ଶ୍ୟାମସୁନ୍ଦର ଅଗ୍ରୱାଲା
ସମର ପ୍ରାଙ୍ଗଣର ଆସନ୍ନ ମୃତ୍ୟୁ ଶଯ୍ୟାରେ ରହି ମହାପ୍ରତାପୀ ରାବଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କରହସ୍ତ ଯୋଡ଼ି କହୁଛି, “ହେ ରାମ, ମୁଁ ହେଉଛି ବିଶ୍ରବାନନ୍ଦନ, ସୃଷ୍ଟି ନିର୍ମାତା ବ୍ରହ୍ମାଙ୍କ ପ୍ରପୌତ୍ର ଓ ମୋ’ର ଜାତି ହେଉଛି ନୈଷ୍ଠିକ ବ୍ରାହ୍ମଣ। ମୁଁ ତୁମଠାରୁ ଆୟୁରେ ବଡ଼, ଧନରେ ବଡ଼, ଜାତିରେ ବଡ଼, ଭକ୍ତିରେ ବଡ଼ ଓ ଶକ୍ତିରେ ବଡ଼। ମୁଁ ହେଉଛି ତ୍ରିଭୁବନ ବିଜୟୀ, ପରମ ଶିବ ଉପାସକ, ମହାଜ୍ଞାନୀ ଓ ଅଦ୍ଭୁତ ବିଭବଶାଳୀ ସୁବର୍ଣ୍ଣ ଲଙ୍କାର ରାଜାଧିରାଜ। ମୋର ସେନାବାହିନୀ ଥିଲା ଅତ୍ୟନ୍ତ ଦୁର୍ଦ୍ଧର୍ଷ ଓ ମୋ ହାତରେ ରହିଥିଲା ଅପାରଜେୟ ବ୍ରହ୍ମାସ୍ତ୍ର; ତଥାପି ହେ ରାମ, ମୁଁ ତୁମଠାରୁ ଯୁଦ୍ଧରେ ହାରିଗଲି। ଏହାର କାରଣ କ’ଣ ଜାଣିଛ? ଏହାର କାରଣ ହେଉଛି ଯେ ଯୁଦ୍ଧରେ ମୋ ସାଥିରେ ମୋ’ ଭାଇ ନ ଥିଲା ଆଉ ତୁମ ସାଥିରେ ତୁମ ଭାଇ ଛାଇ ପରି ଛିଡ଼ା ହୋଇଥିଲା।”
ଓଡ଼ିଆରେ ଗୋଟେ ଢଗ ଅଛି- “କ୍ଷୀର ଯଦି ଖାଇ ବସିବ ଘରେ ରଖିବ ଗାଈ ଆଉ ଯୁଦ୍ଧ ଯଦି କରି ବସିବ ସାଙ୍ଗରେ ଥିବ ଭାଇ।” ତ୍ରେତୟା ଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଏହି ସତ୍ୟ ବାରମ୍ବାର ପରୀକ୍ଷିତ ହୋଇ ଆସିଛି। ବ୍ୟକ୍ତି ପାଇଁ ଉଦ୍ଦିଷ୍ଟ ଏହି ସତ୍ୟ ରାଜ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ। ଶତ୍ରୁପକ୍ଷ ସେଥିପାଇଁ ଅପର ପକ୍ଷ ରାଜ୍ୟର ଭାଇଚାରାକୁ ପ୍ରଥମେ ନଷ୍ଟ କରି ରାଜ୍ୟରେ ଏକ ଗୃହଯୁଦ୍ଧର ଅବକାଶ ସୃଷ୍ଟି କରିଥାନ୍ତି ଏବଂ ଏହାରି ସୁଯୋଗ ନେଇ ରାଜ୍ୟକୁ ଏକ ଅଶାନ୍ତ ବାତାବରଣ ଆଡ଼କୁ ଠେଲି ଦେଇ ସହଜରେ ତାକୁ ପରାସ୍ତ କରିଦେଇଥାନ୍ତି।
ବର୍ତ୍ତମାନ ପହଲଗାମରେ ଘଟିଥିବା ଏହି ଭଳି ଏକ ବର୍ବରୋଚିତ ଅପଚେଷ୍ଟାକୁ ବିଫଳ କରିଦେବା ନିମନ୍ତେ ସମସ୍ତ ଭାରତବାସୀ ସଫଳ ହୋଇପାରିଛନ୍ତି ଏବଂ ସମଗ୍ର ପୃଥିବୀକୁ ସେମାନଙ୍କ ଭାଇଚାରାର ଏକ ଉତ୍କୃଷ୍ଟ ଉଦାହରଣ ପ୍ରଦର୍ଶନ କରିପାରିଛନ୍ତି। ନିଷ୍ଠୁର ଆତଙ୍କବାଦୀମାନଙ୍କର ଅତ୍ୟନ୍ତ ଉତ୍ତେଜିତ ଧର୍ମବିରୋଧୀ କାଣ୍ଡ ମଧ୍ୟ ଦେଶର କୌଣସି ପ୍ରାନ୍ତରେ ଭାଇଚାରା ଉପରେ ସାମାନ୍ୟତମ ପ୍ରଭାବ ପକେଇପାରିନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତବାସୀ ଏକଜୁଟ ହୋଇ ଏହି ପାଶବିକ କାଣ୍ଡର ପ୍ରତିଶୋଧ ନେବା ନିମନ୍ତେ ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ଯେଉଁ ଉଦ୍ଦେଶ୍ୟ ନେଇ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କର ଧର୍ମ ଚିହ୍ନଟ କରି ଗୁଳିଚାଳନା କରୁଥିଲେ ସେହି ଉଦ୍ୟମ ତାଙ୍କର ନିଷ୍ଫଳ ହୋଇଯାଇଛି। ଆଜି ଭାରତବର୍ଷରେ ସମସ୍ତ ଦେଶବାସୀ ଏକ ହୋଇ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି ଓ ଆତଙ୍କବାଦ ବିରୁଦ୍ଧରେ ତାଙ୍କର ପ୍ରତ୍ୟେକ ପଦକ୍ଷେପକୁ ଅକୁଣ୍ଠିତ ଚିତ୍ତରେ ସମର୍ଥନ କରୁଛନ୍ତି। ହିନ୍ଦୁ ହୁଅନ୍ତୁ କି ମୁସଲମାନ ହୁଅନ୍ତୁ, ଶିଖ ହୁଅନ୍ତୁ କି ଖ୍ରୀଷ୍ଟିୟାନ ହୁଅନ୍ତୁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଆତଙ୍କବାଦୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲା ବେଳେ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ଧୈର୍ଯ୍ୟର ସହ ଅପେକ୍ଷା କରି ରହିଛନ୍ତି।
ବନ୍ଧୁଗଣ, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶବାସୀଙ୍କ ଭାଇଚାରା ଅତ୍ୟନ୍ତ ଉଚ୍ଚକୋଟୀର ରହିଥିବା ବେଳେ ଆମର କେତେକ ରାଜନୈତିକ ନେତାମାନଙ୍କର ବାଦପ୍ରତିବାଦ ମନରେ ଦୁଃଖ ଦେଉଛି। ଏମାନଙ୍କ ଭିତରୁ କିଏ କହୁଛି, “ସିନ୍ଧୁ ଜଳ ଚୁକ୍ତି ପାଇଁ କଂଗ୍ରେସ ଦାୟୀ” ତ କିଏ କହୁଛି, “ପହଲଗାମରେ ନିରାପତ୍ତାର ବ୍ୟତିକ୍ରମ ପାଇଁ ସରକାର ଦାୟୀ।” କିଏ କହୁଛି, “ହତ୍ୟା ପୂର୍ବରୁ ଧର୍ମ କ’ଣ ବୋଲି ପଚରାଯାଇ ନାହିଁ” ତ କିଏ କହୁଛି, “ଚି଼ହ୍ନଟ କରିବା ପାଇଁ କଲମା ପଢ଼ିବାକୁ କୁହାଯାଇନାହିଁ।” ସେଠାରେ ଉପସ୍ଥିତ ଥିଲା ଭଳି କେତେ କହୁଛନ୍ତି ଯେ ଏତେ ଅଳ୍ପ ସମୟ ଭିତରେ ପ୍ୟାଣ୍ଟ ଖୋଲି କିମ୍ବା କଲମା ପଢ଼ି ଚିହ୍ନଟ କରିବାର ଅବକାଶ କାହିଁ? ଟେଲିଭିଜନ ପରଦା ଉପରେ ଏମାନଙ୍କର ତର୍କ ବିତର୍କ ଓ ଆଙ୍କରମାନଙ୍କର ଚିତ୍କାରରେ ନିରୀହ ସହିଦ ପରିବାରମାନଙ୍କର ଲୁହ ଦେଖାଯାଉନାହିଁ କି କାନ୍ଦ ଶୁଣାଯାଉନାହିଁ। ଏହି ଭଳି ଦୁର୍ଦ୍ଦିନରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସାଇବର ଅପରାଧୀମାନେ ସକ୍ରିୟ ହୋଇଉଠିଲେଣି। କେଉଁଠି ସେନାବାହିନୀ ନାମରେ ଦିନକୁ ଟଙ୍କାଏ ଲେଖାଏଁ ଆଦାୟ କରାଗଲାଣି ତ କେଉଁଠି ସହିଦ ପରିବାରମାନଙ୍କୁ ସାହାଯ୍ୟ କରିବାକୁ ପାଣ୍ଠି ସୃଷ୍ଟି କରାଯାଇ ଦାତାମାନଙ୍କୁ ଖୋଲା ହୃଦୟରେ ଦାନ କରିବାକୁ କୁହାଗଲାଣି।
