ଶ୍ୟାମସୁନ୍ଦର ଅଗ୍ରୱାଲା
ନ୍ୟାୟ ତ ନ୍ୟାୟ ପୁଣି ସଂପୂର୍ଣ୍ଣ ନ୍ୟାୟ ଗୋଟେ କ’ଣ? ନ୍ୟାୟ ପୂର୍ବରୁ ‘ସଂପୂର୍ଣ୍ଣ’ ଶବ୍ଦର ବ୍ୟବହାର ଅନାବଶ୍ୟକ ନୁହେଁ କି? ନ୍ୟାୟ କ’ଣ ସର୍ବଦା ସଂପୂର୍ଣ୍ଣ ହୋଇ ନ ଥାଏ କି? ଏହି ପ୍ରଶ୍ନର ଉତ୍ତର ହେଉଛି ‘ନାହିଁ’ କାରଣ ଅନେକ ସମୟରେ ନ୍ୟାୟ ନ୍ୟାୟ ହୋଇ ମଧ୍ୟ ସଂପୂର୍ଣ୍ଣ ହୋଇ ନ ଥାଏ। ଏହା ସାଧାରଣତଃ ଲିଖିତ ଆଇନ କ୍ଷେତ୍ରରେ ଘଟିଥାଏ ଯେଉଁଥିରେ ଆଇନରେ ଯାହା ଲେଖାଯାଇଥାଏ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନ୍ୟାୟ କୁହାଯାଇଥାଏ, କିନ୍ତୁ ଯେତେବେଳେ କୌଣସି ଆଇନର ଅନ୍ତର୍ନିହିତ ଉଦ୍ଦେଶ୍ୟ ଅକ୍ଷରରେ ଲେଖାଯାଇଥିବା ଆଇନ ଅପେକ୍ଷା ଅଧିକ ଗୁରୁତ୍ୱ ବହନ କରିଥାଏ ସେତେବେଳେ ଏହି ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାକୁ ଯାଇ ଲିଖିତ ଆଇନ ବିରୁଦ୍ଧରେ ମଧ୍ୟ ଯେଉଁ ନ୍ୟାୟ ଦିଆଯାଇଥାଏ ତାକୁ ସଂପୂର୍ଣ୍ଣ ନ୍ୟାୟ କୁହାଯାଇଥାଏ। ଭାରତୀୟ ସଂବିଧାନରେ ଧାରା ଶହେ ବୟାଳିଶ ଅନୁଯାୟୀ କେବଳ ସର୍ବୋଚ୍ଚ ନ୍ୟାୟପାଳିକା ସୁପ୍ରିମ୍ କୋର୍ଟକୁ ହିଁ ଏହି ପ୍ରକାର ସଂପୂର୍ଣ୍ଣ ନ୍ୟାୟ ପ୍ରଦାନ କରିବାର ଅଧିକାର ଦିଆଯାଇଛି।
ଗତ ସପ୍ତାହରେ ନ୍ୟାୟମୂର୍ତ୍ତି ଶ୍ରୀନିବାସ ଓକା ତାଙ୍କ ବିଦାୟକାଳୀନ ଶେଷ ରାୟରେ ଏହି ସଂପୂର୍ଣ୍ଣ ନ୍ୟାୟ ପ୍ରଦାନର ଏକ ଚମତ୍କାର ଉଦାହରଣ ଦେଇଯାଇଛନ୍ତି। ଜଣେ ଚଉଦ ବର୍ଷୀୟା ନାବାଳିକା ତା’ ବାନ୍ଧବୀର ବଡ଼ ଭାଇ ପଚିଶ ବର୍ଷୀୟ ସାବାଳକ ଯୁବକକୁ ଭଲପାଇ ବସିଲା। ଦିନକୁ ଦିନ ସେମାନଙ୍କର ଭଲପାଇବା ଏତେ ଗଭୀର ହୋଇପଡ଼ିଲା ଯେ ସେମାନେ ନିକଟସ୍ଥ ଏକ ମନ୍ଦିରକୁ ଯାଇ ବାହା ହୋଇଗଲେ। ଏହି ଘଟଣାର ପନ୍ଦର ଦିନ ପରେ ଝିଅଟିର ମା’ ଶିଶୁ ଯୌନ ଅପରାଧ ସଂରକ୍ଷଣ ଅଧିନିୟମ ଅର୍ଥାତ୍ ପୋକ୍ସୋ ନିୟମ ଅନୁଯାୟୀ ସାବାଳକ ଯୁବକ ବିରୁଦ୍ଧରେ ଏକ ମକଦ୍ଦମା ଦାୟର କରିଦେଲେ। ଏହି ପୋକ୍ସୋ ନିୟମ ଦୁଇ ହଜାର ବାର ମସିହାରେ ପ୍ରସ୍ତୁତ ହୋଇ ଲାଗୁ କରାଯାଇଛି ଯାହାକି ନାବାଳିକାମାନଙ୍କୁ ଯୌନ ଶୋଷଣ ଓ ଉତ୍ପୀଡ଼ନରୁ ସୁରକ୍ଷା ଦେଇଥାଏ ଓ ଅଠର ବର୍ଷ ପୂର୍ବରୁ ଯୌନ ସଂପର୍କକୁ ଦଣ୍ଡନୀୟ କରିଥାଏ।
ପୁଲିସ ତୁରନ୍ତ ତନାଘନା କରି ଝିଅଟିକୁ ଧରି ଆଣି ମା’ବାପାଙ୍କ ପାଖରେ ଛାଡ଼ିଦେଲେ କିନ୍ତୁ ଝିଅଟି ଶତ ବାଧାବିଘ୍ନ ଓ ଅଟକଣ ସତ୍ତ୍ବେ ତା’ର ସ୍ୱାମୀ ପାଖକୁ ଚାଲିଯାଉଥାଏ। ଏହିପରି ଚାରି ବର୍ଷ ବିତିଗଲା। ଝିଅଟି ଗର୍ଭବତୀ ହୋଇ ଗୋଟିଏ ଝିଅକୁ ଜନ୍ମ ଦେଲା। ସେହି ଝିଅଟିକୁ ଯେତେବେଳେ ଗୋଟିଏ ବର୍ଷ ପୂରଣ ହେଲା ତା’ର ସ୍ୱାମୀକୁ ପୁନଶ୍ଚ ଗିରଫ କରାଯାଇ ପୋକ୍ସୋ ଆକ୍ଟ ଅନୁଯାୟୀ ବିଚାର କରାଗଲା ଏବଂ ତାକୁ ଏହି ନ୍ୟାୟର ଶକ୍ତ ଧାରା ଅନୁଯାୟୀ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରାଗଲା।
ଏହାପରେ ଝିଅଟିର ଦୁଃଖଦ କାହାଣୀ ଆରମ୍ଭ ହୋଇଗଲା। ସମାଜ ଓ ପରିବାରରୁ ବହିଷ୍କୃତ ହୋଇ ଏକୁଟିଆ ତା’ ସାନ ଝିଅଟିର ଲାଳନପାଳନ କଲା ଓ ତା’ ସ୍ୱାମୀକୁ ଜେଲ୍ରୁ ମୁକୁଳେଇବା ପାଇଁ ଅହରହ ସଂଘର୍ଷ କଲା। ଝିଅଟି ଆଇନକାନୁନ କ’ଣ ଜାଣିନାହିଁ। ପୋକ୍ସୋ ଆକ୍ଟ ତ ଦୂରର କଥା ନିଜେ ଜଣେ ନାବାଳିକା କି ସାବାଳିକା ଜାଣିନାହିଁ। ସେ କେବଳ ଜଣେ ଯୁବକକୁ ଭଲପାଇ ବାହା ହୋଇପଡ଼ିଛି ଓ ସଂପୂର୍ଣ୍ଣ ସହମତି ସହିତ ଉଭୟ ଘରସଂସାର କରିବାକୁ ସ୍ଥିର କରିଛନ୍ତି କିନ୍ତୁ ପୋକ୍ସୋ ଆକ୍ଟର କଡ଼ା ନିୟମ ଅନୁଯାୟୀ ତା’ର ସ୍ୱାମୀ ଯଦି କୋଡ଼ିଏ ବର୍ଷ କାଳ ଜେଲ୍ରେ ରୁହେ ତେବେ ତା’ର ଅବସ୍ଥା କ’ଣ ହେବ ବୋଲି କେହି ଭାବୁ ନାହାନ୍ତି।
ଉପରୋକ୍ତ ଘଟଣାରେ ଅଭିଯୁକ୍ତ ଯୁବକକୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଦ୍ୱାରା ନ୍ୟାୟ ପ୍ରଦାନରେ ସାମାନ୍ୟତମ ବିଚ୍ୟୁତି ହୋଇନାହିଁ। ପୋକ୍ସୋ ନିୟମକୁ କଡ଼ାକଡ଼ି ଭାବରେ ଅକ୍ଷରେ ଅକ୍ଷରେ ପାଳନ କରାଯାଇ ନ୍ୟାୟ ପ୍ରଦାନ କରାଯାଇଛି କିନ୍ତୁ ଏହା ପୋକ୍ସୋ ନିୟମର ଉଦ୍ଦେଶ୍ୟ ପୂରଣ କରୁଛି କି? ଏହି ନ୍ୟାୟ ପ୍ରଦାନ ପୀଡ଼ିତାକୁ ପରିବାରର ଶୋଷଣ ଓ ସମାଜର ଉତ୍ପୀଡ଼ନରୁ ସୁରକ୍ଷା ପ୍ରଦାନରେ ସାହାଯ୍ୟ କରୁଛି କି? ଏହା କାଗଜକଲମରେ ନ୍ୟାୟ ହୋଇପାରେ କିନ୍ତୁ ପୀଡ଼ିତାକୁ ଏହି ନ୍ୟାୟ ବହୁତ ଭାରି ପଡ଼ିପାରେ। ଏହି ମତାମତ ରଖି ନ୍ୟାୟମୂର୍ତ୍ତି ଶ୍ରୀନିବାସ ଓକା ତାଙ୍କର ବିଦାୟକାଳୀନ ରାୟରେ ସଂବିଧାନର ଧାରା ଶହେ ବୟାଳିଶକୁ ବ୍ୟବହାର କରି ପୀଡ଼ିତାର ସ୍ୱାମୀକୁ ମୁକ୍ତ କରିଦେଇ ତାକୁ ସଂପୂର୍ଣ୍ଣ ନ୍ୟାୟ ପ୍ରଦାନ କଲେ ଓ ଝିଅଟିକୁ ତା’ ପରିବାର ସହିତ ସୁଖରେ ବଞ୍ଚିବାର ଅଧିକାର ଦେଲେ।
ବନ୍ଧୁଗଣ, ଅନେକ ସମୟରେ ଲିଖିତ ଆଇନର ପ୍ରଭାବ ନ୍ୟାୟ ପ୍ରଦାନ କରିବାରେ ଅନ୍ତରାୟ ସୃଷ୍ଟି କରିଥାଏ। କଥାଟିଏ କହୁଛି। ବାପା ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଲିଖିତ ଇଚ୍ଛାପତ୍ର ଛାଡ଼ିଯାଇଥିଲେ ଯେ ତାଙ୍କ ଘୋଡ଼ାଶାଳରେ ଯେତେ ଘୋଡ଼ା ଅଛି ତା’ର ଅଧା ବଡ଼ ପୁଅକୁ, ବଡ଼ ପୁଅର ଅଧା ମଝିଆଁ ପୁଅକୁ ଓ ମଝିଆଁ ପୁଅର ଅଧା ସାନ ପୁଅକୁ ବାଣ୍ଟି ଦିଆଯିବ। ମୃତ୍ୟୁ ପରେ ଦେଖାଗଲା ତାଙ୍କ ଘୋଡ଼ାଶାଳରେ ସାତଟି ଘୋଡ଼ା ଅଛି। କେମିତି ବଣ୍ଟା ଯିବ? ଘୋଡ଼ାଗୁଡ଼ିକୁ କାଟି ଖଣ୍ଡ ଖଣ୍ଡ କଲେ ଯାଇ ବଣ୍ଟା ହୋଇପାରିବ। ତିନି ଜଣଯାକ ପୁଅ ନିଜ ନିଜ ଜିଦରେ ଅଟଳ ରହିଲେ। ଘୋଡ଼ା ପଛେ କଟାଯିବ କିନ୍ତୁ ଭାଗବଣ୍ଟା ଲିଖିତ ଇଚ୍ଛାପତ୍ର ଅନୁଯାୟୀ ହେବ।
ଏହିଭଳି ଯୁକ୍ତିତର୍କ ଚାଲିଥିବାବେଳେ ଜଣେ ସନ୍ନ୍ୟାସୀ ଗୋଟିଏ ଘୋଡ଼ା ଉପରେ ବସି ସେହି ବାଟଦେଇ ଯାଉଥିଲେ। ସେ କ’ଣ କଲେ ନା ତାଙ୍କ ନିଜ ଘୋଡ଼ାଟିକୁ ଭାଇମାନଙ୍କୁ ଦେଇଦେଲେ। ବର୍ତ୍ତମାନ ଘୋଡ଼ାର ସଂଖ୍ୟା ଆଠ ହୋଇଗଲା। ବଡ଼ ପୁଅ ତା’ର ଅଧା ଚାରିଟି, ମଝିଆଁ ପୁଅ ତା’ର ଅଧା ଦୁଇଟି ଓ ସାନ ପୁଅ ତା’ର ଅଧା ଗୋଟିଏ ଘୋଡ଼ା ନେଇ ଚାଲିଗଲେ। ବାକି ରହିଗଲା ଗୋଟିଏ ଘୋଡ଼ା, ଯେଉଁଟିକୁ ସନ୍ନ୍ୟାସୀ ତାଙ୍କ ଆଶ୍ରମକୁ ନେଇ ଫେରିଗଲେ। କଥା ହେଉଛି ବାପା ଇଚ୍ଛାପତ୍ର ଲେଖିଲାବେଳେ ଜାଣି ନ ଥିଲେ ଯେ ତାଙ୍କ ମୃତ୍ୟୁ ପରେ ସାତଟି ଘୋଡ଼ା ରହିବ ବୋଲି, କିନ୍ତୁ ତାଙ୍କ ଇଚ୍ଛାକୁ ସମ୍ମାନ ଜଣେଇ ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ତିନି ପୁଅଙ୍କ ଭିତରେ ଚାରି, ଦୁଇ ଓ ଏକ କରି ବାଣ୍ଟି ଦେଇପାରିଥାନ୍ତା ଓ ଲିଖିତ ଆଇନର ଊର୍ଦ୍ଧ୍ବକୁ ଯାଇ ଏହି ସଂପୂର୍ଣ୍ଣ ନ୍ୟାୟ ପ୍ରଦାନ ନିମନ୍ତେ ସନ୍ନ୍ୟାସୀଙ୍କ ଘୋଡ଼ାର ଆବଶ୍ୟକତା ପଡ଼ିନଥାନ୍ତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