ଶ୍ୟାମସୁନ୍ଦର ଅଗ୍ରୱାଲା
ଥରେ ଜଣେ ଓକିଲ ତାଙ୍କ ବାଡ଼ିରେ ନିର୍ମାଣ କରିଥିବା କୂଅଟିକୁ ପଡ଼ିଶା ଘରେ ରହୁଥିବା ଅନ୍ୟ ଜଣେ ଓକିଲଙ୍କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ଯେହେତୁ ଦୁଇଜଣଯାକ ଓକିଲ, ଖର୍ଦ୍ଦିବିକ୍ରିର ସମସ୍ତ ସର୍ତ୍ତାବଳୀକୁ ନେଇ ଯଥୋଚିତ କାଗଜପତ୍ର ପ୍ରସ୍ତୁତ କରାଗଲା ଓ ଦୁଇଜଣଙ୍କର ଦସ୍ତଖତ ପରେ କୂଅର ମାଲିକାନା ହସ୍ତାନ୍ତର କରାଗଲା।
ଏହାର ମାସକ ପରେ ଯେଉଁ ଓକିଲ କୂଅ ବିକ୍ରି କରିଥିଲେ ସେ କ୍ରେତା ଓକିଲଙ୍କୁ ଆହୁରି ଲକ୍ଷେ ଟଙ୍କା ଦାବି କରି ଏକ ନୋଟିସ୍ ଦେଲେ। “ମହାଶୟ, ମୁଁ ଆପଣଙ୍କୁ କାଗଜପତ୍ର ଅନୁଯାୟୀ କୂଅଟିକୁ ବିକ୍ରି କରିଥିଲି କିନ୍ତୁ କୂଅ ଭିତରେ ଥିବା ପାଣିକି ନୁହେଁ, ତେଣୁ ଆପଣ କୂଅର ପାଣି ବାବଦ ଆଉ ଏକ ଲକ୍ଷ ଟଙ୍କା ଦିଅନ୍ତୁ ଅନ୍ୟଥା ମୁଁ ଆପଣଙ୍କ ନାମରେ ମକଦ୍ଦମା କରିବାକୁ ବାଧ୍ୟ ହେବି।”
କୂଅ ଖର୍ଦ୍ଦି କରିଥିବା ଓକିଲ କିଛି କମ୍ ବୁଦ୍ଧିମାନ ନ ଥିଲେ। ସେ ଏହାର ଉତ୍ତର ଦେଇ ଲେଖିଲେ, “ମହାଶୟ, ମୁଁ ଆପଣଙ୍କ ସହିତ ଏକମତ ଯେ ନିୟମାନୁଯାୟୀ କୂଅ ମୋ’ର ଓ ପାଣି ଆପଣଙ୍କର। ଦୟାକରି ଆପଣ ଆପଣଙ୍କର ପାଣିତକ ମୋ’ କୂଅରୁ ଶୀଘ୍ର ନେଇଯାଆନ୍ତୁ ନଚେତ ମୋ କୂଅରେ ଆପଣଙ୍କ ପାଣି ରହୁଥିବା ବାବଦ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ଭଡ଼ା ପ୍ରତିମାସ ଦାଖଲ କରନ୍ତୁ, ଅନ୍ୟଥା ମୁଁ ଆପଣଙ୍କ ନାମରେ ମକଦ୍ଦମା କରିବାକୁ ବାଧ୍ୟ ହେବି।”
ବନ୍ଧୁଗଣ, ଉପରୋକ୍ତ କଥାଟି ସୂଚେଇ ଦେଉଛି ଯେ ନିୟମ ସଦାସର୍ବଦା ସହଜ ଓ ସରଳ ହେବା ଉଚିତ। ଏହାକୁ ଅଯଥା ଗୁଡ଼ାଏ ସର୍ତ୍ତାବଳୀ ଦେଇ ଯେତେ ଫେଣେଇବେ ତାହା ସେତିକି ଜଟିଳ ହୋଇ ଶେଷକୁ ହାସ୍ୟାସ୍ପଦ ହେବ। ଉଦାହରଣ ସ୍ୱରୂପ ପ୍ରଥମେ ନିୟମ କରାଯାଇଥିଲା ଯେ ଏଣିକି ବାର୍ ଗାର୍ଲମାନେ ଆଉ ବାର୍ରେ ନୃତ୍ୟ ପ୍ରଦର୍ଶନ କରିପାରିବେ ନାହିଁ। ଏହି ନିୟମ ରୋକ୍ଠୋକ୍ ଥିଲା ଏବଂ ଅବକାରୀ ବିଭାଗ ଏଥିନିମନ୍ତେ ଅତ୍ୟନ୍ତ କଠୋର ଥିଲେ କିନ୍ତୁ ପରେ ସରକାର ଏହି ନିୟମକୁ ପରିବର୍ତ୍ତନ କଲେ ଏବଂ ଏକ ଏକୋଇଶ ସର୍ତ୍ତାବଳୀବିଶିଷ୍ଟ ଲମ୍ବାଚଉଡ଼ା ନିୟମ ପ୍ରସ୍ତୁତ କରି କହିଲେ ଯେ ଏଣିକି ଆଉ ନୃତ୍ୟ ନୁହେଁ କେବଳ ସଙ୍ଗୀତ ପରିବେଷଣ କରାଯିବ। ଏହି ସର୍ତ୍ତାବଳୀ ଅନୁଯାୟୀ ଦଶ ଫୁଟ ଗୁଣନ ବାର ଫୁଟର ଏକ ମଞ୍ଚ ଉପରେ ତିନି ଫୁଟ ଉଚ୍ଚତାର ବାଡ଼ ବନ୍ଧାଯିବ ଏବଂ ଏହି ବାଡ଼ ଠାରୁ ପାଞ୍ଚ ଫୁଟ ଦୂରରେ ଚଉକି ରହିବ ଯାହା ଉପରେ ଗରାଖମାନେ ବସି ମଦ୍ୟପାନ କରିପାରିବେ।
କଥାରେ ଅଛି ନଈର ଯେତିକି ବାଙ୍କ ଥାଏ ନିୟମର ସେତିକି ଫାଙ୍କ ଥାଏ। ସଙ୍ଗୀତ ପରିବେଷଣ ବସିକି କରିବେ କି ଛିଡ଼ା ହୋଇକି କରିବେ ନିୟମରେ ନାହିଁ। ମଞ୍ଚ ଉପରେ ନିୟମର ସୁଯୋଗ ନେଇ ବାର୍ ଗାର୍ଲମାନେ ମଞ୍ଚ ତଳେ ଛିଡ଼ା ହୋଇ ସଙ୍ଗୀତ ପରିବେଷଣ କରୁଛନ୍ତି ଏବଂ ଗରାଖଙ୍କୁ ନ ଧରି ତାଙ୍କ ଚଉକିକି ଧରି ଗୀତ ଗାଉଛନ୍ତି। ଛିଡ଼ା ହୋଇ ଗୀତ ଗାଇଲାବେଳେ ସାମାନ୍ୟ ଅଣ୍ଟା ଦୋହଲେଇ ଗାଉଛନ୍ତି ଯାହାକୁ ଆପଣ ନୃତ୍ୟ ମଧ୍ୟ କହିପାରିବେ ନାହିଁ। ଗୀତ ଗାଇଲା ବେଳେ ଗୀତର ସଂଳାପ ଅନୁଯାୟୀ ଅଙ୍ଗଭଙ୍ଗୀ ଏପରି ପ୍ରଦର୍ଶନ କରୁଛନ୍ତି ଯାହା ଅଶ୍ଳୀଳ ହେଲେ ବି ଗାୟନ ଶୈଳୀର ଅର୍ନ୍ତଭୁକ୍ତ ବୋଲି ଧରାଯାଉଛି। ବାର୍ମାନଙ୍କରେ ତ ଆଉ ଭଜନ କୀର୍ତ୍ତନ ପରିବେଷଣ ହେବ ନାହିଁ, ତେଣୁ ଗୀତଗୁଡ଼ିକ ପ୍ରେମ ଓ ଯୌନ ନିବେଦନ ଉପରେ ଆଧାରିତ ହେଇଥିବାରୁ ଗାୟିକାମାନଙ୍କର ଅଙ୍ଗଭଙ୍ଗୀ ମଧ୍ୟ ତଦନୁଯାୟୀ ହେଉଛି।
ପ୍ରଶ୍ନ ଉଠେ, ଏହି ନିୟମଗୁଡ଼ିକ କିଏ ଆଉ କେତେବେଳେ ତଦାରଖ କରିବ? ରାତି ଅଧରେ କେଉଁ ବରିଷ୍ଠ ଅଧିକାରୀ ବାର୍ରେ ପ୍ରବେଶ କରି ନିୟମିତ ତଦାରଖ କରିପାରିବେ ନାହିଁ; ଆଉ ଛୋଟ କର୍ମଚାରୀ ତଦାରଖ କଲେ କ’ଣ ହୁଏ ଏହା ସର୍ବଜନବିଦିତ। ତେଣୁ ଯିଏ ଯେତେ ଅଭିଯୋଗ ଆଣିଲେ ମଧ୍ୟ ବାର୍ ମାଲିକମାନେ ଏହାକୁ ଅସ୍ୱୀକାର କରୁଛନ୍ତି ଓ ନିୟମ ଭଙ୍ଗ ହୋଇନାହିଁ ବୋଲି ସଫେଇ ଦେଉଛନ୍ତି।
ସଙ୍ଗୀତ ପରିବେଷଣକାରୀମାନଙ୍କ ପୋଷାକ ନିମନ୍ତେ ନିୟମ ରହିଛି ଯେ ସେମାନେ ଶାଳୀନତାପୂର୍ଣ୍ଣ ବେଶଭୂଷାରେ ରହିବେ କିନ୍ତୁ ପ୍ରଶ୍ନ ଉଠେ ଏହି ଶାଳୀନତାପୂର୍ଣ୍ଣ ପୋଷାକପତ୍ର କିଏ ନିର୍ଦ୍ଧାରଣ କରିବ? ଯୁଗ ଅନୁଯାୟୀ ପୋଷାକପତ୍ରର ଶାଳୀନତାର ମଧ୍ୟ ପରିବର୍ତ୍ତନ ଘଟୁଛି, ତେଣୁ ଏ ସବୁ କିଏ ସ୍ଥିର କରିବ? ନିୟମ କରାଯାଇଛି ଯେ ଗରାଖମାନେ ଆଉ ଖୁସିରେ ପରିବେଷଣକାରୀମାନଙ୍କୁ ଅର୍ଥରାଶି ଦେଇପାରିବେ ନାହିଁ କିନ୍ତୁ ଯଦି ନିହାତି ଖୁସି ହୋଇ ଦେବାକୁ ଚାହାନ୍ତି ତେବେ ସେମାନେ ଏହା ସିଧାସଳଖ ନ ଦେଇ ବାର୍ର ମ୍ୟାନେଜର୍ଙ୍କ ମାଧ୍ୟମରେ ସେମାନଙ୍କୁ ଦେଇପାରିବେ। ମଦ୍ୟପ ଗରାଖ କେତେ ଦେଲେ ଓ ବାର୍ର ମ୍ୟାନେଜର୍ ସେମାନଙ୍କୁ ଦେଲେ କି ନାହିଁ, ଏହାର ହିସାବ ରଖିବ କିଏ? ନିୟମ ହୋଇଛି ଯେ ସିସିଟିଭି ରହିବ କିନ୍ତୁ ଯଦି ଏହା ଅଚଳ ହୋଇଯାଏ ତେବେ ସଙ୍ଗୀତ ପରିବେଷଣ ତୁରନ୍ତ ବନ୍ଦ କରିଦିଆଯିବ। କିଏ ଦେଖିବ ସିସିଟିଭି କେତେବେଳେ ବନ୍ଦ ହୋଇଗଲା ଓ ସଙ୍ଗୀତ ପରିବେଷଣ ବନ୍ଦ ହେଲା କି ନାହିଁ? ଏମିତି ଅନେକ ଫାଙ୍କ, ଯାହା ବାଟ ଦେଇ ଖସିଯିବାର ଅନେକ ସୁଯୋଗ ରହିଛି।
ବନ୍ଧୁଗଣ, ସବୁ କଥାର ନିୟମ ହେଉ କିନ୍ତୁ ନିୟମ ସର୍ବଦା ବ୍ୟାବହାରିକ ହେଉ। ନିୟମ କରନ୍ତୁ କିନ୍ତୁ ଯେତିକି ଲାଗୁ କରିପାରିବା ସମ୍ଭବ ସେତିକି କରନ୍ତୁ। ଅନ୍ୟଥା ସରକାର ଓ ନିୟମ ଉଭୟ ହାସ୍ୟାସ୍ପଦ ହେବେ। ଦୀପାବଳି ଅମାବାସ୍ୟାରେ ନିୟମ ପ୍ରସ୍ତୁତ କରାଗଲା ଯେ ରାତିରେ ମାତ୍ର ଦୁଇ ଘଣ୍ଟା ଓ ଶହେ ପଚିଶ ଡେସିବେଲ୍ ଶବ୍ଦରେ ସୀମିତ ବାଣ ଫୁଟାଯିବ। ସହରଯାକ ଢୋ ଢା ହୋଇ ବାଣ ଫୁଟିଲା। କିଏ ନିୟନ୍ତ୍ରଣ କରିବ ଓ କେମିିତି କରିବ? ହାତରେ କ’ଣ ଗୋଟାଏ ଗୋଟାଏ ଡେସିବେଲ୍ ମାପିବା ଯନ୍ତ୍ର ଧରି ବୁଲିବ? ଯିଏ ଫୁଟେଇ ସାରିଛି ସିଏ କେତେ ଡେସିବଲ୍ର ଫୁଟେଇଛି ବୋଲି ପ୍ରମାଣ କେମିତି କରିବ? ଏମିତି ଅନେକ ଗଳାବାଟ, ଯେଉଁ ବାଟ ଦେଇ ନିୟମକୁ ଖତେଇ ହୋଇ ଯେ କୌଣସି ଲୋକ ଖସିଯାଇପାରିବ। ଏଭଳି ଗୁଡ଼ାଏ ନିୟମ କରି ଲାଭ କ’ଣ?
ମୋ: ୯୪୩୭୦୬୭୫୬୭