ମାୟାନଗରୀର ପ୍ରଥମ ମହାତାରକା

ଅଭିରାମ ବିଶ୍ବାଳ

ହିନ୍ଦୀ ଚଳଚ୍ଚିତ୍ର ଦୁନିଆର ଅନ୍ୟତମ ଅତି ମହାନ୍‌ ଅଭିନେତା ଓ ପ୍ରଥମ ସୁପର‌୍‌ଷ୍ଟାର‌୍‌ ଭାବେ ପରିଗଣିତ ଦିଲୀପ କୁମାରଙ୍କୁ ଅନେକ ‘ଟ୍ରାଜେଡି କିଙ୍ଗ୍‌’ କହୁଥିଲେ ମଧୢ ଟ୍ରାଜେଡି ସାଙ୍ଗକୁ କମେଡି, ରୋମାନ୍‌ସ ଓ ଡ୍ରାମା ଆଦି ପ୍ରକାରର ଚଳଚ୍ଚିତ୍ରରେ ତାଙ୍କ ଅସାଧାରଣ ତଥା ଯାଦୁକରୀ ଅଭିନୟ ତାଙ୍କୁ କି˚ବଦନ୍ତିରେ ପରିଣତ କରି ଦେଇଥିଲା। ସେବେକାର ବ୍ରିଟିସ୍‌ ଭାରତରେ ପେଶଵାରର ଏକ ଜମିଦାରିଆ ପଠାଣ ପରିବାରରେ ଜନ୍ମ ଲାଭ କରିଥିବା ଦିଲୀପ କୁମାରଙ୍କ ମୂଳ ନାଁ ଥିଲା ମହମ୍ମଦ ୟୁସୁଫ୍‌ ଖାଁ। ‘ବମ୍ବେ ଟକିଜ୍‌’ର ସହ ପ୍ରତିଷ୍ଠାତା ଓ ଜଣାଶୁଣା ଅଭିନେତ୍ରୀ ଦେବୀକା ରାଣୀ (ଏବ˚ ଏପରିକି ଅଶୋକ କୁମାର) ୟୁସୁଫ୍‌ଙ୍କୁ ତାଙ୍କ ନାଁ ବଦଳେଇ ଦିଲୀପ କୁମାର ରଖିବାକୁ କୁଆଡ଼େ ପରାମର୍ଶ ଦେଇଥିଲେ। ତତ୍କାଳୀନ ସାମାଜିକ ପରିସ୍ଥିତିରେ ଦିଲୀପ ନାଁଟି ଅଧିକ ଗ୍ରହଣୀୟ ହେବ ବୋଲି ଆଶା କରାଯାଇଥିଲା। ଏବ˚ ଅନ୍ୟ କାରଣଟି ଥିଲା ଏଇଆ- ୟୁସୁଫ୍‌ଙ୍କ ରକ୍ଷଣଶୀଳ ଫଳ ବ୍ୟବସାୟୀ ପିତା ଚାହୁଁନଥିଲେ ପୁତ୍ର ଚଳଚ୍ଚିତ୍ରରେ ମିଶୁ ବୋଲି। ଆଉ ପୁତ୍ର ୟୁସୁଫ୍‌ ଭାବିଲେ ନାଁ ବଦଳେଇ ଦେଲେ ବାପା ଜାଣିପାରିବେନି ଜମାରୁ। ଆଗରୁ ଆଦୌ କେବେ ଅଭିନୟ ସ˚ପର୍କିତ ତାଲିମ ନେଇ ନ ଥିବା ଦିଲୀପଙ୍କ ଊର୍ଦ୍ଦୁ-ହିନ୍ଦୀ-ଇ˚ରେଜୀ ଭାଷାଗତ ଦକ୍ଷତା ଓ ଅଭିନେତାସୁଲଭ ଠାଣି-ବାଣୀ ଆଧାରିତ ପ୍ରତିଭା ନିର୍ମାଣ-ନିର୍ଦ୍ଦେଶକଙ୍କ ଲୋଚନକୁ ଆସିବା ନେଇ ଅନ୍ତତଃ ଚାରିଟି ଉପାଖ୍ୟାନ ରହିଛି। ବମ୍ବେର ଚର୍ଚ୍ଚଗେଟ୍‌ ରେଳ ଷ୍ଟେସନଠାରେ ତାଙ୍କର ଭେଟ ହୋଇଗଲା ଡ. ମସାନୀଙ୍କ ସହ ଯିଏ କି ତାଙ୍କୁ କହିଥିଲେ ‘ବମ୍ବେ ଟକିଜ୍‌’ରେ ଯୋଗ ଦେବାକୁ। ତାଙ୍କ ବାପା ଦିନେ ନିଜର ନାସିକ୍‌ସ୍ଥିତ ଫଳ ଦୋକାନରେ ନ ଥିଲା ବେଳେ ସେ ଦିନ ସେଠି ଥିଲେ ୟୁସୁଫ୍‌ ଏବ˚ ଦୈବାତ୍‌ ତାଙ୍କର ଦେବୀକା ରାଣୀଙ୍କ ସହ ଫଳ କିଣା ବାଟେ ଦେଖା ହୋଇଗଲା। ନତୁବା ନୈନିତାଲ ଉପତ୍ୟକାରେ ଅଥବା ପୁନାର ଆର୍ମି କ୍ଲବ୍‌ ପାଖରେ ସାଣ୍ତଵିଚ୍‌ କ୍ୟାଣ୍ଟିନ୍‌ରେ ତାଙ୍କ ସହ ତାଙ୍କର ଭବିଷ୍ୟ ଭାଗ୍ୟ ନିର୍ଦ୍ଧାରଣକାରୀଙ୍କ ସାକ୍ଷାତ ହୋଇଗଲା। ଆଉ ମାସିକ ୧୨୫୦ ଟଙ୍କାରେ ୟୁସୁଫ୍‌ କାମ ଆରମ୍ଭ କଲେ ‘ବମ୍ବେ ଟକିଜ୍‌’ରେ।

ଅତ୍ୟନ୍ତ ନିଖୁଣ, ଜୀବନ୍ତ ଓ ବାସ୍ତବ ଅଭିନୟ କରୁଥିବା ଦିଲୀପ କୁମାରଙ୍କୁ ‘ମେଥଡ୍‌ ଆକ୍‌ଟି˚’ର ପ୍ରସିଦ୍ଧ ପଥପ୍ରଦର୍ଶକ ରୂପେ ମାନ୍ୟ କରାଯାଏ। କାରଣ ସିଏ ଅଭିନୟ କଲାବେଳେ ଚରିତ୍ରର ଭୂମିକାରେ ସ˚ପୂର୍ଣ୍ଣ ଏକାତ୍ମ ଓ ତଲ୍ଲୀନ ହୋଇଯାଉଥିଲେ। କୁହାଯାଏ ଚରିତ୍ର ତାଙ୍କ ବ୍ୟକ୍ତିସତ୍ତା ଭିତରକୁ ଏମିତି ଭେଦି ଯାଉଥିଲା ଯେ ମାନସିକ ଅବସାଦ ଭୋଗି ସିଏ ମନୋଚିକିତ୍ସକଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁ ଦିଲୀପ ଅଗଣିତ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଉଥିଲେ ସେଇ ଦିଲୀପ ପୁଣି ସେମାନଙ୍କ ମୁହଁରେ ହସ ଫୁଟାଇ ପାରୁଥିଲେ। ସତ୍ୟଜିତ୍‌ ରାୟ ଏକଦା କହିଥିଲେ ଯେ ଦିଲୀପ କୁମାର ହେଉଛନ୍ତି ‘ମେଥଡ୍‌ ଆକ୍‌ଟି˚’ର ସର୍ବଶେଷ୍ଠ ପ୍ରୟୋଗକର୍ତ୍ତା। ଅବଶ୍ୟ ସେ ଧରଣର ଅଭିନୟ କ୍ଷେତ୍ରରେ ସାଧାରଣତଃ ହଲିଉଡ୍‌ର ଆମେରିକୀୟ ଅଭିନେତା ମାର୍ଲିନ୍‌ ବ୍ରାଣ୍ତୋଙ୍କ ନାଁ ଅଗ୍ରଦୂତ ଭାବେ ଉପସ୍ଥାପନ କରାଯାଏ। ଆଉ ଗୀତିକାର ଓ ଚିତ୍ରନାଟ୍ୟ ଲେଖକ ଜାଭେଦ୍‌ ଅଖ୍‌ତାରଙ୍କ ମତ ମୁତାବକ ଦିଲୀପ କୁମାର ହେଉଛନ୍ତି