ଲକ୍ଷ୍ମୀଧର ମିଶ୍ର
ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଛାଡୁଥିବା ବିଷୟଟି ଅତ୍ୟନ୍ତ ଚିନ୍ତାର କାରଣ। ଏହାକୁ ରୋକିବା ପାଇଁ ଆମ ରାଜ୍ୟ ସରକାରଙ୍କ ଦ୍ବାରା ନିକଟରେ ହୋଇଥିବା ପ୍ରୟାସ ସୁଚିନ୍ତିତ ଓ ଅଭିନବ, ତେଣୁ ସ୍ବାଗତଯୋଗ୍ୟ। ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଲାଭ କରିବାର ଅଧିକାର ଆଇନରେ ଉଲ୍ଲିଖିତ ଧାରା ୪ ଓ ଉପଧାରା ୫(୨)ର କାର୍ଯ୍ୟାନ୍ବୟନ ଏହି ପ୍ରୟାସ ଦ୍ବାରା ଦୃଢ଼ୀଭୂତ ହେବ। ମନେ ରଖିବା ଉଚିତ ଯେ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀମାନଙ୍କ ନିୟମିତ ଉପସ୍ଥାନ ହେଉଛି ଶିକ୍ଷଣ ପ୍ରକ୍ରିୟାର ଏକ ଅଂଶ, ଯାହା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାରୁ ପ୍ରାରମ୍ଭ ହୋଇଥାଏ। ଏହି ପ୍ରକ୍ରିୟାକୁ ସଂଯତ, ଶୃଙ୍ଖଳିତ ଓ ସୁଦୃଢ଼ କରିବା ପାଇଁ କେତେଗୁଡ଼ିଏ ସୋପାନ ରହିଛି, ଯାହା ଉପରେ ଆଲୋକପାତ କରିବା ସମୀଚୀନ ହେବ।
ଶୈଶବ ଅବସ୍ଥା ହେଉଛି ମୂଳଦୁଆ ପକାଇବାର ସମୟ। ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାର ସହ ଶିଶୁକୁ ଗ୍ରହଣ କରିବା ଓ ପାଠ୍ୟକ୍ରମ ପ୍ରସ୍ତୁତି ବା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିଶୁକୁ ଉପଯୁକ୍ତ ମହତ୍ତ୍ବ ଦେବା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ପୃଷ୍ଠଭୂମିରେ ସ୍ବନାମଧନ୍ୟ ଶିକ୍ଷାବିତ୍ ଜୟନ୍ତ ପାଣ୍ଡୁରଙ୍ଗ ନାୟକ (୧୯୦୭-୧୯୮୧) ସମାନତା, ଗୁଣବତ୍ତା ଓ ସାଂଖ୍ୟିକ ସଠିକତାକୁ ଭାରତୀୟ ଶିକ୍ଷାର ଏକ ତ୍ରିଭୁଜ ଭାବରେ ବର୍ଣ୍ଣନା କରିଥିଲେ। ଏହି ତିନିଟି ବାହୁ ପରସ୍ପର ସହ ସଂଲଗ୍ନ ଏବଂ ଗୋଟିକ ବିନା ଅନ୍ୟଗୁଡ଼ିକ ଅସଂପୂର୍ଣ୍ଣ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ପରିକଳ୍ପନା, ସଂଯୋଜନା ଓ ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ବ୍ୟକ୍ତି ଏ ବିଷୟରେ ସଚେତନ ଓ ସମ୍ବେଦନଶୀଳ ହେବା ଜରୁରି। ଦ୍ବିତୀୟରେ ନିଜ ତଥା ବୃହତ୍ତର ସାମାଜିକ ପରିବେଶ ସହ ସଂଯୁକ୍ତ ହୋଇ ଏକ ସୁସଂହତ ଓ ସମନ୍ବିତ ଜୀବନଯାପନ କରିବା ଲାଗି ପ୍ରେରଣା ଦେବା ଓ ପ୍ରସ୍ତୁତ କରିବାରେ ଶିକ୍ଷା ହେଉଛି ଏକ ସଶକ୍ତ ଆୟୁଧ। ଏହା ଉଦାରତା, ହୃଦୟବତ୍ତା, ସହନଶୀଳତା, ଅହିଂସା ଓ ଶାନ୍ତି ଆଧାରରେ ବାତାବରଣ ତିଆରି କରିବ। ଯୁଦ୍ଧ ଓ ଆତଙ୍କବାଦ ଭଳି ହୃଦୟହୀନ କାର୍ଯ୍ୟକଳାପ ପୃଷ୍ଠଭୂମିରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଲାଗି ଉପରୋକ୍ତ ମାନବୀୟ ଭାବାବେଗ ଭିତ୍ତିଭୂମି ପ୍ରସ୍ତୁତ କରିବ।
ତୃତୀୟରେ ଶିକ୍ଷାର୍ଥୀମାନଙ୍କର ସକାରାତ୍ମକ ବିଚାରଧାରା, ଅନୁଭବ, ସୃଜନଶୀଳତା, ଦକ୍ଷତା ଓ ସାମର୍ଥ୍ୟ ମଧ୍ୟରେ ଏକ ମଧୁର ସମନ୍ବୟକୁ କେବଳ ଏକ ମାନବଧର୍ମୀ ଶୈକ୍ଷିକ କାର୍ଯ୍ୟକ୍ରମ ଦ୍ବାରା ସମ୍ଭବ କରାଯାଇପାରିବ। ଏଥିପାଇଁ ଆବଶ୍ୟକ ଉପଯୁକ୍ତ ଶିକ୍ଷକ ପ୍ରଶିକ୍ଷଣ ବିଷୟରେ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକୁ ଦେଖିବାକୁ ହେବ। କେବଳ ପାଠ୍ୟପୁସ୍ତକ କୈନ୍ଦ୍ରିକ ଶିକ୍ଷା ଯେ ଧ୍ୟେୟ ନୁହେଁ, ତାହା ହୃଦୟଙ୍ଗମ କରିବାକୁ ହେବ। ମନେ ରଖାଯିବା ଉଚିତ ଯେ ଶିକ୍ଷାର୍ଥୀମାନଙ୍କ ପ୍ରଦର୍ଶନ ହେଉଛି ଶୈକ୍ଷିକ ଗୁଣବତ୍ତାର ଏକ ଅଂଶ ମାତ୍ର। ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାର୍ଥୀମାନଙ୍କର ଉତ୍ତମ ପ୍ରଦର୍ଶନକୁ ଗୁଣବତ୍ତାର ସଂପୂର୍ଣ୍ଣ ମାନଦଣ୍ଡ ଭାବେ ବିଚାର କରାଯାଏ, କିନ୍ତୁ ତାହା ଯଥାର୍ଥ ନୁହେଁ। କାରଣ ଏଭଳି ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର୍ଥୀମାନଙ୍କର ଚରିତ୍ର, ଆଚାର ବ୍ୟବହାର, ମୂଲ୍ୟବୋଧ ଓ ମାତୃଭାଷା ପ୍ରତି ଶ୍ରଦ୍ଧା ଭଳି ବିଷୟ ଗୁରୁତ୍ବ ପାଏନାହିଁ। ଚତୁର୍ଥରେ ଶିକ୍ଷାର୍ଥୀମାନେ ଏକ ସୁସ୍ଥ, ନିରାମୟ ଓ ସନ୍ତୁଳିତ ଜୀବନଯାପନ କରିବା ହେଉଛି ସମ୍ୟକ୍ ବିକାଶ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ। ଏଥିଲାଗି ଅତ୍ୟାବଶ୍ୟକ ବ୍ୟାୟାମ, ଯୋଗ ଓ ପ୍ରାଣାୟମ, ଖେଳକସରତ ଓ ମନୋରଞ୍ଜନ, ସୁପୋଷଣ ସୁସ୍ବାସ୍ଥ୍ୟ ଓ ସବୁଜ ପରିବେଶ। ସରକାରୀ ଓ ଘରୋଇ ନିର୍ବିଶେଷରେ ସମସ୍ତ ଶିକ୍ଷାନୁଷ୍ଠାନରେ ଏହା ଉପଲବ୍ଧ ହେବା ଜରୁରି।
