ଶ୍ୟାମସୁନ୍ଦର ଅଗ୍ରୱାଲା
ଜାତସ୍ୟ ହି ଧ୍ରୁବ ମୃତ୍ୟୁ। ଜନମ ହୋଇଛନ୍ତି ମାନେ ମରଣ ସୁନିଶ୍ଚିତ କିନ୍ତୁ ମରଣ କେବେ, କେମିତି, କିପରି ଓ କେଉଁଠି ହେବ ଏହା ଅନିଶ୍ଚିତ। ଆପଣ ଉଡ଼ାଜାହାଜରେ ବସି ପରିବାରକୁ ଭେଟିବାକୁ ଲଣ୍ଡନ ଯାଉଛନ୍ତି କି ପରିବାର ସହିତ ବୁଲିବାକୁ କାଶ୍ମୀର ଯାଉଛନ୍ତି କି ସାଙ୍ଗସାଥୀ ଗହଣରେ ବସି ହଷ୍ଟେଲରେ ଭୋଜନ କରୁଛନ୍ତି କି ହେଲିକପ୍ଟରରେ ବସି ଚାରିଧାମ ଯାତ୍ରା କରୁଛନ୍ତି, ଏପରିକି ନୂଆ ନୂଆ ବାହା ହୋଇ ମଧୁଚନ୍ଦ୍ରିକା ପାଳନ କରିବା ପାଇଁ ପାହାଡ଼ୀ ଇଲାକା ଯାଉଛନ୍ତି, କେଉଁଠି ବି ମୃତ୍ୟୁ ଆପଣଙ୍କୁ ଛାଡୁନାହିଁ। ସତେ ଯେମିତି ସବୁଠି ପାଦେ ପାଦେ ଜଗି ବସିଛି ଆଉ ଆପଣ ଜାଣିପାରୁ ନାହାନ୍ତି କେତେବେଳେ କେଉଁଠି ଅକସ୍ମାତ ଆପଣଙ୍କୁ ମାଡ଼ି ବସୁଛି।
ଥରେ ଯମରାଜ ମର୍ତ୍ତ୍ୟ ପରିଭ୍ରମଣ କରୁଥିଲେ। ଦେଖିଲେ ଗୋଟେ ଛୋଟ ଘରଚଟିଆ ଆନନ୍ଦରେ ଗଛକୁ ଗଛ ଉଡ଼ି ବୁଲୁଛି। କାହିଁକି କେଜାଣି ତାକୁ ଦେଖି ଯମରାଜ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ଏ କଥା ପକ୍ଷୀରାଜ ଗରୁଡ଼ ଦେଖିପାରିଲେ। ଘରଚଟିଆକୁ ଦେଖି ଯମରାଜ କାହିଁକି ଆଶ୍ଚର୍ଯ୍ୟ ହୋଇ ରହିଗଲେ ଭାବି ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ବୋଧହୁଏ ଏହା ତାହାର ମୃତ୍ୟୁକୁ ଇଙ୍ଗିତ କରୁଛି ତେଣୁ ପକ୍ଷୀରାଜ ହିସାବରେ ସେ ଘରଚଟିଆକୁ ବଞ୍ଚେଇବାକୁ ଚାହିଁ ହଜାର ହଜାର କୋଶ ଦୂର ଏକ ଅଗ୍ନାଅଗ୍ନି ବନସ୍ତ ଭିତରେ ଛାଡ଼ିଦେଲେ। ଘରଚଟିଆଟି ଆନନ୍ଦରେ ବନସ୍ତର ଗୋଟିଏ ଗଛ ଉପରେ ବସି ଚିଂ ଚିଂ କରୁଥିବା ବେଳେ ଗଛର କୋରଡ଼ରୁ ଗୋଟିଏ ନାଗସାପ ବାହାରି ତାକୁ ଦଂଶନ କରି ମାରିଦେଲା।
ଗରୁଡ଼ ଆଶ୍ଚର୍ଯ୍ୟ ହୋଇ ଏ କଥା ଯମରାଜଙ୍କୁ ପଚାରି ଏହାର ରହସ୍ୟ କ’ଣ ଜାଣିବାକୁ ଚାହିଁଲେ। ଯମରାଜ କହିଲେ, “ମୁଁ ତାକୁ ଦେଖି ଏଥିପାଇଁ ଆଶ୍ଚର୍ଯ୍ୟ ହେଲି ଯେ ଏହାର ତ ମୃତ୍ୟୁ ଆଉ ମାତ୍ର ପାଞ୍ଚ ମୁହୂର୍ତ୍ତ ଭିତରେ ହଜାର ହଜାର କୋଶ ଦୂର ଏକ ଅଗ୍ନାଅଗ୍ନି ବନସ୍ତରେ ଅଛି କିନ୍ତୁ ଏତେ ଛୋଟ ଚଢ଼େଇଟିଏ ଅଳ୍ପ ସମୟ ଭିତରେ ଏତେ ଦୂର ଯିବ କେମିତି? ଧନ୍ୟବାଦ ଗରୁଡ଼ ମହାଶୟ, ଆପଣ ମୋ କାମ ସହଜ କରିଦେଲେ ଓ ତାକୁ ପିଠିରେ ବସେଇ ସେଠି ପହଞ୍ଚାଇ ଦେଲେ।”
ଏହି କାହାଣୀ କହୁଛି ଯେ ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏହା କେତେବେଳେ, କେଉଁଠି ହେବ ଆଉ ଏହାର ଉତ୍ପ୍ରେରକ କିଏ ହେବ ତାହା ଆଜିଯାଏ ରହସ୍ୟମୟ ହୋଇ ରହିଛି। ମନୁଷ୍ୟ କିନ୍ତୁ ଏହାକୁ ବିଚିତ୍ର ଭାବରେ ଉପସ୍ଥାପନା କରୁଛି। ଯେତେବେଳେ ଏହା ଘଟିଯାଉଛି ଏହାକୁ ଦୁର୍ଭାଗ୍ୟର ଆଖ୍ୟା ଦେଇ ‘କପାଳ ଲିଖନ କେ କରିବ ଆନ’ ବୋଲି କହୁଛି ଆଉ ଯଦି ଏଥିରୁ ଅକସ୍ମାତ୍ ବଞ୍ଚିଯାଉଛି ତେବେ ସେ ତାକୁ ସୌଭାଗ୍ୟର ଆଖ୍ୟା ଦେଇ ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ବୋଲି ବିଚାର କରୁଛି। ମୃତ୍ୟୁର କିନ୍ତୁ ଏହିଭଳି କୌଣସି ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର ବାଛ ବିଚାର ନ ଥାଏ।
ଅହମଦାବାଦ-ଇଂଲାଣ୍ଡ ବିମାନ ଦୁର୍ଘଟଣାରେ କେବଳ ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଛନ୍ତି ଓ ଆଉ ଜଣେ ଯାତ୍ରୀ ମାତ୍ର ଦଶ ମିନିଟ ବିଳମ୍ବ ଯୋଗୁଁ ଯାତ୍ରା କରିପାରି ନାହାନ୍ତି। ଠିକ୍ ସେହିପରି ଜଣେ ଯାତ୍ରୀ ପୂର୍ବରୁ ତିନି ଥର ଟିେକଟ ବାତିଲ କରି ସେହି ଦିନ ହିଁ ଯାତ୍ରା କରୁଥିଲାବେଳେ ଆଉ ଜଣେ ଯାତ୍ରୀ ଯିବାର ନ ଥିଲା କିନ୍ତୁ ଅକସ୍ମାତ୍ କାମ ପଡ଼ିଛି ବୋଲି ଯିବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ଆସ୍ତିକମାନେ ଭଗବାନଙ୍କ ନିର୍ଣ୍ଣୟ ବୋଲି କହୁଥିଲାବେଳେ ନାସ୍ତିକମାନେ ଏହା ଘଟଣାଚକ୍ରର ସଂଯୋଗ ଓ ଯୋଗାନୁଯୋଗ ବୋଲି କହୁଛନ୍ତି। ମୃତ୍ୟୁ କିନ୍ତୁ ଏହିଭଳି କୌଣସି ବାଛ ବିଚାର କରି ନ ଥାଏ।
ଟାଇଟାନିକ ଜାହାଜ ପ୍ରସ୍ତୁତକାରୀଙ୍କୁ ଯେତେବେଳେ ଏହା କେତେ ସୁରକ୍ଷିତ ବୋଲି ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ଦେଇଥିଲେ, “ଏହା ଏତେ ସୁରକ୍ଷିତ ଯେ ସ୍ୱୟଂ ଭଗବାନ ମଧ୍ୟ ଏହାକୁ ବୁଡ଼େଇ ପାରିବେ ନାହିଁ।” କିନ୍ତୁ ଏହା ପ୍ରଥମ ଯାତ୍ରାରେ ହିଁ ବୁଡ଼ି ଯାଇଥିଲା ଏବଂ ଏଥିରେ ଥିବା ପନ୍ଦର ଶହ ଲୋକ ମୃତ୍ୟୁବରଣ କରିଥିଲେ। ଏହାର ଜଣେ ଯାତ୍ରୀ ତାଙ୍କ ପୁଅକୁ ଯାତ୍ରା ପୂର୍ବରୁ କୁକୁର କାମୁଡ଼ି ଦେଇଥିବାରୁ ଯାତ୍ରା କରିପାରି ନ ଥିଲେ ଅଥଚ ଆଉ ଜଣେ ଯାତ୍ରୀ ଜୁଆ ଖେଳରୁ ଗୋଟିଏ ଟିକେଟ ଅକସ୍ମାତ୍ ଲାଭ କରି ଯାତ୍ରା କରିଥିଲେ। ଏଠାରେ ମଧ୍ୟ ଜଣକର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହୋଇ ଯାଇଥିଲାବେଳେ ଅନ୍ୟ ଜଣଙ୍କର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଗଲା। ଏହା ମନୁଷ୍ୟ ବିଚାର କରିଥିଲା। ମୃତ୍ୟୁ କିନ୍ତୁ ଏହାର କୌଣସି ବାଛ ବିଚାର କରି ନ ଥିଲା। ଏହା ଦୁଇ ଜଣଙ୍କ ପାଇଁ ସମାନ ଥିଲା ଓ ଉଭୟ ମୃତ୍ୟୁବରଣ କରିଥିଲେ।
ମୃତ୍ୟୁ ଆଜି ବି ଅପରାଜେୟ ରହିଛି। କୌଣସି ଧର୍ମ, ବିଜ୍ଞାନ ଓ ଦର୍ଶନ ଏହାକୁ ଜୟ କରିପାରି ନାହିଁ କି କୌଣସି ଗ୍ରହ, ରାଶି, ନକ୍ଷତ୍ର କିମ୍ବା ସଂଖ୍ୟା ଏହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ଭେଦ କରିପାରି ନାହିଁ। ଗୁଜରାଟର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସଂଖ୍ୟାତତ୍ତ୍ବରେ ବିଶ୍ୱାସ କରୁଥିଲେ ଓ ବାରଶହ ଛଅ ତାଙ୍କର ଶୁଭ ସଂଖ୍ୟା ଥିଲା ବୋଲି ବିଚାର କରୁଥିଲେ। ତାଙ୍କର ସବୁ ଗାଡ଼ିମଟର, ସ୍କୁଟର, ମଟର ସାଇକେଲ ଓ ଯାନବାହାନ ନିମନ୍ତେ ଏହି ସଂଖ୍ୟାକୁ ସେ ବାଛିଥିଲେ କିନ୍ତୁ ତାଙ୍କର ମୃତ୍ୟୁ ଠିକ୍ ଏହି ସଂଖ୍ୟା ଛଅ ମାସ ବାର ତାରିଖ ଦିନ ହିଁ ହେଲା। ଏୟାର ଇଣ୍ଡିଆ ବର୍ତ୍ତମାନ ଏହି ଉଡ଼ାଣର ସଂଖ୍ୟା ଶହେ ଏକସ୍ତରିକୁ ଅଶୁଭ ବୋଲି ଭାବି ପରିବର୍ତ୍ତନ କରିଦେଇଛି, ସତେ ଯେମିତି ଏହି ସଂଖ୍ୟା ହିଁ ସମସ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା ଆଉ ଯାତ୍ରୀମାନେ ବର୍ତ୍ତମାନ ସିଟ୍ ସଂଖ୍ୟା ଏଗାରକୁ ଶୁଭ ବୋଲି ଭାବି ପସନ୍ଦ କରୁଛନ୍ତି ସତେ ଯେମିତି ଏହି ସଂଖ୍ୟା ହିଁ ଏହାର ଏକମାତ୍ର ଯାତ୍ରୀକୁ ମୃତ୍ୟୁ ମୁଖରୁ ବଞ୍ଚେଇ ଦେଲା।
ବନ୍ଧୁଗଣ, ଗ୍ରହ, ନକ୍ଷତ୍ର କିମ୍ବା ସଂଖ୍ୟା ଦ୍ୱାରା ମୃତ୍ୟୁକୁ ଖର୍ଦ୍ଦି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ମୃତ୍ୟୁ ଲାଞ୍ଚ ନିଏ ନାହିଁ। ମୃତ୍ୟୁ ଶୁଭ-ଅଶୁଭ ବିଚାର କରେ ନାହିଁ। ଧନୀ-ଦରିଦ୍ର ଜାଣେ ନାହିଁ। ଧର୍ମ-ଅଧର୍ମ ମାନେ ନାହିଁ। ସୁଖ-ଦୁଃଖ ଭାବେ ନାହିଁ। ନ୍ୟାୟ କି ଅନ୍ୟାୟ ବିିଚାର କରେ ନାହିଁ। ତେଣୁ ଟୀକା ଗୋବିନ୍ଦଚନ୍ଦ୍ରରେ କବି ମହାଶୟ କହିଯାଇଛନ୍ତି “ସେହି କାଳଯମ ବଡ଼ ଦାରୁଣରେ ନ ଜାଣଇ ଦୁଃଖ ସୁଖ! ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