ମହାମେଘବାହନ ଐର ଖାରବେଳ ସ୍ୱାଇଁ

Advertisment

କୁମ୍ଭମେଳା ହେଉଛି ହିନ୍ଦୁମାନଙ୍କର ଧର୍ମୀୟ ବିଶ୍ୱାସରୁ ସଂଭୂତ ଏକ ସମାବେଶ। ପୂର୍ବର ଆହ୍ଲାବାଦ ସହରର ନାମ ବଦଳି ପ୍ରୟାଗରାଜ ହୋଇଥିବାରୁ ଏବେ ଏହାକୁ ପ୍ରୟାଗରାଜ କୁମ୍ଭମେଳା ବୋଲି କୁହାଯାଉଛି। ପ୍ରୟାଗରାଜରେ ରହିଛି ତ୍ରିବେଣୀ ସଂଗମ, ଯେଉଁଠି ଗଂଗା, ଯମୁନା ଓ ଅଦୃଶ୍ୟ ତଥା କିଂବଦନ୍ତିର ସରସ୍ୱତୀ ଏକତ୍ର ହୋଇଛନ୍ତି। ଏଠାରେ ବୁଡ଼ ପକାଇବା ଏକ ପବିତ୍ର କାର୍ଯ୍ୟ ବୋଲି ହିନ୍ଦୁମାନଙ୍କର ଧାରଣା ଥିଲେ ହେଁ ଅନ୍ୟ ଧର୍ମର ଲୋକେ ମଧ୍ୟ ଏଠାକୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି। ଯେତେବେଳେ ବୃହସ୍ପତି ବୃଷ ରାଶି ଓ ସୂର୍ଯ୍ୟ ଏବଂ ଚନ୍ଦ୍ର ମକର ରାଶିରେ ଥାଆନ୍ତି, ଅଥବା ବୃହସ୍ପତି ମେଷ ରାଶିରେ ଅବା ସୂର୍ଯ୍ୟ ମକର ରାଶିରେ ଥାଆନ୍ତି, ସେତେବେଳେ ଏହି ଯୋଗ ପଡ଼ିଥାଏ। ତେବେ କୁମ୍ଭଯୋଗ ଅନେକ ସମୟରେ ମାଘ ମାସରେ ପଡ଼ି ନ ଥାଏ। ୧୯୮୯ ମସିହାରେ କୁମ୍ଭମେଳା ମାର୍ଚ୍ଚ ମାସର ମଧ୍ୟ ଭାଗରେ ଆରମ୍ଭ ହେବାର ଥିଲା, କିନ୍ତୁ ଏହା ଜାନୁଆରି ମାସରେ ଆରମ୍ଭ ହେଲା। ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ କେଉଁ ସମୟରେ ଏହି ମେଳା ଅନୁଷ୍ଠିତ ହେବ, ସେ ନେଇ କୌଣସି ନିଶ୍ଚିତତା ନାହିଁ। ଏହା ଫଳରେ କୁମ୍ଭମେଳା ଗୋଟିଏ ଜାଗାରେ କ୍ରମାଗତ ଦୁଇଟି ବର୍ଷରେ ଅନୁଷ୍ଠିତ ହୋଇଛି, ଉଦାହରଣ ସ୍ୱରୂପ ୧୯୪୧ ଓ ୧୯୪୨ ମସିହାରେ ଓ ଆହ୍ଲାବାଦ ଠାରେ। ସେମିତି ପୁଣି ଥରେ ଆହ୍ଲାବାଦରେ ୧୯୬୫ ଓ ୧୯୬୬ ମସିହାରେ ଏହା ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ଶାସ୍ତ୍ର ଦୃଷ୍ଟିରୁ ବିଷ୍ଣୁ ଅମୃତର ବୁନ୍ଦାମାନ ଚାରିଟି ଜାଗାରେ ପକାଇଥିଲେ; ଯାହାକୁ ପାନ କଲେ ମଣିଷ ଅମର ହେବ। ଯେଉଁ ସ୍ଥାନମାନଙ୍କରେ ଏହି ଅମୃତ ପଡ଼ିଥିଲା, ସେଗୁଡ଼ିକ ହେଉଛି ପ୍ରୟାଗରାଜ, ହରିଦ୍ୱାର, ଇନ୍ଦୋର ଓ ଉଜ୍ଜୟିନୀ। ତେଣୁ ଏହି ସବୁ ସ୍ଥାନମାନଙ୍କରେ କୁମ୍ଭମେଳା ଆୟୋଜିତ ହୋଇଥାଏ। ଅଶୋକଙ୍କ ପ୍ରୟାଗରାଜ ଶିଳାଲେଖରେ ଲେଖା ଅଛି ଯେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ କୁମ୍ଭମେଳା ଅନୁଷ୍ଠିତ ହୋଇଆସୁଛି। ଆକବରଙ୍କ ନବରତ୍ନଙ୍କ ମଧ୍ୟରୁ ଜଣେ ତଥା ପ୍ରସିଦ୍ଧ ବୀରବଲଙ୍କ ଶିଳାଲେଖରେ ମଧ୍ୟ ଅଛି ଯେ ୧୫୭୫ ଖ୍ରୀଷ୍ଟାବ୍ଦରେ ସେଠାରେ ମାଘ ମେଳା ଅନୁଷ୍ଠିତ ହୋଇଥିଲା। 
ଚୀନା ପରିବ୍ରାଜକ ସୁଆନ ଝାଂଗ (ହୁଏନସାଂ) ତାଙ୍କ ପୁସ୍ତକରେ ୬୪୨ ଖ୍ରୀଷ୍ଟାବ୍ଦର ମେଳାର କଥା ଉଲ୍ଲେଖ କରିଛନ୍ତି, ଯାହା ସମ୍ରାଟ ଶୈଳେନ୍ଦ୍ର ଅର୍ଥାତ୍‌ ହର୍ଷବର୍ଦ୍ଧନଙ୍କ ବେଳେ ଆୟୋଜିତ ହୋଇଥିଲା। ‌େସହି ମେଳାରେ ସମ୍ରାଟ ପ୍ରତି ୫ ବର୍ଷରେ ଥରେ ଲୋକମାନଙ୍କ ମଧ୍ୟରେ ତାଙ୍କର ସମ୍ପତ୍ତିକୁ ବାଂଟି ଦେଇଥାନ୍ତି। ଦୁଇ ନଦୀର ସଂଗମ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସେ ଏହି ସଂଗମ କ୍ଷେତ୍ରକୁ ଓଲୋୟେକିଆ ବୋଲି କହିଛନ୍ତି, ଯାହା ଭାରତୀୟ ଭାଷାରେ ପ୍ରୟାଗ। ହୁଏନସାଂ ବର୍ଣ୍ଣନା କରିଛନ୍ତି କିଭଳି ଶହ ଶହ ଲୋକ ଏହି ସଂଗମ କ୍ଷେତ୍ରରେ ଗାଧୋଇଥାଆନ୍ତି। ଅଷ୍ଟ୍ରେଲିଆର ଗବେଷକ କେମା ମାକଲିନ ଉଲ୍ଲେଖ କରିଛନ୍ତି ଯେ, ହୁଏନସାଂଙ୍କ ସୂଚନା ଅନୁସାରେ ପ୍ରତି ୫ ବର୍ଷରେ ଥରେ ଏହା ଅନୁଷ୍ଠିତ ହେଉଥିଲା, ୧୨ ବର୍ଷରେ ନୁହେଁ। ଏହି ନଦୀରେ ଡୁବ ପକାଇବା ବୌଦ୍ଧମାନଙ୍କର ମଧ୍ୟ ଏକ ଉତ୍ସବ ହୋଇପାରେ, କାରଣ ହୁଏନସାଂ ହର୍ଷବର୍ଦ୍ଧନଙ୍କୁ ବୌଦ୍ଧ ସମ୍ରାଟ ବୋଲି ବର୍ଣ୍ଣନା କରିଛନ୍ତି। 
ସଂଗମ କ୍ଷେତ୍ରରେ ବୁଡ଼ ପକାଇବାକୁ ଆସୁଥିବା ଆଖଡ଼ାମାନଙ୍କ କହିବା ଅନୁସାରେ କୁମ୍ଭମେଳାକୁ ପ୍ରୟାଗରାଜ ଠାରେ ଆଦିଶଙ୍କର ହିଁ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରିଥିଲେ, କାରଣ ତଦ୍ଦ୍ବାରା ଭାରତର ବିଭିନ୍ନ ଅଂଚଳରୁ ଆସୁଥିବା ଲୋକେ ସେହି ସ୍ଥାନରେ ଏକତ୍ର ହୋଇପାରିବେ। ଊନବିଂଶ ଶତାବ୍ଦୀ ପୂର୍ବରୁ ପ୍ରୟାଗରାଜ ଠାରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭମେଳା ହେଉଥିବାର କୌଣସି ରେକର୍ଡ ନାହିଁ। ମତ୍ସ୍ୟ ପୂରାଣରେ ବର୍ଣ୍ଣନା ଅଛି ଯେ ପ୍ରୟାଗ ଠାରେ ମାଘ ପୂର୍ଣ୍ଣିମାରେ ମେଳା ଅନୁଷ୍ଠିତ ହୋଇଥାଏ, କିନ୍ତୁ କୁମ୍ଭମେଳା ଅନୁଷ୍ଠିତ ହୁଏ ବୋଲି ସେଥିରେ ବର୍ଣ୍ଣନା ନାହିଁ। ଶ୍ରୀଚୈତନ୍ୟ ୧୫୧୪ରେ ପ୍ରୟାଗକୁ ଆସିଥିଲେ ଓ ମକର ସଂକ୍ରାନ୍ତି ଦିନ ଏଠାରେ ସ୍ନାନ କରିଥିଲେ। ବଂଗଳା ଭାଷାର ଚୈତନ୍ୟ ଚରିତାମୃତରେ ଅଛି ଯେ ସେ ଗୋଟିଏ ମାଘ ମେଳାରେ ଯୋଗ ଦେଇଥିଲେ। ସେଠାରେ କୁମ୍ଭ ମେଳା ବୋଲି ମଧ୍ୟ ଲେଖା ଯାଇନାହିଁ। ୧୬୦୦ ଶତାବ୍ଦୀରେ ତୁଳସୀ ଦାସଙ୍କ ରାମ ଚରିତ ମାନସରେ ବର୍ଣ୍ଣନା ଅଛି ଯେ ଆହ୍ଲାବାଦଠାରେ ପ୍ରତି ବର୍ଷ ଏହି ମେଳା ଆୟୋଜିତ ହୋଇଥାଏ ଏବଂ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ବୋଲି ତହିଁରେ ଲେଖା ଯାଇନାହିଁ। ୧୫୯୦ରେ ନିଜାମୁଦ୍ଦିନ ଅହମ୍ମଦଙ୍କ ଦ୍ୱାରା ଲିଖିତ ତବାକତ-ଇ-ଆକବରି ଗ୍ରନ୍ଥରେ ଲେଖାଯାଇଛି ଯେ ଏହି ମେଳା ପ୍ରତି ବର୍ଷ ଆୟୋଜିତ ହୋଇଥାଏ; ରବି ଫସଲ ହେବା ପରେ ହିନ୍ଦୁମାନେ ତ୍ରିବେଣୀ ସଂଗମକୁ ଏତେ ସଂଖ୍ୟାରେ ଆସନ୍ତି ଯେ ସେଠାକାର ଜଂଗଲ ଓ ସମତଳ ଅଂଚଳରେ ସେମାନଙ୍କ ପାଇଁ ସ୍ଥାନ କୁଳାଇ ନ ଥାଏ। ୧୬୦୦ ଶତାବ୍ଦୀର ଆଇନ-ଇ-ଆକବରି ପୁସ୍ତକରେ ପବିତ୍ର ମାଘ ମାସରେ ଆହ୍ଲାବାଦ ମେଳା କଥା ଅଛି। ୧୬୯୫ରୁ ୧୬୯୯ ମଧ୍ୟରେ ଲିଖିତ ଖୁଲାସାତ ଉତ୍ ତାୱାରିକରେ ମଧ୍ୟ କୁମ୍ଭମେଳାର ଉଲ୍ଲେଖ ଅଛି। କିନ୍ତୁ ଏହି ମେଳା ହରିଦ୍ୱାର ଠାରେ ଅନୁଷ୍ଠିତ ହୋଇଥିବା କଥା ଲେଖା ଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ଆହ୍ଲାବାଦଠାରେ ପ୍ରତି ବର୍ଷ ଗୋଟିଏ ମେଳା ଅନୁଷ୍ଠିତ ହେଉଥିଲା। ୧୮୩୪ରେ ରଚିତ ‘ୟାଦଗାର ଇ ବାହାଦୁରି’ରେ ଲେଖାଯାଇଛି ଯେ ଆହ୍ଲାବାଦରେ ପ୍ରତ୍ୟେକ ମାଘ ମାସରେ ମେଳା ଅନୁଷ୍ଠିତ ହୋଇଥାଏ, ଯେତେବେଳେ ସୂର୍ଯ୍ୟ ମକର ରାଶିକୁ ଯାଇଥାନ୍ତି। 
