କେବେ ଭାବିଛନ୍ତି ବିନା ଇଣ୍ଟରନେଟ, ସ୍ମାର୍ଟଫୋନ, ଏଟିଏମ୍ ଏବଂ ବିନା ବ୍ୟାଙ୍କ ଆକାଉଣ୍ଟରେ ଆମେ ଟଙ୍କା ନେଣଦେଣ କରିପାରିବା? ଯଦି ଆଶ୍ଚର୍ଯ୍ୟ ହେଉଥାନ୍ତି ତେବେ ଜାଣି ନିଅନ୍ତୁ ଯେ ନିକଟ ଭବିଷ୍ୟତରେ ଆମ ଦେଶରେ ତାହା ସମ୍ଭବ ହେବାକୁ ଯାଉଛି। ପର୍ଯ୍ୟାୟ କ୍ରମେ ଏହାର ପ୍ରସ୍ତୁତି ଭାରତ ସରକାର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଆରମ୍ଭ କରିସାରିଲେଣି। ଏହା ହେଉଛି ଡିଜିଟାଲ ମୁଦ୍ରା। ଆମ ଦେଶରେ ଦୁଇ ପ୍ରକାର ବ୍ୟାଙ୍କିଙ୍ଗ୍‌ ନେଣଦେଣ ବ୍ୟବସ୍ଥା ଅଛି; ଯହିଁରୁ ପ୍ରଥମଟି ହେଲା ବ୍ୟାଙ୍କମାନଙ୍କ ମଧ୍ୟରେ ହେଉଥିବା ‘ହୋଲସେଲ ପେମେଣ୍ଟ’ ବ୍ୟବସ୍ଥା ଏବଂ ଅନ୍ୟଟି ହେଲା ସାଧାରଣ ଜନତା ଦୈନନ୍ଦିନ ଜୀବନରେ କରୁଥିବା ‘ରିଟେଲ ପେମେଣ୍ଟ’ ତଥା ଖୁଚୁରା ନେଣଦେଣ। ତେବେ, ପ୍ରାରମ୍ଭିକ ଭାବେ ଏଇ ଡିଜିଟାଲ ମୁଦ୍ରାର ପ୍ରଥମ ପ୍ରଚଳନର ପରୀକ୍ଷା କେବଳ ‘ହୋଲସେଲ ପେମେଣ୍ଟ’ ବ୍ୟବସ୍ଥା ଉପରେ କରାଯାଉଛି। ସମୁଦାୟ ୯ଟି ଭାରତୀୟ ବ୍ୟାଙ୍କ ଏଇ ଡିଜିଟାଲ ମୁଦ୍ରା କାରବାରରେ ସାମିଲ ହେବେ; ଯାହା ଭିତରେ ଅଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ସରକାରୀ ଏବଂ ଏଚ.ଡି.ଏଫ.ସି. ବ୍ୟାଙ୍କ, ଆଇ.ସି.ଆଇ.ସି.ଆଇ, କୋଟାକ ମହିନ୍ଦ୍ରା, ୟେସ ବ୍ୟାଙ୍କ, ଆଇ.ଡି.ଏଫ.ସି. ଏବଂ ଏବଂ ଏଚ.ଏସ.ବି.ସି. ଭଳି ବେସରକାରୀ ବ୍ୟାଙ୍କ।

Advertisment

ପାଠକପାଠିକାଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଗୁଗଲ ପେ ବା ଫୋନ୍‌ପେ କିମ୍ବା ପେଟିଏମ୍ ଆଦି ମାଧ୍ୟମରେ ଟଙ୍କା ନେଣଦେଣ ସୁରୁଖୁରୁରେ ଚାଲିଥିବା ବେଳେ ଏ ଡିଜିଟାଲ ମୁଦ୍ରା ପୁଣି କ’ଣ ଓ କ’ଣ ପାଇଁଁ? କିନ୍ତୁ ସତ କହିଲେ, ବ୍ୟାଙ୍କିଙ୍ଗ୍‌ କାରବାର ଦୃଷ୍ଟିରୁ ଏ ଦୁଇ ବ୍ୟବସ୍ଥା ମଧ୍ୟରେ ମୌଳିକ ଫରକ ରହିଛି। ପ୍ରଥମ କଥା ତ ହେଲା ନଗଦ କାରବାରରେ ଆମେ ବ୍ୟବହାର କରୁଥିବା କାଗଜ ଟଙ୍କା ଆମ ଆଖିକୁ ଦିଶୁଛି, ଆମେ ଛୁଇଁ ଓ ଧରି ଜାଣି ପାରୁଛୁ କିନ୍ତୁ ଡିଜିଟାଲ ମୁଦ୍ରା ଅଦୃଶ୍ୟ ହେବ। ତେବେ ଅଦୃଶ୍ୟ ମୁଦ୍ରା କହିଲେ ଅଧିକାଂଶ ପାଠକପାଠିକାଙ୍କ ମନକୁ ‘କ୍ରିପ୍ଟୋ କରେନ୍‌ସି’ କଥା ଆସୁଥିବ, ଏବଂ ଏହା ମଧ୍ୟ ଜଣାଶୁଣା ଯେ ଭାରତ ସରକାର ତଥା ରିଜର୍ଭ ବ୍ୟାଙ୍କ ‘କ୍ରିପ୍ଟୋ କରେନ୍‌ସି’ର ବିରୋଧୀ। ତେବେ ପୁଣି ଏ ଅଦୃଶ୍ୟ ଡିଜିଟାଲ ମୁଦ୍ରା ପୁଣି କ’ଣ? ମୂଳ କଥା ହେଲା ଏହା ‘କ୍ରିପ୍ଟୋ କରେନ୍‌ସି’ ନୁହେଁ। ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଏହି ମୁଦ୍ରା ସମ୍ପୂର୍ଣ୍ଣ ଆଇନ ସମ୍ମତ ଏବଂ ସର୍ବାଦୌ ଗ୍ରହଣୀୟ।

ଆମେମାନେ ଦୋକାନକୁ ଯାଇ ଜିନିଷ କିଣି କୌଣସି ଆପ୍‌ ବ୍ୟବହାର କରି ଅନ୍‌ଲାଇନ୍‌ ପେମେଣ୍ଟ କଲା ମାତ୍ରକେ ଆମ ବ୍ୟାଙ୍କ ଖାତାରୁ ଦୋକାନୀଙ୍କ ବ୍ୟାଙ୍କ ଖାତାକୁ ପଇସା ଚାଲିଯାଏ ସିନା, କିନ୍ତୁ ବ୍ୟାଙ୍କ ଭିତରେ ଏଇ ନେଣଦେଣ ସେଇ କ୍ଷଣି ହୋଇଯାଏ ନାହିଁ। ବ୍ୟାଙ୍କ ଦିନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ଟଙ୍କା ଚୁକ୍ତି କରିଥାଏ। କିନ୍ତୁ ଡିଜିଟାଲ ମୁଦ୍ରା ବ୍ୟବସ୍ଥା ଆମ ଜୀବନ ଭିତରକୁ ଆସିଗଲେ ତତ୍‌କ୍ଷଣାତ ଟଙ୍କା ଦୋକାନୀଙ୍କ ନିକଟକୁ ଚାଲିଯିବ। ଏହା ଦ୍ବାରା ସାଧାରଣ ଜନତାଙ୍କ ଦୃଷ୍ଟିକୋଣରୁ ଦେଖିଲେ ବିଶେଷ କିଛି ଫରକ ନାହିଁ; କିନ୍ତୁ ବ୍ୟାଙ୍କମାନଙ୍କ ପାଇଁ ଏହା ଲାଭଦାୟକ ହେବ। ଏହାର ସକାରାତ୍ମକ ପ୍ରଭାବ ଭାରତୀୟ ବାକିଆ ବେପାର ବା ଋଣ ବ୍ୟବସ୍ଥା ଉପରେ ପଡ଼ିବ। ଆମ ଦେଶରେ ମାସିକ ଦରମା ଆଧାରରେ ବ୍ୟାଙ୍କରୁ ଋଣ ପାଇବା ଯେତିକି ସହଜ, ଜଣେ ବ୍ୟବସାୟୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଯୋଗାଡ଼ କରିବା ସେତିକି ସହଜ ନୁହେଁ। ଏହାର ଏକମାତ୍ର କାରଣ ହେଉଛି ଜଣେ ସାଧାରଣ ବ୍ୟବସାୟୀର ‘କ୍ରେଡିଟ ୱର୍ଦିନେସ’ ବା ‘ବାକିଆ ଟଙ୍କା ଫେରେଇବାର କ୍ଷମତା’ ମାପିବା ପାଇଁ ଭାରତରେ ସେମିତି କିଛି ବ୍ୟବସ୍ଥା ନାହିଁ। ସଚରାଚର ଦୁଇ ପ୍ରକାର ‌େଲାକ ଦେଖାଯାଆନ୍ତି; ‌ଥୋକେ ଟଙ୍କା ଧାର ନେଲେ ଠିକଣା ସମୟରେ ପରିଶୋଧ କରି ଦିଅନ୍ତି, ଆଉ ଥୋକେ ତାହା କରନ୍ତି ନାହିଁ। କିନ୍ତୁ ଗୋଟିଏ ବ୍ୟାଙ୍କ ତାହା ଜାଣିବ କେମିତି? ତେଣୁ ଏ କ୍ଷେତ୍ରରେ ବ୍ୟାଙ୍କ ଏବଂ ଋଣ ଆବେଦନକାରୀଙ୍କ ମଧ୍ୟରେ ସନ୍ଦେହ ହିଁ ସଂପର୍କର ମୂଳ ଆଧାର ହୋଇଥାଏ, ଯେଉଁ କାରଣରୁ ଅନେକ ବ୍ୟବସାୟୀଙ୍କୁ ବ୍ୟାଙ୍କ ଋଣ ମିଳି ନ ଥାଏ।

ଅପରପକ୍ଷେ ଚାକିରିଆଙ୍କ ବେତନ ବ୍ୟାଙ୍କରେ ପ୍ରତି ମାସ ଜମା ହେଉଥିବାରୁ ଋଣ କିସ୍ତି ଆଦାୟ କରିବା ବ୍ୟାଙ୍କ ପକ୍ଷରେ ସହଜ ହୋଇଥାଏ। କିନ୍ତୁ ଏଭଳି ସ୍ଥିତି ଉଦ୍ୟୋଗର ବିକାଶ ପାଇଁ ଉତ୍ସାହଜନକ ନୁହେଁ। ତେଣୁ ଜଣେ ବ୍ୟକ୍ତିଙ୍କ ଋଣ ପରିଶୋଧଜନିତ ସାଧୁତା ମାପିବାର ଏକ ବ୍ୟବସ୍ଥା କରାଯିବା ଉଚିତ। ବ୍ୟାଙ୍କ ଋଣ ପରି‌େଶାଧ କରୁ ନ ଥିବା ବ୍ୟକ୍ତିଙ୍କର ଏକ ରେକର୍ଡ ତ ବ୍ୟାଙ୍କ ପାଖରେ ଥାଏ, କିନ୍ତୁ ହାତ ଉଧାରି ନେଇ ଅଭ୍ୟାସଗତ ଭାବେ ପରିଶୋଧ କରୁ ନ ଥିବା ଲୋକଙ୍କ ସଂପର୍କରେ କୌଣସି ବିଧିବଦ୍ଧ ସୂଚନା କେଉଁଠାରେ ନ ଥାଏ। ତେଣୁ, ବ୍ୟାଙ୍କଗୁଡ଼ିକ ଋଣ ଆବଦେନକାରୀଙ୍କୁ ଏକ ସନ୍ଦେହପୂର୍ଣ୍ଣ ନଜରରେ ଦେଖନ୍ତି। ଡିଜିଟାଲ ମୁଦ୍ରା ପ୍ରଚଳନ କରି ସରକାର ସାଧାରଣ ବ୍ୟକ୍ତିଙ୍କ ଋଣ ପରିଶୋଧ ଅଭ୍ୟାସର ଏକ ତଥ୍ୟ ରଖିପାରିବେ। କାରଣ, ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିଥିବା ପ୍ରଯୁକ୍ତିରେ କୋଡ୍‌ ବ୍ୟବହାରର ବ୍ୟବସ୍ଥା ରହିଛି, ଯଦ୍ଦ୍ବାରା ସମସ୍ତ ପ୍ରକାର ମୁଦ୍ରା ନେଣଦେଣର ସବୁ ପର୍ଯ୍ୟାୟ ଉପରେ ନଜର ରଖାଯାଇପାରିବ ଓ ଟଙ୍କାର ଗତିକୁ ସୂକ୍ଷ୍ମ ଭାବେ ପର୍ଯ୍ୟବେକ୍ଷଣ କରାଯାଇପାରିବ, ଯାହା ପ୍ରକାରାନ୍ତରେ ଋଣ ବ୍ୟବସ୍ଥାକୁ ମଜଭୁତ କରିବ ଏବଂ ଦେଶରେ ଉ‌େଦ୍ୟାଗୀକରଣକୁ ଅଧିକ ତ୍ବରାନ୍ବିତ କରିବ।

ଏବେ ଫିନ୍‌ଲାଣ୍ଡର ଏକ ଉଦାହରଣକୁ ଦେଖିବା। ସେହି ଦେଶରେ ଆଶ୍ରୟ ନେଇଥିବା ଶରଣାର୍ଥୀମାନଙ୍କ ଦାରିଦ୍ର୍ୟଜନିତ କଷଣ ଲାଘବ କରିବା ଲାଗି ସେଠାକାର ସରକାର କିଛି ଯୋଜନା ବା ସବ୍‌ସିଡିର ବ୍ୟବସ୍ଥା କରିଛନ୍ତି। କିନ୍ତୁ ତାହା ପାଇବା ଲାଗି ହିତାଧିକାରୀମାନଙ୍କୁ ‘ଏଟିଏମ୍ କାର୍ଡ’ ଭଳି ଏକ ସରକାରୀ କାର୍ଡ ଦିଆଯାଇଛି ଯେଉଁଥିରେ ସରକାର ଟଙ୍କା ଭର୍ତ୍ତି କରି ଦେଇଥାଆନ୍ତି ଯାହାର ‘ଲିମିଟ୍‌’ ଶେଷ ହେବା ପର୍ଯ୍ୟନ୍ତ ହିତାଧିକାରୀମାନେ ତା’ର ବ୍ୟବହାର କରିପାରିବେ। ସେହି କାର୍ଡରେ ସବସିଡି ବା ରିହାତି ବା ଅନ୍ୟାନ୍ୟ ସରକାରୀ ସୁବିଧାର ସବୁ ବ୍ୟବସ୍ଥା ଖଂଜା ଯାଇଥାଏ। ବଡ଼ କଥା ହେଲା, ଏହି କାର୍ଡ ମଧ୍ୟ ଏକ ପରିଚୟ ପତ୍ର ଭଳି କାମ କରେ। ସୁତରାଂ, ଏ ବ୍ୟବସ୍ଥାରେ ଠକେଇ ବା ନକଲି ହିିତାଧିକାରୀଙ୍କ ସମ୍ଭାବନା ହ୍ରାସ ପାଏ। ଡିଜିଟାଲ ମୁଦ୍ରାର ପ୍ରଚଳନ ସହିତ ଆମ ସରକାର ବିଭିନ୍ନ ସରକାରୀ ଯୋଜନାରେ ସ୍ବଚ୍ଛତା ଲାଗି ଏଭଳି ବ୍ୟବସ୍ଥା ମଧ୍ୟ କରି ପାରିବେ।
ଡିଜିଟାଲ ଟଙ୍କା ଆସିଗଲେ ନୋଟ୍‌ ଛାପିବା ଠାରୁ ଆରମ୍ଭ କରି ଟଙ୍କାର ବିତରଣ ଏବଂ ପରିଚାଳନା ଖର୍ଚ୍ଚ ଦୂର ହୋଇଯିବ। ସରକାରୀ ତଥ୍ୟ ଅନୁସାରେ ରିଜର୍ଭ ବ୍ୟାଙ୍କକୁ ୧୦ ହଜାର ଖଣ୍ଡ ୫୦୦ ଟଙ୍କିଆ ନୋଟ ତିଆରି କରିବାକୁ ଆନୁମାନିକ ୪ ହଜାର ଦୁଇ ଶହ ଟଙ୍କା ଲାଗେ। ଦ୍ବିତୀୟରେ, ନକଲି ନୋଟ୍‌ କାରବାର ଏବେ ଏଭଳି ଏକ ସ୍ଥିତି ସୃଷ୍ଟି କଲାଣି ଯେ ଏହା ଦ୍ବାରା ଦେଶର ଅର୍ଥନୀତି ଗଭୀର ଭାବେ ଆକ୍ରାନ୍ତ ହେବାର ଭୟ ଦିଶିଲାଣି। ଡିଜିଟାଲ ମୁଦ୍ରା ଦ୍ବାରା ତାହା ଦୂର ହେବ। ତୃତୀୟରେ ଟଙ୍କା ବିତରଣ ପାଇଁ ଏଟିଏମ୍ ମେସିନ ବସାଇବା କିମ୍ବା ତାକୁ ପରିଚାଳନା କରିବାର ବ୍ୟୟ ଭାରରୁ ବ୍ୟାଙ୍କଗୁଡ଼ିକ ମୁକ୍ତ ହେବେ।

କେବଳ ସେତିକି ନୁହେଁ, ଭାରତରେ ଏ ଯାବତ ୨୦ କୋଟି ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ। ପାର୍ଲିଆମେଣ୍ଟର ତଥ୍ୟ ଅନୁସାରେ ଜନଧନ ଆକାଉଣ୍ଟ ଜରିଆରେ ଖୋଲା ଯାଇଥିବା ୧୫-୨୦% ଆକାଉଣ୍ଟ ଅଚଳ ହୋଇପଡ଼ିଛି। ପୁଣି ଦେଶର ଏମିତି ଅନେକ ଜାଗା ଅଛି, ଯେଉଁଠି ବ୍ୟାଙ୍କ ନାହିଁ ବା ବ୍ୟାଙ୍କ ଥିଲେ ଏଟିଏମ୍ ମେସିନ ନାହିଁ। ଯେହେତୁ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରଚଳିତ ହେବାକୁ ଯାଉଥିବା ଡିଜିଟାଲ ମୁଦ୍ରା ବ୍ୟବସ୍ଥାରେ ନେଣଦେଣ ପାଇଁ କୌଣସି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନାହିଁ; ଦୁର୍ଗମ ଅଞ୍ଚଳର ଲୋକେ ଏହା ଦ୍ବାରା ଉପକୃତ ହେବେ। ଏପରିକି ବ୍ୟାଙ୍କ ଆକାଉଣ୍ଟ ନ ଥାଇ ବି ବ୍ୟାଙ୍କରୁ ଋଣ ନେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ଉଠାଇବା ପର୍ଯ୍ୟନ୍ତ ସବୁ କିଛି ଏହି ଡିଜିଟାଲ ମୁଦ୍ରା ବ୍ୟବସ୍ଥାରେ କରାଯାଇପାରିବ।

ଅନ୍ୟପକ୍ଷରେ, ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୦ ସୁଦ୍ଧା ଭାରତୀୟ ବ୍ୟାଙ୍କମାନେ ବ୍ୟାଙ୍କ ଠକେଇ ଯୋଗୁଁ ସମୁଦାୟ ୪ ଲକ୍ଷ ୨୫ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି। ବ୍ୟାଙ୍କ ମାନଙ୍କଠାରୁ ଏକ ନିର୍ଦ୍ଦିଷ୍ଟ କାରଣ ଲାଗି ଟଙ୍କା ଋଣ ନେଇ ତାକୁ ଅନ୍ୟ କାର୍ଯ୍ୟରେ ଲଗାଇବା ଭାରତୀୟ ଆଇନ ଅନୁଯାୟୀ ଏକ ଅପରାଧ। ସରକାରଙ୍କର ଅନେକ ନିବାରକ ଆଇନ ତଥା ଅଡିଟ୍‌ ବ୍ୟବସ୍ଥା ଥାଇ ମଧ୍ୟ ଏହି ପ୍ରକାର ଠକେଇକୁ ରୋକାଯିବା ସହଜସାଧ୍ୟ ହୋଇପାରିନାହିଁ। ଖାଲି ସେତିକି ନୁହେଁ ଭାରତୀୟ କାଗଜ ମୁଦ୍ରାକୁ ଅନେକ ରାଷ୍ଟ୍ର ବିରୋଧୀ ତଥା ଆତଙ୍କବାଦୀ କାର୍ଯ୍ୟକଳାପରେ ଅପବ୍ୟବହାର କରାଯାଉଛି। ‘ଲାଇଫ ବ୍ଲଡ୍‌ ଅଫ ଟେରରିଜମ୍‌’ ନାମକ ପୁସ୍ତକରେ କୁହାଯାଇଛି ଯେ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ମାସିକ ଆନୁମାନିକ ବ୍ୟୟ ପାଖାପାଖି ୮୦-୧୦୦ କୋଟି ଟଙ୍କା, ଯାହା ଭାରତୀୟ କାଗଜ ମୁଦ୍ରା ଆକାରରେ ଖର୍ଚ୍ଚ ହୁଏ। ସେମିତି ଭାରତ ସରକାରଙ୍କୁ ଟିକସ ଠକି ଯେଉଁ ସବୁ କଳାଧନ ଠୁଳ ହେଉଛି ଓ ଯାହା ଭାରତର ଜି.ଡି.ପି.ର ପ୍ରାୟ ୧୭%, ତା’ର ଏକ ବଡ଼ ଅଂଶ କାଗଜ ଟଙ୍କା। ଡିଜିଟାଲ ମୁଦ୍ରାର ପ୍ରଚଳନ ଏହାର ବିଲୋପ ଘଟାଇବ, କାରଣ ଏହି ବ୍ୟବସ୍ଥାରେ ଟଙ୍କାର ଗତି ଉପରେ ଦୃଷ୍ଟି ରଖାଯାଇପାରିବ।

