ସେପ୍‌ଟେମ୍ବର ୧୭ ତାରିଖ ଅନେକ କାରଣରୁ ଇତିହାସରେ ଗୁରୁତ୍ୱପୂର୍ଣ୍ଣ। ଏହି ଦିନରେ ସମସ୍ତ କାରିଗର ବନ୍ଧୁ ଓ ଶ୍ରମିକ ବର୍ଗର ଲୋକମାନେ ହର୍ଷୋଲ୍ଲାସର ସହିତ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ କରିଥାନ୍ତି। ଆଜିର ଦିନରେ ହାଇଦ୍ରାବାଦ ନିଷ୍ଠୁର ନିଜାମ ଓ ରଜାକାରଙ୍କ କବଳରୁ ମୁକ୍ତି ପାଇଥିଲା। ଆଉ ଆଜିର ଦିନରେ ହିଁ ଏପରି ଜଣେ ଜନସେବକ ଜନ୍ମଗ୍ରହଣ କରିଥିଲେ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନକୁ ଦେଶ ଓ ଦେଶବାସୀଙ୍କୁ ସମର୍ପି ଦେଇଛନ୍ତି। ସେ ଆଉ କେହି ନୁହନ୍ତି- ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀ ମୋଦୀଙ୍କର ଏହି ଜନ୍ମଦିନ ସ୍ୱତନ୍ତ୍ର, କାରଣ ଏହା ତାଙ୍କର ୭୫ତମ ଜନ୍ମଦିନ। ମୁଁ ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଶ୍ରୀ ମୋଦୀଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ଭାରତର ମଜବୁତ ଭବିଷ୍ୟତ ଲାଗି ଭଗବାନ ତାଙ୍କୁ ଦୀର୍ଘାୟୁ, ସତେଜ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ଦଶନ୍ଧି ହେବ କାମ କରି ମୁଁ ଏହା ଅନୁଭବ କରିପାରିଛି ଯେ ତାଙ୍କର ବ୍ୟକ୍ତିତ୍ୱ ଜଣେ ରାଜନେତାଙ୍କ ଠାରୁ ବହୁ ଊର୍ଦ୍ଧ୍ୱରେ। ସେ ଜଣେ ସମର୍ପିତ ଓ ଧ୍ୟେୟନିଷ୍ଠ ନେତୃତ୍ୱ ପ୍ରଦାନକାରୀ। ସେ ଏପରି ଜଣେ ନେତା ଯାହାଙ୍କ ନେତୃତ୍ୱର ଆଧାରରେ ରାଷ୍ଟ୍ରର ଉତ୍‌ଥାନ ଓ ଜନତାଙ୍କ କଲ୍ୟାଣ ଧ୍ୟେୟବାକ୍ୟ ରୂପେ ବିଦ୍ୟମାନ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ବିଶେଷତ୍ୱ ହେଉଛି ସେ ନିଜ ଶାସନରେ ସମାଜର ସବୁ ବର୍ଗଙ୍କ ଭାଗୀଦାରି ସୁନିଶ୍ଚିତ କରିବାର ଦୃଷ୍ଟିକୋଣ ରଖିଥାନ୍ତି। ସମାଜର କୌଣସି ଗୋଟିଏ ବର୍ଗ ଓ ବ୍ୟକ୍ତି ଯେପରି ବିକାଶରୁ ବଞ୍ଚିତ ନ ହେବ, ସେହି ଉଦ୍ଦେଶ୍ୟ ସହିତ ସେ ନୀତି ନିର୍ମାଣ କରନ୍ତି ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଥାନ୍ତି। ସେ ଶାସନକୁ କ୍ଷମତାର ସାଧନ ଭାବେ ନୁହେଁ, ବରଂ ସେବାର ମାଧ୍ୟମ ରୂପେ ବିବେଚନା କରିଥାନ୍ତି। ଏହି କାରଣରୁ ତାଙ୍କ ସରକାରରେ ଗରିବ-କଲ୍ୟାଣକୁ କେନ୍ଦ୍ରରେ ରଖାଯାଇ ଅନେକ ଯୋଜନା କେବଳ ଆରମ୍ଭ କରାଯାଇ ନାହିଁ, ବରଂ ସଫଳତାପୂର୍ବକ ସେଗୁଡ଼ିକର ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିଛି।
