‘‘ଆମେ ଏହା ସ୍ବୀକାର କରୁ କି ନ କରୁ, ସବୁଠାରେ ଆମେ ଟେକ୍ନୋଲୋଜିର ଶିକୁଳିରେ ବନ୍ଧା ହୋଇ ପରାଧୀନ ଅବସ୍ଥାରେ ପଡ଼ିଛୁ।’’ ଏ ବାକ୍ୟଟି ପଢ଼ିବା ପରେ ଅଧିକାଂଶ ପାଠକ ପାଠିକାଙ୍କର ଆଖି ଆଗରେ ଯେଉଁ ଚିତ୍ର ଭାସି ଯାଉଥିବ, ତାହା ନିଶ୍ଚିତ ରୂପେ ହୋଇଥିବ ଏକ ସ୍ମାର୍ଟ‌୍ ଫୋନ୍‌ର କିମ୍ବା ଲ୍ୟାପ୍‌ଟପ୍‌ର କିମ୍ବା ଟାବ୍‌ଲେଟ୍‌ର କିମ୍ବା ସ୍ମାର୍ଟ‌୍ ୱାଚ୍‌ର କିମ୍ବା ସେଇଭଳି ଅନ୍ୟ କିଛି ସିଲିକନ୍ ଚିପ୍‌ଚାଳିତ, ଇଣ୍ଟର୍‌ନେଟ୍ ସଂଯୁକ୍ତ ଡିଜିଟାଲ୍ ଉପକରଣର ଚିତ୍ର। ଟେକ୍ନୋଲୋଜି ନିକଟରେ ମନୁଷ୍ୟର ଦାସତ୍ବ ସମ୍ବନ୍ଧରେ ଏଭଳି ମର୍ମବେଦନା କିନ୍ତୁ ଯିଏ ପ୍ରକାଶ କରିଥିଲେ ସେ ଥିଲେ ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଜର୍ମାନୀରେ ଜନ୍ମିତ ପ୍ରସିଦ୍ଧ ଦାର୍ଶନିକ ମାର୍ଟିନ୍ ହାଇଡେଗର୍, ଯାହାଙ୍କ ସମୟରେ ଆଜିର ଏହି ଡିଜିଟାଲ୍ ଦାସତ୍ବର ଆବିର୍ଭାବ ଘଟିନଥିଲା।

Advertisment

ହାଇଡେଗର୍‌ଙ୍କର କ୍ଷୋଭର କାରଣ ହେଲା- ଟେକ୍ନୋଲୋଜିର ଆବେଶରେ ଆସି ମନୁଷ୍ୟ ପ୍ରକୃତି ଠାରୁ ଦୂରେଇ ଯାଉଛି। ସେ ଯଦି ଆଜିର ସ୍ମାର୍ଟ‌୍ ଫୋନ୍‌ଧାରୀ ମନୁଷ୍ୟକୁ ଦେଖନ୍ତେ, କ’ଣ କହନ୍ତେ? ଯିଏ ନିଜ ଜୀବନର ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ନିଜର ପ୍ରକୃତିଦତ୍ତ ଆଖିରେ ଦେଖିବା ପୂର୍ବରୁ ସ୍ମାର୍ଟ‌୍ ଫୋନ୍‌ର କ୍ୟାମେରା ଆଖିରେ ଦେଖିବାକୁ ପସନ୍ଦ କରିଥାଏ- ତାହା ଏକ ଚମତ୍କାର ସୂର୍ଯ୍ୟାସ୍ତ ହୋଇଥାଉ କିମ୍ବା ଏକ ଶିଶୁର ପ୍ରଥମ ଠୁକ୍‌ଠୁକ୍ ଚାଲିବା ଉଦ୍ୟମ ହୋଇଥାଉ। ଯାହା ପାଇଁ କୌଣସି ଘଟଣା ଅନ୍‌ଲାଇନ୍‌ ସୋସିଆଲ୍ ମିଡିଆରେ ସେଆର୍ ନ ହେବା ପର୍ଯ୍ୟନ୍ତ ବାସ୍ତବ ହୋଇ ନ ଥାଏ।

