ଥରୁରଙ୍କ ବିକଳ୍ପମାନ କେବଳ ରାଜନୀତିରେ ସୀମିତ ବୋଲି ସେ କହିନାହାନ୍ତି। ଏହା ମଧ୍ୟ ସମ୍ଭବ ଯେ ସେ ଜଣେ କେବଳ ଜଣେ ଲେଖକ ଓ ଜନ-ବିଦ୍ବାନ ଭାବେ କାଳ ଅତିବାହିତ କରିବେ, ଯାହା ତାଙ୍କ ପ୍ରସିଦ୍ଧିକୁ ଆଦିଗନ୍ତ ବିସ୍ତାରୀ କରିପାରେ!

Advertisment

ସଂପ୍ରତି ଯେଉଁ ବିଷୟଟି ଗଣମାଧ୍ୟମରେ ତୀବ୍ର ବିତର୍କର ବିଷୟବସ୍ତୁ ପାଲଟିଛି, ତାହା ହେଲା ସାଂସଦ ଶଶି ଥରୁର ଏବଂ ତାଙ୍କ ଦଳ କଂଗ୍ରେସ ମଧ୍ୟରେ ସୃଷ୍ଟ ମନୋମାଳିନ୍ୟ, ଯାହା ଥରୁରଙ୍କ ଚେତାବନୀସୁଲଭ ମନ୍ତବ୍ୟରୁ ସ୍ପଷ୍ଟ ହୋଇଥାଏ। ସେ କହିଛନ୍ତି ଯେ ତାଙ୍କୁ ଯଦି ଦଳ ପକ୍ଷରୁ କୌଣସି ସୁନିର୍ଦ୍ଦିଷ୍ଟ ଦାୟିତ୍ବ ପ୍ରଦାନ କରା ନ ଯାଏ, ତେବେ ତାଙ୍କ ସକାଶେ ଉନ୍ମୁକ୍ତ ଥିବା ଅନ୍ୟାନ୍ୟ ପସନ୍ଦଯୋଗ୍ୟ ବିକଳ୍ପ ସମ୍ବନ୍ଧରେ ସେ ବିଚାର କରିବେ। ପ୍ରକାଶ ଥାଉ କି ଏ ସଂଦର୍ଭରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସହିତ ତାଙ୍କର ଏକ ସାକ୍ଷାତ-ଆଲୋଚନା, ଇତିମଧ୍ୟରେ, ସଂପନ୍ନ ହୋଇଯାଇଛି, କିନ୍ତୁ ତାହାର ଫଳାଫଳ ଏ ଯାବତ୍‌ ଅସ୍ପଷ୍ଟ। କେହି କେହି ମନେ କରିପାରନ୍ତି ଯେ ଭାରତର ଦକ୍ଷିଣତମ ବିନ୍ଦୁରେ ଅବସ୍ଥିତ କ୍ଷୁଦ୍ର ରାଜ୍ୟ କେରଳର ଜଣେ ସାଂସଦଙ୍କୁ କେନ୍ଦ୍ର କରି ସୃଷ୍ଟ ବିବାଦ ଏକ ଅଖିଳ ଭାରତୀୟ ବିତର୍କରେ କାରଣ ହେବ କାହିଁକି? କିନ୍ତୁ ବାସ୍ତବତାଟି ହେଲା ଅତ୍ୟନ୍ତ ଗୁଣୀ, ପ୍ରତିଭାସଂପନ୍ନ, ବିଶ୍ବ ସ୍ତରରେ ବିଖ୍ୟାତ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ବର ଅଧିକାରୀ ଶଶି ଥରୁର ଦଳ ପରିତ୍ୟାଗ କରିବାର ସମ୍ଭାବନା ପରିପ୍ରେକ୍ଷୀରେ କଂଗ୍ରେସର ବର୍ତ୍ତମାନ ଓ ଭବିଷ୍ୟତ୍‌ ନେଇ ଯେଉଁ ଚିନ୍ତା ସୃଷ୍ଟି ହୋଇଥାଏ, ତାହା ସମଗ୍ର ଦେଶ ଲାଗି ଗୁରୁତ୍ବପୂର୍ଣ୍ଣ।
