ଶ୍ୟାମସୁନ୍ଦର ଅଗ୍ରୱାଲା

Advertisment

ମୂର୍ଖ ରାଜା ଉଲଗ୍ନ ହୋଇ ନଗର ପରିଭ୍ରମଣ କରୁଛନ୍ତି। ସମସ୍ତେ ରାଜାଙ୍କର ତଥାକଥିତ ଝୀନ ବସ୍ତ୍ରର ପ୍ରଶଂସା କରୁଛନ୍ତି, କିନ୍ତୁ କେହି କହିବାକୁ ସାହସ କରୁନାହାନ୍ତି- “ହେ ମହାରାଜ, ଆପଣ ଉଲଗ୍ନ।” କିଏ କାହିଁକି କହିବ? ମାଡ଼କୁ କାହାର ଡର ନାହିଁ? ଆଧୁନିକ ପୃଥିବୀର ଅନ୍ୟତମ ମୂର୍ଖ ରାଜା କାଶ୍ମୀରକୁ ଭାରତ-ପାକିସ୍ଥାନର ‘ହଜାର ହଜାର ବର୍ଷର ସମସ୍ୟା’ ବୋଲି କହିଆସୁଛନ୍ତି, କିନ୍ତୁ କେହି ତାଙ୍କୁ କହୁନାହାନ୍ତି- “ହେ ମହାଶୟ, ଏହି ମାତ୍ର ପାଖାପାଖି ଅଶୀ ବର୍ଷ ତଳେ ଉଭୟ ଭାରତ ଓ ପାକିସ୍ଥାନ ସ୍ୱାଧୀନତା ପାଇଛନ୍ତି ଏବଂ ସେହି ଦିନଠୁ ହିଁ କାଶ୍ମୀର ସମସ୍ୟା ଲାଗି ରହିଛି।” ଆଶ୍ଚର୍ଯ୍ୟ ଲାଗେ ‘ହଜାର ହଜାର ବର୍ଷର ସମସ୍ୟା’ ବୋଲି ସେ ଥରେ ନୁହେଁ କି ଦୁଇ ଥର ନୁହେଁ, ବାରମ୍ବାର କହି ଆସୁଛନ୍ତି ଏବଂ ତାଙ୍କର ବୈଦେଶିକ ବିଭାଗ କି ରାଷ୍ଟ୍ରଦୂତ କି କୌଣସି ଉପଦେଷ୍ଟା ଏହି ସାମାନ୍ୟ ଭୁଲ୍‌ଟିକୁ ତାଙ୍କୁ ଜଣେଇବାକୁ ସାହସ କରିପାରୁନାହାନ୍ତି। ଭାରତବର୍ଷର ବୈଦେଶିକ ବିଭାଗ ମଧ୍ୟ ଏ କଥା ଶୁଣି ହସୁଥିଲା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ଏହାର ମୁହଁତୋଡ଼ ଜବାବ ଦେଇପାରୁ ନାହାନ୍ତି। 
ଏଠି ବିଶିଷ୍ଟ ହିନ୍ଦୀ କବି ଗୋରଖ ପାଣ୍ଡେଙ୍କର ଦୁଇ ଧାଡ଼ି କବିତା ମନେ ପଡ଼େ। ଏହାର ଓଡ଼ିଆ ହେଉଛି- “ରାଜା କହୁଛନ୍ତି ରାତି ହୋଇଛି, ରାଣୀ କହୁଛନ୍ତି ରାତି ହୋଇଛି, ମନ୍ତ୍ରୀ କହୁଛନ୍ତି ରାତି ହୋଇଛି, ସନ୍ତ୍ରୀ କହୁଛନ୍ତି ରାତି ହୋଇଛି, ଆଉ ଏ କଥା କହିଲା ବେଳେ ସେଠି ସକାଳ ହୋଇଛି।” ରାଜାଙ୍କ କଥା ଶୁଣି ରାଣୀ, ରାଣୀଙ୍କ କଥା ଶୁଣି ମନ୍ତ୍ରୀ ଓ ମନ୍ତ୍ରୀଙ୍କ କଥା ଶୁଣି ସନ୍ତ୍ରୀ ସମସ୍ତେ ରାତି ହୋଇଛି ବୋଲି କହୁଛନ୍ତି ଅଥଚ କାହାରି ସାହସ ନାହିଁ ରାଜାଙ୍କୁ କହିବାକୁ “ମହାରାଜ, ବର୍ତ୍ତମାନ ରାତି ନୁହେଁ ସକାଳ ହୋଇଛି।”
