ଅଲେଖ ଚନ୍ଦ୍ର ପଢ଼ିଆରୀ

‘ପ୍ର’ ଉପସର୍ଗରେ ‘ସାଦ’ ଶବ୍ଦ ଯୋଗ ହେଲେ ‘ପ୍ରସାଦ’ ଶବ୍ଦ ସୃଷ୍ଟି ହୁଏ, ଯାହାର ଅର୍ଥ ପ୍ରସନ୍ନତା। ମହତ୍ ଓ ପ୍ରସାଦ ଦୁଇଟି ଶବ୍ଦର ସଂଯୋଗରେ ମହାପ୍ରସାଦ ଶବ୍ଦର ସୃଷ୍ଟି। ଯମେଶ୍ବର ରଥଙ୍କ ଅଭିଧାନ ଅନୁସାରେ ‘ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ’ ହେଉଛି ‘ମହାପ୍ରସାଦ’। ଏହି ଖାଦ୍ୟର ସାତ୍ତ୍ବିକ ଭାବ, ପ୍ରସ୍ତୁତ ପ୍ରଣାଳୀର ନିଷ୍ଠାପରତା, ପବିତ୍ରତା, ସାର୍ବଜନୀନତା ତଥା ବିବିଧ ମନ୍ତ୍ର-ତନ୍ତ୍ର ପ୍ରକ୍ରିୟାର ସଂସ୍କାର ଏହାକୁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବରେ ଯଯାତି କେଶରୀ ଜଗନ୍ନାଥ ମନ୍ଦିରରେ ଅନ୍ନପ୍ରସାଦ ପ୍ରଚଳନ କରିଥିଲେ ବୋଲି କେତେକ ଗବେଷକ ମତ ଦିଅନ୍ତି। ମାଦଳା ପାଞ୍ଜି ଅନୁସାରେ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ମହାପ୍ରସାଦ ପ୍ରଚଳନ ହୋଇଥିଲା। ଏହି ଦୁର୍ଲଭ ପ୍ରସାଦକୁ ଆଚାଣ୍ଡାଳ ବ୍ରାହ୍ମଣ ଏକତ୍ର ବସି ଭୋଜନ କରିବା ସଂଗେ ସଂଗେ ଆତ୍ମ ତୃପ୍ତି ଲାଭ କରନ୍ତି। ଏହା ମାରା ବା ଅଇଁଠା ହୁଏ ନାହିଁ। 
ମହାପ୍ରସାଦ ଦୁଇ ପ୍ରକାର। ଗୋଟିଏ ଅନ୍ନ ପ୍ରସାଦ ବା ଶଙ୍ଖୁଡ଼ି ପ୍ରସାଦ, ଅନ୍ୟଟି ଶୁଖିଲା ପ୍ରସାଦ ବା ନିଶଙ୍ଖୁଡ଼ି। ସମୁଦାୟ ମହାପ୍ରସାଦ ଏହି ଛଅ ଗୋଟି ଧୂପ ଭୋଗ ସମୟରେ ଅର୍ପଣ କରାଯାଏ, ଯେଉଁଥିରେ ଛପନ ପ୍ରକାର ଖାଦ୍ୟ ଥାଏ। ମହାପ୍ରସାଦ ଶଙ୍ଖୁଡ଼ି ଭୋଗକୁ ବିଭିନ୍ନ ସ୍ତରରେ ବିଭିନ୍ନ ନାମରେ ନାମିତ କରାଯାଇଥାଏ। ଯେଉଁ ଚାଉଳ କେବଳ ଜଗନ୍ନାଥଙ୍କ ରୋଷ ଘରେ ରନ୍ଧାଯାଏ ତାହାର ନାମ ଅମୁଣିଆ। ସେହି ଚାଉଳ ବୈଷ୍ଣବାଗ୍ନିରେ ପାକ ହେଲେ ଅନ୍ନ କୁହାଯାଏ। ଅନ୍ନ ରୋଷ ଘରୁ ବାହାରକୁ ଆସିଲେ ତାହାକୁ ଛେକ କୁହାଯାଏ। ଏହି ଛେକ ଭୈରବୀ ଚକ୍ରରେ ରହିଲେ ତାହା ହୋଇଯାଏ ଭୋଗ। ପୁଣି ଭୋଗ ତିନି ଠାକୁରଙ୍କୁ ଲାଗି ହେଲେ ନୈବେଦ୍ୟ ପଦବାଚ୍ୟ ହୁଏ।
