ଭାରତର ଇତିହାସ ମୋଟ ଉପରେ ହେଉଛି ଆକ୍ରମଣକାରୀଙ୍କ ସହିତ ବିଗତ ଦେଢ଼ ହଜାର ବର୍ଷର ନିରନ୍ତର ସଂଘର୍ଷର ଇତିହାସ। ପ୍ରାରମ୍ଭିକ ସମୟରେ ସେହି ଆକ୍ରମଣ କେବଳ ଲୁଟତରାଜ ଉଦ୍ଦେଶ୍ୟରେ ହୋଇଥିଲା ଏବଂ କେବେ କେବେ (ଆଲେକ୍‌ଜାଣ୍ଡଙ୍କର ଭଳି ଆକ୍ରମଣ) ସେମାନଙ୍କର ରାଜ୍ୟ ସ୍ଥାପନ କରିବା ପାଇଁ ହୋଇଥିଲା। କିନ୍ତୁ ଇସ୍‌ଲାମ ନାମରେ ପଶ୍ଚିମରୁ ହୋଇଥିବା ଆକ୍ରମଣ ସଂପୂର୍ଣ୍ଣ ସମାଜର ବିନାଶ ଏବଂ ବିଚ୍ଛିନ୍ନତାବାଦର ଇତିହାସକୁ ସାଥିରେ ନେଇ ଆସିଥିଲା। ଦେଶ ଓ ସମାଜକୁ ହତୋତ୍ସାହିତ କରିବା ପାଇଁ ଧାର୍ମିକ ସ୍ଥଳ ନଷ୍ଟ କରିବା ଅନିବାର୍ଯ୍ୟ ଥିଲା, ତେଣୁ ବିଦେଶୀ ଆକ୍ରମଣକାରୀମାନେ ଭାରତରେ ମନ୍ଦିର ମଧ୍ୟ ନଷ୍ଟ କରିଥିଲେ। ଏହି କାର୍ଯ୍ୟ ସେମାନେ ଥରେ ଦୁଇ ଥର ନୁହେଁ ବରଂ ଅନେକ ଥର କରିଥିଲେ। ଭାରତୀୟ ସମାଜକୁ ହତୋତ୍ସାହିତ କରିବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ, ଯଦ୍ୱାରା ଭାରତୀୟମାନେ ସ୍ଥାୟୀ ଭାବେ ଦୁର୍ବଳ ହୋଇ ପଡ଼ିବେ ଏବଂ ତାଙ୍କ ଉପରେ ନିରବଚ୍ଛିନ୍ନ ଶାସନ କରିବା ସମ୍ଭବ ହେବ।
ଏହି ଉଦ୍ଦେଶ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଧ୍ୱଂସ କରାଯାଇଥିଲା। ଆକ୍ରମଣକାରୀଙ୍କ ଏହି ନୀତି କେବଳ ଅଯୋଧ୍ୟା ଭଳି ମନ୍ଦିରରେ ସୀମିତ ନ ରହି ସଂପୂର୍ଣ୍ଣ ବିଶ୍ୱ ପାଇଁ ଅଭିପ୍ରେତ ଥିଲା। ଭାରତୀୟ ଶାସକମାନେ କେବେ ହେଲେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଉପରେ ଆକ୍ରମଣ କରିନାହାନ୍ତି। କିନ୍ତୁ ବିଶ୍ୱର ଅନ୍ୟାନ୍ୟ ଶାସକ ବୃନ୍ଦ ନିଜ ନିଜ ରାଜ୍ୟ ବିସ୍ତାର ପାଇଁ ଆକ୍ରମଣାତ୍ମକ ମନୋଭାବ ନେଇ ଏଭଳି କୁକାର୍ଯ୍ୟ କରିଛନ୍ତି। ହେଲେ ଭାରତବର୍ଷରେ ଏହାର ପରିଣାମ ସେଭଳି ହୋଇ ନଥିଲା, ଯେମିତି ସେମାନେ ଆଶା କରିଥିଲେ। ଏହାର ବିପରୀତ ଭାରତୀୟ ସମାଜ ନିଜର ଆସ୍ଥା, ନିଷ୍ଠା ଓ ମନୋବଳକୁ କମ୍ ହେବାକୁ ଦେଇ ନଥିଲା। ସମାଜ ନତମସ୍ତକ ହୋଇନଥିଲା। ସମାଜ ଏହାର ପ୍ରତିବାଦ କରିବା ନିମନ୍ତେ ସଂଘର୍ଷ ଜାରି ରଖିଥିଲା। ଏହି କାରଣରୁ ରାମଙ୍କ ଜନ୍ମସ୍ଥାନ ଉପରେ ନିଜର ଆଧିପତ୍ୟ ହାସଲ କରି ସେଠାରେ ମନ୍ଦିର ନିର୍ମାଣର ପ୍ରଚେଷ୍ଟା ବାରମ୍ବାର ଜାରି ରହିଥିଲା। ଏଥି ନିମନ୍ତେ ଅନେକ ସଂଘର୍ଷ, ଯୁଦ୍ଧ ଓ ବଳିଦାନ ହୋଇଛି।
୧୮୫୭ ମସିହାରେ ବିଦେଶୀ ଅର୍ଥାତ୍‌ ବିଟ୍ରିସ୍‌ ଶକ୍ତି ବିରୋଧରେ ଯୁଦ୍ଧ ନିମନ୍ତେ ହିନ୍ଦୁ ଓ ମୁସଲମାନ ମିଳିମିଶି ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ପରସ୍ପର ମଧ୍ୟରେ ବିଚାର ବିନିମୟ ଜାରି ରହିଥିଲା। ସେହି ସମୟରେ ଏଭଳି ପରିସ୍ଥିତି ହେଲା ଯଦ୍ୱାରା ଗୋହତ୍ୟା ନିଷେଧ ଏବଂ ରାମଜନ୍ମଭୂମି ମୁକ୍ତି ପ୍ରକରଣର ସମାଧାନ ହୋଇଯିବା ଭଳି ପ୍ରତୀୟମାନ ହେଲା। ନିଜ ଘୋଷଣା ପତ୍ରରେ ବାହାଦୂର ଶାହା ଜାଫର ଗୋହତ୍ୟା ଉପରେ ପ୍ରତିବନ୍ଧ ମଧ୍ୟ ସମ୍ମିଳିତ କରିଥିଲେ। ଏଣୁ ସମଗ୍ର ସମାଜ ଏକଜୁଟ ହୋଇ ଲଢ଼ିଥିଲା। ଏହି ଯୁଦ୍ଧରେ ଭାରତୀୟମାନେ ବହୁ ପରାକ୍ରମ ଦେଖାଇଥିଲେ। କିନ୍ତୁ ଦୁଭାର୍ଗ୍ୟବଶତଃ ଏହି ଯୁଦ୍ଧ ବିଫଳ ହେଲା ଏବଂ ଭାରତକୁ ସ୍ୱତନ୍ତ୍ରତା ମିଳି ପାରିଲା ନାହିଁ। ବ୍ରିଟିସ୍‌ ଶାସନ ଜାରି ରହିଲା କିନ୍ତୁ ରାମମନ୍ଦିର ନିମନ୍ତେ ସଂଘର୍ଷ ଥମି ଯାଇ ନଥିଲା।
ଇଂରେଜମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ‘ବିଭାଜନ ସୃଷ୍ଟି କର ଓ ରାଜୁତି କର’ ନୀତି ପୂର୍ବରୁ ଚଳାଇ ଆସୁଥିଲା ଏବଂ ଏହି ଦେଶର ପ୍ରକୃତି ଅନୁସାରେ ଉକ୍ତ ନୀତି ଏଠାରେ ଅଧିକରୁ ଅଧିକ ମଜବୁତ ହୋଇ ଚାଲିଲା। ଏକତାକୁ ଭାଙ୍ଗିବା ନିମନ୍ତେ ଇଂରେଜମାନେ ଏହି ସଂଘର୍ଷର ନାୟକମାନଙ୍କୁ ଅଯୋଧ୍ୟାରେ ଫାଶୀ ଦେଇଥିଲେ ଏବଂ ରାମ ଜନ୍ମଭୂମି ମୁକ୍ତିର ପ୍ରଶ୍ନ ଯଥାବତ୍‌ ରହିଗଲା। ହେଲେ ରାମ ମନ୍ଦିର ନିମନ୍ତେ ସଂଘର୍ଷ ଚାଲିରହିଲା।
