ଶ୍ୟାମସୁନ୍ଦର ଅଗ୍ରୱାଲା
କଥାରେ ଅଛି ଯେ ଆମ ଦେଶରେ ଗରିବଗୁରୁବାମାନେ ଖାଇବା ଯୋଗାଡ଼ କରିବା ପାଇଁ ଦିନରାତି ମାଇଲ ମାଇଲ ଧାଉଁଥିବାବେଳେ ବଡ଼ବଡ଼ିଆମାନେ ଖାଇବା ଜୀର୍ଣ୍ଣ କରିବା ପାଇଁ ସକାଳୁ ସକାଳୁ ମାଇଲ ମାଇଲ ଦୌଡୁଛନ୍ତି। ଯେଉଁ ଦେଶରେ କୋଟି କୋଟି ଲୋକ ଦିନରାତି ମଜୁରି କରି ଦୁଇଓଳା ଖାଇବା ଯୋଗାଡ଼ କରୁଛନ୍ତି କିମ୍ବା ସରକାରଙ୍କର ମାଗଣା ଖାଦ୍ୟ ଉପରେ ନିର୍ଭର କରି ବଞ୍ଚି ରହୁଛନ୍ତି ସେହି ଦେଶର ଲୋକମାନଙ୍କୁ ଖାଇବା ପୂର୍ବରୁ ଖାଦ୍ୟର ପୋଷକ ତତ୍ତ୍ବ ବିଷୟରେ ବୁଝେଇବା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ପ୍ରାଥମିକତା ହେବା ଉଚିତ ନୁହେଁ। ଏବେ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଭାରତୀୟ ଖାଦ୍ୟ ସିଙ୍ଗଡ଼ା, ଲଡୁ ଓ ଜଲେବି ଇତ୍ୟାଦିରେ କେତେ ହାନିକାରକ ଉପାଦାନ ସବୁ ରହିଛି ତାହା ଖାଉଟିମାନଙ୍କୁ ଜଣେଇବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଗରିବ ଲୋକଟିଏ କଦବା କେମିତି ଲଡୁଟିଏ କି ଜଲେବିଟିଏ ଖାଇବାକୁ ପାଇଥାଏ। ସେ ଏହାକୁ ଖାଇବା ପୂର୍ବରୁ ଏହି ସୂଚନା ଦେବା ତା’ ପ୍ରତି ଉପହାସ ନୁହେଁ ତ ଆଉ କ’ଣ?
ଆମ ଗାଁରେ ଲୋକଟିଏ ପ୍ରତିଦିନ ହାଟରେ ଯେତେସବୁ ପୋଚା ଆଳୁ, ପୋକଡ଼ା ବାଇଗଣ, ବୁଢ଼ା ଭେଣ୍ଡି ଓ ଶୁଖିଲା ଲାଉ ଇତ୍ୟାଦି ଯାବତୀୟ ପୋଚାଶଢ଼ା ପନିପରିବା ଭାଗ ବସେଇ ଖୁବ୍ ଶସ୍ତାରେ ବିକ୍ରି କରୁଥିଲା। ଗାଁରେ ଯେତେ ଗରିବଗୁରୁବା ତା’ର ନାଗୁଆ ଗରାଖ ଥିଲେ। ବଡ଼ ବଡ଼ ପରିବା ଦୋକାନୀମାନଙ୍କ ଠାରୁ ସେ ଏଗୁଡ଼ାକ ବାଛି ବାଛି ଶସ୍ତାରେ କିଣିଥାଏ ଆଉ ଟଙ୍କାକର ପରିବା ଅଣେ ଦିଅଣାରେ ବିକ୍ରି କରିଥାଏ।
ଦିନେ ଜଣେ ଫୁଡ୍ ଇନ୍ସପେକ୍ଟର ତାକୁ ଧରିଲେ ଆଉ ସ୍ୱାସ୍ଥ୍ୟ ପ୍ରତି ଏଭଳି ହାନିକାରକ ପରିବା କାହିଁକି ବିକୁଛ ବୋଲି ତାଗିଦ କଲେ। ଲୋକଟି କହିଲା “ଆଜ୍ଞା, ମୋ’ ଗରାଖମାନଙ୍କୁ ଦେଖୁଛନ୍ତି? ଭୋକରେ ଏମାନଙ୍କର ବ୍ରହ୍ମ ଜଳୁଛି। ପେଟରେ ତାଙ୍କର ଯାହା ପଡ଼ିବ ଜଳିକି ଭସ୍ମ ହୋଇଯିବ। ବଳିଲେ ସିନା ରୋଗ ହେବ? ଯାହାର ପେଟ ଘଣ୍ଟା ଘଣ୍ଟା ଧରି ଭୋକିଲା