‘ପ୍ରକୃତି ପୁରୁଷ’ଙ୍କ ଅନ୍ତିମ ବିଦାୟ

ଭଗବାନପ୍ରକାଶ

ପଚାଶ ବର୍ଷର ସ˚ପର୍କ। ପୁରୁଣା କଥାଟିଏ। କାଲି ଭଳି ଲାଗୁଚି। ଓଡ଼ିଶାର ଅନେକ ସ୍ବୟ˚ସେବୀ ଅନୁଷ୍ଠାନ ପରିବେଶ ସଚେତନତା ଓ ସୁରକ୍ଷା ପାଇଁ ଆରମ୍ଭ କରିଥିବା ଅଭିଯାନ ପାକଳ ହୋଇନଥାଏ। ୧୯୬୯ ମସିହା ସେପ୍‌ଟେମ୍ବର ୨୪ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତାବ୍ଦୀ ଅବସରରେ ବିଦ୍ୟାର୍ଥୀଙ୍କ ମଧୢରେ ଦେଶ ସେବା ଭାବ ଜାଗ୍ରତ ପାଇଁ ଭାରତ ସରକାର ଆରମ୍ଭ କରିଥିଲେ ରାଷ୍ଟ୍ରୀୟ ସେବା ଯୋଜନା ଓଡ଼ିଶାରେ। ହଜାର ହଜାର ଛାତ୍ରଛାତ୍ରୀ ଓ ଅଧୢାପକ ଅଧୢାପିକା ବିନା ପାରିଶ୍ରମିକରେ ସ୍ବେଚ୍ଛାକୃତ ଭାବରେ ଏହି ଯୋଜନାରେ ଯୋଗ ଦେଇ ଛୁଟି ଦିନମାନଙ୍କରେ ଗାଁଗହଳିରେ ଲୋକଙ୍କ ସହ ମିଶି କାମ କରୁଥିଲେ। ପ୍ରଫେସର ରାଧାମୋହନ ଓ ମୁଁ ସେତିକିବେଳେ ଅଧୢାପକ ଥିଲୁ ଓ କାର୍ଯ୍ୟକ୍ରମ ଅଧିକାରୀ ଭାବରେ ଯୋଗ ଦେଇଥିଲୁ। ଆମର ପ୍ରଥମ ସାକ୍ଷାତ୍‌କାର ହୋଇଥିଲା ଏକ ତାଲିମ ଶିବିରରେ। ତାଙ୍କର ଋଷିପ୍ରତିମ ଚେହେରା ଓ ସରଳ ଜୀବନଯାପନ ପ୍ରଣାଳୀ ମତେ ପ୍ରଭାବିତ କରିଥିଲା। ପ୍ରାୟ ବାରବର୍ଷ ପରେ ଆମକୁ ପୁଣି ଏକାଠି କାମ କରିବାର ସୁଯୋଗ ମିଳିଥିଲା; ସେ ଥିଲେ ରାଷ୍ଟ୍ରୀୟ ସେବା ଯୋଜନା ଓଡ଼ିଶାର ଉପଦେଷ୍ଟା ଓ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ସ˚ଯୋଜକ। ଆମେ ପରସ୍ପର ଅତି ଘନିଷ୍ଠ ହୋଇଗଲୁ। ପ୍ରଥମ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ପରିବେଶ ସୁରକ୍ଷାରେ ଯୁବଛାତ୍ରଙ୍କ ଭୂମିକା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଅନେକ ବିଦ୍ୟାର୍ଥୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନ ଗଢ଼ିଥିଲେ। ଆନ୍ତର୍ଜାତିକ ସ୍ତରରେ ସେତେବେଳେ ଜାପାନର କୃଷି ବୈଜ୍ଞାନିକ ମାସାନୋବା ଫୁକୁକୋଙ୍କ ଅହିଂସା କୃଷି ବିପ୍ଳବ ଏବଂ ସୁନ୍ଦରଲାଲ୍‌ ବହୁଗୁଣା ଓ ଗୌରା ଦେବୀଙ୍କ ‘ଚିପ୍‌କୋ ଆନ୍ଦୋଳନ’ ଚର୍ଚ୍ଚାରେ ଥାଏ। ଫୁକୁକୋ ଦକ୍ଷିଣ ଜାପାନ୍‌ର ଶିକୋକୁ ଉପଦ୍ବୀପରେ ରହି ପ୍ରାକୃତିକ କୃଷି ଉପରେ ଅଧୢୟନ ଗବେଷଣା କରୁଥାନ୍ତି। ଭାରତରେ ପୁଡୁଚେରିଠାରେ ଅରୋଭିଲ୍‌ ଆଶ୍ରମ ପାଖରେ ମଧୢ ଏହିପରି ପରୀକ୍ଷା, ନିରୀକ୍ଷା ଚାଲିଥାଏ।

ଦିନେ ରାଧାମୋହନଙ୍କୁ ପଚାରିଲି- ଆମେ ଓଡ଼ିଶାରେ ଏମିତି ଗୋଟିଏ ଅନୁଷ୍ଠାନ ଗଢ଼ିଲେ କେମିତି ହୁଅନ୍ତା? ସେ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ। କହିଲେ ମୁଁ ବି ସେୟା ଭାବୁଥିଲି। ଆଗ ଦେଖିବା କୋଉଠି କ’ଣ ହୋଇଛି। କିନ୍ତୁ ଆପଣ ଏହାର ସଭାପତି ଦାୟିତ୍ବ ନେବାକୁ ରାଜି ହେଲେ ଆଗେଇବା। ସେ ଥିଲେ ଏକ ବାସ୍ତବବାଦୀ ମଣିଷ। ଭାବନାରେ ମାତିଯା’ନ୍ତି ନାହିଁ। ପଦପଦବିରେ ରହିବାକୁ ଭଲ ପାଆନ୍ତି ନାହିଁ। ତେଣୁ ମୁଁ ତାଙ୍କୁ ପରିହାସରେ ପଦ୍ମ ପତ୍ର ବୋଲି ଡାକେ ଯାହା ଉପରେ ପାଣି ଢଳ ଢଳ ହୁଏ କିନ୍ତୁ ପତ୍ରରେ ଲାଗେ ନାହିଁ। ଏହା ପରେ ଆମେ ଉଭୟେ ରେଳରେ ଓ ତା’ପରେ ବସ୍‌ରେ ବସି ଯାଇ ପହଞ୍ଚିଲୁ ପୁଡୁଚେରିରେ। ମିଶିଲୁ ଶ୍ରୀ ମନନ୍ଦର ପାଲ୍‌ଙ୍କ ସହ। ବୁଲି ଦେଖିଲୁ ନେଚର‌୍‌ ଫାର୍ମ ଓ ଅର୍ଗାନିକ୍‌ କୃଷିର ବିଭିନ୍ନ ପରୀକ୍ଷା। ଓଡ଼ିଶା ଫେରିଲା ପରେ ସମଭାବାପନ୍ନ ବ୍ୟକ୍ତିଙ୍କୁ ସେ ଏକାଠି କଲେ। ତା ପରେ ହେଲା ପ୍ରଥମ ବୈଠକ। ସେ ସମସ୍ତଙ୍କ ସାମ୍‌ନାରେ ପ୍ରସ୍ତାବ ରଖିଲେ। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା କିପରି ଏହାଦ୍ବାରା ଉପକୃତ ହେବ, ଗରିବ ଚାଷୀ କିପରି ବ˚ଚିବେ, କିପରି ମାଟି, ପାଣି, ପବନ ପ୍ରଦୂଷଣ ବନ୍ଦ ହେବ- ବୁଝାଇ କହିଲେ। କିନ୍ତୁ ଏପରି ପ୍ରୟୋଗଶାଳା ପାଇଁ ଭୁବନେଶ୍ବର ଆଖପାଖରେ ଏତେ ଜମି କୋଉଠୁ ମିଳିବ? ପୁଣି ଆମେ ସମ୍ବଳ ଶୂନ୍ୟ। ଏମିତି ତିନି