ନୈବେଦ୍ୟ ବିମଳା ଠାକୁରାଣୀଙ୍କୁ ସମର୍ପିତ ହୋଇଥାଏ। ତାହା ଗୋପାଳ ମନ୍ତ୍ରରେ ଉତ୍ସର୍ଗିତ ହେଲେ ମହାପ୍ରସାଦ ହୁଏ। ମା’ ବିମଳା ହେଉଛନ୍ତି ଶ୍ରୀମନ୍ଦିରର ପୀଠେଶ୍ବରୀ। ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ବର ଦର୍ଶନ ପୂର୍ବକ ମୁକ୍ତି ପାଆନ୍ତି, ତାହା ହୋଇଯାଏ କୈବଲ୍ୟ। କୈବଲ୍ୟକୁ ଭକ୍ତମାନେ ଖାଇଲେ ତାହା ଅଭଡ଼ା ହୁଏ। ଅଭଡ଼ାର ଯେ କୌଣସି ଛଡ଼ା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ନିର୍ମାଲ୍ୟ କୁହାଯାଏ। 
ଯଦିଓ ଶ୍ରୀଜୀଉଙ୍କ ପାଖରେ ଛପନ ପ୍ରକାର ଭୋଗ ଲାଗୁ ହେବାର ବ୍ୟବସ୍ଥା ଅଛି, କାଳକ୍ରମେ ଏହାର ସଂଖ୍ୟା ବୃଦ୍ଧି ଘଟି ଏହା ପ୍ରାୟ ୮୪ ବା ତାହା ଠାରୁ ଅଧିକରେ ପହଞ୍ଚି ସାରିଛି। କିନ୍ତୁ ଏହା ପରମ୍ପରା ଓ ନୀତିକୁ ତ୍ୟାଗ କରିପାରିନି। ଭୋଗ ସାମଗ୍ରୀ ମଧ୍ୟରେ ଯାହା ଗ୍ରହଣଯୋଗ୍ୟ ହୁଏ ନାହିଁ, ତାହା ଅଦ୍ୟାବଧି ଗ୍ରହଣୀୟ ହୋଇନାହିଁ, ଯଥା ଆଳୁ, ଟମାଟୋ, ଭେଣ୍ଡି, କୋବି, ସଜନା ଛୁଇଁ, ଛଚିନ୍ଦ୍ରା, କଲରା, ଲାଉ, ପିଆଜ, ରସୁଣ, ଝୁଡ଼ଙ୍ଗ, ବିନ ଇତ୍ୟାଦି।
ଏତଦ୍‌ ବ୍ୟତୀତ ଶାଗ ମଧ୍ୟରେ ବାରଣ ହୋଇଥିବା ଶାଗ ହେଲେ କୋଶଳା ଶାଗ, ମୂଳା ଶାଗ ଓ ଅଗସ୍ତି (କାର୍ତ୍ତିକ ମାସରେ) ଶାଗ। ଶ୍ରୀମନ୍ଦିରରେ ଅରୁଆ ଚାଉଳ ବ୍ୟବହୃତ ହୁଏ। ଉଷୁନା ଚାଉଳ, ଶୁଖିଲା ଲଙ୍କା ଓ ତେଲ ବାରଣ କରାଯାଏ। ମୋଟାମୋଟି ଭାବରେ ସମସ୍ତ ତାମସିକ ଓ ରାଜସିକ ଖାଦ୍ୟ ବର୍ଜିତ। କେବଳ ସାତ୍ତ୍ବିକ ଖାଦ୍ୟ ପ୍ରସ୍ତୁତ ହୁଏ, ଯାହା ଫଳରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବ ଉଦ୍ରେକ ହୋଇଥାଏ। ତେବେ, ଗୋପାଳ ବଲ୍ଲଭ, ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପରେ ଶ୍ରୀଜଗନ୍ନାଥଙ୍କୁ ଯେଉଁ ଭୋଗ ଲାଗେ, ମା’ ବିମଳାଙ୍କୁ ଅର୍ପଣ ପରେ ତାହା ମହାପ୍ରସାଦ ହୁଏ ବୋଲି କେତେକ ଗବେଷକ ମତ ଦିଅନ୍ତି।
ଷଡ଼ ସଂସ୍କାର ଦ୍ବାରା ଅନ୍ନ ପ୍ରସାଦରେ ଅନ୍ନତ୍ବର ବିଲୋପ କରାଯାଇ ବ୍ରହ୍ମତ୍ବ ଆରୋପ କରାଯାଏ। ସେହି ଷଡ଼ ସଂସ୍କାର ହେଲେ- ମହାଲକ୍ଷ୍ମୀଙ୍କ ଦ୍ବାରା ବୈଷ୍ଣବାଗ୍ନିରେ ରନ୍ଧନ, ଶ୍ରୀଯନ୍ତ୍ର ରୂପକ ଠାଆ ମୁରୁଜରେ ନୈବେଦ୍ୟ ଅର୍ପଣ, ଦ୍ବାବିଂଶକ୍ଷରୀ ପାତାଳ ନୃସିଂହ ମନ୍ତ୍ର ଦ୍ବାରା ତାହାର ଅଭିମନ୍ତ୍ରଣ, ଗୋବିନ୍ଦ ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ରରେ ନିବେଦନ, ଭୈରବୀ ଚକ୍ରର ଉଚ୍ଛିଷ୍ଟ ଭୈରବୀ ବିମଳାଙ୍କୁ ସମର୍ପଣ ଏବଂ ଅଷ୍ଟସାତ୍ତ୍ବିକ ବୈଷ୍ଣବକୁ ଅବଶେଷ ଅନ୍ନବଳି ପ୍ରଦାନ। ତାନ୍ତ୍ରିକ ବିଧାନ ଅନୁସାରେ ରନ୍ଧନ ବ୍ୟବସ୍ଥାରେ ନବଚକ୍ର ଯନ୍ତ୍ର ଉପରେ ଅଗ୍ନି ସଂସ୍କାର ହୁଏ ଓ ଛଅ ଗୋଟି ଝିଙ୍କା ବିଶିଷ୍ଟ ଚୁଲି ଉପରେ ଏକା ଥରକେ ନଅ ଗୋଟି ହାଣ୍ଡି ବସାଇ ରନ୍ଧନ କରାଯାଏ। ଏହା ପରେ ତିନି ବ୍ରହ୍ମଙ୍କର ମିଳନ ହୁଏ। ରନ୍ଧନ ସମୟରେ ଲକ୍ଷ୍ମୀଙ୍କ ପ୍ରତିମା ରୋଷ ଗୃହକୁ ଆସନ୍ତି, ଅର୍ଥାତ୍ ମା’ ଲକ୍ଷ୍ମୀ ସ୍ବୟଂ ରନ୍ଧନ କରନ୍ତି। ପ୍ରତିଦିନ ପୁରୀ ମନ୍ଦିର ରୋଷଶାଳାରେ ବୈଷ୍ଣବାଗ୍ନିକୁ ଆବାହନ କରି ଅନ୍ନ ରନ୍ଧାଯାଏ।
ଶାଳଗ୍ରାମ ଉପରେ ବିରାଜିତ ବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟ ହେଉଛି ମହାପ୍ରସାଦ। ତେଣୁ ନୈବେଦ୍ୟ ବ୍ରହ୍ମଙ୍କୁ ଅର୍ପଣ କରାଯାଏ। ବେଦ ବିହିତ ଯଜ୍ଞରେ ପାକ ହୋଇ ବ୍ରହ୍ମକୁ ଅର୍ପିତ ଅନ୍ନ ହେଉଛି ମହାପ୍ରସାଦ। ଭୈରବୀ ଚକ୍ରରେ ଏହା ପ୍ରଦତ୍ତ ହେଉଥିବାରୁ ସମସ୍ତ ଜାତି, ଏକଜାତି ହୋଇଯାନ୍ତି। ମହାପ୍ରସାଦ ସେବନ ସମୟରେ ମନରେ କୌଣସି ଅହଂକାର, ବିଭେଦ ନ ରଖି ପବିତ୍ର ଓ ନିର୍ମଳ ମନରେ ସେବନ କରିବା ବିଧେୟ। ଭକ୍ତି ସହକାରେ ସେବନ କଲେ ପରମ ତୃପ୍ତି ଓ ପାପ ନାଶନ ହୁଏ। 
କେବଳ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଅର୍ପିତ ନୈବେଦ୍ୟ, ଶ୍ରୀଗୋପାଳଙ୍କୁ ଅର୍ପିତ ହେବା ପରେ ‘ମହାପ୍ରସାଦ’ ପଦବାଚ୍ୟ ହୋଇପାରିବ। ଲକ୍ଷ୍ମୀଙ୍କ ବୈଷ୍ଣବାଗ୍ନି ଆଦି ରନ୍ଧନ ପ୍ରଣାଳୀରେ ବୈଦିକ, ତାନ୍ତ୍ରିକ ଓ ବୈଷ୍ଣବ ମନ୍ତ୍ର ଆଦିର ସମନ୍ୱୟ ଘଟିଛି। ଏହା ଶ୍ରୀମନ୍ଦିରର ଏକ ବୌଦ୍ଧିକ ସମ୍ପତ୍ତି ଯାହା ଅନ୍ୟ କୌଣସି ସ୍ଥାନର ସେବକମାନଙ୍କ ଜ୍ଞାତସାରରେ ନାହିଁ। ଶ୍ରୀମନ୍ଦିର ରୋଷଘରର ରନ୍ଧନ ପ୍ରକ୍ରିୟା ସ୍ବତନ୍ତ୍ର। ଅତି ନିଷ୍ଠାପର ଭାବରେ ମା’ ଲକ୍ଷ୍ମୀଙ୍କ ଦ୍ବାରା ପ୍ରସ୍ତୁତ ଶ୍ରଦ୍ଧା ଓ ଭକ୍ତି ସହକାରେ ସମବେତ ସମସ୍ତଙ୍କୁ ପରିବେଷିତ ଅନନ୍ୟ ସାତ୍ତ୍ବିକ ଖାଦ୍ୟ ହେଉଛି ମହାପ୍ରସାଦ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୬୨୦୦୧

Advertisment