ଦର୍ପଣ: ସର୍ବାଧିକ ମହିଳା ଅର୍ବପତିଙ୍କ ଦେଶ, ଭାରତର ସ୍ଥାନ ପଞ୍ଚମ

ମହିଳା ଦିବସ ଅବସରରେ ‘ସିଟି ଇଣ୍ଡେକ୍‌ସ’ ଦ୍ବାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଅନୁସାରେ ପୃଥିବୀର ପଞ୍ଚମ ସର୍ବାଧିକ ସଂଖ୍ୟକ ମହିଳା ବିଲିଅନେର୍ ବା ଅର୍ବପତି ହେଉଛନ୍ତି ଭାରତୀୟ। ଭାରତର ସମୁଦାୟ ନଅ ଜଣ ମହିଳା ଅର୍ବପତି ଅଛନ୍ତି। ଏମାନଙ୍କ ମଧ୍ୟରୁ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଭାରତର ସର୍ବାଧିକ ଧନୀ ମହିଳା, ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୭.୩ ବିଲିଅନ୍‌ ଡଲାର୍। ବିଲିଅନେର୍‌ଙ୍କ ସମ୍ପତ୍ତିର ହିସାବ ରଖୁଥିବା ‘ଫୋର୍ବସ୍‌’ ତାଲିକାରୁ ଜଣାପଡ଼ିଛି ଯେ ପୃଥିବୀର ସର୍ବାଧିକ ସଂଖ୍ୟକ ମହିଳା ଅର୍ବପତି ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ; ଯେଉଁମାନଙ୍କ ସଂଖ୍ୟା ୯୨।

ସେମିତି ପୃଥିବୀର ସର୍ବାଧିକ ଧନୀ ପାଞ୍ଚ ଜଣ ମହିଳାଙ୍କ ଭିତରୁ ଚାରି ଜଣ ହେଉଛନ୍ତି ଆମେରିକୀୟ। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଚୀନ, ଯେଉଁଠାରେ ଅଛନ୍ତି ୪୬ ଜଣ ମହିଳା ଅର୍ବପତି। ଜର୍ମାନୀ ୩୨ ମହିଳା ଅର୍ବପତିଙ୍କ ସହିତ ତୃତୀୟ ସ୍ଥାନରେ ଅଛି। ଚତୁର୍ଥ ସ୍ଥାନ ଅଧିକାର କରିଥିବା ଇଟାଲୀରେ ମହିଳା ଅର୍ବପତିଙ୍କ ସଂଖ୍ୟା ହେଉଛି ୧୬। ଭାରତ ସମେତ ଅଷ୍ଟ୍ରେଲିଆ ଓ ହଂକଂ ହେଉଛନ୍ତି ୯ ଜଣ ଲେଖାଏଁ ଅର୍ବପତି ମହିଳାଙ୍କ ବାସସ୍ଥାନ। ଫରାସୀ ନାଗରିକ ତଥା ‘ଲୋରିଆଲ୍’ କମ୍ପାନିର ଉପାଧ୍ୟକ୍ଷା ଫ୍ରାଙ୍କୋଇସି ବେଟେନକୋର୍ଟ ମେୟର୍‌ସ ହେଉଛନ୍ତି ପୃଥିବୀର ସବୁଠାରୁ ଅଧିକ ଧନୀ ମହିଳା। ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୮୦ ବିଲିଅନ୍‌ ଡଲାର୍। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଆମେରିକାର ଆଲିସ ଵାଲଟନ ଓ ଜୁଲିଆ କୋଚ୍‌। ଭାରତୀୟ ଅର୍ବପତିଙ୍କ ତାଲିକାରେ ଥିବା କେତେ ଜଣ ପ୍ରମୁଖ ମହିଳା ହେଉଛନ୍ତି ଲୀନା ତିଵାରୀ, ଫାଲଗୁନୀ ନୈୟର, ସ୍ମିତା କୃଷ୍ଣା-ଗୋଦରେଜ, ଅନୁ ଆଗା ଓ କିରଣ ମଜୁମଦାର-ଶ।

ସମ୍ବନ୍ଧିତ ଖବର