ବଲିଉଡ୍‌ ଅଭିନୟ ଜଗତ୍‌ର ପାଣିନି। ପୁଣି ଅମିତାଭ ବଚ୍ଚନଙ୍କ ବିଚାରରେ ଦିଲୀପ କୁମାରଙ୍କ ଅଭିନୟର ବିଶେଷତ୍ବ ହେଲା ଏଇଆ ଯେ ସିଏ ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଥା’ନ୍ତି, ସେ ଭୂମିକାଟିକୁ ତାଙ୍କ ଭଳି ଆଉ କେହି ହେଲେ ବି ସେ ଭଳି ନିର୍ବାହ କରିପାରିନଥାନ୍ତେ। ଦିଲୀପ କୁମାରଙ୍କୁ ନିଜ ଅଭିନୟ ଗୁରୁ ମାନୁଥିବା ଏବ˚ ତାଙ୍କ ‘ଗଙ୍ଗା ଯମୁନା’ ଚଳଚ୍ଚିତ୍ର ଦ୍ବାରା ବେଶ୍‌ ପ୍ରଭାବିତ ହୋଇଥିବା ବଚ୍ଚନ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି- ଯେବେ ବି ହିନ୍ଦୀ ଚଳଚ୍ଚିତ୍ରର ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯିବ ସେବେ ସେବେ ନିଶ୍ଚୟ ଦୁଇଟି ଭାଗର ଉଲ୍ଲେଖ ରହିବ: ‘ଦିଲୀପ କୁମାରଙ୍କ ପୂର୍ବରୁ ଓ ଦିଲୀପ କୁମାରଙ୍କ ପରେ’।

କେତେଜଣ ଅତି ଟାଣୁଆ ଓ ପ୍ରତିଭାବାନ୍‌ ଅଭିନେତା ଥିଲେ ଦିଲୀପ କୁମାରଙ୍କ ମୋଟାମୋଟି ସମସାମୟିକ। ଏଇ ଯେମିତି ଅଶୋକ କୁମାର, ବଳରାଜ ସାହାଣୀ, ରାଜକାପୁର, ଦେବାନନ୍ଦ ଓ ରାଜକୁମାର। ରାଜକାପୁର-ଦେବାନନ୍ଦ-ଦିଲୀପ ତ ଥିଲେ ବହୁଚର୍ଚ୍ଚିତ ତ୍ରିମୂର୍ତ୍ତି; ତିନିଟି ପ୍ରମୁଖ ଧାରାର, ଯଥାକ୍ରମେ ସ୍ବଚ୍ଛନ୍ଦ ନିରୀହପଣିଆ, ଆଧୁନିକ ଆଭିଜାତ୍ୟ ଓ ସର୍ବଗୁଣ ସ˚ପନ୍ନତାର। ଅଶୋକ କୁମାରକୁ ଅବଶ୍ୟ ଦିଲୀପ କୁମାର ନିଜର ଅନ୍ୟତମ ପ୍ରେରଣା ବୋଲି ସ୍ବୀକାର କରନ୍ତି। ତାଙ୍କ ଠୁଁ ସିଏ ଶିଖିଥିଲେ ଯେ ଠିକ୍‌ ଓ ଭଲ ଅଭିନୟ କହିଲେ ବଡ଼ ପାଟି, ଅତି ନାଟକୀୟତା ଓ ବୋମ୍ବାଷ୍ଟିକ ଶବ୍ଦ ଉଚ୍ଚାରଣ ନୁହେଁ। ଅସଲରେ ଅଭିନୟ ବୋଇଲେ ଦର୍ଶକଙ୍କୁ ଲାଗୁଥିବ ଜଣେ ‘ଆକ୍‌ଟି˚’ କରୁନି ବୋଲି। ଦିଲୀପ କୁମାରଙ୍କ ଅଭିନୟ ମାନେ ମର୍ଯ୍ୟାଦାବନ୍ତ ବିରାମ ଓ ମୌନପଣିଆ, ଭାବୁକ ଭାବଭଙ୍ଗୀ ଓ କାବ୍ୟିକ ସ˚ଳାପ ପରିବେଷଣ; ଆଦୌ ନ କହି ସବୁ କହିପାରୁଥିବା, ଅଳ୍ପରେ ଅଧିକ କହିବା, ପାଟିରେ ନ କହି ଆଖିରେ କହିବା, ଅନୁପସ୍ଥିତିକୁ ଉପସ୍ଥିତିରେ ପରିଣତ କରିବା ଏବ˚ ଭାଷା-ପରିଭାଷା- ଶୈଳୀ- ବକ୍ତବ୍ୟରେ ସମୁଚିତ ଭାଗ ମାପ ରକ୍ଷା କରିବା। ଅବଶ୍ୟ ତାଙ୍କ ଶିଖର ପର୍ଯ୍ୟାୟ ପରେ ହିନ୍ଦୀ ଚଳଚ୍ଚିତ୍ର କ୍ଷେତ୍ରକୁ ପ୍ରବେଶ କରିଥିବା ସ˚ଜୀବ କୁମାର, ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନ ପ୍ରମୁଖ ସେ ସମୟର ଦାବି ଅନୁସାରେ ଅଭିନୟର ନୂଆ ଦିଗନ୍ତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ଦିଲୀପ କୁମାରଙ୍କ ପାଇଁ କଠିନ ଆହ୍ବାନମାନ ଠିଆ କରେଇଥିଲେ। ଥରେ ଦିଲୀପ କୁମାରଙ୍କ ପରିଚୟ ଦିଆଯାଇ ତାଙ୍କ ସାମ୍ନାରେ କୁହାଯାଇଥିଲା- ଦିଲୀପ ସାବ୍‌ ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ଅଭିନେତା। ସକଳ ବିନମ୍ରତାର ସହ ଦିଲୀପ କୁମାର ସାଙ୍ଗେ ସାଙ୍ଗେ ଯୋଡ଼ିଥିଲେ- ଯେଉଁ ଦେଶରୁ ମୋତିଲାଲ ରାଜବ˚ଶ, ବଳରାଜ ସାହାଣୀ, ଅଶୋକ କୁମାର, ଉତ୍ତମ କୁମାର ଓ ଶିବାଜୀ ଗଣେଶନ ପ୍ରଭୃତିଙ୍କ ଭଳି ମହାରଥୀ ବାହାରିଛନ୍ତି, ମୋତେ ଅତି ବେଶୀରେ ଆପଣମାନେ ଜଣେ ଦକ୍ଷ ଅଭିନେତା କହିପାରନ୍ତି। ସେମିତି ଆଉ ଥରେ ରେଖା ଭରଦ୍ବାଜଙ୍କ ଏକ ଗଜଲ୍‌ ଗାୟନ କାର୍ଯ୍ୟକ୍ରମକୁ ଅତିଥି ଭାବେ ଆମନ୍ତ୍ରିତ ହୋଇ ପ୍ରେକ୍ଷାଳୟରେ ପ୍ରବେଶ କଲା କ୍ଷଣି ସମସ୍ତେ ଠିଆ ହୋଇପଡ଼ିଥିଲେ। ତତ୍‌କ୍ଷଣାତ୍‌ ସିଏ କହିଥିଲେ- ମତେ ସମ୍ମାନ ଜଣାଇ ଦଣ୍ତାୟମାନ ହୋଇଥିବାରୁ ମୁଁ କୃତଜ୍ଞ; କିନ୍ତୁ ତା’ ଦ୍ବାରା ଗଜଲ୍‌ର ଅସମ୍ମାନ ନ ହୁଏ ଯେମିତି!

