ଦେଶରେ ବିଦେଶୀ ୟୁନିଭର୍ସିଟିର କ୍ୟାଂପସ୍‌

ନଳିନୀକାନ୍ତ ଧର

ଚଳିତ ବର୍ଷର କେନ୍ଦ୍ର ବଜେଟ୍‍ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଗାନ୍ଧୀ ନଗରରେ ଅବସ୍ଥିତ ‘ଗିଫ୍‍ଟ ସିଟି’ରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ କ୍ୟାଂପସ୍‍ ସ୍ଥାପନ କରି ପାରିବେ। ଏହା ଏକ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଉ‌େଲ୍ଲଖନୀୟ ଯେ ‘ଗିଫ୍‍ଟ ସିଟି’ ହେଉଛି ଭାରତର ଏକ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର ବା ଇଣ୍ଟରନ୍ୟାସ୍‍ନାଲ ଫାଇନାନ୍‍ସ ସର୍ଭିସ୍‍ ସେଣ୍ଟର (ଆଇ.ଏଫ୍‍.ଏସ୍‍.ସି.), ଯାହା ଅନ୍ତର୍ଜାତୀୟ ‘ଫ।ଇନାନ୍‍ସ ସର୍ଭିସ୍‍ ଅଥରିଟି’ର ନିୟମାବଳୀ ଦ୍ୱାରା ପରିଚାଳିତ ଓ ଭାରତରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ କଟକଣା ଏଠାରେ ଲାଗୁ ହେବନାହିଁ। ଏଠାରେ କ୍ୟାଂପସ୍‌ ଖୋଲୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ଆର୍ଥିକ ପରିଚାଳନା ଓ ପାଠ୍ୟକ୍ରମ ପ୍ରଚଳନ ସମ୍ବନ୍ଧୀୟ ନିଷ୍ପତ୍ତି ନିଜେ ନେଇ ପାରିବେ।

ଏକବିଂଶ ଶତାବ୍ଦୀରେ ପୃଥିବୀରେ ଜ୍ଞାନ-ବିଜ୍ଞାନ, ଉଚ୍ଚ ବୈଷୟିକ, ପ୍ରଯୁକ୍ତି ବିଦ୍ୟା ଇତ୍ୟାଦିରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହେଉଛି ଓ ଭବିଷ୍ୟତ୍‌ରେ ଏହା ଆହୁରି ଦ୍ରୁତ ଓ ବ୍ୟାପକ ହେବ। ମୋଟ ଘରୋଇ ଉତ୍ପାଦନ ଅାଧାରରେ ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍ତମ ରାଷ୍ଟ୍ର। ୨୦୩୦ ସୁଦ୍ଧା ଜର୍ମାନି ଓ ଇଂଲାଣ୍ଡକୁ ପଛରେ ପକାଇ ଆମେରିକା ଏବଂ ଚୀନ ପରେ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ ବୋଲି ଆଶା କରାଯାଏ। ଚୀନ ପରେ ଭାରତର ଛାତ୍ରଛାତ୍ରୀମାନେ ସର୍ବାଧିକ ସଂଖ୍ୟାରେ ବିକଶିତ ଦେଶ ଯଥା ଆମେରିକା, ଇଂଲାଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶକୁ ପଢ଼ିବାକୁ ଯାଉଛନ୍ତି। ଏହି ବାବଦରେ ଭାରତ ବାର୍ଷିକ ୬୦,୦୦୦ରୁ ୭୦,୦୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ବ୍ୟୟ କରୁଛି, ଯାହା ବୈଦେଶିକ ମୁଦ୍ରା ଖର୍ଚ୍ଚର ଏକ ବୃହତ୍ ଅଂଶ। ଅନେକ ଉଚ୍ଚ ଓ ସୂକ୍ଷ୍ମ କାରିଗରି ବା ବୈଷୟିକ କାର୍ଯ୍ୟ ପାଇଁ ଆଶାନୁରୂପକ ଛାତ୍ରଛାତ୍ରୀ ଭାରତରେ ଉପଲବ୍‍ଧ ହେଉ ନାହାନ୍ତି। ‘ନାସକାମ୍‍’ ତଥ୍ୟ ଅନ୍ୟାନ୍ୟ ଖ୍ୟାତିସଂପନ୍ନ ପରାମର୍ଶଦାତା ଅନୁଷ୍ଠାନ ସେମାନଙ୍କ ରିପୋର୍ଟ‌୍ରେ ଏହା ଦର୍ଶାଇଛନ୍ତି। ତେଣୁ ବିଭିନ୍ନ କଂପାନି ନିଜ କାର୍ଯ୍ୟ ସ୍ଥଳରେ କର୍ମଚାରୀମାନଙ୍କୁ ଅତିରିକ୍ତ ତାଲିମ ଦେଇ ସାମର୍ଥ୍ୟ ବୃଦ୍ଧି ଲାଗି ଉଦ୍ୟମ କରୁଛନ୍ତି, ଯାହା ମଧ୍ୟ ବି‌େଶଷ ଫଳପ୍ରଦ ହେଉନାହିଁ। ଏହା ମଧ୍ୟ ଅନସ୍ୱୀକାର୍ଯ୍ୟ ଯେ ଭାରତରେ ଉଚ୍ଚ ବୈଷୟିକ ଶିକ୍ଷା ଅଧିକାଂଶ ସ୍ଥଳେ ସହରାଞ୍ଚଳ ଓ ଧନୀ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅଧିକୃତ ଓ ଗରିବ-ମେଧାବୀ ଛାତ୍ରଛାତ୍ରୀଙ୍କ ସମାନୁପାତିକ ପ୍ରତିନିଧିତ୍ବ ସମ୍ଭବ ହୋଇପାରିନାହିଁ। ଗରିବ ମେଧାବୀଙ୍କ ଲାଗି ଉଚ୍ଚତର ଶିକ୍ଷା ନିମନ୍ତେ ବିଦେଶ ଯିବା ଆକାଶକୟାଁରେ ପରିଣତ ହୋଇଛି। ଭାରତରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିଲେ ସେମାନଙ୍କ ଉଚ୍ଚ ଶିକ୍ଷା ଲାଗି ମାର୍ଗ ପ୍ରଶସ୍ତ ହେବାର ସମ୍ଭାବନା‌ ରହିଛି।

