ଆଜକୁ ପ୍ରାୟ ୫୫୦ ବର୍ଷ ପୂର୍ବେ ୧୪୭୦ ମସିହା ଅଣସର ପଞ୍ଚମୀ ଦିନ ଓଡ଼ିଶା ମାଟିରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳର ପ୍ରସିଦ୍ଧ ଅଲାରନାଥପୀଠ ସନ୍ନିକଟ ବେଣ୍ଟପୁର ଗ୍ରାମରେ ଜନ୍ମ ନେଇଥିବା ରାମାନନ୍ଦ ପଟ୍ଟନାୟକ ପରବର୍ତ୍ତୀ ଜୀବନରେ ରାଜା ପ୍ରତାପରୁଦ୍ରଦେବଙ୍କଠାରୁ ରାୟ ଉପାଧି ପ୍ରାପ୍ତ ହୋଇ ରାୟ ରାମାନନ୍ଦ ନାମରେ ପ୍ରସିଦ୍ଧିଲାଭ କରିଥିଲେ ମଧ୍ୟ ତାଙ୍କର ପ୍ରତିଭା ସେଇ ଅଣସରର ଅନ୍ଧକାରରେ ବିସ୍ମୃତ ହୋଇ ରହିଯାଇଛି।
ରାୟ ରାମାନନ୍ଦ ଥିଲେ ଶ୍ରୀକ୍ଷେତ୍ରର ମହାନ୍ ସାଧକ, ଅଭିଜ୍ଞ ପ୍ରଶାସକ, କବି, ନାଟ୍ୟକାର, କଳାତତ୍ତ୍ୱବିତ୍ ଓ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ବର ପ୍ରବକ୍ତା। ଏକାଧାରରେ ଓଡ଼ିଆ, ସଂସ୍କୃତ, ପ୍ରାକୃତ, ବଙ୍ଗଳା ଓ ମୈଥିଳୀ ଆଦି ଭାଷାରେ ତାଙ୍କର ଦକ୍ଷତା ଥିଲା। ସେ ନିଜର କାର୍ଯ୍ୟଦକ୍ଷତା ଓ ଶାସନ ସମ୍ବନ୍ଧୀୟ ପାରଦର୍ଶିତା ଯୋଗୁ ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ସାମ୍ରାଜ୍ୟର ରାଜ୍ୟପାଳ ରୂପେ ଗୋଦାବରୀ ତଟସ୍ଥ ରାଜମହେନ୍ଦ୍ରୀରେ ଅବସ୍ଥାପିତ ହୋଇଥିଲେ। ଶାସନ କାର୍ଯ୍ୟକୁ ବୃତ୍ତିଭାବେ ନେଇଥିଲେ ମଧ୍ୟ ସେ ଥିଲେ ଜଣେ ଆଧ୍ୟାତ୍ମିକ ଜ୍ଞାନପିପାସୁ ପଣ୍ଡିତ ଓ ଭକ୍ତ ଶିରୋମଣି।
୧୫୧୦ ମସିହାରେ ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନର ବହୁପୂର୍ବରୁ ରାମାନନ୍ଦ ପଟ୍ଟନାୟକ ପ୍ରତାପରୁଦ୍ରଙ୍କ ସିଂହାସନ ଆରୋହଣ ବେଳକୁ ବ୍ରଜ ରସତତ୍ତ୍ୱ ଓ ରାଧାକୃଷ୍ଣ ପ୍ରେମଲୀଳାକୁ ଆଧାର କରି ଦଣ୍ଡାତ୍ମକଲୀଳା, ମର୍ମ ନିରୂପଣ, ବୈଷ୍ଣବ ପଦାବଳି ଓ ଶ୍ରୀଜଗନ୍ନାଥବଲ୍ଲଭ ନାଟକମ୍ ଆଦି ରଚନା କରିବା ସହିତ ବ୍ରଜବୋଲି ଭାଷାରେ ଅନେକ ପଦ ରଚନା କରିଥିଲେ ଯାହା ‘ପଦସମୁଦ୍ର’ ନାମରେ ସଂକଳିତ ହୋଇଥିଲା। ତାଙ୍କର ଏହି ରଚନା ଓଡ଼ିଶାର ଆଧ୍ୟାତ୍ମିକ ସାହିତ୍ୟକୁ ଋଦ୍ଧିମନ୍ତ କରିବା ସହ ବୈଷ୍ଣବ ସମାଜରେ ବେଶ୍ ଆଦୃତି ଲାଭ କରିଥିଲା।
