ଶଶୀକଳା ବେଉରା
ପୁଷ୍ପ ମାନବ ସଭ୍ୟତା ଓ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ। ଆଦିମ କାଳରୁ ମନୁଷ୍ୟ ପ୍ରକୃତି କୋଳରୁ ଶୋଭା ବର୍ଦ୍ଧକ ବୃକ୍ଷରାଜି ସଂଗ୍ରହ କରି ନିଜର ବାସସ୍ଥଳୀ ଚାରିପାଖରେ ଲଗାଇ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ନିଜର ସବୁ ଦୁଃଖ ଓ କ୍ଳାନ୍ତି ଭୁଲି ଯାଉଥିଲା। ପ୍ରକୃତି ପୃଷ୍ଠରେ କେତେକ ବୃକ୍ଷର ଆକାର ସୁନ୍ଦର ତ ଆଉ କେତେକ ବୃକ୍ଷର ପୁଷ୍ପ ସୁନ୍ଦର। ଅନେକ ଗଛର ପତ୍ରରାଜି ଖୁବ୍ ମନୋମୁଗ୍ଧକର।
ପୁଷ୍ପର ସୌନ୍ଦର୍ଯ୍ୟ ମନୁଷ୍ୟକୁ ଯୁଗ ଯୁଗ ଧରି ଆକର୍ଷିତ କରି ଆସିଛି। ଆର୍ଯ୍ୟମାନଙ୍କ ସମୟରୁ ପୁଷ୍ପକୁ ଦେବାର୍ଚ୍ଚନ ନିମିତ୍ତ ବ୍ୟବହାର କରାଯାଉଛି। ଏହାର ପ୍ରାଧାନ୍ୟକୁ ଅନୁଭବ କରି ଭାରତରେ କୃଷ୍ଣଙ୍କ ସହିତ କଦମ୍ବ, ମହାଦେବଙ୍କ ସହିତ ନାଗେଶ୍ୱର, ଚମ୍ପା ଓ ଦୁଦୁରା, ଇନ୍ଦ୍ରଙ୍କ ସହିତ ପାରିଜାତ, ବ୍ରହ୍ମା ଓ ଲକ୍ଷ୍ମୀଙ୍କ ସହିତ ପଦ୍ମ, ସରସ୍ବତୀଙ୍କ ସହିତ କଞ୍ଚନ, କାଳୀଙ୍କ ସହିତ ଆମାରାନ୍ଥସ ଓ ଦେବୀମାନଙ୍କ ସହିତ ମନ୍ଦାର ଫୁଲକୁ ସଂଶ୍ଳିଷ୍ଟ କରାଯାଇଛି।
ଆଧୁନିକ ଯୁଗରେ ପୁଷ୍ପକୁ ନିଜର ଆବେଗର ପରିପ୍ରକାଶ ପାଇଁ ମନୁଷ୍ୟ ବ୍ୟବହାର କରିଥାଏ। ଯେପରି ‘ଗୋଲାପ’ ଫୁଲ ଭଲପାଇବାର ପ୍ରତୀକ, ‘ଡାଫୋଡିଲ’ ଫୁଲ ସମ୍ମାନର ପ୍ରତୀକ ସେମିତି ‘ଲିଲି’ ଫୁଲ ପବିତ୍ରତା ଓ ‘ପାନସି’ ଫୁଲ ଭାବନାର ପ୍ରତୀକ। ମଲ୍ଲୀ ଫୁଲ ଭଦ୍ରତା, ଜର୍ବେରା ଖୁସି, ଗେଣ୍ଡୁ ସ୍ମରଣ କରିବା ଓ ପଦ୍ମ ସ୍ୱର୍ଗ ତଥା ଅମରତ୍ୱର ପ୍ରତୀକ।
ବିଭିନ୍ନ ପ୍ରକାର ପର୍ବପର୍ବାଣି, ବିବାହ ଓ ବ୍ରତରେ ଫୁଲର ଭୂମିକା ଅବର୍ଣ୍ଣନୀୟ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାନବ ସମାଜ ସହିତ ଫୁଲ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରତିଦିନ ସକାଳେ ନିତ୍ୟକର୍ମ ସାରି ଫୁଲ ଅର୍ପଣ କରି ଦେବଦେବୀଙ୍କୁ ପୂଜା କରିବାରେ ନୈସର୍ଗିକ ସୁଖ ମିଳିଥାଏ। ଏଥିରୁ ମିଳୁଥିବା ମାନସିକ ଶାନ୍ତି ଓ ଆତ୍ମସନ୍ତୋଷ ପ୍ରକୃତରେ ଅବର୍ଣ୍ଣନୀୟ। ଫୁଲ ଆମର ଆଧ୍ୟାତ୍ମିକ ସ୍ବାସ୍ଥ୍ୟର ଯତ୍ନ ନିଏ। ଫୁଲ ଓ ଉଦ୍ୟାନର ସୌନ୍ଦର୍ଯ୍ୟ ଆମ ଅଜାଣତରେ ଅନେକ ମାନସିକ ରୋଗ ଭଲ କରିବା ସହ ଆମକୁ ବିଭିନ୍ନ ପ୍ରକାରର ଅବସାଦରୁ ମୁକ୍ତ କରିଥାଏ। ଜୀବନରେ ଯେଉଁ ଅଫୁରନ୍ତ ଅଦୃଶ୍ୟ ଖୁସି ଓ ସୁଖ ଏଇ ଫୁଲ ଭରି ଦେଇଥାଏ ତାହା କେବେ ମୂଲ୍ୟାୟନ କରି ହୁଏନା। ତେଣୁ ମନୁଷ୍ୟ ପୁଷ୍ପକୁ ତା’ର ମାନସ ରାଜ୍ୟ ପରିସରରେ ସୀମାବଦ୍ଧ ନ ରଖି ବାସ୍ତବ ଦୁନିଆରେ କୋମଳ ଫୁଲର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ବିନିଯୋଗ କରିପାରୁଛି। ଆଜିର ଗତିଶୀଳ ଜୀବନରେ ମଣିଷ ଫୁଲର ଉପାଦେୟତା ଅନୁଭବ କରି ତାକୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରି ତା’ର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି।
ଆମ ଦେଶରେ ପ୍ରାୟ ୩ ଲକ୍ଷ ହେକ୍ଟର ଜମିରେ ବ୍ୟାବସାୟିକ ଭିତ୍ତିରେ ଫୁଲ ଚାଷ କରାଯାଏ। ଗୋଲାପ, ରଜନୀଗନ୍ଧା, ସେବତୀ, ଗ୍ଲାଡିଓଲସ୍, ଜର୍ବେରା, ଆନ୍ଥୁରିୟମ୍, ଅର୍କିଡ୍, ଟୁଲିପ, ଲିଲିୟମ୍ ଆଦି କଟା ଫୁଲ ଭାବରେ ଏବଂ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା, ମଲ୍ଲୀ, ଇଟିମଳା, ଚମ୍ପା, ପଦ୍ମ, କନିଅର, ଟଗର, ମନ୍ଦାର, କରବୀର, କାଠ ରଙ୍ଗଣି, ଆଲାମଣ୍ଡା ଇତ୍ୟାଦି ଝୁରା ଫୁଲ ହିସାବରେ ବ୍ୟାବସାୟିକ ଭିତ୍ତିରେ ଚାଷ କରାଯାଉଛି। କଟା ଫୁଲ ସାଧାରଣ ଭାବେ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ଅଧିକ ଚାଷ ହେଉଥିବା ବେଳେ ଝରାଫୁଲ ତାମିଲନାଡୁ, କର୍ଣ୍ଣlଟକ ଓ ଆନ୍ଧ୍ରପ୍ରଦେଶରେ ଚାଷ କରାଯାଏ। ଆମ ଦେଶରୁ ପୁଷ୍ପ ତଥା ପୁଷ୍ପଜାତ ଦ୍ରବ୍ୟଗୁଡ଼ିକ ଜାପାନ, ଅଷ୍ଟ୍ରେଲିଆ, ଆମେରିକା, ରୁଷିଆ, ଦୁବାଇ, ଇରାକ, ଇରାନ, ପାକିସ୍ତାନ ପରି ବିଭିନ୍ନ ଦେଶକୁ ରପ୍ତାନି କରାଯାଉଛି।
