ଗୌରଚନ୍ଦ୍ର ତ୍ରିପାଠୀ

Advertisment

ନିଜ ସୌନ୍ଦର୍ଯ୍ୟରେ ଗର୍ବିତ, ଜଣେ ଅହଙ୍କାରୀ ରାଜା ଅଦୃଶ୍ୟ ପୋଷାକ ବୁଣିବାର ଦାବି କରୁଥିବା ଠକଙ୍କ ଶିକାର ହୋଇଛନ୍ତି। ଇନ୍ଦ୍ରଙ୍କ ସମତୁଲ୍ୟ ଦେଖାଯିବା ଲୋଭର ବଶବର୍ତ୍ତୀ ହୋଇ ରାଜା ସେମାନଙ୍କୁ ନିଯୁକ୍ତି ଦିଅନ୍ତି ଏବଂ ସେମାନେ କାମ କରିବାର ଅଭିନୟ କରନ୍ତି। ରାଜା ‘ଅଦୃଶ୍ୟ’ ପୋଷାକ ଯାଞ୍ଚ କଲାବେଳେ, ମୂର୍ଖ ଭାବରେ ପରିଗଣିତ ନ ହେବା ପାଇଁ ପୋଷାକକୁ ଦେଖିବାର ଅଭିନୟ କରନ୍ତି। ତୋଷାମଦକାରୀ ପାରିଷଦବର୍ଗ ମଧ୍ୟ ପୋଷକର ଭୂୟସୀ ପ୍ରଶଂସା କରନ୍ତି। ଶେଷରେ, ରାଜା ‘ନୂତନ ପୋଷାକ’ ପିନ୍ଧି ସହରରେ ଶୋଭାଯାତ୍ରା କରନ୍ତି। ରାଜଦଣ୍ଡର ଭୟରେ ସହରବାସୀ ପୋଷାକର ସୌନ୍ଦର୍ଯ୍ୟର ଜୟଜୟକାର ଧ୍ୱନିରେ ଶତମୁଖ ହୋଇଛନ୍ତି। ଠିକ୍‌ ସେତିକିବେଳେ ଉପସ୍ଥିତି କୋମଳମତି ଶିଶୁଟି ଚିତ୍କାର କରିଛି, “ରାଜାଙ୍କ ଦେହରେ କିଛି ବି ପୋଷାକ ନାହିଁ!” 
ତୋଷାମଦ ଏକ ଚିରନ୍ତନ, ସର୍ବବ୍ୟାପୀ ପ୍ରକ୍ରିୟା। ପ୍ରାଚୀନ ଗ୍ରନ୍ଥ ଓ ପୌରାଣିକ କାହାଣୀରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଶକୁନିଙ୍କ ମନତୋଷ କଥା ଦୁର୍ଯ୍ୟୋଧନଙ୍କ ଅହଂକାରକୁ ଦୃଢ଼ ଏବଂ ପାଣ୍ଡବମାନଙ୍କ ପ୍ରତି ଘୃଣା ଭାବକୁ ପ୍ରୋତ୍ସାହିତ କରୁଥିଲା, ଯାହାର ପରିଣାମସ୍ୱରୂପ କୁରୁକ୍ଷେତ୍ର ଯୁଦ୍ଧ ଓ କୌରବ ବଂଶର ପତନ ହୋଇଥିଲା। ହିତୋପଦେଶରେ ଉଲ୍ଲେଖ କରାଯାଇଛି, ରାଜାଙ୍କ ପାଇଁ ସାପ କିମ୍ବା ଚୋରର ଭୟ ନାହିଁ, ଏକମାତ୍ର ଭୟ ମିଥ୍ୟା ପ୍ରଶଂସକର। ବିଶ୍ବ ଇତିହାସ ଏପରି ଉଦାହରଣରେ ପରିପୂର୍ଣ୍ଣ ଯେଉଁଠାରେ ତୋଷାମଦ ଓ କୃତ୍ରିମ ପ୍ରଶଂସା, ଶାସକ ଓ ଶାସନର ପତନର ସୂତ୍ରଧର ସାଜିଛି। ପାରିଷଦ ବର୍ଗଙ୍କ ତୋଷାମଦ ପ୍ରବୃତ୍ତି