ଗୋଟିଏ କଥୋପକଥନ

ବିଜୟାନନ୍ଦ ପଟ୍ଟନାୟକ

ରାତି ୧୧ଟାରେ ହଠାତ୍‌ ସୋନୀ ଅପାଙ୍କ ଫୋନ୍‌ ପାଇ ଚମକି ପଡ଼ିଲି। କାରଣ ବିଳମ୍ବିତ ରାତିରେ ସେ ଫୋନ୍‌ କରନ୍ତି ନାହିଁ। ଭାବିଲି କ’ଣ କିଛି ହେଲା କି ଆଉ? ସେ ପଟୁ ଅପା କହିଲେ- ‘ଜାଣିଛ ଜୟ, ଶୁଭ ଗୋଟେ ସରକାରୀ ଚାକିରି ପାଇଛି; ଫୁଡ୍‌ ସେଫ୍‌ଟି ଅଫିସର।’ ଶୁଭକାନ୍ତ ହେଉଛି ଅପାଙ୍କ ପୁଅ।

ମୁଁ ଭାରି ଖୁସିରେ କହି ପକାଇଲି- ‘ବାଃ, ଭାରି ବଢ଼ିଆ ହେଲା। କ˚ଗ୍ରାଜୁଲେସନସ।

ଅପା କହିଲେ- ‘ଆରେ, ଆଗ ମୋ କଥା ଶୁଣିସାର! ତା’ପରେ ସେ ଯାହା କହିଲେ ତାର ସାର ମର୍ମ ହେଲା ଯେ ଶୁଭ ସେ ଚାକିରି କରିବାକୁ ମନା କରି ଦେଇ ନାଗପୁର ଏନ୍‌ଆଇଟିରେ ପିଏଚ୍‌ଡ଼ି କରିବାକୁ ଆଜି ସନ୍ଧ୍ୟାରେ ଟ୍ରେନରେ ବାହାରି ଗଲା। ଅପା ଓ ଭାଇ ଯେତେ ବୁଝାଇଲେ ମଧ୍ୟ ସିଏ ବୁଝିଲା ନାହିଁ।

ମୁଁ କହିଲି- ‘ଅପା, ମୁଁ ଏଇ ସାଙ୍ଗେ ସାଙ୍ଗେ ଶୁଭ ସହିତ କଥା ହେଉଛି।’

ମୁଁ ଶୁଭକୁ କଲ୍‌ କଲି। ତାକୁ କହିଲି- ଶୁଭ, ସରକାରୀ ଚାକିରି କେତେ ଚେଷ୍ଟାରେ ମିଳେ! ତୋ ଭଳି ବୁଝିବାଶୁଝିବା ପିଲା ସରକାରୀ ଚାକିରିକୁ ମନା କରି ଦବାଟା ଠିକ୍‌ ହେଉନି! ପିଏଚ୍‌ଡ଼ି କରି ବହୁତ ପିଲା ବେକାର ହୋଇ ବୁଲୁଛନ୍ତି। ତୁ ଆଉ ଥରେ ଚିନ୍ତା କର।’

ଶୁଭ କହିଲା- ‘ଅଙ୍କଲ, ସେ ଚାକିରିଟା ସରକାରୀ ସିନା, ହେଲେ ‘କଣ୍ଟ୍ରାକ୍‌ଚୁଆଲ’। ଲିଖିତ ଏବ˚ କମ୍ପ୍ୟୁଟର ଟେଷ୍ଟ ଦେଲା ପରେ ଯାଇ ସିଲେକ୍ଟ୍‌ ହେଲି, ଅଥଚ ସେଥିରେ ଯେଉଁ ସର୍ତ୍ତ ସବୁ ଅଛି ଠିକ ଲାଗୁନି। ଛଅ ବର୍ଷ ପାଇଁ କଣ୍ଟ୍ରାକ୍ଟ(ଠିକା)ରେ କାମ କରିବାକୁ ହେବ। ତାପରେ ପୁଣି କାର୍ଯ୍ୟ ଦକ୍ଷତାକୁ ବିଚାର କରି ସରକାର ସ୍ଥାୟୀ କରିବେ; କରି ନ ପାରନ୍ତି ମଧୢ! କେତେବେଳେ କେଉଁ କଥା! ଦିନକୁ ଦିନ ତ ସରକାରୀ ନିୟମକାନୁନ୍‌ ବଦଳୁଛି। ତେଣୁ ଇଚ୍ଛା ହେଉନାହିଁ।’

ଏହା ପରେ ଉଭୟ କ୍ଷଣିଏ ଚୁପ୍‌ ରହିଲୁ। ସେ ପୁଣି କହିବା ଆରମ୍ଭ କଲା- ‘ଅଙ୍କଲ୍‌, ଏ ଚାକିରିରେ ଦରମା ଯାହା, ମୁଁ ମୋ ପିଏଚ୍‌ଡି ଷ୍ଟାଇପେଣ୍ତ ପାଇବି ତାର ଚାରି ଗୁଣ!’