ଅନେକ ବେଶ୍‌ ବିଦୂଷୀ ଓ ନିପୁଣା ଅଭିନେତ୍ରୀଙ୍କ ସହ କାମ କରିଥିଲେ ଦିଲୀପ କୁମାର। ଯଥା- କାମିନୀ କୌଶଲ୍‌, ମଧୁବାଳା, ନିମ୍ମି, ନର୍ଗିସ, ନୁର‌୍‌ଜାହାନ୍‌, ମୀନାକୁମାରୀ, ବୈଜୟନ୍ତୀମାଲା, ମମ୍‌ତାଜ୍‌, ଵାହିଦା ରେହମନ୍‌, ସୁଚିତ୍ରା ସେନ, ନୂତନ୍‌ ଓ ସାଇରା ବାନୋ ପ୍ରଭୃତି। କିଛି କାହାଣୀ ମୁତାବକ (ସତ ହୋଇଥାଇ ପାରେ ବି) ଏମାନଙ୍କ ଭିତରୁ ଏକାଧିକଙ୍କ ସହ ଦିଲୀପ କୁମାରଙ୍କ ସ˚ପର୍କ ବୃତ୍ତିଗତରୁ ଘନିଷ୍ଠ, କୋମଳ ଓ ମନୋରମ ବ୍ୟକ୍ତିଗତ ସମ୍ପର୍କରେ ପରିଣତ ହୋଇଯାଇଥିଲା। ଆଉ ସେ ଶେଷରେ ବିବାହ କରିଥିଲେ ସାଇରା ବାନୋଙ୍କୁ। ଚଳଚ୍ଚିତ୍ରମାନଙ୍କରେ ସିଏ ନାୟିକାଙ୍କ ସହ ଅଭିନୟ କଲା ବେଳେ ବେଶ୍‌ ଲାଜୁଆ, ମିତ ଓ ମୃଦୁଭାଷୀ, କୁଣ୍ଠାଯୁକ୍ତ, ମାର୍ଜିତ, ସ˚ଭ୍ରମମୟ, ନରମ ଓ ପରାଜୟ ପାଇଁ ପ୍ରସ୍ତୁତ ମନୋଭାବ ପୋଷଣ କରି ନାୟିକାଙ୍କ ହୃଦୟ ଜିଣପାରୁଥିଲେ। ପ୍ରକୃତ ପୌରୁଷ ଯେ ତଥାକଥିତ ଉଗ୍ର ମର୍ଦ୍ଦାଙ୍ଗୀରେ ନ ଥାଏ, ତାହା ବ୍ୟକ୍ତି-ତାରକା-ଅଭିନେତା ଦିଲୀପ କୁମାର ଜାଣିଥିଲେ। ‘ମୁଗଲ୍‌-ଇ-ଆଜାମ୍‌’ର ସେଇ ଦୃଶ୍ୟଟି ଅନେକ କଥା କହିପାରିଥିଲା ଯାହା କେବେ ବି କହିପାରିନଥାନ୍ତା ଅଙ୍ଗୁଳି ବା ପାପୁଲିର ସ୍ନିଗ୍ଧ ସ୍ପର୍ଶ। ଦୃଶ୍ୟଟିରେ ଦିଲୀପ କୁମାର ମଧୁବାଳାଙ୍କ ମୁଖମଣ୍ତଳ ଉପରେ ପକ୍ଷୀର ପର ପହଁରେଇ ଆଣୁଥିଲେ।

୧୯୪୪ର ‘ଜୁଆର ଭଟ୍ଟା’ରେ ପ୍ରଥମ ପଦାର୍ପଣ ଓ ୧୯୯୮ର ‘କିଲ୍ଲା’ରେ ଶେଷ ଆବିର୍ଭାବ ଭିତରେ ଦିଲୀପ କୁମାର ପ୍ରାୟ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବ˚ ସେ ସବୁ ମଧୢରେ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ ହେଉଛି ଅନ୍ଦାଜ୍‌, ଦାଗ୍‌, ଆନ୍‌, ଦେବ୍‌ଦାସ୍‌, ନୟା ଦୌର‌୍‌, ମଧୁମତୀ, ମୁଗଲ୍‌-ଇ-ଆଜାମ, ଗଙ୍ଗା ଯମୁନା, ରାମ ଔର ଶ୍ୟାମ୍‌ ଏବ˚ ଶକ୍ତି। ସେଇ ୫୪ ବର୍ଷ ଭିତରେ ଦିଲୀପ କୁମାର ଉଭୟ ପରାଧୀନ ଓ ସ୍ବାଧୀନ ଭାରତବର୍ଷକୁ ଦେଖିଛନ୍ତି ଏବ˚ କଳାଧଳା ଓ ସ˚ପୂର୍ଣ୍ଣ ରଙ୍ଗିନ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ନୟା ଦୌର’ ପ୍ରକୃତରେ ମଣିଷ ଓ ମେସିନ୍‌ ଭିତରେ ମୁକାବିଲାର ଏକ ନୂଆ ପର୍ଯ୍ୟାୟ। ‘‘ମଧୁମତୀ’’ ପୁନଃଜନ୍ମ ପ୍ରସଙ୍ଗକୁ ନେଇ ଯେଉଁଥିରେ ନାୟିକା ଜଣକ ଏକ ଜନଜାତିର। ଉପମହାଦେଶୀୟ ସ୍ମୃତି, ସ୍ବପ୍ନ, ଅଭିଳାଷ ଓ ବାସ୍ତବତା ଆଧାରିତ ଦିଲୀପ କୁମାର ଅଭିନୀତ ଅଧିକା˚ଶ ଚଳଚ୍ଚିତ୍ର। ଏକ ସା˚ସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଦିଲୀପ କୁମାରଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ଖୋଦ୍‌ ଶାହାରୁଖ୍‌ ଖାଁ ତାଙ୍କ ପାଇଁ ଲାଲ୍‌ ଗାଲିଚା ବିଛେଇ ଦେଇ ନିଜର (ଶାହାରୁଖ୍‌ଙ୍କ) ଆଗାମୀ (୨୦୦୨ର) ଚଳଚ୍ଚିତ୍ର ଦେବଦାସ ପାଇଁ ଆଶୀର୍ବାଦ ଭିକ୍ଷା କରନ୍ତେ ଦିଲୀପ ତାଙ୍କୁ କହିଥିଲେ- ତମେ ତ ପୂରା ଦେବ୍‌ଦାସ ପରି ଦିଶିଲଣି ଏବେ ଠୁଁ। କହିବା ବାହୁଲ୍ୟ ଶାହାରୁଖ ଜଣେ ପ୍ରଚଣ୍ତ-ଦିଲୀପ ଭକ୍ତ।

ଗୀତ, ସଙ୍ଗୀତ ଓ ନିର୍ଦ୍ଦେଶନା ଦୃଷ୍ଟିରୁ ଦିଲୀପ କୁମାର ଅତି ଅସାଧାରଣ ବ୍ୟକ୍ତିତ୍ବଙ୍କ ସଖ୍ୟ ତଥା ଗହଣର ହିତାଧିକାରୀ ହୋଇପାରିଥିଲେ ଚଳଚ୍ଚିତ୍ରମାନଙ୍କ ବାଟ ଦେଇ। ତାଙ୍କ ଅଭିନୀତ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ଲତା, ରଫି, ଆଶା, ସମସଦ୍‌ ବେଗମ୍‌, ତଲତ ମେହମ୍ମୁଦ୍‌, ହେମନ୍ତ କୁମାର, ମୁକେଶ, ମହେନ୍ଦ୍ର କାପୁର ଓ ବଡ଼େ ଗୁଲାମ୍‌ ଅଲ୍ଲୀ ଖାଁ ପ୍ରମୁଖ। ସେଥିରେ ପୁଣି ସଙ୍ଗୀତ ଦେଇଥିଲେ ଓ.ପି.ନାୟାର‌୍‌ ନୌସଦ୍‌, ସବିନ୍‌ ବେଦ୍‌ ବର୍ମନ୍‌, ସି. ରାମଚନ୍ଦ୍ର ଓ ସଲିଲ୍‌ ଚୌଧୁରୀ ଆଦି। ନିର୍ଦ୍ଦେଶନାରେ ସାମିଲ ହୋଇଥିଲେ ଅମିୟ ଚକ୍ରବର୍ତ୍ତୀ, ନିତିନ୍‌ ବୋଷ, ମେହବୁବ୍‌ ଖାଁ, ହୃଷୀକେଶ ମୁଖାର୍ଜୀ, ବି.