ସେପ୍‌ଟେମ୍ବର, ୨୦୧୪। ଆମେରିକାର ବିଶାଳ ମାଡିସନ୍ ସ୍କୋୟାର ଗାର୍ଡେନରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଗୁଞ୍ଜରିତ ହେଲା। ହଜାର ହଜାର ଲୋକ ଏକସ୍ୱରରେ ଏପରି ସ୍ଲୋଗାନ ଦେବା ଭାରତରେ ଏକ ସାଧାରଣ କଥା ହୋଇପାରେ, କିନ୍ତୁ ନ୍ୟୁୟର୍କ ସହରରେ ଏହା ଅଭୂତପୂର୍ବ ଥିଲା। ଏହା ଭାରତର ପ୍ରବାସୀଙ୍କ ସମ୍ପର୍କରେ ଏକ ନୂତନ ଯୁଗର ପ୍ରାରମ୍ଭକୁ ଇଙ୍ଗିତ ଦେଇଥିଲା।
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ମନରେ ଏପରି ଉତ୍ସାହ ପରିଲକ୍ଷିତ ହୋଇଥିଲା। କେବଳ ଆମେରିକା ନୁହେଁ, ମୋଦୀ ଯେ କୌଣସି ଦେଶକୁ ଗଲେ ସେଠାରେ ଏଭଳି ଉତ୍ସାହର ପ୍ରତିଫଳନ ଦେଖିବାକୁ ମିଳିଲା। ହଜାର ହଜାର ଭାରତୀୟ ଏକାଠି ହୋଇ ମୋଦୀଙ୍କୁ ସମ୍ମାନ, ସ୍ନେହ ଓ ଶୁଭେଚ୍ଛା ଜଣାଇଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ହେଉ ବା କୁଏତଠାରେ ଆୟୋଜିତ ‘ହାଲା ମୋଦୀ’ କାର୍ଯ୍ୟକ୍ରମ, ଏଭଳି ଭାରତୀୟଙ୍କ ସମାଗମ ବୋଧହୁଏ ପ୍ରଥମ ଓ ଅନନ୍ୟ ଥିଲା। ଆନ୍ତର୍ଜାତିକ ମଞ୍ଚରେ ନିଜ ଦେଶର ପ୍ରବାସୀ ଏତେ ସଂଖ୍ୟାରେ ଏକାଠି ହେବା ଏବଂ ସେମାନଙ୍କୁ କୌଣସି ପ୍ରଧାନମନ୍ତ୍ରୀ ଏତେ ଗୁରୁତ୍ୱ ଦେବା ବାସ୍ତବିକ ତାଙ୍କର ଦୀର୍ଘଦିନର ସମ୍ପର୍କ ଓ ସେମାନଙ୍କ ସହ ନିବିଡ଼ତାକୁ ବ୍ୟକ୍ତ କରେ।
ଏବେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଛି। ଏହା ଏହିଭଳି କାର୍ଯ୍ୟକ୍ରମର ଅଷ୍ଟାଦଶ ଅଧ୍ୟାୟ। ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ପ୍ରବାସୀ ଭାରତୀୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ତା’ ନୁହେଁ, ବରଂ ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟଙ୍କ ମନରେ ସେମାନଙ୍କର ମାଟି ପ୍ରତି ଗର୍ବ ଓ ଶ୍ରଦ୍ଧାର ଭାବନାକୁ ଜାଗ୍ରତ କରୁଛନ୍ତି। 
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନିକ ଭୂମିକାରେ ପ୍ରବେଶ ହୋଇଥିଲା। କିନ୍ତୁ ଏହାର ଅନେକ ବର୍ଷ ପୂର୍ବରୁ ପ୍ରବାସୀଙ୍କ ସହ ଦୃଢ଼ ସମ୍ପର୍କ ପାଇଁ ନିଅଁ ପଡ଼ିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ପ୍ରଚାରକ ଭାବେ ସେ ଭିନ୍ନ ଭିନ୍ନ ଦେଶ ବୁଲି ସେଠାରେ ଭାରତୀୟଙ୍କ ସହ ନିଜକୁ ଯୋଡ଼ିଥିଲେ। ସେମାନଙ୍କ ଭିତରେ ଥିବା ଦେଶପ୍ରେମ ଓ ଦେଶ ପାଇଁ ଚିନ୍ତନକୁ ସେ ଚିହ୍ନିଥିଲେ। ଦେଶ ପାଇଁ ଏକାଠି ହେବାକୁ ତାଙ୍କୁ ପ୍ରେରିତ ବି କରିଥିଲେ। ଏହି ଯାତ୍ରା ଆରମ୍ଭ ହୋଇଥିଲା ୧୯୮୦ ଦଶକରୁ। ଆର୍‌ଏସ୍‌ଏସ୍‌ରେ ଥିବା ତାଙ୍କର ପୂର୍ବତନ ସହଯୋଗୀମାନେ ଏ ବିଷୟକୁ ମନେ ପକାଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରନ୍ତି। ଜାପାନସ୍ଥିତ ନାଗୋଆର ଜଣେ ବନ୍ଧୁ ତାଙ୍କୁ ନାଇକି ଜୋତା ପଠାଇଥିବା ବେଳେ ବଦଳରେ ଶ୍ରୀ ମୋଦୀ ତାଙ୍କୁ ଭଗବତ ଗୀତା ଉପହାର ଦେବା କଥା ସେ ମନେ ପକାନ୍ତି। ସେ ଗୁଜରାଟରେ ‘ବିଶ୍ୱ ସଂଘ ଶିବିର’ ଭଳି ପ୍ରବାସୀ କାର୍ଯ୍ୟକ୍ରମର ପ୍ରମୁଖ ଆୟୋଜକ ମଧ୍ୟ ଥିଲେ।
୧୯୯୦ ଦଶକରେ ନରେନ୍ଦ୍ର ମୋଦୀ ଜଣେ ଯୁବ ରାଜନେତା ଭାବରେ ଅନେକ ଦେଶ ଭ୍ରମଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଚିକାଗୋ ଅଭିଭାଷଣର ଶତବାର୍ଷିକୀ ଉତ୍ସବରେ ଯୋଗଦେବା ପାଇଁ ସେ ଏକାଧିକ ଥର, ବିଶେଷକରି ୧୯୯୩ ମସିହାରେ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ‘ଗ୍ଲୋବାଲ ଭିଜନ ୨୦୦୦’ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖିଥିଲେ। ୧୯୯୭ ମସିହାରେ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଅନେକ ଭାରତୀୟ ପରିବାର ତାଙ୍କୁ ଭେଟିଥିବା ତଥା ତାଙ୍କ ଘରେ ମୋଦୀଙ୍କ ରହଣୀକୁ ମନେ ପକାଉଛନ୍ତି।
ଏହିସବୁ ଗସ୍ତ ସମୟରେ ଶ୍ରୀ ମୋଦୀ ସେଠାକାର କାର୍ଯ୍ୟକ୍ରମ ଅପେକ୍ଷା ଦୁଇଟି ବିଷୟକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଗୋଟିଏ ହେଉଛି, ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଯୋଡ଼ିବା ଏବଂ ଦ୍ୱିତୀୟରେ ଭାରତର ବିକାଶ ଉଦ୍ଦେଶ୍ୟରେ ସମ୍ପୃକ୍ତ ଦେଶଗୁଡ଼ିକର ପଦକ୍ଷେପ ଓ ସଫଳତାରୁ ଶିଖିବା। ସେ ଯେତେବେଳେ ବିଦେଶ ଗସ୍ତ କରୁଥିଲେ ସର୍ବଦା ସେଠାରେ ଥିବା ଭାରତୀୟ ପରିବାରମାନଙ୍କ ସହିତ ରହିବାକୁ ପସନ୍ଦ କରୁଥିଲେ। ସେହି ସମୟରେ ସେମାନଙ୍କ ସହ ଗଢ଼ିଉଠିଥିବା ବ୍ୟକ୍ତିଗତ ସମ୍ପର୍କ ଏବେବି ଅତୁଟ ରହିଛି। ଯୁବପିଢ଼ି, ବିଶେଷ କରି ପ୍ରବାସୀ ଭାରତୀୟଙ୍କ ପିଲାମାନଙ୍କ ସହ ଯୋଡ଼ିହେବା ପାଇଁ ସେ ସବୁବେଳେ ଆଗ୍ରହ ପ୍ରକାଶ କରୁଥିଲେ। ଏହିକ୍ରମରେ ଆଟଲାଣ୍ଟା ଗସ୍ତ ସମୟରେ ସେ ଜର୍ଜିଆ ଟେକ୍ ଯାଇ ସେଠାରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ସେତେବେଳେ ସେ ଅନେକ ୟୁରୋପୀୟ ରାଷ୍ଟ୍ର ଓ କାନାଡାକୁ ମଧ୍ୟ ଗସ୍ତ କରିଛନ୍ତି। ୧୯୯୩ ମସିହାରେ ଆମେରିକା ଗସ୍ତ ପରେ ସେ ଜର୍ମାନୀ ଓ ଇଂଲଣ୍ଡରେ କିଛିଦିନ ବିତାଇଥିଲେ। ଅଷ୍ଟ୍ରେଲିଆ ଉପମହାଦେଶର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଏଯାଏ ରହିଆସିଛି। 
ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପ ବାହାରେ ଥିବା ପ୍ରବାସୀଙ୍କ ସହ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ନିବିଡ଼ତା ରହିଛି। ୨୦୦୦ ମସିହାରେ ବିଶ୍ୱ ହିନ୍ଦୁ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ତ୍ରିନିଦାଦ ଓ ଟୋବାଗୋ ଗସ୍ତ କରିଥିଲେ। ଏହି ସମୟରେ ସେ ଗୁଏନା ଯାଇ ସେଠାରେ ଥିବା ଭାରତୀୟଙ୍କ ସହ ସମ୍ପର୍କ ଗଢ଼ି ତୋଳିଥିଲେ।  କ୍ୟାରିବିୟାନ୍‌ରେ ଭାରତୀୟ ବଂଶୋଦ୍ଭବମାନଙ୍କର ଏକ ସମାବେଶ ଆୟୋଜନ କରିବାକୁ ସେ ଅନୁରୋଧ କରିଥିଲେ ଏବଂ କ୍ୟାରିବିୟାନ୍‌ରେ ସେମାନଙ୍କ ଜୀବନକୁ ଭଲ ଭାବରେ ବୁଝିବା ପାଇଁ ସେମାନଙ୍କ ଘରକୁ ମଧ୍ୟ ଯାଇଥିଲେ।
ମରିସସକୁ ଅନେକ ସମୟରେ ‘ମିନି ଇଣ୍ଡିଆ’ ଭାବେ ଅଭିହିତ କରାଯାଏ। ଏଠାରେ ରାମାୟଣ ସମ୍ମେଳନ ଅତ୍ୟନ୍ତ ଭାବଗର୍ଭକ ହୋଇଥାଏ। ୧୯୯୮ ମସିହାରେ ଆୟୋଜିତ ରାମାୟଣ ସମ୍ମେଳନରେ ନରେନ୍ଦ୍ର ମୋଦୀ ଭଗବାନ ରାମ, ରାମାୟଣ ଓ ମରିସସ ସହିତ ଭାରତୀୟ ସମ୍ପର୍କ ଉପରେ ଅଭିଭାଷଣ ରଖିଥିଲେ।
ନିଜର ପ୍ରବାସୀ ବନ୍ଧୁଙ୍କୁ ଶ୍ରୀ ମୋଦୀ ସର୍ବଦା ଭାରତ ବାବଦରେ ପ୍ରଚାର କରିବା ପାଇଁ ପ୍ରେରିତ କରୁଥିଲେ। ପ୍ରତିବର୍ଷ ଅତି କମ୍‌ରେ ସେହି ଦେଶର ୫ ଜଣ ବନ୍ଧୁଙ୍କୁ ଭାରତ ଗସ୍ତ କରିବା ତଥା ପର୍ଯ୍ୟଟନ ବିକାଶରେ ଯୋଗଦାନ ପାଇଁ ଉତ୍ସାହିତ କରିବାକୁ ସେ ଅନୁରୋଧ କରୁଥିଲେ। ଏହି ସନ୍ଦର୍ଭରେ ସେ ସାଧାରଣତଃ ‘ଚଲୋ ଇଣ୍ଡିଆ’ ସ୍ଲୋଗାନ ବ୍ୟବହାର କରୁଥିଲେ। 
ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସମ୍ପର୍କ ଓ ପ୍ରବାସୀ ସଂଯୋଗଦ୍ୱାରା ଗୁଜରାଟକୁ ବିଶ୍ୱ ନିବେଶ ମାନଚିତ୍ରରେ ସ୍ଥାନିତ କରିଥିଲେ। ଜାପାନ, ଚୀନ, ରୁଷିଆ, ୟୁରୋପୀୟ ରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅନେକ ଦେଶ ସହ ସମ୍ପର୍କ ସ୍ଥାପନ ପାଇଁ ଗୁଜରାଟୀ ପ୍ରବାସୀଙ୍କ ସହଯୋଗ ପାଇଥିଲେ।  ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ ୨୦୦୧ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ରୁଷିଆ ଗସ୍ତ କରିଥିଲେ। ସେଠାରେ ସେ ରୁଷିଆର ଆଷ୍ଟ୍ରାଖାନ ସହିତ ଏକ ସହଯୋଗ ଚୁକ୍ତି ସ୍ୱାକ୍ଷର କରିଥିଲେ।
ଭାରତର ସମସ୍ତ ପ୍ରଦେଶ ନିଜ ନିଜର ବ୍ୟକ୍ତିଗତ-ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରି ବିଶ୍ୱର ବିଭିନ୍ନ ପ୍ରାନ୍ତ ସହିତ ସମ୍ପର୍କ ସ୍ଥାପନ କରିବାର ଦକ୍ଷତା ରହିବା ଉଚିତ୍ ବୋଲି କହନ୍ତି ଶ୍ରୀ ମୋଦୀ। ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ ସମୟରେ କୂଟନୀତିଜ୍ଞ ଓ ବୈଦେଶିକ ବ୍ୟାପାର ଅଧିକାରୀଙ୍କୁ ଏହି ବିଚାରଧାରାରେ ଅଭିଭୂତ ବି କରିଥାଆନ୍ତି। 
୨୦୦୧ ଗୁଜରାଟ ଭୂମିକମ୍ପ ପରେ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ଜାପାନ ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା, ଯାହାଦ୍ୱାରା  ଗୁଜରାଟର ପୁନରୁଦ୍ଧାର ପ୍ରୟାସରେ ହୟୋଗୋ ପ୍ରିଫେକ୍‌ଚର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମୋଦୀଙ୍କ ନେତୃତ୍ୱରେ ଲଣ୍ଡନ, ଜୁରିକ୍, ଜେନେଭା ଓ ଅନ୍ୟାନ୍ୟ ବିଶ୍ୱର ସହରମାନଙ୍କରେ ‘ଭାଇବ୍ରାଣ୍ଟ୍‍ ଗୁଜରାଟ’ ରୋଡ୍ ସୋ’ ଆୟୋଜିତ ହୋଇଥିଲା। ଏହାଫଳରେ ଭାଇବ୍ରାଣ୍ଟ୍‍ ଗୁଜରାଟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ଓ ନିବେଶକୁ ଆକୃଷ୍ଟ କରାଯାଇପାରିଥିଲା। ଗାନ୍ଧୀନଗରରେ ମହାତ୍ମା ମନ୍ଦିର ନିର୍ମାଣ ହେଉଥିବାବେଳେ ସେ ବିଶ୍ୱରେ ଥିବା ଗୁଜରାଟୀ ପ୍ରବାସୀଙ୍କୁ ନିଜ ଅଞ୍ଚଳରୁ ମାଟି ପଠାଇବା ପାଇଁ ନିବେଦନ କରିବା ସହ ଏଥିପାଇଁ ବିଭିନ୍ନ ଦେଶକୁ କଳସ ପଠାଇବାକୁ ନିବେଦନ କରିଥିଲେ।
ନିଜର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ବିଶ୍ୱସ୍ତରୀୟ ପ୍ରବାସୀ ସମ୍ପର୍କ ମାଧ୍ୟମରେ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟଙ୍କ ସହ ସ୍ଥାୟୀ ସମ୍ପର୍କ ସ୍ଥାପନ କରିଛନ୍ତି, ଯାହା ଗୁଜରାଟକୁ ଅର୍ଥନୈତିକ, ବୈଷୟିକ ଓ ସାଂସ୍କୃତିକ ଭାବରେ ବିକଶିତ କରିବାରେ ଏବେ ବି ସାହାଯ୍ୟ କରୁଛି। ପରବର୍ତ୍ତୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ସେ ପ୍ରବାସୀଙ୍କ ସାମର୍ଥ୍ୟକୁ ଆହୁରି ଅଧିକ ମାତ୍ରାରେ ଉପଯୋଗ କରିପାରିଛନ୍ତି।