ଏତାଦୃଶ ରାଜା କେବଳ ମୂର୍ଖ ନୁହନ୍ତି, ଅତ୍ୟନ୍ତ ସ୍ୱାର୍ଥୀ ଓ ଗର୍ବୀ ବି। ତେଣୁ ‘ମାନ୍ ନା ମାନ୍‌, ମେ ତେରା ମେହମାନ୍‌’ ସଦୃଶ ଦୁଇ ଜଣଙ୍କ କଳିରେ ଅନାହୂତ ପ୍ରବେଶ କରି “ମୁଁ ତୁମ ଦୁଇ ଜଣଙ୍କ କଳି ତୁଟେଇ ଦେଲି” ବୋଲି ଜବରଦସ୍ତ କହି ବୁଲୁଛନ୍ତି। ପିଲା ଦିନେ ଆମେ ଦୁଇ ବିଲେଇ ପିଠା କଳି ତୁଟେଇବାକୁ ମାଙ୍କଡ଼ ପାଖକୁ ଯାଇଥିବାର କଥା ଶୁଣିଥିଲୁ। ଏଠି କିନ୍ତୁ ମାଙ୍କଡ଼ଟିଏ ଜବରଦସ୍ତ ଦୁଇ ବିଲେଇଙ୍କ କଳି ତୁଟେଇବାକୁ ଯାଇ ପିଠାଟି ଉଦରସ୍ଥ କରିବା ମତଲବରେ ରହିଛି। କଳିରେ ଦୁର୍ବଳିଆ ବିଲେଇଟି ମାଙ୍କଡ଼ର ଶରଣାଗତ ହୋଇ ପଡ଼ିଥିବା ବେଳେ ମଜବୁତିଆ ବିଲେଇଟି କାମୁଡ଼ି ବିଦାରି ହେଉଛି ସିନା ମାଙ୍କଡ଼ଙ୍କର ଅନାହୂତ ଉପଦ୍ରବକୁ ଚାହିଁକି ବି ରୋକି ପାରୁନାହିଁ। 
ଏହା ସତ୍ୟ ଯେ ଭାରତବର୍ଷରେ ‘ଅପରେସନ ସିନ୍ଦୂର’ର ଅଭୂତପୂର୍ବ ସଫଳତା ସମଗ୍ର ପୃଥିବୀରେ ହଇଚଇ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭାରତବର୍ଷର ତିନି ସେନାବାହିନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ସମଗ୍ର ପାକିସ୍ଥାନରେ ହୃତକମ୍ପ ସୃଷ୍ଟି କରିବାରେ ସଫଳ ହୋଇଛି। କେବଳ ସେତିକି ନୁହେଁ, ଏହି ଅପରେସନ ସମଗ୍ର ବିଶ୍ୱକୁ ଏକ ଦୀର୍ଘମିଆଦି ବାର୍ତ୍ତା ଦେବାକୁ ସଫଳ ହୋଇଛି ଯେ ଭାରତବର୍ଷ ଆତଙ୍କବାଦକୁ ଆଉ ସାମାନ୍ୟତମ ବରଦାସ୍ତ କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। ଏଣିକି ଭାରତ ବିରୁଦ୍ଧରେ କୌଣସି ଆତଙ୍କବାଦୀ ଆକ୍ରମଣ ଏକ ଯୁଦ୍ଧରେ ପରିଗଣିତ ହେବ ଏବଂ ଏହାର ପ୍ରାୟୋଜକ ରାଜ୍ୟ ବିରୁଦ୍ଧରେ ଏତାଦୃଶ ସାମରିକ ପଦକ୍ଷେପ ନିଆଯିବ। 