୧୫୧୦ ମସିହାରେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ତତ୍କାଳୀନ ଭାରତର ପ୍ରସିଦ୍ଧ ନୈୟାୟିକ ତଥା ମନ୍ଦିର ପରିଚ୍ଛା ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଭେଟି ଅନ୍ତରଙ୍ଗ ହେବାପରେ ତାଙ୍କ ଅନୁରୋଧକ୍ରମେ ତୀର୍ଥାଟନରେ ଦାକ୍ଷିଣାତ୍ୟକୁ ଯାଇ ରାଜମହେନ୍ଦ୍ରୀରେ ରାୟ ରାମାନନ୍ଦଙ୍କ ସହ ସାକ୍ଷାତ୍ କରି ଭକ୍ତିଧର୍ମ ଓ ରାଗାନୁଗା ଭକ୍ତି ଉପରେ ଆଲୋଚନା କରିଥିଲେ ଯାହା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା ଅଛି। ଏହି ଐତିହାସିକ ଦଶଦିନର ସାକ୍ଷାତ୍ ଓ ଆଲୋଚନାରେ ଶ୍ରୀଚୈତନ୍ୟ ରାୟ ରାମାନନ୍ଦଙ୍କଠାରୁ ରାଧାକୃଷ୍ଣ ତତ୍ତ୍ୱ, ପ୍ରେମଭକ୍ତି, ମଧୁରଭକ୍ତି, କାନ୍ତାଭାବ ଉପରେ ଜ୍ଞାନ ଆହରଣ କରି ଶ୍ରୀକ୍ଷେତ୍ର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଭକ୍ତିଧର୍ମର ମାଧୁର୍ଯ୍ୟକୁ ପ୍ରାଧାନ୍ୟ ଦେଇ ପ୍ରେମଭକ୍ତିତତ୍ତ୍ୱ ଓ କାନ୍ତାଭାବର ପ୍ରଚାର ଆରମ୍ଭ କରିଥିଲେ। ଶ୍ରୀଚୈତନ୍ୟଙ୍କ ସହ ଦଶଦିନବ୍ୟାପୀ ଆଲୋଚନା ପରେ ରାୟ ରାମାନନ୍ଦଙ୍କ ଶାସନ କାର୍ଯ୍ୟରେ ଆଗ୍ରହ ରହିଲା ନାହିଁ। ସେ ଶ୍ରୀକ୍ଷେତ୍ର ଯିବା ନିମନ୍ତେ ରାଜା ପ୍ରତାପରୁଦ୍ରଙ୍କୁ ଇଚ୍ଛା ପ୍ରକାଶ କଲେ। ୧୫୧୨ରେ ରାୟ ରାମାନନ୍ଦ ରାଜମହେନ୍ଦ୍ରୀରୁ ରାଜ୍ୟପାଳ ପଦ ତ୍ୟାଗ କରି ପୁରୀ ଶ୍ରୀମନ୍ଦିରର ପ୍ରଶାସକ ରୂପେ ଅବସ୍ଥାପିତ ହୋଇ ଶ୍ରୀମନ୍ଦିର ଶାସନ ସହ ଶ୍ରୀକ୍ଷେତ୍ରରେ ସାହିତ୍ୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାରେ ନିଜକୁ ସମର୍ପିତ କରିଥିଲେ। ୧୫୧୨ରୁ ୧୫୩୩ ପର୍ଯ୍ୟନ୍ତ ଦୀର୍ଘ ୨୧ବର୍ଷ ଧରି ରାୟ ରାମାନନ୍ଦ, ଶ୍ରୀଚୈତନ୍ୟ, ପଞ୍ଚସଖା ଓ ପ୍ରମୁଖ ବୈଷ୍ଣବାଚାର୍ଯ୍ୟମାନଙ୍କ ସହିତ ମିଶି ଏକ ଇଷ୍ଟଗୋଷ୍ଠୀ ଗଠନ କରି ରାଧାକୃଷ୍ଣ ତତ୍ତ୍ୱ, ଶ୍ରୀଜଗନ୍ନାଥ ମାହାତ୍ମ୍ୟ, ଭକ୍ତିବାଦ, ବୈଷ୍ଣବଦର୍ଶନ ଓ ଆଧ୍ୟାତ୍ମିକ ଶାସ୍ତ୍ର ଆଲୋଚନା କରୁଥିଲେ।
