ସ୍ୱାମୀ ରାମଦେବ ଓ ଆଧୁନିକ ଚିକିତ୍ସା ବିଜ୍ଞାନ

ଶ୍ୟାମସୁନ୍ଦର ଅଗ୍ରୱାଲା

ଥରେ ଜଣେ ଲୋକ ମରୁଭୂମିରେ ଯାତ୍ରା କରୁଥିବା ବେଳେ ତା’ ଓଟଟିକୁ ବାହାରେ ଖୋଲା ଛାଡ଼ିଦେଇ ଆରାମରେ ତମ୍ବୁ ଭିତରେ ଶୋଇ ପଡ଼ିଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ସନ୍ନ୍ୟାସୀ ତାକୁ ନିଦରୁ ଉଠେଇ ଓଟଟିକୁ କାହିଁକି ଖୋଲା ଛାଡ଼ି ଦେଇଛ ବୋଲି ପ୍ରଶ୍ନ କରିବାରୁ ଲୋକଟି ଉତ୍ତର ଦେଇ କହିଲା, “ଆଜ୍ଞା ମୋ’ର ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ମୋ ଓଟଟି କୁଆଡ଼େ ଯିବ ନାହିଁ।” ସନ୍ନ୍ୟାସୀ ତାକୁ କହିଲେ, “ବାବା, ମୁଁ ବି ଜଣେ ଭଗବାନଙ୍କର ଭକ୍ତ କିନ୍ତୁ ମୋ’ର ଗୋଟିଏ ଉପଦେଶ ମନେରଖ– ଭଗବାନଙ୍କ ଉପରେ ବିଶ୍ୱାସ ରଖ କିନ୍ତୁ ଓଟଟିକୁ ବାନ୍ଧିକି ରଖ। ଯେଉଁ ଭଗବାନ ତୁମକୁ ହୃଦୟରେ ଭକ୍ତି ଦେଇଛନ୍ତି ସେହି ଭଗବାନ ତୁମକୁ ମୁଣ୍ଡରେ ବୁଦ୍ଧି ବି ଦେଇଛନ୍ତି। ଦୁଇଟି ଯାକ ପ୍ରୟୋଗ କର। ସୁଖରେ ରହିବ।”

ବନ୍ଧୁଗଣ, ଆଜିକାଲି ପ୍ରତିଦିନ ଆୟୁର୍ବେଦ ଚିକିତ୍ସା ଓ ଆଧୁନିକ ଡାକ୍ତରୀ ଚିକିତ୍ସା ଭିତରେ ବାକ୍ ଯୁଦ୍ଧ ଚାଲିଛି। ଯୋଗଗୁରୁ ସ୍ୱାମୀ ରାମଦେବ କହୁଛନ୍ତି “ଆୟୁର୍ବେଦ ହିଁ ଏକମାତ୍ର ଚିକିତ୍ସା। ଆଧୁନିକ ଡାକ୍ତରୀ ଚିକିତ୍ସା ବିଜ୍ଞାନ ବ୍ୟର୍ଥତାର ପରିଚୟ ଦିଏ।” ଆଧୁନିକ ଡାକ୍ତରୀ ଚିକିତ୍ସା ବିଜ୍ଞାନ ତରଫରୁ ଭାରତୀୟ ଚିକିତ୍ସା ସଂଘ କହୁଛି ଯେ “ସ୍ୱାମୀ ରାମଦେବ ନିଜ ସ୍ୱାର୍ଥ ସାଧନ ନିମନ୍ତେ ଏପରି କହୁଛନ୍ତି। ଏହା ତାଙ୍କର ନିର୍ବୋଧତାର ପରିଚୟ ଦିଏ।” ଏଠାରେ ସ୍ୱାମୀ ରାମଦେବଙ୍କ ସ୍ମରଣ କରିବା ଉଚି଼ତ ଯେ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ ଯେତେବେଳେ ହୃଦ୍‌ଘାତ ରୋଗର ଶିକାର ହୋଇ ପଡ଼ିଥିଲେ ସେତେବେଳେ ସେ ଏହି ଆଧୁନିକ ଡାକ୍ତରୀ ଚିକିତ୍ସା ବିଜ୍ଞାନର ସହାୟତା ନେଇଛନ୍ତି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ଶରୀରରେ ଆବଶ୍ୟକ ଅମ୍ଳଜାନ ପୂରଣ ନିମନ୍ତେ ସର୍ବଦା ପ୍ରାଣାୟମର ଉପାଦେୟତା ସମ୍ପର୍କରେ ଉପଦେଶ ଦେଉଛନ୍ତି।” ଏଥିରୁ ଜଣାପଡ଼େ ଯେ ଆୟୁର୍ବେଦ ଯଦି ରୋଗ ପ୍ରତିଷେଧକ ନିମନ୍ତେ ଉଦ୍ଦିଷ୍ଟ, ଆଧୁନିକ ଡାକ୍ତରୀ ଚିକିତ୍ସା ରୋଗନାଶକ କିମ୍ବା ଆରୋଗ୍ୟକାରକ ନିମନ୍ତେ ଅନିବାର୍ଯ୍ୟ ଅଟେ। ଏହିପରି ପରସ୍ପର ସହିତ କଳହ କରି ଅଯଥା ସମୟ ନଷ୍ଟ କରିବା ଅପେକ୍ଷା ଦୁହେଁ ନିଜ ନିଜର ଅବଦାନକୁ ଆଧାର କରି ଚିକିତ୍ସା କଲେ ହୁଅନ୍ତା ନାହିଁ?

