ବିଜୟାନନ୍ଦ ପଟ୍ଟନାୟକ
ରବିବାର ଦିନ ପ୍ରାତଃ ଭ୍ରମଣ କରୁଥିବା ବେଳେ ଗଁା ମୁଣ୍ଡରେ ପାଖ ଗଁାର ସାଙ୍ଗ ମନୋଜକୁ ଦେଖି ନିରଞ୍ଜନ ପଚାରିଲେ, ‘ଆରେ ତୁ କ’ଣ ଏବେ ସବୁ ରବିବାରେ ଆମ ଗଁାକୁ ଆସୁଛୁ! କ’ଣ ହୋଇଛି?’ ଉତ୍ତରରେ ମନୋଜ କହିଲେ, ‘ରବିବାର ତ ଅଫିସ ଛୁଟି; ତେଣୁ ସେଇ ଗୋଟିଏ ଦିନରେ ସପ୍ତାହକର ବାକି ଥିବା କାମ ସବୁ ସାରିବାକୁ ପଡ଼ିଥାଏ।’
ନିରଞ୍ଜନ ପଚାରିଲେ, ‘ହେଲେ ଆମ ଗଁାରେ ସବୁ ରବିବାରରେ କି କାମ?’
ମନୋଜ କହିଲେ, ‘ସାଙ୍ଗ, ପୁଅ ବାହାଘର ପାଇଁ ତମ ଗଁା ବୁଢ଼ା ପଣ୍ଡିତଙ୍କ ପାଖକୁ ଆସୁଛି। ପୁଅକୁ ମୋର ୩୧ ବର୍ଷ ହେଲାଣି। ଭଲ ପାଠ ପଢ଼ି ସରକାରୀ ଚାକିରି କରିଛି; ହେଲେ ତା’ ପାଇଁ ଗୋଟେ ବିବାହ ପ୍ରସ୍ତାବ ଠିକ୍ ହୋଇପାରୁନି। ସେଥି ପାଇଁ ଆମ ଘରେ ଭାରି ଅଶାନ୍ତି। େତଷଠିଟା ପ୍ରସ୍ତାବ ଆସିଲାଣି। ଏ ସପ୍ତାହରେ ଚାରିଟା ପ୍ରସ୍ତାବ ଆସିଛି। ସେହି ଝିଅମାନଙ୍କ କୋଷ୍ଠୀ ନେଇ ପଣ୍ଡିତଙ୍କ ପାଖକୁ ଜାତକ ଶୁଝାଇବାକୁ ଆସିଛି। ହଉ, ଏବେ ମୁଁ ଯାଉଛି, ଫେରିଲା ବେଳେ ତୋ ସାଙ୍ଗରେ କଥା ହେବି। ନ ହେଲେ ପଣ୍ଡିତଙ୍କ ପାଖରେ ଲାଇନ ଲାଗିଯିବ, ବହୁତ ଉଛୁର ହୋଇଯିବ।’
ଏହା କହି ମନୋଜ ତରତର ହୋଇ ଚାଲିଗଲେ। ଫେରିଲା ବେଳେ ନିରଞ୍ଜନଙ୍କୁ ଭେଟିଲେ। ନିରଞ୍ଜନ ପଚାରିେଲ, ‘ଆଜି କ’ଣ ହେଲା? ଚାରିଟା ପ୍ରସ୍ତାବରୁ କେଉଁଟା ଶୁଝିଲା ନା ନାଇଁ?’
ମନୋଜ କହିଲେ, ‘ଭାଇ ସେ କଥା କହନା! ପଣ୍ଡିତେ କହିଲେ ଯେ ରାଜଯୋଟକ ତ ହେଉଛି ହେଲେ ଗୋଟେ ନାଗନାଡ଼ି ପଡ଼ିଲା ତ ଆଉ ଗୋଟେ ଷଡ଼ାଷ୍ଟକ, କେଉଁଟା ନରରାକ୍ଷସ ତ ପୁଣି କେଉଁଟା ନବମ-ପଞ୍ଚକ। ପଣ୍ଡିତେ କହିଲେ ଦୋଷ ତ ରହୁଛି, ଯଦି କହିବେ ତେବେ ପ୍ରତିକାର କରି ବାହାଘର କରିବାକୁ ପଡ଼ିବ। ପଣ୍ଡିତେ ଏମିତି କହିବା ପରେ ଘରକୁ ଫୋନ୍ କରି ସ୍ତ୍ରୀ ଓ ବୋଉକୁ କହିଲି। ସେମାନେ କିନ୍ତୁ ନାରାଜ! କ’ଣ କରିବି ବୁଦ୍ଧି ପଇଟୁ ନାହିଁ!’
ନିରଞ୍ଜନ କହିଲେ, ‘ଦେଖ, ତୋ ପୁଅ ତ ସରକାରୀ ଚାକିରି କରିଛି, ଦେଖିବାକୁ ବି ସୁନ୍ଦର, ତମର ପୁଣି ଘରଦ୍ବାର ଓ ଜମିବାଡ଼ି ଅଛି। ପୁଣି ଦେଖେ କୋଉ କଥାରେ ବାହାଘର ଅଟକୁଛି!’
ମନୋଜ କହିଲେ, ‘ଭାଇ କ’ଣ କରିବି? ବୋଉ କଥା ତ ଜାଣିଚୁ। କ୍ୟାନସରରେ ବଡ଼ ଭାଉଜଙ୍କର ଦେହାନ୍ତ ହୋଇଗଲା ପରେ ବୋଉ ଭାଇନାର ଜାତକ ବୁଢ଼ା ପଣ୍ଡିତେଙ୍କୁ ଦେଇଥିଲା। ପଣ୍ଡିତେ କହିଲେ ଯେ ଭାଇନା ଜାତକରେ କୁଆଡ଼େ ଅଷ୍ଟମରେ ମଙ୍ଗଳ ଥିଲା, ତେଣୁ ମଙ୍ଗଳ ଦୋଷ ଲାଗିଲା ଆଉ ଭାଉଜ ଚାଲିଗଲେ। ସେହି ଦିନଠୁ ବୋଉର ଏକା ଜିଦ ଯେ ଘରେ ଯୋଉ ବାହାଘର ହେବ ଜାତକ ଶୁଝାଇ କରିବାକୁ ପଡ଼ିବ। ରାଜଯୋଟକ ପଡ଼ିଲେ ବାହାଘର ହେବ। ଆଜି ଯେଉଁ ଚାରିଟା ପ୍ରସ୍ତାବ ନେଇ ଆସିଥିଲି ସେ ସବୁ ପୁଅର ସାଙ୍ଗମାନେ ଓ ଅଫିସର ସହକର୍ମୀମାନେ ଦେଇଥିଲେ। ଗଲା ମାସରେ ଗୋଟେ ପ୍ରସ୍ତାବ ଠିକ୍ ହୋଇଥିଲା। ଝିଅ ସୁନ୍ଦର, ଜାତକ ବି ରାଜଯୋଟକ ପଡ଼ିଥିଲା। ହେଲେ ନିର୍ବନ୍ଧ ଦିନକ ଆଗରୁ ସେ ଝିଅ ଭଲ ପାଉଥିବା ପୁଅ ସାଙ୍ଗରେ କୋର୍ଟ ମ୍ୟାରେଜ କରିଦେଲା। ଆଉ କ’ଣ ହେବ? ଗଲା ସପ୍ତାହରେ ଗୋଟେ ପ୍ରସ୍ତାବ ଆସିଥିଲା। ପୁଅ ଅଫିସରେ ସେ ଝିଅ ନୂଆ କରି ଜଏନ କରିଛି। ପୁଅର ବସ୍ ସେ ପ୍ରସ୍ତାବ ଦେଇଥିଲେ। ପୁଅର ବି ପସନ୍ଦ। ହେଲେ, ମୋ ସ୍ତ୍ରୀ ଆଉ ବୋଉ ରାଜି ନୁହନ୍ତି, କହୁଛନ୍ତି ଆମର ଉଚ୍ଚ ଜାତି, ଝିଅ ଘର ଆମ ଠାରୁ ଟିକେ ନୀଚ, ସେଠି କ’ଣ କରିବା? ଏତେ କଥାର ବିଚାର ସହିତ ପୁଣି ଅଛି କୋଷ୍ଠୀ ମେଳକ! ଛାଡ଼ ଭାଇ ସେ କଥା କହିଲେ ସରିବ ନାହିଁ!’
ନିରଞ୍ଜନ ସବୁ ଶୁଣିଲେ ଓ ତା’ ପରେ କହିଲେ, ‘ଶୁଣ ଏବେ ମୁଁ ଯାହା କହିବି, ତାହା ଘରେ ଯାଇ ମାଉସୀଙ୍କୁ କହିବୁ, ତା’ ପରେ ଦେଖିବା।’
ମନୋଜ ଉତ୍ସୁକତାର ସହିତ ପଚାରିଲେ, ‘କ’ଣ?’