ଆମ ରାଜ୍ୟ ଓଡ଼ିଶାରେ ୭,୭୮୦ ହେକ୍ଟର ଜମିରେ ଫୁଲଚାଷ ଆରମ୍ଭ କରାଯାଇଛି। ଏଠି ସାଧାରଣତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍, ମଲ୍ଲୀ, ସେବତୀ, ଇଟିମଳା ଆଦି ଫୁଲ ଚାଷ କରାଯାଏ। ଆମ ରାଜ୍ୟର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତ୍ତିକା ଫୁଲ ଚାଷ ପାଇଁ ଖୁବ୍ ଅନୁକୂଳ। ଏଠାରେ ଫୁଲର ବ୍ୟବହାରକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ଓଡ଼ିଶାବାସୀ ଅନେକ ବିଳମ୍ବରେ ହେଲେ ମଧ୍ୟ ଧୀରେଧୀରେ ସେମାନଙ୍କ ଚିରାଚରିତ ଚାଷ ପ୍ରଣାଳୀରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଓଡ଼ିଶାରେ ଫୁଲ ଚାଷର ଏକ ଉନ୍ନତ ଭବିଷ୍ୟତ ପାଇଁ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା।
କଟାଫୁଲ ଭାବରେ ଗୋଲାପ, ରଜନୀଗନ୍ଧା, ସେବତୀ, ଗ୍ଲାଡିଓଲସ୍, ଆଷ୍ଟର୍, ହଲିହକ୍, ଜିନିଆ ଆଦି ଚାଷ କରା ଯାଇପାରୁଛି, ଯାହାର ବିକ୍ରିବଟା ଓଡ଼ିଶା ମଧ୍ୟରେ ସମ୍ଭବ। ଝୁରା ଫୁଲ ଭାବରେ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା, ମଲ୍ଲୀ, ଇଟିମଳା, ଚମ୍ପା, ପଦ୍ମ, କନିଅର, ଟଗର, ମନ୍ଦାର, କରବୀର, କିଆ, ପଦ୍ମ, ଆଲାମଣ୍ଡା ଇତ୍ୟାଦିର ଚାହିଦା ଅଧିକ ରହିଥିବାରୁ ସେସବୁକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରି ଚାଷୀ ଲାଭବାନ ହୋଇପାରୁଛି। ଓଡ଼ିଶାରେ ସବୁଜ ଗୃହ ତିଆରି କରି ସେଥିରେ ଉଚ୍ଚ ମାନର କଟା ଫୁଲ ଯଥା- ଜର୍ବେରା, ଗୋଲାପ, ଅର୍କିଡ୍, ଲିଲିୟମ, ଆନ୍ଥୁରିୟମ, ହେଲିକୋନିଆ, ବାର୍ଡ ଅଫ ପାରାଡାଇଜ୍ ଆଦି ଚାଷ କରି ବାହାରକୁ ରପ୍ତାନି କରି ଚାଷୀ ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି।
