ଶଶୀକଳା ବେଉରା

Advertisment

ଦୀର୍ଘ ଛଅ ଦଶନ୍ଧି ଧରି ଉଦ୍ୟାନ କୃଷିରେ ସ୍ବର୍ଣ୍ଣିମ ବିପ୍ଳବର ଜନକ ଓ ସୂତ୍ରଧର ଡକ୍ଟର କୃଷ୍ଣ ଲାଲ ଚଢ଼ାଙ୍କ ତିରୋଧାନ ହୋଇଯିବା ପରେ ହୃଦ୍‌ବୋଧ ହୋଇଥାଏ ଯେ ତାଙ୍କ ପରି ଅତୁଳନୀୟ ଭାବେ ବିଚକ୍ଷଣ, ଦୂରଦୃଷ୍ଟିସଂପନ୍ନ ଓ କଷ୍ଟସହିଷ୍ଣୁ ବ୍ୟକ୍ତିତ୍ବ ବିରଳ। ଦେଶ ବିଭାଜନ କାଳରେ କୃଷ୍ଣ ଲାଲଙ୍କ ପିତାମାତା ସିଆଲକୋଟରୁ ସପରିବାର ଭାରତ ଚାଲି ଆସିଲେ। ସେ ଯାତ୍ରା ଥିଲା ଅତ୍ୟନ୍ତ କ୍ଳାନ୍ତିିକର ଏବଂ କ୍ଳେଶପ୍ରଦ। କୃଷ୍ଣ ଲାଲ ସେ କଥା ମନେ ପକାଇ କହୁଥିଲେ କିଭଳି ଗୋଟିଏ ଟ୍ରାଉଜର ଓ ତିନି ଗୋଟି ପାଇଜାମା ଗୋଟିଏ ଉପରେ ଗୋଟିଏ ପିନ୍ଧି ସେ ଆସିଥିଲେ ଏବଂ ସବୁ ପାଇଜାମା ପକେଟ୍‌ରେ ରଖିଥିବା ଚିନାବାଦାମକୁ ଖାଦ୍ୟ ଭାବରେ ଖାଇ ନିଜକୁ ବଞ୍ଚାଇ ରଖି ପଞ୍ଜାବର ଜଳନ୍ଧରରେ ପହଞ୍ଚିଥିଲେ। ସେହି ସମୟରେ କେହି ହୁଏତ ବିଶ୍ବାସ କରି ନ ଥିବେ ଯେ ସେହି ବାଳକ ପରେ ହୋଇଯିବ ଭାରତୀୟ ଉଦ୍ୟାନ କୃଷିର କର୍ଣ୍ଣଧାର ଏବଂ ଅନେକଙ୍କ ମତରେ ଭାଗତୀୟ କୃଷିର ବିକାଶରେ ଏମ୍‌. ଏସ୍‌. ସ୍ବାମୀନାଥନଙ୍କ ଅବଦାନ ତୁଲ୍ୟ ଉଦ୍ୟାନ କୃଷିର ବିକାଶରେ କୃଷ୍ଣ ଲାଲ ଚଢ଼ାଙ୍କ ଭୂମିକା ହେବ ଚିର ସ୍ମରଣୀୟ।
ଲୁଧିଆନା କୃଷି ମହାବିଦ୍ୟାଳୟରୁ ସ୍ନାତକ ଓ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଉଦ୍ୟାନ କୃଷି ବିଭାଗରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ କୃଷ୍ଣ ଲାଲ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସ୍ନାତକୋତ୍ତର ଶିକ୍ଷା ପରେ ଅଧିକ ଗବେଷଣା ଓ ପିଏଚ୍.ଡି. ସମ୍ମାନ ଲାଭ କରିବା ଥିଲା ତାଙ୍କ ଲାଗି ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ସହିତ ଜଣେ ଅଗ୍ରଣୀ କୃଷି ବୈଜ୍ଞାନିକ ହେବା ସକାଶେ ମୂଳଦୁଆ ପଡ଼ି ଯାଇଥିଲା। ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟରେ ଫଳ ବିଶେଷଜ୍ଞ ଭା‌ବରେ ସେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ହରିୟାଣା ଓ ହିମାଚଳ ପ୍ରଦେଶରେ ଛଅଟି ଆଞ୍ଚଳିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା‌ ନିର୍ବାହ କରିଥିଲେ। କ୍ରମେ ସେ ତାଙ୍କ କ୍ଷେତ୍ରରେ ସୁନାମ ଅର୍ଜିଲେ ଓ ଚିତ୍ତାକର୍ଷକ ସଫଳତାର ଗୋଟିକ ପରେ ଗୋଟିଏ ସୋପାନ ଅତିକ୍ରମ କରି ଶୀର୍ଷ‌େର ପହଞ୍ଚିଥିଲେ। ବେଙ୍ଗାଲୁରୁସ୍ଥ ‘ଭାରତୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥାନ’ ବା ଆଇ.