ଏ କଥା ସତ ଯେ ସ୍ୱାମୀ ରାମଦେବ ଆଧୁନିକ ଆୟୁର୍ବେଦ ଚିକିତ୍ସାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି କିନ୍ତୁ ତାଙ୍କର ମନେ ରଖିବା ଉଚିତ ଯେ ଆଧୁନିକ ଚିକିତ୍ସା ବିଜ୍ଞାନର ଅବଦାନ ହିଁ ଆଜି ସମଗ୍ର ପୃଥିବୀକୁ ବୈଜ୍ଞାନିକ ଉପାୟରେ ରୋଗମୁକ୍ତ ରଖିବାକୁ ପ୍ରୟାସ ଜାରି ରଖିଛି। ଏଥିରେ ପୂର୍ବ ଓ ପଶ୍ଚିମ କିମ୍ବା ଧର୍ମ ଓ ବିଜ୍ଞାନର କୌଣସି ବାଦ ବିବାଦ ହେବା ଅନୁଚି଼ତ। ଥରେ ଜଣେ ସାଧୁବାବା ପ୍ରବଚନ ଦେବା ସମୟରେ ପାଶ୍ଚାତ୍ୟ ସଂସ୍କୃତି ବିରୋଧରେ ଚିତ୍କାର କରୁଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରୋତା ଉତ୍ତେଜିତ ହୋଇ ତାଙ୍କର ବକ୍ତବ୍ୟ ଶୁଣୁଥିଲେ। “ଆଜି ଆମ ଧର୍ମ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ପାଶ୍ଚାତ୍ୟ ଦେଶମାନଙ୍କର ପ୍ରଭାବରେ ଆମର ଛାତ୍ର ଓ ଯୁବ ସମାଜ ନଷ୍ଟ ହୋଇଯାଉଛନ୍ତି।” ଠିକ୍ ଏତିକି ବେଳେ ଇଲେକ୍ଟ୍ରିକ୍ ଲାଇନଟା କଟିଗଲା। ମାଇକ୍‌ ହଠାତ୍ ବନ୍ଦ ହୋଇଗଲା ଏବଂ ସାଧୁବାବାଙ୍କ ଅସହାୟତା ଲକ୍ଷ୍ୟ କରାଯାଇଥିଲା। ଭାଷଣ ଦେଲାବେଳେ ସେ ଏତିକି ଅନୁଭବ କରିପାରୁ ନଥିଲେ ଯେ ଯେଉଁ ବିଦ୍ୟୁତ୍‌ ଶକ୍ତି ଓ ମାଇକ୍ରୋଫୋନ୍‌ ସେ ବ୍ୟବହାର କରୁଛନ୍ତି ତାହା ପଶ୍ଚିମ ଦେଶ ଓ ବିଜ୍ଞାନର ଦାନ।

ଇଂରେଜୀରେ ଗୋଟେ ଆପ୍ତବାକ୍ୟ ଅଛି ଯାହାର ଓଡ଼ିଆ ଅନୁବାଦ ହେଉଛି- ପୂର୍ବ ହେଉଛି ପୂର୍ବ ଏବଂ ପଶ୍ଚିମ ହେଉଛି ପଶ୍ଚିମ। ଏ ଦୁହିଁଙ୍କର ମିଳନ ଅସମ୍ଭବ। ମନେ ହୁଏ ଏହି ଆପ୍ତବାକ୍ୟର ଭାବ ହିଁ ସବୁ ବିଭ୍ରାଟର ମୂଳ କାରଣ ଅଟେ। ପୂର୍ବ ମୁଖ୍ୟତଃ ପୂର୍ବ ଗତିରେ ଯାଏ ଯାହାର ବିଶେଷତ୍ୱ ହେଲା ଧର୍ମ। ପଶ୍ଚିମ ମୁଖ୍ୟତଃ ପଶ୍ଚିମ ଗତିରେ ଯାଏ ଯାହାର ବିଶେଷତ୍ୱ ହେଲା ବିଜ୍ଞାନ। ଏହା ଫଳରେ କ’ଣ ହେଲା ଭାରତୀୟମାନେ ଧର୍ମକ୍ଷେତ୍ରରେ ଅସୀମ ସଫଳତା ଲାଭ କଲେ କିନ୍ତୁ ବିଜ୍ଞାନରେ ପଛରେ ରହିଗଲେ। ପାଶ୍ଚାତ୍ୟ ଦେଶମାନେ ବିଜ୍ଞାନରେ ଅନେକ ଅଗ୍ରଗତି କଲେ କିନ୍ତୁ ଧର୍ମରେ ବହୁତ ପଛରେ ପଡ଼ିଗଲେ। ତେଣୁ ପୂର୍ବ ଯଦି ଅନେକ ବୁଦ୍ଧ, ମହାବୀର, ନାନକ ଓ ରାମକୃଷ୍ଣଙ୍କ ପରି ମହାତ୍ମାମାନ ସୃଷ୍ଟି କଲା ପଶ୍ଚିମ ନିଉଟନ, ଏଡି଼ସନ, ଆର୍କିମେଡି଼ସ ଓ ଆଇନଷ୍ଟାଇନ ପରି ଅନେକ ବୈଜ୍ଞାନିକ ସୃଷ୍ଟି କଲା। ଦୁହେଁ ଏକପାଖିଆ ହୋଇ ରହିଗଲେ। ଆଜି ଆମର ଦୁହିଁଙ୍କର ଆବଶ୍ୟକତା ରହିଛି। ଧର୍ମ ସହିତ ବିଜ୍ଞାନର ଆବଶ୍ୟକତା ରହିଛି। ନିଉଟନଙ୍କ ସହିତ ବୁଦ୍ଧଦେବଙ୍କର ମଧ୍ୟ ଆବଶ୍ୟକତା ରହିଛି। ଆୟୁର୍ବେଦ ସହିତ ଆଧୁନିକ ଚିକିତ୍ସା ବିଜ୍ଞାନର ମଧ୍ୟ ଆବଶ୍ୟକତା ରହିଛି। ଏହାକୁ ସ୍ୱୀକାର ନକରି ଜଣେ ଅନ୍ୟକୁ ଅସମର୍ଥ କିମ୍ବା ନିର୍ବୋଧ କହିବା ମୂର୍ଖାମିର ପରିଚୟ ଦିଏ।

ଥରେ ବୁଦ୍ଧଦେବ ଆଶ୍ରମରେ ଶିଷ୍ୟ ଆନନ୍ଦଙ୍କ ସହିତ ବିଶ୍ରାମ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ବୁଦ୍ଧଦେବଙ୍କୁ ସାକ୍ଷାତ କରି କହିଲେ, “ପ୍ରଭୁ, ମୁଁ ଜଣେ ଆସ୍ତିକ। ମୁଁ ଭଗବାନଙ୍କୁ ବିଶ୍ୱାସ କରେ।” ବୁଦ୍ଧଦେବ କହିଲେ, “ବତ୍ସ, ତୁମେ ଭୁଲ୍‌ କହୁଛ, କିଏ କହିଲା ଭଗବାନ ଅଛନ୍ତି ବୋଲି?” ଏହି କଥା ଶିଷ୍ୟ ଆନନ୍ଦ ଶୁଣୁଥିଲେ। ତହିଁ ଆର ଦିନ ଆଉ ଜଣେ ଭକ୍ତ ଆସି ବୁଦ୍ଧଦେବଙ୍କୁ ସାକ୍ଷାତ କରି କହିଲେ, “ପ୍ରଭୁ ମୁଁ ଜଣେ ନାସ୍ତିକ। ମୁଁ ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ।” ବୁଦ୍ଧ କହିଲେ, “ବତ୍ସ ତୁମେ ଭୁଲ୍‌ କହୁଛ, କିଏ କହିଲା ଭଗବାନ ନାହାନ୍ତି ବୋଲି?” ଏ କଥା ଶୁଣି ଆନନ୍ଦ ଏହାର ରହସ୍ୟ କ’ଣ ଜାଣିବାକୁ ଚାହିଁବାରୁ ବୁଦ୍ଧଦେବ କହିଲେ “ଆସ୍ତିକ ହେଉ କି ନାସ୍ତିକ ହେଉ; ଦୁଇଜଣଯାକ ଗୋଟିଏ ଗୋଟିଏ ଶିକୁଳିରେ ବନ୍ଧା ହୋଇ ପଡ଼ିଛନ୍ତି। ମୁଁ ଚାହେଁ ସେମାନେ ଶିକୁଳିମୁକ୍ତ ହୋଇ ନିଜ ନିଜ ଜ୍ଞାନର ଅଧିକ ଗବେଷଣା କରନ୍ତୁ।” ବନ୍ଧୁଗଣ, ଆଜି ଆୟୁର୍ବେଦ ହେଉ କି ଆଧୁନିକ ଚିକିତ୍ସା ବିଜ୍ଞାନ ହେଉ; ଦୁହେଁ ନିଜ ନିଜ ଆସ୍ପର୍ଦ୍ଧାରେ ବନ୍ଧା ହୋଇ ପଡ଼ିଛନ୍ତି। ଉଭୟ କଳହ ନ କରି ନିଜ ନିଜ କ୍ଷେତ୍ରରେ ଆହୁରି ଗବେଷଣା କରି ଉତ୍କର୍ଷ ଲାଭ କରନ୍ତୁ ଓ ସମସ୍ତେ ଆରୋଗ୍ୟ ଲାଭ କରନ୍ତୁ।
୯୭, ଜନପଥ, ଭୁବନେଶ୍ୱର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର