ବିଜେଡି ଭାରତୀୟ ରାଜନୀତିକୁ ବାଟ ଦେଖାଇବ

ସତ୍ୟ ନାରାୟଣ ସାହୁ

ଯେଉଁ ବିଜେପିର ନେତୃତ୍ବ ଦାବି କରନ୍ତି ଯେ ତାଙ୍କର ଦଳ ହେଉଛି ବିଶ୍ବର ସର୍ବବୃହତ ଦଳ ଏବଂ ଯେଉଁ ବିଜେପି ସର୍ବଭାରତୀୟ ସ୍ତରରେ କଂଗ୍ରେସ ଭଳି ଜାତୀୟ ଦଳକୁ ଉତ୍ତର ପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପରାସ୍ତ କରିଛି, ସେହି ବିଜେପି ଓଡ଼ିଶାରେ ବିଜେଡି ଭଳି ଏକ ଆଞ୍ଚଳିକ ଦଳ ଠାରୁ ଜିଲ୍ଲା ପରିଷଦ ଓ ପୌରାଞ୍ଚଳ ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହେଲା। ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ ବିଜେପି ୨୦୧୯ରେ ୨୩ ବିଧାୟକ ଆସନ ଜିତି ଓ ମୋଟ ଭୋଟ୍‌ର ଶତକଡ଼ା ୩୮.୪ ଅଂଶ ପାଇ ଓଡ଼ିଶା ରାଜନୀତିରେ ନିଜର ସ୍ଥାନକୁ ବେଶ୍‌ ମଜଭୁତ କରିପାରିଛି। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ପ୍ରାୟ ୩୦୦ ଆସନରେ ବିଜୟ ଲାଭ କରି ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଆଗକୁ ବଢ଼ିବାର ସବୁ ସୂଚନା ଦେଇଥିଲା। ତେବେ ଫେବ୍ରୁଆରି ୨୦୨୨ରେ ହୋଇଥିବା ଜିଲ୍ଲା ପରିଷଦ ଓ ପୌରାଞ୍ଚଳ ନିର୍ବାଚନରେ ଯଦିଓ ବିଜେପି ଦ୍ବିତୀୟ ସ୍ଥାନ ପାଇଛି, ବିଜେଡି ଠାରୁ ବହୁତ ପଛରେ ପଡ଼ିଯାଇଛି। ବିଜେଡି ଜିଲ୍ଲା ପରିଷଦରେ ମୋଟ ୮୫୩ ଆସନରୁ ୭୬୬ଟି ଜିତିବା ସ୍ଥଳେ ବିଜେପି ମାତ୍ର ୪୧ ଓ କଂଗ୍ରେସ ୩୭ ଆସନରେ ବିଜୟୀ ହୋଇ ପାରିଛନ୍ତି। ରାଜ୍ୟର ୩୦ ଜିଲ୍ଲାର ୩୦ଟି ଜିଲ୍ଲା ପରିଷଦ ବିଜେଡିର ଆୟତ୍ତରେ ରହିଲା ବେଳେ ବିରୋଧୀ ଦଳମାନଙ୍କ ପାଖରେ ଗୋଟିଏ ମଧ୍ୟ ନାହିଁ। ପୌରାଞ୍ଚଳର ୧୦୮ ଆସନରୁ ବିଜେଡି ୯୫ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଯଥାକ୍ରମେ ମାତ୍ର ୬ ଏବଂ ୪ ଆସନରେ ବିଜୟୀ ହୋଇଛନ୍ତି। ସୁତରାଂ, ଜିତି ଥିବା ପ୍ରାର୍ଥୀଙ୍କ ତାଲିକାରେ ବିଜେଡି ତୁଳନାରେ ବହୁତ ନିମ୍ନରେ ଅଛନ୍ତି। ଭୋଟ ସଂଖ୍ୟାରେ ମଧ୍ୟ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ବହୁତ ଆଗରେ ଅଛି। ଉଦାହରଣ ସ୍ୱରୂପ କାଉନସିଲରମାନଙ୍କ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ଶତକଡ଼ା ୫୦ ଭୋଟ ପାଇଥିବା ବେଳେ ବିଜେପି ୨୭ ପ୍ରତିଶତ ଓ କଂଗ୍ରେସ ୧୨ ପ୍ରତିଶତ ଭୋଟ ପାଇଛନ୍ତି। ପୌରାଞ୍ଚଳର ସଭାପତି ପଦ ଓ ତିନିଟି ମ୍ୟୁନିସିପାଲ କର୍ପୋରେସନ୍‌ର ମେୟର ପାଇଁ କରାଯାଇଥିବା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ମୋଟ ଭୋଟ୍‌ର ୪୮ ପ୍ରତିଶତ ବିଜେଡି ପାଇଥିଲା ବେଳେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୨୯ ଓ ୧୨ ପ୍ରତିଶତ ପାଇ ବହୁ ପଛରେ ଅଛନ୍ତି।

ବିଜେପିର ଉତ୍ତର ପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ଐତିହାସିକ ବିଜୟ ପରେ ଓଡ଼ିଶାରେ ହୋଇଥିବା ପରାଜୟ ଦର୍ଶାଉଛି ଯେ ବିଜେପି ଜାତୀୟ ସ୍ତରର ରାଜନୈତିକ ଦଳଗୁଡ଼ିକୁ ପରାହତ କରୁଥିବା ବେଳେ ଗୋଟିଏ ଆଞ୍ଚଳିକ ଦଳ ଦ୍ୱାରା ବାରମ୍ବାର ପରାଜିତ ହୋଇ ଚାଲିଛି। ବିଜେଡି ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ଅଛି ଓ ଲୋକଙ୍କ ଅକାତର ସମର୍ଥନ ଅନବରତ ଭାବେ ପାଇ ଆସୁଛି। ଏହା ଭାରତର ନିର୍ବାଚନ ଇତିହାସରେ ଅନ୍ୟତମ ବିରଳ ଦୃଷ୍ଟାନ୍ତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କର ଟ୍ୱିଟ୍‌ରେ ଲେଖିଥିଲେ ଯେ ତାଙ୍କ ଦଳର ବିପୁଳ ବିଜୟ ପ୍ରମାଣିତ କରୁଛି ଯେ ଲୋକଙ୍କ ସମର୍ଥନ ଦଳ ପ୍ରତି ତୃଣମୂଳ ଓ ୱାର୍ଡ‌୍ ସ୍ତରରେ ଅତୁଟ ଅଛି। ବିଜେଡିର ବିଜୟ ଉପରେ ଆଲୋକପାତ କଲେ ଅନ୍ୟ ଉପାଦେୟ ତଥ୍ୟଗୁଡ଼ିକ ବିଷୟରେ ଅବଗତ ହୋଇପାରିବା ଓ ତାହାର ଗୁରୁତ୍ବ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଦେଶ ଏବଂ ସମାଜ ପାଇଁ କେତେ ଅଧିକ, ତାହା ହୃଦୟଙ୍ଗମ କରିପାରିବା। ସେହି ଉପାଦେୟ ତଥ୍ୟ ଭାରତରେ ୨୦୧୪ ପର ଠାରୁ ଧର୍ମଜନିତ ଧ୍ରୁବୀକରଣ ରାଜନୀତି ଦ୍ୱାରା ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତା’ର ପ୍ରତିକାର କରିବାରେ ସହାୟକ ହେବ। ବାଇଶ ବର୍ଷ ହେଲା ବିଜେଡିର ନିର୍ବାଚନୀ ବିଜୟ ଏକ ଗତାନୁଗତିକ ରୀତି ହୋଇଯାଇଛି। ତେବେ ବିଜେଡିର ବିଜୟ କେବଳ ଅଧିକା ଭୋଟ ପ୍ରତିଶତ ପାଇବାରେ ଓ ଅନେକ ଆସନ ଜିତିବାରେ ସୀମିତ ହୋଇ ରହିନାହିଁ ବରଂ ଏହା ଦଳର ଏକ ଆଦର୍ଶକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି, ଯାହା ହେଲା ଅନ୍ତର୍ଭୁକ୍ତୀ ରାଜନୀତି ଯହିଁରେ ଅଧିକ ସଂଖ୍ୟାରେ ମହିଳାଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଯୋଗୁଁ ଅନ୍ୟ ପଛୁଆ ଶ୍ରେଣୀର ସମର୍ଥନ ବିଜେଡି ପାଇଁ ସମ୍ଭବ ହୋଇପାରିଥିଲା। ଜାତି ଜନଗଣନା କରାଇବା ପାଇଁ ଓଡ଼ିଶା ସରକାରଙ୍କ ସକାରାତ୍ମକ ପଦକ୍ଷେପ ଅନେକ ପରିମାଣରେ ପଛୁଆ ଶ୍ରେଣୀମାନଙ୍କୁ ପ୍ରଭାବିତ କରିଛି, ଯାହା ମଧ୍ୟ ଦଳର ଅନ୍ତର୍ଭୁକ୍ତୀକରଣର ଆଦର୍ଶକୁ ଦର୍ଶାଇଥାଏ।

ବିଜେଡିର ବିଜୟୀ ହୋଇଥିବା ସଦସ୍ୟ ତାଲିକାରେ ଶତକଡ଼ା ୬୦ ମହିଳା ଅଛନ୍ତି। ଏଥି ଲାଗି ଦାୟୀ ମହିଳାମାନଙ୍କ ପାଇଁ ଆରକ୍ଷିତ ଶତକଡ଼ା ୫୦ ଆସନ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ମହିଳାମାନଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଦଳ ପକ୍ଷରୁ ଦିଆଯାଇଥିବା ସୁଯୋଗ। ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ବିଜେଡି ଯେଉଁମାନଙ୍କୁ ନିର୍ବାଚିତ କଲା, ସେଥିରୁ ଶତକଡ଼ା ୭୦ ହେଲେ ନାରୀ। ପୁଣି ଯେତେ ନାରୀ ବିଜେଡି ଟିକେଟ୍‌ରେ ଜିତିଛନ୍ତି, ସେ ଭିତରୁ କେତେକ ସଂଖ୍ୟାଲଘୁ ମୁସଲିମ୍‌ ସମ୍ପ୍ରଦାୟର। ବିଜେପି ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ଗୋଟିଏ ମଧ୍ୟ ଟିକେଟ୍‌ ମୁସ୍‌ଲିମ ସମ୍ପ୍ରଦାୟର ପ୍ରତିନିଧିକୁ ଦେଇ ନ ଥିଲା, ଯଦିଓ ସେହି ରାଜ୍ୟର ପ୍ରାୟ ୨୦ ପ୍ରତିଶତ ଲୋକ ମୁସ୍‌ଲିମ ସମ୍ପ୍ରଦାୟର। ଏଥିରୁ ପ୍ରମାଣିତ ଯେ ବିଜେପି ଦଳର ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ବାସ୍ତବରେ ଅନ୍ତଃସାରଶୂନ୍ୟ। ଏହା ଦର୍ଶାଉଛି ଯେ ସେହି ଦଳର ରାଜନୀତି ଧର୍ମୀୟ ବିଶ୍ବାସ ଦ୍ବାରା ନିର୍ଦ୍ଧାରିତ, ଯେଉଁ କାରଣରୁ ଗୋଟିଏ ସମ୍ପ୍ରଦାୟକୁ ଜାଣି ଶୁଣି ରାଜନୀତିରେ ସଂପୃକ୍ତ କରାଯାଉନାହିଁ। ସେହି ତୁଳନାରେ ଓଡ଼ିଶାରେ ଯଦିଓ ମୁସ୍‌ଲିମମାନଙ୍କ ସଂଖ୍ୟା ଶତକଡ଼ା ୨ରୁ କମ୍‌ ଓ ଖ୍ରୀଷ୍ଟିଆନମାନଙ୍କ ପରେ ସେମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟା କ୍ରମରେ ସ୍ଥାନ ପାଇଥାଏ, ସେମାନଙ୍କ ଭିତରୁ କିଛି ମହିଳା ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ଏହା ପ୍ରତିପାଦନ କରୁଛି ବିଜେଡି ଅନ୍ତର୍ଭୁକ୍ତୀକରଣ ରାଜନୀତିକୁ ବାସ୍ତବରେ ଗୁରୁତ୍ବ ପ୍ରଦାନ କରିଥାଏ।

