ହିନ୍ଦୁତ୍ବର ବରାଦ: ଘୃଣା ଓ ଉନ୍ମାଦନା

ରାମଚନ୍ଦ୍ର ଗୁହା

ସିଂହଳୀ ନୃତତ୍ତ୍ବବିତ୍‌ ଏସ୍‌. ଜେ. ତାମ୍ବିଆ ବିଗତ ଅଶୀ ଦଶକରେ ନିଜ ଦେଶର ଜାତିଗତ ସଂଘର୍ଷ ସଂପର୍କରେ ଲେଖିଲା ବେଳେ ସିଂହଳୀମାନଙ୍କୁ ଏକ ସଂଖ୍ୟାଲଘୁ ହୀନମନ୍ୟତାର ସଂଖ୍ୟାଗରିଷ୍ଠ ଜାତି ଭାବେ ବର୍ଣ୍ଣନା କରିଥିଲେ। ଶ୍ରୀଲଙ୍କା ଜନସଂଖ୍ୟାର ୭୦ ପ୍ରତିଶତ ହେଉଛନ୍ତି ସିଂହଳୀ। ଦେଶର ରାଜନୀତିକୁ ସେମାନେ ନିୟନ୍ତ୍ରଣ କରନ୍ତି ଏବଂ ସେନାବାହିନୀ ଓ ଅମଲାତନ୍ତ୍ରରେ ଆଧିପତ୍ୟ ବିସ୍ତାରିଛନ୍ତି। ସେମାନଙ୍କର ବୌଦ୍ଧ ଧର୍ମ ହେଉଛି ଦେଶର ସରକାରୀ ଧର୍ମ ଏବଂ ସେମାନଙ୍କ ସିଂହଳୀ ଭାଷାକୁ ମଧ୍ୟ ଅନ୍ୟ ଭାଷାମାନଙ୍କ ତୁଳନାରେ ଅଧିକ ସରକାରୀ ମାନ୍ୟତା ମିଳୁଛି। ଏତେ ସବୁ ସତ୍ତ୍ବେ ସିଂହଳୀମାନେ ନିଜକୁ ଏକ ସର୍ବବ୍ୟାପୀ ଉତ୍ପୀଡ଼ନର ଶିକାର ହୋଇଥିବା ବିଚାରିଥା’ନ୍ତି। ସେମାନେ ସଂଖ୍ୟାଲଘୁ ତାମିଲମାନଙ୍କ ପାଇଁ ଅସୁରକ୍ଷାବୋଧ କରନ୍ତି। ସେମାନଙ୍କର ଅଭିଯୋଗ, ସିଂହଳ ଦ୍ବୀପଟି ବ୍ରିଟିସ୍‌ ଔପନିବେଶିକ ଶାସନ ଅଧୀନରେ ଥିଲା ବେଳେ ଅଧିକ ପସନ୍ଦଯୋଗ୍ୟ ତାମିଲମାନେ ଉତ୍ତମ ଶିକ୍ଷାପ୍ରାପ୍ତ ହୋଇପାରିଲେ। ସେହିପରି ସିଂହଳ ଅପେକ୍ଷା ଯଥେଷ୍ଟ ବୃହତ୍ତର ଓ ସାମରିକ ଶକ୍ତିରେ ବଳଶାଳୀ ଭାରତର ସମର୍ଥନ ପାଇଥିବାରୁ ତାମିଲମାନେ ଅଧିକ ଦୃଢ଼ ଏବଂ ସେମାନଙ୍କର ଆକ୍ରାମକତାକୁ ରୋକା ନ ଗଲେ ତାମିଲମାନେ ସିଂହଳୀମାନଙ୍କୁ ସେମାନଙ୍କର ଏକମାତ୍ର ନିଜସ୍ବ ମାତୃଭୂମିରେ ବଶୀଭୂତ କରି ରଖିବେ।