ରୋମ ସମ୍ରାଟ୍ ନିରୋଙ୍କୁ ସ୍ବେଚ୍ଛାଚାରୀ କରିଛି ଏବଂ ଶେଷରେ ନିରୋ ଆତ୍ମହତ୍ୟା କରିଛନ୍ତି। ଗୋବେଲ୍‌ସ, ହିମ୍ଲେର୍, ଗୋରିଂଙ୍କ ପରି ଚାଟୁକାର ମଣ୍ଡଳୀ ହିଟଲରଙ୍କୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ଦେବତାର ଆସନରେ ଆସୀନ କରିଛନ୍ତି। ତାଙ୍କର ସବୁ ଅଯୌକ୍ତିକ ଓ ଅମାନବିକ ଚିନ୍ତାଧାରାର ବିରୋଧ ପରିବର୍ତ୍ତେ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି, ଯାହାର ପରିଣତିରେ ଘଟିଛି ହୋଲୋକୋଷ୍ଟ ଓ ଦ୍ବିତୀୟ ବିଶ୍ବଯୁଦ୍ଧ। ଜୁଲିଅସ ସିଜରଙ୍କ ଅହଂକାର ଏବଂ ପ୍ରଶଂସାର ଲାଳସାରୁ ସୃଷ୍ଟ ଚାଟୁକାରଙ୍କ ପ୍ରତି ସମ୍ବେଦନଶୀଳତା ଓ ଅଟଳ ଆସ୍ଥା ଶେଷରେ ତାଙ୍କର ପତନର ଏକ ପ୍ରମୁଖ କାରଣ ସାଜିଛି।
ରାଜନୈତିକ ଚାଟୁକାରିତାର ଦୁନିଆରେ, ଅନୁଗାମୀମାନଙ୍କୁ ସେମାନଙ୍କର ଅଟଳ ସମର୍ପଣ ପାଇଁ କ୍ଷମତା, ପୃଷ୍ଠପୋଷକତା ଓ ଉଚ୍ଚ ପଦପଦବିରେ ଅଳଙ୍କୃତ କରାଯାଏ। ରାଜନୀତିରେ ଜନତାର ‘ଅନ୍ଧଭକ୍ତି’ ଏକ ଦାସତ୍ବ ମନୋଭାବ ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଂଘାତ କରେ ଏବଂ ଦେଶ ଓ ଦଶର ଅପୂରଣୀୟ କ୍ଷତି ସାଧନ କରେ। ପ୍ରାଚୀନ ଗ୍ରୀକବାସୀଙ୍କ ବିଶ୍ୱାସ ଥିଲା ଯେ ସେମାନଙ୍କ ଉଦ୍ଭାବିତ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ‘ଜନନାୟକବାଦ’। ଅନ୍ଧଭକ୍ତଙ୍କ ତୋଷାମଦରେ ନିଶାଗ୍ରସ୍ତ ଶାସକମାନେ ନିଜକୁ ଅସାଧାରଣ, ଅପରାଜେୟ, ସର୍ବଶକ୍ତିମାନ, ସର୍ବଗୁଣସମ୍ପନ୍ନ, ସର୍ବଜ୍ଞାନସମ୍ପନ୍ନ ମନେ କରନ୍ତି ଏବଂ ସ୍ବେଚ୍ଛାଚାରୀ ହୁଅନ୍ତି। ଉଦାହରଣ ସ୍ୱରୂପ ଆମେରିକା ପରି ଦେଶରେ ପରମ ଅହଂକାରୀ ଓ ସ୍ବେଚ୍ଛାଚାରୀ ଡୋନାଲ୍‌ଡ ଟ୍ରମ୍ପଙ୍କ ପରି ରାଷ୍ଟ୍ରପତିଙ୍କ ସୃଷ୍ଟି। ଅର୍ଥନୀତି ପଣ୍ଡିତଙ୍କ ଆକଳନ, ଆଗାମୀ ଚାରି ବର୍ଷରେ ଆମେରିକାର ଯାହା କ୍ଷତି ହେବ ତାହା ଭରଣା କରିବାକୁ ଯୁଗ ବିତିବ। କନଫୁସିଅସ ଠିକ୍‌ କହିଥିଲେ, “ସଚ୍ଚୋଟତା ବିନା କଥାକୁହା ଲୋକ ନିଜକୁ ଆଘାତ ଦିଅନ୍ତି; ଚାଟୁକାରଙ୍କ କଥାଶୁଣା ବ୍ୟକ୍ତି ରାଜ୍ୟର କ୍ଷତି ଘଟାନ୍ତି।” ଜନଶକ୍ତିର ଅନ୍ଧଭକ୍ତିକୁ ଆୟୁଦ୍ଧ କରି ଶାସକମାନେ ଏକଛତ୍ରବାଦୀ ହେବା ସାମ୍ପ୍ରତିକ ବିଶ୍ବର ଗଣତାନ୍ତ୍ରିକ ଦେଶମାନଙ୍କରେ ଏକ ସାଧାରଣ ଘଟଣା। 
ଚାକିରି କ୍ଷେତ୍ରରେ ‘ୟେସ ବୋସ’ (ଆଜ୍ଞା ହଜୁର୍‌)ର ଚାଟୁକାରିତା ଏକ ବିଷାକ୍ତ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରେ। ଅଧସ୍ତନ କର୍ମଚାରୀ କାର୍ଯ୍ୟଦକ୍ଷତା ଅପେକ୍ଷା ଗୁଲାମଗିରିକୁ ପ୍ରାଥମିକତା ଦେଇ କର୍ପୋରେଟ୍ ଶିଡ଼ି ଉପରକୁ ଉଠିଯାଆନ୍ତି, ଯାହା ସହକର୍ମୀଙ୍କ ମନରେ ଅସନ୍ତୋଷଭାବ ସୃଷ୍ଟି କରାଏ ଏବଂ ଅନୁଷ୍ଠାନର ସାମଗ୍ରିକ ଉତ୍ପାଦନ କ୍ଷମତାରେ ହ୍ରାସ ଘଟାଇଥାଏ। କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ, ବିଶେଷ କରି ଆମ ରାଜ୍ୟରେ, ମାନ୍ୟତାପ୍ରାପ୍ତି ପାଇଁ ତୋଷାମଦ ହିଁ ଶ୍ରେଷ୍ଠ ଯୋଗ୍ୟତା ଭାବେ ପରିଗଣିତ। ଗଣମାଧ୍ୟମରେ ତୋଷାମଦ ମହାମାରୀର ରୂପ ନେଇସାରିଛି। “ବଂଶୀବାଦକଙ୍କୁ ଯିଏ ଟଙ୍କା ଦିଏ, ସ୍ୱର ବି ତା’ରି ହୁଏ।” ବିଜ୍ଞାନପନର ବିପଣିରେ ଗଣମାଧ୍ୟମ ତା’ର ସ୍ବର ଓ ସ୍ବାଧୀନତା ଉଭୟ ହରାଇ ବସିଛି। ଚାଟୁକାରିତାର ପ୍ରାବଲ୍ୟ ଜନସାଧାରଣଙ୍କୁ ସତ୍ୟ, ବସ୍ତୁନିଷ୍ଠ ଓ ନିରପେକ୍ଷ ସୂଚନା ପ୍ରସାରଣରୁ ବଞ୍ଚିତ କରିଛି। ପିଞ୍ଜରାବଦ୍ଧ ଶୁଆ ପରି ଗଣମାଧ୍ୟମରେ ଆଜି ଯାହାର ଦାନା, ତା’ରି କଥା। ସାମ୍ପ୍ରତିକ ପରିସ୍ଥିତିରେ କ୍ଷମତାସୀନ ଦଳ ଓ ବ୍ୟକ୍ତିବିଶେଷଙ୍କ ଆହୋରାତ୍ର ସ୍ତୁତିଗାନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟାଇଛି। ସାମାଜିକ ଗଣମାଧ୍ୟମ ସାଜିଛି ତୋଷାମଦର ‘ହୋଲସେଲ’ ବିତରଣ କେନ୍ଦ୍ର; ମିଥ୍ୟା, ଆତ୍ମପ୍ରତ୍ୟୟ ଓ ପାରସ୍ପରିକ ମିଥ୍ୟା ପ୍ରଶଂସାର ପ୍ରଯୋଜନ ସ୍ଥଳ। କାଲିଫର୍ନିଆ ଷ୍ଟେଟ୍ ୟୁନିଭର୍ସିଟି ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ରମାନି ଦୁର୍ବାସୁଲା କୁହନ୍ତି, ଆମେ ସମସ୍ତେ ‘ଦୀର୍ଘକାଳୀନ ଧ୍ୟାନ-ଆକର୍ଷଣର ଦୁନିଆରେ’ ରହୁଛୁ। ଗ୍ରାମରୁ ମହାନଗର ଯାଏ ପୁଞ୍ଜାପୁଞ୍ଜା କଳାକାର। ‘ତୁମେ ମୋତେ ପସନ୍ଦ କର, ମୁଁ ତୁମକୁ ପସନ୍ଦ କରିବି’ର ମାନସିକତା ପୃଷ୍ଠପୋଷକତା ଦେଇଛି ଘରେ ଘରେ ବାଗ୍ମୀ, ଲେଖକ, ଗାୟକ, ସଙ୍ଗୀତଜ୍ଞ, ନର୍ତ୍ତକନର୍ତ୍ତକୀଙ୍କୁ।  
ଦାର୍ଶନିକ ସକ୍ରେଟିସ ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ଯାହା କହିଥିଲେ ତାହା ଆଜି ବି ପ୍ରଯୁଜ୍ୟ- “ବିଶ୍ୱାସଯୋଗ୍ୟ ସେମାନେ ନୁହନ୍ତି ଯେଉଁମାନେ ତୁମ କଥା ଓ କାମକୁ ପ୍ରଶଂସା କରନ୍ତି, ବରଂ ସେମାନେ ବିଶ୍ୱାସଯୋଗ୍ୟ ଯେଉଁମାନେ ତୁମ ଦୋଷତ୍ରୁଟିକୁ ଦୃଢ଼ତାର ସହ ଦେଖାଇ ଦିଅନ୍ତି।” ତେଣୁ ପ୍ରାମାଣିକତା, ସମାଲୋଚନାମୂଳକ ଚିନ୍ତାଧାରା ଓ ଖୋଲା ଆଲୋଚନାକୁ ମୂଲ୍ୟ ଦେଉଥିବା ପରିବେଶର ପ୍ରୋତ୍ସାହନ ହିଁ ତୋଷାମଦ ଆଚରଣର କ୍ଷତିକାରକ ପ୍ରଭାବକୁ ହ୍ରାସ କରିପାରିବ। କ୍ଷମତାସୀନ ବ୍ୟକ୍ତି ମଧୁବାବୁଙ୍କ ସେହି ଉକ୍ତିକୁ ସର୍ବଦା ମନେ ରଖିବା ଉଚିତ, ‘ତୋଷାମଦକାରୀ କ୍ଷିପ୍ର ଶ୍ବାନ ପରି, ସହଜେ ଚିହ୍ନା ନ ଯାଏ/ଭୃତ୍ୟ ଭାବ ଧରି ଗୋଡ଼ ଚାଟୁଚାଟୁ, ବିଷ ଲେପି ଦେଇଥାଏ।’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