ଯଦିଓ ଉପରୋକ୍ତ ତିନି ଶ୍ରେଣୀର ଫୁଲ ଚାଷ ଓଡ଼ିଶାରେ ଆରମ୍ଭ ହୋଇଛି ଏବଂ ସମନ୍ବିତ ଉଦ୍ୟାନ କୃଷି ବିକାଶ ମିସନ ଓ ଫୁଲ ମିସନ ତରଫରୁ ଆମ ରାଜ୍ୟରେ ଚାଷୀମାନଙ୍କୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ତଥାପି କଟା ଫୁଲରେ ଆଷ୍ଟର୍, ହଲିହକ୍, ଜିନିଆ ଏବଂ ଝୁରାଫୁଲରେ ଚମ୍ପା, କନିଅର, ଆଲାମଣ୍ଡା, କରବୀର ଓ ସବୁଜ ଗୃହ ଉପଯୋଗୀ ସମସ୍ତ ଫୁଲମାନଙ୍କୁ ବ୍ୟାପକ ଭାବେ ଚାଷ କରାଯିବାର ଆବଶ୍ୟକତା ରହିଛି। କାରଣ ଆମ ଓଡ଼ିଶାରେ ପ୍ରାୟ ଶତକଡ଼ା ନବେ ଭାଗ ଫୁଲ ପଡ଼ୋଶୀ ରାଜ୍ୟରୁ ଆମଦାନି କରାଯାଏ, ଯାହାକି ଆମ ରାଜ୍ୟରେ ମଧ୍ୟ ବ୍ୟାବସାୟିକ ଭିତ୍ତିରେ କରାଯାଇପାରିବ।
ଉପରୋକ୍ତ ଫୁଲ ବ୍ୟତୀତ ଅନ୍ୟ କିଛି ଫୁଲ ଚାଷ ମଧ୍ୟ ଆମ ରାଜ୍ୟରେ କୃଷକମାନେ କରିପାରିବେ। ନଦୀ, ନାଳ, ଗାଡ଼ିଆ, ପୋଖରୀ ଆଦି ଜଳାଶୟରେ ଓଡ଼ିଶା ଭରପୂର। ଏସବୁରେ ପଦ୍ମ, କଇଁ ଆଦି ଗଛ ଲଗାଇ ବ୍ୟାବସାୟିକ ଭିତ୍ତିରେ ଚାଷ କରାଯାଇପାରିଲେ କମ୍ ପରିଶ୍ରମରେ ଅଧିକ ଲାଭ କରାଯାଇପାରିବ। ବିଭିନ୍ନ ପ୍ରକାରର ଋତୁକାଳୀନ ପୁଷ୍ପ ଏବଂ ବିଭିନ୍ନ ଶୈଳୀର ଉଦ୍ୟାନ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ପ୍ରକାର ଲୋଭନୀୟ ବ୍ୟବସାୟ ହୋଇପାରିବ। ଅନେକ ପ୍ରକାର ଫୁଲର ବଂଶ ବିସ୍ତାର ମଞ୍ଜି ଦ୍ବାରା ହୋଇନଥାଏ। ତେଣୁ ସେସବୁ ଫୁଲ ଗଛ ଯଥା- ରଜନୀଗନ୍ଧା, ଗ୍ଲାଡିଓଲସ୍, ଲିଲିୟମ, କାନା ଆଦିର କନ୍ଦ ପ୍ରସ୍ତୁତ କରି ବଜାରକୁ ପଠାଇ ଚାଷୀ ଅନେକ ଲାଭବାନ ହୋଇପାରିବେ। ସୌନ୍ଦର୍ଯ୍ୟବର୍ଦ୍ଧକ ଗଛଗୁଡ଼ିକର ଚାରା ଉତ୍ପାଦନ ପାଇଁ ନର୍ସରି ପ୍ରତିଷ୍ଠା କରିବା ଆଜିକାଲି ଏକ ଲାଭଜନକ ବ୍ୟବସାୟରେ ପରିଗଣିତ ହେଉଛି। ଆମ ରାଜ୍ୟରେ ବିଭିନ୍ନ ଉଦ୍ୟାନ ଓ ପାର୍କ ପାଇଁ ଚାରା ଓ କଲମି ଗଛ ଉତ୍ପାଦନ କରି ଚାଷୀମାନେ ଲାଭବାନ ହୋଇପାରିବେ। ସୁଗନ୍ଧିତ ପୁଷ୍ପ ଯଥା- ଗୋଲାପ, ରଜନୀଗନ୍ଧା, ଚମ୍ପା, କିଆ, ମଲ୍ଲୀ, କେତକୀ ଆଦି ଫୁଲରୁ ତେଲ, ଅତର ଆଦି ପ୍ରସ୍ତୁତ କରି ପ୍ରସାଧନ ସାମଗ୍ରୀ ଉଦ୍ୟୋଗରେ ବ୍ୟବହାର କରାଯାଇପାରିବ। ବିଭିନ୍ନ ଫୁଲରୁ ବର୍ଣ୍ଣ କଣିକା ନିଷ୍କାସନ କରି ଖାଦ୍ୟ ଉଦ୍ୟୋଗ ତଥା ପୋଷାକ ଉଦ୍ୟୋଗରେ ବିନିଯୋଗ କରାଯାଇପାରିବ।
ଶୁଷ୍କ ଫୁଲର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ଉଦ୍ୟୋଗ ଆମ ରାଜ୍ୟରେ ନାହିଁ, ମାତ୍ର ଆମ ରାଜ୍ୟର ଜଙ୍ଗଲରୁ ଅନେକ କଞ୍ଚାମାଲ ପଡ଼ୋଶୀ ରାଜ୍ୟର ଲୋକମାନେ ସଂଗ୍ରହ କରି ତା’ର ଉପଯୁକ୍ତ ପ୍ରକ୍ରିୟାକରଣ କରି ତାକୁ ବିଦେଶକୁ ପଠାଇ ବେଶ୍ ଲାଭବାନ ହୋଇପାରୁଛନ୍ତି। ଶୁଷ୍କ ଫୁଲର ଉଦ୍ୟୋଗ ଗ୍ରାମୀଣ ମହିଳାମାନଙ୍କର ନିଯୁକ୍ତିର ପଥ ପରିଷ୍କାର କରିପାରିବ।
ଫୁଲ ତୋଡା, ସାଜସଜ୍ଜା ଇତ୍ୟାଦିରେ ଶୋଭାବର୍ଦ୍ଧକ ପତ୍ରରାଜିର ବିଶେଷ ଭୂମିକା ରହିଛି। ଏପରି ଗଛ ଆମ ରାଜ୍ୟରେ ଚାଷ କରି ଚାଷୀମାନେ ଲାଭବାନ ହେବାର ଅନେକ ସୁଯୋଗ ରହିଛି।
ଫୁଲର ବିଭିନ୍ନ ପ୍ରକାରର ମୂଲ୍ୟ ଭିତ୍ତିକ ଉତ୍ପାଦ (ଭାଲ୍ୟୁ ଆଡେଡ୍ ପ୍ରଡକ୍ଟସ) ଯଥା: ଫୁଲତୋଡ଼ା, ଫୁଲସଜ୍ଜା, ଶୁଷ୍କ ଫୁଲସଜ୍ଜା, ଗଜରାହାର, ବେଣୀ ଆଦି ପ୍ରସ୍ତୁତି ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ରୋଜଗାର ପନ୍ଥା ସୁଗମ କରାଯାଇପାରିବ।
ବିଭିନ୍ନ ପ୍ରକାର ଉନ୍ନତ ମାନର କଟା ଫୁଲ ଯଥା- ଜର୍ବେରା, ଅର୍କିଡ, ଆନ୍ଥୁରିୟମ ଆଦିର ବଂଶ ବିସ୍ତାର ଟିସୁ କଲଚର୍ ପଦ୍ଧତିରେ ହୋଇଥାଏ। ତେଣୁ ଆମ ରାଜ୍ୟର ପାଠ ପଢୁଆ ବେକାର ଯୁବକଯୁବତୀ ଟିସୁ କଲଚର୍ ଭିତ୍ତିକ ବ୍ୟାବସାୟିକ ସଂସ୍ଥାନ ସ୍ଥାପନ କରି ଲାଭବାନ ହୋଇପାରିବେ।
ସୌନ୍ଦର୍ଯ୍ୟ ବର୍ଦ୍ଧକ ବୃକ୍ଷ ଲଗାଇ ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ। ବିଭିନ୍ନ ପରିବେଶ ପାଇଁ ଶୋଭା ବର୍ଦ୍ଧକ ଉଦ୍ୟାନ ସବୁ ଭିନ୍ନ ଭିନ୍ନ ହୋଇଥାଏ। ଶିଳ୍ପାନୁଷ୍ଠାନର ଉଦ୍ୟାନ ଏପରି ହେବା ଉଚିତ ଯେପରିକି ଏହା କାରଖାନାରୁ ନିର୍ଗତ ପ୍ରଦୂଷିତ ବାଷ୍ପକୁ ନିଷ୍ପ୍ରଭ କରିପାରିବ। ଡାକ୍ତରଖାନା, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ରାସ୍ତା ତଥା ନଦୀ କେନାଲ ଆଦିର ଦୁଇ ପାର୍ଶ୍ୱର ଉଦ୍ୟାନ ଭିନ୍ନ ଭିନ୍ନ ହୋଇଥାଏ। ଛୋଟବଡ଼ ସହର ତଥା ଗ୍ରାମ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପାର୍କ ନିର୍ମାଣ କରାଯାଇଥାଏ। ଆଜିର ବ୍ୟସ୍ତବହୁଳ ଦୁନିଆ ପାଇଁ ଉଦ୍ୟାନ ଓ ପାର୍କର ସଂସ୍ଥାପନ ନିହାତି ଜରୁରି। ବିଭିନ୍ନ ଉଦ୍ୟାନ ସ୍ଥାପନ ତଥା ପରିଚାଳନା କାର୍ଯ୍ୟରେ ଆମ ରାଜ୍ୟର ଅନେକ ଲୋକ ନିଯୁକ୍ତ ହୋଇ ପରିବାର ପ୍ରତିପୋଷଣ କରିପାରିବେ।
ଏହିପରି ଭାବେ ଫୁଲ ଓ ଉଦ୍ୟାନ ମଣିଷକୁ ସୌନ୍ଦର୍ଯ୍ୟ ବୃଦ୍ଧି, ଆବେଗିକ ସୁରକ୍ଷା, ମାନସିକ ରୋଗରୁ ସୁରକ୍ଷା, ପରିବେଶ ସୁରକ୍ଷା ସହିତ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି। ଓଡ଼ିଶାରେ କୃଷିର ଉନ୍ନତି ପାଇଁ ଆଳଙ୍କାରିକ ଉଦ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫୁଲର କୋମଳତାକୁ ଅନୁଭବ କରି, ଓଡ଼ିଶାର ବିଭିନ୍ନ ଅଞ୍ଚଳ ତଥା ପରିବେଶକୁ ଆଖି ଆଗରେ ରଖି, ଫୁଲ ତଥା ଆଳଙ୍କାରିକ ଗଛ ଚାଷ କରି ଜଣେ ଚାଷୀ ନିଜର ସାମାଜିକ ତଥା ଅର୍ଥନୈତିକ ମାନଦଣ୍ଡ ସୁଦୃଢ଼ କରିବା ସହିତ ଆତ୍ମବିଶ୍ବାସ ଓ ଆତ୍ମସମ୍ମାନର ସହିତ ଜୀବନ ନିର୍ବାହ କରିପାରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୧୩୮୦୨୯