ଚିନ୍ମୟ ହୋତା
ମୋର ନିଜ ନଁାଟି ପ୍ରତି ମୋର ଅନୁରାଗ ପ୍ରବଳ। ଏହି ନାମର ଉଚ୍ଚାରଣଠୁଁ ବଳି ଅଧିକ ସୁମଧୁର ସଙ୍ଗୀତ ମୋ କାନରେ କେବେ ବାଜି ନାହିଁ। ନିଜ ନଁା ପ୍ରତି ଏହି ଅତି ଆସକ୍ତି ମୋର ଏକ ଅସ୍ୱାଭାବିକତା କି? ଏ ବିଷୟରେ ମୋ ମନରେ ଥିବା ସନ୍ଦେହରୁ ଆଶ୍ୱସ୍ତି ମିଳିଲା, ଯେତବେଳେ ମୁଁ ଜାଣିଲି କୋଟି କୋଟି ଜନତାଙ୍କୁ ପ୍ରଭାବିତ କରିଥିବା ଆମେରିକୀୟ ଲେଖକ ଡେଲ୍ କାର୍ନେଗିଙ୍କ ଏହି ପ୍ରସଙ୍ଗରେ ଉକ୍ତିଟିକୁ। ପ୍ରେରଣାତ୍ମକ, ଆତ୍ମ-ସୁଧାର ମୂଳକ ତଥା ବ୍ୟକ୍ତିତ୍ୱ ଉନ୍ନତି ବିଷୟକ ପୁସ୍ତକଗୁଡ଼ିକର ଆଦ୍ୟ ସ୍ରଷ୍ଟା କାର୍ନେଗିଙ୍କ କହିବା ଅନୁସାରେ ‘ଯେ କୌଣସି ଭାଷାରେ ହେଉନା କାହିଁକି, ଜଣେ ବ୍ୟକ୍ତି ପାଇଁ ତାଙ୍କ ନିଜ ନଁାଟି ସବୁଠାରୁ ସୁମିଷ୍ଟ ଓ ମହତ୍ତ୍ବପୂର୍ଣ୍ଣ ଶବ୍ଦ।’ ତେଣୁ କାର୍ନେଗି କହୁଥିଲେ ଯେ କାହାକୁ ପ୍ରଭାବିତ କରିବାକୁ ହେଲେ ପ୍ରଥମେ ତା’ର ନଁାଟିକୁ ମନେ ରଖ, ଆଉ ସଠିକ୍ ଉଚ୍ଚାରଣ କରି ଡାକ। ଏହା ଦ୍ୱାରା ଲୋକଟିର ଆତ୍ମସମ୍ମାନ ଆପଣା ଛାଏଁ ବଢ଼ିଯିବ ଓ ସେ ତୁମେ କହୁଥିବା କଥାକୁ ଆହୁରି ଧ୍ୟାନ ଦେଇ ଶୁଣିବ।
ଏହି ମନସ୍ତାତ୍ତ୍ୱିକ ନିଷ୍କର୍ଷଗୁଡ଼ିକୁ ଛାଡ଼ି ଆସନ୍ତୁ ଫେରିବା ମୋ ନିଜ ନଁା ସମ୍ପର୍କିତ ମୋର ଅନୁଭୂତିଗୁଡ଼ିକୁ। ପାଞ୍ଚ ଦଶକ ପୂର୍ବେ ଉଭୟ ମୋର ନଁା ଓ ସାଙ୍ଗିଆ ଥିଲା ଅପେକ୍ଷାକୃତ ବିରଳ, ଯାହା କି ମୋତେ କିଛିଟା ଆତ୍ମସନ୍ତୋଷ ଯୋଗାଉଥିଲା। ସମଗ୍ର ସ୍କୁଲରେ ଏହି ନାମଗୁଡ଼ିକର ଏକମାତ୍ର ସ୍ବତ୍ବାଧିକାରୀ ଥିଲି ମୁଁ। ତେଣୁ ମୋ ସାଙ୍ଗମାନେ ମୋତେ ସମ୍ବୋଧନ କରିବା ପାଇଁ ଏ ଦୁଇଟି ଭିତରୁ ଅପେକ୍ଷାକୃତ ସରଳ ଓ ଯୁକ୍ତାକ୍ଷର-ମୁକ୍ତ ‘ହୋତା’ ଶବ୍ଦଟିକୁ ବାଛି ନେଇଥିଲେ। କିନ୍ତୁ ମୁଁ କ’ଣ ଜାଣିଥିଲି ଯେ ସେମାନେ ନାମଟିର ଘନିଷ୍ଠତା ଭିତରେ ଆବଶ୍ୟକ ସ୍ଥଳେ ତାଙ୍କର ସାଧାରଣ ଜ୍ଞାନ ହରାଇ ବସିବେ ବୋଲି? ଥରେ ଛୁଟିଦିନ ସକାଳେ କେତେଜଣ ସାଙ୍ଗ ଆମ ଘର ସାମନାରେ ଠୁଳ ହୋଇ ମୋ ଉଦ୍ଦେଶ୍ୟରେ ଡାକ ପକାଇଲେ, ‘ହୋତା, ହୋତା!’ ବାପା ଘରେ ଥିବାରୁ କବାଟ ଖୋଲି ସେମାନଙ୍କୁ ମଜାଳିଆ ସ୍ୱରରେ ପଚାରିଲେ, ‘ଏଠି ଛ’ ଜଣ ହୋତା ଅଛନ୍ତି, ତୁମର କୋଉ ହୋତାକୁ ଦରକାର?’ ତାଙ୍କର ପ୍ରିୟ ସାଙ୍ଗଟି ହଠାତ କେମିତି ଛ’ ଜଣରେ ପରିବର୍ତ୍ତିତ ହୋଇଗଲା ବୋଲି ଚିନ୍ତା କରୁ କରୁ ସେମାନେ ମୋର ପ୍ରଥମ ନଁାଟି ଆଉ ମନେ ପକେଇ ପାରିଲେ ନାହିଁ ଓ ବଲବଲ କରି ବାପାଙ୍କ ମୁହଁକୁ ଚାହିଁ ରହିଲେ। ବାପା ସବୁ କଥା ବୁଝିପାରି କହିଲେ, ‘ରୁହ, ଚିନ୍ମୟକୁ ଡାକି ଦେଉଛି।’
ଏ ଘଟଣାର ଅନେକ ବର୍ଷ ପରେ ନିଜ ସାଙ୍ଗିଆକୁ ନେଇ ପୁଣି ଏକ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ମୋର ଜଣେ ସାଙ୍ଗଙ୍କ ଅଧସ୍ତନ କର୍ମଚାରୀଙ୍କ ଜରିଆରେ। ସାଙ୍ଗ ଥିଲେ ଅନ୍ୟ ଏକ ରାଜ୍ୟରେ ପୁଲିସ ବିଭାଗର ଉଚ୍ଚାଧିକାରୀ। ସେତେବେଳେ ମୋବାଇଲ ଫୋନର ପ୍ରଚଳନ ଆରମ୍ଭ ହୋଇ ନ ଥିବାରୁ ଲ୍ୟାଣ୍ଡ୍ଲାଇନ୍ ଫୋନରେ କଥାବାର୍ତ୍ତା କରିବାକୁ ପଡୁଥିଲା। ଆଦବକାଇଦା ଅନୁସାରେ ବନ୍ଧୁଙ୍କ ବ୍ୟକ୍ତିଗତ ସହାୟକ ଫୋନ ଉଠାଇ ପରିଚୟ ପଚାରିଥିଲେ। ମୁଁ ମୋ ନଁାଟି କହିବାରୁ ସେ ନିଶ୍ଚିତ ହେବା ପାଇଁ ପଚାରିଲେ ‘ଗୁପ୍ତାଜୀ?’ ମୁଁ କହିଲି, ‘ନାଇଁ, ହୋତା’’। ସେ କହିଲେ, ‘ଠିକ୍ ଅଛି ତେବେ, ଗୁପ୍ତାଜୀ’। ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ଯେ ‘ଓଡ଼ିଶାରୁ ଗୁପ୍ତାଜୀ ଆପଣଙ୍କ ସହ କଥା ହେବାକୁ ଚାହୁଛନ୍ତି।’ ଏମିତି ଆଉ କିଛି ଥର ଘଟଣାର ପୁନରାବୃତ୍ତି ହେବା ପରେ ମୁଁ, ବନ୍ଧୁ ଓ ତାଙ୍କ ସହାୟକଙ୍କ ତ୍ରିକୋଣୀୟ ସମ୍ପର୍କ ଭିତରେ ‘ହୋତା’ ଶବ୍ଦଟି ସବୁ ଦିନ ପାଇଁ ପରିବର୍ତ୍ତିତ ହୋଇଗଲା ‘ଗୁପ୍ତା’ରେ। ଉଭୟ ମୁଁ ଓ ମୋର ବନ୍ଧୁ, ମୋ ନଁା ସମ୍ବନ୍ଧୀୟ ସହାୟକଙ୍କର ବଦ୍ଧମୂଳ ଧାରଣାଟିକୁ ବଦଳେଇବା ପାଇଁ ଚାହି ନ ଥିଲୁ, କାରଣ ତାହା ଏକ କଠିନ କାମ ହୋଇଥାନ୍ତା।
