ଜିତଶତ୍ରୁ ମହାନ୍ତି

Advertisment

ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ, ଜୀବାଣୁ, କୀଟାଣୁ, ମାଟି, ପାଣି ଓ ପର୍ବତ ଇତ୍ୟାଦିକୁ ନେଇ ଯେଉଁ ସୁବୃହତ୍‌, ସୁବିସ୍ତୃତ ଓ ବହୁବିଧ ପ୍ରାକୃତିକ ବ୍ୟବସ୍ଥା, ତାହାର ରକ୍ଷଣାବେକ୍ଷଣ କରିଥାଆନ୍ତି, ତହିଁରେ ବାସ କରୁଥିବା ବନ୍ୟ ଜୀବମାନେ। ଏଥିରେ ଗଜ ବା ହାତୀର ରହିଛି ଏକ ଗୁରୁଦାୟିତ୍ୱ। କାରଣ ସବୁଜ ସମ୍ପଦର ସଂରଚନା ଓ ସମୃଦ୍ଧିରେ ଏହାର ଭୂମିକା ସର୍ବାଧିକ। 

ବିଶାଳ ଶରୀରଧାରୀ ଏହି ଶୁଦ୍ଧ ଶାକାହାରୀ ପ୍ରାଣୀଟି ଆହାର ଭାବେ ଲୋଡ଼ିଥାଏ ପ୍ରଚୁର ପରିମାଣର ବାଉଁଶ, ଡାଳପତ୍ର, ଲଟିଝଟି ଓ ଫଳମୂଳ। ଦୈନିକ ପ୍ରାୟ ୧୮ ଘଣ୍ଟା ଜଙ୍ଗଲ ଭିତରେ ଚରିବୁଲି ଖାଇବା ସହିତ ୧୨ରୁ ୧୫ ଥର ମଳ ତ୍ୟାଗ କରି ତା’ ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ତିନି ହଜାରରୁ ଅଧିକ ଛୋଟବଡ଼ ମଞ୍ଜି ବୁଣିଥାଏ। ଅନ୍ୟ ତୃଣଭୋଜୀ ପ୍ରାଣୀ ଯେମିତି କି ଗୟଳ, ଗଣ୍ଡା, ନୀଳଗାଈ ଓ ମଇଁଷି ଇତ୍ୟାଦି ୧୦ କିଲୋମିଟର ବ୍ୟାସ ପରିମିତ ଅଞ୍ଚଳରେ ବିଚରଣ କରି ମଳ ତ୍ୟାଗ ଦ୍ବାରା ବୀଜ ବିକ୍ଷେପ କରୁଥିବା ବେଳେ ହାତୀ ଦ୍ବାରା ପ୍ରାୟ ଦଶ ଗୁଣ ଅଧିକ ବିସ୍ତୃତ ଅଞ୍ଚଳରେ ମଞ୍ଜି ଭୂପତିତ ହୋଇ ବୃକ୍ଷରେ ପରିଣତ ହେବାର ସମ୍ଭାବନା ସୃଷ୍ଟି କରିଥାଏ। ହାତୀର ଯୋଗଦାନରୁ ବେଲ, କୁମ୍ଭି, କଇଥ, ଚାର, ମହୁଲ, ଅଁଳା, କୁସୁମ, ଆମ୍ବ, ପଣସ, ଜାମୁ, ଗମ୍ଭାରୀ, ରାଇ ଓ ମଇ ଭଳି ଅନେକ ଉପକାରୀ ବୃକ୍ଷ ଜଙ୍ଗଲରେ ମିଳନ୍ତି। କେବଳ ସେତିକି ନୁହେଁ, ଜଙ୍ଗଲରେ ବିଶୃଙ୍ଖଳ ଭାବେ ବଢ଼ିଥିବା ଲତାକୁ ଟାଣି ଓଟାରି ଖାଇ ତା’ର ନିବିଡ଼ ଘେରରୁ ଗଛକୁ ମୁକ୍ତ କରେ ହାତୀ। ପୁଣି ଉଚ୍ଚ ଶାଖାପ୍ରଶାଖା ଭାଙ୍ଗି ଖାଉଥିବାରୁ ଘଞ୍ଚ ଜଙ୍ଗଲର ଅଭେଦ୍ୟ ସବୁଜ ସାମିଆନାରେ ସୃଷ୍ଟ ଛିଦ୍ର ଦେଇ ସୂର୍ଯ୍ୟାଲୋକ ମାଟିରେ ପଡ଼ି ଜଙ୍ଗଲକୁ ଅଧିକ ପରିପୁଷ୍ଟ କରିଥାଏ। କେବଳ ସେତିକି ନୁହେଁ, ହାତୀ ମଳ ମଧ୍ୟ ଅନେକ କ୍ଷୁଦ୍ର ଜୀବଙ୍କର ଖାଦ୍ୟ ଭଣ୍ଡାର ଓ ଅଣୁକୀଟଙ୍କର ଆବାସ। ଜଳ ଉତ୍ସର ନିରନ୍ତର ସନ୍ଧାନରେ ରହିଥିବା ହାତୀମାନଙ୍କ ପଦଚିହ୍ନ ଦ୍ବାରା ସୃଷ୍ଟ ବାଟ ଅନେକ ପ୍ରାଣୀଙ୍କୁ ଘଞ୍ଚ ଜଙ୍ଗଲ ଅଭ୍ୟନ୍ତରରେ ଥିବା ଜଳାଶୟ ନିକଟରେ ପହଞ୍ଚିବାରେ ସହାୟକ ହୋଇଥାଏ। ଜଙ୍ଗଲ ଗଠନ ଓ ପରିବର୍ଦ୍ଧନରେ ହାତୀର ଭୂମିକା ହେତୁ ତାକୁ କୁହାଯାଏ ଜଙ୍ଗଲର ଇଂଜିନିଅର ବା ଜଙ୍ଗଲର ଯନ୍ତ୍ରୀ। 

ଏବେ କିନ୍ତୁ ଏହି ଶକ୍ତିଶାଳୀ ଅଥଚ ଶାନ୍ତିପ୍ରିୟ ଜନ୍ତୁଟି ଭୁଲ୍‌ ବୁଝାମଣାର ଶିକାର ହେବାରେ ଲାଗିଛି। ଜଙ୍ଗଲ ବାହାରେ ମାନବ ବସତିରେ ହାତୀମାନେ ଘଟାଉଥିବା କ୍ଷୟକ୍ଷତିି ସଂପର୍କରେ ଆଲୋଚନା ବେଳେ ଅନେକ କହୁଛନ୍ତି ଯେ ହାତୀର ହାବଭାବ ବଦଳିଗଲାଣି; ବା ଜଙ୍ଗଲୀ ଡାଳପତ୍ର ବଦଳରେ ସ୍ୱାଦିଷ୍ଠ ଫସଲ ତାକୁ ଆକୃଷ୍ଟ କରୁଛି ବା ମଣିଷ ବସତିକୁ ପଶି କଲବଲ କରିବା ତା’ର ଏକ ନୂଆ ପ୍ରକୃତି ହୋଇଯାଇଛି। ସେମାନେ କହୁଛନ୍ତି ଯେ ଜଙ୍ଗଲର ଆୟତନ ତ ବୃଦ୍ଧି ପାଉଛି, ତଥାପି ହାତୀ ମଣିଷ ବସତି ମଧ୍ୟକୁ ଆସୁଛି କାହିଁକି? ଏହି ଧାରଣା ସଂପୂର୍ଣ୍ଣ ସତ ନୁହେଁ। ପ୍ରଥମ କଥା ହେଲା ଆମ ଦ୍ବାରା ସୃଷ୍ଟ କୃତ୍ରିମ ଜଙ୍ଗଲ ପ୍ରାକୃତିକ ଜଙ୍ଗଲର ବିକଳ୍ପ ହୋଇ ନ ପାରେ; କାରଣ ସେଠି ହାତୀର ପସନ୍ଦଯୋଗ୍ୟ ଖାଦ୍ୟ ନ ଥାଏ। ହାତୀର ପ୍ରଧାନ ଖାଦ୍ୟ ଶାଳିଆ ବାଉଁଶ। ଏହା ଛଡ଼ା ହାତୀ ଭଲପାଏ ଘରଣୀ ଲତା, କମଳା କୁଣ୍ଡି, ଧନତିରୀ ଘାସ, ଡିମିରି, ଆତୁଣ୍ଡି, ଶିଆଳି, ବଣବିରି, କିଆ, ବଣ କଦଳୀ, ମୁତୁରି, ମୁଥା, ଛଣ, ଯଷ୍ଟିମଧୁ, କଣ୍ଟା ବାଉଁଶ, ବଣ ଲେମ୍ବୁ, ଅର୍ଜ୍ଜୁନ, ଛତିଆନ ଓ ପଳାସ ଇତ୍ୟାଦି। ଏହା ଛଡ଼ା ରହିଛି ପୂର୍ବରୁ ବର୍ଣ୍ଣନା କରାଯାଇଥିବା ଫଳମାନ। ସୁତରାଂ, ପସନ୍ଦଯୋଗ୍ୟ ଖାଦ୍ୟ ନ ପାଇ ହାତୀ ଘନ ଘନ ବହିରାଗମନ କରୁଛି ଏବଂ ପାଟି ସୁଆଦିଆ ଖାଦ୍ୟ ଅନ୍ୱେଷଣ କରୁଛି। ପୁଣି ଅସମ୍ଭବ ଗ୍ରୀଷ୍ମ ପ୍ରବାହ ହେତୁ ଜଙ୍ଗଲରେ ହେଉଥିବା ଜଳାଭାବ କାରଣରୁ ହାତୀ ଜଙ୍ଗଲରୁ ବାହାରି ଆସିବାକୁ ବାଧ୍ୟ ହେଉଛି। ଆଗ ଭଳି ଏବେ ଜଙ୍ଗଲ ଓ ମାନବ ବସତି ଭିତରେ ବ୍ୟବଧାନ ନାହିଁ। ଯେଉଁଠି ଜଙ୍ଗଲ ସରୁଛି, ସେଠି ବସତିର ଆରମ୍ଭ। ତେଣୁ ମାନବ ବସତି ହାତୀ ଆକ୍ରମଣ ଦ୍ବାରା ଜର୍ଜର ହେବାରେ ଲାଗିଛି। 