ଆତଙ୍କବାଦୀଙ୍କ ବିରୁଦ୍ଧରେ ଏହି ଭଳି ନେତାମାନଙ୍କର ପ୍ରତିଶୋଧ ନେବା ସ୍ୱର ଧୀରେ ଧୀରେ ଦୁର୍ବଳ ହୋଇ ଆସୁଥିବା ବେଳେ ରାଜନୈତିକ ପ୍ରତିଶୋଧର ସ୍ୱର ଦିନକୁ ଦିନ ଶୁଭିବାକୁ ଲାଗିଲାଣି। “ନଇଁ ପଡ଼ିଥିବ ଯେତିକିବେଳେ, ବିଧାଏ ମାରିବ ସେତିକିବେଳେ” ନ୍ୟାୟରେ ବିପକ୍ଷ ଦଳ ସରକାରୀ ଦଳକୁ ଆକ୍ରମଣ ଆରମ୍ଭ କରିଦେଇଥିବା ବେଳେ ସରକାରୀ ଦଳ ମଧ୍ୟ ବିରୋଧୀ ଦଳମାନଙ୍କୁ ଏହି ସମୟରେ ପାନେ ଦେବାକୁ ପଛାଉନାହିଁ। ଅସଲି କଥାଟି ହେଉଛି ଆଗକୁ ଚାରିପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାର ଅଛି। ଏହାର ଲାଭ କାଳେ କିଏ ଉଠେଇନେବ ତେଣୁ ବିରୋଧୀ ଦଳ ସରକାରଙ୍କର ପହଲଗାମରେ ନିରାପତ୍ତା ବ୍ୟବସ୍ଥାର ଅଭାବ ଉପରେ ବାରମ୍ବାର ବକ୍ତବ୍ୟ ରଖୁଥିବା ବେଳେ ସରକାରୀ ଦଳ “ତୁମେ ହିଁ ବିଭାଜନ କରେଇଥିଲ, ତୁମେ ହିଁ ସିନ୍ଧୁ ନଦୀ ଜଳ ବାଣ୍ଟିଥିଲ ଓ ତୁମେ ହିଁ ପାକ୍ ଅଧିକୃତ କାଶ୍ମୀରକୁ ସୃଷ୍ଟି କରିଥିଲ” ଇତ୍ୟାଦି କହି ଅସଲି ବିଷୟରୁ ସମସ୍ତେ ନିଜକୁ ଦୂରେଇ ନେଲେଣି। ଆତଙ୍କବାଦରୁ କଥା ଯାଇ ନିର୍ବାଚନରେ ପହଞ୍ଚିଲାଣି, ଯାହାକୁ କୁହନ୍ତି “ନଡ଼ିଆ ଗଛକୁ ଚଡ଼କ ମାରିଥିଲା କିନ୍ତୁ ତାଳଗଛ ପୋଡ଼ି ମରିଗଲାଣି।”
ବନ୍ଧୁଗଣ, ସମଗ୍ର ଭାରତବାସୀ ବର୍ତ୍ତମାନ ଉତ୍ତେଜିତ ଅବସ୍ଥାରେ ଅଛନ୍ତି ଏବଂ ସେମାନେ ଏବେ ଆଉ ଯୁଦ୍ଧ ନୁହେଁ, ତୁରନ୍ତ ପ୍ରତିଶୋଧ ନେବାକୁ ଚାହୁଛନ୍ତି। ସାଧାରଣତଃ ଯୁଦ୍ଧ ଲମ୍ବା ସମୟ ଧରି ଚାଲିଥାଏ ଯେଉଁଥିରେ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ି କ୍ରମଶଃ ଆତ୍ମଘାତୀ ସାବ୍ୟସ୍ତ ହୋଇଥାଏ। ପ୍ରତିଶୋଧ ହେଉଛି ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ଅନ୍ତତଃ ସେହି ଚାରିଜଣ ଆତଙ୍କବାଦୀ ଓ ତାଙ୍କର ସହଯୋଗୀମାନଙ୍କ ନିଧନ, ଯାହାଙ୍କ ରକ୍ତରେ ପହଲଗାମର କ୍ରନ୍ଦନରତା ଦ୍ରୌପଦୀମାନେ ତାଙ୍କର ମୁକୁଳା କେଶରାଶିକୁ ଧୋଇବା ପାଇଁ ଅପେକ୍ଷା କରି ରହିଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