୧୯୪୭ ମସିହାରେ ସ୍ୱତନ୍ତ୍ରତା ପ୍ରାପ୍ତି ପରେ ଯେତେବେଳେ ସର୍ବସମ୍ମତିକ୍ରମେ ସୋମନାଥ ମନ୍ଦିରର ଜୀର୍ଣ୍ଣୋଦ୍ଧାର କରାଗଲା ସେତେବେଳେ ଏହିଭଳି ମନ୍ଦିରମାନଙ୍କ ବିଷୟରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଲା। ରାମ ଜନ୍ମଭୂମିର ମୁକ୍ତି ସମ୍ବନ୍ଧରେ ଏହିଭଳି ସର୍ବସମ୍ମତି କ୍ରମେ ବିଚାର କରାଯାଇ ପାରିଥାନ୍ତା, କିନ୍ତୁ ରାଜନୀତିର ଦିଗ ବଦଳି ଯାଇଥିଲା। ଭେଦଭାବ ପୂର୍ଣ୍ଣ ତଥା ତୁଷ୍ଟୀକରଣର ସ୍ୱାର୍ଥପର ରାଜନୀତି ପ୍ରଚଳିତ ହେବା ଯୋଗୁଁ ଏ ପ୍ରଶ୍ନଗୁଡ଼ିକ ପୂର୍ବ ଭଳି ପଡ଼ିରହିଲା। ସରକାର ଏହି ବିଷୟରେ ହିନ୍ଦୁ ସମାଜର ଇଚ୍ଛା ସମ୍ପର୍କରେ କୌଣସି ବିଚାର କରିନଥିଲେ। ବରଂ ସମାଜ ଦ୍ୱାରା ଚାଲିଥିବା ପ୍ରଚେଷ୍ଟାକୁ ଧ୍ୱସ୍ତ କରିବାର ଚେଷ୍ଟା କରାଗଲା। ସ୍ୱତନ୍ତ୍ରତା ପୂର୍ବରୁ ଚାଲିଥିବା ଆଇନଗତ ଲଢ଼େଇ ନିରନ୍ତର ଚାଲୁ ରହିଲା। ରାମ ଜନ୍ମଭୂମି ମୁକ୍ତି ନିମନ୍ତେ ୧୯୮୦ ଦଶକରେ ଜନଆନ୍ଦୋଳନ ଆରମ୍ଭ ହେଲା ଏବଂ ତାହା ତିରିଶ ବର୍ଷ ଧରି ଜାରି ରହିଲା। ୧୯୪୯ ମସିହାରେ ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ଆର୍ବିଭାବ ହୋଇଥିଲା। ୧୯୮୬ରେ ଅଦାଲତ ଆଦେଶ ବଳରେ ମନ୍ଦିର ତାଲା ଖୋଲାଗଲା। ପରବର୍ତ୍ତୀ ସମୟରେ ଅନେକ ଅଭିଯାନ ତଥା କରସେବା ମାଧ୍ୟମରେ ହିନ୍ଦୁ ସମାଜର ସଂଘର୍ଷ ଜାରି ରହିଥିଲା। ୧୩୪ ବର୍ଷର ଆଇନଗତ ସଂଘର୍ଷ ପରେ ୯ ନଭେମ୍ବର ୨୦୧୯ରେ ସୁପ୍ରିମ୍‌ କୋର୍ଟ ତଥ୍ୟ ଓ ସତ୍ୟ ଆଧାରରେ ଏକ ସୁଷମ ରାୟ ଦେଲେ। ଅଦାଲତରେ ସମସ୍ତ ପକ୍ଷର ତର୍କ ଶୁଣିବା ପରେ ଏହି ରାୟ ଶୁଣାଇ ଦିଆଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ମନ୍ଦିର ନିର୍ମାଣ ନିମନ୍ତେ ଏକ ନ୍ୟାସ ମଣ୍ଡଳ ସ୍ଥାପନା କରାଗଲା। ୫ ଅଗଷ୍ଟ ୨୦୨୦ ଦିନ ମନ୍ଦିରର ଭୂମି ପୂଜନ କରାଗଲା ଏବଂ ଏବେ ପୌଷ ଶୁକ୍ଳ ଦ୍ୱାଦଶୀ, ଯୁଗାବ୍ଦ ୫୧୨୫ ଅନୁସାରେ ୨୨ ଜାନୁଆରି ୨୦୨୪ ଦିନ ଶ୍ରୀରାମ ଲଲାଙ୍କ ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବା ପାଇଁ ଦିନ ଧାର୍ଯ୍ୟ ହେଲା। ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀରାମଚନ୍ଦ୍ର ବହୁସଂଖ୍ୟକ ସମାଜର ଆରାଧ୍ୟ ଦେବତା ଏବଂ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଆଜି ମଧ୍ୟ ସଂପୂର୍ଣ୍ଣ ସମାଜ ଦ୍ୱାରା ସ୍ୱୀକୃତ ଆଚରଣର ଆଦର୍ଶ ଅଟେ। ତେଣୁ ପକ୍ଷ ବିପକ୍ଷ ମଧ୍ୟରେ ଯେଉଁ ଅକାରଣ ବିବାଦ ଛିଡ଼ା ହୋଇଛି ତାହା ସମାପ୍ତ କରିଦେବା ଉଚିତ। ଏହା ମଧ୍ୟରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ମଧ୍ୟ ସମାପ୍ତ ହୋଇଯିବା ଉଚିତ। ସମାଜର ପ୍ରବୃଦ୍ଧ ବ୍ୟକ୍ତିମାନେ ଉଦ୍ୟମ କରିବା ଉଚିତ ଯେମିତି ବିବାଦ ସଂପୂର୍ଣ୍ଣ ରୂପରେ ସମାପ୍ତ ହୋଇଯିବ। ଅଯୋଧ୍ୟାର ଅର୍ଥ ହେଉଛି ‘ଯେଉଁଠି ଯୁଦ୍ଧ ହୁଏ ନାହିଁ’। ସଂପୂର୍ଣ୍ଣ ଦେଶରେ ଏହି ମନୋଭାବ ନେଇ ଅଯୋଧ୍ୟାର ପୁନର୍ନିର୍ମାଣ ହେଉଛି ଆଜିର ଆବଶ୍ୟକତା ଏବଂ ଏହା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣର ଏହି ଅବସରଟି ରାଷ୍ଟ୍ରୀୟ ଗୌରବର ପୁନର୍ଜାଗରଣର ପ୍ରତୀକ। ଏହା ଆଧୁନିକ ଭାରତୀୟ ସମାଜ ଦ୍ୱାରା ଭାରତର ଆଚରଣ ଓ ମର୍ଯ୍ୟାଦାର ସ୍ୱୀକୃତି। ମନ୍ଦିରରେ ଶ୍ରୀରାମଙ୍କ ପୂଜା ହେଉଛି ‘ପତ୍ରଂ ପୁଷ୍ପଂ ଫଳଂ ତୋୟଂ’ ପଦ୍ଧତିରେ ନିଜ ମନ ମନ୍ଦିରରେ ଶ୍ରୀରାମଙ୍କ ବିଚାର ଦର୍ଶନ ସ୍ଥାପନ ପୂର୍ବକ ତାହାରି ଆଲୋକରେ ଆଦର୍ଶ ଆଚରଣକୁ ଆପଣେଇବା, କାରଣ ‘ଶିବୋ ଭୂତ୍ୱା ଶିବଂ ଯଜେତ୍‌, ରାମୋ ଭୂତ୍ୱା ରାମଂ ଯଜେତ୍‌’କୁ ପ୍ରକୃତ ପୂଜା କୁହାଯାଇଛି। ଯଦି ଏହି ଦୃଷ୍ଟିଭଙ୍ଗୀ ନେଇ ବିଚାର କରାଯାଏ ତାହା ହେଲେ ଭାରତୀୟ ସଂସ୍କୃତିର ସାମାଜିକ ସ୍ୱରୂପ ଅନୁସାରେ
‘ମାତୃବତ୍ ପରଦାରେଷୁ, ପରଦ୍ରବ୍ୟେଷୁ ଲୋଷ୍ଠବତ୍।
ଆତ୍ମବତ୍ ସର୍ବଭୁତେଷୁ, ଯଃ ପଶ୍ୟତି ସଃ ପଣ୍ଡିତଃ।’
ଏହି ଭଳି ଆମକୁ ମଧ୍ୟ ଶ୍ରୀରାମଙ୍କ ମାର୍ଗରେ ଚାଲିବାକୁ ହେବ।
