ଚା, କଫି, ସାଣ୍ଡଉଇଚ୍‌ ଓ ବିରିୟାନୀ

ମିହିର ପ୍ରତାପ ଦାସ

ପୃଥିବୀରେ ପାଣି ହେଉଛି ସର୍ବାଧିକ ବ୍ୟବହୃତ ପାନୀୟ। ତା’ ପରେ ଆସିବ ଚା’। ଚୀନ ଲୋକ କଥା ଅନୁସାରେ ଖ୍ରୀଷ୍ଟପୂର୍ବ ୩୦୦୦ ବେଳକୁ ସମ୍ରାଟ ସେନ-ନଙ୍ଗ ଚା’ର ସନ୍ଧାନ ପାଇଥିଲେ। ଏକଦା ଜଙ୍ଗଲକୁ ପାରିଧିରେ ଯାଇଥିବା ରାଜା ଗୋଟିଏ ଗଛ ଛାଇରେ ବିଶ୍ରାମ କରୁଥିବା ବେଳେ ଦେଖିଲେ ଯେ ରୋଷେଇ ପାଇଁ ଚୁଲିରେ ବସିଥିବା ହାଣ୍ଡିର ଗରମ ପାଣିରେ ସେହି ଗଛର ଶୁଖିଲା ପତ୍ର ପଡ଼ିବା ପରେ ପାଣି ଅଗତ୍ୟା ସୁନେଲି ରଙ୍ଗ ଧାରଣ କଲା ଏବଂ ସେଥିରୁ ଏକ ମନମତାଣିଆ ବାସନା ମଧ୍ୟ ବାହାରିଲା। କୌତୂହଳୀ ହୋଇ ସେ ସେହି ପାଣିକୁ ଚାଖନ୍ତେ ସେ ସ୍ବାଦ ତାଙ୍କୁ ବିମୋହିତ କଲା। ସୁତରାଂ, ଆକସ୍ମିକ ଭାବେ ଚା’ର ଗୁଣ ପ୍ରକାଶ୍ୟ ହେଲା। ଭାରତର ଜନଶ୍ରୁତି ଅନୁସାରେ ଷଷ୍ଠ ଶତାବ୍ଦୀର ପ୍ରାରମ୍ଭ ବେଳକୁ କୌଣସି ଜଣେ ତପସ୍ବୀ ଦୀର୍ଘ କାଳ ଅନିଦ୍ରା ରହିବା ଲାଗି ନେଇଥିବା ଶପଥ ପୂରଣ ଲାଗି ଗୋଟିଏ ଗଛର ପତ୍ରକୁ ଚୋବାଉଥିଲେ, ଯାହା ପ୍ରକୃତରେ ଥିଲା ଚା’ ପତ୍ର। ଷୋଡ଼ଶ ଶତାବ୍ଦୀରେ ଯାଇ ପର୍ତ୍ତୁଗୀଜ ବଣିକମାନେ ଏହାକୁ ଇଉରୋପରେ ପହଞ୍ଚାଇ ଥିଲେ। ଇଂରେଜମାନେ ଏହାକୁ ସଂଭ୍ରାନ୍ତ ପାନୀୟର ମାନ୍ୟତା ପ୍ରଦାନ କରିଥିଲେ।

ଲୋକପ୍ରିୟ ପାନୀୟ କ୍ରମରେ କଫିର ସ୍ଥାନ ତୃତୀୟ। କଫି ପଛର କିଂବଦନ୍ତି ଅନୁସାରେ ନବମ ଶତାବ୍ଦୀରେ ଇଥିଓପିଆର ଜଣେ ଛେଳି ଚରାଳିର ଆଖିରେ ପଡ଼ିଲା ଗୋଟିଏ ପ୍ରକାରର ଲାଲ କୋଳି ଭଳି ଫଳକୁ ଖାଇଲା ପରେ ଛେଳି ପଲ ଅଧିକ ଚଳଚଞ୍ଚଳ ହୋଇ ଉଠୁଛନ୍ତି। ସୁତରାଂ, ସେ ନିଜେ ତାହା ତୋଳି ଖାଇବା ସହିତ ନିକଟରେ ଥିବା ଏକ ମଠର ସାଧୁଙ୍କୁ ତାହା ଦେଲେ। ସାଧୁ ଜଣକ ତାକୁ ଅଦରକାରୀ ବୋଲି ଭାବି ପାଖରେ ଜଳୁଥିବା ନିଆଁକୁ ଫିଙ୍ଗି ଦିଅନ୍ତେ, ତହିଁରୁ ମନମତାଣିଆ ବାସନା ନିର୍ଗତ ହେଲା। ଏବେ ପୋଡ଼ା କୋଳିକୁ ନିଆଁ ମଧ୍ୟରୁ କଢ଼ା ଗଲା। ପରୀକ୍ଷାମୂଳକ ଭାବେ ଫଳର ମଞ୍ଜିକୁ ଗୁଣ୍ଡ କରାଯାଇ ଗରମ ପାଣିରେ ପକାଗଲା। ତହିଁରୁ ସୃଷ୍ଟି ହେଲା ପୃଥିବୀର ପ୍ରଥମ କଫି ପିଆଲା। ପ୍ରଥମେ ସୋମାଲିଆର ବଣିକ ଓ ଦସ୍ୟୁମାନଙ୍କ ମଧ୍ୟରେ କଫିର ବ୍ୟବହାର ରହିଥିଲା। ସୁଫି ଗୁରୁ ମହମଦ ବିନ ସୈଦ ଅଲି ଇଥିଓପିଆରୁ ୟେମେନକୁ କଫି ପଠାଇଲେ। ପରେ ଆଫ୍ରିକାରେ ବ୍ରିଟିସ ଏବଂ ଫରାସୀ ଉପନିବେଶ ସ୍ଥାପନ ହୋଇ କଫି ପୃଥିବୀ ସାରା ବ୍ୟାପିଗଲା।

