ଏକ ବହୁ ପରୀକ୍ଷିତ ସତ୍ୟ ହେଲା, ଅଧିକ ସନ୍ତାନ ଉତ୍ପାଦନ ଲାଗି ବିଭିନ୍ନ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ ପରାମର୍ଶ ଓ ପ୍ରୋତ୍ସାହନ ଦେଇ ଚାଲିଥିବା ସତ୍ତ୍ବେ କେଉଁଠି ହେଲେ ଅଧୋଗାମୀ ‘ଟି.ଏଫ୍.ଆର୍.’ ଊର୍ଦ୍ଧ୍ବମୁଖା ହୋଇନାହିଁ! ତେଣୁ, ଏକ ନିଦାରୁଣ ସତ୍ୟ ହେଲା କ୍ରମ-କ୍ଷୟିଷ୍ଣୁ ତତ୍ତ୍ବାବଧାରକ ବର୍ଗ ଉପରେ ଅବଲମ୍ବନଶୀଳ ବର୍ଗଙ୍କ ଭାର ବୃଦ୍ଧି ପାଇ ଚାଲିବ। ଏଭଳି ସ୍ଥଳେ ଏହା ନିଃସନ୍ଦେହ ଯେ ତତ୍ତ୍ବାବଧାରକ ଗୋଷ୍ଠୀ ‘୦’ରୁ ‘୧୫’ ବର୍ଷ ବୟସ ବର୍ଗର ସଦସ୍ୟମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରିବେ, ଯେଉଁମାନଙ୍କ ସକାଶେ ଅଧିକ ଶ୍ରଦ୍ଧା, ଯତ୍ନ ଓ ପୁଂଜି ନିବେଶ କରିବେ ଏବଂ ଅବଲମ୍ବନଶୀଳ ଗତାୟୁମାନେ ସୀମାନ୍ତରିତ ହେବେ।
ପ୍ରାୟ ଛଅ ଦଶନ୍ଧି ବା ଅର୍ଧ ଶତାବ୍ଦୀ ତଳେ ଯେଉଁ ଏକ ସମସ୍ୟା ଭାରତର ମୁଣ୍ଡ ବ୍ୟଥାର କାରଣ ହୋଇଥିଲା, ସଂପ୍ରତି ତା’ର ବିପରୀତଟି ଘଟି ସମାଧାନର ସାନ୍ତ୍ବନା ପ୍ରଦାନ କରନ୍ତା କ’ଣ; ଓଲଟି ଆଉ ଏକ ଶିର ପୀଡ଼ାର ସୂତ୍ରପାତ ଘଟାଇଲାଣି। ସମସ୍ୟାଟି ହେଲା ଭାରତର ଜନସଂଖ୍ୟା ସଂପର୍କିତ; ଯାହାକୁ ହ୍ରାସ କରିବା ଲାଗି ସପ୍ତମ ଦଶକରୁ ସରକାରୀ ସ୍ତରରେ ପଦକ୍ଷେପମାନ ନିଆଯାଇ ଆସୁଥିବାରୁ, ହଠାତ୍ ଭାରତୀୟ ଦଂପତିମାନଙ୍କୁ ଅଧିକ ସନ୍ତାନ ଉତ୍ପାଦନ କରିବାକୁ ଭାରତର ଦୁଇଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ପ୍ରକାଶ୍ୟ ପରାମର୍ଶ କୌତୂହଳୋଦ୍ଦୀପକ ଆଲୋଚନାମାନ ସୃଷ୍ଟି କରିଛି। କହିବା ଅନାବଶ୍ୟକ ଯେ ଭାରତ ଭଳି ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଅଧିକ ସନ୍ତାନ ଉତ୍ପାଦନ ସପକ୍ଷରେ ଯେ କୌଣସି ବକ୍ତବ୍ୟ ଭ୍ରୂକୁଂଚନ ସୃଷ୍ଟି କରିବା ସ୍ବାଭାବିକ। କିନ୍ତୁ ଏଭଳି ଆହ୍ବାନ ପ୍ରଦାନ କରିଥିବା ଦୁଇ ମୁଖ୍ୟମନ୍ତ୍ରୀ; ଆନ୍ଧ୍ର ପ୍ରଦେଶର କେ. ଚନ୍ଦ୍ରବାବୁ ନାଇଡୁ ଓ ତାମିଲନାଡୁର ଏମ୍. କେ. ଷ୍ଟାଲିନ ରାଜନୈତିକ ଆନୁଗତ୍ୟ ଦୃଷ୍ଟିରୁ ଦୁଇ ପରସ୍ପର ବିରୋଧୀ ଶିବିରର ଅନ୍ତେବାସୀ ହୋଇଥିବା ସତ୍ତ୍ବେ ଏଭଳି ଐକ୍ୟତାନ ସୃଷ୍ଟି କରିବା ଯେ ଅହେତୁକ ହୋଇ ନ ଥିବ, ତାହା ମଧ୍ୟ ହୃଦ୍ବୋଧ କରାଯିବା ଉଚିତ। କହି ରଖିବା ଉଚିତ ହେବ ଯେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପଛରେ ଅର୍ଥନୈତିକ ଓ ରାଜନୈତିକ ଉଦ୍ବେଗ ନିହିତ ଅଛି। ଏବଂ ଯାହା ଅଧିକ ଉଦ୍ବେଗଜନକ ତାହା ହେଲା ଭାରତର ଜନସାଂଖ୍ୟିକ ଗଢ଼ଣ କ୍ରମେ ଯେଉଁ ରୂପ ନେବାକୁ ଯାଉଛି, ତାହା ସାମାଜିକ ଅଲକ୍ଷଣକୁ ମଧ୍ୟ ଜନ୍ମ ଦେଇପାରେ! ଏହି ଉଦ୍ବେଗକୁ ହୃଦୟଙ୍ଗମ କରିବାକୁ ହେବ।
ମୂଳ କଥା ହେଲା ସନ୍ତାନ ଜନ୍ମ ହାର ବା ‘ଟି.ଏଫ୍.ଆର୍.’ (ଟୋଟାଲ୍ ଫର୍ଟିଲିଟି ରେଟ୍) ଯଦି ୨.୧ରୁ ହ୍ରାସ ପାଏ, ଅର୍ଥାତ ୧୦ ଜଣ ମହିଳା ହାରାହାରି ୨୧ରୁ କମ୍ ସଂଖ୍ୟକ ସନ୍ତାନଙ୍କୁ ଜନ୍ମ ଦିଅନ୍ତି, ତେବେ ଜନସଂଖ୍ୟାରେ ବୃଦ୍ଧି ନ ଘଟି ତାହା ସଂକୁଚିତ ହେବାକୁ ଲାଗେ; ଯେଉଁ ସ୍ଥିତି ସମସ୍ତ ୟୁରୋପୀୟ ରାଷ୍ଟ୍ର, ଜାପାନ ଓ ଦକ୍ଷିଣ କୋରିଆ ଏପରିକି ଚୀନରେ ମଧ୍ୟ ପରିଦୃଷ୍ଟ ହେଉଛି। ସନ୍ତାନ ଭୂମିଷ୍ଠ ହେବା ହାରରେ ହ୍ରାସ ଘଟିବା ହେତୁ ଉତ୍ପାଦନଶୀଳ ହେବା ଲାଗି ଯୋଗ୍ୟ ବୟସ ସୀମା ୨୫ ବର୍ଷ ଅତିକ୍ରମ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ତୁଳନାରେ ଜୀବନର ଅସ୍ତାଚଳକୁ ପ୍ରେବଶ କରୁଥିବା ବୃଦ୍ଧଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହାର ଅର୍ଥ ୨୫ ବର୍ଷରୁ ୬୫ ବର୍ଷ ବୟସ ବର୍ଗ ଅଧୀନସ୍ଥ ଉତ୍ପାଦନଶୀଳ ମାନବ ସମ୍ବଳ କ୍ରମ କ୍ଷୟିଷ୍ଣୁ ହୋଇ ଦେଶର ଆୟରେ ସଂକୋଚନ ଘଟାଇବାର ସଂକେତମାନ ପ୍ରଦର୍ଶନ କଲେଣି। କେବଳ ସେତିକି ନୁହେଁ, ସଂପ୍ରତି ଲୋକେ ଦୀର୍ଘ ଆୟୁଧାରୀ ହେଉଥିବାରୁ ୬୫ ବର୍ଷ ବୟସ ଉପରାନ୍ତ ପକ୍ବକେଶାମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଅଣଉତ୍ପାଦନକ୍ଷମ ମାନବ ଗୋଷ୍ଠୀକୁ ଅଧିକ ସ୍ଫୀତ କରିଛି। ଏଭଳି ସ୍ଥଳେ ଉତ୍ପାଦନଶୀଳ ତଥା ରୋଜଗାରକ୍ଷମ ମାନବ ସମ୍ବଳ ଉପରେ ଯେଉଁ ଦୁଇ ଅଣଉତ୍ପାଦନଶୀଳ ଗୋଷ୍ଠୀ ଅବଲମ୍ବନ କରିଛନ୍ତି, ସେମାନେ ହେଉଛନ୍ତି ‘୦’ରୁ ‘୧୫’ ବର୍ଷ ବୟସ ବର୍ଗ ଓ ୬୫ ବର୍ଷରୁ ଅଧିକ ଆୟୁ ବର୍ଗର ସଦସ୍ୟଗଣ। ସୁତରାଂ, କ୍ରମବର୍ଦ୍ଧିଷ୍ଣୁ ଅଣଉତ୍ପାଦନଶୀଳ ମାନବମାନଙ୍କ ଭାର ବହନ କରିଥିବା ଓ କ୍ରମେ ସଂକୁଚିତ ହୋଇ ଚାଲିଥିବା ଉତ୍ପାଦନକ୍ଷମ ମାନବ ସମ୍ବଳ ଯେ ପର୍ଯ୍ୟାପ୍ତ ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ରହିବ, ତାହା ସ୍ବାଭାବିକ। ଏହା ଦ୍ବାରା ରାଷ୍ଟ୍ରର ଆର୍ଥିକ ପ୍ରଗତି ପ୍ରଭାବିତ ହେବା ଅନିବାର୍ଯ୍ୟ। ଅବଶ୍ୟ, ଏହା ସତ ଯେ ଭାରତୀୟମାନଙ୍କ ‘ଟି.ଏଫ୍.ଆର୍.’ରେ କ୍ରମ ଅବନତି ଘଟି ଚାଲିଲେ ସୁଦ୍ଧା ଆଉ ପଚିଶ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନଶୀଳ ଭାରତୀୟ ମାନବ ସଂବଳର ଆକାର ପୃଥିବୀର ବୃହତ୍ତମ ହୋଇ ରହିବ, କିନ୍ତୁ ବିଭିନ୍ନ ରାଜ୍ୟରେ ‘ଟି.ଏଫ୍.ଆର୍’ର ସ୍ଥିତି ଯାହା, ତାହା ସେହି ରାଜ୍ୟଗୁଡ଼ିକ ଲାଗି ଚିନ୍ତାର କାରଣ ହେଲାଣି, ଯେଉଁଗୁଡ଼ିକ ମଧ୍ୟରୁ ଆନ୍ଧ୍ରପଦେଶ ଓ ତାମିଲନାଡୁ ଅନ୍ୟତମ, ଯାହାର ‘ଟି.ଏଫ୍.ଆର୍.’ ଯଥାକ୍ରମେ ୧.୭ ଓ ୧.୮: ଅର୍ଥାତ୍ ଉତ୍ପାଦଶୀଳତା କ୍ଷେତ୍ରରେ ଏହି ରାଜ୍ୟ ଦ୍ବୟ ଅନ୍ୟ ରାଜ୍ୟର ମାନବ ସମ୍ବଳ ଉପରେ କାଳେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବେ, ତାହା ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ବିଗ୍ନ କରିଥିବ, ଯେଉଁଥି ଲାଗି ସେମାନେ ଏଭଳି ପରାମର୍ଶମାନ ଦେଇଥିବେ!
ଏବେ ରାଜନୈତିକ କାରଣ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ; ଯହିଁରେ ଦେଖିବାକୁ ମିଳିବ କିଭଳି ସଂକୁଚିତ ‘ଟି.ଏଫ୍.ଆର.’ ଦାକ୍ଷଣାତ୍ୟ ରାଜ୍ୟଗୁଡ଼ିକ ଲାଗି ରାଜନୈତିକ ଉଦ୍ବେଳନର କାରଣ ହୋଇଥାଏ। କହିବା ବାହୁଲ୍ୟ ଯେ ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ସଂସଦରେ ପ୍ରତିନିଧିତ୍ବ ସଂଖ୍ୟାରେ ବୃଦ୍ଧି ଘଟାଇବା ଏକ ସଂବିଧାନ ସ୍ବୀକୃତ ବ୍ୟବସ୍ଥା, ଯହିଁରେ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରାଯାଇଥାଏ ଏବଂ ଯାହାକୁ ‘ଡିଲିମିେଟସନ୍’ ବୋଲି କୁହାଯାଇଥାଏ। ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ‘ଡିଲିମିଟେସନ୍’କୁ ପଚିଶ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା କାରଣରୁ ଏବେ ସେ ପ୍ରକ୍ରିୟା ପ୍ରାରମ୍ଭ ହେବାର ସମୟ ଉପସ୍ଥିତ ହୋଇଛି। କିନ୍ତୁ ସମସ୍ୟା ହେଲା ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ଗଠନ ଓ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ଜନବହୁଳ ରାଜ୍ୟଗୁଡ଼ିକୁ ସଂସଦରେ ଅଧିକ ମୁଖର ହେବାର ସୁେଯାଗ ପ୍ରଦାନ କରୁଥିବା ବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଭଳି କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡ଼ିକର ଉପସ୍ଥିତିକୁ ସଂଖ୍ୟା ଦୃଷ୍ଟିରୁ ନ୍ୟୂନ କରିବା ସହିତ ନିଷ୍ପ୍ରଭ କରିବ। ପ୍ରତିନିଧିତ୍ବରେ ଏଭଳି ଭାରସାମ୍ୟହୀନତା ହେତୁ କୌଣସି ଆଇନ ପ୍ରଣୟନ କାଳରେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ଦ୍ବାରା ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ନିଷ୍ପ୍ରଭ ହୋଇଯିବେ। ଏଭଳି ସ୍ଥିତିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ପ୍ରଶ୍ନ ଉଠାନ୍ତି ଯେ ସପ୍ତମ ଦଶକରୁ ଜନସଂଖ୍ୟା ବୃଦ୍ଧି ଜନିତ ରାଷ୍ଟ୍ରର ଉଦ୍ବେଗକୁ ହୃଦ୍ବୋଧ କରି ସେମାନେ ଜନସଂଖ୍ୟା ସଂକୋଚନ ଲାଗି କରିଥିବା ପଥୀକୃତ୍ ଉଦ୍ୟମର ଏହା କ’ଣ ପୁରସ୍କାର? ତେବେ, ଏବେ ସ୍ପଷ୍ଟ ହେଲାଣି ଯେ କେବଳ ଦକ୍ଷିଣ ଭାରତୀୟ ରାଜ୍ୟ ନୁହନ୍ତି, ଦେଶର ତିରିଶରୁ ଅଧିକ ରାଜ୍ୟ ‘ଡିଲିମିଟେସନ୍’ ବିରୋଧରେ ସ୍ବର ଉତ୍ତୋଳନ କରି ପାରନ୍ତି। କାରଣ, ଉତ୍ତର ପ୍ରଦେଶ (ଟି.ଏଫ୍.ଆର୍.-୨.୪), ବିହାର (ଟି.ଏଫ୍.ଆର୍.- ୩), ଝାଡ଼ଖଣ୍ଡ (ଟି.ଏଫ୍.ଆର୍.- ୨.୩), ମଧ୍ୟ ପ୍ରଦେଶ (ଟି.ଏଫ୍.ଆର୍.- ୨.୦) ଏବଂ ରାଜସ୍ଥାନ (ଟି.ଏଫ୍.ଆର୍.- ୨.୦) ବ୍ୟତୀତ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ଟି.ଏଫ୍.ଆର୍. ଏବେ ୨ ତଳେ, ଯେମିତି କି ଜାମ୍ମୁକାଶ୍ମୀରରେ ତାହା ୧.୪ ବା ପଶ୍ଚିମବଙ୍ଗରେ ୧.୬ ବା ଓଡ଼ିଶାରେ ୧.୮ ଅଥବା ଛତିଶଗଡ଼ରେ ୧.୮ ଇତ୍ୟାଦି। ସୁତରାଂ, ଏହା ସୁନିଶ୍ଚିତ ଯେ ‘ଡିଲିମିଟେସନ୍’ ଦ୍ବାରା ପ୍ରଭାବିତ ହେବାରୁ ନିଷ୍କୃତି ପାଇବା ଲାଗି ମୁଖ୍ୟମନ୍ତ୍ରୀ ଦ୍ବୟ ଏଭଳି ପରାମର୍ଶମାନ ଦେଇଥିବେ, ଯାହା ଅବିଳମ୍ବେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ହୁଏତ ଦୋହରାଇ ପାରନ୍ତି!
ଏବେ ସଂକୁଚିତ ‘ଟି.ଏଫ୍.ଆର୍.’ କାରଣରୁ ସୃଷ୍ଟ ସାମାଜିକ ବାସ୍ତବତା ଉପରେ ଦୃଷ୍ଟିପାତ କରିବା। ଏକ ବହୁ ପରୀକ୍ଷିତ ସତ୍ୟ ହେଲା, ଅଧିକ ସନ୍ତାନ ଉତ୍ପାଦନ ଲାଗି ବିଭିନ୍ନ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ ପରାମର୍ଶ ଓ ପ୍ରୋତ୍ସାହନ ଦେଇ ଚାଲିଥିବା ସତ୍ତ୍ବେ କେଉଁଠି ହେଲେ ଅଧୋଗାମୀ ‘ଟି.ଏଫ୍.ଆର୍.’ ଊର୍ଦ୍ଧ୍ବମୁଖା ହୋଇନାହିଁ! ତେଣୁ, ଏକ ନିଦାରୁଣ ସତ୍ୟ ହେଲା କ୍ରମ-କ୍ଷୟିଷ୍ଣୁ ତତ୍ତ୍ବାବଧାରକ ବର୍ଗ ଉପରେ ଅବଲମ୍ବନଶୀଳ ବର୍ଗଙ୍କ ଭାର ବୃଦ୍ଧି ପାଇ ଚାଲିବ। ଏଭଳି ସ୍ଥଳେ ଏହା ନିଃସନ୍ଦେହ ଯେ ତତ୍ତ୍ବାବଧାରକ ଗୋଷ୍ଠୀ ‘୦’ରୁ ‘୧୫’ ବର୍ଷ ବୟସ ବର୍ଗର ସଦସ୍ୟମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରିବେ, ଯେଉଁମାନଙ୍କ ସକାଶେ ଅଧିକ ଶ୍ରଦ୍ଧା, ଯତ୍ନ ଓ ପୁଂଜି ନିବେଶ କରିବେ ଏବଂ ଅବଲମ୍ବନଶୀଳ ଗତାୟୁମାନେ ସୀମାନ୍ତରିତ ହେବେ। ନିଃସଙ୍ଗ ଗୋଧୂଳିରେ ଅନେକଙ୍କ ଲାଗି ଜରାନିବାସ ହୁଏତ ଅନ୍ତିମ ଆଶ୍ରୟ ସ୍ଥଳ ହୋଇପାରେ। ସେହି ଦୃଷ୍ଟିରୁ ବିଚାର କଲେ ଅଧିକ ସନ୍ତାନ ଉତ୍ପାଦନ କରି ବାର୍ଦ୍ଧକ୍ୟ କାଳରେ ନିଜ ଲାଗି ଅବଲମ୍ବନର ଆଧାରକୁ ପ୍ରଶସ୍ତ କରିବା ସାମାଜିକ ସ୍ଥିରତା ଦୃଷ୍ଟିକୋଣରୁ ଏକ ଆଶ୍ବାସନାମୂଳକ ପରାମର୍ଶ ହୋଇପାରେ; କିନ୍ତୁ ‘୦’ରୁ ‘୧୫’ ବର୍ଷ ବୟସ୍କଙ୍କ ଲାଳନପାଳନ, ଶିକ୍ଷା ଓ ତାଲିମ ଲାଗି ଅସୁମାରି ଦାୟିତ୍ବ ଓ ବିପୁଳ ଅର୍ଥ ବ୍ୟୟ ବହନ କରିବାକୁ ବାଧ୍ୟ ହେଉଥିବା ଦଂପତି (ତତ୍ତ୍ବାବଧାରକ)ମାନେ ଉପରୋକ୍ତ ପରାମର୍ଶକୁ କର୍ଣ୍ଣପାତ କଲେ ତ!