ଶ୍ୟାମସୁନ୍ଦର ଅଗ୍ରୱାଲା
ଓଡ଼ିଆ ଅସ୍ମିତା କ’ଣ? ଏହା କେଉଁଠି ମିଳୁଛି? ଦିନେ ଏହାକୁ ଖୋଜିବାକୁ ଯାଇ ସହରଯାକ ଯେତେ ଦୋକାନ ବଜାର ସବୁ ବୁଲିକି ଦେଖିଲି। ଚାରିଆଡ଼େ ଦେଖିଲି ଧାଡ଼ି ଧାଡ଼ି ହୋଇ ରହିଛି, ହରିଭାଇ ‘ବିଟଲ ସପ୍’, ରାଜେଶ ‘ହେୟାର କଟିଂ ସେଲୁନ’, ଦୁଲୁମିଆଁ ‘ଚିକେନ୍ ସେଣ୍ଟର’, ଗୋରାଚାନ୍ଦ ‘ଭେରାଇଟି ଷ୍ଟୋର୍ସ’, ଅହମ୍ମଦ ‘ମଟନ ହାଉସ’, ରାମଚଣ୍ଡୀ ‘ଟେଣ୍ଟ ହାଉସ’, ଆଲିସାନ ‘ଟେଲର୍ସ’, ଗଣପତି ‘ପ୍ୟୁୟର ଭେଜିଟାରିଆନ ରେଷ୍ଟୁରାଣ୍ଟ, ନୋ ଓନିଅନ, ନୋ ଗାର୍ଲିକ’, ଅମୁକ ହୋଟେଲ, ସମୁକ ‘ଟି ଷ୍ଟଲ’, ଢମୁକ ‘କଫି ସପ’ ଇତ୍ୟାଦି ଇତ୍ୟାଦି। ଚାରିଆଡ଼େ ତ ଇଂରେଜୀ, ଆଉ ଓଡ଼ିଆ ଅସ୍ମିତା କାହିଁ? ଶେଷକୁ ଗୋଟେ ଦୋକାନ ଦେଖି ଛାତି କୁଣ୍ଢେମୋଟ ହୋଇଗଲା। ଖାଣ୍ଟି ଓଡ଼ିଆ ନାଁ ଯେଉଁଠି ଗୋଟିଏ ବି ଇଂରେଜୀ କି ହିନ୍ଦୀ କି ଉର୍ଦ୍ଦୁ ଶବ୍ଦ ନାହିଁ। ଦୋକାନଟିର ନାଁ ହେଉଛି “ସରକାରୀ ମାନ୍ୟତାପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ”।
ବନ୍ଧୁଗଣ, ଓଡ଼ିଆ ଅସ୍ମିତାର ଅର୍ଥ ହେଉଛି ଆମ ଓଡ଼ିଶାର ଆତ୍ମ ଭାବ, ଆତ୍ମ ପ୍ରେମ ଓ ଆତ୍ମ ସମ୍ମାନ କିନ୍ତୁ ଆମ ଓଡ଼ିଆମାନଙ୍କର ମାଆ, ମାତୃଭୂମୀ ଓ ମାତୃଭାଷା ପ୍ରତି ଏହି ଭାବ କି ପ୍ରେମ କି ସମ୍ମାନ ଯଥେଷ୍ଟ ରହିଛି କି? ବର୍ତ୍ତମାନ ଓଡ଼ିଶାର ଚତୁଃଦିଗରେ ଓଡ଼ିଆ ଅସ୍ମିତା ଉପରେ ବାଦ ବିବାଦ ଚାଲିଛି। ସରକାର ଓ ବିପକ୍ଷ ପରସ୍ପରଙ୍କୁ ଓଡ଼ିଆ ଅସ୍ମିତା ଉପରେ ଅଭିଧାନ ଖୋଲି ପାଠ ପଢ଼ାଉଛନ୍ତି। ସମସ୍ତେ କେବଳ ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି କିନ୍ତୁ ପ୍ରଦର୍ଶନ ଘର ପ୍ରାୟ ସମସ୍ତଙ୍କର ଶୂନ; ଅର୍ଥାତ୍ ଓଡ଼ିଆ ଅସ୍ମିତାର ଆମେ କର୍ମବୀର ନହୁଁ କେବଳ ବାକ୍ୟବୀର ଅଟୁ। ଆମେମାନେ ହେଉଛୁ କବି ସମ୍ମିଳନୀର ବୀରରସର କବି ସଦୃଶ। ଏଣେ ମଞ୍ଚ ଉପରେ ଛିଡ଼ା ହୋଇ ବୀରତ୍ୱର ଭାଷଣ ଦେଉଛୁ କିନ୍ତୁ ତଳେ ତାଳଫୁଟୁକାଟିଏ ଫୁଟିଗଲେ ମଞ୍ଚ ଛାଡ଼ି ପୈତୃକ ପ୍ରାଣଟିକୁ ବଞ୍ଚେଇବା ପାଇଁ ଧାଇଁବାରେ ଲାଗୁଛୁ। ଏହି ଭୟ ଓ ଦୁର୍ବଳତା ଆମର ଆନୁବଂଶିକ। ଇତିହାସ ଏହାର ସାକ୍ଷୀ ଅଛି। ବାବର ମାତ୍ର ଦଶ ପନ୍ଦର ହଜାର ମୋଗଲ ସୈନିକଙ୍କୁ ନେଇ ଉଜ୍ବେକିସ୍ତାନରୁ ଭାରତ ଆସିଥିଲେ। ସେ ସମୟରେ ଭାରତବର୍ଷରେ ଜନସଂଖ୍ୟା ପନ୍ଦରୁ କୋଡ଼ିଏ କୋଟି ଥିଲା କିନ୍ତୁ ଦୁର୍ଭାଗ୍ୟ ଯେ ଜଣେ ପରେ ଜଣେ ହୋଇ ପ୍ରାୟ ଏକୋଇଶ ଜଣ ମୋଗଲ ସମ୍ରାଟ ଆମକୁ ପ୍ରାୟ ତିନିଶହ ବର୍ଷ କାଳ ରାଜୁତି କଲେ ଆଉ ଆମେ ଚୁପ୍ ହୋଇ ଏହାକୁ ସ୍ୱୀକାର କରିନେଲୁ ଏବଂ ଏହି ସାମ୍ରାଜ୍ୟର ମାନସମ୍ମାନ, ଉପାଧି ଓ ପଦପଦବି ମଧ୍ୟ ଖୁସିରେ ଖୁସିରେ ଗ୍ରହଣ କରିନେଲୁ। ହାତଗଣତି ବ୍ରିଟିଶ ଲୋକ ବ୍ୟବସାୟ କରିବାକୁ ଭାରତ ଆସିଥିଲେ ଆଉ ଦୁଇଶହ ବର୍ଷ କାଳ ଆମରି ସହାୟତାରେ ଆମ ଦେଶର ତିରିଶରୁ ପଇଁତିରିଶ କୋଟି ଲୋକଙ୍କୁ ଶାସନ କରିଥିଲେ। ଏକ ଅନାମଧେୟ ସହର ଗଜନୀରୁ ମାତ୍ର ଜଣେ ବ୍ୟକ୍ତି ମୁଷ୍ଟିମେୟ ସୈନ୍ୟସାମନ୍ତଙ୍କୁ ନେଇ ଲକ୍ଷ ଲକ୍ଷ ଭାରତୀୟ ବସବାସ କରୁଥିବା ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକୁ ବାରମ୍ବାର ଲୁଣ୍ଠନ କରି ଚାଲିଗଲେ। କାହିଁ ଆମେ କେହି ତ ଏହାର ପ୍ରତିରୋଧ କଲୁନାହିଁ; ବରଂ ସେମାନଙ୍କୁ ସହଯୋଗ କଲୁ ଓ ଉପାଧିପ୍ରାପ୍ତ ହୋଇ ସେମାନଙ୍କ ଦରବାର ମଧ୍ୟ ମଣ୍ଡନ କଲୁ।
ଏତେ ଦୂରକୁ ଯିବା କାହିଁକି? ଯେତେବେଳେ ଆମ ଓଡ଼ିଶାର ଏହି ସମ୍ବାଦପତ୍ର ଓଡ଼ିଆ ଅସ୍ମିତା ପ୍ରଶ୍ନ ଉଠେଇ ତତ୍କାଳୀନ ସରକାରଙ୍କୁ ଘେରିଥିଲା ଓ ଆକ୍ରୋଶର ଶିକାର ହୋଇଥିଲା ସେତେବେଳେ କେତେଜଣ ସୁପ୍ରସିଦ୍ଧ ଓଡ଼ିଆ ବୁଦ୍ଧିଜୀବୀ ଏହା ପଛରେ ଛିଡ଼ା ହୋଇଥିଲେ? ମନରେ ଡର ଥିଲା ଯେ ଆମ ପଦପଦବି ଓ ପୁରସ୍କାରଟା କାଳେ ଚାଲିଯିବ କି? ଗଠିତ ହେବାକୁ ଯାଉଥିବା ବିଧାନ ପରିଷଦର ସଭ୍ୟ ପଦଟା ହାତଛଡ଼ା ହୋଇଯିବ କି? ସଭାସମିତି କରି କହିବା ତ ଦୂରର କଥା, ଖବରକାଗଜରେ ଲେଖାଟିଏ ମଧ୍ୟ କେହି ଛାପିଲେ ନାହିଁ। ଯେତେବେଳେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ‘କାନ୍ତକବି’ଙ୍କୁ ବାରମ୍ବାର ‘କଣ୍ଠକବି’ ବୋଲି କୁହାଗଲା ସେତେବେଳେ ଓଡ଼ିଆ ଅସ୍ମିତାର ମୁଣ୍ଡିଆଳମାନେ ସେଠି ଥାଇ ବି ଚୁପ୍ ରହିବାକୁ ଉଚିତ ମନେ କଲେ। କ’ଣ ମିଳିବ ଆମକୁ ସେଥିରୁ? ଆରଥରକ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାରଟା ମିଳିଗଲେ ଗଲା। ଏହି ଦରବାରୀ ସଂସ୍କୃତିରେ ଓଡ଼ିଆ ଅସ୍ମିତାର ପ୍ରଶ୍ନ ଉଠୁଛି କେଉଁଠି?
