ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଗୌତମ ବୁଦ୍ଧ ଯେଉଁ ‘ଭିକ୍ଷା’ କଥା କହିଥିଲେ, ତାହା ଥିଲା ଅପରିଗ୍ରହୀ ଜୀବନଚର୍ଯ୍ୟାର ଏକ ଅଂଶ। ସେହି ସମୟରେ ବୌଦ୍ଧ ଧର୍ମରେ ଦୀକ୍ଷିତ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭିକ୍ଷୁରେ ପରିଣତ ହେଉଥିଲେ, ଯେଉଁମାନେ ଭିକ୍ଷା ଥାଳରେ ପଡୁଥିବା ପ୍ରଥମ ଭିକ୍ଷାକୁ ଅନ୍ତିମ ଭିକ୍ଷା ରୂପେ ବିଚାର କରୁଥିଲେ ଏବଂ ତହିଁରେ ଯାହା ମିଳୁଥିଲା, ତାହା ହିଁ ହେଉଥିଲା ସେମାନଙ୍କ ସାରା ଦିନର ଆହାର। ସେହି ବୌଦ୍ଧ ଭିକ୍ଷୁମାନଙ୍କ ଏକମାତ୍ର ସଂପତ୍ତି ଥିଲା ସେମାନଙ୍କ ଭିକ୍ଷା ପାତ୍ର।
ତେବେ, କେବଳ ବୌଦ୍ଧ ଧର୍ମ ନୁହେଁ, ପୃଥିବୀର ପ୍ରତ୍ୟେକ ଧର୍ମରେ ଦରିଦ୍ରଙ୍କୁ ଦାନ େଦବା ସହିତ ପୁଣ୍ୟ ଫଳକୁ ଯୋଡ଼ି ଦିଆଯାଇଥିବାରୁ ଭିକ୍ଷା ଦେବାର ପ୍ରବଣତା ପ୍ରକାରାନ୍ତରେ ଭିକ୍ଷୁକମାନଙ୍କୁ ସୃଷ୍ଟି କରିଥିଲା। ପୁଣି ‘ବାନପ୍ରସ୍ଥୀ’ ବା ସଂସାର ପରିତ୍ୟାଗ କରୁଥିବା ବୈରାଗୀମାନଙ୍କ ଲାଗି ସଂସାରୀମାନେ ହିଁ ଥିଲେ ଆଶ୍ରୟ ଓ ଭେଜନର ସ୍ରୋତ। ସୁତରାଂ, ଭିକ୍ଷା ଦାନ ଓ ଗ୍ରହଣ ଏକ ପାରସ୍ପରିକ ନିର୍ଭରଶୀଳତାରେ ପରିଣତ ହୋଇଥିଲା। ଏହି କ୍ରମରେ ଭିକ୍ଷା ମାଗିବା ଧୀରେ ଧୀରେ ଏକ ବୃତ୍ତି ଓ ବ୍ୟବସାୟରେ ପରିଣତ ହେଲା। ସଂପ୍ରତି ବିଭିନ୍ନ ଉପାସନା ସ୍ଥଳ ସମ୍ମୁଖରେ ବା ଜନଗହଳି ଛକରେ ଅଥବା ସପିଂ ମଲ୍ ଆଦିର ସାମ୍ନାରେ ଦଳ ଦଳ ଭିକ୍ଷୁକ ବା ଭିକାରି ଦେଖିବାକୁ ମିଳୁଛନ୍ତି, ଯେଉଁମାନେ ଭିକ୍ଷା ମାଗି ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିବାରେ ଲାଗିଛନ୍ତି। କେବଳ ତାହା ନୁହେଁ ସେମାନେ ଦାରିଦ୍ର୍ୟର ପ୍ରତୀକ ଭାବେ ଦେଶର ଭାବମୂର୍ତ୍ତିକୁ ମଧ୍ୟ ମଳିନ କରିବାରେ ଲାଗିଛନ୍ତି। କିନ୍ତୁ ପ୍ରଶ୍ନ ଉଠେ ସତରେ କ’ଣ ଭିକାରିମାନେ ଅତି ଦରିଦ୍ର, ଅନ୍ତତଃ ଯେଭଳି ଦିଶନ୍ତି, ସେଭଳି ଦରିଦ୍ର?
