ଶ୍ୟାମସୁନ୍ଦର ଅଗ୍ରୱାଲା
ଭଲ ପାଠ ପଢୁଥିଲେ ଯେ ଭଲ ଲୋକ ହେବ, ଏହାର କିଛି ମାନେ ନାହିଁ। ଆମେ କିନ୍ତୁ ଯିଏ ଭଲ ପାଠ ପଢୁଛି ତାକୁ ସବୁ ବଡ଼ ବଡ଼ କାମ ପାଇଁ ବାଛୁଚୁ ଆଉ ଯିଏ ଖରାପ ପାଠ ପଢୁଛି ତାକୁ ସବୁ ଛୋଟମୋଟ କାମ ପାଇଁ ରଖୁଛୁ। ବାପା ଯେଉଁ ପିଲା ଭଲ ପାଠ ପଢୁନାହିଁ ତାକୁ ଗାଳି ଦେଇ କୁହନ୍ତି, “ପାଠଶାଠ ପଢୁ ନାହୁଁ, ତୁ ବଡ଼ ହୋଇ ରିକ୍ସା ଚଲେଇବୁ।” ଅନେକ ସମୟରେ ଦେଖାଯାଇଥାଏ ଯେ ଏହି ରିକ୍ସା ଚଲାଉଥିବା ପିଲାଟି ଯାତ୍ରୀ ଜଣେ ଛାଡ଼ିଯାଇଥିବା ଟଙ୍କା ଓ ସୁନାଗହଣା ନେଇ ତାଙ୍କ ଘରେ ଦେଇ ଆସିଥିବାବେଳେ ଯେଉଁ ପିଲାଟି ଭଲ ପାଠ ପଢ଼ି ବଡ଼ ବଡ଼ କାମ କରୁଛି ସେ ଲୋକମାନଙ୍କର ଟଙ୍କା ଓ ସୁନାଗହଣା କେମିତି ଲୁଟ୍ କରି ନେଇଯିବ ସେଇକଥା ସଦାବେଳେ ଚିନ୍ତା କରୁଛି।
ତା’ ହୋଇ ନ ଥିଲେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଯୁବକ ଗୋଟେ ଜମିଜମା ମାମଲାରେ ଜଣେ ଗରିବ ଲୋକଠାରୁ ପନ୍ଦର ହଜାର ଟଙ୍କା ଉତ୍କୋଚ ନେବା ଅଭିଯୋଗରେ ଗିରଫ ହୋଇ ନଥାନ୍ତେ। ଏହି ଯୁବକ ଯେତେବେଳେ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ମିଡିଆରେ ଚର୍ଚ୍ଚିତ ହୋଇଥିଲେ ସେତେବେଳେ ଜନସେବା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ। କେବଳ ଓଡ଼ିଶା ପ୍ରଶାସନିକ ସେବା ନୁହେଁ, ସର୍ବଭାରତୀୟ ପ୍ରଶାସନିକ ସେବାର ଉଚ୍ଚ ସ୍ଥାନ ହାସଲ କରିଥିବା ଜଣେ ଯୁବ ଆଇଏଏସ୍ ଅଧିକାରୀ ନିିକଟରେ ଦଶ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି। ଆସାମର ନୂପୁର ବୋରା ହୁଅନ୍ତୁ କି ମହାରାଷ୍ଟ୍ରର ପୂଜା ଖେଡ଼କାର ହୁଅନ୍ତୁ, ଏମାନେ ସବୁ କ୍ଲାସ୍ ରୁମ୍ରେ ଅତ୍ୟନ୍ତ ମେଧାବୀ ଛାତ୍ରୀ ଥିଲେ କିନ୍ତୁ ଶାସନରେ ଯୋଗଦେବାର ମାତ୍ର କିଛି ଦିନ ପରେ ପ୍ରମାଣ କରିଦେଲେ ଯେ ମେଧା ସହିତ ସାଧୁତାର କୌଣସି ସମ୍ପର୍କ ନାହିଁ।
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁମାନେ ରେକର୍ଡ ନମ୍ବର ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାର ଲକ୍ଷ୍ୟ ରଖି କହିଥାନ୍ତି, “ମୁଁ ଆଇଏଏସ୍ ହୋଇ ଦେଶ ସେବା କରିବି।” ଅନେକ ଡାକ୍ତର ଓ ଇଞ୍ଜିନିଅର ମଧ୍ୟ ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରି ଶେଷକୁ ଏହି ପ୍ରଶାସନିକ ସେବାରେ ଦେଶ ସେବା କରିବା ପାଇଁ ଯୋଗ ଦେଇଥାନ୍ତି। ପ୍ରଶ୍ନ ଉଠେ, ଜଣେ ଡାକ୍ତର କିମ୍ବା ଇଞ୍ଜିନିଅର ହୋଇ କ’ଣ ଦେଶ ସେବା କରିପାରିବ ନାହିଁ? ଦେଶ ସେବା କରିବା ପାଇଁ କ’ଣ ଆଇଏଏସ୍ ହେବା ନିହାତି ଜରୁରି? ଅସଲି କଥାଟା ହେଉଛି ଏହି ଦେଶ ସେବା କେବଳ ମୁଖା ମାତ୍ର। ଭାରତୀୟ ପ୍ରଶାସନିକ ସେବାରେ ଯେଉଁ ସାମାଜିକ ପ୍ରତିଷ୍ଠା ରହିଛି ତାହା ଅନ୍ୟ କୌଣସି ସେବାରେ ଦେଖିବାକୁ ମିଳେ ନାହିଁ। ତେଣୁ ସେମାନେ ଏହି ସେବାରେ ଯୋଗଦେଇ ଦେଶ ସେବା କରିବାର କେବଳ ନାଟକ କରିଥାନ୍ତି।