ଆମେ ସମସ୍ତେ ଦେଖିପାରୁଛୁ, ଜନଧନ ଯୋଜନା ପଚାଶ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାମିଲ କରି ଆର୍ଥିକ ଅନ୍ତର୍ଭୁକ୍ତୀକରଣର ନୂଆ କାହାଣୀ ଲେଖିଛି। ଉଜ୍ଜ୍ୱଳା ଯୋଜନା ଘରେ ଘରେ ଧୂଆଁମୁକ୍ତ ଓ ସମ୍ମାନଜନକ ଜୀବନର ବାର୍ତ୍ତା ପହଞ୍ଚାଇଛି। ଆୟୁଷ୍ମାନ ଭାରତ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କର ନିଜସ୍ୱ ଘର ତୋଳିବାର ସ୍ୱପ୍ନ ପୂରଣ କରିଛି। ମୁଁ ଏପରି ଯୋଜନାର କୌଣସି ହିତାଧିକାରୀଙ୍କ ଆଖିରେ ସନ୍ତୋଷ ଓ ଭରସା ଦେଖିଲେ ଶ୍ରୀ ମୋଦୀଙ୍କ ପ୍ରଶାସନ କିଭଳି ଜନକଲ୍ୟାଣ ଉଦ୍ଦେଶ୍ୟକୁ ତୃଣମୂଳ ସ୍ତରରେ ସାକାର କରୁଛି ତାହା ବୁଝିପାରିଥାଏ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ରୂପରେ ସେ ଦେଶର ଅନେକ ଭାଗରେ ସମାଜର ପ୍ରତ୍ୟେକ ବର୍ଗଙ୍କ ସହିତ ମତ ବିନିମୟ କରିଥିଲେ। ତାଙ୍କର ତପସ୍ୱୀ ଜୀବନର ଏହା ଏପରି ଏକ ଅଧ୍ୟାୟ ଥିଲା, ଯେଉଁଥିରେ ସେ ଦେଶର ଆତ୍ମାକୁ ଅତି ନିକଟରୁ କେବଳ ଦେଖି ନ ଥିଲେ ବରଂ ଏହାର ଆନ୍ତରିକ ଶକ୍ତି ସହ ନିବିଡ଼ ଭାବେ ପରିଚିତ ହୋଇଥିଲେ। ତାଙ୍କର ଏହି ଅନୁଭବ ତାଙ୍କ ଶାସନର ନୀତି ଓ କାର୍ଯ୍ୟଶୈଳୀରେ ଗରିବ-ବଞ୍ଚିତଙ୍କ ପ୍ରତି ସମବେଦନା ରୂପରେ ପରିଲକ୍ଷିତ ହୋଇଥାଏ। ସଂଘର ପ୍ରଚାରକ ରୂପରେ ଶ୍ରୀ ମୋଦୀ ସଂଗଠନ କଳାର ଗୁଣ ଶିଖିଥିଲେ ଏବଂ ପରେ ବିଜେପି ସଂଗଠନର ଶିଳ୍ପକାର ରୂପରେ ସେ ସାଂଗଠନିକ କାର୍ଯ୍ୟକୁ ଯୁଗୋପଯୋଗୀ କରିବା ଲାଗି ଅନେକ ସଫଳ ନବସୃଜନ ଓ ପ୍ରୟୋଗ କରିଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପରେ ମୋଦୀଜୀଙ୍କ ମାର୍ଗଦର୍ଶନ ତଥା ତାଙ୍କର ସାଂଗଠନିକ ଅଭିଜ୍ଞତାକୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି।
କଠିନ ପରିସ୍ଥିତିରେ ନିଷ୍ପତ୍ତି ନେବାର କ୍ଷମତାରୁ ହିଁ ଦୃଢ଼ ନେତୃତ୍ୱର ପରିଚୟ ମିଳିଥାଏ। ଏହି ବ୍ୟାପାରରେ ଶ୍ରୀ ମୋଦୀଙ୍କ ନେତୃତ୍ୱ କ୍ଷମତା ଭିନ୍ନ ଏକ ଲୁହାରେ ନିର୍ମିତ। ପ୍ରାୟତଃ ମୁଁ ଦେଖିଛି ଯେ, ଅତି କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସେ ଅସାଧାରଣ ଧୈର୍ଯ୍ୟ ଓ ସ୍ପଷ୍ଟ ଦୃଷ୍ଟିକୋଣ ରଖିଥାନ୍ତି। ୨୦୧୪ ପରେ ଏପରି ଅନେକ ମୁହୂର୍ତ୍ତ ଆସିଛି, ଯେତେବେଳେ ଦେଶକୁ ବଡ଼ ଓ କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି। ଏଭଳି ସମସ୍ତ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେତୃତ୍ୱର ସୂତ୍ରକୁ ଅତ୍ୟନ୍ତ ଦୃଢ଼ତା ଓ ଦକ୍ଷତାର ସହିତ ଧରି ରଖିଛନ୍ତି ତଥା ରାଷ୍ଟ୍ରହିତ ପାଇଁ ଅନୁକୂଳ ନିଷ୍ପତ୍ତି ନେଇଛନ୍ତି। ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ପଦକ୍ଷେପ ଆର୍ଥିକ ସଂସ୍କାରକୁ ଗତିଶୀଳ କରି ଆମ ଅର୍ଥ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଅନୁଚ୍ଛେଦ ୩୭୦ର ଐତିହାସିକ ଉଚ୍ଛେଦ ଶହ ଶହ ବର୍ଷ ଧରି ମନେ ରଖିବା ଭଳି ଏକ ଘଟଣା। ଏହି ନିଷ୍ପତ୍ତି କେବଳ ରାଜନୈତିକ ସାହସ ଆଧାରିତ ନୁହେଁ, ବରଂ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ପ୍ରତି ଶ୍ରୀ ମୋଦୀଙ୍କର ଅତୁଟ ଆସ୍ଥାକୁ ମଧ୍ୟ ଦର୍ଶାଇଥାଏ। ତିନି ତଲାକ ଭଳି ସାମାଜିକ କୁରୀତି ଉପରେ ରୋକ୍ ଲଗାଇବାର ନିଷ୍ପତ୍ତି ମହିଳାଙ୍କ ସମ୍ମାନ ଓ ଅଧିକାର ସୁରକ୍ଷା ଦିଗରେ ଏକ ସାହସିକ ପଦକ୍ଷେପ ଥିଲା। ଏସବୁ ନିଷ୍ପତ୍ତି ସହଜ ନ ଥିଲା। ଏଥି ମଧ୍ୟରୁ ଅନେକ ନିଷ୍ପତ୍ତିର ବିରୋଧ ମଧ୍ୟ କରାଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେବେ ବି ବିଚଳିତ ହୋଇ ନ ଥିଲେ। ତାଙ୍କ ଭିତରେ ଏହି ଦୃଢ଼ ବିଶ୍ୱାସ ଥିଲା ଯେ ଯଦି ରାଷ୍ଟ୍ରହିତରେ କୌଣସି କାର୍ଯ୍ୟ ଆବଶ୍ୟକ ତା’ ହେଲେ ବିରୋଧ ଓ ସମାଲୋଚନାକୁ ଖାତିର ନ କରି ତାକୁ ପ୍ରତ୍ୟେକ ପରିସ୍ଥିତିରେ ପୂରଣ କରାଯିବା ଆବଶ୍ୟକ।
ବେଶୀ ଦିନ ତଳର କଥା ନୁହେଁ, ଯେତେବେଳେ କୋଭିଡ୍-୧୯ ମହାମାରି ସାରା ଦୁନିଆକୁ ବିଚଳିତ କରି ଦେଇଥିଲା। ସେପରି କଠିନ ସମୟରେ ମଧ୍ୟ ଶ୍ରୀ ମୋଦୀ କେବଳ ଜନସାଧାରଣଙ୍କୁ ଆଶ୍ୱସ୍ତ କରି ନ ଥିଲେ, ବରଂ ଦେଶର ଉଦ୍ୟୋଗ, ବୈଜ୍ଞାନିକ ଓ ଯୁବବର୍ଗଙ୍କୁ ଆତ୍ମନିର୍ଭଶୀଳତା ଦିଗରେ ଆଗେଇ ଯିବା ପାଇଁ ଅନୁପ୍ରାଣିତ କରିଥିଲେ। ଏ ମହାମାରିରେ ଭାରତର ଅବସ୍ଥା କ’ଣ ହେବ! ଏହି ପ୍ରଶ୍ନ ସାରା ବିଶ୍ୱରେ ଉଙ୍କି ମାରୁଥିବା ବେଳେ ଆମ ନେତୃତ୍ୱ ଦକ୍ଷତା କାରଣରୁ ଦେଶରେ ରେକର୍ଡ ସମୟ ମଧ୍ୟରେ ଟିକା ପ୍ରସ୍ତୁତ ହେବା ସହିତ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ନିଃଶୁଳ୍‌କ ଟିକାକରଣ ଅଭିଯାନ ମାଧ୍ୟମରେ ଆମେ ବିଶ୍ୱ ଆଗରେ କୋଭିଡ୍ ପରିଚାଳନାର ଅନୁକରଣୀୟ ମଡେଲ ଉପସ୍ଥାପନ କଲୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବାରମ୍ବାର ପ୍ରମାଣ କରିଛି ଯେ ଜାତୀୟ ସୁରକ୍ଷା ଓ ସ୍ୱାଭିମାନ ସହିତ କୌଣସି ସାଲିସ କରାଯିବ ନାହିଁ। ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ବିଶ୍ୱକୁ ଦେଖାଇ ଦେଇଥିଲା ଯେ ଭାରତ ଆଉ ଆତଙ୍କବାଦର ନିରବ ଦର୍ଶକ ହୋଇ ରହିବ ନାହିଁ। ପୁଲୱାମା ଘଟଣା ପରେ ବାଲାକୋଟ ଏୟାରଷ୍ଟ୍ରାଇକ୍ ଏହି ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା। ନିକଟରେ, ପହଲଗାମ ଆକ୍ରମଣର ଜବାବରେ ୭ ମେ ୨୦୨୫ରେ କରାଯାଇଥିବା ‘ଅପରେସନ ସିନ୍ଦୂର’ ନିର୍ଣ୍ଣାୟକ ଭାବରେ ଆଉ ଏକ ସିଦ୍ଧାନ୍ତକୁ ଦୃଢ଼ ଭାବେ ପ୍ରତିଷ୍ଠା କରିଛି। ତାହା ହେଉଛି ଯେତେବେଳେ ଦେଶର ପରିଚୟ ଓ ନାଗରିକଙ୍କ ସୁରକ୍ଷା ଆଘାତ ପାଇବ, ସେତେବେଳେ ଭାରତ ପୂର୍ଣ୍ଣ ସାହସ ଓ ଦୃଢ଼ତାର ସହିତ ଜବାବ ଦେବ। ଏହି କାର୍ଯ୍ୟଗୁଡ଼ିକ ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଗର୍ବର ଭାବନାକୁ କେବଳ ମଜବୁତ କରିନାହିଁ, ବରଂ ବିଶ୍ୱକୁ ଏହି ବାର୍ତ୍ତା ମଧ୍ୟ ଦେଇଛି ଯେ ନୂତନ ଭାରତ ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ।
ବୈଦେଶିକ ନୀତି କ୍ଷେତ୍ରରେ ମଧ୍ୟ ମୋଦୀଜୀଙ୍କ କାର୍ଯ୍ୟଶୈଳୀ ଅନନ୍ୟ। ଆଜି ଯେତେବେଳେ ସେ ଏକ ଅନ୍ତର୍ଜାତୀୟ ମଞ୍ଚରେ ଠିଆ ହୋଇ ଆତ୍ମବିଶ୍ୱାସର ସହିତ ଭାରତର ଦୃଷ୍ଟିକୋଣକୁ ଉପସ୍ଥାପନ କରନ୍ତି, ସେତେବେଳେ ଆମ ସମସ୍ତଙ୍କ ମନରେ ଗର୍ବର ଏକ ଲହରି ଖେଳିଯାଏ। ପୂର୍ବରୁ, ଯେଉଁଠାରେ ଭାରତକୁ ପ୍ରାୟତଃ ଏକ ଉଦୀୟମାନ ରାଷ୍ଟ୍ର ଭାବରେ ଦେଖାଯାଉଥିଲା, ଏବେ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଏକ ବିଶ୍ୱ ନେତାର ଭୂମିକା ଗ୍ରହଣ କରିବା ଆଡ଼କୁ ଅଗ୍ରସର ହେଉଛି। ପ୍ୟାରିସ ଜଳବାୟୁ ଚୁକ୍ତିନାମା ହେଉ, ଜି-୨୦ ସମ୍ମିଳନୀ ହେଉ କିମ୍ବା ଜାତିସଂଘରେ ଦିଆଯାଇଥିବା ଅଭିଭାଷଣ- ସବୁଠି ତାଙ୍କର ଆତ୍ମବିଶ୍ୱାସ ଭାରତର ବୃଦ୍ଧି ପାଉଥିବା ଶକ୍ତି ଓ ଗର୍ବର ପ୍ରତୀକ ପାଲଟିଛି।
ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଯେତିକି ଜାଣିଛି, ସେହି ଆଧାରରେ ଏହା କହିପାରେ ଯେ ତାଙ୍କର ବ୍ୟକ୍ତିତ୍ୱ କେବଳ ନୀତି ଓ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନୁହେଁ। ତାଙ୍କ ଭିତରେ ଏକ ସ୍ୱତନ୍ତ୍ର ଚମତ୍କାରୀ ଗୁଣ ରହିଛି, ଯାହା ଜରିଆରେ ସେ ଜନସାଧାରଣଙ୍କ ସହିତ ସିଧାସଳଖ ଯୋଡ଼ି ହୋଇପାରନ୍ତି। ତାଙ୍କ ପାଖରେ ସହଜ ଓ ସରଳ କଥା କହିବାର କୌଶଳ ରହିଛି ଯାହା କଥାବାର୍ତ୍ତା କରିବା ସମୟରେ ସିଧାସଳଖ ଜନତାଙ୍କ ମନକୁ ଛୁଇଁଥାଏ। ସେ ଯେତେବେଳେ ରେଡିଓରେ ‘ମନ କୀ ବାତ’ କରନ୍ତି, କୋଟି କୋଟି ଲୋକ ଅନୁଭବ କରିଥା’ନ୍ତି ଯେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ସିଧାସଳଖ କଥା ହେଉଛନ୍ତି। କୌଣସି ଗାଁର କେହି ଚାଷୀ ହେଉ କିମ୍ବା ସହରର କେହି ଛାତ୍ରଛାତ୍ରୀ ଅଥବା କୌଣସି ଗୃହିଣୀ, ସମସ୍ତେ ତାଙ୍କ ପ୍ରତି ଆତ୍ମୀୟତା ଅନୁଭବ କରିଥା’ନ୍ତି। ଏହା କିଛି ସାଧାରଣ କଥା ନୁହେଁ।
ଆଜି, ଯେତେବେଳେ ମୁଁ ପଛକୁ ଫେରି ଚାହିଁଥାଏ, ମୁଁ ଦେଖେ ଯେ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭାରତକୁ କେବଳ ଆର୍ଥିକ ଓ ରାଜନୈତିକ ଭାବରେ ନୁହେଁ, ବରଂ ମାନସିକ ଏବଂ ସାଂସ୍କୃତିକ ଭାବରେ ମଧ୍ୟ ସଶକ୍ତ କରିଛନ୍ତି। ଭାରତର ଆଭ୍ୟନ୍ତରୀଣ ଶକ୍ତି ବିଷୟରେ ଭଲ ଭାବରେ ବୁଝିପାରୁଥିବା ମୋଦୀଜୀଙ୍କର ଏକ ସଂକଳ୍ପ ହେଉଛି ୨୦୪୭ରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ବେଳକୁ ଆମ ଦେଶ ଏକ ‘ଆତ୍ମନିର୍ଭରଶୀଳ ଭାରତ’ ଏବଂ ଏକ ମହାନ ଦେଶ ଭାବରେ ପୁନଃପ୍ରତିଷ୍ଠିତ ହେବ। ଏହାକୁ ହାସଲ କରିବା ପାଇଁ, ସେ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନୀତି ସହିତ ଦେଶକୁ ଦ୍ରୁତ ଗତିରେ ସେ ଦିଗରେ ନେଇ ଯାଉଛନ୍ତି। ବିଶ୍ୱରେ କାହାଠାରୁ ଆମେ କମ୍ ନୋହୁଁ, ସେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିଛନ୍ତି। ଗତ ୧୧ ବର୍ଷ ମଧ୍ୟରେ, ତାଙ୍କ ନେତୃତ୍ୱରେ, ଦେଶ ଆତ୍ମସମ୍ମାନ, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସର ନୂତନ ଶିଖରକୁ ଛୁଇଁଛି, ଯାହା ମୋ ଦୃଷ୍ଟିରେ ଐତିହାସିକ ଏବଂ ଅନନ୍ୟ।
ବାସ୍ତବରେ, ନିଜର ପ୍ରତ୍ୟେକ ମୁହୂର୍ତ୍ତକୁ ରାଷ୍ଟ୍ର ପ୍ରତି ସମର୍ପି ଦେଇଥିବା ଏବଂ ବର୍ତ୍ତମାନ ଠାରୁ ଭବିଷ୍ୟତ ପର୍ଯ୍ୟନ୍ତ ଦେଖିପାରୁଥିବା ବ୍ୟକ୍ତି ହିଁ ପ୍ରକୃତ ନେତୃତ୍ୱ ଦେଇପାରିଥାନ୍ତି। ନରେନ୍ଦ୍ର ମୋଦୀଙ୍କ ଏହି ବ୍ୟକ୍ତିତ୍ୱ ଆଜି ଭାରତର ସବୁଠାରୁ ବଡ଼ ଶକ୍ତି।
(ମତାମତ ଲେଖକଙ୍କ ନିଜସ୍ବ)

ଅମିତ ଶାହ
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