ଦାଶ ବେନହୁର
ରାଜତନ୍ତ୍ର ବା ଦଳପତି-ଶାସନ କାଲି ପର୍ଯ୍ୟନ୍ତ ଥିଲା। ସେଭଳି କ୍ଷେତ୍ରରେ ଶାସନ ମୁଖ୍ୟଙ୍କ ମୁହଁର କଥା ହିଁ ଆଇନ। ଆଇନକୁ କାର୍ଯ୍ୟକାରୀ କରିବା ମଧ୍ୟ ତାଙ୍କରି ଦାୟିତ୍ବ। ଭୁଲ୍ଭଟକା ହେଲେ ବା ଆଇନର ତର୍ଜମା ଦରକାର ପଡ଼ିଲେ ତାଙ୍କ ତୁଣ୍ତ ଓ ମୁଣ୍ତ ଯାହା କହିଲା ସେଇଟା ଶେଷ ବିଚାର। ଅନେକ ସାମରିକ ଶାସନ ବ୍ୟବସ୍ଥାରେ ଅବିକଳ ସେ କଥା ଘଟେ। ମାତ୍ର ଗଣତନ୍ତ୍ରର କଥା ଅଲଗା। ଯେଉଁଦିନୁ ଆମେରିକୀୟ ଗଣଆନ୍ଦୋଳନ କାଳରେ ‘‘ବୋଷ୍ଟନ୍ ଟି ପାର୍ଟି’’ ଦ୍ବାରା ‘‘ପ୍ରତିନିଧିତ୍ବ ନାଇଁ ତ କର ବସାଇ ପାରିବ ନାହିଁ’’ କଥାଟି ଉଚ୍ଚାରିତ ହେଲା ସେଇଦିନୁ ସାରା ପୃଥିବୀରେ ସମସ୍ତ ଆଇନକାନୁନ ତିଆରି ପଛରେ ଲୋକ-ପ୍ରତିନିଧିତ୍ବର ଗୁରୁତ୍ବ ଗଣ୍ଠି ପଡ଼ିଗଲା। ଜଣେ କି ଗୋଟେ ଗୋଷ୍ଠୀ ବିନା ଲୋକପ୍ରତିନିଧିଙ୍କ ସମର୍ଥନରେ ଆଇନ କରିପାରିବେ ନାହିଁ। ଏ କଥାଟି ଘଟିଥିଲା ୧୭୭୩, ଡିସେମ୍ବର ୧୬ ତାରିଖରେ। ଆଜି ସାରା ପୃଥିବୀରେ ପ୍ରାୟତଃ ଆଇନ ତିଆରିର ମୂଳ ହୋଇଛି ଜନପ୍ରତିନିଧିତ୍ବର ସମର୍ଥନ।
ପ୍ରଶ୍ନ ହେଉଛି ଆମେ ଏ ଧାରାକୁ ଆସିଲୁ କେମିତି? ଦିନକରେ ଏ କଥା ଘଟିନାଇଁ। ଏ ଘଟଣା ପଛରେ କେତେ ଯେ ଆନ୍ଦୋଳନ, ସ˚ଘର୍ଷ ଓ ତୀଖ ଚଢ଼ି ଉଠିବାକୁ ହୋଇଛି ତାହା ଜାଣିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ। ନଚେତ୍ ଗଣତନ୍ତ୍ରରେ ଆଇନର ଶାସନ କଥାଟିକୁ ଭଲ ଭାବରେ ବୁଝିହେବ ନାହିଁ। ଏବେ ବିଧାନସଭା ଆଇନ କଲେ କି ପାର୍ଲାମେଣ୍ଟ୍ ଆଇନ କଲେ ବୋଲି ଆମେ ସହଜରେ କହିଦେଉଛେ, ହେଲେ ଏଯାଏ ଆମେ ଆସିଲେ କେମିତି?
ଭଲରେ ହେଉ ବା ମନ୍ଦରେ ୧୮୩୩ ବେଳକୁ ବିଲାତର ଇଷ୍ଟ୍ ଇଣ୍ତିଆ କମ୍ପାନିର ହୁକୁମତ୍ କାରଣରୁ ସାରା ଭାରତର ଶାସନ ଗୋଟେ ହୋଇଯାଇଥିଲା। ପ୍ରଦେଶ ଓ ଗଡ଼ଜାତ ସମୂହ ବଡ଼ଲାଟ୍ ରୂପେ ଆଲୋଚିତ ଗଭର୍ଣ୍ଣର୍ ଜେନେରାଲ୍ ଓ ତାଙ୍କ ପରିଷଦ ଅଧୀନରେ ଥିଲା। ପ୍ରଦେଶଗୁଡ଼ିକର ମାଲିକ ଥିଲେ ଛୋଟଲାଟ୍ ବା ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍। ‘ଲର୍ଡ’ ଶବ୍ଦରୁ ‘ଲାଟ୍’ ଶବ୍ଦର ସୃଷ୍ଟି। ଶାସନ ଥିଲା ଏକ୍ଜିକ୍ୟୁଟିଭ୍ ବା ଏହି କାର୍ଯ୍ୟନିର୍ବାହୀତନ୍ତ୍ରର ପାଖରେ। ୧୮୫୩ର ଚାର୍ଟର ଆଇନ ଏଥିରେ ପରିବର୍ତ୍ତନ ଆଣିଲା। ନିଜେ ଫିରିଙ୍ଗି ସରକାର ଉଚ୍ଚତମ କ୍ଷେତ୍ରରେ ଶାସନ ପରିଷଦକୁ ଦୁଇଭାଗ କରି ‘‘କାର୍ଯ୍ୟକାରୀ ପରିଷଦ’’ ଓ ‘‘ଆଇନ ପ୍ରଣୟନକାରୀ ପରିଷଦ’’ ଗଠନ କଲେ। ସେବକାର ଆଇନ ପ୍ରଣୟନକାରୀ ପରିଷଦ ହିଁ ଆଜି ଆମେ ଯେଉଁ ପାର୍ଲାମେଣ୍ଟ୍ ବା ବିଧାନସଭା କଥା କହୁଚୁ ତା’ର ଆଦିପିତା। ତା’ର ଅର୍ଥ ଆମେ ଭାରତୀୟମାନେ ସେଇ ୧୮୫୩ରୁ ପ୍ରତିନିଧିଙ୍କ ଜରିଆରେ ଆଇନ ତିଆରିର ଅନୁଭବ ପାଇଲେ।
ତା’ପରେ ଆସିଲା ଭାରତରେ ୧୮୫୭ର ଲୋମହର୍ଷଣକାରୀ ସ˚ଘର୍ଷ। ଏହା ମୂଳତଃ ଉତ୍ତର ଭାରତରେ ସିପାହିମାନଙ୍କ ଦ୍ବାରା ସ˚ଘଟିତ ହୋଇଥିଲା। ଇ˚ରେଜମାନେ ସେ ସ˚ଘର୍ଷର ନାଁ ଦେଲେ ସିପାହି ବିଦ୍ରୋହ। ଆମେ କିନ୍ତୁ ନାଆଁ ଦେଲୁ ‘‘ପ୍ରଥମ ଭାରତୀୟ ସ୍ବାଧୀନତା ସ˚ଗ୍ରାମ।’’ ଅସଲରେ ଏଇ ଓଡ଼ିଶା ମାଟିରେ ୧୯୧୨ରୁ ମାନେ ସେ ଘଟଣାର ୪୫ ବର୍ଷ ଆଗରୁ ଓଡ଼ିଆମାନେ ପାଇକ ବିଦ୍ରୋହ ମାଧ୍ୟମରେ ପ୍ରଥମ ସ୍ବାଧୀନତା ସ˚ଗ୍ରାମର ବିଗୁଲ୍ ବଜାଇ ସାରିଥିଲେ। ୧୮୫୭ର ଏ ଯେଉଁ ସ˚ଘର୍ଷ ତାହା ‘‘ଇଷ୍ଟ୍ ଇଣ୍ତିଆ କମ୍ପାନି’’ର ଅପାରଗତା ଓ ବର୍ବରତାକୁ ପ୍ରମାଣ କରିସାରିଥିଲା। ବ୍ରିଟିଶ୍ ଶାସନକୁ ଲାଗିଥିଲା ଯେ ଭାରତ ଭଳି ମୂଲ୍ୟବାନ ମଣିଟି ସେମାନଙ୍କ ରାଜତନ୍ତ୍ରୀ ମୁକୁଟରୁ ବୋଧେ ସବୁଦିନ ପାଇଁ ହଜିଯିବ। ତେଣୁ ତିଆରି ହୋଇଥିଲା ୧୮୫୮ର ଆଇନ, ଯାହାକୁ ‘‘ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣା’’ ନାମରେ ଇତିହାସ ରେକର୍ଡ କରିଦେଲା।