ଆଇ.ଏଚ.ଆର.ର ଫଳ ବିଜ୍ଞାନ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଓ ବିଭାଗୀୟ ମୁଖ୍ୟ ଭାବେ ହେଉ ଅଥବା ପରେ ସେହି ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ହେଉ କିମ୍ବା ଲକ୍ଷ୍ନୌସ୍ଥିତ ‘କେନ୍ଦ୍ରୀୟ ଆମ୍ବ ଗବେଷଣା କେନ୍ଦ୍ର’ର ପ୍ରୋଜେକ୍ଟ ସଂଯୋଜକ ଓ ବିଭାଗୀୟ ମୁଖ୍ୟ ଭାବେ ହେଉ; ତାଙ୍କ ଦକ୍ଷତା ଏବଂ ସାମର୍ଥ୍ୟର ସ୍ବାକ୍ଷର ସର୍ବତ୍ର ଦେଖିବାକୁ ମିଳିଥିଲା। ଦେଶର ପ୍ରଥମ ଉଦ୍ୟାନ କୃଷି କମିସନର ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ଉଦ୍ୟାନ କୃଷି ସମ୍ବନ୍ଧିତ ଅନେକ ବିଭାଗ ଏବଂ ଅନୁଷ୍ଠାନର ଶୀର୍ଷସ୍ଥାନୀୟ ପଦମାନ ଅଳଙ୍କୃତ କରି ନେତୃତ୍ବ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। 
ଉଦ୍ୟାନ କୃଷିର ଅନେକ ବୈଷୟିକ ଜ୍ଞାନର ପ୍ରସାର ତାଙ୍କ ତତ୍ତ୍ବାବଧାନରେ ହୋଇଥିଲା। ଲକ୍ଷ୍ନୌଠାରେ ଜାତୀୟ ଆମ୍ବ ‘ଜର୍ମପ୍ଲାଜମ’ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଏକ ବିଶେଷ ଅବଦାନ। ଫଳ ଚାଷ ନେଇ ଅନେକ ସମସ୍ୟାର ସମାଧାନର ଉତ୍ସ ଥିଲେ ବୈଜ୍ଞାନିକ ଚଢ଼ା। ଯୋଜନା ଆୟୋଗର ସଦସ୍ୟ ଥିବା ବେଳେ ଏକାଦଶ ପଞ୍ଚବାର୍ଷିକ ଯୋଜନା ସମୟରେ ଉଦ୍ୟାନ ଫସଲର ବିକାଶ ପାଇଁ ୨୦,୦୦୦ କୋଟି ଟଙ୍କାର ଅର୍ଥ ରାଶିର ବ୍ୟବସ୍ଥା କରିଥିଲେ, ଯାହା ଉଦ୍ୟାନ ଫସଲ ଅଗ୍ରଗତି କ୍ରମରେ ମୋଡ଼ ବଦଳାଇ ଦେଇଥିଲା।
ଉଦ୍ୟାନ ଫସଲ କିପରି ଭାରତୀୟମାନଙ୍କୁ ଖାଦ୍ୟସାର ବା ପୋଷକ ତତ୍ତ୍ବ ସୁରକ୍ଷା ପ୍ରଦାନ କରିପାରିବ ଓ ତା’ ସହିତ ଏକ ନିରୋଗ ଜୀବନଯାପନରେ ସହାୟକ ହେବ ତାହା ଥିଲା ତାଙ୍କର ଏକ ବଡ଼ ଲକ୍ଷ୍ୟ। ତା’ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ବୈଦେଶିକ ମୁଦ୍ରା ଅର୍ଜନର ବାଟ ଖୋଲିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ସକାଶେ ସେ ଉଦ୍ୟାନ କୃଷିରେ ବିପ୍ଳବ ଆଣିବାକୁ ଚାହିଁଥିଲେ ଏବଂ ତହିଁରେ ଆଜୀବନ ବ୍ରତୀ ମଧ୍ୟ ଥିଲେ। ବୁନ୍ଦା ଜଳସେଚନ ଏବଂ ‘ଟିସୁ କଲଚର’ ଭଳି ଉନ୍ନତ ପ୍ରଣାଳୀ ମାଧ୍ୟମରେ ଚାରା ଉତ୍ପାଦନ, ହାଇବ୍ରିଡ୍ ପନିପରିବା ମଞ୍ଜି ଉତ୍ପାଦନ, ସବୁଜ ଗୃହରେ ଫୁଲ, ଫଳ ଓ ପନିପରିବା ଚାଷ ଭଳି ଅନେକ ଆଧୁନିକ ମାର୍ଗର ସେ ଥିଲେ ପ୍ରବର୍ତ୍ତକ। 
