। ତେବେ ଅରୁନ୍ଧତୀ ରାୟଙ୍କ ବିଷୟରେ ଏତିକି କୁହାଯାଇପାରେ ଯେ ସେ ପ୍ରକୃତରେ କାହାର ନୁହନ୍ତି। ଉଦାହରଣ ସ୍ୱରୂପ ଉପରବର୍ଣ୍ଣିତ ଘଟଣାରେ ସେ ଯେତେବେଳେ ଭାରତ ଏକ ଗଣତନ୍ତ୍ର ନୁହେଁ ବୋଲି ନ୍ୟୁୟର୍କ ଠାରେ ଘୋଷଣା କରୁଥିଲେ ସେତେବେଳେ ଭାରତରେ ଭାଜପା ସରକାର ନଥିଲା, ଥିଲା ତଥାକଥିତ ଧର୍ମନିରପେକ୍ଷ ସୋନିଆ ଗାନ୍ଧୀ-ମନମୋହନ ସିଂହ ସରକାର। ସେଇ ସମୟରେ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁସ୍‌ ଭାରତ ଗସ୍ତରେ ଆସିଥିଲେ, ତାହା ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବ ବୋଲି ଆଶଙ୍କା କରି ଅରୁନ୍ଧତୀ ରାୟ ଆନ୍ତର୍ଜାତିକ ଗଣମାଧ୍ୟମରେ ଏହି ଗସ୍ତ ବିରୁଦ୍ଧରେ ବିଷୋଦ୍‌ଗାର କରିବାରେ ଲାଗି ପଡ଼ିଥିଲେ। ପାକିସ୍ତାନର ଏହି ଶିଖଣ୍ଡୀଙ୍କର ଭାରତ ବିରୋଧୀ କାର୍ଯ୍ୟ ସବୁର ତାଲିକା କରିବସିଲେ ଏହି ସମ୍ବାଦପତ୍ରର ସମସ୍ତ ପୃଷ୍ଠା ନିଅଣ୍ଟ ହେବ। ତେବେ ଭାରତ ଯେ ପ୍ରକୃତରେ ଏକ ଅତ୍ୟନ୍ତ ଉଦାର ଗଣତାନ୍ତ୍ରିକ ଦେଶ ତାହାର ସର୍ବଶ୍ରେଷ୍ଠ ପ୍ରମାଣ ହେଉଛନ୍ତି ଏଠାରେ ସମସ୍ତ ନାଗରିକ ଅଧିକାର ଉପଭୋଗ କରି ସ୍ୱଚ୍ଛନ୍ଦରେ ବିଚରଣ କରୁଥିବା ଅରୁନ୍ଧତୀ ରାୟ ନିଜେ।
ସମ୍ବନ୍ଧିତ ଖବର