୧୭୯୦ ମସିହାରେ ମହାରାଜ ସିନ୍ଧିଆଙ୍କ ବର୍ଣ୍ଣନାରେ ମିର ମହମ୍ମଦ ଅମଜାଦ ନାମକ ଜଣେ ମୁସଲମାନଙ୍କୁ ପ୍ରଶଂସା କରାଯାଇଛି, ଯିଏ ଦାକ୍ଷିଣାତ୍ୟରୁ ଆସି ଏହି ମେଳାର ଯୋଗ ଦେଇଥିବା ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିଥିଲେ। ଅମଜାଦ ଥିଲେ ଅଯୋଧ୍ୟାର ନବାବ ଅସଫ ଉଦୁଲ୍ଲାଙ୍କ ଜଣେ ପଦସ୍ଥ କର୍ମଚାରୀ। ଅେଯାଧ୍ୟାର ନବାବ ଏହି ମେଳାକୁ ଆସୁଥିବା ଯାତ୍ରୀ କରକୁ କମାଇ ଦେଇଥିଲେ। ୧୮୦୬ରେ ଇଷ୍ଟ ଇଣ୍ଡିଆ କମ୍ପାନି ଯାତ୍ରୀ କରକୁ ନିଜ ହାତକୁ ନେଇଥିଲା ଏବଂ ଏହି ମେଳାରେ ସ୍ନାନ କରୁଥିବା ପ୍ରତି ଯାତ୍ରୀ ପିଛା ଗୋଟିଏ ଟଙ୍କା କର ଲଗାଯାଇଥିଲା। ବ୍ରିଟେନର ପର୍ଯ୍ୟଟକ-ଲେଖକ ହାନି ପାକ୍ସ ଲେଖିଛନ୍ତି ଏହି ଟିକସ ଥିଲା ମାତ୍ରାଧିକ; କାରଣ ସେ ଯୁଗରେ ଗୋଟିଏ ଟଙ୍କାରେ ଜଣେ ଲୋକ ଗୋଟିଏ ମାସ ସୁଖରେ ଚଳି ପାରୁଥିଲା। ଆଉ ଗୋଟିଏ ସ୍ଥାନରେ ଲେଖା ଅଛି ଯେ ୩ ଟଙ୍କା ପର୍ଯ୍ୟନ୍ତ ଯାତ୍ରୀ ଟିକସ ଆଦାୟ କରାଯାଉଥିଲା, ଯେଉଁଥିରୁ ଜନମଂଗଳକାରୀ କାର୍ଯ୍ୟ ଓ ନଦୀ କୂଳରେ ବସୁଥିବା ବ୍ରାହ୍ମଣମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଥିଲା। ତେବେ ୧୮୦୮ରେ ଇଷ୍ଟ ଇଣ୍ଡିଆ କମ୍ପାନି ଯାତ୍ରୀ କରକୁ ଉଠାଇ ଦେଇଥିଲା। କାରଣ, ବ୍ରିଟିସ ଫଉଜର ସୈନ୍ୟମାନେ ମଧ୍ୟ ଆହ୍ଲାବାଦରେ ସ୍ନାନ କରୁଥିଲେ। ୧୮୧୨ରେ ଇଷ୍ଟ ଇଣ୍ଡିଆ କମ୍ପାନି ପକ୍ଷରୁ ଗୋଟିଏ ମେଳାର ଆୟୋଜନ କରାଯାଇଥିଲା। ୧୮୩୩ରେ ରେୱାର ରାଜକୁମାର ବିଶ୍ୱନାଥ ସିଂହ ଏଠାରେ ଟିକସ ଦେବାକୁ ମନା କରିଥିଲେ, କାରଣ ସେ ସ୍ନାନ କରି ନଥିଲେ। ତେବେ ସେଠାକାର ବ୍ରିଟିସ କଲେକ୍ଟର ତାଙ୍କ ଉପରେ ୫୪୯୦ ଟଙ୍କାର ଏକ ଜୋରିମାନା ଲଗାଇଥିଲେ। ରେୱାର ରାଜା ବ୍ରିଟିଶ ସରକାରଙ୍କୁ ୫ ହଜାର ଟଙ୍କାର ଟିକସ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ। ଏମିତି ବିଭିନ୍ନ ବିବାଦମାନ ଚାଲି ରହିଥିବା ବେଳେ ୧୮୪୦ରେ ବ୍ରିଟିସ ସରକାର ଯାତ୍ରୀ କରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲେ। 