ଜାତୀୟ ଉଦ୍ୟାନ ମିସନ, ଭାରତୀୟ ଉଦ୍ୟାନ ଗବେଷଣା ସଂସ୍ଥାନକୁ ଅାନ୍ତର୍ଜାତିକ ସ୍ତରକୁ ଉନ୍ନୀତ କରିବା, ଉଦ୍ୟାନ ବିଜ୍ଞାନୀମାନଙ୍କୁ ସମର୍ଥ କରିବା ଏବଂ ଉଦ୍ୟାନ ବିଜ୍ଞାନ କ୍ଷେତ୍ରରେ ପ୍ରଦର୍ଶନକୁ ଉଚ୍ଚ ସ୍ତରକୁ ଘେନି ଯିବାରେ ତାଙ୍କ ଯୋଗଦାନ ଥିଲା ଅତୁଳନୀୟ।
ଡକ୍ଟର ଚଢ଼ା ଅନେକ ଛାତ୍ରଛାତ୍ରୀଙ୍କ ଗବେଷଣା ପ୍ରବନ୍ଧର ଉପଦେଷ୍ଟା ଥିଲେ ଏବଂ ପ୍ରାୟ ୫୦୦ ଗୋଟି ଗବେଷଣା ତଥା ଲୋକପ୍ରିୟ ସନ୍ଦର୍ଭ ଓ ପୁସ୍ତକ ଆଦି ରଚନା କରିଥିଲେ, ଯାହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦୃତ ଓ ମାନ୍ୟତା ପ୍ରାପ୍ତ। ଦେଶ ଓ ବିଦେଶରେ ଖ୍ୟାତି ଲାଭ କରିଥିବା କେତେକ ବହି ମଧ୍ୟରେ ‘‘ଉନ୍ନତ ଉଦ୍ୟାନ କୃଷି’’ର ୧୩ ଖଣ୍ଡ ବହି ଏବଂ ୨ ଖଣ୍ଡ ‘ଉଦ୍ୟାନ ଫସଲ ହ୍ୟାଣ୍ଡ୍‌ବୁକ୍’ ଏହି ପରିପ୍ରେକ୍ଷୀରେ ବିଶେଷ ଭାବେ ଦ୍ରଷ୍ଟବ୍ୟ।
ତାଙ୍କୁ ମିଳିଥିବା ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ବୀକୃତିର ତାଲିକା ବେଶ୍‌ ଦୀର୍ଘ। ଉଦ୍ୟାନ କୃଷିରେ ତାଙ୍କ ଅନନ୍ୟ ଅବଦାନ ଲାଗି ୨୦୧୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ଦ୍ବାରା ସମ୍ମାନିତ କରାଯାଇଥିଲା। କୃଷି ଶିରୋମଣି ସମ୍ମାନ, ଜାତୀୟ କୃଷି ନେତୃତ୍ବ ସମ୍ମାନଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ନର୍ମାନ ବୋରଲଗ ଆୱାର୍ଡ ପର୍ଯ୍ୟନ୍ତ ସେ ଅନେକ ସମ୍ମାନ ଓ ସ୍ବୀକୃତିର ଅଧିକାରୀ ହୋଇଥିଲେ। ଗୋବିନ୍ଦ ବଲ୍ଲଭ ପନ୍ଥ ବିଶ୍ବବିଦ୍ୟାଳୟରେ ପିଏଚ୍.ଡି. କରିବା ସମୟରେ ଏବଂ ଅନେକ ସେମିନାର ବା ସଂପାନ ଆଦିରେ ତାଙ୍କ ସହିତ ମୋର ସାକ୍ଷାତ ଓ ଆଲୋଚନା ହୋଇଛି। ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶଠାରୁ ନେଇ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ପର୍ଯ୍ୟନ୍ତ ସବୁ ବିଷୟରେ ତାଙ୍କ ଠାରୁ ସୁଚିନ୍ତିତ ପରାମର୍ଶ ଓ ଉପଦେଶମାନ ମିଳିଛି। ମନେ ହେଉଛି ଏଭଳି ବିରଳ ବ୍ୟକ୍ତିଙ୍କ ଦେହାବସାନରେ ଭାରତ ଜଣେ ଅମୂଲ୍ୟ ରତ୍ନକୁ ହରାଇଛି।
(ବିଶିଷ୍ଟ ଉଦ୍ୟାନ କୃଷି ବୈଜ୍ଞାନିକ ପଦ୍ମଶ୍ରୀ କୃଷ୍ଣ ଲାଲ ଚଢ଼ା ଗଲା ମାର୍ଚ୍ଚ ୨୩ ତାରିଖରେ ପରଲୋକ ଗମନ କରିଛନ୍ତି)