ସତ୍ୟ, ନିଷ୍ଠା, ଶକ୍ତି, ପରାକ୍ରମ ସହିତ କ୍ଷମା ଏବଂ ସମସ୍ତଙ୍କ ସହିତ ବ୍ୟବହାରରେ ନମ୍ରତା, ହୃଦୟର ସୌମ୍ୟତା ଏବଂ କର୍ତ୍ତବ୍ୟ ପାଳନରେ ନିଜ ପ୍ରତି କଠୋରତା ଆଦି ଶ୍ରୀରାମଙ୍କ ଗୁଣ ଅନୁକରଣ କରି ନିଜ ଜୀବନରେ ଏବଂ ନିଜ ପରିବାରର ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ପ୍ରୟାସ କରିବାକୁ ହେବ। ଏଥିସହିତ ନିଜ ରାଷ୍ଟ୍ରୀୟ ଜୀବନକୁ ଦୃଷ୍ଟିରେ ରଖି ସାମାଜିକ ଜୀବନ ମଧ୍ୟ ଅନୁଶାସିତ କରିବାକୁ ହେବ। ଆମେ ସମସ୍ତେ ଜାଣୁ ଯେ, ଶ୍ରୀରାମ ଓ ଲକ୍ଷ୍ମଣ ଏହି ଅନୁଶାସନ ବଳରେ ୧୪ ବର୍ଷର ବନବାସ ଏବଂ ଶକ୍ତିଶାଳୀ ରାବଣ ସହିତ ସଂଘର୍ଷକୁ ସଫଳତା ପୂର୍ବକ ପୂରଣ କରିଥିଲେ। ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ରରେ ପ୍ରତିବିମ୍ବିତ ନ୍ୟାୟ, କରୁଣା, ସଦ୍‌ଭାବ, ନିରପେକ୍ଷତା ଭଳି ସାମାଜିକ ଗୁଣଗୁଡ଼ିକ ପୁଣି ଥରେ ସମାଜରେ ପରିବ୍ୟାପ୍ତ କରିବାକୁ ହେବ। ଶୋଷଣମୁକ୍ତ, ସମାନ ନ୍ୟାୟ ଆଧାରିତ, ଶକ୍ତି ସହ କରୁଣାସମ୍ପନ୍ନ ଏକ ପୁରୁଷାର୍ଥୀ ସମାଜ ନିର୍ମାଣ କରିବା ହିଁ ଶ୍ରୀରାମଙ୍କ ପୂଜା ହେବ।
ଅହଂକାର, ସ୍ୱାର୍ଥ ଓ ଭେଦଭାବ ଯୋଗୁଁ ଆମ ବିଶ୍ୱ ବିନାଶର ଉନ୍ମାଦରେ ଅଛି ଏବଂ ନିଜ ଉପରକୁ ଅନନ୍ତ ବିପଦକୁ ଡାକି ଆଣୁଛି। ଶ୍ରୀରାମ ଲଲାଙ୍କ ଜନ୍ମଭୂମିରେ ପ୍ରବେଶ ଏବଂ ପ୍ରାଣପ୍ରତିଷ୍ଠା ଦ୍ୱାରା ସଦ୍‌ଭାବ, ଏକତା, ପ୍ରଗତି ଓ ଶାନ୍ତିର ମାର୍ଗ ଦେଖାଉଥିବା ସର୍ବକଲ୍ୟାଣକାରୀ ଏବଂ ‘ସର୍ବେଷାମ୍‌ ଅବିରୋଧୀ’ ଅଭିଯାନର ପ୍ରାରମ୍ଭ ହେବାକୁ ଯାଉଛି। ଆମେ ସମସ୍ତେ ଏହି ଅଭିଯାନର ସକ୍ରିୟ କାର୍ଯ୍ୟକର୍ତ୍ତା। ଆମେ ସମସ୍ତେ ୨୨ ଜାନୁଆରି ଦିନର ଭକ୍ତିମୟ ଉତ୍ସବରେ ମନ୍ଦିରର ପୁନର୍ନିର୍ମାଣ ସହିତ ଭାରତ ଏବଂ ସମଗ୍ର ବିଶ୍ୱର ପୁନର୍ନିର୍ମାଣର ପୂର୍ଣ୍ଣତା ପାଇଁ ସଂକଳ୍ପ ନେଉଛୁ। ଏହି ଭାବନାକୁ ନିଜ ଅନ୍ତକରଣରେ ସ୍ଥାପିତ କରିବା ସହିତ ଆଗେଇ ଚାଲିବା।
ଜୟ ସିୟାରାମ।

Advertisment

ମୋହନ ଭାଗବତ
ସରସଂଘଚାଳକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