ଭାରତବର୍ଷର ଏହି ଏକପାଖିଆ ସଫଳତାକୁ ସହ୍ୟ କରି ନପାରି ଏହି ମହାଶୟ ନିଜର କରଦ ରାଜ୍ୟ ପାକିସ୍ଥାନକୁ ତା’ର ନିଶ୍ଚିତ ପରାଜୟରୁ ବଞ୍ଚେଇବାକୁ ଯାଇ ହଠାତ୍ ତାଙ୍କ ନିଜ ତରଫରୁ ଯୁଦ୍ଧ ବିରତି ଘୋଷଣା କରି ଦେଇଛନ୍ତି ଓ ନିଜେ ସାରା ରାତି ଅନିଦ୍ରା ରହି ପୃଥିବୀକୁ ଏକ ପରମାଣୁ ଯୁଦ୍ଧରୁ ବଞ୍ଚେଇ ଦେଲେ ବୋଲି କହି ନିଜେ ନିଜର ଡିଣ୍ଡିମ ପିଟିବାରେ ଲାଗିଛନ୍ତି। ଏଥି ନିମନ୍ତେ ଭାରତବର୍ଷ ସାମାନ୍ୟ ଅପ୍ରସ୍ତୁତ ଥିଲା ବେଳେ ପାକିସ୍ଥାନ ତୁରନ୍ତ ଏହି ପ୍ରସ୍ତାବକୁ ଗ୍ରହଣ କରିନେଇ ତାଙ୍କୁ ପ୍ରଶଂସାରେ ପୋତି ପକେଇଛି। ଏ କଥା କାହାରିକୁ ଅଛପା ରହିଲା ନାହିଁ, କିନ୍ତୁ କରାଯିବ କ’ଣ? ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ପୃଥିବୀର ସର୍ବବୃହତ୍‌ ସାମରିକ ଓ ଅର୍ଥନୈତିକ ରାଷ୍ଟ୍ର, ଯାହା ବିରୁଦ୍ଧରେ କୌଣସି ଖୋଲାଖୋଲି ପଦକ୍ଷେପ ନେବା ଧୃଷ୍ଟତାର ପରିଚୟ ଦେବ। ମିଳିତ ଜାତିସଂଘ, ନିରାପତ୍ତା ପରିଷଦ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଏହାର ଅପାର କ୍ଷମତା ରହିଛି, ଯାହାର ଧମକଚମକ ଆଗରେ ସମସ୍ତଙ୍କୁ ମୁଣ୍ଡ ନୁଆଁଇବାକୁ ପଡୁଛି। ତେଣୁ ଯୁଦ୍ଧ କ୍ଷେତ୍ରରେ ଆମେ ଯେଉଁ ବିଜୟର ସଫଳତା ଲାଭ କରିଥିଲୁ, ତାହାକୁ ଏହି ମହାଶୟଙ୍କ ହୁଣ୍ଡାମି ଆଗରେ ହରେଇବାକୁ ବାଧ୍ୟ ହେବାକୁ ପଡ଼ିଛି। 