ଗଭର୍ଣ୍ଣର୍ ଜେନେରାଲ୍ ବୋଲନ୍ତେ ଭାଇସ୍ରାୟ ଅର୍ଥାତ୍ ରାଜପ୍ରତିନିଧି। ଭାରତ କଥା ବୁଝିବା ପାଇଁ ଜଣେ ଭାରତମନ୍ତ୍ରୀ ନିଯୁକ୍ତ ହେଲେ। ସେ ପାଲଟିଲେ ବ୍ରିଟିଶ୍ ମନ୍ତ୍ରିମଣ୍ତଳର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ। ଇ˚ରେଜୀରେ କହିଲେ ସେକ୍ରେଟାରି ଅଫ୍ ଷ୍ଟେଟ୍। ଆଗରୁ ଯେଉଁ ‘‘ବୋର୍ଡ ଅଫ୍ କଣ୍ଟ୍ରୋଲ୍’’ ବା ‘‘କୋର୍ଟ ଅଫ୍ ଡାଇରେକ୍ଟର୍ସ’’ ବୋଲି କଥାଟି ଥିଲା ତାହା ଚାଲିଗଲା ଏଇ ଭାରତମନ୍ତ୍ରୀଙ୍କ ପାଖକୁ। ସର୍ବୋଚ୍ଚ ସ୍ତରରେ ଭାରତ ପାଇଁ ଆଇନ ତିଆରି କରୁଥିଲେ ବ୍ରିଟିଶ୍ ପାର୍ଲାମେଣ୍ଟ୍। ଲର୍ଡ ଷ୍ଟାନ୍ଲି ଥିଲେ ପ୍ରଥମ ଭାରତମନ୍ତ୍ରୀ। ବିଲାତର ରାଣୀ ସେଇଦିନୁ ହେଲେ ଭାରତର ସାମ୍ରାଜ୍ଞୀ। ଅକଳ୍ପନୀୟ କ୍ଷମତା। ଆଜିକାଲିକା ଭଳି କଥା ନୁହେଁ। ସ୍ଥଳପଥ, ଆକାଶ ପଥ ନାଇଁ। ଯୋଗାଯୋଗ ସକାଶେ ସେଇ ଜଳପଥ। ମାସ ମାସ ଲାଗିଯାଏ ବିଲାତରୁ ଭାରତ ଆସିବା ପାଇଁ। ତଥାପି ମୁଷ୍ଟିମେୟ ଗୋରାଲୋକ ଶାସନ କରୁଥିଲେ ଆମକୁ। ଭାବି ହେଉଛି?
୧୮୫୮ର ଆଇନକୁ ରାଣୀଙ୍କ ଶାସନ ଅଭିହିତ କରିଥିଲା ‘‘ଉତ୍ତମ ଶାସନର ଆଇନ’’ ଭାବରେ ଅର୍ଥାତ୍ ‘‘ଆକ୍ଟ ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସ’’।
୧୮୬୧ରେ ଆଉ ଗୋଟିଏ ଆଇନ ତିଆରି ହେଲା। ସାରା ଭାରତ ଲାଗି ଗୋଟିଏ କେନ୍ଦ୍ରରୁ ଯେଉଁ ଆଇନ ତିଆରି ହେଉଥିଲା ତାହା ବଦଳିଯାଇ ପ୍ରଦେଶମାନଙ୍କୁ ଆଇନ ତିଆରି କରିବା ନିମନ୍ତେ କ୍ଷମତା ଦିଆଗଲା। ଫଳରେ କେନ୍ଦ୍ରର ଆଇନ ପ୍ରଣୟନକାରୀ ସଭା ସାଙ୍ଗକୁ ପ୍ରଦେଶରେ ଆଇନ ପ୍ରଣୟନକାରୀ ସଭା ମଧ୍ୟ ଗଠିତ ହେଲା। ‘ସେଣ୍ଟ୍ରାଲ୍ ଲେଜିସ୍ଲେଚର୍’ ଓ ‘ପ୍ରୋଭିନ୍ସିଆଲ୍ ଲେଜିସ୍ଲେଚର୍’। ଆମ ରାଜ୍ୟ ବିଧାନସଭାଗୁଡ଼ିକର ତାହା ସେତେବେଳକା ପ୍ରାଥମିକ ରୂପ କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଥମଥର ପାଇଁ ବେସରକାରୀ ଲୋକ ମଧ୍ୟ ଏ ସଭାର ସଦସ୍ୟ ହେବା ପାଇଁ ସୁଯୋଗ ପାଇଲେ। ଆଇନ ପ୍ରଣୟନକାରୀ କମିଟି ବା ସମିତି ଗଠିତ ହେଲା। କେବଳ ଆଇନ ତିଆରି ଛଡ଼ା ଆଉ କୌଣସି କ୍ଷମତା ନ ଥିଲା ଆଇନ ପ୍ରଣୟନକାରୀ ସଭାର। ଗଭର୍ଣ୍ଣର୍ ଜେନେରାଲ୍ଙ୍କୁ ଅଧ୍ୟାଦେଶ (ଅର୍ଡିନାନ୍ସ) ଘୋଷଣା କରିବାର କ୍ଷମତା ମଧ୍ୟ ମିଳିଲା, ଯାହାକି ୬ ମାସ ଯାଏ ବଳବତ୍ତର ରହିବ।
ଆଜି ସ୍ବାଧୀନ ଭାରତରେ ଆମ ସମ୍ବିଧାନର ୧୨୩ ଧାରା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ଅଧ୍ୟାଦେଶ ଘୋଷଣା କରିବାର କ୍ଷମତା ଦିଆଯାଇଛି। ମନେରଖିବା କଥା ଯେ ଏ କଥାର ଚେର ଯୋଡ଼ି ହୋଇଛି ସେଇ ୧୮୬୧ର ଏ ଆଇନ ସହିତ।
୧୮୬୧ ପରେ ଭାରତରେ ୧୮୯୨ର ଆଇନ। ‘‘ଇଣ୍ତିଆନ୍ କାଉନ୍ସିଲ୍ର ଆକ୍ଟ୍ ଅଫ୍ ୧୮୯୨’’। ଏ ଆଇନ ବଳରେ ଆଇନ ପ୍ରଣୟନକାରୀ ସଭାଗୁଡ଼ିକର ପରିସର ଓ କ୍ଷମତା ଉଭୟକୁ ବେଢ଼ଇ ଦିଆଗଲା। ନିର୍ବାଚିତ ପ୍ରତିନିଧିଙ୍କୁ ସୁଯୋଗ ମିଳିଲା ସଭାର ସଦସ୍ୟ ହେବା ପାଇଁ। ପ୍ରଣିଧାନଯୋଗ୍ୟ କଥା ହେଲା ପ୍ରଥମଥର ପାଇଁ ପ୍ରାଦେଶିକ ଆଇନ ପ୍ରଣୟନକାରୀ ସଭାର ବେସରକାରୀ ସଦସ୍ୟମାନଙ୍କ ଦ୍ବାରା ୪ ଜଣ ନିର୍ବାଚିତ ହୋଇ କେନ୍ଦ୍ରୀୟ ଆଇନ ପ୍ରଣୟନକାରୀ ସଭାକୁ ଯିବାର ବ୍ୟବସ୍ଥା କରାଗଲା। କେବଳ ସେତିକି ନୁହେଁ ପ୍ରଦେଶମାନଙ୍କରେ ଥିବା ଏ ଆଇନ ସଭାକୁ ସେଠାକାର ମ୍ୟୁନିସିପାଲିଟି, ଜିଲ୍ଲାବୋର୍ଡ, ବିଶ୍ବବିଦ୍ୟାଳୟ ଓ ବଣିକ ପରିଷଦ ବା ‘‘ଚେମ୍ବର୍ ଅଫ୍ କମର୍ସ’’ରୁ ପ୍ରତିନିଧି ଆସିବାର ସୁଯୋଗ ମଧ୍ୟ ସୃଷ୍ଟି ହେଲା। ଆଗରୁ ଆଇନ ସଭାରେ ଭାରତୀୟଙ୍କର ପ୍ରଶ୍ନ ପଚାରିବାର ଅଧିକାର ବି ନ ଥିଲା। ହେଲେ ୧୮୯୨ର ଏ ଆଇନ ସେ ସୁଯୋଗ ଦେଲା। ଆଇନ ସଭାଗୁଡ଼ିକ ଏଣିକି ନିଜ ଅଞ୍ଚଳକୁ ନେଇ ତିଆରି ହେଉଥିବା ବଜେଟ୍ ପ୍ରସ୍ତୁତିରେ ଭାଗ ନେବା ପାଇଁ ଅଧିକାର ପାଇଲେ। ସୀମିତ ହେଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ସଭାରେ ପ୍ରଶ୍ନ ପଚାରିବାର ଅଧିକାର ଥିଲା ଆଉ ଏକ ଗୁରୁତ୍ବପର୍ଣ୍ଣ ସ˚ଯୋଜନ।
ଲକ୍ଷ୍ୟ କରିବାର କଥା ଆଇନ ସଭା, ଅର୍ଡିନାନ୍ସ ଓ ବଜେଟ୍ ପ୍ରସ୍ତୁତି ସାଙ୍ଗକୁ ପ୍ରତିନିଧିତ୍ବର ଧାରା ସହିତ ଯୋଡ଼ା ହୋଇଛି ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଇତିହାସ; ସମ୍ବିଧାନ ବା ଗଣତନ୍ତ୍ର ପାଇଁ ଆଇନ ପ୍ରଣୟନ ଦସ୍ତାବିଜ୍ ପ୍ରସ୍ତୁତିର ଅଭିଜ୍ଞତା। ବ୍ରିଟିଶ୍ ସରକାର ଯେ ବାରମ୍ବାର ଆଇନରେ ପରିବର୍ତ୍ତନ ଆଣିଛନ୍ତି ତା’ ପଛରେ ଅଛି ବିଭିନ୍ନ ବିଦ୍ରୋହ, ଦାବି, ଦରଖାସ୍ତ, ଆନ୍ଦୋଳନ ଓ ପ୍ରତିବାଦର ସ୍ବର। ଏ ଭିତରେ ୧୮୮୫ରେ ଆସିଛି କ˚ଗ୍ରେସ ସଙ୍ଗଠନ, ୧୯୦୫ର ସ୍ବଦେଶୀ ଆନ୍ଦୋଳନ ଭଳି ଦୁଇଟି ବଡ଼ ଘଟନା। ସେ ସବୁର ପ୍ରଭାବ ଫଳରେ ଆସିଥିଲା ଇଣ୍ତିଆନ୍ କାଉନ୍ସିଲ୍ ଆକ୍ଟ୍ ଅଫ୍ ୧୯୦୯। ଯାହା ମର୍ଲେ-ମିଣ୍ଟୋ ସ˚ସ୍କାର ଭାବରେ ସୁବିଦିତ। ସେତେବେଳେ ଲର୍ଡ ମିଣ୍ଟୋ ଥିଲେ ଭାରତର ଭାଇସ୍ରାୟ ଓ ଲର୍ଡ ଜନ୍ ମର୍ଲେ ଥିଲେ ଭାରତମନ୍ତ୍ରୀ ବା ସେକ୍ରେଟାରି ଅଫ୍ ଷ୍ଟେଟ୍। ପ୍ରଥମଥର ପାଇଁ ଏ ଆଇନ ଭାରତୀୟଙ୍କୁ ସିଧାସଳଖ ଶାସନରେ ଭାଗନେବା ପାଇଁ ସୁଯୋଗ ଦେଇଥିଲା। ଏହା ଦ୍ବାରା କେନ୍ଦ୍ର ଓ ପ୍ରଦେଶରେ ଥିବା କାର୍ଯ୍ୟନିର୍ବାହୀ ତଥା ଆଇନ ପ୍ରଣୟନକାରୀ ପରିଷଦକୁ ବଢ଼େଇବା ସହ ସଭ୍ୟମାନଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବା ଓ ସ˚ଶୋଧନ ପ୍ରସ୍ତାବ ଆଣିବାର ସୁଯୋଗ ଦେଇଥିଲା। ଗୋଟିଏ ବଡ଼ କଥା ହେଲା ଏ ତଥାକଥିତ ସ˚ସ୍କାର ଭାରତରେ ମୁସଲମାନମାନଙ୍କୁ ସ୍ବତନ୍ତ୍ର ଭାବେ ନିର୍ବାଚିତ ହୋଇ ଆସିବାର କ୍ଷେତ୍ର ମଧ୍ୟ ତିଆରି କଲା। ପ୍ରଦେଶଗୁଡ଼ିକରେ ବେସରକାରୀ ସ˚ଖ୍ୟାଗରିଷ୍ଠତାର ପ୍ରାଧାନ୍ୟକୁ ବି ସ୍ବୀକାର କରାଗଲା।