ରହୁଛି ଆଉ ଯାହାର ଜଠରାଗ୍ନି ହୁତୁହୁତୁ ହୋଇ ଜଳୁଛି ତାକୁ ଯାହା ଖାଇଲେ ବି ରୋଗ ହୁଏ ନାହିଁ। ଆପଣ ଯାଇ ସେ ବଡ଼ବଡ଼ିଆମାନଙ୍କ କଥା ବୁଝନ୍ତୁ ଯାହାଙ୍କୁ ତାଜା ପରିବା ଖାଇକି ବି ହଜାରେ ରୋଗବଇରାଗ ହେଉଛି। ଅଯଥା ମୋତେ ଆଉ ମୋ ଗରାଖମାନଙ୍କୁ ହଇରାଣ ହରକତ କରନ୍ତୁ ନାହିଁ।”
ଆମର ମନେ ଅଛି ଯେ ପିଲାଦିନେ ଆମେ ରାସ୍ତାକଡ଼ ଗଛଗୁଡ଼ିକରୁ କଞ୍ଚା ଆମ୍ବସବୁ ତୋଳି ଦୋକାନମାନଙ୍କ ସାମ୍ନାରେ ଗଦା ହୋଇଥିବା ଲୁଣ ବସ୍ତାରୁ ମୁଠେ ମଇଳା ଲୁଣ ନେଇ ତାକୁ ଗୋଟେ ପଥରରେ ଛେଚିଛାଚି ଗର୍ଭସ୍ଥ କରି ଦେଉଥିଲୁ। ଭଙ୍ଗା କାଚଡବା ଭିତରେ ରଖାଯାଇଥିବା ଗୋଲାପି ରଙ୍ଗର ମିଠା ‘ବୁଢ଼ୀବାଳ’ ସବୁ ଚାଟି ଚାଟି ଖାଇଯାଉଥିଲୁ। ପାଣିଆ ଦହିରେ ବହଳିଆ ଚିନି ସିରା, ରଂଜାମରା ବରଫଗୁଣ୍ଡ ଆଉ ନାଣ୍ଡିବାଗୁଲିକୁ ମିଶେଇ ଢୋକଢୋକ କରି ପିଇଯାଉଥିଲୁ। ଯାହା ଇଛା ଖାଉଥିଲୁ, ପିଉଥିଲୁ ଆଉ ମସ୍ତ ଡିଆଁଡେଇଁ କରି ମଉଜ ମଜଲିସରେ ରହୁଥିଲୁ। ଗାଁ ପଡ଼ିଆରେ ଫୁଟ୍ବଲ୍ ଖେଳି ଖଣ୍ଡିଆଖାବରା ହୋଇ ଘରକୁ ଫେରୁଥିଲୁ। ଟେଟାନସ୍ ତ ଦୂରର କଥା ଟେପ୍ ଖଣ୍ଡେ ବି ଲଗଉ ନ ଥିଲୁ। ଅତି ବେଶି ହେଲେ ଖଣ୍ଡିଆ ଜାଗା ଉପରେ ମୁଠାଏ ଚିନି ଦେଇ କନା ଖଣ୍ଡେ ବାନ୍ଧି ଦେଉଥିଲୁ। ସେ ତା’ର ମନକୁ କେତେବେଳେ ଶୁଖି ଯାଉଥିଲା ଆମେ ଜାଣିପାରୁ ନ ଥିଲୁ।
ଯୁଗ ବଦଳିଯାଇଛି। ଏବେ ଗୋଟେ ପଞ୍ଚତାରକା ହୋଟେଲରେ ଖାଇବାର ସୁଯୋଗ ମିଳିଥିଲା। ଖାଦ୍ୟ ସବୁ ଦାମିକା ଡବାମାନଙ୍କରେ ସଜିଆ ହୋଇ ରଖାଯାଇଥିଲା କିନ୍ତୁ ଯାହା ନେବାକୁ ଇଚ୍ଛା ହେଉଥାଏ, ତା’ ତଳେ ଲେଖାଯାଇଥିବା ଏକ ଛୋଟ ସତର୍କବାଣୀ ସତେ ଯେମିତି ବାରଣ କରୁଥିଲା। ଏହାର ପ୍ରତି ଦଶ ଗ୍ରାମରେ ଏତିକି ତେଲ ଅଛି, ଏତିକି କ୍ୟାଲୋରି ଅଛି, ଏତିକି ପ୍ରୋଟିନ ଅଛି, ଏତିକି କାର୍ବୋହାଇଡ୍ରେଟ ଅଛି ଇତ୍ୟାଦି ଇତ୍ୟାଦି। ବଟର ମସାଲା ଡାଲି ଚାମଚଟିଏ ନେଲା ବେଳକୁ ତଳେ ଲେଖାହୋଇଛି ଯେ ଥରେ ନେଲେ ଦୁଇ ଶହ କ୍ୟାଲୋରି ଆପଣଙ୍କ ପେଟକୁ ଯିବ। ଗୋଲାପ ଜାମୁନ ତଳେ ତ ଭୟଙ୍କର ଚେତାବନୀ ଲେଖାଯାଇଥିଲା। ଲାଗୁଛି ଗୋଲାପ ଜାମୁନ ତ ନୁହଁ ଗୋଟେ ଗୋଟେ ଛୋଟ ଆଟମବମ। ପେଟ ଭିତରକୁ ଗଲେ ସତେ ଯେମିତି ଫୁଟିବା ଆରମ୍ଭ କରିଦେବ।