ଏହି ଅଭିଜ୍ଞତାରୁ ମୁଁ ଜାଣିଲି ଆମ ଦେଶରେ ‘ହୋତା’ ସହିତ ସର୍ବାଧିକ ଛନ୍ଦ ମିଶୁଥିବା ସାଙ୍ଗିଆଟି ହେଲା ‘ଗୁପ୍ତା’। ନଁାଟି କିନ୍ତୁ ଇଂରେଜୀ ଲେଖାରୁ ପଢ଼ି ବହୁତ ଲୋକ ଏହାକୁ ‘ହୋଟା’ (ଯେମିତିକି ଟାଟା, ବାଟା) ଉଚ୍ଚାରଣ କରିଥାନ୍ତି। ମୋ ପ୍ରିୟ ନଁାଟିର ବିକୃତି ଖାଲି ଆମ ଦେଶ ଭିତରେ ସୀମିତ ନୁହେଁ, ଏହା ବିଦେଶକୁ ମଧ୍ୟ ବ୍ୟାପି ଯାଇଛି। ଥରେ ଚୀନ ଦେଶର ସଂଘାଇ ବିମାନ ବନ୍ଦର ଗେଟ୍ ବାହାରେ ବାହାରେ ମୋ ପାଇଁ ଅପେକ୍ଷାରତ ଟ୍ୟାକ୍ସି ଚାଳକ ମୋ ନଁାର ଯେଉଁ ନାମ ଫଳକଟି ଧରିଥିଲେ, ସେଥିରେ ମୋର ସାଙ୍ଗିଆ ଲେଖାଥିଲା ‘ହୋକ୍ସା’। ‘ଯେ ଦେଶେ ଯାଇ, ସେ ଫଳ ଖାଇ’ ନ୍ୟାୟରେ ମୁଁ ମୋର ଆତ୍ମ-ଅଭିମାନକୁ ଢୋକି ପକାଇ ଚୁପ୍ଚାପ୍ ତାଙ୍କ ଗାଡ଼ିରେ ବସିଥିଲି।
ନିଜ ନଁାକୁ ଇଣ୍ଟର୍ନେଟ୍ରେ ଖୋଜିବା ଗତ କିଛି ବର୍ଷ ହେଲା ଅନେକଙ୍କ ଗୋଟିଏ ସଉକରେ ପରିଣତ ହୋଇଗଲାଣି। ଏହି ଅଭ୍ୟାସଟିକୁ ଏକ ସୁନ୍ଦର ନଁା ମଧ୍ୟ ଦିଆଯାଇଛି: ‘ଅହଂ ସନ୍ଧାନ’ ବା ‘ଇଗୋ ସର୍ଚ’। ଏହି ‘ଅହଂ ସନ୍ଧାନ’ ଜରିଆରେ ମଧ୍ୟ ମୁଁ ଜାଣିବାକୁ ପାଇଛି ଯେ ‘ଚିନ୍ମୟ ହୋତା’ ନାମଟି ଆଉ ଏକ ବିରଳ ନଁା ହୋଇ ରହି ନାହିଁ। ମୋ ପର ପିଢ଼ିମାନଙ୍କରେ ଅବିକଳ ଏହି ନାମଧାରୀ ଅନେକ ମଣିଷ ଧରଣୀର କୋଳ ମଣ୍ଡନ କଲେଣି। ହିରୋସୀମାର ଶାନ୍ତି ସ୍ମାରକୀ ଠାରେ ପରମାଣୁ ବୋମା ଦ୍ୱାରା ମୃତ ୩୨୮,୯୨୯ ଜଣଙ୍କର ନାମ କାନ୍ଥଗୁଡ଼ିକରେ ଲେଖା ହୋଇଛି। ସେ ନାମଗୁଡ଼ିକ ଉପରେ ଆଖି ବୁଲାଇବା ବେଳେ ମଧ୍ୟ ମୋ ଆଖି ଆପଣାଛାଏଁ ଟାଣି ହୋଇଯାଇଛି ‘ହୋତ୍ତା’ ସାଙ୍ଗିଆ ଯୁକ୍ତ କେତୋଟି ନଁା ଉପରକୁ। ଇଣ୍ଟର୍ନେଟ୍ର ଅନ୍ୟ ‘ଚିନ୍ମୟ ହୋତା’ମାନେ ହୁଅନ୍ତୁ କି ହିରୋସୀମା ସ୍ମାରକୀର ‘ହୋତ୍ତା’ମାନେ ହୁଅନ୍ତୁ, ମୁଁ କାହାକୁ ବ୍ୟକ୍ତିଗତ ଭାବରେ ଜାଣେ ନାହିଁ। ହେଲେ ଆମର ସମାନ ନାମଟି ଯୋଗୁଁ ମୋତେ ଲାଗେ ସତେ ଯେମିତି ସେହି ଅଜଣା ବ୍ୟକ୍ତିମାନଙ୍କ ସହ ମୁଁ ଏକ ଆତ୍ମିକ ବନ୍ଧନରେ ବନ୍ଧା।
ନଁା କେବଳ ଗୋଟିଏ ଧ୍ୱନି। କିନ୍ତୁ ତା’ରି ମାଧ୍ୟମରେ ବି ଝଙ୍କୃତ ହୋଇ ଚାଲିଛି କେତେ ଅଜ୍ଞାତ ସମ୍ପର୍କର ସ୍ପନ୍ଦନ।
ମୋ: ୯୪୩୭୦୮୯୬୫୫