ଶ୍ୟାମସୁନ୍ଦର ଅଗ୍ରୱାଲା

Advertisment

ବଜାରର ଏକ ସ୍ୱତନ୍ତ୍ର ନିୟମ ଥାଏ। ଏହି ନିୟମ ସାଧାରଣତଃ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରିଥାଏ। ଏଠାରେ ରାଜନୀତି ନୁହେଁ, ଅର୍ଥନୀତି କାମ କରିଥାଏ। ଖାଣ୍ଟି ସୁନାରେ ପ୍ରସ୍ତୁତ କରି ଯେଉଁ ଦୋକାନୀ ସବୁଠୁ ଶସ୍ତାରେ ଗହଣା ବିକ୍ରୟ କରିଥାଏ ଗରାଖମାନେ ତା’ଠୁ ହିଁ କିଣିଥାନ୍ତି ଆଉ କିଣିଲା ବେଳେ ଦୋକାନୀର ଧର୍ମ କ’ଣ ବୋଲି ପଚାରି ନଥାନ୍ତି। ଅଳ୍ପ ମଜୁରି ଓ ଠିକ୍ ମାପରେ ଯେଉଁ ଦରଜି ସମୟ ଅନୁସାରେ କୁର୍ତ୍ତା ପାଇଜାମା ସିଲେଇ କରିଦେଇଥାଏ, ଗରାଖମାନେ ତାକୁ ହିଁ ବାଛିଥାନ୍ତି ଆଉ ବାଛିଲା ବେଳେ ଦରଜିର ଜାତି କ’ଣ ବୋଲି ପଚାରି ନଥାନ୍ତି। 
ଠିକ୍ ସେମିତି ଟିଭି ହେଉ କି ଫ୍ରିଜ, ଏସି ହେଉ କି କୁଲର, କ୍ୟାମେରା ହେଉ କି କମ୍ପ୍ୟୁଟର, ମୋବାଇଲ ଫୋନ ହେଉ କି ଲ୍ୟାପଟପ, ଓଭେନ ହେଉ କି ୱାସିଙ୍ଗ ମେସିନ, ସୋଫା ସେଟ ହେଉ କି ଡାଇନିଂ ଟେବୁଲ, ଏପରିକି ଜୋତା ହେଉ କି ଚପଲଟିଏ ଖର୍ଦ୍ଦି କଲା ବେଳେ ଗରାଖମାନେ ଏହାର ଗଢ଼ଣ, ପ୍ରକାର ଭେଦ, ମୂଲ୍ୟ, ଗୁଣବତ୍ତା ଓ ବିକ୍ରୟ ପର ସେବାର ଉଚ୍ଚକୋଟୀ ପ୍ରଦର୍ଶନକୁ ହିଁ ପ୍ରଥମେ ଦେଖିଥାନ୍ତି ଏବଂ ଏହା ଭାରତରେ ପ୍ରସ୍ତୁତ ହେଇଛି କି ଚୀନରେ ପ୍ରସ୍ତୁତ ହୋଇଛି ଦେଖି କି ମଧ୍ୟ ଅଣଦେଖା କରିଦେଇଥାନ୍ତି। 
ଏହା ବଜାରରେ ଖର୍ଦ୍ଦି କରୁଥିବା ଏକ ସାଧାରଣ ଗରାଖର ବ୍ୟବହାର। ଏହାର କଁା ଭଁା ବ୍ୟତିକ୍ରମ ହୁଏତ ଥାଇପାରେ କିନ୍ତୁ, ଦ୍ରବ୍ୟର ମୂଲ୍ୟ ଓ ଗୁଣବତ୍ତା ସହିତ ସାଲିସ କରି କେବଳ ଜାତି, ଧର୍ମ, ଜାତୀୟତା, କିମ୍ବା ଦେଶପ୍ରେମ ଆଧାରରେ ଆପଣ ସାଧାରଣ ଗରାଖମାନଙ୍କୁ କସ୍ମିନ କାଳେ ଲମ୍ବା ସମୟ ଧରି କୌଣସି ଦ୍ରବ୍ୟ ବିକ୍ରୟ କରିପାରିବେ ନାହିଁ। ତେଣୁ ଯେଉଁ ଦେଶ ଜାତୀୟତା ଆଧାରରେ ବଜାରରେ ବିକ୍ରି କରିବାକୁ ଚାହୁଁଛି, ସେହି ଦେଶକୁ ପ୍ରଥମେ ତାହାର ସ୍ୱଦେଶୀ ଦ୍ରବ୍ୟମାନଙ୍କର ମୂଲ୍ୟ, ଗୁଣବତ୍ତା ଓ ବିକ୍ରୟ ପର ସେବାକୁ ଅତ୍ୟନ୍ତ ଉତ୍କୃଷ୍ଟ କରିବାକୁ ପଡ଼ିବ, ନଚେତ ବିଦେଶ ନିର୍ମିତ ଦ୍ରବ୍ୟକୁ ବର୍ଜନ କରି କେବଳ ସ୍ୱଦେଶୀ ଦ୍ରବ୍ୟ କିଣିବାର କୌଣସି ଅନୁରୋଧକୁ ଗରାଖମାନେ କର୍ଣ୍ଣପାତ କରିବେ ନାହିଁ। 