ପ୍ରଭୁତ୍ୱ ଯଦି ଅବିବେକୀ ହୋଇ ପଡ଼େ, ତେବେ ଅନର୍ଥ ସୁନିଶ୍ଚିତ। ମାଙ୍କଡ଼ ହାତରେ ଯଦି ଖଣ୍ଡା ପଡ଼ିଯାଇଥାଏ, ତେବେ ବୁଦ୍ଧିମାନ ନିଜକୁ ସାମୟିକ ସମର୍ପଣ କରିବାକୁ ବାଧ୍ୟ ହୋଇଥାଏ। ଥରେ ଗୋଟେ ଗୁଣ୍ଡା ଘରକୁ ଆସି ତା’ ସ୍ତ୍ରୀକୁ କହିଲା, “ଆଜି ବଢ଼ିଆ ମିଠା ମଗା, ଖାଇବା।” ସ୍ତ୍ରୀ ପଚାରିଲା, “କେଉଁ ଖୁସିରେ?” ଗୁଣ୍ଡା କହିଲା, “ଆଜି ମୁଁ ଗୋଟେ ବାଜି ଜିତିକି ଆସିଛି।” ସ୍ତ୍ରୀ “କି ବାଜି?” ବୋଲି ପଚାରିବାରୁ ସେ କହିଲା, “ଆଲୋ, ସେ ମୂର୍ଖ ସ୍କୁଲ ମାଷ୍ଟ୍ର କହୁଥିଲା ତାଜମହଲ କୁଆଡ଼େ ଆଗ୍ରାରେ, ମୁଁ କହିଲି ନାହିଁ, ତାଜମହଲ ଗାଜିଆବାଦରେ ଆଉ ମୁଁ ଜିତିଲି।” ସ୍ତ୍ରୀ କହିଲା, “ମାଷ୍ଟ୍ରେ ଠିକ୍ କହୁଥିଲେ, ତାଜମହଲ ତ ଆଗ୍ରାରେ ଆଉ ତୁମେ ବାଜି ଜିତିଲ କେମିତି?” ଗୁଣ୍ଡାଟି କ୍ରୋଧାନ୍ୱିତ ହୋଇପଡ଼ି କହିଲା, “ତୁ ମୋ ସ୍ତ୍ରୀ ନା ସେ ମାଷ୍ଟ୍ରର ସ୍ତ୍ରୀ?” ସ୍ତ୍ରୀ କହିଲା, “ତୁମ ସ୍ତ୍ରୀ ହେଲେ କ’ଣ ହେଲା, ତାଜମହଲ ତ ଆଗ୍ରାରେ।” ଏତିକି ଶୁଣିବା ପରେ ଗୁଣ୍ଡା ଜଣକ ତା’ ସ୍ତ୍ରୀକୁ ନିର୍ଘାତ ପିଟିବାକୁ ଆରମ୍ଭ କରିଦେଲା। ଗୁଡ଼ାଏ ପିଟା ଖାଇ ତା’ ସ୍ତ୍ରୀ କହିଲା, “ହଉ ହେଲା, ଆଉ ମାରନି, ମୁଁ ମରିଯିବି। ମୁଁ ତୁମ କଥାରେ ରାଜି ହେଲି। ତାଜମହଲ ଗାଜିଆବାଦରେ।” ଗୁଣ୍ଡା କହିଲା, “ଆଜି, କ’ଣ ହୋଇଛି କେଜାଣି, ସେ ମାଷ୍ଟ୍ର ମଧ୍ୟ ଏମିତି ଗୁଡ଼ାଏ ମାଡ଼ ଖାଇ ତାଜମହଲ ଗାଜିଆବାଦରେ ବୋଲି ରାଜି ହେଲା।” ବନ୍ଧୁଗଣ, ଯେ ପର୍ଯ୍ୟନ୍ତ ମାଙ୍କଡ଼ ହାତରେ ଖଣ୍ଡା ଥିବ, ସେ ପର୍ଯ୍ୟନ୍ତ ତାଜମହଲ ଗାଜିଆବାଦରେ ଥିବ ଆଉ କାଶ୍ମୀର ସମସ୍ୟା ହଜାର ହଜାର ବର୍ଷ ଧରି ଚାଲିଥିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭
[ବି.ଦ୍ର.- ‘ଚିନ୍ମୟ ଚେତନା’ ସ୍ତମ୍ଭ ବୁଧବାର ପ୍ରକାଶ ପାଇବ]