ତେବେ, ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠେ ଯେ ଏହା ଦ୍ବାରା ନାଗରିକମାନଙ୍କର ‘ରାଇଟ୍‌ ଟୁ ପ୍ରାଇଭେସି’ ବା ‘ବ୍ୟକ୍ତିଗତ ଗୋପନୀୟତାର ଅଧିକାର’ ଭଳି ମୌଳିକ ଅଧିକାର ଉପରେ ଆଞ୍ଚ ଆସିବ ନାହିଁ କି? ସତ କହିଲେ ଏହା ଡିଜିଟାଲ ମୁଦ୍ରାର ଏକ ବଡ଼ ଖୁଣ ହୋଇପାରେ, ଯାହା ହୁଏ’ତ ଜନ ବିରୋଧର ସାମନା କରିପାରେ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଡିଜିଟାଲ ଟଙ୍କା ଚୋରି ହେବାର ସମ୍ଭାବନା କମ୍‌। କିନ୍ତୁ ଏ ନେଇ ଅନେକ ସନ୍ଦେହ ରହିଛି। କାରଣ, ଏବେ ଯେମିତି କଂପ୍ୟୁଟର ହ୍ୟାକିଂ ଜରିଆରେ ସାଇବର୍‌ ଆକ୍ରମଣମାନ କରାଯାଉଛି, ସେହି ପ୍ରେକ୍ଷାପଟ‌େର ଡିଜିଟାଲ ମୁଦ୍ରାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସନ୍ଦେହ ଘେରରେ ରହିଛି। ଆଉ ଗୋଟିଏ ମୁଖ୍ୟ କଥା ହେଲା ଭାରତରେ ସମୁଦାୟ ୧୪୩ କୋଟି ଲୋକ ଭିତରୁ ମାତ୍ର ୮୨ କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚିଥିବାରୁ ଡିଜିଟାଲ ମୁଦ୍ରା ସମସ୍ତଙ୍କ ପାଇଁ ଉପଲବ୍‌ଧ ହୋଇ ପାରିବ ନାହିଁ। ତେଣୁ ସରକାର ଏ ସବୁ ବିଷୟରେ ଚିନ୍ତା କରିବା ଆବଶ୍ୟକ। ସତ କହିଲେ, ଦେଶରେ ଅନ୍‌ଲାଇନ୍‌ ନେଣଦେଣ କ୍ଷିପ୍ର ଗତିରେ ବଢୁଛି। ଏଣେ, ବିଗତ ଦୁଇ ବର୍ଷରେ କାଗଜ ଟଙ୍କାର ବ୍ୟବହାର ମଧ୍ୟ ୫%ରୁ ୭% ହାରରେ ବଢ଼ିଛି। ଏଭଳି କ୍ଷେତ୍ରରେ ଯାହା ସରକାରଙ୍କ ଲାଗି ଏକ ଆହ୍ବାନ ହେବ, ତାହା ହେଲା ଡିଜିଟାଲ ମୁଦ୍ରା ନେଇ ସାଧାରଣ ଲୋକଙ୍କୁ ବୁଝାଇବା ଏବଂ ଏହି ବ୍ୟବସ୍ଥାକୁ ସମସ୍ତଙ୍କ ଠାରେ ବିଶ୍ବା‌ସଭାଜନ କରାଇବା। କାଗଜ ନୋଟର ବ୍ୟବହାରର ଅଭ୍ୟାସ ମଧ୍ୟ ଦୂର ହେବା କଷ୍ଟକର। କଥାରେ କହନ୍ତି, ଟଙ୍କାକୁ ଛୁଇଁବାର ବା ଧରିବାର ବା ଗଣିବାର ସୁଖ ହେଉଛି ଅଲଗା। ତେଣୁ ଏ ସବୁ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ତଥା ବିଭିନ୍ନ ବିଭ୍ରାନ୍ତିକୁ ଦୂର କରିବା ହେଉଛି ସରକାରଙ୍କ ଏକ ବଡ଼ ଦାୟିତ୍ବ।
ମୋ: +୯୧-୯୭୯୧୧୨୧୦୬୮