ଉଲ୍ଲେଖଯୋଗ୍ୟ ଯେ ଯେଉଁ ଦୁଇଟି ତାତ୍କାଳିକ କାରଣ ପାଇଁ ଥରୁର କଂଗ୍ରେସ ସକାଶେ ଚକ୍ଷୁଶୂଳ ହୋଇ ଉଠିଛନ୍ତି, ସେ ଦ୍ବୟ ହେଲେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା କେରଳ ରାଜ୍ୟ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଅବତୀର୍ଣ୍ଣ ହେବା ନେଇ ତାଙ୍କର ଆକାଂକ୍ଷା ଓ ଇଙ୍ଗିତ ଏବଂ ଦ୍ବିତୀୟରେ ତାଙ୍କ ଦ୍ବାରା ସଦ୍ୟ ଲିଖିତ ଖବରକାଗଜ ସ୍ତମ୍ଭରେ କେରଳର କ୍ଷମତାସୀନ ବାମପନ୍ଥୀ ‘ଏଲ୍‌ଡିଏଫ୍‌’ ସରକାରର ପ୍ରଦର୍ଶନକୁ ପ୍ରଶଂସା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ ସଫଳ ବୋଲି ତାଙ୍କ ଦ୍ବାରା ପ୍ରଦତ୍ତ ମତ। ଉଲ୍ଲେଖଯୋଗ୍ୟ ଯେ କ୍ରମାଗତ ଦୁଇ ପାଳି ଶାସନରେ ଅଧିଷ୍ଠିତ ‘ଏଲ୍‌ଡିଏଫ୍‌’ ସରକାର ସଂପ୍ରତି ସତ୍ତା ବିରୋଧୀ ମନୋଭାବର ସମ୍ମୁଖୀନ ହୋଇ ଲୋକପ୍ରିୟତା ହରାଇବାରେ ଲାଗିଛି; ଯହିଁରେ ଆସନ୍ତା ଥର କଂଗ୍ରେସ କ୍ଷମତାରୂଢ଼ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି। ଏଭଳି ସ୍ଥଳେ କେରଳ ରାଜ୍ୟ କଂଗ୍ରେସରେ ଏକାଧିକ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଶୀ ବିଦ୍ୟମାନ ଥିବା ବେଳେ ସହସା ଥରୁରଙ୍କ ଆବିର୍ଭାବ ସ୍ବାଭାବିକ ଭାବେ ଏକ ଅସ୍ବସ୍ତି ଭାବ ସୃଷ୍ଟି କରିଛି। ପୁଣି, ଏଭଳି କ୍ଷଣରେ ‘ଏଲ୍‌ଡିଏଫ୍‌’ ସରକାରଙ୍କୁ ପ୍ରଶଂସାସୁଲଭ ସ୍ବୀକୃତି ଥରୁରଙ୍କୁ କେରଳ କଂଗ୍ରେସରେ ଏକ ପ୍ରକାର ଅସ୍ପୃଶ୍ୟରେ ପରିଣତ କରି ପକାଇଛି। ତେଣୁ କେରଳ କଂଗ୍ରେସର ନେତାମାନେ ପାରସ୍ପରିକ ତିକ୍ତତା ଓ ବିଦ୍ବେଷ ଭୁଲି ଶଶି ଥରୁରଙ୍କ ବିରୋଧରେ ମେଳି ହେବାରେ ବିସ୍ମୟର ବିଶେଷ କାରଣ ନ ଥାଏ। ଏବଂ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଲା ଥରୁରଙ୍କ ବିରୋଧୀଙ୍କ ମଧ୍ୟରେ ଅଛନ୍ତି କେ.ସି. ବେଣୁଗୋପଳ, ଯିଏ ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ପଦ ଲାଗି ଅଭିଳାଷୀ ଏବଂ ସଂପ୍ରତି ରାହୁଳ ଗାନ୍ଧୀଙ୍କ ଛାୟା ତୁଲ୍ୟ, ସର୍ବାଧିକ ଅନ୍ତରଙ୍ଗ। ତେଣୁ କଂଗ୍ରେସର କ୍ଷମତା-କେନ୍ଦ୍ର ନିକଟରେ ମଧ୍ୟ ଥରୁର ବେଶ୍‌ ଅପ୍ରିୟ ହୋଇ ପଡ଼ିଛନ୍ତି। ଅବଶ୍ୟ, ଏହା ଏକ ବାସ୍ତବତା ଯେ ଥରୁର କେବେ ହେଲେ ଗାନ୍ଧୀ ପରିବାରର ଏକାନ୍ତ ଅନ୍ତରଙ୍ଗ ହୋଇ ପାରି ନାହାନ୍ତି। ୨୦୨୨ ମସିହାରେ କଂଗ୍ରେସ ସଭାପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ଗାନ୍ଧୀ ପରିବାର ଦ୍ବାରା ସମର୍ଥିତ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ପ୍ରାର୍ଥୀ ହେବାର ଦୁଃସାହସ କରି ସେ କଂଗ୍ରେସ କ୍ଷମତା-କେନ୍ଦ୍ର ସକାଶେ ଏଭଳି ଅସହନୀୟ ହୋଇ ଉଠିଥିଲେ ଯେ ତା’ ପର ଠାରୁ ତାଙ୍କ ଭଳି ଜଣେ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ଦୃଷ୍ଟିକଟୁ ହେଲା ଭଳି ବାରମ୍ବାର ଉପେକ୍ଷା କରାଯାଉଛି, ଯେମିତି କି ଶଶି ଥରୁରଙ୍କ ଭଳି ଗୋଟିଏ ଅନତିକ୍ରମ୍ୟ ଭାବେ ବଳିଷ୍ଠ ଉପସ୍ଥିତି ସତ୍ତ୍ବେ ଅଧୀର ରଂଜନ ଚୌଧୁରି ହୁଅନ୍ତି ଲୋକସଭାରେ କଂଗ୍ରେସ ଦ୍ବାରା ପ୍ରଦର୍ଶିତ ଚେହେରା ଏବଂ ବିଭିନ୍ନ ଭାବଗମ୍ଭୀର ସଂଦର୍ଭରେ ଆଲୋଚନା କାଳରେ ବାଗ୍ମୀ ଥରୁରଙ୍କୁ ଜଣେ ମୂକ ଦର୍ଶକ ମାତ୍ରରେ ପରିଣତ କରି ଦିଆଯାଏ।
ପ୍ରକାଶ ଥାଉ କି ଜାତିସଂଘରେ ଏକ ଅତ୍ୟନ୍ତ ଚମକପ୍ରଦ କ୍ୟାରିଅରର ସମାପ୍ତି ପରେ ୨୦୦୯ ମସିହାରେ କଂଗ୍ରେସରେ ଯୋଗ ଦେଇଥିବା ଶଶି ଥରୁର କ୍ରମାଗତ ଚାରି ଥର ତିରୁବନନ୍ତପୁରମ ଲୋକସଭା ଆସନରୁ ବିଜୟୀ ହୋଇ ତାଙ୍କ ରାଜନୈତିକ ସାମର୍ଥ୍ୟର ପ୍ରମାଣ କରି ସାରିଛନ୍ତି, ଯେତେବେଳେ କି ପାର୍ଶ୍ବ-ଦ୍ବାର ଦେଇ କଂଗ୍ରେସରେ ପ୍ରବେଶ କରିଥିବା ଅନେକ ବିଖ୍ୟାତ ବିଜ୍ଞଜନ ରାଜ୍ୟସଭାର ସଦସ୍ୟ ଭାବେ ଦଳ ପକ୍ଷରୁ ମନୋନୀତ ହୋଇ ଦୀର୍ଘ କାଳ ଧରି ପଦ ଓ କ୍ଷମତାର ସୁବିଧାମାନ ଲାଭ କରିଆସୁଛନ୍ତି। କହିବା ବାହୁଲ୍ୟ ଯେ ସୌମ୍ୟକାନ୍ତ ଶଶି ଥରୁରଙ୍କ ବ୍ୟକ୍ତିତ୍ବ, ଜ୍ଞାନ ଓ ପ୍ରତିଭାର ଚୁମ୍ବକୀୟ ଆକର୍ଷଣ ‌େକରଳ ଅତିକ୍ରମୀ ଏବଂ ଭାରତ ବିସ୍ତାରୀ। ଏଭଳି ସ୍ଥଳେ ନିଜ ଜନାଧାର ନେଇ ତାଙ୍କ ଆତ୍ମ-ପ୍ରତ୍ୟୟ ମଧ୍ୟ ଅତ୍ୟନ୍ତ ଦୃଢ଼; ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ସେ ତାଙ୍କ ଦାବିକୁ ଯଥାର୍ଥ ବୋଲି ମନେ କରନ୍ତି। ଇତିମଧ୍ୟରେ କେରଳ ଗଣମାଧ୍ୟମରେ ପ୍ରକାଶିତ ଏକ ସର୍ବେକ୍ଷଣ କହିଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଶଶି ଥରୁରଙ୍କୁ ପ୍ରାୟ ୪୮% ନାଗରିକ ସମର୍ଥନ କରନ୍ତି। କହିବା