ଶ୍ୟାମସୁନ୍ଦର ଅଗ୍ରୱାଲା

Advertisment

ଥରେ କୋର୍ଟରେ ଜଣେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଜଣେ ସତୁରି ବର୍ଷ ବୟସ୍କ ବୃଦ୍ଧଙ୍କୁ ମାଜିଷ୍ଟ୍ରେଟ ଟିକେ ତାଚ୍ଛଲ୍ୟ କରି ପଚାରିଲେ, “ମଉସା, ତୁମକୁ ଲାଜ ମାଡୁନାହିଁ? ଏ ବୟସରେ ମଧ୍ୟ ମହିଳାମାନଙ୍କୁ କମେଣ୍ଟ ମାରୁଛ?” ବୃଦ୍ଧ ଜଣକ ଉତ୍ତର ଦେଇ କହିଲେ, “ପୁଅରେ, ତୁ ଯାହା ଭାବୁଛୁ ତା’ ନୁହଁ। ତୁ ଯେଉଁ କମେଣ୍ଟ କଥା କହୁଛୁ, ତାହା ମୁଁ ଆଜିକୁ ପଚାଶ ବର୍ଷ ତଳେ ତୋର ଜଣେ ଲେଖାଯୋଖା ମାଉସୀକୁ ମାରିଥିଲି। ଏବେ ମୋତେ ସତୁରିକୁ ତାକୁ ଷଡ଼ଷଠି ହେଲାଣି। ତୁମ କୋର୍ଟ ଆଜି ଯାଏ ନିଷ୍ପତ୍ତି ନେଇପାରୁ ନାହିଁ। ମଁୁଁ କ’ଣ କରିବି? ଏ ବୟସରେ ମଧ୍ୟ କୋର୍ଟରେ ହାଜରା ଦେବାକୁ ପଡୁଛି।”
ବନ୍ଧୁଗଣ, ଦାର୍ଶନିକମାନେ କୁହନ୍ତି ଯେ ନିଷ୍ପତ୍ତି ନ ନେବା କିମ୍ବା ଅତ୍ୟଧିକ ବିଳମ୍ବରେ ନିଷ୍ପତ୍ତି ନେବା ଭୁଲ୍‌ ନିଷ୍ପତ୍ତି ନେବାଠାରୁ ବି ଅଧିକ ଭୟଙ୍କର ହୋଇଥାଏ। ତେଣୁ ରାଷ୍ଟ୍ରପତି ହୁଅନ୍ତୁ କି ରାଜ୍ୟପାଳ ହୁଅନ୍ତୁ, ସୁପ୍ରିମ୍‌ କୋର୍ଟ ହେଉ କି ହାଇକୋର୍ଟ ହେଉ, କଚେରି ହେଉ କି ସରକାରୀ ଦପ୍ତର ହେଉ, ଠିକଣା ସମୟରେ ଯଦି କେଉଁଠି ନିଷ୍ପତ୍ତି ନିଆ ନ ଯାଏ, ତେବେ ସମାଜରେ ବିଭ୍ରାଟ ହେବା ସ୍ୱାଭାବିକ। ଏବେ କେତେକ ରାଜ୍ୟପାଳଙ୍କ କ୍ଷେତ୍ରରେ ଆଇନ ପ୍ରଣୟନ ନିମନ୍ତେ ଅଯଥା ବିଳମ୍ବିତ ନିଷ୍ପତ୍ତି ନେଇ ସମଗ୍ର ଭାରତବର୍ଷ ପଡୁଛି ଉଠୁଛି ଏବଂ କଥା ଯାଇ ସୁପ୍ରିମ୍ କୋର୍ଟରେ ପହଞ୍ଚି ଦିନକୁ ଦିନ ଏକ ରାଜନୈତିକ ରଙ୍ଗ ନେବାରେ ଲାଗିଛି। ସଂବିଧାନ କହୁଛି ଯେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସ୍ୱୀକୃତି ଆଇନ ପ୍ରଣୟନ ନିମନ୍ତେ ଅନିବାର୍ଯ୍ୟ ଅଟେ। ଏଥି ନିମନ୍ତେ ଉଭୟ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷେତ୍ରରେ ସଂବିଧାନରେ ପ୍ରାୟ ସମାନ ବ୍ୟବସ୍ଥା ରହିଛି। ରାଜ୍ୟପାଳଙ୍କ ନିମନ୍ତେ ସଂବିଧାନର ଧାରା ଦୁଇଶହ ଅନୁଯାୟୀ, ବିଧାନସଭାରେ ଗୃହୀତ କୌଣସି ଅଣ-ଆର୍ଥିକ ବିଲ୍‌ ଉପରେ ନିଷ୍ପତ୍ତି ଦେବା ପାଇଁ ସଂକ୍ଷେପରେ ମାତ୍ର ତିନିଟି ବିକଳ୍ପ ରହିଛି। ସେ ବିଲ୍‌କୁ ସ୍ୱୀକୃତି ଦେଇପାରନ୍ତି କିମ୍ବା ପୁନର୍ବିଚାର ନିମନ୍ତେ ବିଧାନସଭାକୁ ଫେରେଇ ଦେଇପାରନ୍ତି କିମ୍ବା ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠେଇ ଦେଇପାରନ୍ତି। ଦୁର୍ଭାଗ୍ୟବଶତଃ ଏଥି ନିମନ୍ତେ ସଂବିଧାନରେ କୌଣସି ବାଧ୍ୟବାଧକତା ସମୟ ସୀମାର ଉଲ୍ଲେଖ ନ ଥିବାରୁ ଏହାକୁ ଅପବ୍ୟବହାର କରି ଅନେକ ରାଜ୍ୟପାଳ ବିଧାନସଭାରେ ପାର୍ ହୋଇଥିବା ବିଲ୍‌ଗୁଡ଼ିକୁ ବର୍ଷ ବର୍ଷ ଧରି କୌଣସି ନିଷ୍ପତ୍ତି ନ ନେଇ ନିଜ ପାଖରେ ପକେଇ ରଖିଦିଅନ୍ତି, ଯାହାକୁ ଇଂରେଜୀରେ ରାଜ୍ୟପାଳଙ୍କ ‘ପକେଟ୍ ଭିଟୋ’ ବୋଲି କୁହାଯାଇଥାଏ। 
ସବୁ କଥା ଯେ ବିସ୍ତୃତ ଭାବରେ ସଂବିଧାନରେ ଲେଖା ହେବ ତା’ର କିଛି ମାନେ ନାହିଁ। ଏହାର ଅନେକ କଥା ଆପଣଙ୍କ ବୁଦ୍ଧି, ବିଦ୍ୟା, ବିବେକ, ପ୍ରଥା ଓ ପରମ୍ପରା ଉପରେ ଛାଡ଼ି ଦିଆଯାଇଥାଏ। ଆପଣ ତୁରନ୍ତ ନିଷ୍ପତ୍ତି ନ ଦେଇ ଏହା ଉପରେ ବିଚାର ବିମର୍ଶ କରି ନିଷ୍ପତ୍ତି ନେବାରେ ଆପଣଙ୍କର ଅଧିକାର ଅଛି ସତ, କିନ୍ତୁ ତା’ ଅର୍ଥ ନୁହେଁ ଯେ ଆପଣ ବର୍ଷ ବର୍ଷ ଧରି ଏହା ଉପରେ କେବଳ ବିଚାର ବିମର୍ଶ କରୁଥିବେ, ଆଉ ଚୂଡ଼ାନ୍ତ ନିଷ୍ପତ୍ତି ନ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବେ। ଓଡ଼ିଆରେ ଗୋଟେ ଢଗ ଅଛି, ‘ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ’? ଆପଣ ଯଦି ଜାଣିଶୁଣି ବିଚାରବିମର୍ଶ କରୁଛନ୍ତି ବୋଲି କହି ନିଷ୍ପତ୍ତି ନ ନିଅନ୍ତି, ତେବେ ତାହାର ଆଉ କ’ଣ ଉପାୟ ଅଛି?
ଏହା ଫଳରେ କ’ଣ ହୁଏନା ଯେଉଁ ଉଦ୍ଦେଶ୍ୟ ନେଇ ବିଲ୍‌ଗୁଡ଼ିକ ପାରିତ ହୋଇଥାଏ, ତାହା ପୂରଣ ହୋଇପାରି ନଥାଏ ଏବଂ ଅଯଥା ରାଜ୍ୟ ସରକାର ବଦନାମ ହୋଇଥାନ୍ତି। ଉଦାହରଣ ସ୍ୱରୂପ, ତାମିଲନାଡୁ ସରକାରଙ୍କର ଯେଉଁ ଦଶ ବାରଟି ବିଲ୍‌ ରାଜ୍ୟପାଳ ବର୍ଷ ବର୍ଷ ଧରି ପକେଇ ରଖିଥିଲେ, ତାହା ରାଜ୍ୟର ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କର ନିଯୁକ୍ତି ସଂପର୍କରେ ଆଇନକାନୁନ ଉପରେ ଆଧାରିତ ଥିଲା ଏବଂ ଏଥି ନିମନ୍ତେ ରାଜ୍ୟପାଳଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ସେ କର୍ଣ୍ଣପାତ କରୁ ନ ଥିଲେ। ଯେହେତୁ ସଂବିଧାନରେ କେତେ ଦିନ ଭିତରେ ନିଷ୍ପତ୍ତି ଦେବାକୁ ବାଧ୍ୟ ବୋଲି ଉଲ୍ଲେଖ ନ ଥିଲା, ସେ ମୌନ ରହି ଏକ ଅଯଥା ସାଂବିଧାନିକ ସଙ୍କଟ ସୃଷ୍ଟି କରିଥିଲେ। ଆମର ସଂବିଧାନ ନିର୍ମାତାମାନେ ଭବିଷ୍ୟତରେ ଏ ଭଳି ପରିସ୍ଥିତି ଉପୁଜିବ ବୋଲି କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ, ନଚେତ ଅନେକ କଥା ସେମାନେ ବୁଦ୍ଧି ବିଦ୍ୟା ବିବେକ ଓ ସାଧାରଣ ଜ୍ଞାନ ଉପରେ ନ ଛାଡ଼ି ଏଥି ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରିଦେଇଥାନ୍ତେ, ଯାହା ଫଳରେ ଆଜି ଏ ଭଳି ପରିସ୍ଥିତି ଉପୁଜି ନଥାନ୍ତା। 
ଥରେ ରାଜା କବି ଯଦୁମଣି ମହାପାତ୍ରଙ୍କୁ ଭରଣପୋଷଣ ନିମନ୍ତେ ଖଣ୍ଡେ ଜମି ଦେବା ପାଇଁ ଛାମୁକରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଭଳି କିସମର ଜମି ଓ କେତେ ଦିନରେ ଦେବେ ବୋଲି ରାଜା ନିର୍ଦ୍ଦେଶ ଦେଇନଥିଲେ। ଏହାର ସୁଯୋଗ ନେଇ ଛାମୁକରଣ ଯଦୁମଣିଙ୍କୁ “ଆଜି ଆସ, କାଲି ଆସ” ବୋଲି କହି ବର୍ଷଟିଏ ଗଡ଼େଇଦେଲେ ଓ ଶେଷକୁ ଗୋଟେ ପଥୁରିଆ ଜମି ଧରେଇ ଦେଲେ। ଯଦୁମଣି କରିବେ କ’ଣ? ଦିନେ ରାଜାଙ୍କ ଦରବାରରେ ଉପସ୍ଥିତ ହେଲେ। ରାଜା ଚାଷବାସ କେମିତି ଚାଲିଛି ବୋଲି ପଚାରିବାରୁ ଯଦୁମଣି ଗାଇ ଉଠିଥିଲେ, “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ, ବାଛି ବାଛି କରି ଦେଲେ ପଡ଼ିଆ, ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ, ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।” ଏ କଥା ଶୁଣି ରାଜା ଛାମୁକରଣଙ୍କ ଉପରେ ବିରକ୍ତ ହେଲେ ଓ ଯଦୁମଣିଙ୍କୁ ଏକ ଉର୍ବର ଚାଷଜମି ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଲେ। 
ବନ୍ଧୁଗଣ, ଉପରୋକ୍ତ କାହାଣୀରେ ରାଜାଙ୍କ ନିର୍ଦ୍ଦେଶରେ କୌଣସି ଭୁଲ୍‌ ନ ଥିଲା, କିନ୍ତୁ ଛାମୁକରଣ ଯିଏ ନିର୍ଦ୍ଦେଶ ପାଳନ କରିଛନ୍ତି, ସିଏ ହିଁ ଜାଣିଶୁଣି ଭୁଲ୍‌ କରିଥିଲେ। ଠିକ୍ ସେମିତି ଆମ ସଂବିଧାନରେ କୌଣସି ଭୁଲ୍‌ ନାହିଁ, କିନ୍ତୁ ସଂବିଧାନ ଯେଉଁମାନେ ପାଳନ କରୁଛନ୍ତି, ସେହିମାନେ ହିଁ ଜାଣିଶୁଣି ଭୁଲ୍‌ କରୁଛନ୍ତି। ବୋଧହୁଏ ଏଥିପାଇଁ ଆମ ସଂବିଧାନର ଜନକ ଡକ୍ଟର ଆମ୍ବେଦକର ଥରେ କହିଥିଲେ ଯେ ସଂବିଧାନ ଯେତେ ଉତ୍କୃଷ୍ଟ ହେଲେ କ’ଣ ହେବ, ଯିଏ ଏହାକୁ ପାଳନ କରୁଛି, ସିଏ ଯଦି ଉତ୍କୃଷ୍ଟ ନ ହୁଏ, ତେବେ ସଂବିଧାନ ନିକୃଷ୍ଟ ହୋଇଯାଇଥାଏ, ଆଉ ସଂବିଧାନ ଯେତେ ନିକୃଷ୍ଟ ହେଲେ କ’ଣ ହେବ, ଯିିିିିିିିିିିିିିିିିିିିିିିିିିିିିିଏ ଏହାକୁ ପାଳନ କରୁଛି, ସିଏ ଯଦି ଉତ୍କୃଷ୍ଟ ହୁଏ ତେବେ ସେଇ ସଂବିଧାନ ଉତ୍କୃଷ୍ଟ ହୋଇଯାଇଥାଏ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