ପାଶ୍ଚାତ୍ୟ ରାଷ୍ଟ୍ରରେ ଚା’ ବା କଫି ସହିତ ସାଣ୍ଡଉଇଚ୍‌ ହେଉଛି ଏକ ଲୋକପ୍ରିୟ ଜଳଖିଆ। ସାଣ୍ଡଉଇଚ୍‌ ତା’ର ନାମ ପାଇଛି ଜନ୍‌ ମଣ୍ଟାଗ୍ୟୁ ଚତୁର୍ଥ ଅର୍ଲ ଅଫ୍‌ ସାଣ୍ଡଉଇଚ୍‌ଙ୍କ ଠାରୁ। ମଣ୍ଟାଗ୍ୟୁ ମାତ୍ର ଦଶ ବର୍ଷ ବୟସରେ ତାଙ୍କ ଜେଜେବାପାଙ୍କର ଦେହାନ୍ତ ପରେ ରାଜକାର୍ଯ୍ୟର ଭାର ବହନ କରିଥିଲେ। ସେ ଥିଲେ ଜଣେ ବିଦ୍ବାନ ଦାର୍ଶନିକ ଏବଂ ନୃତତ୍ତ୍ବବିତ୍‌। କିନ୍ତୁ ତା’ ସହିତ ତାସ ଓ ଜୁଆ ଖେଳ ନିଶା‌ରେ ବିଭୋର। ଏହି କାରଣରୁ ଠିକ୍‌ ସମୟରେ ଖାଦ୍ୟ ଖାଇ ପାରୁ ନ ଥିବା ମଣ୍ଟାଗ୍ୟୁଙ୍କୁ ତାଙ୍କ ବ୍ୟକ୍ତିଗତ ସହାୟକ ଦୁଇଟି ପାଉଁରୁଟି ମଝିରେ ମାଂସ, ଛେନା ଓ ପରିବାକୁ ପୁର ରୂପେ ପୂରାଇ ତାଙ୍କୁ ଖାଇବାକୁ ଦେଇ ଦେଉଥିଲେ। ଏଭଳି ଆହାର ସକାଶେ ଆଉ ଏକ କାରଣ ମଧ୍ୟ ଥିଲା। ଏହା ଦ୍ବାରା ହାତରେ ତେଲ ବା ମସଲା ଲାଗୁ ନ ଥିଲା ଏବଂ ତାସ ଖେଳ ଅବିରାମ ଭାବେ ଚାଲି ପାରୁଥିଲା।
କ୍ରମେ ମଣ୍ଟାଗ୍ୟୁଙ୍କ ଅନ୍ୟାନ୍ୟ ବନ୍ଧୁ ଖେଳାଳିମାନେ ଏଭଳି ଖାଇବା ଆରମ୍ଭ କଲେ। ବାସ୍‌, ଏକ ସୁସ୍ବାଦୁ ସ୍ନାକ୍‌ସ ରୂପେ ସାଣ୍ଡଉଇଚ୍‌ର ଆବିର୍ଭାବ ଘଟିଲା ଏବଂ ତାହା ଏଭଳି ଲୋକପ୍ରିୟ ହେଲା ଯେ ସାରା ପୃଥିବୀରେ ଏହାକୁ ଲୋକେ ଗ୍ରହଣ କଲେ।

ଏବେ ପୃଥିବୀର ସର୍ବାଧିକ ଲୋକପ୍ରିୟ ଭୋଜନ ବିରିୟାନୀର ଉତ୍ପତ୍ତି ବିଷୟରେ ନ କହିଲେ ଲେଖା ଅସଂପୂର୍ଣ୍ଣ ହୋଇଯିବ। କାରଣ ଏହାର ସୃଷ୍ଟି ହୋଇଥିଲା ଭାରତରେ ଏବଂ ସଂଯୋଗ ବଶତଃ। କଥିତ ଅଛି ଯେ ମୋଗଲ ସମ୍ରାଜ୍ଞୀ ମମତାଜ ମହଲ ମୋଗଲ ସୈନିକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସକାଶେ ଭାତ ସହିତ ମାଂସ ମିଶାଇ ରାନ୍ଧିବାକୁ ଆଦେଶ କରିଥିଲେ। ଏହା ସହିତ ବିରିୟାନୀର ମୂଳଦୁଆ ପଡ଼ିଲା ଏବଂ ଏବେ ବିଭିନ୍ନ କିସମର ବିରିୟାନୀ ସର୍ବତ୍ର ଉପଲବ୍‌ଧ।
ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର