ଏଥିରେ ଦର୍ଶାଯାଇଛି ଯେବିଶ୍ବ ବ୍ୟାଙ୍କ୍‌ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ଭାରତର ଏହି ଶୋଚନୀୟ ପ୍ରଦର୍ଶନ ନିମିତ୍ତ ଭାରତ ଅନୁସରଣ କରୁଥିବା କଠୋର ଆମଦାନି ନୀତିକୁ ଦାୟୀ କରିଛି।  ୨୦୧୭ ପରଠାରୁ ସ୍ଥାନୀୟ ଉତ୍ପାଦନକାରୀମାନେ ବ୍ୟବହାର କରୁଥିବା ମଧ୍ୟବର୍ତ୍ତୀକାଳୀନ ଉପାଦାନମାନଙ୍କ ଉପରେ ଲାଗୁ ହେଉଥିବା ଆମଦାନି ଶୁଳ୍‌କରେ ୧୩ ଶତାଂଶ ବୃଦ୍ଧି ଘଟିଛି, ଯାହା ଏଠାରେ ବସ୍ତ୍ର ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟାଇ ଉତ୍ପାଦିତ ବସ୍ତ୍ରର ମୂଲ୍ୟକୁ ଉଚ୍ଚା କରିଥାଏ। ବିଦେଶ ବଜାରରେ ସ୍ବାଭାବିକ ଭାବରେ ଏହି ମହଙ୍ଗା ଭାରତୀୟ ବସ୍ତ୍ର ଶସ୍ତା ବାଂଲାଦେଶୀ ବସ୍ତ୍ର ସହିତ ପ୍ରତିଯୋଗିତା କରିପାରି ନ ଥାଏ।

Advertisment

ବାଂଲାଦେଶର ଅର୍ଥନୀତିକୁ ଏକ ବିଶାଳ ଦରଜୀ ଦୋକାନ ବୋଲି କହିଲେ ତାହା ଅତିରଞ୍ଜନ ହେବ ନାହିଁ। ଭାରତର ଏହି ପଡ଼ୋଶୀ ଦେଶ ୧୯୭୮ରେ ଦକ୍ଷିଣ କୋରିଆ ସହାୟତାରେ ଏକ ମିଳିତ ପୋଷାକ ନିର୍ମାଣକାରୀ ପ୍ରଥମ କାରଖାନା ପ୍ରତିଷ୍ଠା କରିବା ପରେ କ୍ରମେ ପୃଥିବୀର ଏକ ପ୍ରମୁଖ ପୋଷାକ ରପ୍ତାନିକାରୀ ଅର୍ଥନୀତିରେ ପରିଣତ ହୋଇଯାଇଛି। ଏହି କ୍ଷେତ୍ର ସେ ଦେଶର ପ୍ରାୟ ୪ ନିୟୁତ ଶ୍ରମଜୀବୀଙ୍କୁ ନିଯୁକ୍ତି ଯୋଗାଇଛି, ଯେଉଁମାନେ ଗୁରୁତ୍ବପୂର୍ଣ୍ଣ ଭାବରେ ହେଉଛନ୍ତି ମୁଖ୍ୟତଃ ମହିଳା। ପୋଷାକ ରପ୍ତାନି କ୍ଷେତ୍ରରେ ଚୀନ୍ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତା’ ତୁଳନାରେ କ୍ଷୁଦ୍ର ଆକାରର ବାଂଲାଦେଶ ଅଧିକାର କରିଛି ଦ୍ବିତୀୟ ସ୍ଥାନ। ଗତ ବର୍ଷ ବାଂଲାଦେଶ ମୋଟ ୫୪ ବିଲିଅନ୍ ଡଲାର୍ ମୂଲ୍ୟର ବସ୍ତ୍ର ବିଦେଶକୁ ରପ୍ତାନି କରିଥିଲା।
ବାଂଲାଦେଶର ଅର୍ଥନୀତିର ଏହି ମୂଳଭିତ୍ତି ବର୍ତ୍ତମାନ ଅନିବାର୍ଯ୍ୟ ଭାବରେ ସେଠାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଓ ଅରାଜକତା ଦ୍ବାରା ଦୋହଲିବାକୁ ଆରମ୍ଭ କରିଛି। ସେଠାରେ ଦୀର୍ଘକାଳ ଧରି ଲାଗିରହିଥିବା ଛାତ୍ର ବିକ୍ଷୋଭ ଯୋଗୁଁ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ସେଥିରେ ବସ୍ତ୍ର ନିର୍ମାଣକାରୀ କାରଖାନାମାନ ସଂପୂର୍ଣ୍ଣ କିମ୍ବା ଆଂଶିକ ରୂପେ ବନ୍ଦ ହୋଇଯାଇଥିଲା। ଆନ୍ଦୋଳନକାରୀମାନଙ୍କର ବିଜୟ ସ୍ବରୂପ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାୟନ କରିବା ପରେ ମଧ୍ୟ ବସ୍ତ୍ର ଉତ୍ପାଦନକାରୀମାନଙ୍କ ପାଇଁ ପୂର୍ବାବସ୍ଥା ଫେରି ଆସିପାରି ନାହିଁ। ଏହାର କାରଣ, ଥରେ ଅରାଜକତାର ରୋମାଞ୍ଚକର ସ୍ବାଦ ଚାଖିଥିବା ଲୋକମାନେ ଆଉ ସହଜରେ ଶୃଙ୍ଖଳାର ଗଣ୍ଡି ମଧ୍ୟକୁ ଫେରିବାକୁ ରାଜି ହୁଅନ୍ତି ନାହିଁ, ଯାହା ହେଉଛି ଏକ ସଫଳ ଅର୍ଥନୀତିର ମୌଳିକ ଆବଶ୍ୟକତା। ଅନ୍ୟ ବିକ୍ଷୋଭକାରୀମାନଙ୍କ ସହିତ ଏକାଠି ହୋଇ ସେଠାରେ ବସ୍ତ୍ର ଶ୍ରମିକମାନେ ସେମାନଙ୍କର ନିତ୍ୟନୂତନ ଦାବିମାନ ଉପସ୍ଥାପନ କରିବା ପାଇଁ ରାସ୍ତାରେ ପ୍ରଦର୍ଶନ କରିବାରେ ପ୍ରବୃତ୍ତ, କାରଖାନାକୁ ଫେରିବାର ନାମ ଧରୁନାହାନ୍ତି। 
ହସିନାଙ୍କୁ ବିତାଡ଼ିତ କରିବା ପରେ ବିକ୍ଷୋଭକାରୀମାନେ ଯେଉଁ ବର୍ଷିଆନ୍ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍‌ଙ୍କୁ କାମଚଳା ସରକାରର ମୁଖ୍ୟ ରୂପେ ଅବସ୍ଥାପିତ କରିଛନ୍ତି, ଏହି ଆନ୍ଦୋଳନକାରୀମାନଙ୍କର ସମସ୍ତ ଦାବି ପୂରଣ କରିବା ହେଉଛି ସଂପୂର୍ଣ୍ଣ ରୂପେ ତାଙ୍କର କ୍ଷମତା ଓ ବୁଦ୍ଧିବିଦ୍ୟା ବାହାରେ। ଏହି ସମୟରେ ସେ ଦେଶ ସମ୍ମୁଖୀନ ହୋଇଥିବା ଶକ୍ତି ସଂକଟ ମଧ୍ୟ କାରଖାନା ଚାଲିବା ପଥରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିବନ୍ଧକ ରୂପେ ଦେଖାଦେଇଛି। ଏଥିଯୋଗୁଁ କାରଖାନାମାନ ସେମାନଙ୍କର ପୂର୍ଣ୍ଣ ଉତ୍ପାଦନ କ୍ଷମତା ଅନୁସାରେ କାର୍ଯ୍ୟ କରିପାରୁ ନାହାନ୍ତି। ଫଳସ୍ବରୂପ ଏ ବର୍ଷ ସେ ଦେଶରୁ ବସ୍ତ୍ର ରପ୍ତାନିରେ ପ୍ରାୟ ଏକ-ପଞ୍ଚମାଂଶ ହ୍ରାସ ଘଟିବାକୁ ଯାଉଛି ବୋଲି ଆଶଙ୍କା କରାଯାଉଛି।
ବାଂଲାଦେଶର ବିକ୍ଷୁବ୍‌ଧ ଅବସ୍ଥା ଯୋଗୁଁ ବସ୍ତ୍ର ରପ୍ତାନି କ୍ଷେତ୍ରରେ ସୃଷ୍ଟି ହୋଇଥିବା ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଚୀନ୍‌ରୁ ଭିଏତ୍‌ନାମ ପର୍ଯ୍ୟନ୍ତ ପ୍ରତିଦ୍ବନ୍ଦ୍ବୀ ଦେଶମାନେ ଚାହିଁ ବସଛନ୍ତି। ବସ୍ତ୍ର ଉତ୍ପାଦନରେ ଏକ ସୁଦୀର୍ଘ ପରମ୍ପରାର ଅଧିକାରୀ ହୋଇଥିବା ବାଂଲାଦେଶର ବିଶାଳ ପଡ଼ୋଶୀ ଭାରତ ଏହି ଶୂନ୍ୟସ୍ଥାନ ପୂରଣ କରି ପରିସ୍ଥିତିରୁ ଫାଇଦା ଉଠାଇ ପାରିବ କି? ଉଲ୍ଲେଖଯୋଗ୍ୟ ଯେ ଭାରତ ହେଉଛି ପୃଥିବୀର ଦ୍ବିତୀୟ ବୃହତ୍ତମ କାର୍ପାସ୍ ଉତ୍ପାଦକାରୀ ଦେଶ ଏବଂ ଭାରତରୁ କାର୍ପାସ୍ ବାଂଲାଦେଶକୁ ରପ୍ତାନି କରାଯାଇଥାଏ। କିନ୍ତୁ ବସ୍ତ୍ର ରପ୍ତାନିରେ ଭାରତ ବାଂଲାଦେଶଠାରୁ ବହୁ ପଛରେ ପଡ଼ିଥାଏ। ଉଦାହରଣ ସ୍ବରୂପ ୨୦୨୩ରେ ଭାରତ ଯେତିକି ମୂଲ୍ୟର ବସ୍ତ୍ର ବିଦେଶକୁ ରପ୍ତାନି କରିଥିଲା, ତାହା ଥିଲା ବାଂଲାଦେଶ କରିଥିବା ବସ୍ତ୍ର ରପ୍ତାନିର ମାତ୍ର ଏକ-ଚତୁର୍ଥାଂଶ।
ବାଂଲାଦେଶରୁ ବର୍ତ୍ତମାନ ରପ୍ତାନି ବ୍ୟାହତ ହେବା ପରେ କଁା ଭଁା ବିଦେଶୀ ଆମଦାନିକାରୀମାନଙ୍କ ମଧ୍ୟରୁ କେତେକ ଭାରତ ଦିଗରେ ମୁହଁାଇବା ଦେଖାଯାଇଛି। କିନ୍ତୁ ତାହା ବୃଦ୍ଧି ପାଇ ଏକ ବିଶାଳ ସ୍ରୋତରେ ପରିଣତ ହେବ କି ନାହିଁ, ତାହା ହେଉଛି ଆଉ ଏକ ପ୍ରଶ୍ନ। ତିରୁପୁର ଓ ଦିଲ୍ଲୀରେ ଅବସ୍ଥିତ କେତେକ ବସ୍ତ୍ର ନିର୍ମାତାମାନେ ସ୍ପେନ୍‌ର ‘ଜାରା’ ଆଦି ଫେସନ୍ କଂପାନିମାନଙ୍କ ଠାରୁ ପାଇଥିବା ରପ୍ତାନି ଅର୍ଡର୍‌ରେ ଯେଉଁ ବୃଦ୍ଧି ଘଟିଛି ବୋଲି ପ୍ରକାଶ କରିଛନ୍ତି, ତାହାର କାରଣ ହେଉଛି ବାଂଲାଦେଶ। କିନ୍ତୁ ବାଂଲାଦେଶର ପରିସ୍ଥିତିରେ ଉନ୍ନତି ଘଟିଲେ, ଏହି ଆମଦାନିକାରୀମାନେ ପୁନରାୟ ବାଂଲାଦେଶ ଆଡ଼େ ମୁହଁାଇବାର ଦୃଢ଼ ସମ୍ଭାବନା ରହିଛି। ବିଭିନ୍ନ କାରଣରୁ ଭାରତ ଭଳି ଦେଶମାନେ ଏ କ୍ଷେତ୍ରରେ ବାଂଲାଦେଶ ସହିତ ପ୍ରତିଯୋଗିତା କରିବା କଷ୍ଟକର ହୋଇଥାଏ। ବାଂଲାଦେଶରେ ବସ୍ତ୍ର ଶ୍ରମିକମାନେ ପାଉଥିବା ପାରିଶ୍ରମିକ ହାର ହେଉଛି ଭାରତରେ ଅନୁରୂପ ଶ୍ରମିକମାନଙ୍କୁ ଦିଆଯାଉଥିବା ପାରିଶ୍ରମିକ ଠାରୁ ବହୁତ କମ୍। ପୁଣି ବାଂଲାଦେଶ ଇଉରୋପର ବଜାରମାନଙ୍କରେ ପ୍ରବେଶ ନିମିତ୍ତ ବିଶେଷ ସୁଯୋଗ ଉପଭୋଗ କରୁଥିବା ବେଳେ ଭାରତ ପାଇଁ ସେଭଳି ସୁଯୋଗ ଉପଲବ୍‌ଧ ନୁହେଁ। ଏବଂ ସର୍ବୋପରି ବିଶାଳ ଉତ୍ପାଦନ କ୍ଷମତା ସୃଷ୍ଟି କରିସାରିଥିବା ବାଂଲାଦେଶ ଯେମିତି ସ୍ବଳ୍ପ ସମୟ ମଧ୍ୟରେ ବିଶାଳ ଚାହିଦା ପୂରଣ କରିପାରିବ, ଭାରତ ପକ୍ଷରେ ତାହା ସମ୍ଭବ ହେବ ନାହିଁ।