ପୃଥିବୀର ସର୍ବାଧିକ ଡିଗ୍ରୀ ଇଂଜିନିୟର ଆମ ଦେଶରେ ଉତ୍ପନ୍ନ ହୁଅନ୍ତି। କିନ୍ତୁ ଅଧିକାଂଶ ଉଚ୍ଚ ବୈଷୟିକ ପ୍ରଯୁକ୍ତି ବିଦ୍ୟାରେ କାର୍ଯ୍ୟ କରିବା ପାଇଁ ସକ୍ଷମ ନୁହନ୍ତି। ତେଣୁ ବିଦେଶୀ ଶିକ୍ଷାନୁଷ୍ଠାନ ଭାରତରେ ପ୍ରତିଷ୍ଠିତ ହେଲେ ଛାତ୍ରଛାତ୍ରୀମାନେ ବିଦେଶ ନ ଯାଇ ସୁଲଭ ମୂଲ୍ୟରେ ଦେଶ ଭିତରେ ବିଦେଶୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରିପାରିବେ ଏବଂ ତହିଁରୁ ବାହାରିଥିବା ସୁଦକ୍ଷ ମାନବ ସମ୍ବଳ ଲାଭ କରି କଂପାନିଗୁଡ଼ିକ ମଧ୍ୟ ଉପକୃତ ହେବେ। ଭାରତରେ ସରକାରୀ ସ୍ତରରେ ଗବେଷଣା କାର୍ଯ୍ୟ ମଧ୍ୟ ଅନ୍ୟ ବିକଶିତ ଦେଶ ତୁଳନାରେ ଖୁବ୍‍ ନିମ୍ନ ସ୍ତରର। ବେସରକାରୀ ସ୍ତରରେ ମଧ୍ୟ ଉଚ୍ଚ ଗବେଷଣା ନ ଥିବା ଭଳି। ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଦେଶରେ ଗଢ଼ି ଉଠିଲେ ଗବେଷଣାର ମାନ ମଧ୍ୟ ବୃଦ୍ଧି ପାଇବ। କହିବା ଅନାବଶ୍ୟକ ଯେ ସରକାର ବୈଦେଶିକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭାରତରେ ପ୍ରବେଶ କରି କାର୍ଯ୍ୟ କରିବାକୁ ଅନୁମତି ଦେବା‌ର ସୁଫଳ ଭବିଷ୍ୟତ୍‌ରେ ସମଗ୍ର ଦେଶ ଲାଭ କରିପାରିବ।
ମୋ- ୯୪୩୭୩୪୪୬୫୪

ସମ୍ବନ୍ଧିତ ଖବର