ସେ ଠିକ କହୁଥିଲା। ସରକାରୀ ଚାକିରିଟିକୁ ନେଇ ତାର ସ˚ଶୟ ଯଥାର୍ଥ ଥିଲା।

ତା ଉତ୍ତରରେ ମୁଁ କହିଲି- ‘ହଉ, ତୁ ଯାହା ଠିକ ବୋଲି ଭାବୁଛୁ କର। ଭଗବାନ ତୋର ମଙ୍ଗଳ କରନ୍ତୁ। ଜାଣିଛୁ, ଏଇ ବର୍ଷ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଜଣେ କୃଷି ବିଜ୍ଞାନରେ ପିଏଚ୍‌ଡ଼ି କରୁଥିବା ଛାତ୍ରୀ ଓଏଏସ୍‌ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ତେଣୁ ତୁ ମଧୢ ସେଠାରେ ରହି ପିଏଚ୍‌ଡ଼ି କରିବା ସହିତ ଓଏଏସ୍‌ ପରୀକ୍ଷା ପାଇଁ ପଢ଼ାପଢ଼ି କର। ତୋ ଭଳିଆ ଛାତ୍ର ନିଶ୍ଚୟ ପାଇବ।

ଶୁଭ କିନ୍ତୁ ଏଥିରେ ଉତ୍ସାହିତ ହେବା ଭଳି ଲାଗିଲା ନାହିଁ। କାରଣ ଉତ୍ତରରେ ସେ ଯାହା କହିଲା, ସେଥିରୁ ବାରି ପାରୁଥିଲି ଯେ ତା କଣ୍ଠ ସ୍ବରରେ କୌଣସି ଉତ୍ତାପ ନାହିଁ।

ସେ କହିଲା- ‘ଅଙ୍କଲ, କିଏ ଜାଣେ? ଆମ ସରକାରଙ୍କର ନିତିନିୟମ ସବୁ ଯେମିତି ବଦଳୁଛି, ହୁଏ’ତ ମୁଁ ପଢ଼ାପଢ଼ି କରି ପରୀକ୍ଷା ଦେଲା ବେଳକୁ ଓଏଏସ୍‌ ଚାକିରିଟା ବି କଣ୍ଟ୍ରାକଚୁଆଲ ହୋଇଯାଇଥିବ!’

ମୁଁ ଏବେ କଥା ବୁଲାଇଲି। ଆମେ ଅନ୍ୟାନ୍ୟ ବିଷୟରେ କିଛି ସମୟ କଥା ହେଲୁ। ତା ପରେ ମୁଁ କହିଲି- ଆରେ ଆଉ ଗୋଟେ କଥା ଜାଣିଛୁ ନା ନାହିଁ? ରାଜ୍ୟ ସରକାର ଏବେ ନିୟମ କରିଛନ୍ତି ଯେ ଚାକିରିରେ ଥିଲା ବେଳେ ଯଦି ଜଣଙ୍କର ମୃତ୍ୟୁ ହୋଇଯାଏ, ତେବେ, ଅନୁକ˚ପାମୂୂଳକ ଥଇଥାନ ସମ୍ବନ୍ଧୀୟ ନୂଆ ନିୟମରେ ନିକଟତମ ସ˚ପର୍କୀୟଙ୍କୁ କେବଳ ଚତୁର୍ଥ ଶ୍ରେଣୀର ଚାକିରି ହିଁ ମିଳିବ।’

ଏ କଥା ଶୁଣି ଶୁଭ ହସିଲା। ମୁଁ ବୁଝିପାରୁଥିଲି ସେ ହସରେ ଅଛି ହତାଶା। ସେ କହିଲା- ଏବେ ଭାବନ୍ତୁ ତ ଅଙ୍କଲ! ଅନୁକ˚ପାରେ ଚାକିରି ଦିଆଯାଉଛି ବୋଲି ତାଙ୍କର ଶିକ୍ଷାଦୀକ୍ଷା, ଜ୍ଞାନ ଗରିମାର କିଛି ମୂଲ୍ୟ ନାହିଁ। ଯେତେ ପାଠ ପଢ଼ିଥିଲେ ବି ସେ ଚତୁର୍ଥ ଶ୍ରେଣୀ ଚାକିରି କରିବାକୁ ବାଧ୍ୟ। ଦୟା ଦେଖାଇବାର କି ଚମତ୍କାର ଉପାୟ! ମଣିଷକୁ ଏମିତି ତ ‘ବିଚରା’ରେ ପରିଣତ କରିଦିଆଯାଏ। ଏଣେ ଦେଖନ୍ତୁ ଜଣେବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କରି ନିକଟ ସ˚ପର୍କୀୟଙ୍କୁ ତାଙ୍କରି ସ୍ଥାନରେ ପ୍ରାର୍ଥୀ କରାଯାଏ। ତାଙ୍କୁ ତ ୱାର୍ଡ ମେମ୍ବର ବା ସରପଞ୍ଚ ପଦ ପାଇଁ ଲଢ଼ିବାକୁ କୁହାଯାଏ ନାହିଁ? ଜଣେ ଥରେ ବିଧାୟକ ହୋଇଗଲେ ସାରା ଜୀବନ ପେନସନ୍‌ ପାଆନ୍ତି, ଅଥଚ ସରକାରୀ ଚାକିରିଆଙ୍କ ଚାକିରିରେ ଏଣିକି ପେନ୍‌ସନ୍‌ ନାହିଁ। ପେନ୍‌ସନ୍‌ ତ ଦୂରର କଥା, ଚାକିରି ବି କଣ୍ଟ୍ରାକ୍‌ଚୁଆଲ୍‌!

ରାତି ଅନେକ ହୋଇଯାଇଥିଲା। ଶୁଭ ଶୋଇବାକୁ ଗଲା। କିନ୍ତୁ ଅନେକ ସମୟ ଯାଏ ମୋତେ ନିଦ ହେଲା ନାହିଁ। ସ୍ବାଧୀନ ଭାରତର ଜଣେ ମେଧାବୀ ଓ ଉଚ୍ଚ ଶିକ୍ଷିତ ଯୁବକର ମର୍ମ ଦାହକୁ ମୁଁ ଅନୁଭବ କରିପାରୁଥିଲି।

ମୋବାଇଲ :୯୮୬୧୨୬୯୯୬୫

ସମ୍ବନ୍ଧିତ ଖବର