ଖୁସିର କଥା ଯେ ଆଜି ଆମ ଭାରତବର୍ଷରେ ଅନେକ ଦେଶପ୍ରେମୀ ବିଦେଶୀ ଦ୍ରବ୍ୟ ଖର୍ଦ୍ଦି ନ କରି କେବଳ ସ୍ୱଦେଶରେ ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକୁ ଖର୍ଦ୍ଦି କରିବାକୁ ଅନୁରୋଧ କରୁଛନ୍ତି। ଏହା ଅତ୍ୟନ୍ତ ଠିକ୍ ଅନୁରୋଧ, ଯାହା ଦ୍ୱାରା ଆମ ଦେଶର ଅର୍ଥନୀତି ସୁଦୃଢ଼ ହେବ ଆଉ ଯାହାକୁ କୁହନ୍ତି ଆମ ଘର ପଇସା ବାହାରକୁ ନ ଯାଇ ଆମ ଘରେ ରହିବ। କିନ୍ତୁ ଏ କଥା ମାନିବା ପୂର୍ବରୁ ଥରେ ଆମ ଦେଶର ବଜାରକୁ ଯାଇ ଦେଖନ୍ତୁ ତ? ଆମ ଦେଶର ବଜାରରେ ଉଚିତ ମୂଲ୍ୟରେ ଉତ୍କୃଷ୍ଟ ସ୍ୱଦେଶୀ ଦ୍ରବ୍ୟମାନ ଉପଲବ୍‌ଧ ହେଉଛି କି? ମୋବାଇଲ ଫୋନଟିଏ ହେଉ କି କମ୍ପ୍ୟୁଟରଟିଏ ହେଉ, କ୍ୟାମେରାଟିଏ ହେଉ କି ଲ୍ୟାପଟପଟିଏ ହେଉ, ଟିଭି ହେଉ କି ଫ୍ରିଜ ହେଉ, ଏପରିକି ଚଉକି, ଟେବୁଲ ଆଉ ଖେଳନା ଓଗେର ସବୁ ତ ବିଦେଶୀ ଦ୍ରବ୍ୟ ଶସ୍ତାରେ ଭରପୂର ଉପଲବ୍‌ଧ ହେଉଛି। ଗରାଖମାନେ ସ୍ୱଦେଶୀ ଚାହିଁକି ବି କିଣିବେ କେଉଁଠୁ? 
ପ୍ରଶ୍ନ ଉଠେ ଉତ୍କୃଷ୍ଟ ସ୍ୱଦେଶୀ ଦ୍ରବ୍ୟ ବଜାରରେ ମିଳୁନାହିଁ କାହିଁକି? ଏହାର ଉତ୍ତର ହେଉଛି ଯେ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଶିଳ୍ପ, ବ୍ୟବସାୟ ଓ ସମୃଦ୍ଧିକୁ ପ୍ରାଥମିକତା ନ ଦେଇ କେବଳ ଜାତି, ଧର୍ମ, ଭାଷା, ଆରକ୍ଷଣ ଓ ମାଗଣା ବଣ୍ଟନରେ ବ୍ୟସ୍ତ ରହିଲୁ। ବଜାର ଦେଖିବାକୁ କିମ୍ବା ବଜାରରେ କ’ଣ ହେଉଛି ଜାଣିବାକୁ ଆମ ପାଖରେ ଇଚ୍ଛା ନାହିଁ କି ସମୟ ନାହିଁ। ବିଡ଼ମ୍ବନାର ବିଷୟ ଯେ ଆଜି ଆମେ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତି ହିସାବରେ ସ୍ଥାନ ପାଇବାକୁ ଯାଉଛୁ, କିନ୍ତୁ ଆଜି ବି ଆମେ ଦେଶର ଅଶୀ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଇବାକୁ ଚାଉଳ ବାଣ୍ଟୁଛୁ। ଆମ ସରକାରଙ୍କ ଦୟାରୁ ଏଠି ଜଣେ ଜନନୀ ସୁରକ୍ଷା ଯୋଜନାରେ ଜନ୍ମ ହେଉଛି, ଶିଶୁ ସୁରକ୍ଷା ଯୋଜନାରେ ଲାଳିତ ପାଳିତ ହେଉଛି, ମେଧାବୀ ଛାତ୍ର ଯୋଜନାରେ ପାଠ ପଢୁଛି, ଆଦର୍ଶ ବିବାହ ଯୋଜନାରେ ବାହା ହେଉଛି, ଆୟୁଷ୍ମାନ ଯୋଜନାରେ ଚିକିତ୍ସିତ ହେଉଛି, ତୀର୍ଥ ଯୋଜନାରେ ଭ୍ରମଣ କରୁଛି ଓ ଶେଷକୁ ମହାପ୍ରୟାଣ ଯୋଜନାରେ ତା’ର ଶେଷ କୃତ୍ୟ ହେଉଛି। ଅର୍ଥାତ୍‌ ଜଣେ ମାହାଳିଆ ଜନ୍ମ ହେଉଛି, ମାହାଳିଆ ବଡ଼ ହେଉଛି, ମାହାଳିଆ ଖାଉଛି, ପିଉଛି ଆଉ ଶେଷକୁ ମୃତ୍ୟୁ ପରେ ବି ମାହାଳିଆ ଯୋଜନାର ଲାଭ ନେଉଛି। ପ୍ରଶ୍ନ ଉଠେ ଏହି ରେୱଡ଼ି ଯୋଜନା ଭିତରେ ଶିଳ୍ପ ଓ ସମୃଦ୍ଧିର ଗାଡ଼ି ଟାଣିବ କିଏ? ଯେଉଁ ଗାଡ଼ିର ଘୋଡ଼ା ମୁହଁରେ ଆପଣ ଦାନାର ତୋବଡ଼ା ବାନ୍ଧିଦେବେ, ସେ ଘୋଡ଼ା ଆଉ ଗାଡ଼ି ଟାଣିବ କି?