ଆଉ ହାଇଡେଗର୍‌ଙ୍କ ଦୃଷ୍ଟିରେ ଯଦି କେଉଁ ଦେଶର ଲୋକମାନେ ସର୍ବାଧିକ ଏଭଳି ପରାଧୀନମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚିତ ହୁଅନ୍ତେ, ତାହା ଯେ ହୁଅନ୍ତା ଭାରତ, ଏଥିରେ ସନ୍ଦେହ ନାହିଁ। ଏ ନେଇ ଯଦି କାହାର ମନରେ ସନ୍ଦେହ ଥାଏ, ତାହା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯିବ ଯଦି ସିଏ ୨୦୧୯-୨୧ ପାଇଁ ହୋଇଥିବା ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ର ପଞ୍ଚମ ପର୍ଯ୍ୟାୟ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ଉପଲବ୍‌ଧ ଏ ସମ୍ପର୍କିତ ସଦ୍ୟ ପ୍ରକାଶିତ କେତେକ ତଥ୍ୟରାଜି ଉପରେ ଦୃଷ୍ଟି ନିକ୍ଷେପ କରନ୍ତି। ସେଥିରୁ ଜଣାପଡ଼ିଛି ଯେ ଆଜିର ଭାରତୀୟ ପରିବାରମାନଙ୍କ ପାଇଁ ଯଦି କିଛି ଅପରିହାର୍ଯ୍ୟ ଆବଶ୍ୟକତା ରୂପେ ଆବିର୍ଭୂତ ହୋଇଥାଏ, ତାହା ହେଉଛି- ମୋବାଇଲ୍ ଫୋନ୍। ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରତି ଦଶଟି ପରିବାର ମଧ୍ୟରୁ ନ’ଟିରୁ ଅଧିକ ପରିବାରମାନଙ୍କରେ ମୋବାଇଲ୍ ଫୋନ୍ ଉପଲବ୍‌ଧ ଅଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସମ୍ପୃକ୍ତ ପରିବାରମାନଙ୍କ ପାଇଁ ଏହି ଉପକରଣଟି ଖଟ, ଗଦି, ଚେଆର୍, ଟେବୁଲ୍ ଭଳି ମୌଳିକ ଆବଶ୍ୟକତାମାନଙ୍କ ଠାରୁ ମଧ୍ୟ ଅଧିକ ଗୁରୁତ୍ବ ଓ ଅଗ୍ରାଧିକାର ବହନ କରିଥାଏ।

ଗତ କେତେ ବର୍ଷ ମଧ୍ୟରେ ଅପେକ୍ଷାକୃତ ଶସ୍ତା ଦାମ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ଫୋନ୍ ଉପଲବ୍‌ଧ ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର ନିମିତ୍ତ ଆବଶ୍ୟକ ଡେଟା ମୂଲ୍ୟରେ ଚମକପ୍ରଦ ହ୍ରାସ ଘଟିବା ଭାରତୀୟ ପରିବାରମାନଙ୍କରେ ମୋବାଇଲ୍ ଫୋନ୍‌ର ପ୍ରବେଶ ଓ ବ୍ୟବହାରକୁ ସୁଗମ କରିଛି। ଫଳ ସ୍ବରୂପ ଭାରତରେ ବର୍ତ୍ତମାନ ଚୀନ୍ ପରକୁ ପୃଥିବୀର ସର୍ବାଧିକ ସଂଖ୍ୟକ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ସକ୍ରିୟ ଥିବା ଦେଖାଯାଇଛି। ଗତ ବର୍ଷ ଚୀନ୍‌ରେ ପ୍ରାୟ ୯୫ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଥିବା ବେଳେ ଭାରତରେ ସେମାନଙ୍କ ସଂଖ୍ୟା ଥିଲା ପ୍ରାୟ ୫୦ କୋଟି। ଭାରତରେ କେବଳ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନଙ୍କ ସଂଖ୍ୟାରେ ଯେ ବିସ୍ଫୋରକ ବୃଦ୍ଧି ଘଟିଛି, ତାହା ନୁହେଁ, ଏମାନେ ଏହି ଯନ୍ତ୍ର ସହିତ ବିତାଉଥିବା ସକ୍ରିୟ ସମୟର ଅବଧିରେ ମଧ୍ୟ କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି। ୨୦୧୯ରେ ଜଣେ ମୋବାଇଲ୍ ବ୍ୟବହାରକାରୀ ଦୈନିକ ହାରାହାରି ୩.୭ ଘଣ୍ଟା ସମୟ ଏହାର ବ୍ୟବହାରରେ ବିତାଉଥିବା ବେଳେ, ୨୦୨୦ରେ ବିତାଇଥିଲେ ୪.୫ ଘଣ୍ଟା, ଯାହା ୨୦୨୧ରେ ବୃଦ୍ଧି ପାଇଥିଲା ୪.୭ ଘଣ୍ଟାକୁ। ଏକ ବିଶେଷଜ୍ଞ ସଂସ୍ଥା ଦ୍ବାରା କରାଯାଇଥିବା ଅନୁଶୀଳନରୁ ଏହି କ୍ରମବର୍ଦ୍ଧିଷ୍ଣୁ ଧାରା ଆବିଷ୍କୃତ ହୋଇଛି।

ଡିଜିଟାଲ୍ ଟେକ୍ନୋଲୋଜି ସହିତ ଭାରତୀୟମାନଙ୍କର ଏଭଳି ଗଭୀର ପ୍ରେମ କିନ୍ତୁ କ’ଣ ହାଇଡେଗର୍ କହିଥିବା ଭଳି ସେମାନଙ୍କୁ ସତରେ ପରାଧୀନ କରିଦେଇଛି, ନା ସେମାନେ ଅର୍ଥନୈତିକ ସ୍ବାଧୀନତା ହାସଲ କରିବା ଉଦ୍ୟମରେ ସେମାନଙ୍କୁ ସହାୟକ ହୋଇଛି? ଭାରତରେ ମାସିକ ମୁଣ୍ଡ ପିଛା ମୋବାଇଲ୍ ଡେଟା ବ୍ୟବହାର ପରିମାଣ ୧୨ ଗିଗାବାଇଟ୍ (ଜିବି) ହେଉଛି ବର୍ତ୍ତମାନ ପୃଥିବୀରେ ସର୍ବୋଚ୍ଚ। ଏହା ସତ ଯେ ମନୋରଞ୍ଜନ କିମ୍ବା ସୋସିଆଲ୍ ମିଡିଆ କାର୍ଯ୍ୟକଳାପ ପାଇଁ ଏହାର ଏକ ବିଶେଷ ଅଂଶ ବ୍ୟବହୃତ ହୋଇଥାଏ; କିନ୍ତୁ ଉତ୍ପାଦନଶୀଳ ଅର୍ଥନୈତିକ କାର୍ଯ୍ୟକଳାପରେ ଏହାର ବ୍ୟବହାର ମଧ୍ୟ ବେଶ୍ ଉଲ୍ଲେଖନୀୟ ହୋଇଥାଏ। ଉଦାହରଣସ୍ବରୂପ ‘ୟୁପିଆଇ’(ୟୁନିଫାଏଡ୍ ପେମେଣ୍ଟ୍‌ସ ଇଣ୍ଟର୍‌ଫେସ୍) ଏବଂ ଇଣ୍ଟର୍‌ନେଟ୍ ବ୍ୟାଙ୍କିଙ୍ଗ୍‌ ଏଠାରେ ଅର୍ଥ କାରବାର କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଘଟାଇ ସାଧାରଣ ଲୋକମାନଙ୍କ ପାଇଁ ଏହାକୁ ଅଭାବିତ ଭାବରେ ସହଜ ଓ ସାବଲୀଳ କରି ଦେଇଛି, ତାହା ମଧ୍ୟ ହେଉଛି ଭାରତୀୟମାନଙ୍କର ଡିଜିଟାଲ୍ ପ୍ରେମର ଏକ ପରିପ୍ରକାଶ।

ଭାରତୀୟମାନେ ଏହାକୁ ସେମାନଙ୍କର ଅର୍ଥନୈତିକ ଜୀବନର ଅବିଚ୍ଛେଦ୍ୟ ଅଂଶ ରୂପେ କିପରି ଦେଖିବାକୁ ଆରମ୍ଭ କଲେଣି, ତାହାର ଏକ ପ୍ରମାଣ ସ୍ବରୂପ ୨୦୨୦ ଜାନୁଆରିରେ ‘ୟୁପିଆଇ’ ମାଧ୍ୟମରେ ଯେତିକି ପେମେଣ୍ଟ୍ ବା ପାଉଣା ପ୍ରଦାନ କରାଯାଇଥିଲା, ତାହା ଥିଲା ମାସିକ ‘ଜିଡିପି’ (ମୋଟ ଜାତୀୟ ଉତ୍ପାଦ)ର ମାତ୍ର ୧୩% ସହିତ ସମାନ; ଗତ ମାସରେ ଅର୍ଥାତ୍ ୨୦୨୨ ଏପ୍ରିଲ୍‌ରେ ତାହା ବୃଦ୍ଧି ପାଇ ହୋଇଥିଲା ୫୦%। ଏହି ଜାତୀୟ ପାଉଣା ପ୍ରଦାନ ବ୍ୟବସ୍ଥା ‘ୟୁପିଆଇ’ ହେଉଛି ‘ଇଣ୍ଡିଆ ଷ୍ଟାକ୍’ ନାମରେ ଅଭିହିତ ଏକ ଜାତୀୟ ଏକକ ଡିଜିଟାଲ୍ ଭିତ୍ତିଭୂମିର ଅଂଶ, ଯାହାର ଅନ୍ୟ ଦୁଇ ସୁପରିଚିତ ତଥା ସୁପ୍ରତିଷ୍ଠିତ ଅଙ୍ଗ ହେଉଛନ୍ତି ପ୍ରତ୍ୟେକ ଭାରତୀୟର ବାୟୋମେଟ୍ରିକ୍ ପରିଚୟ ବହନ କରୁଥିବା ‘ଆଧାର’ ଓ ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ସୃଷ୍ଟି କରୁଥିବା ‘ଜନଧନ’।

ଭାରତୀୟମାନଙ୍କ ଉପରେ ଡିଜିଟାଲ୍ ଟେକ୍ନୋଲୋଜିର ଏପରି ଦୃଶ୍ୟମାନ ପ୍ରଭାବ ଯେଉଁ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ, ତାହା ହେଉଛି ଏ କ୍ଷେତ୍ରରେ ଦୀର୍ଘ କାଳ ଧରି ଭାରତ ପ୍ରଦର୍ଶନ କରି ଆସିଥିବା ପାରଦର୍ଶିତା। ଗତ ଦଶ ବର୍ଷ ମଧ୍ୟରେ ଭାରତର ବହୁଚର୍ଚ୍ଚିତ ଆଇଟି-ସେବା ଏବଂ ଆଉଟ୍‌ସୋର୍ସିଙ୍ଗ୍ ଶିଳ୍ପର ଆକାର ଦୁଇ ଗୁଣ ବୃଦ୍ଧି ପାଇ ବର୍ତ୍ତମାନ ୨୩୦ ବିଲିଅନ୍ ଡଲାର୍ ଛୁଇଁଲାଣି। ଏହାର ମାହାତ୍ମ୍ୟ ବୁଝାପଡ଼େ ଏହି ତୁଳନାରୁ: ପଣ୍ୟଦ୍ରବ୍ୟ ରପ୍ତାନିରେ ପୃଥିବୀରେ ଭାରତର ସ୍ଥାନ ୧୬ଶ ହୋଇଥିବା ବେଳେ ସେବା ରପ୍ତାନିରେ ଭାରତର ସ୍ଥାନ ହେଉଛି ପଞ୍ଚମ। ଏହି ଟେକ୍ନୋଲୋଜି କ୍ଷେତ୍ରରେ ଏବେ ପ୍ରାୟ ୫୦ ଲକ୍ଷ ଦକ୍ଷ କର୍ମଚାରୀ ନିଯୁକ୍ତ ଅଛନ୍ତି ଏବଂ ନୂତନ ଆଶାୟୀମାନଙ୍କ ପାଇଁ ତତ୍‌କ୍ଷଣାତ୍ ନିଯୁକ୍ତି ସୁଯୋଗ ଉନ୍ମୁକ୍ତ ରହିଛି।

ଭାରତରେ ଉପଲବ୍‌ଧ ଇଂଜିନିଅରିଙ୍ଗ୍ ଜ୍ଞାନକୌଶଳ, ମୋବାଇଲ୍ ଡେଟା ଓ ‘ଜାତୀୟ ଟେକ୍ ଷ୍ଟାକ୍’ ମିଳିତ ହୋଇ ଇ-କମର୍ସ, ଗାଡ଼ି-ଡାକରା କ୍ଷେତ୍ରରୁ ଆରମ୍ଭ କରି ବ୍ୟାଟେରୀ ନିର୍ମାଣ, ଡ୍ରୋନ୍ ତିଆରି ଓ ମହାକାଶ ଗବେଷଣା ପର୍ଯ୍ୟନ୍ତ କ୍ଷେତ୍ର ମାନଙ୍କରେ ବହୁସଂଖ୍ୟକ ‘ଷ୍ଟାର୍ଟଅପ୍’ ପ୍ରତିଷ୍ଠାରେ ସହାୟକ ହୋଇ ଅର୍ଥନୀତିକୁ ମଜଭୁତ କରିବା ସହିତ ମେଧାବୀ ଯୁବପିଢ଼ିକୁ ସ୍ବାଧୀନତାର ସ୍ବାଦ ଚଖାଇ ଚାଲିଛନ୍ତି। ଏକ ପୁଞ୍ଜିନିବେଶକ ସଂସ୍ଥାର ଆକଳନ ଅନୁସାରେ ଭାରତରେ ବର୍ଷକୁ ପ୍ରାୟ ୧୦,୦୦୦ ବିଶ୍ବସନୀୟ ‘ଷ୍ଟାର୍ଟ-ଅପ୍’ ସୃଷ୍ଟି ହେବାରେ ଲାଗିଛନ୍ତି। ‘ଏନ୍‌ଏଫ୍‌ଏଚ୍‌ଏସ୍-୫’ରେ ଯାହା ପ୍ରତିଫଳିତ ହୋଇଛି, ତାହା ହେଲା ଭାରତରେ ଘଟିଚାଲିଥିବା ଏହି ଟେକ୍ନୋଲୋଜି ବିପ୍ଳବର ଏକ ସାମାନ୍ୟ ଝଲକ ମାତ୍ର। ଏଥିରେ ସନ୍ଦେହ ନାହିଁ ଯେ ଏ ବିପ୍ଳବ ଭାରତୀୟମାନଙ୍କୁ ହାଇଡେଗର୍ କ୍ଷୋଭ ପ୍ରକାଶ କରୁଥିବା ଭଳି ପରାଧୀନ କରିବା ପରିବର୍ତ୍ତେ ପ୍ରକୃତ ସ୍ବାଧୀନତା ପ୍ରଦାନ କରିବା ନିଶ୍ଚିତ- ଅର୍ଥନୈତିକ ସ୍ବାଧୀନତା।