ପାଠକେ ଜାଣିବା ଦରକାର ଯେ ଆମ ଆଇନଗତ ଅଭିଜ୍ଞତାର ଯେଉଁ ପାହାଚ ସବୁ ଗଢ଼ା ହୋଇଥିଲା ସେଥିରେ ସବୁଠାରୁ ଖସଡ଼ା ଅ˚ଶଟି ଥିଲା ଏଇ ୧୯୦୯ର ଆଇନ ପାହାଚରେ। ହିନ୍ଦୁ-ମୁସଲମାନ ମତଭେଦର ମଞ୍ଜି ବୁଣାହୋଇଥିଲା ସ୍ବତନ୍ତ୍ର ମୁସଲମାନ ମତଦାତା ବା ‘‘ଇଲକ୍ଟରେଟ୍’’ଙ୍କ ମାଧ୍ୟମରେ, ଯାହା ଭବିଷ୍ୟତରେ ଭାରତକୁ ବିଭାଜନ ଦିଗରେ ଟାଣିନେଲା। ୧୯୧୭ ବେଳକୁ ଗାନ୍ଧୀଜୀ ଭାରତୀୟ ସ˚ଗ୍ରାମ କ୍ଷେତ୍ରରେ ପ୍ରବେଶ କରିସାରିଥିଲେ। ଗୋଖ୍ଲେଙ୍କ ଉଦାରବାଦ କମିଯାଇଥିଲା। ୧୯୧୫ରୁ ସେ ଇହଧାମ ଛାଡ଼ିଥିଲେ। ଗାନ୍ଧୀ ୧୯୧୭ରେ ଆରମ୍ଭ କଲେ ଚମ୍ପାରନ୍ ସତ୍ୟାଗ୍ରହ। ବାଳ ଗଙ୍ଗାଧର ତିଳକଙ୍କ କଠୋରବାଦ ଧୀରେ ଧୀରେ ଅପସରି ଯାଉଥିଲା। ଜାତୀୟ କ˚ଗ୍ରେସର ଆନ୍ଦୋଳନକାରୀ ପ୍ରଭାବ ବିଛାଡ଼ି ପଡୁଥିଲା ଚାରିଆଡ଼େ। ଠିକ୍ ବାଟ ପାଇ ନ ଥିଲା କିନ୍ତୁ ଆପଣାକୁ ସ˚ଗଠିତ କରିବା ପାଇଁ। ଏତିକିବେଳେ ଭାରତମନ୍ତ୍ରୀ ଏଡ୍ଵିନ୍ ମଣ୍ଟେଗୁ ଅଗଷ୍ଟ ୨୦, ୧୯୧୭ରେ ବ୍ରିଟେନ୍ର କମନ୍ସ ସଭାରେ ଗୋଟିଏ ଘୋଷଣା କଲେ- ‘‘ମହାରାଣୀଙ୍କ ଶାସନ ବ୍ୟବସ୍ଥାରେ ଦିନକୁ ଦିନ ପ୍ରାୟ ପ୍ରତ୍ୟେକ ସ୍ତରରେ ଭାରତୀୟମାନଙ୍କର ପ୍ରବେଶ ବଢ଼ିବାରେ ଲାଗିଛି। ବ୍ରିଟିଶ୍ ସାମ୍ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ ଭାରତରେ ଦାୟିତ୍ବମୂଳକ ଶାସନର ଅଭିଜ୍ଞତା ବଢୁଥିବା ସହଜରେ ଅନୁମେୟ। ଗୋଟିଏ ପରେ ଗୋଟିଏ ନୂଆ ଆଇନ ଗଢ଼ାଯାଉଛି। ସ˚ସଦୀୟ ଶାସନ ଆଡ଼କୁ ଭାରତ ଆଗଉଥିବା ଏଇଥିରୁ ଜଣାପଡ଼େ। ଅବଶ୍ୟ ଏଥିରେ ମୋର କିଛି କରିବାର ନାହିଁ। ଆମେ ଯେଉଁ ସ˚ସ୍କାର ଆଣୁଛୁ ତା’ଠାରୁ ଘଟୁଥିବା ଘଟଣା ଓ ସେ ସବୁର ଦାବି ଯଥେଷ୍ଟ ଅଧିକ। ୧୯୦୮ରେ ଯେଉଁ କଥାଗୁଡ଼ିକୁ ଆମେ ମନା କରିଦେଇଥିଲୁ ଆଜି ଅଗଷ୍ଟ ୧୯୧୭ ବେଳକୁ ତାହା ଯଥେଷ୍ଟ ଅଧିକ ଗୁରୁତ୍ବପୂର୍ଣ୍ଣ ଓ ପ୍ରାଞ୍ଜଳ ଜଣାପଡୁଛି।’’
ଆଗଉଥିଲା ଭାରତର ସ୍ବାଧୀନତା ସ˚ଗ୍ରାମ। ଏଇ ସମୟରେ ଆସିଥିଲା ‘‘ଦ ଗଭର୍ଣ୍ଣମେଣ୍ଟ୍ ଅଫ୍ ଇଣ୍ତିଆ ଆକ୍ଟ୍ ୧୯୧୯’’ ବା ମଣ୍ଟେଗୁ-ଚେମ୍ସଫୋର୍ଡ ସ˚ସ୍କାର। ମଣ୍ଟେଗୁ ଭାରତମନ୍ତ୍ରୀ, ଲର୍ଡ ଚେମ୍ସଫୋର୍ଡ ଭାରତର ଭାଇସ୍ରାୟ। ଏ ସ˚ସ୍କାରର ସବୁଠାରୁ ବଡ଼ କଥା ଥିଲା କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର ଭିତରେ ଶାସନ-କ୍ଷେତ୍ରକୁ ନେଇ ଦ୍ବିବିଧ ଦାୟିତ୍ବ ବଣ୍ଟନ। ମନେରଖିବା ଦରକାର ଯେ ଏଥିରେ ୬୦୦ ସରିକି ଭାରତସାରା ଥିବା କରଦ ରାଜ୍ୟ ବା ପ୍ରିନ୍ସ୍ଲି ଷ୍ଟେଟ୍ଗୁଡ଼ିକର କିଛି ଦେଶ ନ ଥିଲା। ସେମାନେ ରହିଥିଲେ ସେଇ ପୁରୁଣା ସମୟରେ। ଶାସନ ସ˚ସ୍କାର କେବଳ ଆସିଥିଲା ବ୍ରିଟିଶ୍ ଦ୍ବାରା ସିଧାସଳଖ ଶାସିତ ପ୍ରଦେଶଗୁଡ଼ିକ ପାଇଁ। ମଣ୍ଟେଗୁ-ଚେମ୍ସଫୋର୍ଡ ସ˚ସ୍କାର ଅନୁସାରେ ଦ୍ବୈତ ଶାସନ ଭାରତରେ ଚାଲିଲା। କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର। ଶାସନର କ୍ଷମତା ବି ଦୁଇଭାଗ ହେଲା। ହସ୍ତାନ୍ତରିତ କ୍ଷମତା ଓ ସ˚ରକ୍ଷିତ କ୍ଷମତା। ରେଳପଥ, ଡାକ ବିଭାଗ, ବହିର୍ଶୁଳ୍କ ବିଭାଗ, ଆୟକର, ଲୁଣ, ଅଫିମ ଭଳି ବିଷୟଗୁଡ଼ିକ ସ˚ରକ୍ଷିତ ହୋଇ ରହିଲା କେନ୍ଦ୍ର ସରକାରଙ୍କ ପାଖରେ ଏବ˚ ଭୂରାଜସ୍ବ, ଅବକାରୀ, ଜଙ୍ଗଲ, ଜଳସେଚନ, ଷ୍ଟାମ୍ପ୍ଡ୍ୟୁଟି ଆଦି ହସ୍ତାନ୍ତରିତ ହୋଇ ଆସିଲା ପ୍ରାଦେଶିକ ସରକାରଙ୍କ ପାଖକୁ। ଅତଏବ ଏଇଠାରୁ ହିଁ ଭାରତରେ ଫେଡେରେସନ୍ ବା ରାଜ୍ୟସ˚ଘର ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲା। ପ୍ରଦେଶଗୁଡ଼ିକର ପ୍ରତିନିଧିମୂଳକ ଶାସନ ପାଇଁ ସିନା ବାଟ ଫିଟିଥିଲା ମାତ୍ର କେନ୍ଦ୍ରରେ ଗଭର୍ଣ୍ଣର୍ ଜେନେରାଲ୍ ଓ ତାଙ୍କ କାଉନ୍ସିଲ୍ ଥିଲେ ପ୍ରଭୂତ କ୍ଷମତାଶାଳୀ। ବ୍ରିଟିଶ୍ ପାର୍ଲାମେଣ୍ଟ୍ ନିକଟରେ ଉତ୍ତରଦାୟୀ ଥିଲେ ଗଭର୍ଣ୍ଣର୍ ଜେନେରାଲ୍।