ଆର,ଚୋପ୍ରା, କେ.ଅସିଫ, ତପନ୍‌ ସିହ୍ନା, ମନୋଜ କୁମାର, ରମେଶ ସିପପୀ, ସୁଭାଷ ଘାଇ ଓ ୟଶ୍‌ ଚୋପ୍ରାଙ୍କ କାଟର ପେସାଦାର। ଦିଲୀପ କୁମାରଙ୍କ ସଫଳତାର କାହାଣୀ ଆଢ଼ୁଆଳେ ଏମାନଙ୍କ ଅବଦାନ ବି ଥିଲା ଯଥେଷ୍ଟ। ଏକାଧିକ କାରଣରୁ ଅବଶ୍ୟ ଦିଲୀପ କୁମାର ଚାରିଟି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ରାଜି ହୋଇ ପାରିନଥିଲେ। ସେଗୁଡ଼ିକ ହେଲା-ମଦର‌୍‌ ଇଣ୍ତିଆ, ପ୍ୟାସା, ସ˚ଗମ୍‌ ଓ ଡାଭିଡ୍‌ ଲନ୍‌ଙ୍କ ଲରେନ୍‌ସ୍‌ ଅଫ୍‌ ଆରବିୟା।

ଦୁଇଟି ପୁସ୍ତକ- ଦିଲୀପ କୁମାରଙ୍କ ଆତ୍ମଜୀବନୀ ‘ଦି ସବ୍‌ଷ୍ଟାନ୍‌ସ ଆଣ୍ତ ଦି ସାଡୋ’ ଏବ˚ ଜୀବନୀ ଅର୍ଥନୀତିଜ୍ଞ ଲର୍ଡ ମେଘନାଦ ଦେଶାଇଙ୍କ ‘ନେହର‌୍‌ସ ହିରୋ ଦିଲୀପ କୁମାର ଇନ୍‌ ଦି ଲାଇଫ୍‌ ଅଫ୍‌ ଇଣ୍ତିଆ’-ରୁ ଦିଲୀପଙ୍କ ବାବଦରେ ଆହୁରି ଅଧିକ ଜାଣିହୁଏ। ଦିଲୀପଙ୍କ ବଡ଼ ଫ୍ୟାନ୍‌ ମେଘନାଦ ଗୋଟେ ଗୋଟେ ଦିଲୀପ ସିନେମା ପନ୍ଦର ଥରରୁ ଅଧିକ ଦେଖିଛନ୍ତି। ତାଙ୍କ ଦୃଷ୍ଟିରେ ନେହରୁଙ୍କ ନାୟକ ଦିଲୀପ ପାଲଟି ଯାଇଥିଲେ ଦେଶର ନାୟକ ନିଜ ଅଭିନୟରେ ଦେଶର ସା˚ସ୍କୃତିକ ବିବିଧତା ଓ ଧର୍ମ ନିରପେକ୍ଷତାର ସନ୍ଦେଶ ଦେଇ। ସିନେମା ହଲ୍‌ରୁ ଫେରି ଲୋକେ ଦିଲୀପଙ୍କ ପୋଷାକ, କେଶ ବିନ୍ୟାସ, ଭାବଭଙ୍ଗୀ ଓ ସ˚ଳାପର ଅନୁକରଣ କରି ଚାଲିଥିଲେ- ବିଶେଷ କରି ମୁଣ୍ତ କୁଣ୍ତାରେ ଓ ବେକ ପଛ ପଟେ ସ୍ବେଟର‌୍‌ ଝୁଲେଇବା ବାଟ ଦେଇ। ଅବଶ୍ୟ ଦିଲୀପଙ୍କ ନିର୍ମିତ ଓ ଅଭିନୀତ ‘ଗଙ୍ଗା ଯମୁନା’ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ସେନ୍‌ସର ବୋର୍ଡ ସେଥିରେ ୨୫୦ଟି ସ˚ଶୋଧନ (କଟ୍) ଆଣିବାକୁ ପ୍ରସ୍ତାବ ଦେଇଥିଲେ। ଦିଲୀପ ନେହରୁଙ୍କୁ ଭେଟିଲା ପରେ ହିଁ ଅନୁମତି ପାଇଁ ବାଟ ଖୋଲିଥିଲା। ସେତେବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥାଆନ୍ତି