ନିରଞ୍ଜନ କହିଲେ, ‘ପ୍ରତିଦିନ ଆଖପାଖ ପାଞ୍ଚଟା ପଞ୍ଚାୟତର ଲୋକେ ପଣ୍ଡିତଙ୍କ ପାଖକୁ କୌଣସି ନା କୌଣସି କାମରେ ଆସନ୍ତି। ପଣ୍ଡିତଙ୍କର ସେଥିରୁ ଭଲ ଦି’ ପଇସା ରୋଜଗାର ବି ହେଉଛି। କିନ୍ତୁ, ଆମ ଗଁା ମୁରବିମାନେ କହନ୍ତି ଯେ ପଣ୍ଡିତଙ୍କ ବାପା ବି ଜଣେ ବଡ଼ ପଣ୍ଡିତ ଥିଲେ। ସେତେବେଳେ ବାଲ୍ୟ ବିବାହ ଥିଲା। ସିଏ ପଣ୍ଡିତଙ୍କ ବାହାଘର ବି ରାଜଯୋଟକରେ କରାଇଥିଲେ। ନିଜ ପୁଅ ବାହାଘର ତ କୋଷ୍ଠୀ ମେଳକ କେମିତି ହୋଇଥିବ, ତୁ ଖାଲି ଅନୁମାନ କର! କିନ୍ତୁ ଯେତେବେଳେ ବୟଃପ୍ରାପ୍ତି ପରେ ପଣ୍ଡିତଙ୍କ ସ୍ତ୍ରୀ ଆମ ଗଁାକୁ ଆସିଲେ ସେତେବେଳେ ଜଣା ପଡ଼ିଲା ଯେ ସେ ମାନସିକ ବିକାରଗ୍ରସ୍ତ! ପଣ୍ଡିତଙ୍କ ସାନ ଭାଇ ବି ରାଜଯୋଟକରେ ବାହା ହୋଇଥିଲେ, କିନ୍ତୁ ତାଙ୍କର କିଛି ପିଲାଝିଲା ହେଲେନି ଯେ ଘୋର ମନସ୍ତାପରେ ଦିନ କଟିଲା। ପଣ୍ଡିତଙ୍କ ସାନ ଭଉଣୀର ଦୁର୍ଭାଗ୍ୟ ଦେଖ, ବିବାହର ଦୁଇ ସପ୍ତାହ ନ ପୂରୁଣୁ ତା’ ସ୍ବାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ପଣ୍ଡିତଙ୍କ ତିନି ପୁଅ, ସେମାନେ ମଧ୍ୟ ଅର୍ଧ ପାଗଳ ଭଳି। ଭାରି ଦୁଃଖୀ ପରିବାର! ଏବେ ମୋ କଥାର ଅର୍ଥ ବୁଝୁଚୁ ତ? ଏ ରାଜ ଯୋଟକର ମାୟାରେ ନ ପଡ଼ି ପୁଅର ବାହାଘର ଗୋଟିଏ ଭଲ ଝିଅ ସହିତ କରି ଦେ। ଯୁଗ ଯାଇ କେଉଁଠି ହେଲାଣି, ତୁମେ ଜାତି-ଅଜାତି ଧରି ବସିଛ! ’
ମନୋଜ କେବଳ ଚୁପ ହୋଇ ବସି ଶୁଣୁଥିଲେ ଏବଂ ନିରଞ୍ଜନ କହି ଚାଲିଥିଲେ: ‘ଏମିତି ତ ଆମ ରାଜ୍ୟରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୯୭୯; ଅର୍ଥାତ୍ କିଛି ପୁଅଙ୍କୁ ଝିଅ ମିଳିବେ ନାହିଁ। ଏମିତି ପରିସ୍ଥିତିରେ ବି ରାଜଯୋଟକ ସକାଶେ ତୁମେମାନେ କେତେ ଝିଅଙ୍କୁ ନାପସନ୍ଦ କରି ସାରିଲଣି! ଏବେ ଘରକୁ ଯାଇ ସମସ୍ତଙ୍କୁ ବୁଝା ଆଉ ଯୋଉଠି ପୁଅର ପସନ୍ଦ, ସେଇଠି ବାହାଘର ଠିକ୍ କର।’
ମନୋଜ ଏଥର ଯିବା ଲାଗି ଉଠିଲେ। ଘରକୁ ଫେରିଲା ବେଳେ ସେ ଭାବୁଥିଲେ କ’ଣ କହି ବୋଉ ଓ ସ୍ତ୍ରୀକୁ ବୁଝାଇବେ? ସେମାନେ କ’ଣ ସତରେ ବୁଝିବେ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