ଅନାବଶ୍ୟକ, ଏଭଳି ଏକ ସ୍ଥିତି କଂଗ୍ରେସ କ୍ଷମତା-କେନ୍ଦ୍ର ସକାଶେ କେବଳ ଅରୁଚିକର ନୁହେଁ, ଅସହନୀୟ ମଧ୍ୟ ହୋଇଥିବ, ଯାହାକୁ ଆହୁରି ତୀବ୍ରତର କରିଥିବ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଖବରକାଗଜରେ ପ୍ରକାଶିତ ତାଙ୍କ ଆଲେଖ୍ୟ। ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ରାହୁଳ ଗାନ୍ଧୀଙ୍କ ଦ୍ବାରା ପରିଚାଳିତ କଂଗ୍ରେସ ଏଭଳି ଏକଦେଶଦର୍ଶୀ ଯେ ତା’ ଚକ୍ଷୁରେ ବିଜେପିର କୌଣସି ସୁଗୁଣ ଦିଶି ନ ଥାଏ, ଯେତେବେଳେ କି ଶଶି ଥରୁର ତାଙ୍କ ମୂଳ ଆଦର୍ଶ ‘ପ୍ଲୁରାଲିଜମ’ ବା ‘ବିବିଧତାବାଦ’କୁ ପରିତ୍ୟାଗ କରି ପାରି ନାହାନ୍ତି, ଯହିଁରେ ପ୍ରତିପକ୍ଷ ଏପରିକି ଶତ୍ରୁ ପକ୍ଷର ସଦ୍‌ଗୁଣଗୁଡ଼ିକ ପ୍ରଶଂସାର ପାତ୍ର ହୋଇପାରନ୍ତି। ଏଭଳି ସ୍ଥଳେ କଂଗ୍ରେସର କ୍ଷମତା-କେନ୍ଦ୍ର ଦୃଷ୍ଟିରେ ଥରୁର ସନ୍ଦିଗ୍‌ଧ ହୋଇ ପଡ଼ିବା ସ୍ବାଭାବିକ। ତେବେ, କଂଗ୍ରେସ ନେତୃତ୍ବ ଏହା ମଧ୍ୟ ହୃଦୟଙ୍ଗମ କରିଥାଏ ଯେ କଂଗ୍ରେସ ବ୍ୟତିରେକ ଶଶି ଥରୁରଙ୍କ ସକାଶେ ରାଜନୈତିକ ବିକଳ୍ପ ପ୍ରାୟ ଅନୁପସ୍ଥିତ; କାରଣ ଜଣେ ଲେଖକ ଓ ଜନ-ବିଦ୍ବାନ ଭାବେ ସେ ଉଭୟ ବାମ ଓ ଦକ୍ଷିଣ ପନ୍ଥା ରାଜନୀତିକୁ ତୀବ୍ର ସମାଲୋଚନାର ଶରବ୍ୟ କରି ଆସିଛନ୍ତି। ସେହି ଦୃଷ୍ଟିରୁ ବିଜେପି ବା ‘ଏଲ୍‌ଡିଏଫ୍‌’ରେ ଯୋଗଦାନର ପ୍ରସ୍ତାବ ତାଙ୍କ ଲାଗି ଅନସ୍ବୀକାର୍ଯ୍ୟ ହେବ, କାରଣ ଜଣେ ସମ୍ମାନାସ୍ପଦ ଲେଖକ ଭାବେ ତାଙ୍କ ଆଦର୍ଶଗତ ଐକାନ୍ତିକତାକୁ ଏହା ପ୍ରଶ୍ନାକୁଳ କରିବ। ସେହି ଭଳି ନୂତନ ଦଳ ଗଢ଼ିବା ବା ତୃଣମୂଳ କଂଗ୍ରେସ ଭଳି କେରଳରେ ଅଦୃଶ୍ୟ ଏକ ଦଳରେ ମିଶିବା‌ର ପ୍ରସ୍ତାବକୁ ସେ ଗ୍ରହଣ କରିବେ ନାହିଁ, କାରଣ ତଦ୍ଦ୍ବାରା ସେ ଅଚିରେ ରାଜନୈତିକ ଭାବେ ଅପାଂକ୍ତେୟ ହୋଇପଡ଼ିବେ। କିନ୍ତୁ, ଥରୁରଙ୍କ ବିକଳ୍ପମାନ କେବଳ ରାଜନୀତିରେ ସୀମିତ ବୋଲି ସେ କହିନାହାନ୍ତି। ଏହା ମଧ୍ୟ ସମ୍ଭବ ଯେ ସେ ଜଣେ କେବଳ ଜଣେ ଲେଖକ ଓ ଜନ-ବିଦ୍ବାନ ଭାବେ କାଳ ଅତିବାହିତ କରିବେ, ଯାହା ତାଙ୍କ ପ୍ରସିଦ୍ଧିକୁ ଆଦିଗନ୍ତ ବିସ୍ତାରୀ କରିପାରେ!
ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ କଂଗ୍ରେସ ‌େସୗର ମଣ୍ଡଳରେ ଗାନ୍ଧୀ ପରିବାରକୁ ପ୍ରଦକ୍ଷିଣ କରୁୁଥିବା ନିକଟତମ ଗ୍ରହଗୁଡ଼ିକ କୌଣସି ଅଧିକ ଦୀପ୍ତିମାନ ଉପସ୍ଥିତିକୁ ସହ୍ୟ କରି ପାରନ୍ତି ନାହିଁ, ତେଣୁ ଶଶି ଥରୁର ଏଭଳି ଭୋଗିବା ଅନିବାର୍ଯ୍ୟ ହୋଇପଡ଼େ। କିନ୍ତୁ, ଏହି ଧାରଣାକୁ ଭ୍ରମାତ୍ମକ ସାବ୍ୟସ୍ତ କରିବାକୁ ପ୍ରଶ୍ନ କରାଯାଇପାରେ ଯେ ତାହା ହେଲେ ପି. ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ପାର୍ଶ୍ବ-ଦ୍ବାର ଦେଇ କଂଗ୍ରେସରେ ପ୍ରବେଶ କରିଥିବା ଅତ୍ୟନ୍ତ ବିଜ୍ଞ ଓ ବିଚକ୍ଷଣ ଅର୍ଥଶାସ୍ତ୍ରୀ ମନମୋହନ ସିଂହ ପୁଣି କିଭଳି କଂଗ୍ରେସର ଏହି କ୍ଷମତା-କେନ୍ଦ୍ର ଦ୍ବାରା ମନୋନୀତ ହୋଇ ଦଶ ବର୍ଷ ସକାଶେ ପ୍ରଧାନମନ୍ତ୍ରୀ ହୋଇପାରିଲେ? ସୁତରାଂ, ସମସ୍ୟା କ୍ଷମତା-କେନ୍ଦ୍ରଠାରେ ନ ଥାଇ ଶଶି ଥରୁରଙ୍କ ଠାରେ ଥ‌‌ିବା ନିଶ୍ଚିତ। ଟିକିଏ ଗଭୀର ଦୃଷ୍ଟିପାତ କଲେ ଥରୁରଙ୍କ ସମସ୍ୟାମାନ ମଧ୍ୟ ଦିଶିଯାଏ, ଯେଉଁଗୁଡ଼ିକ ହେଲା, ସେ ହୁଏତ ଅପେକ୍ଷାକୃତ ଭାବେ ଅଧିକ ସଳଖ ମେରୁଦଣ୍ଡର ଅଧିକାରୀ, ଦ୍ବିତୀୟରେ ସେ ମହତ୍ତ୍ବାକାଂକ୍ଷୀ ଏବଂ ତୃତୀୟ କଥା ହେଲା କଂଗ୍ରେସର କେନ୍ଦ୍ର ବିନ୍ଦୁ ରାହୁଳ ଗାନ୍ଧୀଙ୍କ ଭଳି ସେ ଚାରି ଥର ଲୋକସଭା ନିର୍ବାଚନ ଜିତିଥିଲେ ହେଁ ରାଜପୁତ୍ର ସହିତ ପଦାତିକର ପ୍ରଦର୍ଶନକୁ ତୁଳନା କଲେ ଥରୁରଙ୍କ ବିଜୟ ଅଧିକ ପ୍ରଭାବଶାଳୀ ଭଳି ମନେ ହୋଇପାରେ।