ଆଜି ବି ଆମ ଓଡ଼ିଆମାନେ ଓଡ଼ିଆ ଭାଷାକୁ ଭଲ ପାଇ ଶିଖି ନାହାନ୍ତି। ଭାଷା ଆନ୍ତରିକତା ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାରେ ଜନ୍ମ ହୋଇ ଗର୍ବର ସହିତ ଖଣ୍ଡି ଓଡ଼ିଆରେ କଥାବାର୍ତ୍ତା ହେଉଛନ୍ତି। କହିଲେ କହୁଛନ୍ତି “ମୋ’ର ଓଡ଼ିଆଟା ଟିକେ ଦୁର୍ବଳ।” ତାଙ୍କର ଇଂରେଜୀ ଭାଷା ମଧ୍ୟ କୌଣସି ଗୁଣରେ ଭଲ ନୁହେଁ କିନ୍ତୁ ଇଂରେଜୀକୁ ଦୁର୍ବଳ କହିବାକୁ ଲାଜ ମାଡୁଛି। ଅଥଚ ଓଡ଼ିଆଟା ଦୁର୍ବଳ କହି ଗର୍ବ ଅନୁଭବ କରୁଛନ୍ତି। ତା’ ହୋଇ ନଥିଲେ ବର୍ଷ ବର୍ଷ ଧରି ଖଣ୍ଡି ଓ ବିକୃତ ଓଡ଼ିଆ ଶୁଣି ଆମ ଓଡ଼ିଆମାନେ ଏତେ ଖୁସି ହୋଇ ରହିନଥାନ୍ତେ। ଆମ ଓଡ଼ିଶାର ପିଠାପଣା ଚୁଲିକି ଗଲାଣି। ଆମ ପିଲାମାନେ ମୋମୋ ଖାଉଛନ୍ତି ଓ ସ୍ୱାଦିଷ୍ଠ ମଣ୍ଡାପିଠାକୁ ନାକ ଟେକୁଛନ୍ତି। ପିଜା ଖାଉଛନ୍ତି କିନ୍ତୁ କାକରା ନାଁ ଶୁଣିଲେ ଡେଉଁଛନ୍ତି। ଭୋଜିଭାତରେ ଓଡ଼ିଆ ଖାଦ୍ୟ ଦୁର୍ବଳ ହୋଇଗଲାଣି। ଯେଉଁଠି ଓଡ଼ିଆ କାଉଣ୍ଟରଟିଏ ଖୋଲୁଛି ସେଠି କେବଳ ହାତଗଣତି ପୁରୁଣାକାଳିଆ ବୁଢ଼ାବୁଢ଼ୀମାନଙ୍କୁ ଦେଖିବାକୁ ମିଳୁଛି। ଟୋକାଟୋକୀମାନେ ପାଣି ସିଙ୍ଗଡ଼ାକୁ ଛି ଛି କରୁଛନ୍ତି କିନ୍ତୁ ଵାଟର ଚେଷ୍ଟନଟ କାଉଣ୍ଟରରେ ଭିଡ଼ ଜମଉଛନ୍ତି। ସୀତାଫଳକୁ ନାକ ଟେକୁଛନ୍ତି କିନ୍ତୁ କଷ୍ଟାର୍ଡ ଆପଲ ଆଇସକ୍ରିମ ଶୁଣିଲେ ତାଙ୍କ ପାଟିରୁ ଲାଳ ଗଡୁଛି। ସମସ୍ତେ ମଙ୍ଗୋଲିଆନ ଓ ଚାଇନିଜ ଚାଓମିନ୍ ଖାଇବାରେ ବ୍ୟସ୍ତ ରହୁଛନ୍ତି। ଏଣେ ପୋଡ଼ପିଠା ଗନ୍ଧଉଛି ତେଣେ ଭାଲେଣ୍ଟାଇନ ଡେ’ର ବାସି କେକ ସବୁ ଚାଟିପକଉଛନ୍ତି, ଆଉ ୟାଙ୍କୁ ଓଡ଼ିଆ ଅସ୍ମିତା କ’ଣ ବୋଲି ପଚାରିଲେ ବଲବଲ କରି ଅନଉଛନ୍ତି କିମ୍ବା ସସ୍ମିତାର ସାନ ଭଉଣୀ ହୋଇଥିବ ବୋଲି ହସି ହସି କହୁଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