ବାଳକୃଷ୍ଣ ବିଶ୍ବନାଥ କେଶକର ଯିଏ କି ଆକାଶବାଣୀରେ ସିନେମା ସଙ୍ଗୀତ, ହାରମନିଅମ୍‌ ବାଦନ ଓ କ୍ରିକେଟ୍‌ ଧାରା ବିବରଣୀ ବାରଣ କରିଥିଲେ। ଫଳରେ ରେଡିଓ ସିଲୋନ୍‌ ମୁଣ୍ତ ଟେକିଲା, ବିନାକା ଗୀତମାଲା ଆସ୍ଥାନ ଜମେଇଲା, ଆକାଶବାଣୀ ବହୁତ କ୍ଷତି ସହିଲା ଏବ˚ ସଜାଡ଼ିବା ନିମନ୍ତେ ୧୯୫୭ରେ ବିବିଧ ଭାରତୀ ଆରମ୍ଭ ହୋଇଥିଲା।

ନିକଟରେ ଦିଲୀପଙ୍କ ଅଭିନୟର ଚମତ୍କାର କଳା ଓ କୁହୁକର ଉଚ୍ଛ୍ବସିତ ପ୍ରଶ˚ସା କରିବା ସାଙ୍ଗକୁ ତାଙ୍କ ଅଭିନୟ ଆଉ ପ୍ରଭାବର କେତେକ ସମସ୍ୟା ଜର୍ଜରିତ ଦିଗ ବିଷୟ ଉଠେଇଛନ୍ତି ଉଭୟ ସମାନ୍ତରାଳ ତଥା ମୁଖ୍ୟସ୍ରୋତ ସିନେମାର ଜଣେ ଅତି ମହାନ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହ। ଦିଲୀପ ସୃଷ୍ଟ ତାରକା- ଅଭିନେତା କୈନ୍ଦ୍ରିକ ସିନେ ସ˚ସ୍କୃତି ଫଳରେ ଜଣେ ଅଭିନେତାଙ୍କ ଚାହିଦା ବଢ଼ି ଚାଲିଥିଲା ବେଳେ ଏକ ଅନୁଷ୍ଠାନ ଓ ମାଧୢମ ଭାବେ ଚଳଚ୍ଚିତ୍ର ଗୌଣ ହୋଇ ଯାଉ ନ ଥିଲା ତ? ଆଗାମୀ ପ୍ରଜନ୍ମର ସିଏ କେତେ ପ୍ରତ୍ୟକ୍ଷ ଲାଳନପାଳନ ବା ମେଣ୍ଟରି˚ କରିଥିଲେ? ମହାନ୍‌ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ ତାଙ୍କ ଭାବ ବିନିମୟ ବାବଦରେ ସିଏ ସତରେ କେତେ ଅବଗତ କରେଇ ପାରିଛନ୍ତି ଅନ୍ୟ ସଭିଁଙ୍କୁ? ଆମର କିନ୍ତୁ ଏବେ ବେଶ୍‌ ମନେପଡ଼େ ଆଦ୍ୟ ଯୌବନରେ ଦେଖିଥିବା ଦିଲୀପଙ୍କ ଅନେକ କଳାଧଳା ଛବି କଟକର ସୂରଜ, କ୍ୟାପିଟାଲ, ପ୍ରଭାତ ଓ ଜ୍ୟୋତି ଟକିଜ୍‌ରେ ଏବ˚ ଅଧାଟଣା ବିଡ଼ିର ବାସ୍ନା, ତଳେ ପଡ଼ିଥିବା ବାଦାମ ଚୋପା, ସିଟ୍‌ରେ ଛାରପୋକଙ୍କ ଉପସ୍ଥିତି ଓ ବାଧକ ସାଜୁଥିବା କେତୋଟି ଖୁଣ୍ଟର ବାତାବରଣରେ। ହେଲେ ସେ କଳାଧଳା ସ୍ମୃତିର ମହକ ଏବେ ଆସୁଥିବା ରଙ୍ଗିନ ଛବିର ଚମକରେ ଖୋଜିବା ବୃଥା।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର