ଶ୍ୟାମସୁନ୍ଦର ଅଗ୍ରୱାଲା
“ଆଜ୍ଞା, ମୁଁ ବାରଦୁଆର ତେରପିଣ୍ଡା ହୋଇସାରିଲିଣି। କେହି ମୋ’ କଥା ଶୁଣୁ ନାହାନ୍ତି। ଆଜିକୁ ପଚିଶ ବର୍ଷ ହେଲା ନ୍ୟାୟ ପାଇଁ ସଂଘର୍ଷ କରୁଛି। ବହୁତ ଆଶା ନେଇ ଆପଣଙ୍କ ପାଖକୁ ଆସିଛି। ଏଠି ଯଦି ନ୍ୟାୟ ନ ମିଳେ ତା’ ହେଲେ ମୁଁ ଆତ୍ମହତ୍ୟା କରିଦେବି।” ଏ କଥା ଜନୈକ ଅଭିଯୋଗକାରୀ ଭାବବିହ୍ୱଳ ହୋଇ କହୁଥିଲାବେଳେ ଆମ ରାଇଜ ମୁଖିଆ ତା’ ହାତରୁ ଅଭିଯୋଗ ପତ୍ରଟିକୁ ଗ୍ରହଣ କରି କହିଲେ, “ମୁଁ ଅଛି, ବ୍ୟସ୍ତ ହୁଅ ନାହିଁ। ତୁମେ ମୋ ପାଖକୁ ସାହାଯ୍ୟ ପାଇଁ ଆସିଛ ନିଶ୍ଚୟ ପାଇବ। ଅଯଥା ଆତ୍ମହତ୍ୟା ଭଳି ଅପଶବ୍ଦ ତୁଣ୍ଡରେ ଧର ନାହିଁ। ତୁମର ଅଭିଯୋଗ ଯଦି ନ୍ୟାୟସଙ୍ଗତ ହୋଇଥିବ ତେବେ ତୁମେ ନିଶ୍ଚୟ ନ୍ୟାୟ ପାଇବ।”
ବନ୍ଧୁଗଣ, ରାଇଜ ମୁଖିଆଙ୍କର ଏହି କେତୋଟି ସାନ୍ତ୍ବନାମୂଳକ ଶବ୍ଦ, “ମୁଁ ଅଛି, ବ୍ୟସ୍ତ ହୁଅ ନାହିଁ” ଯେ କୌଣସି ଅଭିଯୋଗକାରୀର ଆତ୍ମବିଶ୍ୱାସକୁ ନିଶ୍ଚୟ ବଢ଼େଇ ଦେବ ଏବଂ ଏହା ହିଁ ତାକୁ ଆତ୍ମହତ୍ୟାରୁ ନିବୃତ୍ତ କରେଇବା ପାଇଁ ଯଥେଷ୍ଟ ସାହାଯ୍ୟ କରିବ। ଏ କଥା ସତ୍ୟ ଯେ ଯାହା କୌଣସି ଆଇନକାନୁନ କରିପାରିବ ନାହିଁ ତାହା ଉଚ୍ଚପଦସ୍ଥ ଅଧିକାରୀମାନଙ୍କର ଏହିଭଳି ଦୁଇପଦ ସମ୍ବେଦନଶୀଳ କଥାବାର୍ତ୍ତା କରିପାରିବ। ଲୋକଟିଏ ଚାରିଆଡୁ ହତାଶ ହୋଇ ବଡ଼ ବଡ଼ ଅଧିକାରୀଙ୍କ ପାଖକୁ ଧାଇଁ ଆସିଥାଏ ଏବଂ ଏହି ଅଧିକାରୀ େହଉଛନ୍ତି ତା’ ପାଇଁ ସରକାର ଯାହାକୁ ହିନ୍ଦୀରେ ‘ମାଈବାପ’ ବୋଲି କୁହାଯାଇଥାଏ। ଏହି ଅଧିକାରୀ ଯଦି ଲୋକଟିକୁ ଦେଖା ଦେଇ ନ ଥାଏ କିମ୍ବା ଦୂର୍ ଦୂର୍ ମାର୍ ମାର୍ ଭଳି କଥାବାର୍ତ୍ତା କରି ଅଣଦେଖା କରିଥାଏ ତେବେ ସେ ଯିବ କୁଆଡ଼େ? କିନ୍ତୁ ରାଇଜ ମୁଖିଆ ଯଦି ପିଠି ଥାପୁଡ଼େଇ ଦେଇ କହିଦିଅନ୍ତି, “ବ୍ୟସ୍ତ ହୁଅ ନାହିଁ, ମୁଁ ଅଛି” ତେଣିକି ଅଭିଯୋଗକାରୀ ଏକ ଆଶା ଓ ବିଶ୍ୱାସରେ ବାନ୍ଧି ହୋଇଯାଇଥାଏ ଯାହା ତାହାକୁ ଆଗକୁ ବଞ୍ଚିବାର ରାହା ଦେଖେଇଥାଏ।
ମନସ୍ତତ୍ତ୍ବବିତ୍ମାନେ କୁହନ୍ତି ଯେ ଆତ୍ମହତ୍ୟାର ଗୋଟିଏ ଦୁଇଟି ମୁହୂର୍ତ୍ତ ପୂର୍ବରୁ ଯଦି ଦୁଇ ଚାରିଟି ମିଠା ଆଶ୍ୱାସନା ବାଣୀ ଶୁଣେଇ ଦିଆଯାଇଥାଏ ତେବେ ଲୋକଟି ଆଉ ଆତ୍ମହତ୍ୟା କରି ନ ଥାଏ, କିନ୍ତୁ ଯଦି ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ତାହାକୁ ଆହୁରି ନୈରାଶ୍ୟଜନକ କଥାବାର୍ତ୍ତା ଶୁଣିବାକୁ ମିଳିଥାଏ ତେବେ ତାହାର ଧୈର୍ଯ୍ୟଚ୍ୟୁତି ଘଟିଥାଏ ଓ ଆତ୍ମହତ୍ୟା ପ୍ରବଣତା ଅଧିକରୁ ଅଧିକ ବଢ଼ିଯାଇଥାଏ। ଫକୀରମୋହନ କଲେଜରେ ପୀଡ଼ିତା ଯେତେବେଳେ ତାଙ୍କର ଅଭିଯୋଗ ନେଇ ମାନ୍ୟବର ସାଂସଦ, ସ୍ଥାନୀୟ ବିଧାୟକ, ବିଭାଗୀୟ ମନ୍ତ୍ରୀ ଓ କଲେଜ ଅଧ୍ୟକ୍ଷଙ୍କୁ ଟ୍ୱିଟ୍ କରିବା ସହିତ ସାକ୍ଷାତ କରିଥିଲେ ସେତେବେଳେ ଯଦି ଏମାନଙ୍କ ଭିତରୁ କେହି ଜଣେ ତାକୁ କହିଥାନ୍ତେ, “ମା’, ତୁମେ ବ୍ୟସ୍ତ ହୁଅ ନାହିଁ, ଆମେ ତୁମ କଥା ବୁଝିବୁ।” ତେବେ ହୁଏତ ସେ ଆତ୍ମାହୁତି ଦେଇ ନଥାନ୍ତେ। କାହାରି ଆଶ୍ୱସନା ତ ଦୂରର କଥା, ସେ ଯେତେବେଳେ ଆଭ୍ୟନ୍ତରୀଣ ତଦନ୍ତ କମିସନର ଫଳାଫଳକୁ ନେଇ ଅଧ୍ୟକ୍ଷ ମହାଶୟଙ୍କୁ ସାକ୍ଷାତ କରିଥିଲେ ସେତେବେଳେ ତାଙ୍କ ଅଭିଯୋଗର ସତ୍ୟତା ନାହିଁ ବୋଲି ରୋକ୍ଠୋକ୍ କହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲେ। ଏହା ଯୋଗୁଁ ସୌମ୍ୟାଶ୍ରୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା ଏବଂ ସେ ଆତ୍ମାହୁତି ଦେବାକୁ ବାଧ୍ୟ ହୋଇଥିଲେ।
ସେ ଆତ୍ମାହୁତି ଦେଇସାରିଲା ପରେ କର୍ତ୍ତୁପକ୍ଷଙ୍କ ବାଣୀ, “ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଛଡ଼ା ଯିବ ନାହିଁ। ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ” ଇତ୍ୟାଦି ଇତ୍ୟାଦିର ଆଉ ମୂଲ୍ୟ କ’ଣ ଅଛି? ଆପଣମାନଙ୍କର ଏହି କଥାଗୁଡ଼ିକ ସେ ଆଉ ଶୁଣିବାକୁ ନାହାନ୍ତି କି କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତଙ୍କ ଜେଲ୍ ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ନାହାନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଯଦି ସେ ଅଭିଯୋଗ ଆଣିବା ସମୟରେ କରାଯାଇ ପାରିଥାନ୍ତା ତେବେ ହୁଏତ ଆଜି ସେ ବଞ୍ଚିଥାନ୍ତେ।
ଅଭିଯୋଗ କେବଳ ପଞ୍ଜୀକୃତ ହୋଇଗଲେ ସମସ୍ୟାର ସମାଧାନ ହୋଇଯାଏ ନାହିଁ କି କର୍ତ୍ତୃପକ୍ଷଙ୍କର କେବଳ ଆଶ୍ୱାସନା ଲୋକଙ୍କର ଦୁଃଖ ଦୂର କରିପାରେ ନାହିଁ। ଏଥିରେ ସନ୍ଦେହ ନାହିଁ ଯେ ଏହା ଅଭିଯୋଗକାରୀଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଥାଏ, କିନ୍ତୁ ଯଦି ଆଗକୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରାଯାଏ ତେବେ ଫଳ ବିପରୀତ ହୋଇଥାଏ ଓ ଅଭିଯୋଗକାରୀ ହତୋତ୍ସାହିତ ହୋଇପଡ଼ି କଠୋର ପଦକ୍ଷେପ ନେଇଥାଏ। ଯଦି ମୁଖିଆ କହିଛନ୍ତି “ବ୍ୟସ୍ତ ହୁଅ ନାହି, ମୁଁ ଅଛି” ତେବେ ତୁରନ୍ତ ଏହାର ବିଚାର କରି ଅନ୍ୟାୟ ହୋଇଥିଲେ ବ୍ୟକ୍ତିଙ୍କ ପ୍ରତି ନ୍ୟାୟ ପ୍ରଦର୍ଶନ କରନ୍ତୁ, କାରଣ ଥରେ ଆଶାର ଉଦ୍ରେକରେ ଯେଉଁ ଅଭିଯୋଗକାରୀ ଜୀବନ ପାଇଥାଏ ତାହାର ସାମାନ୍ୟ ନିରାଶାରେ ତା’ର ଜୀବନ ମଧ୍ୟ ଚାଲିଯାଇଥାଏ।
କଥାଟିଏ କହୁଛି। ଥରେ ମହାରାଜ ପ୍ରଜାମାନଙ୍କର ସୁଖଦୁଃଖ ବୁଝିବା ପାଇଁ ରାତ୍ରିକାଳୀନ ସହର ପରିକ୍ରମା କରୁଥିଲେ। ଅର୍ଦ୍ଧରାତ୍ରିରେ ରାଜପ୍ରସାଦକୁ ଫେରୁଥିଲାବେଳେ ଦେଖିଲେ ଜଣେ ବ୍ୟକ୍ତି ଶୀତରେ ଥରୁଛି। ଫୁଙ୍ଗୁଳା ଦେହ। ଶୀତବସ୍ତ୍ର ତ ଦୂରର କଥା, ଦେହ ଢାଙ୍କିବା ପାଇଁ ମଧ୍ୟ ପୂରା ବସ୍ତ୍ର ନାହିଁ। ମହାରାଜଙ୍କୁ ଦେଖି ଲୋକଟି ଥରି ଥରି ସାଷ୍ଟାଙ୍ଗ ପ୍ରଣାମ କଲା। ମହାରାଜଙ୍କୁ ତା’ର ଅଭିଯୋଗ କହିବାକୁ ପଡ଼ିଲା ନାହିଁ। ମହାରାଜ ତାକୁ କହିଲେ, “ତୁମେ ଅପେକ୍ଷା କର, ମୁଁ ରାଜପ୍ରାସାଦରୁ ଦୁଇ ଚାରିଟି ଶୀତବସ୍ତ୍ର ତୁମ ପାଖକୁ ଶୀଘ୍ର ପଠାଉଛି।” ଲୋକଟି କୃତକୃତ୍ୟ ହୋଇ ତଳେ ଅପେକ୍ଷା କରି ରହିଲା। ଘଣ୍ଟେ ଗଲା, ଦୁଇ ଘଣ୍ଟା ଗଲା। କୌଣସି ଶୀତବସ୍ତ୍ର ଆସିଲା ନାହିଁ। ମହାରାଜ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ତାଙ୍କ ପ୍ରତିଶ୍ରୁତି ଭୁଲିଯାଇଥିଲେ। ସକାଳୁ ସକାଳୁ ତାଙ୍କର ମନେ ପଡ଼ିଲା। ତୁରନ୍ତ ଦୁଇ ଚାରିଟି ଶୀତବସ୍ତ୍ର ନେଇ ସେ ତଳକୁ ଧାଇଁଲେ। ଦେଖିଲେ ରାଜପ୍ରସାଦ ସାମ୍ନାରେ ଲୋକଟି ମରିପଡ଼ିଛି। ବିଦୂଷକ ମହାଶୟ ମହାରାଜାଙ୍କୁ କହିଲେ, “ମହାରାଜ, ଲୋକଟି ମରି ନଥାନ୍ତା, କିନ୍ତୁ ଆପଣଙ୍କ ପ୍ରତିଶ୍ରୁତି ତା’ ମନରେ ଏକ ଆଶା ସଞ୍ଚାର କରିଥିଲା ଯାହା ପୂର୍ଣ୍ଣ ନ ହେବାରୁ ସେ ଭାଙ୍ଗିପଡ଼ିଲା ଆଉ ଯେଉଁ ଶୀତକୁ ସେ ଆଜି ଯାଏ ସହି ଆସୁଥିଲା ତାହା ତେଣିକି ତା’ ପାଇଁ ଅସହ୍ୟ ହୋଇପଡ଼ିଲା ଓ ସେ ମୃତ୍ୟୁବରଣ କଲା।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