ହାତୀର ଉପଦ୍ରବରେ ଲୋକେ ମଧ୍ୟ ଅତିଷ୍ଠ। ହାତୀମାନଙ୍କୁ ତଡ଼ିପାର କରିବା ପାଇଁ ଆନ୍ଦୋଳନ ହେଲାଣି। ହାତୀମାନଙ୍କୁ ଶିକ୍ଷା ଦେବା ଲାଗି କେତେକ ସ୍ଥାନରେ ବିଜୁଳି ତାର ବ୍ୟବହାର କରାଯାଉଛି, ଯହିଁରେ ହାତୀର ପ୍ରାଣ ମଧ୍ୟ ଯାଉଛି। ତେଣୁ ହାତୀ ଓ ମନୁଷ୍ୟ; ଉଭୟଙ୍କ ସମସ୍ୟାର ସମାଧାନ ଲୋଡ଼ା। ଏଥି ଲାଗି ଯୋଜନାକାରୀମାନେ ହାତୀଙ୍କ ଗୁଣ ଓ ଅଭ୍ୟାସକୁ ଭଲଭାବେ ହୃଦୟଙ୍ଗମ କରି ପଦ‌କ୍ଷେପ ନେବା ଉଚିତ। ଏଥି ଲାଗି ସମନ୍ବିତ ଯୋଜନାର ଆବଶ୍ୟକତା ରହିଛି। ହାତୀମାନେ ମଣିଷ ବସତିରୁ ଦୂରେଇ ରହିଲେ ହିଁ ସମସ୍ତଙ୍କ ମଙ୍ଗଳ। କିନ୍ତୁ ସେଥି ଲାଗି ଜଙ୍ଗଲ ସନ୍ନିକଟ ଅଞ୍ଚଳର ଅଧିବାସୀମାନେ ହାତୀଙ୍କ ସ୍ବଭାବ ନେଇ ସଚେତନ ହେବା ଜରୁରି। 

ହାତୀ ଗଣନାର ଫଳାଫଳ ଅନୁସାରେ ରାଜ୍ୟରେ ୨୦୧୭ ମସିହାରେ ଥିବା ୧୯୭୬ ସଂଖ୍ୟକ ହାତୀ ବଂଶରେ ୧୨୨ ବୃଦ୍ଧି ହୋଇ ୨୦୨୪ରେ ୨୦୯୮ ହୋଇଛି। ଏହା ଏକ ଭଲ ଖବର। କିନ୍ତୁ ଆହୁରି ଭଲ ଖବର ହେବ ଯଦି ହାତୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ବେ ସେମାନଙ୍କ ଦ୍ବାରା ମଣିଷ ସହୁଥିବା କ୍ଷତିର ପରିମାଣରେ ବୃଦ୍ଧି ନ ହୋଇ ବରଂ ହ୍ରାସ ଘଟିବ। ସେଥି ଲାଗି କେବଳ ଜଙ୍ଗଲ ଆୟତନରେ ବୃଦ୍ଧି ଘଟିବା ଯଥେଷ୍ଟ ନୁହେଁ, ହାତୀର ପସନ୍ଦଯୋଗ୍ୟ ଜଙ୍ଗଲ ସୃଷ୍ଟି ଗୁରୁତ୍ବପୂର୍ଣ୍ଣ। 
ମୋ: ୯୪୩୭୦୮୦୨୩୩