ପଞ୍ଚମରେ ଛାତ୍ରଛାତ୍ରୀମାନଙ୍କ ଅନୁସନ୍ଧିତ୍ସାକୁ ସମ୍ମାନ ଜଣାଇ ପିତାମାତା ଓ ଶିକ୍ଷକମାନେ ତତ୍ପର ହେବା ଉଚିତ। ଶିକ୍ଷାର୍ଥୀମାନଙ୍କ ଜିଜ୍ଞାସୁ ମନର କୌତୂହଳ ଓ ମନରେ ଉଠିଥିବା ପ୍ରଶ୍ନଗୁଡ଼ିକୁ ଯଦି ପିତାମାତା ଓ ଶିକ୍ଷକମାନେ ଧୈର୍ଯ୍ୟର ସହ ଶୁଣି ଓ ଆଦରର ସହ ଉତ୍ତର ଦିଅନ୍ତି, ସେମାନେ ଜ୍ଞାନ ଅର୍ଜନ ଲାଗି ଅଧିକ ଆଗ୍ରହୀ ହେବେ। କିନ୍ତୁ ଦୁଃଖର କଥା, ଅଧିକାଂଶ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଷଷ୍ଠ ବିନ୍ଦୁଟି ହେଲା ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ, ଭିନ୍ନକ୍ଷମ ପିଲାମାନଙ୍କ ପ୍ରତି ଶିକ୍ଷକମାନଙ୍କର ମନୋଭାବ କୋମଳ ଓ ସମ୍ବେଦନଶୀଳ ହେବା ଦରକାର। ଉଦାର ହୃଦୟ, ସହନଶୀଳ, କାରୁଣିକ ଶିକ୍ଷକ ସୃଷ୍ଟି କରିବା ପାଇଁ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଏ ଯାବତ୍ ସମର୍ଥ ହୋଇନାହାନ୍ତି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବୈଷମ୍ୟରହିତ ସ୍ନେହଶୀଳ ବାତାବରଣ ତିଆରି କରିବାକୁ ପଡ଼ିବ।
ସପ୍ତମ କଥା ହେଲା ମେଧା, ବୁଦ୍ଧି, ବିଦ୍ୟା ଗ୍ରହଣ କରିବାର କ୍ଷମତା, ବିଦ୍ୟା ଧାରଣ କରିବାର କ୍ଷମତା ଇତ୍ୟାଦି ଆଧାରରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପାତରଅନ୍ତର ମନୋଭାବ ପୋଷଣ ବା ବିଭାଜନକାରୀ ମନ୍ତବ୍ୟ ପ୍ରଦାନ ଅତି ଗର୍ହିତ। ‘ତାରେ ଜମିଁ ପର୍’ ନାମକ ହିନ୍ଦୀ ଚଳଚ୍ଚିତ୍ରରେ ପିତାମାତାଙ୍କର ଏ ପ୍ରକାର ନିନ୍ଦନୀୟ ମନୋବୃତ୍ତିକୁ ଦର୍ଶାଯାଇଛି, ଯେଉଁଠି ବିଦ୍ୟାଳୟର ଜଣେ ମାତ୍ର ଶିକ୍ଷକ ନିଜ ସ୍ନେହ, ଶ୍ରଦ୍ଧା, ଉଦାରତା ଓ ସହନଶୀଳତା ହେତୁ ଜଣେ ହେୟମନ୍ୟ ଓ ହତାଦୃତ ଶିକ୍ଷାର୍ଥୀଙ୍କ ଭିତରେ ଲୁକ୍କାୟିତ ପ୍ରତିଭାର ସ୍ଫୁରଣ ଘଟିଛି। ସେହି ବାଳକ ଜଣେ ଆଦର୍ଶ ଛାତ୍ରରେ ପରିଣତ ହୋଇଛି।