ଭାରତବର୍ଷରେ ପ୍ରତି ବର୍ଷ ପ୍ରାୟ ଚଉଦରୁ ପନ୍ଦର ଲକ୍ଷ ପରୀକ୍ଷାର୍ଥୀ ସିଭିଲ ସର୍ଭିସ ପରୀକ୍ଷା ଦେଇଥାନ୍ତି। ଏମାନଙ୍କ ଭିତରୁ ତାଲିକାରେ ଉଚ୍ଚ ସ୍ଥାନ ହାସଲ କରି ମାତ୍ର ଦେଢ଼ ଶହରୁ ଦୁଇ ଶହ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ମନୋନୀତ ହୋଇଥାନ୍ତି। ଥରେ ଭାବନ୍ତୁ, ଚଉଦ ପନ୍ଦର ଲକ୍ଷ ପରୀକ୍ଷାର୍ଥୀ ଭିତରୁ ମାତ୍ର ଦେଢ଼ ଶହ ଦୁଇ ଶହ ପ୍ରାର୍ଥୀ ବଛା ଯାଇଥାନ୍ତି ଏବଂ ଏହି ବଛାବଛିର ମାପଦଣ୍ଡ କ’ଣ? ମୁଖ୍ୟତଃ ପ୍ରାର୍ଥୀଙ୍କର ମେଧା ଶକ୍ତି କିନ୍ତୁ ଏହି ମେଧା ଶକ୍ତି ସେମାନଙ୍କର ଦକ୍ଷତା ଓ ସାଧୁତାର ଗ୍ୟାରେଣ୍ଟି ଦେଉଛି କି?
ଏହାର ଉତ୍ତର ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ତୁବୁରି ସୁବାରାଓ ଯିଏ ତାଙ୍କର ଏକ ପୁସ୍ତକରେ ଲେଖିଛନ୍ତି ଯେ ଭାରତବର୍ଷରେ ପ୍ରଶାସନିକ ସେବା ଅଧିକାରୀମାନଙ୍କର ପଚିଶ ପ୍ରତିଶତ ଅତ୍ୟନ୍ତ ଅପାରଗ ଓ ଦୁର୍ନୀତିଗ୍ରସ୍ତ ହୋଇଥିଲାବେଳେ ମାତ୍ର ପଚିଶ ପ୍ରତିଶତ ଅତ୍ୟନ୍ତ ଦକ୍ଷ ଓ ଦୁର୍ନୀତିମୁକ୍ତ ଅଟନ୍ତି। ସୁବାରାଓଙ୍କ ମତରେ ଏହି ଦୁଇ ବର୍ଗ ବ୍ୟତୀତ ଏକ ମଧ୍ୟମ ବର୍ଗ ପଚାଶ ପ୍ରତିଶତ ରହିଥାନ୍ତି ଯେଉଁମାନେ ଚାକିରିରେ ପୂରା ସମୟ ଆତ୍ମସନ୍ତୁଷ୍ଟିରେ ବିତେଇଥାନ୍ତି। ଏମାନେ କୌଣସି କାର୍ଯ୍ୟ ଦୃଢ଼ତାର ସହ କରନ୍ତି ନାହିଁ କି କୌଣସି ନିଜସ୍ୱ ନିଷ୍ପତ୍ତି ନିଅନ୍ତି ନାହିଁ। ସତ କହିବାକୁ ଗଲେ ରାଜ୍ୟର ପ୍ରଗତିରେ ଏମାନଙ୍କର କୌଣସି ଆଗ୍ରହ ନାହିଁ କି ଅବଦାନ ନାହିଁ।
ଏହାର ସମାଧାନର ରାସ୍ତା ବତେଇ ସୁବାରାଓ କୁହନ୍ତି ଯେ ଆଇଏଏସ୍ରେ ଯୋଗଦେବାର ପ୍ରଥମ ପନ୍ଦର ବର୍ଷରେ ଏମାନଙ୍କର ଏକ ସମୀକ୍ଷା କରାଯାଉ ଏବଂ ଏହି ସମୀକ୍ଷାରେ ଯେଉଁମାନେ ଉତ୍ତୀର୍ଣ୍ଣ ନ ହେବେ ସେମାନଙ୍କୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ଅନ୍ୟାନ୍ୟ ବୃତ୍ତିରୁ ଦକ୍ଷ ଓ ଦୁର୍ନୀତିମୁକ୍ତ ଲୋକମାନଙ୍କୁ ନିଆଯାଉ।
ପ୍ରଶ୍ନ ଉଠେ ଏହି ସମୀକ୍ଷା କରିବ କିଏ? ଅନ୍ୟ ବୃତ୍ତିରୁ ଦକ୍ଷ ଓ ଦୁର୍ନୀତିମୁକ୍ତ ବ୍ୟକ୍ତିମାନଙ୍କୁ ବାଛିବ କିଏ? ଏଥିରେ ଯେ ପୁନଶ୍ଚ ଦୁର୍ନୀତି ଓ ପକ୍ଷପାତିତା ହେବ ନାହିଁ ଏହାର ଗ୍ୟାରେଣ୍ଟି ଦେବ କିଏ?