ବସ୍ତ୍ର ଶିଳ୍ପ ହେଉଛି ଏକ ଶ୍ରମସଘନ ଉତ୍ପାଦନଭିତ୍ତିକ ଶିଳ୍ପ। ଭାରତରେ ‘ମେକ୍‌ ଇନ୍ ଇଣ୍ଡିଆ’ ଭଳି ଶିଳ୍ପ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନକାରୀ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଥିଲେ ହେଁ, ଏଠାରେ ମୁଖ୍ୟତଃ ଯାନ୍ତ୍ରିକ ଉତ୍ପାଦନ ଉପରେ ନିର୍ଭରଶୀଳ ପୁଞ୍ଜି-ସଘନ ଶିଳ୍ପମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହାର ପରିଣାମ ସ୍ବରୂପ ୨୦୧୬ରୁ ୨୦୨୩ ମଧ୍ୟରେ ଭାରତରୁ ହୋଇଥିବା ବସ୍ତ୍ର ରପ୍ତାନି ମୂଲ୍ୟରେ ୧୫ ଶତାଂଶ ହ୍ରାସ ଘଟିବା ଦେଖାଯାଇଥିବା ବେଳେ, ଏହି ସମୟ ମଧ୍ୟରେ ବାଂଲାଦେଶ କରିଥିବା ବସ୍ତ୍ର ରପ୍ତାନି ମୂଲ୍ୟରେ ଏକ ବିଶାଳ ୬୩ ଶତାଂଶ ହାରରେ ବୃଦ୍ଧି ଘଟିବା ଦେଖାଯାଇଥିଲା।
ବିଶ୍ବ ବ୍ୟାଙ୍କ୍‌ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ଭାରତର ଏହି ଶୋଚନୀୟ ପ୍ରଦର୍ଶନ ନିମିତ୍ତ ଭାରତ ଅନୁସରଣ କରୁଥିବା କଠୋର ଆମଦାନି ନୀତିକୁ ଦାୟୀ କରିଛି। ଏଥିରେ ଦର୍ଶାଯାଇଛି ଯେ ୨୦୧୭ ପରଠାରୁ ସ୍ଥାନୀୟ ଉତ୍ପାଦନକାରୀମାନେ ବ୍ୟବହାର କରୁଥିବା ମଧ୍ୟବର୍ତ୍ତୀକାଳୀନ ଉପାଦାନମାନଙ୍କ ଉପରେ ଲାଗୁ ହେଉଥିବା ଆମଦାନି ଶୁଳ୍‌କରେ ୧୩ ଶତାଂଶ ବୃଦ୍ଧି ଘଟିଛି, ଯାହା ଏଠାରେ ବସ୍ତ୍ର ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟାଇ ଉତ୍ପାଦିତ ବସ୍ତ୍ରର ମୂଲ୍ୟକୁ ଉଚ୍ଚା କରିଥାଏ। ବିଦେଶ ବଜାରରେ ସ୍ବାଭାବିକ ଭାବରେ ଏହି ମହଙ୍ଗା ଭାରତୀୟ ବସ୍ତ୍ର ଶସ୍ତା ବାଂଲାଦେଶୀ ବସ୍ତ୍ର ସହିତ ପ୍ରତିଯୋଗିତା କରିପାରି ନ ଥାଏ। ଭାରତର କଠୋର ଶ୍ରମ ଆଇନ ଯୋଗୁଁ ଏଠାରେ ମଧ୍ୟ ଉଦ୍ୟୋଗପତିମାନେ ବୃହତ୍ ଆକାରର ବସ୍ତ୍ର ନିର୍ମାଣକାରୀ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ଫଳରେ ସେମାନେ ବସ୍ତ୍ର ଉତ୍ପାଦନରେ ଆକାରଜନିତ ସୁବିଧାମାନ ହାସଲ କରିପାରନ୍ତି ନାହିଁ ଓ ଉତ୍ପାଦନ ବ୍ୟୟ କୃତ୍ରିମ ଭାବରେ ଉଚ୍ଚା ହୋଇଥା‌ଏ। ଭାରତ ସରକାର ଯଦି କାଳ ବିଳମ୍ବ ନ କରି ଆବଶ୍ୟକ ସଂସ୍କାର ମାଧ୍ୟମରେ ଏଇ ସମସ୍ତ ପ୍ରତିବନ୍ଧକମାନ ଦୂର ନ କରନ୍ତି, ତେବେ ଭାରତ ବାଂଲାଦେଶର ସ୍ଖଳନରୁ ଲାଭ ଉଠାଇ ପାରିବ ନାହିଁ ଏବଂ ଅନତି ବିଳମ୍ବେ ସେ ଦେଶର ଦରଜୀ ଦୋକାନମାନ ପୁଣି ଚଳଚଞ୍ଚଳ ହୋଇ ଉଠିବେ।