ଏସବୁ ବଡ଼ବଡ଼ିଆଙ୍କ କଥା ଏବଂ ଏହା ପଞ୍ଚତାରକା ହୋଟେଲମାନଙ୍କରେ ଶୋଭା ପାଇଥାଏ। ଏହି ଭଳି ବ୍ୟବସ୍ଥା ଯଦି ଆପଣ ଗାଁଗଣ୍ଡା ଗୁଡ଼ିଆ ଦୋକାନମାନଙ୍କରେ କରିଦେବେ ତେବେ ଏହା ଅଯଥା ବିଭ୍ରାଟ ସୃଷ୍ଟି କରିବ ସିନା ଲାଭ କିଛି ହେବ ନାହିଁ। ଥରେ ଭାବନ୍ତୁ, ଗାଁ ହାଟଠୁ ନେଇ ସହରର ଗଳିକନ୍ଦିରେ ମାଳ ମାଳ ଜଳଖିଆ ଦୋକାନମାନଙ୍କରେ ଦିନରାତି ସିଙ୍ଗଡ଼ା ଓ ଜଲେବି ବିକ୍ରିି ଚାଲିଛି। ଦଶ ଟଙ୍କାରେ ଦୁଇଟି ସିଙ୍ଗଡ଼ା ଓ ପାଞ୍ଚ ଟଙ୍କାରେ ଗୋଟେ ଜଲେବିରେ ଜଳଖିଆଟା ହୋଇଯାଉଛି। ବନ୍ଧୁବାନ୍ଧବଙ୍କ ଆସରରେ ଚା’ ସିଙ୍ଗଡ଼ା ନ ହେଲେ ନ ଚଳେ। ଆଉ ୟା’କୁ ଖାଇବା ପୂର୍ବରୁ ଯଦି ଆପଣ ଏହାର ହାନିକାରକ ଉପାଦାନ ସବୁ ଜଣେଇବେ ତେବେ ଅତିଥି ଆଉ ଆପଣଙ୍କ ଘରକୁ ଆସିବେ ତ?
ଏହାକୁ ନେଇ ଯେତେବେଳେ ସମଗ୍ର ଭାରତବର୍ଷରେ ପ୍ରବଳ ହୋହଲ୍ଲା ହେଲା ସେତେବେଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଏକ ସଫେଇ ଜାରି କରି କହିଲା ଯେ ଏହି ବିଜ୍ଞପ୍ତି କେବଳ ଗରାଖମାନଙ୍କୁ ଖାଦ୍ୟ ଉପାଦାନମାନଙ୍କର ସୂଚନା ନିମନ୍ତେ ଏବଂ ଏହା ଏହି ଖାଦ୍ୟମାନଙ୍କୁ ନେଇ ସ୍ୱାସ୍ଥ୍ୟ ପ୍ରତି କୌଣସି ହାନିକାରକ ସତର୍କତା ଜାରି ପାଇଁ ନୁହେଁ। ଏଇଠି ଗୋଟେ ଉଦାହରଣ ଦେବାକୁ ଚାହୁଁଛି। ଗୋଟିଏ ପାର୍କ ଭିତରେ ବାଘ, ଭାଲୁ ଓ ଗଧିଆ ଇତ୍ୟାଦି ହିଂସ୍ର ପ୍ରାଣୀମାନେ ଖୋଲାରେ ବୁଲୁଛନ୍ତି। ଏହାର ପ୍ରବେଶ ପଥରେ ଗୋଟିଏ ବୋର୍ଡରେ ଏହି ଭୟଙ୍କର ପ୍ରାଣୀମାନଙ୍କର ନାମ ଓ ସଂଖ୍ୟା ବିସ୍ତୃତ ଭାବରେ ଲେଖାଯାଇଛି। ଆପଣ କହିପାରିବେ କି ଏହା ପାର୍କରେ ପ୍ରବେଶ କରିବା ପୂର୍ବରୁ ଆପଣଙ୍କର ଜୀବନ ପ୍ରତି ବିପଦର କୌଣସି ସତର୍କତା ନୁହେଁ ବରଂ ଏକ ସୂଚନା ମାତ୍ର? ଗୋଟିଏ ଗୋଲାପ ଜାମୁନରେ ଦୁଇ ଶହ କ୍ୟାଲୋରି, ଦଶ ଗ୍ରାମ ଚର୍ବି ଓ କୋଡ଼ିଏ ଗ୍ରାମ ଚିନି ରହିଛି ବୋଲି ଲେଖାଯାଇଛି। ଗରାଖ ଏହାକୁ କ’ଣ ବୋଲି ଗ୍ରହଣ କରିବେ? ଏକ ସୂଚନା ମାତ୍ର ନା ସ୍ୱାସ୍ଥ୍ୟ ପ୍ରତି ବିପଦର ଏକ ସତର୍କ ଘଣ୍ଟି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