ଏଇଠି କଥାଟିଏ ମନେ ପଡ଼େ। ଜନୈକ ଜମିଦାର ପ୍ରତ୍ୟହ ରାତିରେ କ୍ଷୀର ମାଖି ଲହୁଣି ପ୍ରସ୍ତୁତ କରିବା ପାଇଁ ଜଣେ ଲୋକକୁ ନିଯୁକ୍ତି ଦେଇଥିଲେ। ଲୋକଟି ଦିନେ ଲହୁଣି କିପରି ଲାଗୁଛି ଚାଖୁ ଚାଖୁ ପ୍ରାୟ ଚଉଠେ ହେବ ଲହୁଣି ଖାଇଦେଲା। ଜମିଦାରଙ୍କର ସନ୍ଦେହ ହେବାରୁ ସେ ସେହି ଲୋକର କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ଆଉ ଗୋଟିଏ ଲୋକ ରଖିଲେ। ଦ୍ୱିତୀୟ ଲୋକଟି ମଧ୍ୟ ପ୍ରଥମ ଲୋକ ସହିତ ମିଶି ଆଉ ଚଉଠେ ମିଶାଇ ଏମିତି ଅଧା ଲହୁଣି ଖାଇଗଲେ। ଜମିଦାରଙ୍କର ସନ୍ଦେହ ବଢ଼ିବାରୁ ସେ ଏହି ଦୁଇ ଜଣଙ୍କୁ ତଦାରଖ କରିବା ପାଇଁ ଏକ ତୃତୀୟ ଲୋକ ରଖିଲେ। ଏଣିକି ପ୍ରଥମ ଦ୍ୱିତୀୟ ସହିତ ତୃତୀୟ ଲୋକ ମିଶି ତିନି ଚଉଠ ଲହୁଣି ଖାଇଯାଇ ବାକି ଚଉଠେ ଲହୁଣି ଜମିଦାରଙ୍କୁ ଦେଲେ। ଜମିଦାର ବ୍ୟସ୍ତ ହୋଇପଡ଼ି ଶେଷକୁ ଏକ ଦକ୍ଷ ସୁପରଭାଇଜରଙ୍କୁ ନିଯୁକ୍ତି ଦେଲେ। ଦିନକର କଥା। ସୁପରଭାଇଜର ଓ ଅନ୍ୟ ତିନି ଜଣ ମିଶି ଲହୁଣି ଚାଖୁ ଚାଖୁ ପୂରା ଲହୁଣିତକ ଖାଇଗଲେ ଓ ତାଟିଆରେ ଲାଗିଥିବା ଲହୁଣି ଟିକେ ନେଇ ଅପେକ୍ଷା କରି କରି ଶୋଇପଡ଼ିଥିବା ଜମିଦାରଙ୍କ ମୋଟା ନିଶ ଉପରେ ବୋଳିଦେଲେ। ସକାଳୁ ଉଠି ଜମିଦାର ତାଗିଦ କରିବାରୁ ସମସ୍ତେ କହିଲେ, “ଆଜ୍ଞା, ଆପଣଙ୍କର ମନେ ନାହିଁ। ଆମେ କାଲି ଆପଣଙ୍କୁ ପୂରା ଲହୁଣି ଦେଇଛୁ। “ହେଇଟି ପ୍ରମାଣ ଦେଖନ୍ତୁ” ବୋଲି କହି ଗୋଟିଏ ଦର୍ପଣ ଆଣି ଜମିଦାରଙ୍କ ଲହୁଣି ଲାଗିଥିବା ନିଶକୁ ଦେଖେଇ ଦେଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