ଦୁଃଖର କଥା ଯେ କେନ୍ଦ୍ରରେ ପ୍ରତିନିଧିମୂଳକ ଶାସନର ବାଟ କିନ୍ତୁ ଫିଟିଲା ନାହିଁ। ତଳୁ ପ୍ରଦେଶରେ ଅକାମୀ ହୋଇଥିବା ଆଇନକୁ ସେ କାର୍ଯ୍ୟକାରୀ କରିବାର କ୍ଷମତା ପାଇଲେ। ଏତିକିବେଳେ ତିଆରି ହୋଇଥିଲା କାଉନ୍ସିଲ୍ ଅଫ୍ ଷ୍ଟେଟ୍। ସବୁଠାରୁ ଅଭାବନୀୟ ଘଟନାଟି ଘଟିଥିଲା ନିର୍ବାଚନ ଲାଗି ଗଢ଼ାଯାଇଥିବା ମତଦାତାଙ୍କୁ ନେଇ। ଭାରତୀୟ ମତଦାତାଙ୍କୁ ମୁସଲମାନ, ଅଣମୁସଲମାନ, ୟୁରୋପୀୟ ଓ ଆଙ୍ଗ୍ଲୋ-ଭାରତୀୟ ଭେଦରେ ଚାରିଭାଗ କରିଦିଆଗଲା। ହିନ୍ଦୁ ବୋଲି ଶବ୍ଦ ନ ଥିଲା। ସେମାନଙ୍କୁ କୁହାଗଲା ଅଣମୁସଲମାନ। ଏ ଦ୍ବୈତ-ଶାସନର ଧାରା ଭାରତୀୟଙ୍କ ଭିତରେ ଅସନ୍ତୋଷକୁ ଆହୁରି ବଢ଼ାଇଦେଲା। ହସ୍ତାନ୍ତରିତ କ୍ଷମତା ସକାଶେ ପ୍ରତିନିଧିମୂଳକ ମନ୍ତ୍ରୀପଦ କାମ କଲା ନାହିଁ। ୧୯୧୯ ଏପ୍ରିଲ୍ର ଜାଲିଆନ୍ଵାଲାବାଗ୍ ହତ୍ୟାକାଣ୍ତ ସାରା ଭାରତରେ ନିଆଁ ଜାଳିଲା। ରାଓଲାଟ୍ ଆଇନ କଳା ଆଇନ ଘୋଷିତ ହେଲା। ସେଥିରେ ଥିବା ‘‘ବିନା ବିଚାରରେ ହାଜତ’’ ଥିଲା ଜାଲିଆନ୍ଵାଲାବାଗ୍ ଶାନ୍ତିପୂର୍ଣ୍ଣ ଗଣସମାବେଶର ମୂଳକଥା। ବ୍ରିଟିଶ୍ ସରକାରଙ୍କ ବର୍ବରତା ଚରମ ସୀମାରେ ପହଞ୍ଚିଯାଇଥିଲା। ଭାରତୀୟମାନଙ୍କୁ ଏକ କଲା ଏ ଅଭୂତପୂର୍ବ ବ୍ରିଟିଶ୍ ହି˚ସା। ସେଇଥିରୁ ଜନ୍ମନେଲା ଗାନ୍ଧୀଜୀଙ୍କର ଅସହଯୋଗ, କ˚ଗ୍ରେସ ସ˚ଗଠନର ପ୍ରଥମ ସର୍ବଭାରତୀୟ ଆନ୍ଦୋଳନ କ୍ଷମତା।
୧୯୧୯ର ସ˚ସ୍କାର ଆଇନ ପ୍ରଣୟନକାରୀ ଜାଣିଥିଲେ, ଆଗକୁ ବିପଦ ଅଛି। ତେଣୁ ନିଜେ ନିଜେ ଘୋଷଣା କରିଥିଲେ ଯେ ଦଶବର୍ଷ ପରେ ଆଉ ଗୋଟିଏ କମିସନ୍ ବସି ଭାରତର ପରିବର୍ତ୍ତିତ ଅବସ୍ଥାକୁ ଆକଳନ କରି ପଦକ୍ଷେପ ନେବ। ସେ ଯାଏ କଥା ଗଲାନି। ୧୯୨୭ରେ ସାଇମନ୍ କମିସନ୍ ଗଠିତ ହୋଇଗଲା।
ଆମ ଆଇନଗତ ଅଭିଜ୍ଞତାର ଆଉ ଗୋଟିଏ ପାହାଚ ପାଇଁ ନିଅଁ ପଡ଼ିଯାଇଥିଲା।
[email protected]