ଆମେରିକାର ଐତିହାସିକ ମାଡିସନ୍ ସ୍କୋୟାର ଗାର୍ଡେନ୍ କାର୍ଯ୍ୟକ୍ରମରୁ ତାଙ୍କର ପ୍ରଚାର ଆରମ୍ଭ ହୋଇଥିଲା। ସେହିପରି ହ୍ୟୁଷ୍ଟନରେ ‘ହାଓଡି ମୋଦୀ’, ୨୦୨୪ରେ ନ୍ୟୁୟର୍କର ଲଙ୍ଗ୍ ଆଇଲ୍ୟାଣ୍ଡରେ ‘ମୋଦୀ ଆଣ୍ଡ୍‍ ୟୁଏସ୍’ ଭଳି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଥିଲା। ଲଣ୍ଡନର ୱେମ୍ବଲି ଷ୍ଟାଡିୟମ ସମାବେଶ, ୟୁଏଇରେ ଅହଲାନ ମୋଦୀ, ତେଲ ଅବିବ କାର୍ଯ୍ୟକ୍ରମ ଆଦି ପ୍ରବାସୀଙ୍କୁ ଏକାଠି କରି ଭାରତ ବିଷୟରେ ଚିନ୍ତା କରିବା ପାଇଁ ସୁଯୋଗ ସୃଷ୍ଟି କରିବା ବାସ୍ତବିକ ମାଇଲଖୁଣ୍ଟ ଭଳି। ସିଡନିରେ ଆୟୋଜିତ ଏହିଭଳି ଏକ ଐତିହାସିକ ପ୍ରବାସୀ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିବାବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ କହିଥିଲେ, ‘ମୋଦି ଇଜ୍‍ ଦ ବସ୍‍’। ତେବେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କ କେବଳ ବଡ଼ ଦେଶରେ ସୀମିତ ହୋଇ ରହିନାହିଁ, ବିଶ୍ୱର କ୍ଷୁଦ୍ରତମ ପ୍ରବାସୀ ସମ୍ପ୍ରଦାୟଙ୍କ ସହ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି ଶ୍ରୀ ମୋଦୀ।
ଅପରେସନ ଗଙ୍ଗା, ଅପରେସନ ସଙ୍କଟ ମୋଚନ, ଅପରେସନ ରାହତ ଓ ବନ୍ଦେ ଭାରତ ମିଶନ ଭଳି ଅନେକ ଅଭିଯାନ ମାଧ୍ୟମରେ ପ୍ରବାସୀଙ୍କ ସୁରକ୍ଷା ପାଇଁ ଭାରତର ପ୍ରତିବଦ୍ଧତାକୁ ସେ ପ୍ରମାଣିତ କରିଛନ୍ତି। ଏହି ପ୍ରୟାସ ବିଶ୍ୱ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ସୂଚାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କୁ ‘ଭାରତର ବ୍ରାଣ୍ଡ୍‍ ଆମ୍ବାସଡର୍’ ବୋଲି ଅଭିହିତ କରି ଏକ ‘ବିକଶିତ ଭାରତ’ ଅଭିମୁଖେ ଭାରତର ଯାତ୍ରାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ବିଶ୍ୱର ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହିତ ତାଙ୍କର ଦଶନ୍ଧି-ଦଶନ୍ଧି ଧରି ଜାରି ରହିଥିବା ଅତୁଟ ସମ୍ପର୍କ ନିଶ୍ଚିତ ଭାବରେ ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ।
(ମତାମତ ଲେଖକଙ୍କ ନିଜସ୍ବ)

Advertisment

ଡାକ୍ତର ଭରତ ବରାଇ
ଅଧ୍ୟକ୍ଷ, ୟୁଏସ ଇଣ୍ଡିଆ
କମ୍ୟୁନିଟି ଫାଉଣ୍ଡେସନ