ତେଣୁ ଯାହା ହେବା କଥା ତାହା ହେଉଛି, ଆମର ଏଠି ଶିଳ୍ପ ନାହିଁ କି ବ୍ୟବସାୟ ନାହିଁ; ଏହାର ପରିବେଶ ନାହିଁ କି ଭିତ୍ତିଭୂମି ନାହିଁ; ନିଜସ୍ୱ ଅର୍ଥ ନାହିଁ କି ବ୍ୟାଙ୍କର ଋଣ ନାହିଁ ଏବଂ ବଜାରରେ କେଉଁଠି ମାଲିକ ନାହିଁ କି ଶ୍ରମିକ ନାହିଁ। ଆଜି ଆମର ଯୁବସମାଜ ଜୀବନର ଅଧା ସମୟ କେବଳ ସରକାରୀ ଚାକିରି ଅନ୍ୱେଷଣର ବ୍ୟସ୍ତ, ସେଥିପାଇଁ ଜାତି ଆରକ୍ଷଣରେ ବ୍ୟସ୍ତ କିମ୍ବା କେଉଁଠି କ’ଣ ମାହାଳିଆ ମିଳୁଛି ତାହା ଖୋଜିବାରେ ବ୍ୟସ୍ତ। ଆପଣ ବଢ଼େଇଟିଏ ଡାକି ଘର ପାଇଁ ଗୋଟେ ଡାଇନିଂ ଟେବୁଲ ଓ ସୋଫା ସେଟ ପ୍ରସ୍ତୁତ କରିବାକୁ ଚେଷ୍ଟା କରି ଦେଖନ୍ତୁ ତ। ଗୁଡ଼ାଏ ଖୋସାମତି ଓ ଅଯଥା ଟଙ୍କା ସ୍ୱାହା କରି ଅଙ୍କାବଙ୍କା ସାମଗ୍ରୀ ପ୍ରସ୍ତୁତ କରିବା ଅପେକ୍ଷା ଗରାଖଟିଏ ଯଦି ବଜାରରେ ମିଳୁଥିବା ଶସ୍ତା ଓ ସୁନ୍ଦର ମେଡ ଇନ ଚାଇନା ସୋଫା ସେଟ ଓ ଡାଇନିଂ ଟେବୁଲ କିଣି ଆଣୁଛି, ତେବେ ତାକୁ ଆପଣ ଏଥିରୁ ନିବୃତ୍ତ କରେଇବେ କେମିତି?
ସାଧାରଣ ଗରାଖଙ୍କ କଥା ଛାଡ଼ନ୍ତୁ, ଖୋଦ ସରକାର ମଧ୍ୟ ଏହି ବିଦେଶୀ ଆକର୍ଷଣରୁ ବର୍ତ୍ତି ପାରୁନାହାନ୍ତି। ପ୍ରତି ବର୍ଷ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଉପଲକ୍ଷେ ଆମ ରାଜ୍ୟର ଲୋକସେବା ଭବନ, ଖାରବେଳ ଭବନ, ବିଧାନସଭା ଭବନ, ସୂଚନା ଭବନ, ପୁଲିସ ଭବନ, ଅତିଥି ଭବନ ଓ ବୟନିକା ଭବନ ଓଗେର ସବୁ ସରକାରୀ କୋଠାବାଡ଼ି ଚିକ୍‌ମିକ୍‌ ରଙ୍ଗିନ ବିଦ୍ୟୁତ୍‌ ବତି ଆଲୁଅରେ ଝଲସି ଉଠୁଛି। ଏହି ରଙ୍ଗିନ ବିଦ୍ୟୁତ୍‌ ବତିସବୁ ‘ମେଡ୍ ଇନ ଇଣ୍ଡିଆ’ କି ‘ମେଡ୍ ଇନ ଚାଇନା’ କେବେ ଦେଖିଛନ୍ତି କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

ବି.ଦ୍ର.- ‘ଚିନ୍ମୟ ଚେତନା’ ସ୍ତମ୍ଭ ବୁଧବାର ପ୍ରକାଶ ପାଇବ