ବର୍ତ୍ତମାନର କୁମ୍ଭମେଳାରେ ୪୫ କୋଟିରୁ ଅଧିକ ଲୋକ ବୁଡ଼ ପକାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପ୍ରକାର ମଠ, ମହନ୍ତ ଓ ସନ୍ନ୍ୟାସୀ, ବିଭିନ୍ନ ଶ୍ରେଣୀ, ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକ ଏଠାକୁ ବୁଡ଼ ପକାଇବାକୁ ଆସିଛନ୍ତି। ଏଥରର ମହାକୁମ୍ଭରେ ଆଲଜେରିଆ, ଆଂଗୋଲା, ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବେଲଜିୟମ, ବେଲାରୁସ, ଇଟାଲୀ, ଜାପାନ, ଜାମାଇକା, ମେକ୍ସିକୋ, ରୋମାନିଆ, ରୁଷିଆ, ଦକ୍ଷିଣଆଫ୍ରିକା, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୭୩ଟି ଦେଶର ପ୍ରତିନିଧି ଆସିଛନ୍ତି। ଏଣୁ ଏହି ଉତ୍ସବକୁ ଏକ ବିଶ୍ୱ ମହୋତ୍ସବ ବୋଲି ମଧ୍ୟ କୁହାଯାଇ ପାରିବ। ପ୍ରକୃତରେ ଏହା ହେଉଛି ଏକତାର ମହାକୁମ୍ଭ, ଯାହା ଭାରତର ବୈଚିତ୍ର୍ୟମୟ ସ୍ବରୂପକୁ ପ୍ରତିପାଦନ କରିଥାଏ। ସାରା ଭାରତର ଜନସାଧାରଣ ଏଠାକୁ ଆସିଥିବାରୁ ସେମାନଙ୍କ ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ସୃଷ୍ଟି ହେଉଛି। ଅବଶ୍ୟ, ଦଳାଚକଟା ଭଳି ଦୁର୍ଭାଗ୍ୟଜନକ ଘଟଣାରେ ଅ‌େନକ ଶ୍ରଦ୍ଧାଳୁଙ୍କ ପ୍ରାଣ ଯାଇଛି, କିନ୍ତୁ ତାହା ଲୋକଙ୍କ ଉତ୍ସାହକୁ କମାଇ ପାରି ନଥିଲା। ଗତ ୨୦୨୪ ଜାନୁଆରି ୨୨ରେ ଅଯୋଧ୍ୟା ଠାରେ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ଉତ୍ସବ ହେବା ପରେ ଏବେ ଦେବ ଭକ୍ତି ଓ ଦେଶ ଭକ୍ତିର ଏକ ଅପୂର୍ବ ସମନ୍ୱୟ ପ୍ରୟାଗରାଜ ଠାରେ ଘଟିଛି। ଯେତିକି ଲୋକ କୁମ୍ଭ ମେଳାକୁ ଆସିଛନ୍ତି ସେମାନଙ୍କର ସଂଖ୍ୟା ଆମେରିକାର ଜନସଂଖ୍ୟାର ଦୁଇଗୁଣ। ପୃଥିବୀର କୌଣସି ସ୍ଥାନରେ ଏଭଳି ଦ୍ବିତୀୟ ଉଦାହରଣ ନାହିଁ। କୁମ୍ଭମେଳାରେ ସିନା ହିନ୍ଦୁମାନେ ସ୍ନାନ କରିଛନ୍ତି, କିନ୍ତୁ ଏଭଳି ଜନସମାଗମ ହେତୁ ଉତ୍ତରପ୍ରଦେଶ ଏବଂ ବିଶେଷ କରି ପ୍ରୟାଗରାଜରେ ଅର୍ଥନୀତି ଅତ୍ୟନ୍ତ ଲାଭବାନ ହୋଇଛି, ଯହିଁରୁ ସବୁ ସଂପ୍ରଦାୟର ଲୋକେ ଉପକୃତ ହୋଇଛନ୍ତି। ମୋଟ ଉପରେ କହିଲେ ଏହା ସବୁ ଭାରତୀୟଙ୍କୁ ଏକତ୍ର କରିଛି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