ସ୍ବର୍ଗ ଓ ନର୍କର ଭେଦ

କଥାଟିଏ-ଯାଯାବର

ଜଣେ ରାଜାଙ୍କ ମୁଣ୍ଡରେ ସ୍ବର୍ଗ ଓ ନର୍କର ଚିନ୍ତା ପଶିଗଲା। ସେ ଜଣେ ପ୍ରାଜ୍ଞ ସାଧୁଙ୍କ ପାଖକୁ ଗଲେ ଓ ପଚାରିଲେ- ଆଜ୍ଞା, ସ୍ବର୍ଗ ଓ ନର୍କ କ’ଣ ସତରେ ଅଛି? ଯଦି ଥାଏ, ତେବେ ସ୍ବର୍ଗର ଫାଟକ କେମିତି ଖୋଲିବ?
ଆଶ୍ରମର ପିଣ୍ଡାରେ ସାଧୁ ଓ ଚେଲା ବସିଥିଲେ। ଏହା ଶୁଣି ସାଧୁ ଚେଲା ଆଡ଼କୁ ଚାହିଁ ତାଚ୍ଛଲ୍ୟର ହସ ହସିଲେ ଏବଂ କହିଲେ- ଶୁଣ, ୟା କଥା? ଏ ଗଧ ପୁଣି କୁଆଡ଼େ ଏ ରାଜ୍ୟର ରାଜା? ଆରେ ମୂର୍ଖ, ଏ ପ୍ରଶ୍ନ ପଚାରିବା ଆଗରୁ ଦର୍ପଣରେ ‌ତୋର ଚେହେରା ଦେଖିଛୁ?
ଏତକ ଶୁଣି ସାରିବା ବେଳକୁ ରାଜା ରାଗରେ ପାଚି ଲାଲ ହୋଇଗଲେ ଏବଂ ଖୋଳରୁ ଖଣ୍ଡା ବାହାର କରି ସାଧୁଙ୍କୁ ହାଣି ପକାଇବାକୁ ବାହାରିଲେ।
ଏହା ଦେଖି ସାଧୁ କହିଲେ- ଖୋଲିଗଲା ନର୍କର ଫାଟକ!
ରାଜା ଅଟକି ଗଲେ। କିଛି କ୍ଷଣ ପରେ କଥାର ମର୍ମ ବୁଝି ପାରି ସେ ଖଣ୍ଡାକୁ ଖୋଳରେ ପୂରାଇ ସାଧୁଙ୍କ ଠାରେ କ୍ଷମା ଭିକ୍ଷା କଲେ। ଏହା ଦେଖି ସାଧୁ କହିଲେ- ଖୋଲିଗଲା ସ୍ବର୍ଗର ଫାଟକ।
ରାଜା ଏବେ ସ୍ବର୍ଗ ଓ ନର୍କର ଭେଦ ବୁଝିପାରିଲେ। ସେ ବୁଝିଲେ ଯେ ସ୍ବର୍ଗ ହେଉ ବା ନର୍କ; ତାହା ଆମ ଭିତରେ ହିଁ ଥାଏ। ସେ ସାଧୁଙ୍କୁ ପ୍ରଣାମ ଜଣାଇ ନଅରକୁ ବାହୁଡ଼ିଲେ।

ସମ୍ବନ୍ଧିତ ଖବର