ଅଷ୍ଟମରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷକ କେବଳ ପାଠ ପଢ଼ାଉଥିବା ଜଣେ ମନୁଷ୍ୟ ନୁହନ୍ତି; ସେ ହେଉଛନ୍ତି ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଭିତରେ ଓ ବାହାରେ ପ୍ରେରଣା ଦେଉଥିବା ଜଣେ ଅନୁସରଣୀୟ ବ୍ୟକ୍ତିତ୍ବ। ଶିକ୍ଷାର୍ଥୀମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସମ୍ଭାବନା ବିଷୟରେ ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇବା ହେଉଛି ଜଣେ ଆଦର୍ଶ ଶିକ୍ଷକଙ୍କ ବିରଳ ଦକ୍ଷତା ଅନ୍ତର୍ଭୁକ୍ତ। ନବମ ବିଷୟ ହେଲା ପିଲାମାନଙ୍କ ସ୍ବତଃସ୍ଫୂର୍ତ୍ତ ଭାବ ଓ ନୂଆ କଥା ଶିଖିବାର ଇଚ୍ଛାକୁ ଉଜାଗର କରିବା ସହିତ ତାକୁ ସେ ନେଇ ଜାଗ୍ରତ କରିବାକୁ ହେବ। ସେମାନଙ୍କ ଭିତରେ ସର୍ଜନା, ଆବିଷ୍କାର, ଉଦ୍ଭାବନ, ବିଶ୍ଳେଷଣ ଇତ୍ୟାଦି ନେଇ ବିଶେଷ ମାନସିକ ପ୍ରସ୍ତୁତି ଲାଗି ଉଦ୍ୟମ କରାଯିବା ଉଚିତ। ଅନୁଭବ, ପୁସ୍ତକ, ପରିବେଶ, କୌତୂହଳ ଆଧାରରେ ପିଲାମାନେ ନିଜ ନିଜର ବିଚାରବୁଦ୍ଧି ଓ ବିଶ୍ଳେଷଣର ସାମର୍ଥ୍ୟ ବୃଦ୍ଧି କରିବେ। ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ଏ ସମସ୍ତ ବିଷୟ ଉପଯୋଗୀ ଓ ପ୍ରାସଙ୍ଗିକ। ଶିକ୍ଷାର ଧ୍ୟେୟ ହେଉଛି ଛାତ୍ରଛାତ୍ରୀମାନଙ୍କର ଚାରିତ୍ରିକ ଓ ଚୈତନ୍ୟଗତ ବିକାଶ।
ଦଶମରେ, ଶିକ୍ଷାଦାନ ପ୍ରକ୍ରିୟା ବିଦ୍ୟାଳୟ ପରିସର ଭିତରେ ଓ ବାହାରେ ଚାଲିଥାଏ। ଶିକ୍ଷାର୍ଥୀମାନଙ୍କର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପୃଷ୍ଠଭୂମି, ସେମାନଙ୍କ ଦୁଃଖ, ସେମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ଇତ୍ୟାଦିକୁ ଆଖି ଆଗରେ ରଖି ଶିକ୍ଷଣ ପ୍ରକ୍ରିୟାକୁ ପରିଚାଳନା କରାଯିବା ଦରକାର। ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ ତୃଣମୂଳ ସ୍ତରରେ ଉପରୋକ୍ତ ବିଚାରର ସଂପୂର୍ଣ୍ଣ ବିପରୀତଟି ହିଁ ଦୃଷ୍ଟିଗୋଚର ହୋଇଥାଏ।
ଏହି ପରିପ୍ରେକ୍ଷୀରେ ମୁଁ ଦୁଇଟି ଉଦାହରଣ ରଖିବାକୁ ଚାହୁଁଚି। ଗୋଟିଏ ବିଶ୍ବବିଖ୍ୟାତ ଔପନ୍ୟାସିକ ଲିଓ ଟଲଷ୍ଟୟ ଏବଂ ଦ୍ବିତୀୟଟି ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଅାଇନଷ୍ଟାଇନ। ଟଲଷ୍ଟୟ ମାତ୍ର ଦୁଇ ବର୍ଷ ବୟସରେ ନିଜ ମା’ଙ୍କୁ ଓ ନଅ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ଏହି