ଚାରି ବୈଠକ ପରେ ଓଡଗାଁ ନିକଟସ୍ଥ ରୋହିବାଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠାରୁ ଏକ ଆଶାର କିରଣ ମିଳିଲା। ତା’ ପରଦିନ ଆମେ ସେଠି ପହ˚ଚିଗଲୁ। ସନ୍ଧ୍ୟା ହୋଇଯାଇଥିଲା। ପିଣ୍ତାରେ ମଶିଣା ପକାଇ ଶୋଇଗଲୁ। ବଡ଼ି ସକାଳୁ ରାଧାମୋହନ ଉଠି ପଡ଼ିଲେ ଓ ଆମକୁ ଉଠାଇଦେଲେ। ବାଡ଼ି ଧରି ଆମେ ରାମକୃଷ୍ଣଙ୍କ ପଛେ ପଛେ ଚାଲିଲୁ। ଚାରିଆଡ଼େ ପଥୁରିଆ ଟାଙ୍ଗରା ଭୂଇଁ। ଚାକୁଣ୍ତା ବୁଣିଲେ ଉଠିବ ନାହିଁ। ଉପର ମାଟି ସବୁ ଯାଇଛି ଧୋଇ। ଆମ ଧୋବ ଧଉଳିଆ ଲୋକଙ୍କୁ ଦେଖି ଗାଁ ମାଇପେ ଟୁପୁରୁ ଟାପର ହେଲେ। ଜଣେ ପଚାରିଲେ ଆଲୋ, ଏ ବାବୁମାନେ ଟାଙ୍ଗରା ଭୂଇଁରୁ କ’ଣ ପାଇବେ। ଆଉ ଜଣକ କହିଲେ- ତୁ ଜାଣିନୁ? ଏ ଭୂଇଁ ତଳେ ବୋଧେ ସୁନାଖଣି ଅଛି।

ଆମର ଜାଗା ପସନ୍ଦ ହେଲା। ଏହା ପରେ ଗ୍ରାମବାସୀଙ୍କୁ ଭେଟିଲୁ। ଅନେକ ରାଧାମୋହନଙ୍କୁ ଜାଣିଥିଲେ। ସେ ଅତି ସରଳ ଭାଷାରେ ବୁଝାଇ କହିଲେ ଏଠି ପ୍ରକୃତି ମାତା ଓ ପରିବେଶ ପିତାଙ୍କ ସୁରକ୍ଷା ପାଇଁ ଏକ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ। ବିଭିନ୍ନ ଚାଷ ପ୍ରଣାଳୀ ସ˚ପର୍କରେ ଅଧୢୟନ, ଗବେଷଣା, ତାଲିମ ଦିଆଯିବ। ବିନା ଟ୍ରାକ୍ଟର, ହଳ ବଳଦରେ ବିନା ରାସାୟନିକ ସାର, ବିନା ପୋକମରା ଔଷଧ, ବିନା ବଛା ଖେଳୁଆରେ ଚାଷ ହେବ। ବିଲୁପ୍ତ ବିହନମାନଙ୍କର ବ˚ଶ ରକ୍ଷା କରାଯିବ। ଚାଷୀ ଆତ୍ମହତ୍ୟା ବନ୍ଦ ହେଇଯିବ। ଜଳବାୟୁ ପରିବର୍ତ୍ତନ ରୋକାଯିବ। ଜୀବଜନ୍ତୁ, ବୃକ୍ଷଲତା ଆନନ୍ଦରେ ଏକାଠି ରହିବେ। ଏହା କ’ଣ ସ˚ଭବ? ପଚାରିଲେ ଜଣେ ଚାଷୀ। ଆମେ ଅନୁଷ୍ଠାନ ପାଇଁ ଗୋଟିଏ ଭଲ ନାଁ ଖୋଜୁଥିଲୁ। ସ˚କ୍ଷିପ୍ତ ଆଲୋଚନା ପରେ ରାଧାମୋହନ ଠିଆ ହେଲେ। କହିଲେ ଆପଣଙ୍କ ପ୍ରଶ୍ନରେ ଉତ୍ତର ରହିଚି। ସେଇ ଉତ୍ତର ଅନ୍ବେଷଣ ପାଇଁ ନୂଆ ଅନୁଷ୍ଠାନ ଓ ଉଦ୍ୟମର ନାଁ ରଖାଯିବ ‘‘ସ˚ଭବ’’। ଓ ତା’ର ପ୍ରଥମ ପ୍ରତିଷ୍ଠାତା ସଭାପତି ରହିବେ ଭଗବାନପ୍ରକାଶ। କାଲି ସୁଦ୍ଧା ପରିଚାଳନା ସମିତି ଗଢ଼ାଯିବ। ବିଶେଷଜ୍ଞ ଓ ପରିବେଶ ପ୍ରେମୀଙ୍କ ସହ ଏହି ଅଞ୍ଚଳର ୩ ଜଣ ବ୍ୟକ୍ତି ସଭ୍ୟ ରହିବେ। ଏହା ପରେ ଜମି ଅଧିଗ୍ରହଣ କାମ ଆରମ୍ଭ ହେଲା ରମକୃଷ୍ଣ ଓ ସମାଜସେବୀ ରଘୁନାଥଙ୍କ ନେତୃତ୍ବରେ। କିଛି ଚାଷୀ ଜମି ଦାନ କରିବାକୁ ଆଗେଇ ଆସିଲେ। କିନ୍ତୁ ଆମେ ଏଥିରେ ରାଜି ହେଇନଥିଲୁ। କିନ୍ତୁ ପାଖରେ ପଇସା ନ ଥାଏ। ଫୁଲବାଣୀସ୍ଥିତ ନିପୀଡ଼ିତ ଅନୁଷ୍ଠାନରୁ ୭୨୦୦୦ ଟଙ୍କା ଉଧାର ଅଣାଗଲା। ମୁଁ ସେତେବେଳେ ଏହି ଅନୁଷ୍ଠାନର ମଧୢ ସଭାପତି ଥାଏ। ଏହା ପରେ ‘ସ˚ଭବ’ରେ ଯୋଗ ଦେଲେ ସାବରମତୀ। ଛାଡ଼ିଦେଲେ ଅକ୍‌ସଫାମ୍‌ ଇଣ୍ତିଆ ଟ୍ରଷ୍ଟର ଲୋଭନୀୟ ଚାକିରି ଓ ମନପ୍ରାଣ ଦେଇ ପିତାଙ୍କ ସହ ସ˚ଭବ କାମରେ ଲାଗିଗଲେ। ଏହା ପର କାହାଣୀ ଆହୁରି ଲମ୍ବା। ଆହୁରି ଚିତ୍ତାକର୍ଷକ। ପୁଣି କେବେ ସ˚ଭବ ନନ୍ଦିନୀ ସାବରମତୀ କହିବେ।

ରାଧାମୋହନ ଥିଲେ ଏକ ପ୍ରଗତଶୀଳ ଚିନ୍ତାନାୟକ ଓ ସମାଜ ସ˚ସ୍କାରକ। ଆତ୍ମ ପ୍ରଶ˚ସା ଓ ପ୍ରଚାର ଠାରୁ ଦୂରରେ ରହୁଥିଲେ। ତାଙ୍କର ଆଚରଣ ଓ ଉଚ୍ଚାରଣରେ ଫରକ ନ ଥିଲା। ଜାତିବାଦ ବିରୋଧରେ ଆମେ ନିଜ ନାମରୁ ଜାତିସୂଚକ ସାଙ୍ଗିଆ କାଟି ଦେଇଥିଲୁ। ଜାତି, ଜାତକ, ଯୌତୁକ ବିରୋଧରେ ଅଭିଯାନ ଆରମ୍ଭ କରିଥିଲୁ। ପ୍ରକୃତି ସୁରକ୍ଷା ପାଇଁ ଗାଁ, ଗାଁ ପଦଯାତ୍ରା କରିଥିଲୁ। ଜନବିରୋଧୀ ଜଙ୍ଗଲ ଆଇନକୁ ହଟାଇବା ପାଇଁ ତାଙ୍କର ଅବଦାନ ସ୍ମରଣୀୟ। ସେତିକିବେଳେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ପରିବେଶ ସୋସାଇଟି। ତାଙ୍କରି ପ୍ରେରଣା ଓ ଦିଗ୍‌ଦର୍ଶନରେ। ସେ ଥିଲେ ଅଜାତ ଶତ୍ରୁ। ତାଙ୍କ ସଫଳତା ପଛରେ ଥିଲା ସମାଜର ସବୁ ବର୍ଗରେ ଲୋକଙ୍କର ତାଙ୍କ ପ୍ରତି ଆସ୍ଥା, ସମ୍ମାନ ଓ ବିଶ୍ବାସ। ସରକାରୀ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧୢ ତାଙ୍କର ଥିଲା ପ୍ରଭାବ। ସମାଜସେବୀ ସ˚ଗଠନମାନଙ୍କର ସେ ଥିଲେ ଫ୍ରେଣ୍ତ, ଫିଲୋସଫର, ଗାଇଡ୍‌ ଓ ରୋଲ ମଡେଲ। ଏବ˚ ସେତିକିବେଳେ ଓଡ଼ିଶାରେ ସ୍ବେଚ୍ଛାସେବୀ ଆନ୍ଦୋଳନ ଶୀର୍ଷ ଛୁଇଁଥିଲା। ଏହାକୁ ସମାଜଶାସ୍ତ୍ରୀମାନେ ଇ˚ରେଜୀରେ ଭେଲ୍‌ଭେଟ୍‌ ପିରିଅଡ୍‌ ତଥା ସ୍ବର୍ଣ୍ଣ ଯୁଗ ବୋଲି କହନ୍ତି। ଏହି ସମୟରେ ଶହ ଶହ ପିଲା ସ୍ବେଚ୍ଛାସେବା କ୍ଷେତ୍ରରେ ପ୍ରବେଶ କରିଥିଲେ। ସେଥିରୁ ଅନେକ ଥିଲେ ଗୁରୁ ରାଧାମୋହନଙ୍କ ଖାଣ୍ଟି ଚେଲା। ରାଧାମୋହନଙ୍କ ଆଉ ଏକ ଭଲ ଗୁଣ ଥିଲା, ସେ ଜୀବନର ଜଟିଳ ସମସ୍ୟାଗୁଡ଼ିକୁ ଅତି ସରଳ ଭାଷାରେ ବୁଝାଇ ଦେଉଥିଲେ। ହଳେ ଚପଲ, ଖଣ୍ତେ ଧୋତି ଓ ଅଧା କୁର୍ତ୍ତା ଥିଲା ତାଙ୍କର ଦୈନନ୍ଦିନ ପୋଷାକ। ଖାଦ୍ୟ ବି ସେମିତି ସରଳ। ଭାତ, ଡାଲି ଓ ଠାଏ ସିଝା ତରକାରି। ଚିନି ଜାଗାରେ ଗୁଡ଼ ବ୍ୟବହାର କରୁଥିଲେ। ‘ସ˚ଭବ’ ଆଶ୍ରମର ପୋଖରୀରେ ମାଛ ଚାଷ ହୁଏ ନାହିଁ। ଗୋଶାଳାରେ ଗାଈ ଦୁହାଁ ହୁଅନ୍ତି ନାହିଁ। ସେ କହନ୍ତି ଗାଈ ଦୁହିଁବା ଏକ ପ୍ରକାର ହି˚ସା। କାରଣ ଏହାଦ୍ବାରା ବାଛୁରୀକୁ ମା’ ଦୁଗ୍‌ଧରୁ ବ˚ଚିତ କରାଯାଏ। ଏଠାରେ ଗୋବର ଓ ଗୋମୂତ୍ରକୁ ବୃକ୍ଷମାନଙ୍କ ଔଷଧ ଓ ସାର ଭାବରେ ବ୍ୟବହାର କରାଯାଏ। ଚାଳିଶ ବର୍ଷ ପୂର୍ବେ ଏହି ମହାନ୍‌ ବୃକ୍ଷପ୍ରେମୀ ମତେ ଥରେ କହିଥିଲେ ମୋ ମୃତ ଶରୀରକୁ ଗଛମୂଳେ ପୋତି ଦେବ। ମୁଁ ଯେମିତି ଖତ ହେଇ ବୃକ୍ଷର ଖାଦ୍ୟ ହେଇଯିବି। ସେ ଥିଲେ ଜଣେ ଦୂର ଦ୍ରଷ୍ଟା। ସ˚ସାରରେ ଥାଇ ସାଧୁ ସନ୍ନ୍ୟାସୀଙ୍କ ଭଳି ଚଳୁଥିଲେ। ସବୁ କଥା ଲେଖି ବସିଲେ ପୁରାଣ ହେବ। ସେହି ଜ୍ଞାନ ଓ କର୍ମଯୋଗୀ ଏବ˚ ପ୍ରକୃତିର ପ୍ରିୟତମ ସନ୍ତାନଙ୍କୁ ସହସ୍ର ପ୍ରଣାମ।

(ଦଶାହ ଅବସରରେ)

୨୯-ବି, ପ୍ରଜ୍ଞାବିହାର, ବରମୁଣ୍ତା
ଭୁବନେଶ୍ବର-୩
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର