ଶ୍ୟାମସୁନ୍ଦର ଅଗ୍ରୱାଲା
“ରାଜା ରାମ ହୁଅନ୍ତୁ କି ରାବଣ, ଜନତା ଜଣେ ନିରୀହା ସୀତାଙ୍କ ପରି ହୋଇଥାଏ। ରାଜା ରାବଣ ହୋଇଥିଲେ ତାଙ୍କୁ ବନବାସରୁ ଚୋରି କରେଇ ନିଆଯାଇଥାଏ, ଆଉ ରାଜା ରାମ ହୋଇଥିଲେ ତାଙ୍କୁ ଅଗ୍ନିପରୀକ୍ଷା କରେଇ ବନବାସକୁ ପଠେଇ ଦିଆଯାଇଥାଏ। ରାଜା ପାଣ୍ଡବ ହୁଅନ୍ତୁ କି କୌରବ ଜନତା ଜଣେ ଅସହାୟା ଦ୍ରୌପଦୀଙ୍କ ପରି ହୋଇଥାଏ। ରାଜା କୌରବ ହୋଇଥିଲେ ତାଙ୍କର ବସ୍ତ୍ରହରଣ କରେଇ ଦିଆଯାଇଥାଏ, ଆଉ ରାଜା ପାଣ୍ଡବ ହୋଇଥିଲେ ତାଙ୍କୁ ଜୁଆରେ ଲଗେଇ ଦିଆଯାଇଥାଏ। ରାଜା ହିନ୍ଦୁ ହୁଅନ୍ତୁ କି ମୁସଲମାନ ଜନତା ଶବଟିଏ ପରି ପଡ଼ିଥାଏ। ରାଜା ହିନ୍ଦୁ ହୋଇଥିଲେ ତାଙ୍କୁ ମାଟିରେ ଜଳେଇ ଦିଆଯାଇଥାଏ, ଆଉ ରାଜା ମୁସଲମାନ ହୋଇଥିଲେ ତାକୁ ମାଟିରେ ପୋତି ଦିଆଯାଇଥାଏ।”
ଉପରୋକ୍ତ ବକ୍ତବ୍ୟରେ ପ୍ରସିଦ୍ଧ ହାସ୍ୟକବି ସୁରେନ୍ଦ୍ର ଶର୍ମା ପୁନଶ୍ଚ କୁହନ୍ତି “ଆଧୁନିକ ରାଜନୀତିରେ ସତ୍ତା ପରିବର୍ତ୍ତନ ହୋଇଥାଏ, କିନ୍ତୁ ବ୍ୟବସ୍ଥା ନୁହେଁ; ଚେହେରା ପରିବର୍ତ୍ତନ ହୋଇଥାଏ, କିନ୍ତୁ ଚରିତ୍ର ନୁହେଁ; ମୁଖା ପରିବର୍ତ୍ତନ ହୋଇଥାଏ କିନ୍ତୁ ମୁହଁ ନୁହେଁ।” ଏହା ସତ୍ୟ ଓ ସଂପ୍ରତି ଆମ ରାଜ୍ୟ ରାଜନୀତିରେ ଏହି ସତ୍ୟ ବାରମ୍ବାର ପ୍ରମାଣିତ ହୋଇଆସୁଛି। ମନେ ପକାନ୍ତୁ ଆଜକୁ ବାର ବର୍ଷ ତଳେ ‘ଇତିଶ୍ରୀ’ ଘଟିଥିଲା ଓ ଆଜି ‘ସୌମ୍ୟାଶ୍ରୀ’ ଘଟିଛି। ଗୋଟିଏ ଯୁଗ ବିତିଗଲାଣି, କିନ୍ତୁ ଏହିପରି ଗୋଟିଏ ପରେ ଗୋଟିଏ ଘଟିଚାଲିଛି। ଏହା ଭିତରେ ସତ୍ତା ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ବ୍ୟବସ୍ଥା ଯେମିତି କି ସେମିତି ରହିଛି। ସରକାରଙ୍କର ଚେହେରା ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ଚରିତ୍ର ଯାହା ଥିଲା ତାହା ରହିଛି। ମୁଖୌଟା ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ମୁହଁ ଯାହା ଥିଲା ତାହା ରହିଛି।
ଘଟଣାବଳୀକୁ ଦେଖିଲେ ମନେ ହୁଏ, ଗୋଟିଏ ଯୁଗ ପରେ ମଧ୍ୟ ବ୍ୟବସ୍ଥାର ସାମାନ୍ୟତମ ପରିବର୍ତ୍ତନ ହୋଇନାହିଁ। ଇତିଶ୍ରୀ ଶିକ୍ଷୟିତ୍ରୀ ଥିଲେ। ସୌମ୍ୟାଶ୍ରୀ ଛାତ୍ରୀ। ଇତିଶ୍ରୀଙ୍କ ଯୌନ ନିର୍ଯାତନା ବିଷୟରେ ଲିଖିତ ଅଭିଯୋଗ ସତ୍ତ୍ବେ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଇତିଶ୍ରୀଙ୍କ ପାଖରେ ଅନେକ ପ୍ରମାଣ ଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ସ୍ୱୀକାର କଲେ ନାହିଁ। ସୌମ୍ୟାଶ୍ରୀ ଯୌନ ନିର୍ଯାତନା ବିରୋଧରେ ସାଂସଦଙ୍କଠୁ ନେଇ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ବିଭାଗୀୟ ମୁଖ୍ୟ ତାଙ୍କୁ ଏକାନ୍ତରେ “ମୋତେ ତୁମଠୁ ‘ଫେଭର’ ଦରକାର ବୋଲି କହିଥିବାର ଠୋସ୍ ପ୍ରମାଣ ଦେଇପାରିଲେ ନାହିଁ। ତୁମେ ଏତେ ବଡ଼ ଝିଅ ହେଲଣି, ଆଉ ‘ଫେଭର’ କ’ଣ ବୁଝିପାରୁ ନାହଁ?” ଏ କଥା କ’ଣ ଜଣେ ଲମ୍ପଟ ପୁରୁଷ ଗୋଟିଏ ଝିଅକୁ ଦଶ ପନ୍ଦର ଜଣଙ୍କ ସାମ୍ନାରେ କହିଥାନ୍ତା? କିଏ ଏହାର ଅଡିଓ ଓ ଭିଡିଓ ରେକର୍ଡିଂ କରିଥାନ୍ତା? ଆଭ୍ୟନ୍ତରୀଣ ତଦନ୍ତ କମିଟି କି ପ୍ରକାର ପ୍ରମାଣ ଚାହୁଁଥିଲା ତାହା ବୁଝି ହୁଏନା।
ଇତିଶ୍ରୀ ତାଙ୍କ ଅଭିଯୋଗ ନେଇ ମହିଳା କମିସନ, ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ପୁଲିସ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କୁ କର୍ଣ୍ଣପାତ କରି ନ ଥିଲେ। ସୌମ୍ୟାଶ୍ରୀ ତାଙ୍କ ଅଭିଯୋଗ ନେଇ ମାନ୍ୟବର ସାଂସଦ, କଲେଜ ଅଧ୍ୟକ୍ଷ, ସ୍ଥାନୀୟ ପ୍ରଶାସନ ଓ ପ୍ରମୁଖ ଗଣମାଧ୍ୟମମାନଙ୍କରେ ଟ୍ବିଟ୍ ଓ ସାକ୍ଷାତ୍କାର ଦେଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକ କିମ୍ବା ବିଭାଗୀୟ ମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନ ଥିଲେ। ଇତିଶ୍ରୀଙ୍କ ଉପରେ ଯେତେ ଚାପ ପକାଯାଇଥିଲେ ମଧ୍ୟ ସେ ଅନ୍ୟାୟ ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ସୌମ୍ୟାଶ୍ରୀଙ୍କୁ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିଦେବାକୁ ଅଧ୍ୟକ୍ଷ ଯେତେ ବୁଝେଇଥିଲେ ମଧ୍ୟ ସେ ସାମାନ୍ୟତମ ନଇଁ ନ ଥିଲେ। ଶେଷକୁ ଯାହା ହେବାର କଥା ହେଲା। ଜଣକୁ ନିଆଁରେ ପୋଡ଼ି ମାରି ଦିଆଗଲା ତ ଆଉ ଜଣକୁ ନିଆଁରେ ପୋଡ଼ିହୋଇ ମରିବାକୁ ପଡ଼ିଲା।
ମନେ ପଡ଼େ ଇତିଶ୍ରୀଙ୍କ ସମୟରେ ଯେଉଁମାନେ ସତ୍ତାରେ ଥିଲେ ସେମାନେ ଏହାର ନିଆଁକୁ ଲିଭେଇ ଦେବାକୁ ଯେତିକି ଚେଷ୍ଟା କରିଥିଲେ ସେତିକି ଚେଷ୍ଟା କରି ସତ୍ତାର ବିରୋଧୀ ସାରା ଓଡ଼ିଶାରେ ନିଆଁ ଲଗେଇ ଦେଇଥିଲେ। ସେତେବେଳେ ସତ୍ତାରେ ଥିବା ସରକାର ଚୁପ୍ ରହିଥିଲା ବେଳେ ବିରୋଧୀ ତାଙ୍କର ଇସ୍ତଫା ଦାବି କରି ଓଡ଼ିଶା ବନ୍ଦ ଡାକରା ଦେଇଥିଲେ। ଆଜି ପାର୍ଶ୍ବ ପରିବର୍ତ୍ତନ ହୋଇଯାଇଛି। ‘ଇତିଶ୍ରୀ’ରେ ଯେଉଁମାନେ ବିରୋଧୀ ଥିଲେ ‘ସୌମ୍ୟାଶ୍ରୀ’ରେ ସେମାନେ ସତ୍ତାରେ ଅଛନ୍ତି, ତେଣୁ ସେମାନେ ସଫେଇ ଦେଇ ଚାଲିଥିବା ବେଳେ ସେତେବେଳେ ଯେଉଁମାନେ ସତ୍ତାରେ ଥିଲେ ସେମାନେ ବର୍ତ୍ତମାନ ଓଡ଼ିଶା ସାରା କମ୍ପମାନ କରି ବନ୍ଦ ଡାକରା ଦେଇଛନ୍ତି। ଅର୍ଥାତ୍ ଗୋଟିଏ ଯୁଗ ଭିତରେ ସତ୍ତା ପରିବର୍ତ୍ତନ ହୋଇଯାଇଛି ସତ, କିନ୍ତୁ ବ୍ୟବସ୍ଥା ସେତେବେଳେ ଯାହାଥିଲା ଆଜି ବି ତାହା ରହିଛି।
ଏହା ଭିତରେ ଏମାନଙ୍କର ସମାନ କଥା ମଧ୍ୟ ବାରମ୍ବାର ଶୁଣିବାକୁ ମିଳୁଛି। “ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଛଡ଼ାଯିବ ନାହିଁ। ଏହାକୁ ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ। ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ।” ସେତେବେଳେ ଯେଉଁ ଶବ୍ଦ ଓ ସ୍ୱର ଶୁଣିବାକୁ ମିଳୁଥିଲା ବର୍ତ୍ତମାନ ଠିକ୍ ସେଇୟା ଶୁଣିବାକୁ ମିଳୁଛି। ମୁହଁ ବଦଳି ନାହିଁ ଖାଲି ଯାହା ମୁଖା ବଦଳିଯାଇଛି। ଇଏ କହୁଛି ସିଏ ‘କୁମ୍ଭୀର କାନ୍ଦଣା’ କରୁଛି, ସିଏ କହୁଛି ଇଏ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛି। କାନ୍ଦଣା ସତ, ଖାଲି ଯାହା କୁମ୍ଭୀର ବଦଳିଯାଇଛି। ଇଏ କହୁଛି ‘‘ଗୋଦରୀ ଲୋ ତୋ’ ଗୋଡ଼କୁ ଅନା’’, ସିଏ କହୁଛି ‘‘ଗୋଦରୀ ଲୋ ତୋ ଗୋଡ଼କୁ ଅନା’’। ଗୋଦରା ଗୋଡ଼ ଅଛି, ଖାଲି ଯାହା ଗୋଦରୀ ବଦଳି ଯାଇଛି। ସତ କହିବାକୁ ଗଲେ ଦୁଇ ଜଣଯାକ ମୁତୁରୀ ତେଣୁ ହେଁସ ଯେମିତି କି ସେମିତି ଗନ୍ଧିଆ ହୋଇପଡ଼ିଛି।
ଏସବୁ ଦେଖି ଜନତା ଭକୁଆ ହୋଇ ଛିଡ଼ାହୋଇଛି। ଏହି ଗନ୍ଧିଆ ହେଂସ ଉପରେ ସେ କେବଳ ହନ୍ତସନ୍ତ ହେଉଛି। ଏଇଠି ସତୁରି ଦଶକର ଏକ ବିଜ୍ଞାପନ ମନେ ପଡ଼ିଯାଉଛି। ଯେତେବେଳେ ‘ଟିନୋପଲ’ ନାମକ ଏକ ଲୁଗାଧୂଆ ପାଉଡର ‘ରାନୀପାଲ’ ନାମକୁ ପରିବର୍ତ୍ତନ ହେଲା, ସେତେବେଳେ ପ୍ରସାର କରାଗଲା “ସେଇ ଜିନିଷ ସେଇ କାମ, ଏବେ କିନ୍ତୁ ନୂଆ ନାମ।” ମନେ ହୁଏ ବର୍ତ୍ତମାନ କେବଳ ନାମ ପରିବର୍ତ୍ତନ ହୋଇଯାଇଛି, କିନ୍ତୁ କାମ ତାଙ୍କର ଯାହା ଥିଲା ୟାଙ୍କର ବି ସେଇୟା ରହିଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