କାରଣରୁ ସେ ଉତ୍କଟ ମାନସିକ ପୀଡ଼ାର ଶିକାର ହୋଇଥିଲେ ଓ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଲାଭରେ ବିଳମ୍ବ େହାଇଥିଲା। ଏପରି ଦୁଃସ୍ଥିତିରେ ତାଙ୍କର ସ୍କୁଲ ନାମଲେଖା ହୋଇଥିଲା। ଏହି ସମୟରେ ପ୍ରଥମ ଶ୍ରେଣୀର ଶିକ୍ଷକ ତାଙ୍କ ପ୍ରତି ସହାନୁଭୂତିଶୀଳ ନ ହୋଇ ତାଙ୍କୁ ଏକ କଟୁ ମନ୍ତବ୍ୟ ଦେଇଥିଲେ, ‘ତୁମେ ତୁମର ଭାରସାମ୍ୟ ହରାଇ ବସିଛ ଓ ଏକାଗ୍ର ଚିତ୍ତରେ କିଛି ଶିକ୍ଷା ଲାଭ କରିବା ତୁମ ପକ୍ଷରେ ସମ୍ଭବ ନୁହେଁ।’ ଏପରି ମନ୍ତବ୍ୟ ଅତି ବେଦନାଦାୟକ ଥିଲା। ଟଲଷ୍ଟୟ ଅତ୍ୟନ୍ତ ବିରକ୍ତିର ସହ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହିପରି ଏକ ସମାନ ପରିସ୍ଥିତିରେ ବିଶ୍ବବିସୃତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ସମ୍ବେଦନଶୀଳ ଶିକ୍ଷକ ପାଇ ନ ଥିଲେ। ତାଙ୍କର ଅନେକ ଅନୁସନ୍ଧିତ୍ସାର ଉତ୍ତର ଥିଲା କଡ଼ା ଭର୍ତ୍ସନା ଯେ ‘ତୁମ ଠାରୁ ବିଶେଷ କିଛି ଆଶା କରାଯାଇ ପାେରନା’। ଆଇନଷ୍ଟାଇନ ମଧ୍ୟ ସେହି ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ସ୍ବାଧୀନତା ପରଠାରୁ ପ୍ରଫେସର ସର୍ବପଲ୍ଲୀ ରାଧାକୃଷ୍ଣନ (୧୯୪୮), ପ୍ରଫେସର ଡି. ଏସ୍. କୋଠାରି (୧୯୬୪-୬୬), ଆଚାର୍ଯ୍ୟ ରାମମୂର୍ତ୍ତି (୧୯୯୦) ଓ ପ୍ରଫେସର କସ୍ତୁରିରଙ୍ଗନଙ୍କ ଅଧ୍ୟକ୍ଷତାରେ ଚାରିଟି ବ୍ୟାପକ, ତଥ୍ୟପୂର୍ଣ୍ଣ ଉଚ୍ଚକୋଟୀର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି, ଯହିଁରେ ବହୁତ ଗୁଡ଼ିଏ ପ୍ରାସଙ୍ଗିକ ପରାମର୍ଶ ଓ ସୁପାରିସ ରହିଛି। ଯେଉଁ ମାନବିକ ମୂଲ୍ୟବୋଧର ଆବେଦନ ଶିକ୍ଷା ଓ ଶିକ୍ଷଣ ପଦ୍ଧତିକୁ ସମୃଦ୍ଧ କରିଥାଏ, ଅଭିଜ୍ଞ, ସମ୍ବେଦନଶୀଳ ଓ ପ୍ରଶିକ୍ଷିତ ଶିକ୍ଷକକୁ ସୃଷ୍ଟି କରିଥାଏ ତା’ର ଉତ୍କଟ ଅଭାବ ଆଜି ମଧ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ରହିଛି। ଏହା ଦୁର୍ଭାଗ୍ୟର ବିଷୟ ଏବଂ ଏ ପ୍ରକାର ସ୍ଥିତି ବଦଳିବା ନିତାନ୍ତ ଜରୁରି।
(ମତାମତ ଲେଖକଙ୍କ ନିଜସ୍ବ)
ପ୍ରାକ୍ତନ ଶ୍ରମ, ନିଯୁକ୍ତି ଓ ସଂସଦୀୟ ବ୍ୟାପାର ସଚିବ
ମୋ: ୯୫୬୦୨୦୨୩୫୨