ଉଡୁପି ସହର ସ୍ଥିତ ପେଜାଵର ମଠର ମହନ୍ତ ଓ କିଛି ସହରବାସୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସମ୍ପର୍କରେ ଏକ ଖବରକାଗଜରେ ପ୍ରକାଶିତ ସମ୍ବାଦରୁ ହିଁ ମୋର ତାମ୍ବିଆଙ୍କ ଶ୍ରୀଲଙ୍କା ସୂତ୍ରୀକରଣ କଥା ମନେ ପଡ଼ିଲା। କିଛି ବର୍ଷ ହେଲା କର୍ଣ୍ଣାଟକର ଉଡୁପି ସହର ଓ ଜିଲ୍ଲା କଠୋରପନ୍ଥୀ ହିନ୍ଦୁତ୍ବବାଦର ପରୀକ୍ଷାଗାର ଭାବେ ଉଭା ହୋଇଛି। ସେହି ସହରରେ ହିଁ ଜଣେ ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଏକ ସ୍ଥାନୀୟ ମହାବିଦ୍ୟାଳୟରେ ହିଜାବକୁ ନିଷିଦ୍ଧ କରାଗଲା ଯାହା ଆଗରୁ କେବେ ହୋଇନଥିଲା। ପରିଣତି ସ୍ବରୂପ ରାଜ୍ୟ ସମେତ ଦେଶବ୍ୟାପୀ ବିବାଦ ଉତ୍‌ପ୍ରେରିତ ହୋଇ ସାମ୍ପ୍ରଦାୟିକ ସଦ୍‌ଭାବ ଗଭୀର ଭାବେ ପ୍ରଭାବିତ ହୋଇଛି। ସର୍ବାଧିକ ଶ୍ରଦ୍ଧାଳୁ ଦର୍ଶନ କରୁଥିବା ଉଡୁପି ସ୍ଥିତ ପ୍ରଖ୍ୟାତ କୃଷ୍ଣ ମନ୍ଦିରର ପରିଚାଳନା କରୁଥିବା ଆଠଟି ଧାର୍ମିକ ଅନୁଷ୍ଠାନ ମଧ୍ୟରୁ ପେଜାଵର ମଠ ଗୋଟିଏ।

ହିଜାବ ନିଷିଦ୍ଧ ଦ୍ବାରା ଅନେକ ଯୁବତୀଙ୍କୁ ଶିକ୍ଷାଧିକାରରୁ ବଞ୍ଚିତ କରିବାରେ ସଫଳ ହେବା ପରେ ଉଡୁପିର ହିନ୍ଦୁତ୍ବ କଠୋରପନ୍ଥୀମାନଙ୍କୁ ଏକ ନମନୀୟ ପ୍ରଶାସନ ମିଳିଯାଇଛି। ଫଳରେ ହିନ୍ଦୁ ମନ୍ଦିର ଓ ଉତ୍ସବ ସହ ଜଡ଼ିତ ମେଳାମାନଙ୍କରେ ଭାଗ ନେଉଥିବା ମୁସଲମାନ ଦୋକାନୀଙ୍କ ଉପରେ ନିଷେଧାଜ୍ଞା ଜାରି କରାଯାଇପାରିଛି। ମାତ୍ର ସେହି ଦୋକାନୀମାନେ ବର୍ଷ ବର୍ଷ ଧରି ବିଭିନ୍ନ ଧର୍ମର ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସେବା ଓ ସାମଗ୍ରୀ ଯୋଗାଇ ଆସୁଥିଲେ। ଏ ବାବଦରେ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାର ଆଶ୍ବସ୍ତି ମିଳିବନି ବୋଲି ଅନୁଭବ କରି କିଛି ମୁସଲମାନଙ୍କ ସମେତ ଏକ ନାଗରିକ ଦଳ ନିରାଶାରେ ପେଜାଵର ମଠର ମୁଖ୍ୟଙ୍କୁ ସାକ୍ଷାତ୍‌ କରିଥିଲେ। ମୁସଲମାନ ବେପାରୀଙ୍କ ଉପରୁ କଟକଣା ଉଠାଇବା ସହ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ଲାଗି ତାଙ୍କୁ ସେମାନେ ନିବେଦନ କରିଥିଲେ। ମାତ୍ର ‘ଅତୀତରେ ହିନ୍ଦୁ ସମାଜ ବହୁତ କ୍ଷତି ସହିଛି’ ବୋଲି ମଠାଧୀଶ ସେମାନଙ୍କୁ କହିଥିଲେ। ‘ଯେତେବେଳେ ଗୋଟିଏ ଗୋଷ୍ଠୀ ବା ଦଳ ନିରନ୍ତର ଭାବେ ଅନ୍ୟାୟର ସାମନା କରି ଆସିଛି, ତାହାର କ୍ଷୋଭ ଓ ନିରାଶାର ପରିପ୍ରକାଶ ଘଟିଛି ଏବଂ ହିନ୍ଦୁ ସମାଜ ଏପରି ଅନ୍ୟାୟ ଦ୍ବାରା ବୀତସ୍ପୃହ ହୋଇପଡ଼ିଛି’ ବୋଲି ମଠାଧୀଶ କହିଥିବା କଥା ଖବରକାଗଜରେ ପ୍ରକାଶ ପାଇଥିଲା।
ଉଲ୍ଲେଖନୀୟ, ମଠାଧୀଶ ମହାଶୟ ଇତିହାସର ଆବାହନ ପୂର୍ବକ ଦାବି କଲେ ଯେ ‘ହିନ୍ଦୁ ସମାଜ ଅତୀତରେ ବହୁତ କ୍ଷତି ସହିଛି।’ ଏ ପରିପ୍ରେକ୍ଷୀରେ ଭାରତରେ ବର୍ତ୍ତମାନ ତୁଳନାରେ ଅଧିକ ଅଞ୍ଚଳ ଶାସନ କରୁଥିବା ମଧ୍ୟଯୁଗୀୟ ମୁସଲମାନ ସମ୍ରାଟମାନଙ୍କୁ ସନ୍ଦର୍ଭ ଭାବେ ନିଆଯାଉ। ଅବଶ୍ୟ ହିନ୍ଦୁତ୍ବ ଶବ୍ଦାଡ଼ମ୍ବରରେ ସେଭଳି ସନ୍ଦର୍ଭ ସର୍ବତ୍ର ଦେଖିବାକୁ ମିଳୁଛି ଯାହା କିଛି ମାସ ହେଲା ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଇଥିବା ଭାଷଣରୁ ସ୍ପଷ୍ଟ। ଅତୀତର ମୁସଲମାନ ଶାସକମାନଙ୍କ ସହ ୨୦୨୨ର ଲକ୍ଷ୍ନୌ କି ଉଡୁପିର ଖଟିଖିଆ ମୁସଲମାନଙ୍କର କ୍ଷୀଣତମ ସୁଦୂର ସମ୍ପର୍କ ବି ନାହିଁ। ତଥାପି ସମାନ ଧର୍ମ ହେବାର ସଂଯୋଗ ହିଁ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବା ଲାଗି ବ୍ୟବହୃତ ହେଉଛି।

ଶତାବ୍ଦୀ ଶତାବ୍ଦୀ ପୂର୍ବେ ମୋଗଲମାନେ ଏପରି କି ଟିପୁ ସୁଲତାନ ଯେଉଁ ଅତ୍ୟାଚାର କରିଥିଲେ ବା କରି ନ ଥିଲେ, ସେଥିପାଇଁ ବର୍ତ୍ତମାନର ଭାରତୀୟ ମୁସଲମାନମାନେ ନିଜକୁ ଦୋଷୀ ମନେ କରିବା ହେଉଛି ଏକ ଘାତକ ପ୍ରଥା। ତଥାପି ଲକ୍ଷ୍ୟ କରିବାର କଥା, ପେଜାଵର ମହନ୍ତ ହିନ୍ଦୁମାନେ ନିରନ୍ତର ଅନ୍ୟାୟ ସହି ଆସିଛନ୍ତି ବୋଲି କହି ପ୍ରସଙ୍ଗଟିକୁ ସଂପୂର୍ଣ୍ଣ ଭାବେ ବର୍ତ୍ତମାନ କାଳରେ ସାମିଲ କରିଦେଇଛନ୍ତି। ଆଜିର ଦିନରେ କେମିତି ଓ କାହାଦ୍ବାରା ହିନ୍ଦୁମାନେ ଏମିତି ଅନ୍ୟାୟ ଭୋଗୁଛନ୍ତି? ଜନସଂଖ୍ୟା ଦୃଷ୍ଟିରୁ ଶ୍ରୀଲଙ୍କାରେ ସିଂହଳୀମାନଙ୍କ ତୁଳନାରେ ଭାରତରେ ହିନ୍ଦୁମାନେ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ରାଜନୈତିକ ପ୍ରକ୍ରିୟା ଏବଂ ଆଇନ ଶୃଙ୍ଖଳାର ପ୍ରଶାସନରେ ସେମାନେ ନେତୃତ୍ବ ସଂପନ୍ନ। କର୍ଣ୍ଣାଟକରେ ମୁସଲମାନମାନେ ରାଜନୈତିକ, ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ସଂପୂର୍ଣ୍ଣ ଭାବେ ଶକ୍ତିହୀନ। ବ୍ୟବସ୍ଥାପିକା, ପ୍ରାଶାସନିକ ସେବା, ପୁଲିସ ଓ ନ୍ୟାୟପାଳିକା ସମେତ ବିଭିନ୍ନ ପେସାରେ ସେମାନଙ୍କର ପ୍ରତିନିଧିତ୍ବ ନଗଣ୍ୟ। ସେମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦୟନୀୟ। ଏଥି ସହିତ ସର୍ବୋପରି ହିନ୍ଦୁଙ୍କ ପ୍ରଭୁତ୍ବ ବିସ୍ତାର ପାଇଁ ଅଙ୍ଗୀକାରବଦ୍ଧ ଦଳ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ।

ଏତେସବୁ ସତ୍ତ୍ବେ ପେଜାଵର ମହନ୍ତ ହିନ୍ଦୁମାନେ ବାଛବିଚାର ଓ ଅନ୍ୟାୟର ଶରବ୍ୟ ହେଉଛନ୍ତି ବୋଲି କହିପାରୁଛନ୍ତି। ଯେତେବେଳେ ଏକ ପ୍ରାଚୀନ, ସୁସଂପନ୍ନ, ସୁସମ୍ମାନିତ ଏବଂ ମାତ୍ରାଧିକ ପ୍ରଭାବଶାଳୀ ଧାର୍ମିକ ସଂସ୍ଥାର ମୁଖ୍ୟ ଏ ପ୍ରକାର ଟିପ୍ପଣୀ କରିବେ, ସେତେବେଳେ ଆମେ ସଂଖ୍ୟାଲଘୁ ହୀନମନ୍ୟତାର ଶିକାର ସଂଖ୍ୟାଗରିଷ୍ଠଙ୍କ ଗହଣରେ ରହିଛନ୍ତି ବୋଲି ବିଚାରିବାକୁ ହେବ। ଏକ ଉତ୍ପୀଡ଼ନ ଓ ଉନ୍ମାଦର ଧାରଣାରେ ତ୍ରସ୍ତ ହୋଇ ହିନ୍ଦୁତ୍ବ ଅଧୀନରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ଥାଇ ସୁଦ୍ଧା ବିପଦରେ ଅଛନ୍ତି ବୋଲି ଅନୁଭବ କରୁଛନ୍ତି। ତେବେ ସେମାନଙ୍କ କାର୍ଯ୍ୟକଳାପ ଦେଖି ଲାଗୁଛି ଯେ ହିନ୍ଦୁତ୍ବାଧୀନ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ହୀନମନ୍ୟତା ଭୋଗୁଥିବା ସଂଖ୍ୟାଗରିଷ୍ଠ ପାଲଟିବାର ବିପଦ ରହିଛି। ସେମାନଙ୍କ ସଂଖ୍ୟାର ଶକ୍ତି ବଳରେ ରାଜ୍ୟ, ପ୍ରଶାସନ, ଗଣମାଧ୍ୟମ ଓ ଏପରି କି ନ୍ୟାୟପାଳିକା ଉପରେ ନିୟନ୍ତ୍ରଣ ହାସଲ କରି ସେମାନେ ଅଣହିନ୍ଦୁମାନଙ୍କ ଉପରେ ନିଜର ଇଚ୍ଛାକୁ ବଳପୂର୍ବକ ଲଦି ଦେଉଛନ୍ତି। ଏ ପ୍ରକାର ନିର୍ଦ୍ଦୟ ସଂଖ୍ୟାଗରିଷ୍ଠତାର ସଦ୍ୟତମ ଉଦାହରଣ ହେଲା ହିନ୍ଦୁତ୍ବ ଗୋଷ୍ଠୀମାନଙ୍କ ଦ୍ବାରା ହିଜାବ, ହଲାଲ ମାଂସ ଏବଂ ଆଜାନ୍‌ ଆଦିକୁ ନିଷିଦ୍ଧ କରିବାର ପ୍ରୟାସ। ଅବଶ୍ୟ ଏଥି ସହିତ ଭାରତୀୟ ମୁସଲମାନମାନଙ୍କୁ ଅପମାନିତ ଓ ଅଧୀନସ୍ଥ କରିବାର ପ୍ରକ୍ରିୟା ଭିନ୍ନ ରୂପରେ ମଧ୍ୟ ଜାରି ରହିଛି।
ଭାରତୀୟ ମୁସଲମାନଙ୍କ ଉପରେ ହିନ୍ଦୁତ୍ବବାଦୀ ଆକ୍ରମଣର ଦୁଇଟି ପ୍ରମୁଖ ଦିଗ ରହିଛି। ପ୍ରଥମ ଦିଗଟି ହେଉଛି ରାଜନୈତିକ। ହିନ୍ଦୁତ୍ବ ଶିବିରରେ ଦଳିତ ଓ ଆର୍ଥିକ ଅନଗ୍ରସରମାନଙ୍କର ଗୋଷ୍ଠୀକୁ ସାମିଲ କରି ସେମାନଙ୍କୁ ମୁସଲମାନଙ୍କ ଉପରେ ସାଂସ୍କୃତିକ ଓ ସାମାଜିକ ଆଧିପତ୍ୟ ପ୍ରଦାନ ପୂର୍ବକ ଏକ ବିଜୟାତ୍ମକ ହିନ୍ଦୁ ଭୋଟ ବ୍ୟାଙ୍କ୍‌ ସୃଷ୍ଟି କରିବାର କ୍ରୂର ଉଦ୍ୟମ ଏହାର ଅନ୍ତର୍ଭୁକ୍ତ। ଯେହେତୁ ଅଧିକାଂଶ ରାଜ୍ୟରେ ପାଖାପାଖି ୮୦ ପ୍ରତିଶତ ଭୋଟର ହେଉଛନ୍ତି ହିନ୍ଦୁ, ଯଦି ସେମାନଙ୍କ ଭିତରୁ ୬୦ ପ୍ରତିଶତ ମତଦାତାଙ୍କୁ ବିଜେପି ଏପରି ‘ମୁସଲମାନ ରହିତ ହିନ୍ଦୁ ପ୍ରଧାନ’ ନୀତି ଜରିଆରେ ହାତେଇପାରିଲା, ତେବେ ଦଳ ସୁରକ୍ଷିତ ଓ ସଫଳ ହୋଇପାରିବ। ଏପରି କି ଯେଉଁ ରାଜ୍ୟରେ ବିଜେପି ଏକମାତ୍ର ବୃହତ୍‌ ବିରୋଧୀ ଦଳ ହୋଇ ରହିଛି ବା ଯୋଉଠି ଏକାଧିକ ଦଳ ସକ୍ରିୟ ରହିଛନ୍ତି, ସେଠାରେ ୫୦ ପ୍ରତିଶତ ହିନ୍ଦୁ ଭୋଟ ବିଜେପିର ବିଜୟ ପାଇଁ ଯଥେଷ୍ଟ ହେବ।

ସଂଖ୍ୟାଲଘୁମାନଙ୍କ ଉପରେ ହିନ୍ଦୁତ୍ବ ଆକ୍ରମଣର ଦ୍ବିତୀୟ ଦିଗଟି ହେଉଛି ଆଦର୍ଶଗତ। କେବଳ ହିନ୍ଦୁମାନେ ହେଉଛନ୍ତି ଏଇ ମାଟିର ପ୍ରକୃତ, ବିଶ୍ବସନୀୟ ଓ ଭରସାଯୋଗ୍ୟ ନାଗରିକ ବୋଲି ଏହି ଆଦର୍ଶ ଏକ ବଦ୍ଧମୂଳ ଧାରଣା ବହନ କରେ। ସେହିପରି ଭାରତୀୟ ମୁସଲମାନମାନଙ୍କୁ(କେତେକ କ୍ଷେତ୍ରରେ ଭାରତୀୟ ଖ୍ରୀଷ୍ଟିଆନ୍‌ମାନଙ୍କୁ) କୌଣସିମତେ ନକଲି ଓ ଅବିଶ୍ବସନୀୟ ବୋଲି ଅଭିହିତ କରାଯାଏ। କାରଣ ସାବରକରଙ୍କ କୁଖ୍ୟାତ ସୂତ୍ରୀକରଣ ଅନୁଯାୟୀ ସେମାନଙ୍କ ପୁଣ୍ୟଭୂମି ବା ଉପାସନାସ୍ଥଳୀ କୁଆଡ଼େ ସେମାନଙ୍କ ପିତୃଭୂମି ବା ବାସସ୍ଥଳୀ ବାହାରେ ଅବସ୍ଥିତ। ସେମାନେ ହିଁ ଏ ମାଟିର ଏକମାତ୍ର ପ୍ରକୃତ ଦାୟାଦ ବୋଲି ହିନ୍ଦୁତ୍ବ କର୍ମୀମାନଙ୍କ ଧାରଣା ସେମାନଙ୍କୁ ନିରନ୍ତର ଭାବେ ଭାରତୀୟ ମୁସଲମାନମାନଙ୍କର ପରିଚ୍ଛଦ, ଖାଦ୍ୟପେୟ, ପ୍ରଥା ଓ ଅର୍ଥନୈତିକ ଜୀବିକା ଆଦିକୁ ଉପହାସ ଓ ଆକ୍ରମଣ କରିବା ପାଇଁ ପ୍ରୋତ୍ସାହିତ କରି ଚାଲିଛି।
ନିକଟରେ ମହୀଶୂରରେ ସାର୍ବଜନୀନ ହସ୍ତକ୍ଷେପ ସ୍ବରୂପ, ସାହସିକ ତଥା ଉଚ୍ଚପ୍ରଶଂସିତ କନ୍ନଡ଼ ଲେଖକ ଦେବାନୁର ମହାଦେବ ହିନ୍ଦୁତ୍ବ ଗୁଣ୍ଡାମାନଙ୍କ ନିଷେଧାଦେଶକୁ ଅବଜ୍ଞା କରି ହଲାଲ ମାଂସ କିଣିଥିଲେ। ଏପରି କରି ସେ କହିଥିଲେ ଯେ ‘ଘୃଣା ହେଉଛି ଦକ୍ଷିଣପନ୍ଥୀମାନଙ୍କର ଶକ୍ତିବର୍ଦ୍ଧକ ପାନୀୟ।’ ଏହି ବିଚକ୍ଷଣ ସଂକ୍ଷିପ୍ତ ବର୍ଣ୍ଣନା ସହିତ ମୁଁ ଆଉ କେତୋଟି ଶବ୍ଦ ଯୋଡ଼ିବାକୁ ଚାହୁଛି- ସେହି ଶକ୍ତିବର୍ଦ୍ଧକ ପାନୀୟରେ ଥିବା ଘୃଣାରେ ଉନ୍ମାଦ ବା ପାଗଳାମି ମିଶି ରହିଛି। କାରଣ ହିନ୍ଦୁତ୍ବ ପ୍ରଭାବ ଅଧୀନରେ ଥିବା ହିନ୍ଦୁମାନେ ଭୟର ସହ ଅସୁରକ୍ଷିତ ହୋଇ ପଡ଼ିବା ସହିତ ମୁସଲମାନ ନାଗରିକମାନଙ୍କ ପ୍ରତି ମନରେ ଅଯୌକ୍ତିକ ଘୃଣାଭାବ ବହି ଚାଲିଛନ୍ତି।

ଏଭଳି ଆଦର୍ଶକୁ କାର୍ଯ୍ୟାନ୍ବିତ କରିଚାଲିଲେ ସ୍ବଳ୍ପକାଳୀନ ପରିଣାମ ସ୍ବରୂପ ଭାରତୀୟ ମୁସଲମାନମାନଙ୍କୁ ବହୁତ କ୍ଷତିଗ୍ରସ୍ତ ହେବାକୁ ପଡ଼ିବ (ଯାହା ଅଧୁନା ହୋଇଚାଲିଛି)। ତେବେ ଏହାର ଦୀର୍ଘକାଳୀନ ପରିଣାମ ସ୍ବରୂପ ଏହା ହିନ୍ଦୁମାନଙ୍କୁ ମଧ୍ୟ କ୍ଷତିଗ୍ରସ୍ତ କରିବ। ଶ୍ରୀଲଙ୍କାରେ ସିଂହଳୀମାନଙ୍କ ତାମିଲ ଦୋଷାରୋପଣ, ପାକିସ୍ତାନରେ ସୁନ୍ନିମାନଙ୍କର ହିନ୍ଦୁ-ଖ୍ରୀଷ୍ଟିଆନ୍‌-ଅହମଦିୟା-ସିଆ ଦୋଷାରୋପଣ ଏବଂ ମିଆଁମାରରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ରୋହିଙ୍ଗ୍ୟା ଦୋଷାରୋପଣ ଆଦି ହେଉଛି ଏ ବାବଦରେ ଚେତାବନୀପୂର୍ଣ୍ଣ ଦୃଷ୍ଟାନ୍ତ। ଏହି ତିନି ରାଷ୍ଟ୍ର ଯଦି ଏପରି ଧାର୍ମିକ ସଂଖ୍ୟାଗରିଷ୍ଠତାର ବଶବର୍ତ୍ତୀ ହୋଇନଥା’ନ୍ତେ, ସେମାନେ ଆଜି ଯଥେଷ୍ଟ ଭଲ ସ୍ଥିତିରେ ଥାଆନ୍ତେ। ଏହାର କାରଣ ହେଲା ଘୃଣା ଓ ଉନ୍ମାଦ କେବେହେଲେ ଶାନ୍ତି ଓ ସଦ୍‌ଭାବନାପୂର୍ଣ୍ଣ ସମାଜ ଗଠନ ତଥା ତାହାର ପ୍ରତିପୋଷଣର ମାଧ୍ୟମ ହୋଇନପାରେ।

ସମ୍ବନ୍ଧିତ ଖବର