ଚୈତନ୍ୟଙ୍କ ଦେହାନ୍ତ ପର୍ଯ୍ୟନ୍ତ ତାଙ୍କର ନିତ୍ୟ ସଖା ରୂପେ ଥିଲେ ଓ ଶ୍ରୀଚୈତନ୍ୟଙ୍କ ମହାପ୍ରୟାଣର ୩ମାସ ୨୦ ଦିନ ପରେ ରାୟ ରାମାନନ୍ଦ ୧୫୩୩ ମସିହା ଭାଦ୍ର କୃଷ୍ଣ ଅଷ୍ଟମୀ ଦିନ ପରଲୋକ ଗମନ କରିଥିଲେ।
ପ୍ରଫେସର ବିଷ୍ଣୁପ୍ରିୟା ଓତାଙ୍କ ଦ୍ୱାରା ବର୍ତ୍ତମାନ ରାୟ ରାମାନନ୍ଦଙ୍କର ଶ୍ରୀଜଗନ୍ନାଥବଲ୍ଲଭ ନାଟକମ୍ର ଓଡ଼ିଆ ଅନୁବାଦର ତୃତୀୟ ସଂସ୍କରଣ ମିଳୁଥିବା ସ୍ଥଳେ ତାଙ୍କ ଅନ୍ୟାନ୍ୟ ରଚନା ଯଥା ‘ଦଣ୍ଡାତ୍ମକ ଲୀଳା’, ‘ବୈଷ୍ଣବ ପଦାବଳୀ’, ‘ପଦ ସମୁଦ୍ର’ ଓ ‘ମର୍ମ ନିରୂପଣ’ ପୁସ୍ତକ ଓ ଅନ୍ୟାନ୍ୟ ରଚନା ଆଜି ଦୁଷ୍ପ୍ରାପ୍ୟ। ତାଙ୍କ ସାହିତ୍ୟକୃତିର ପ୍ରକୃତ ମୂଲ୍ୟାୟନ ପାଇଁ ତାଙ୍କର ସମସ୍ତ କୃତିକୁ ଲୋକଲୋଚନକୁ ଆଣିବା ଆବଶ୍ୟକ।
ଖୁସିର କଥା ରାୟ ରାମାନନ୍ଦଙ୍କ ନବମ ପିଢ଼ିର ବଂଶଧରଗଣ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ‘ରାୟ ରାମାନନ୍ଦ ସ୍ମୃତି ପରିଷଦ’ ଗଠନ କରି ତାଙ୍କ ଜନ୍ମସ୍ଥାନ ବେଣ୍ଟପୁରରେ ରାୟ ରାମାନନ୍ଦ ସ୍ମୃତି ମନ୍ଦିର ନିର୍ମାଣ କରି କୀର୍ତ୍ତନ ମଣ୍ଡପ ଆରମ୍ଭ କରିଛନ୍ତି ଓ ରାୟ ରାମାନନ୍ଦଙ୍କ ବ୍ୟବହୃତ ଖଣ୍ଡା ଓ ପୋଥି ପ୍ରଦର୍ଶିତ କରୁଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ତରଫରୁ ସରଳା ଦେବୀଙ୍କ ଦ୍ୱାରା ଲିଖିତ ରାୟ ରାମାନନ୍ଦ ଜୀବନୀ ୧୯୬୩ରେ ପ୍ରକାଶ ପାଇ ୧୯୮୯ରେ ଦ୍ୱିତୀୟ ସଂସ୍କରଣ ହୋଇଥିଲା। ତାହା ଏବେ ଦୁଷ୍ପ୍ରାପ୍ୟ। ଏହା ବ୍ୟତୀତ ରାୟ ରାମାନନ୍ଦଙ୍କ ଅନ୍ୟ ସମସ୍ତ କୃତିକୁ ସଂଗ୍ରହ କରି ପ୍ରକାଶ କରିପାରିଲେ ଅଣସରରେ ଜନ୍ମ ନେଇ ଅନ୍ଧକାରରେ ରହିଥିବା ରାୟ ରାମାନନ୍ଦ ନବଯୌବନ ଲାଭ କରି ଧର୍ମ ଓ ସଂସ୍କୃତିର ରଥରେ ଯାତ୍ରା କରି ଓଡ଼ିଶା ମାଟିର ଗର୍ବ ଓ ଗୌରବ ରୂପେ ପରିଗଣିତ ହେବେ।
ମୋ : ୯୪୩୭୫୭୪୬୪୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/pratibha.jpg)