ଭାରତରେ ଭିକ୍ଷାବୃତ୍ତିକୁ ଆଇନଗତ ଭାବେ ନିଷେଧ କରାଯାଇଥିବା ସତ୍ତ୍ବେ ଏହା କ୍ରମେ ଦୋରସ୍ତ ହୋଇ ଚାଲିଛି। କେବଳ ସେତିକି ନୁହେଁ, ଶିଶୁଙ୍କୁ ଅପହରଣ କରି ଓ ସେମାନଙ୍କ ଅଙ୍ଗ ହାନି ଘଟାଇ ନୂଆ ଭିକ୍ଷୁକ ସୃଷ୍ଟି କରିବାର ଭୟାନକ ଓ ପ୍ରଭାବଶାଳୀ ରୢାକେଟ୍ ମଧ୍ୟ ଆମ ଦେଶରେ ଖୁବ୍ ସକ୍ରିୟ। ଜାତୀୟ ମାନବାଧିକାର କମିସନ ରିପୋର୍ଟ ଅନୁଯାୟୀ ପ୍ରାୟ ୩ ଲକ୍ଷ ଶିଶୁ ଏହି ରୢାକେଟ୍ର ଶିକାର ହୋଇଛନ୍ତି। ଆମ ଦେଶରେ ପ୍ରତି ବର୍ଷ ୪୦ ହଜାର ଶିଶୁଙ୍କୁ ଅପହରଣ କରାଯାଏ, ଯହିଁରୁ ୨୫ ପ୍ରତିଶତଙ୍କର କୌଣସି ପତ୍ତା ମିଳେନାହିଁ। ଏମାନଙ୍କୁ ଭିକ୍ଷା ବୃତ୍ତିରେ ନିୟୋଜିତ କରାଯାଏ ବୋଲି ସନ୍ଦେହ ହୋଇଥାଏ। ଶିଶୁମାନେ ଭିକ୍ଷା ମାଗିଲେ ଦାତାମାନେ ଦୟା ପରବଶ ହୋଇ ଅଧିକ ଭିକ୍ଷା ଦେଉଥିବାର ସମ୍ଭାବନା ଥିବାରୁ ଅନେକ ପରିବାର ଜାଣିଶୁଣି ନିଜ ପରିବାର ପିଲାମାନଙ୍କୁ ଏହି କାମରେ ଲଗାଇଛନ୍ତି।
ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଏବେ ଦେଶରେ ୫ ଲକ୍ଷରୁ ଅଧିକ ଭିକାରି ଅଛନ୍ତି। ସେମାନେ ଚରମ ଦୁର୍ଦ୍ଦଶାଗ୍ରସ୍ତ ଭଳି ଦିଶୁଥିଲେ ମଧ୍ୟ ଅଧିକାଂଶ ସମୟରେ ସେଭଳି ହୋଇ ନ ଥାଆନ୍ତି। ଆମ ଦେଶରେ ଭିକ୍ଷା ବୃତ୍ତିର ବାର୍ଷିକ କାରବାରର ପରିମାଣ ହେଉଛି ଦେଢ଼ ଲକ୍ଷ କୋଟି ଟଙ୍କା। ସୁତରାଂ, ଏହା ବିଧିବଦ୍ଧ ଭାବେ ଏକ ଉଦ୍ୟୋଗରେ ପରିଣତ ହେଲାଣି। ଧର୍ନାନୁଷ୍ଠାନଗୁଡ଼ିକ ଭିକ୍ଷାବୃତ୍ତିର ପ୍ରମୁଖ କେନ୍ଦ୍ର ପାଲଟିଛନ୍ତି। ଭିକ୍ଷୁକମାନେ ସୁପରିଚାଳିତ ଭାବେ ଜାଗା ବଦଳ ଲାଗି କମିସନ ବା ଭିକ୍ଷା ଲବ୍ଧ ଅର୍ଥର ସମାନ ବଣ୍ଟନ ଭଳି ବ୍ୟବସ୍ଥା ମଧ୍ୟ ସୃଷ୍ଟି କରିଛନ୍ତି।
ଏକ ରିପୋର୍ଟ ଅନୁସାରେ ଭାରତର ସର୍ବାଧିକ ଧନୀ ଭିକ୍ଷୁକଙ୍କ ନାମ ଭରତ ଜୈନ। ମୁମ୍ବାଇରେ ରହୁଥିବା ଭରତ ହେଉଛନ୍ତି ସାେଢ଼ ସାତ କୋଟି ଟଙ୍କା ମୂଲ୍ୟର ସଂପତ୍ତିର ମାଲିକ। କେବଳ ଭିକ୍ଷା ବୃତ୍ତିରୁ ସେ ମାସକୁ ୬୦ରୁ ୭୫ ହଜାର ଟଙ୍କା ରୋଜଗାର କରନ୍ତି। ତାଙ୍କର ଦେଢ଼ କୋଟି ଟଙ୍କାର ଏକ ଫ୍ଲାଟ୍ ରହିଛି। ତାଙ୍କ ପିଲାମାନେ ମୁମ୍ବାଇର ପ୍ରତିଷ୍ଠିତ ଇଂରେଜୀ ମଧ୍ୟମ ସ୍କୁଲରେ ପଢ଼ନ୍ତି। ତେବେ କୋଟିପତି ଭିକ୍ଷୁକଙ୍କ ସଂଖ୍ୟା ମଧ୍ୟ ଅନେକ, ଯେମିତି ସମ୍ଭାଜୀ କାଲେ, ଯିଏ ଦେଢ଼ କୋଟି ଟଙ୍କା ମୂଲ୍ୟର ସଂପତ୍ତିର ଅଧିକାରୀ ବା ଏକ କୋଟି ଟଙ୍କା ମୂଲ୍ୟର ସଂପତ୍ତିରୁ ଅଧିକର ମାଲିକ ଲକ୍ଷ୍ମୀ ଦାସ। ଏମାନଙ୍କ ଛଡ଼ା ଆହୁରି ଅନେକ ଧନୀ ଭିକ୍ଷୁକ ଅଛନ୍ତି।
ମହମ୍ମଦ ରଫିଉଦ୍ଦିନ ନାମକ ହାଇଦ୍ରାବାଦର ଜଣେ ସାମାଜିକ କର୍ମୀ ଭିକ୍ଷାବୃତ୍ତି ସଂପର୍କରେ କରିଥିବା ଏକ ସର୍ଭେ କହିଥାଏ ଯେ ଭାରତର ଭିକ୍ଷୁକମାନେ ସେମାନଙ୍କ ଆୟର ୨୦% ଖାଦ୍ୟପେୟରେ ଖର୍ଚ୍ଚ କରନ୍ତି। ସେମିତି ୩୦% ନିଶା କରିବାରେ ବ୍ୟୟ କରନ୍ତି। ଅବଶିଷ୍ଟ ୫୦ ଭାଗ ସେମାନେ ସଂଚୟ କରନ୍ତି। ଏବେ ଭିକ୍ଷାବୃତ୍ତିରେ କିଛି ଶିକ୍ଷିତ ଓ ବେକାର ଯୁବକ-ଯୁବତୀ ମଧ୍ୟ ପ୍ରବେଶ କଲେଣି। ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ବିଭିନ୍ନ ୱେବ୍ସାଇଟ୍ ଜରିଆରେ ଅଜଣା ଲୋକଙ୍କ ଠାରୁ ସେମାନେ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରିଥାଆନ୍ତି। ସେଥିରେ ବିଭିନ୍ନ ରୋଗ ବାହାନାରେ ଚିକିତ୍ସା ଖର୍ଚ୍ଚ ପାଇଁ ହାତ ପତାଇବା ଏକ ପ୍ରମୁଖ ମାର୍ଗ ପାଲଟିଛି। ସେମିତି ଉଚ୍ଚଶିକ୍ଷା ପାଇଁ ଅର୍ଥାଭାବ ବା ଅନ୍ୟାନ୍ୟ ସମସ୍ୟାର ଆଳ ଦେଖାଇ ଭିକ୍ଷା ମଗାଯାଉଛି। ଏଥି ଲାଗି ବିଭିନ୍ନ ୱେବ୍ସାଇଟ୍ ମଧ୍ୟ ଖୋଲାଯାଇଛି। ୨୦୧୯ ମସିହାରେ ସଂଯୁକ୍ତ ଆରବ ଏମିରେଟ୍ସର ଜଣେ ମହିଳା ଏଭଳି ଭିକ୍ଷା କରି ମାତ୍ର ୧୭ ଦିନରେ ୫୦ ହଜାର ଡଲାର ଆୟ କରିଥିବା ବିଷୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ଟୁଇଟର୍ ଆଦି ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି କାର୍ଯ୍ୟ କରାଯାଉଛି। ଏହି ବ୍ୟାପାରରେ ବିଶ୍ବାସ ସୃଷ୍ଟି କରିବା ଲାଗି ଭିନ୍ନକ୍ଷମ ପିଲାମାନଙ୍କୁ ଭଡ଼ାରେ ଆଣି ସେମାନଙ୍କ ଫଟୋ ଓ ଭିଡିଓର ବ୍ୟବହାର ମଧ୍ୟ କରାଯାଉଛି। ସୁତରାଂ, ଭିକ୍ଷାବୃତ୍ତି ତା’ର ପ୍ରାଚୀନତା ଓ ପାରଂପରିକତାର ଦୁନିଆରୁ ଲମ୍ଫ ପ୍ରଦାନ କରି ହାଇଟେକ୍ ଯୁଗରେ ପ୍ରବେଶ କଲାଣି।
ଭିକ୍ଷା ବୃତ୍ତିର ଉଦ୍ୟୋଗ
ମହମ୍ମଦ ହିଫ୍ଜୁର ରହେମାନ୍