ତିନିଟି ମ୍ୟୁନିସିପାଲ୍ କର୍ପୋରେସନ୍‌- ଭୁବନେଶ୍ୱର, ବ୍ରହ୍ମପୁର ଓ କଟକର ମେୟର ପାଇଁ କରାଯାଇଥିବା ନିର୍ବାଚନରେ ଦୁଇ ଜଣ ମହିଳା ସୁଲୋଚନା ଦାସ ଭୁବନେଶ୍ୱର ଓ ସଂଘମିତ୍ରା ଦଳେଇ ବ୍ରହ୍ମପୁର କର୍ପୋରେସନ୍ ପାଇଁ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। କଟକ ଓ ଭୁବନେଶ୍ୱର କର୍ପୋରେସନ୍‌ର ଡେପୁଟି ମେୟର୍ ପଦ ପାଇଁ ଦୁଇ ଜଣ ମହିଳା ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ସମୟରେ କହିଥିଲେ ଯେ ଓଡ଼ିଶାର ମହିଳାମାନେ ହେଉଛନ୍ତି ବିଜେଡିର ମେରୁଦଣ୍ଡ। ଏତେ ସଂଖ୍ୟାରେ ମହିଳା ବିଜେଡି ଟିକେଟ୍‌ରେ ଜିତିବା ଏ କଥାକୁ ପ୍ରମାଣିତ କରୁଛି। ୨୦୧୯ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ଓଡ଼ିଶାର ୨୧ ଆସନରୁ ଶତକଡ଼ା ୩୩ ଆସନରେ (୭ଟି ଆସନରେ) ମହିଳାମାନଙ୍କୁ ଠିଆ କରାଇ ଭାରତର ରାଜନୈତିକ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ୭ଟି ଆସନରୁ ବିଜେଡି ୫ଟିରେ ବିଜୟୀ ହୋଇଥିଲା। ବିଜେଡିକୁ ଓଡ଼ିଶାର ମହିଳାଙ୍କ ବିପୁଳ ସମର୍ଥନ ମୂଳରେ ଅଛନ୍ତି ପ୍ରାୟ ୮୦ ଲକ୍ଷ ମହିଳା ଯେଉଁମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ସେହି ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିବାର ଅଭିଯାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଆରମ୍ଭ କରି ଏକ ନିରବ ବିପ୍ଳବର ସୂତ୍ରପାତ କରିଥିଲେ। ତାହା ପୁରୁଷ ପ୍ରଧାନ ସମାଜକୁ ପ୍ରଶ୍ନ କରିବାର ପ୍ରୟାସ କରି ମହିଳାମାନଙ୍କ ଆର୍ଥିକ ଓ ରାଜନୈତିକ ସଶକ୍ତୀକରଣର ସମ୍ଭାବନାକୁ ଫଳବତୀ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଥିଲା।

ଯେଉଁ ଦଳ ମହିଳାମାନଙ୍କ ସମର୍ଥନକୁ ପୁଞ୍ଜି କରି ବା ସମାଜର ବିଭିନ୍ନ ବର୍ଗକୁ ଜାତି, ଧର୍ମ ନିର୍ବିଶେଷରେ ନିଜ ଭିତରେ ଅନ୍ତର୍ଭୁକ୍ତ କରେ ଓ ରାଜନୀତିରେ ସେମାନଙ୍କ ପ୍ରତିନିଧିତ୍ବ ସୁନିଶ୍ଚିତ କରେ, ସେହି ଦଳ ଧର୍ମ ଭିତ୍ତିକ ଧ୍ରୁବୀକରଣର ରାଜନୀତିକୁ ପରାସ୍ତ କରିବାରେ ସକ୍ଷମ ହୋଇପାରେ। ବର୍ତ୍ତମାନ ସମୟରେ ଯେତେବେଳେ ଭାରତରେ ବିଷାକ୍ତ ଧର୍ମଭିତ୍ତିକ ରାଜନୀତି ସମାଜର ଏକତାକୁ ବିପଦସଂକୁଳ କରିଛି ଓ ସମ୍ବିଧାନରେ ଭାରତର ଯେଉଁ ରୂପରେଖର କଳ୍ପନା କରାଯାଇଛି, ତାକୁ ଧ୍ବଂସ କରିବା ପାଇଁ ଚେଷ୍ଟା କରିଚାଲିଛି; ସେହି ସମୟରେ ଅନ୍ତର୍ଭୁକ୍ତୀ ରାଜନୀତି ତଥା ମହିଳାମାନଙ୍କ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ଦେଶ ଓ ସମାଜକୁ ବିଭାଜନ କରୁଥିବା ଶକ୍ତିକୁ ଯେଉଁ ଦଳ ପରାସ୍ତ କରିପାରେ, ସେହି ଦଳ ସବୁ ଆଗକୁ ଆସି ଭାରତକୁ ବଞ୍ଚାଇବା ପାଇଁ ରାସ୍ତା ଦେଖାଇବା ଆବଶ୍ୟକ। ବିଜେଡିର ଦୋଷତ୍ରୁଟି ସତ୍ତ୍ବେ ଓଡ଼ିଶାରେ ସେହି ଦଳର ଅଭୂତପୂର୍ବ ବିଜୟକୁ ସାଂପ୍ରଦାୟିକ ଶକ୍ତିକୁ ପରାସ୍ତ କରି ଦେଶ ବଞ୍ଚାଇବା ଦୃଷ୍ଟିକୋଣରୁ ଦେଖିବା ଉଚିତ ବୋଲି ମନେ ହୁଏ।
[email protected]

ସମ୍ବନ୍ଧିତ ଖବର